Unknown

 

 

 

 

 

 

 

 

 

 

 

ଚନ୍ଦ୍ର ମଲ୍ଲିକା

ଅକ୍ଷୟ କୁମାର ମହାନ୍ତି

 

 

 

 

 

 

 

 

 

ଏହି ଉପନ୍ୟାସର ସମସ୍ତ ଚରିତ୍ର କାଳ୍ପନିକ । ତଥାପି ଯଦି ପାଠକଲାବେଳେ ଅଭିଜ୍ଞତା ଦୃଷ୍ଟିରୁ ସ୍ମୃତିପଟରେ କୌଣସି ଚରିତ୍ର ସହିତ କାହାର ସାମଞ୍ଜସ୍ୟ ଅକସ୍ମାତ୍‌ କେହି ଆବିଷ୍କାର କରନ୍ତି ତେବେ ତାହା ଆକସ୍ମିକ ନୁହେଁ । ବସ୍ତୁତଃ ତାହାହିଁ ଉଦ୍ଦେଶ୍ୟ ।

 

–ପ୍ରାକ୍‌ କଥାନ–

 

କତିପୟ ସମୀକ୍ଷକଙ୍କ ମତରେ ସାଂପ୍ରତିକ ଓଡ଼ିଆ ସାହିତ୍ୟ ଯେଣୁ କୀଟଦ୍ରଷ୍ଟ, ଅଧୁନା ତା’ର ଯଥାର୍ଥ ଅଭିବୃଦ୍ଧି ହେଉନାହିଁ । ସମ୍ଭବତଃ କି ପ୍ରକାର ସାହିତ୍ୟ ସୃଷ୍ଟି ବର୍ତ୍ତମାନ ସମାଜର ଆବଶ୍ୟକତା, ସେ ସମ୍ପର୍କରେ ସାହିତ୍ୟ ସ୍ରଷ୍ଟାମାନେ ସଚେତ ନୁହଁନ୍ତି । ଅଥବା ବର୍ତ୍ତମାନ ପରିସ୍ଥିତିରେ ସମାଜର ସେହିପରି କୌଣସି ନିର୍ଦ୍ଦିଷ୍ଟ ଆବଶ୍ୟକତା ନାହିଁ । କିଛିକାଳ ପୂର୍ବେ ଦେଖାଗଲା, ହଠାତ୍‌ ସାହିତ୍ୟ ଚେତନା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଅବଶ୍ୟ ତାହା ସ୍ପୃହଣୀୟ କି ନାଁ ସେ କଥା କହିବା ସମୀଚୀନ ନୁହେଁ । କେବଳ ଏ କ୍ଷେତ୍ରରେ ନୁହେଁ, ପ୍ରାୟ ସମାଜର ସବୁ କ୍ଷେତ୍ରରେ । ଏପରିକି—‘‘Between the parents and the children of today, there exists a new misunderstanding; it is no longer very easy to determine which generation is educating the other, (Albert Bire in Le Devoir)

 

ଠିକ୍‌ ସେହି ଭକ୍ତି ଅନୁଯାୟୀ କେଉଁ ଯୁଗର ସାହିତ୍ୟ ବୌଦ୍ଧିକ ଚେତନାକୁ ଋଦ୍ଧିମନ୍ତ କରିବ ତାହା କେବଳ ସମାଲୋଚକ ହିଁ କହିବେ । ତଥାପି ଦଳେ ଅନ୍ୟଙ୍କୁ ସମାଲୋଚନା କରିବାରେ ବ୍ୟସ୍ତ । ଏ ସବୁପରେ ମଧ୍ୟ ଓଡ଼ିଆ ସାହିତ୍ୟ ନିଶ୍ଚିତ ଭାବରେ ରୁଗ୍‍ଣ ହୋଇପଡ଼ିଛି । ତା’ର କାରଣ, ବହୁତ ରହିବା ସ୍ୱାଭାବିକ । କିନ୍ତୁ ଗୋଟାଏ ତା’ ଭିତରୁ ନିଶ୍ଚିତ ଯେ ସାହିତ୍ୟ ଆଲୋଚନା ଓ ଆଦୃତ ହେବାର କ୍ଷେତ୍ର ଓ ସମ୍ଭାବନା କ୍ରମେ ସୀମିତ ହେଉଛି । ତେଣୁ ଏହା ପ୍ରତିଫଳନ ମନୁଷ୍ୟର ଜୀବନ, ସମାଜ କାହାରି ଉପରେ ରେଖାପାତ କରୁନାହିଁ । ଆବଶ୍ୟକତା କେହି ଉପଲବ୍‍ଧି କରୁନାହାନ୍ତି ।

 

ଏବେ ଚତୁର୍ଦ୍ଦିଗରେ ଥିବା ପ୍ରକୃତିସୃଷ୍ଟ ପାହାଡ଼ କ୍ରମେ ମନୁଷ୍ୟ ଦ୍ୱାରା କ୍ଷୟିତ ହୋଇ ପୁଣି ତାହାରି ହାତରେ କୃତ୍ରିମ ପାହାଡ଼ ନିର୍ମିତ ହୋଇଚାଲିଛି । ଦୁଇ ପାଖରେ ଦୁଇ ପାହାଡ଼ ଭିତରେ ମାନବ । ଗୋଟିଏ ଦୃଶ୍ୟମାନ୍‌ ଅନ୍ୟଟି ଅଦୃଶ୍ୟ । ପ୍ରଚୁର ସଂଖ୍ୟାରେ ଯେତିକି ସାହିତ୍ୟ ସୃଷ୍ଟି ହୋଇଚାଲିଛି, ତା’ ଭିତରେ କୋରାନ୍‌, ବାଇବେଲ, ଗୀତା, ବେଦ, ବେଦାନ୍ତ ପ୍ରଭୃତି ଧର୍ମଶାସ୍ତ୍ରର ସୃଷ୍ଟି ପାହାଡ଼ ଭଳି ଉଚ୍ଚ । ଠିକ୍‌ ଅନ୍ୟ ପକ୍ଷରେ ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର, ହିଂସା, ଦ୍ୱେଷ, ରାଗ କ୍ରୋଧ, ହତ୍ୟା, ଆତ୍ମହତ୍ୟାର ଅଦୃଶ୍ୟମାନ ପାହାଡ଼ ପ୍ରତିମୁହୂର୍ତ୍ତରେ ବଢ଼ି ଚାଲିଛି । ଗୋଟିଏ ବଢ଼ିଲେ ଅନ୍ୟଟି କମିବା କଥା । କିନ୍ତୁ ଏଠି ଦୁଇଟିଯାକ ସମଗତିରେ ବଢ଼ି ଚାଲିଛନ୍ତି । ତେଣୁ ସାହିତ୍ୟ ସୃଷ୍ଟିର କୌଣସି ଲକ୍ଷ୍ୟ ସମ୍ଭବତଃ ସାଧିତ ହୋଇପାରୁନାହିଁ ।

 

ମୋର ଅନ୍ୟତମ ଶୁଭାକାଙ୍‌କ୍ଷୀ ସମ୍ମାନୀନୟ ଶ୍ରୀଯୁକ୍ତ ଅସୀତ୍‌ ମୁଖାର୍ଜୀଙ୍କୁ ମୁଁ ଠିକ୍‌ ଏହି ଯୁକ୍ତି ହିଁ ସାମାଜିକ ବାର୍ତ୍ତା ବହିରେ କ’ଣ ଦେଇଛି ? ମୁଁ ତାଙ୍କୁ ଉପରୋକ୍ତ ମର୍ମରେ ଯୁକ୍ତି ବାଢ଼ିଥିଲି । ଏବଂ କହିଥିଲି ଯେ—ସେଥିଯୋଗୁଁ ସିଧାସଳଖ କୌଣସି ବାର୍ତ୍ତା ପ୍ରକାଶନର ଆଭିମୁଖ୍ୟ ମୁଁ ରଖିନାହିଁ । ସମାଜର ସଂଶୋଧନକୁ ଆଖି ଆଗରେ ରଖି ଦିଗ୍‌ଦର୍ଶକ ବୋଲେଇବା ମୋର ଲକ୍ଷ୍ୟ ନୁହେଁ । କାରଣ ତାହା ଏକ ଅସଫଳ ପ୍ରୟାସ ବୋଲି ପ୍ରମାଣିତ । ଭଳି କର୍ତ୍ତବ୍ୟନିଷ୍ଠ ବିଶେଷଜ୍ଞ, ମାନଗୋବିନ୍ଦଙ୍କ ଭଳି ଅମାୟିକ ଦୟାଶୀଳ ପୁରୁଷ ଏବଂ ସର୍ବୋପରି ବର୍ତ୍ତମାନ ସମାଜର ଅଦ୍ଭୁତପୂର୍ବ ନ୍ୟାୟ ନିକିତି, ବିଚାର ବୁଦ୍ଧିର ଅବତାରଣା କରିଛି । ଉଦ୍ଦେଶ୍ୟ ଏକ୍‌ ।

 

ଆମେରିକୀୟ କବି Carl Sandburgଙ୍କର ପଚସ୍ତରୀୟତମ ଜନ୍ମତିଥି ଉପଲକ୍ଷେ ଏକ ସୁସଜ୍ଜିତ ଭୋଜି ସଭାରେ ଫଟୋଗ୍ରାଫ୍‌ର Edward Steichen କହିଥିଲେ—‘On the day that God made carl, He didn’t do anything else that day but sit around and feel good.’ ଯେହେତୁ ସେ ସୃଷ୍ଟିରେ ଆନନ୍ଦ ଅଛି ଏବଂ ସେ ଆନନ୍ଦ ଉପଭୋଗ କରିବା ପାଇଁ କିଛି ସମୟ ସନ୍ତୋଷରେ ବିଶ୍ରାମ କରାଯାଇପାରେ ।

 

ବର୍ତ୍ତମାନ ପରିପ୍ରେକ୍ଷୀରେ ପୁଷ୍ପଙ୍କ ଭୂମିକାରେ ପୁଷ୍ପମାନେ ପ୍ରତ୍ୟହ ଯେତେବେଳେ ନୂତନ ବୀରେନ୍ଦ୍ରଙ୍କର ସନ୍ଧାନ କରନ୍ତି ସେତିକିବେଳେ ମୁଁ ଯେ ପୁଷ୍ପଙ୍କ ଭଳି ଏକ ଚରିତ୍ର ସୃଷ୍ଟି କରି ପାରିଛି ତାହାହିଁ ମତେ ସବୁଠାରୁ ଆନନ୍ଦ ଦେଇଛି । କୌଣସି ଗୁଣରେ କେଦାରଗୌରୀ, ଲୈଲାମଜ୍‌ନୁ, ସିରୁହିନ୍‌ ଫରାଦ୍‌ ଭଳି ଅମର କାହାଣୀର ନାୟିକାଙ୍କଠାରୁ ତାଙ୍କର ତ୍ୟାଗ ଊଣା ନୁହେଁ । ତଥାପି ତାଙ୍କର ସାମାଜିକ ସ୍ଥିତି କେଉଁଠି ? ସାବିତ୍ରୀଙ୍କ ନିକଟରେ ତାଙ୍କ ପରିଚୟ କ’ଣ ?

 

ବହୁ ବିଚିତ୍ର ପ୍ରାଣୀଙ୍କ ବଂଶ ଆସ୍ତେ ଆସ୍ତେ ଏ ପୃଥିବୀପୃଷ୍ଠରୁ ଏବେ ଲୋପ ପାଇ ଆସୁଛି । ସେହିପରି ଲାଗୁଛି ସେହି ନିଷ୍ଠାଥିବା ରାଧିକା ବା ପୁଷ୍ପି ତାଙ୍କ ସଂଖ୍ୟା ମଧ୍ୟ କ୍ରମଶଃ କମି ଯାଉଛନ୍ତି । ପରବର୍ତ୍ତୀ କାଳରେ ତାଙ୍କ ସ୍ଥାନରେ ଯେଉଁ ନବାଗତମାନେ ଧରାମଞ୍ଚକୁ ଆସିବେ, ପୁଷ୍ପଙ୍କ ଆଦର୍ଶ ଓ ତ୍ୟାଗ ସେମାନଙ୍କୁ ଅନୁପ୍ରାଣିତ କରିବ କି ନାଁ ଜାଣେନି ! ବୋଲି ସେମାନଙ୍କ ଉଦ୍ଦେଶ୍ୟରେ ଏ ଲେଖା ଖଣ୍ଡିକ ଉତ୍ସର୍ଗ କଲି ।

 

ଲେଖକ

Image

 

ଉତ୍ସର୍ଗ

 

ଏ ସମାଜର ବହୁ ସାବିତ୍ରୀ ଓ ପୁଷ୍ପିତାମାନଙ୍କ ବ୍ୟତୀତ ଆଉ ଅନେକ ରହିଗଲେ ଯେଉଁମାନେ ନାଁ ସାବିତ୍ରୀଙ୍କ ସୌଭାଗ୍ୟ ପାଇଲେ ନାଁ ପୁଷ୍ପିତାଙ୍କ ଗୌରବ ନେଇପାରିଲେ । ଆଉ କେତେକ ସାବିତ୍ରୀ ହେବାକୁ ଚାହିଁ ପୁଷ୍ପିତା ହୋଇ ରହିଗଲେ ଏବଂ କେହି କେହିବା ପୁଷ୍ପିତା ହେବାକୁ ଚାହିଁ ସାବିତ୍ରୀ ହେବାକୁ ବାଧ୍ୟହେଲେ । ଏ ସମସ୍ତଙ୍କ ନିମନ୍ତେ ଏହା ଲେଖକ ଏକ ସୁଖପାଠ୍ୟ କାହାଣୀ । ତେଣୁ କାହାଣୀ ରୂପରେ ଅବତାରଣାକରି ସେହିମାନଙ୍କ ହାତରେ ହିଁ ‘ଚନ୍ଦ୍ରମଲ୍ଲିକା’ କୁ ଅର୍ପଣ କଲି ।

 

ଅକ୍ଷୟ କୁମାର ମହାନ୍ତି

Image

 

ଏ ପୃଥିବୀରେ ଘଟୁଥିବା ପ୍ରତ୍ୟେକ ଘଟଣାର ଏକ ତାତ୍ତ୍ୱିକ ବିଶ୍ଲେଷଣ କଲେ ଜଣା ପଡ଼ିବ ଯେ କିଛି ନା କିଛି ତା ଭିତରେ ଗୋଟାଏ କାର୍ଯ୍ୟ କାରଣ ସମ୍ୱନ୍ଧ ରହିଛି । ସବୁ ଯେମିତି ଏକ ଘଟଣାପ୍ରବାହର କିୟଦଂଶ । ଯଦି ତାହା ସୁହାଇଲା ଭଳି ଘଟଣା ହେଇଥାଏ ତେବେ ସେଇଟା ଘଟଣାରେ ରହେ, ନହେଲେ ତାକୁ ଦୁର୍ଘଟଣା ବୋଲି ନାମିତ କରାଯାଏ । ଏକପ୍ରକାର ଯୁକ୍ତି କୌଣସି ବୌଦ୍ଧିକ ଚିନ୍ତାଧାରାର ପ୍ରଭାବିତ—ତା ନୁହେଁ । ଗତାନୁଗତିକ ଜୀବନ ଧାରାର ଅନୁଭୂତି-। ପରିବେଶ ଓ ପିରିସ୍ଥିତିରେ କୌଣସି ଏକ ଘଟଣାର ମାନ ନିର୍ଦ୍ଧାରଣ କରାଯାଇପାରେ-। ନିତାନ୍ତ ସହଜ ଭାବରେ ଏ ଉପସଂହାରକୁ ବିଶ୍ଳେଷଣ କରାଗଲେ ବୁଝାଯିବ ଜୀବନର ଯେ କୌଣସି ମୁହୂର୍ତ୍ତରେ ଏକ କାର୍ଯ୍ୟ କାରଣ ସମ୍ୱନ୍ଧ ରହିଛି । ମଣିଷ କିନ୍ତୁ ସବୁ ଘଟଣା ପାଇଁ ଯୁକ୍ତି ଉପସ୍ଥାପିତ କରି ପାରେନାହିଁ । ତାର କାରଣ ନୁହେଁ ଯେ ସେଥିର କିଛି କାରଣ ନାହିଁ ବା ପୂର୍ବାପର ସମ୍ୱନ୍ଧ ନାହିଁ-। ଯେତେଟା ମନୁଷ୍ୟର ଜ୍ଞାତସାରରେ ହୁଏ ସେଗୁଡ଼ା ସେ ବୁଝାଇ ଥାଏ କିନ୍ତୁ ଯେଉଁ ଗୁଡ଼ିକ ମନ ଭିତରେ ଅବଚେତନ ବା ଅଚେତନ ପ୍ରକ୍ରିୟାର ଫଳ ସେଗୁଡ଼ିକୁ ପ୍ରତିଟି ଖିଅ ଧରି ବିଶ୍ଳେଷଣ କରିବା ତା’ ପକ୍ଷରେ ହୁଏତ ସମ୍ଭବ ହୁଏ ନାହିଁ ।

 

ରୁକ୍ଷଭାବରେ କେଇଟା ଉଦାହରଣ ନିଆଯାଉ—ଏକ ଦୁଃଖର ରାତିରେ ଯେଉଁ ତୋଟାର ଗଛଗୁଡ଼ାକ ପ୍ରେତଭଳି ଠିଆ ହୋଇ ମଜ୍ଜା ଦେଖିଲା ଭଳି ଲାଗେ, ଠିକ୍‍ ସେଇଗଛଗୁଡ଼ାକ ସୁଖର ରାତିରେ ଛତାଭଳି କାମକରେ—ଯାହାତଳେ ଘଣ୍ଟାଘଣ୍ଟା ଧରି ସମୟ ବିତେଇବାକୁ ଇଚ୍ଛା ହୁଏ । ଯେଉଁ ଜହ୍ନ ଦାନ୍ତ ନିକୁଟି ଖତେଇ ହୁଏ ସେ ପୁଣି ଅନେକ ସୁଧାବୋଳା ସ୍ୱପ୍ନ ବେଳପଡ଼ିଲେ ଅଜାଡ଼ି ଦେଇଥାଏ । ବର୍ତ୍ତମାନ ଧରାଯାଉ ଗଛ ଆଉ ଜହ୍ନର ମାହାତ୍ମ୍ୟ କଥା । ଏମାନେତ ବଦଳିବାର ଅବକାଶ ନାହିଁ । ତଥାପି ସେମାନ ଭିନ୍ନ ଲାଗୁଛନ୍ତି କାହିଁକି ? ପରିବେଶ ଓ ପରିସ୍ଥିତି ଏଦୁଇଟିକୁ ଯେ କୌଣସି ଭଲ ଓ ମନ୍ଦର ମାନ ନିର୍ଦ୍ଧାରକ । କିନ୍ତୁ ନାଁ.....ନିଶ୍ଚୟ ନୁହେଁ । ଅନ୍ତତଃ ସବୁବେଳେ ନୁହେଁ ।

 

ଯଦି ଜଣେ ଜାଣିପାରନ୍ତା ଯେ କାମଟା କରିବାକୁ ଯାଇ ସେ କୋଉଠି ପହଞ୍ଚିବ ତେବେ ଏ ମର୍ତ୍ତ୍ୟର ଅନେକ ଭୁଲ୍‍ ବା ଦୁର୍ଘଟଣା ସୁଧୁରିଯାଇ କେତେକାଂଶରେ କଳ୍ପନାର ସ୍ୱର୍ଗଲୋକ ସହିତ ସମତୁଲ ହୋଇପାରନ୍ତା । ସମୟରେ ଏଭଳି ଏକ ଅବସ୍ଥା ସୃଷ୍ଟିହୁଏ ଯେତେବେଳେ ଜଣେ ଜାଣି ମଧ୍ୟ ଭୁଲ୍‍ କରି ବସେ । ତାକୁ ଲାଗେ—ହୁଏତ ସେଇ ଏକମାତ୍ର ପନ୍ଥା ତାହା ବ୍ୟତୀତ ଆଉ ଉପାୟ ନାହିଁ । ଠିକ୍‌ ସୂତା ବୁଣିଲାଭଳି ବୁଣି ଦେଇଯାଏ ଭୁଲ୍‍ର ଜାଲ ଯାହା ଭିତରୁ ସେ ଜାଣି ମଧ୍ୟ ନିଷ୍କୃତି ଲାଭ କରିପାରେ ନାହିଁ । ଦୈନନ୍ଦିନ ଜୀବନ ଓ ସମାଜର ଘଟଣାବଳୀକୁ ନିରୀକ୍ଷଣ କଲେ ଏକଥା ସ୍ପଷ୍ଟ ଜାଣିହେବ । ତେଣୁ ସଂସ୍କାରବିତ୍‌ମାନେ, ତତ୍ତ୍ୱବିତ୍‌ମାନ, ମନୁଷ୍ୟକୁ ସୀମିତ ଶକ୍ତିବିଶିଷ୍ଟ ପ୍ରାଣୀ ବୋଲି କ୍ଷମା ଦେଇ ପରିସ୍ଥିତି ଓ ପରିବେଶକୁ ଦାୟୀ କରିଛନ୍ତି । ଏଇ ଧାରଯାଉ ବୀରେନ୍ଦ୍ର-!!!

 

ବୀରେନ୍ଦ୍ର ଘରୁ ବାହରିଲାବେଳକୁ ବେଶ୍‌ ଚତୁର୍ଦ୍ଦଶୀର ଜହ୍ନ—ରଣିଫୁଲ ପରି ବଗିଚା, ରାଜରାସ୍ତା, ଛାତଉପର କିଛି ଛାଡ଼ିନାହିଁ ଛାଇ ହେଇଯାଇଛି । ସେ ପ୍ରକାର ସଫେତ୍‌ ଆଲୋକ ପାଖରେ ହାରିଯାଇ ଲାଜରେ ଲିଭି ଯାଇଛନ୍ତି ରାସ୍ତାଧାରର କୃତ୍ରିମ ଆଲୋକ ମାତ୍ର ଘରେ ଆଉ ଏ ଜାଗା ଭିତରେ ବ୍ୟବଧାନ ଖୁବ୍‌ ବେଶିରେ ପଚାଶ କିଲୋମିଟର ହବାକି ନା ଘରୁ ବାହାରିବା ସମୟ ଆଉ ଏ ଭିତରେ ଜମା ଦୁଇଘଣ୍ଟା ବିତି ଯାଇଛି କି ନା ତଥାପି ଏତେ ପ୍ରଭେଦ ?

 

ଗାଡ଼ିଟା ଘରୁ ବାହାରିଲାବେଳେ ଯେତିକି ଉଦ୍‌ବେଗ ନେଇ ବେଗରେ ବାହାରିଥିଲା ବର୍ତ୍ତମାନ ଠିକ୍‌ ତାର ବିପରୀତ । ଆଗକୁ ବଢ଼ିବାକୁ ସତେ ଯେମିତି ସେ ଆଦୌ ରାଜି ନୁହେଁ । ତଥାପି ବୀରେନ୍ଦ୍ର କସରତ୍‌ କରିବା ଆରମ୍ଭ କରିଛନ୍ତି । ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ସେ—ଜୀବନ ମରଣ ସମସ୍ୟା । ହିଡ଼ ରାସ୍ତାରେ ବାଡ଼ିଟା ମୋଟେ ଗଡ଼ୁନି । ଗଁ ଗଁ ହେଇ ଚିତ୍କାର କରୁଚି । ଏ ଭିତରେ ବେଶ୍‌ ଅସରାଏ ବର୍ଷା ଏ ଅଞ୍ଚଳରେ ହୋଇ ଛାଡ଼ି ଯାଇଚି । ନିଜର ଅବସ୍ଥା ଆଉ ଗାଡ଼ିର ଅବସ୍ଥା ପ୍ରତି ଆଦୌ ଦୃଷ୍ଟି ନାହିଁ ବୀରେନ୍ଦ୍ରଙ୍କର । କୌଣସି ମତେ ରାଜରାସ୍ତା ତାଙ୍କୁ ଧରିବାକୁ ପଡ଼ିବ । ବହୁ କଷ୍ଟରେ ଜଙ୍ଗଲିଆ ତୋଟା ଛାଡ଼ି ହିଡ଼ ତିଆରି ମାଟି ରାସ୍ତାରେ ଓଦା ମାଟି ଭିତରେ ଖସି ଯାଉଥିବା ଆଉ ପଶି ଯାଉଥିବା ଚକକୁ ଗଡ଼େଇ ଗଡ଼େଇ ଯେତବେଳେ ଗାଡ଼ିଟା ରାଜରାସ୍ତା ଉପରକୁ ଶେଷ ଗର୍ଜନ କରି ଉଠିଲା ବୀରେନ୍ଦ୍ର ସ୍ୱସ୍ତିର ନିଶ୍ୱାସ ମାରିଲେ । ଗାଡ଼ିଟା ଡାହାଣକୁ ବୁଲେଇ ସାଇଡ୍‍ରୁ ରଖି ଷ୍ଟାଟ ବନ୍ଦକରି ବାହାରକୁ ଆସିଲେ । ନିଜଉପରୁ ଥରେ ଆଖି ବୁଲେଇଆଣି ଦେଖିଲେ ପୂରାପୂରି କାଦୁଅ ହେଇଯାଇଚି ତାଙ୍କ ଦେହ ମୁଣ୍ଡ ଆଉ ପୋଷାକ । ସେତ ଯେମିତି ସମସ୍ତେ ଉଦ୍‌ବେଗ ପ୍ରକାଶ କରୁଛନ୍ତି ଗାଡ଼ିଟିର ଅବସ୍ଥା ସାଙ୍ଗରେ ।

 

ଆଉ ସମୟ ନାହିଁ ଭାବି ଗାଡ଼ି କବାଟ ଖୋଲି ଭିତରକୁ ଗଲାବେଳେ ବୀରେନ୍ଦ୍ରଙ୍କ ଆଖିରେ ପଡ଼ିଲା ଆଗରେ ବିଟ୍‌ କନ୍‌ଷ୍ଟେବଳ ପଇଁତରା ମାରୁଛି । ବୀରେନ୍ଦ୍ର ତାକୁ ଡାକିଲେ ପାଖକୁ-। ମେଘ ଭିତରୁ ପୁଣି ଜହ୍ନଟା ବାହାରି ଆସିଲାଣି—ସମୟ ଦେଖିଲେ, ରାତି ଗୋଟାଏ ବାଜିଲାଣି-। କୌଣସି ମତେ ତାଙ୍କୁ ଅଳ୍ପ ସମୟଭିତରେ ଅନେକ କାର୍ଯ୍ୟ ଶେଷକରି ବାହାରି ଯିବାକୁ ପଡ଼ିବ-

 

କନଷ୍ଟେବଳ ପାଖକୁ ଆସିଲାପରେ ବୀରେନ୍ଦ୍ର ତାକୁ ପ୍ରଶ୍ନକଲେ—

 

‘ପାଖରେ ଡାକ୍ତରଖାନା କୋଉଠି ?’’

 

ବୟୋଽଜ୍ୟେଷ୍ଠ ବିଶ୍ୱସ୍ତ ସରକାରୀ କର୍ମଚାରୀଟି ନିଜର ଶ୍ରୁତିଶକ୍ତି ଉପରେ ଅବିଶ୍ୱାସ କଲା । ବାବୁଗାଡ଼ି ଦେଖୁଥିଲେ ଗାଡ଼ିଖାନା ଅର୍ଥାତ୍‌ ଗ୍ୟାରେଜ୍‌ ବିଷୟରେ ପଚାରିବା ସମ୍ଭବ ବା ଥାନାଲୋକ ବୋଲି ଦେଖି ପୋଲିସ୍‌ଥାନା କୋଉଠି ପଚାରିବା ସ୍ୱାଭାବିକ । କିନ୍ତୁ ଡାକ୍ତରଖାନା କଥା ପଚାରିବେ କାହିଁକି ? ଆଉ ଟିକିଏ ନିଶ୍ଚିତ ହବା ଉଦ୍ଦେଶ୍ୟରେ ପ୍ରଶ୍ନ କରନ୍ତେ ବୀରେନ୍ଦ୍ର ପୁନରାଏ ଉତ୍ତରଦେଲେ ଡାକ୍ତରଖାନା ତାଙ୍କର ଦରକାର ।

 

‘ଆପଣତ ସାର୍ ! ଟାଉନ୍‌ ଏରିଆରେ ପହଞ୍ଚି ଗଲେଣି । ଆଉ ଟିକିଏ ଆଗକୁ ଛକ ଊପରେ ଡାହାଣକୁ ବୁଲିଗଲେ ଡାକ୍ତରଖାନା ପଡ଼ିବ । ସଦର ଡାକ୍ତରଖାନା ।’

 

ଉତ୍ତର ନଦେଇ ବୀରେନ୍ଦ୍ର ଭିତରେ ପଶି ଗାଡ଼ି କବାଟ ବନ୍ଦ କଲେ । ଗାଡ଼ିଷ୍ଟାର୍ଟ କରି ଆଗେଇଲାବେଳକୁ ବିଟ୍‌ କନ୍‌ଷ୍ଟେବଳର ନିଜର ପଡ଼ିଗଲା ପଛସିଟ ଉପରେ । ହଠାତ୍‌ ତାର ମଧ୍ୟରାତ୍ରିର ଆଳସ୍ୟଭାବ କଟିଗଲାଭଳି ମନେହେଲା । ଲ୍ୟାମ୍ପ ପୋଷ୍ଟର ଆଲୁଅ ଚେନାଏ ପଡ଼ିବା ଭିତରେ ଝାପ୍‌ସା ଯାହା ଦେଖିଲା, ତାକୁ କେମିତି ଅସହଜ ମନେହେଲା । ଗାଡ଼ିଟା ତାର ଛାଡ଼ିଦେବା ଉଚିତ ହେଲାନାହିଁ ବୋଧହୁଏ । କିଛି ନହେଲେ ଅନ୍ତତଃ ନମ୍ୱରଟା ଦେଖିଦେଇଥିଲେ ହେଇଥାନ୍ତା । ପରକ୍ଷଣରେ ମନକୁ ଆସିଲା ସେ ଯେମିତି ତା କର୍ତ୍ତବ୍ୟରେ ଅବହେଳା କରିଛି । କିଛି ନ ହେଲେ ତ ଭଲ । କିଛି ଯଦି ଗୋଟାଏ ଅଘଟଣ ଥିବ ତେବେ ତା’ର ଗୋଟାଏ ଭୁଲ୍‍ ହେଇଗଲା-। ଏ ପ୍ରକାର ଭୁଲ୍‍ ଯେ ସଂସାରରେ ଚାକିରି ବାକିରିରେ ସମସ୍ତଙ୍କର ହଉନଥିବ ସେକଥା କେହି ଗ୍ୟାରେଣ୍ଟ ଦେଇ ପାରିବେ ନାହିଁ । ତେବେ କଥା ହେଲା ଗୋଟାଏ ସୁଯୋଗ ମିଳିଥିଲେ ଚାକିରିର ଶେଷ ଅବସ୍ଥାରେ । ଏଇଟା ଯଦି ଗୋଟାଏ ସେମିତିଆ କେସ୍‍ ହେଇଥିବ ତେବେ କାଳେ ଗୋଟାଏ ଧାଡ଼ି ସୁପାରିଶ୍‌ ପାଇ ପର ପ୍ୟାହ୍ୟାଟା କେଇଦିନପାଇଁ ମିଳି ଯାଇଥାନ୍ତା । ତେବେ ବି କିଛି ହେଇ ନଥାନ୍ତା । ସବୁ ସେଇ ଏକ ଗୋଲାମୀ ଖାଲି ପେନ୍‌ସନ୍‌ ଦି’ପଇସା ।

 

କାହିଁକି କେଜାଣି ପୁଣି ମନଟା ଆଶ୍ୱସ୍ତ ହେଲାନାହିଁ । ନାଃ ବେଇମାନୀ ହେଇଯିବ । ଥାନାବାବୁଙ୍କ କାନରେ କଥାଟା ପକେଇ ଦେଇଥିବା ଭଲ । ଥାନା ଆଡ଼କୁ ଦଉଡ଼ିଲା ।

 

ସବୁକଥା ବନେଇ ଚୁନେଇ କହିସାରିଲାବେଳକୁ ନିଦ ପୂରାପୂରି କଟିଯାଇ ଥାଏ । କନଷ୍ଟେବଳଟିର କିନ୍ତୁ ଧଇଁ କଟି ନଥାଏ ।

 

‘ତମେ ଗାଡ଼ିଟାକୁ ଛାଡ଼ି ଦେଲ କାଇଁକି..... ?’

 

ଠିକ୍‌ ଏଇ ପ୍ରଶ୍ନଟି ପାଇଁ ନିମ୍ନପଦସ୍ଥ କର୍ମଚାରୀଟି ପ୍ରସ୍ତୁତି ଥିଲାଭଳି ମନେହେଲା । ସାଙ୍ଗେ ସାଙ୍ଗେ ଜବାବ୍‌ ଦେଲା ।

 

‘ସାର୍‌! ମୁଁ ଗାଡ଼ି ନମ୍ୱରଟା ଦେଖିବା ପାଇଁ ଆଗରେ ଠିଆ ହେଇଗଲି । ଆଗ ନମ୍ୱରରେ କାଦୁଅ ଲାଗି ଦେଖାନଯିବାରୁ ପଛ ନମ୍ୱର ପାଖକୁ ଗଲାବେଳକୁ ଗାଡ଼ିଟା ସାଏଁ କିନା ଛାଡ଼ିଦେଲା ।’

 

ମନେହେଲା ଥାନାବାବୁ ଆଦୌ ଏକମତ ହେଲେ ନାହିଁ ତାର ଏକପ୍ରକାର ସଫେଇରେ-। ବିରକ୍ତି ଭାବକୁ ପ୍ରକାଶ କରିବାକୁ ଯାଇ କହି ଉଠିଲେ—

 

‘ପାଟି କରନି ହୋ ! ତମେ ତ ଲାଇସେନ୍‌ସରୁ ପ୍ରଥମ ତିନିଟା ଅକ୍ଷର ପଢ଼ୁ ପଢ଼ୁ ଗାଡ଼ି ଚାଲି ଯାଇଥିବ । ବାହାଦୂରୀ ଗପ । କୋଉଠୁ ଗୁଡ଼ାଏ ଆସିଚି । କୋଉ ଅଫିସରଙ୍କର କେବେ ବାସନ ଧୋଉଥିଲେ କି ଗାଈ ଦୁହୁଁ ଥେଲି । ଗଲାବେଳକୁ ସିପେହୀ କରି ରଖିଦେଇଛନ୍ତି । ଚାକିରି କରିବେ ଏମାନେ ।’

 

ଏଇ କଥାରୁ ସିପେହୀଟି ଧରି ନେଇଥାନ୍ତା ଯେ ଏ ଖବର ଦେଇ ସେ ଭୁଲ୍‍ କରିଛି । କିନ୍ତୁ ଥାନାବାବୁଙ୍କ ହାବଭାବରୁ ବୁଝିଲା—ଅନେକ ବ୍ୟଗ୍ର । ୟା ଭିତରେ ଟେଲିଫୋନ୍‌ ଉଠେଇ ଏକସଚେଞ୍ଜକୁ ଡାକ୍ତରଖାନା ଦବାକୁ କହି ସାରିଲେଣି ।

 

‘ମୁଁ ଥାନାରୁ କହୁଚି । .....ନମସ୍କାର । ଗୋଟାଏ ଗାଡ଼ି ନେଲି ଆମ୍ୱାସାଡ଼ାର । ଜଣେ ଭଦ୍ରବ୍ୟକ୍ତି ନେଇଯାଇଛନ୍ତି । ତାଙ୍କ ସହିତ ଜଣେ ନାରୀ ଅଚେତ ଅବସ୍ଥାରେ.....ଓ ଏଇ ବର୍ତ୍ତମାନ ପହଞ୍ଚିଲା ? ବେଶ୍‌ ତାକୁ ମୁଁ ଗଲା ପର୍ଯ୍ୟନ୍ତ ଅଟକାନ୍ତୁ । ମୁଁ ପହଞ୍ଚିଲି ।

 

ସିପେହୀ ଜଣକ ଦେଖିଲା ବାବୁ ଭାରି ବ୍ୟଗ୍ର । ପ୍ରୀୟ ଏକରକମ ପୋଷାକ ପିନ୍ଧି ସାରିଲେଣି । ଯା’ହଉ ଗାଡ଼ିଟାରେ ଖବର ମିଳିଚି । ପଳେଇ ଯାଇନି । ତଥାପି ନିଜର ଅଭିଜ୍ଞତା ଓ ଯୋଗ୍ୟତା ପ୍ରମାଣ କରିବାକୁ କହିଲା—

 

‘ସାର୍‌! ରାଇଟର ବାବୁଙ୍କୁ କହିଦେବ କି ଆଗର ଥାନାଗୁଡ଼ାକୁ ଖବର ଦେଇଦେବେ । ଯଦି ଗାଡ଼ିଟା ଖସିଯିବ ତେବେ—’

 

‘ଓହୋଃ.....ଶୁଣିଲାପରା ଗାଡ଼ିଟା ଡାକ୍ତରଖାନା ଭିତରକୁ ଗଲା । ଆଉ କ’ଣ ଖବର ଦବ ?’ ଏତକ କହି ଟୋପିଟା ନେଇ ପାଖରେ ଥିବା ଆଉ ଜଣେ ହାବିଲଦାରକୁ ଡାକି ମଟର ସାଇକଲ୍‌ ଷ୍ଟାଟ କଲେ । ସିପେହୀଟିର ମନ ମରିଗଲା । ସେ ଭାବୁଥିଲା ସାର୍‌ ତାକୁ ଡାକି ସାଙ୍ଗରେ ନେବେ । ତଥାପି ସେ ଦୁଃଖ କଲାନି । ଯେ କୌଣସି ଡାକୁ ଗୁଇନ୍ଦା କାହାଣୀ ଘଟଣା ପରି ଏତକ ତାକୁ ଲାଗିଲା । ତେଣିକି ଘଟଣାରେ କିଛି ଥାଉ କି ନଥାଉ ସେ ତାର କର୍ତ୍ତବ୍ୟ କରିଛି ।

 

ମନେ ମନେ ଭାବି ସେ ପୁଣି ଥାନା ବାହାରକୁ ତା ଡିଉଟି ପାଇଁ ବାହାରିଲା । ତାର ମନ ମରି ଯାଇଥାଏ । ମଣିଷ ଜାତି କେତେ ସ୍ୱାର୍ଥବାଦୀ ସତେ । ଅନ୍ୟର ମରମ କହିବାକୁ ସୁଯୋଗ ପାଇଲେ କେବେ ଛାଡ଼ିବେନି । ଏଇ ଲୋକଟା ମୁହଁକୁ ଅନଉନି । କହୁଚି କ’ଣନାଁ କାହାର ବାସନ ମାଜୁଥିଲେ । ଆମେ ବାସନମାଜି ସିପେହୀ ହେଇଥିଲେ ତମେ ଏବେ କାହାଘରେ ପିଲାଙ୍କୁ ପାଠ ପଢ଼େଇ ଅଫିସର୍‌ ଚାକିରି ପାଇଥିବ । ଗୋଟାଏ ପ୍ୟାହ୍ୟାରୁ ଆଉ ଗୋଟାଏ ପାହ୍ୟାକୁ ଯିବା ପାଇଁ ଆମର ତ ତମର ବେଶି ଦଉଡ଼ି । ସେଇଥିପାଇଁ କୋଉ ହାକିମ ଟୁର୍‌ରେ ଆସିଲେ ନିଜେ ଗାଡ଼ି ନେଇ ଯାଇ କୁକୁଡ଼ା ଖୋଜି ଆଣି....ଏଗୁଡ଼ା କ’ଣ ? ଆଉ କାହାକୁ ଖୋଜି ଆସେ ନାଁ ଚିହ୍ନି ଆସେ-। ଛାଡ଼ଃ.....ଲୋକଗୁଡାକ ବୁଝନ୍ତି ନାହିଁ ଯେ ମରମଟା କେତେ ବାଧେ । ଚାଲୁଣି କହୁଚି ଛୁଞ୍ଚିକ—ତୋର ଗୋଟାଏ କଣ ।

 

ନାଃ....ଆଉ ସେ ଭାବିବନି । ଯେତିକି ତାର କରିବା କଥା—କର୍ତ୍ତବ୍ୟ ସେ କରିଛି । ଖବର ଦେଇ ସାରିଲାପରେ ତାର ସେ କଥା ଭୁଲିଯିବା ଉଚିତ୍‌ । ମଣିଷ ଭଳି ମଣିଷଟା ହେଇଥିଲେ ହାବିଲଦାରକୁ ଡାକି ନନେଇ ତାକୁ କହିଥାନ୍ତା ଗାଡ଼ିରେ ବସ ଯିବା । ପୁଣି ବେଳ ଆସିବ ନାଇଁକି ଯେତେବେଳେ ଡାକୁବି ପଦେ ମଧୁରିଆ କଥା ଶୁଣେଇବାକୁ ସୁଯୋଗ ମିଳିବ ।

 

ମଟର ସାଇକେଲଟି ଅଳ୍ପକ୍ଷଣ ଭିତରେ ଡାକ୍ତରଖାନା ଭିତରେ ପଶିଲା । ଶବ୍ଦଟା ବୋଧହୁଏ ଜାଣି ପାରିଲେ ଡାକ୍ତର । ଭିତରେ ଥାଇ ଜଣେ ଜଣେ ଡିଉଟିରେ ଥିବା ସିଷ୍ଟରକୁ ପଠେଇଦେଲେ । ସିଷ୍ଟରଟି ବାହାରି ଆସି ଥାନା ଅଫିସରଙ୍କୁ ବାହାର ବାରଣ୍ଡାକୁ ଗଢ଼ିବା ଆଗରୁ ଡାକ୍ତରବାବୁଙ୍କୁ ଖବରଟା ଦେଇଦେଲା । ଅଳ୍ପ କଥାରୁ ଥାନା ଅଫିସର ବୁଝିଲେ ସେ ଘଟଣା ଖୁବ୍‌ ନିଶ୍ଚୟ ଗୁରୁତ୍ୱର । ନହେଲେ ଡରିବାବୁ ତାଙ୍କୁ ବାହାରେ ଅପେକ୍ଷା କରିବାକୁ କହିଥାନ୍ତେ କାହିଁକି ? ଭଦ୍ରବ୍ୟକ୍ତି ନିଶ୍ଚୟ ବାଟ ଗରେ ବସିଥିବେ । ଅନ୍ଧରିଆକୁ ଗାଡ଼ିଟା ଆଜ୍ଞାବହ ଦାସ ଭଳି ଠିଆ ହେଇଛି । ଗାଡ଼ିଟା କାହିଁକି ଚିହ୍ନା ଟିକେ ଲାଗିଲା ତାଙ୍କୁ । ତଥାପି ବର୍ତ୍ତମାନ ସମୟରେ ସେକଥା ଭାବିବାର ଅବକାଶ ନାହିଁ । ହାବିଲାଦାରକୁ ଗାଡ଼ି ନମ୍ୱର ଟିପିବାକୁ କହି ପୋଲିସ ଅଫିସର ଠିଆ ହେଇ ରହିଲେ ।

 

ପଛବାଟେ ୱାର୍ଡ଼ଭିତରୁ ବାହାରି ଆସିଲେ ଡାକ୍ତର । ଦେହ ଗୋଟାକ ଝାଳରେ ତିନ୍ତି ଯାଇଛି । ସତେ ଯେମିତି ଅକାନ୍ତ ପରିଶ୍ରମ କରି ସାରିଛନ୍ତି । ତାଙ୍କ ମୁହଁରେ କେମିତି କେଜାଣି ଏକ ଆତଙ୍କର ଚିହ୍ନ । ଏତେ ନିରୋଳାରେ ମଧ୍ୟ ସେ ଶଙ୍କିତ ଚିତ୍ତରେ ଥାନାବାବୁଙ୍କ କାନରେ କହିବାକୁ ପସନ୍ଦ କଲେ । ଅଳ୍ପକେ କେଇପଦ ଶୁଣିବା ପରେ ଥାନାବାବୁ ଟିକେ ଚଞ୍ଚଳ ହୋଇଉଠିଲେ । ଆଗରେ ତାଙ୍କର କର୍ତ୍ତବ୍ୟ । ଡାକ୍ତର କହିସାରି ପୁଣି ଭିତରକୁ ଚାଲିଗଲେ ।

 

ଆଉ ବିଳମ୍ୱ କରିବା ଉଚିତ୍‌ ହେବନାହିଁ ଏହି ଉଦ୍ଦେଶ୍ୟରେ ପୋଲିସ ଅଫିସର ଜଣକ ଯେତେବେଳେ ବାରଣ୍ଡା ଉପରକୁ ଚଢ଼ି କାଜୁଆଲିଟି ଭିତରକୁ ଆସିଲେ ସେତେବେଳେ ତାଙ୍କ ପାଦ କିଏ ପଛରୁ ଭିଡ଼ି ଧରି ରଖିଲା ଭଳି ମନା ହେଲା । କିନ୍ତୁ ଆଉ ଫେରିବାର ଅବକାଶ ନାହିଁ ଭିତରକୁ ପ୍ରବେଶ ମାତ୍ରେ ଦୃଷ୍ଟି ପଡ଼ିଲା ବୀରେନ୍ଦ୍ରଙ୍କ । ଥାନା ଅଫିସର ମୁଣ୍ଡ ନୁଆଁଇ ବୀରେନ୍ଦ୍ରଙ୍କୁ ପ୍ରଣାମ କଲେ ।

 

‘ଆରେ କିଶୋର ! ତମେ ?

 

‘ମୋର ଏଇଠି ବର୍ତ୍ତମାନ ପୋଷ୍ଟିଂ । ଥାନା ଚାର୍ଜରେ ଅଛି ।’

 

‘ଯା’ ହେଉ, ତେବେ ମୋର ଗୋଟାଏ ଦୁର୍ଭାବନା କଟିଗଲା । ଇସ୍‌! କି ଅବାଳାରେ ବାହାରି ଥିଲା ଘରୁ !’

 

‘କୁଆଡ଼େ ବାହାରି ଥିଲେ—ଏତେ ରାତିରେ ?’

 

ମୃଦୁ ହସିଲେ ବୀରେନ୍ଦ୍ର କାରଣ ବଡ଼ ଅଖାଡ଼ୁଆ ପ୍ରଶ୍ନ ଏଇଟା । ଜଣାଶୁଣା ସମସ୍ତେ ଜାଣନ୍ତି । ତଥାପି ବୀରେନ୍ଦ୍ରଙ୍କୁ ଉତ୍ତର ଦବାକୁ ଅଡ଼ୁଆ ଲାଗେ । ଯେତେ ଜଣ ବୀରେନ୍ଦ୍ରଙ୍କୁ ଜାଣନ୍ତି ସେମାନେ ନିଶ୍ଚୟ ପୁଷ୍ପିତାକୁ ଜାଣନ୍ତି । ଆଉ ଯେତେଜଣ ପୁଷ୍ପତା ପଟ୍ଟନାୟକଙ୍କୁ ଜାଣନ୍ତି ସେମାନେ ବୀରେନ୍ଦ୍ରଙ୍କୁ ଜାଣିବାକୁ ବାଧ୍ୟ । ତଥାପି ବୀରେନ୍ଦ୍ର ବା ପୁଷ୍ପିତା କେହି କାହା ସଂପର୍କରେ ହଠାତ୍‌ କିଛି କହିବାକୁ ଗଲେ ସାମାନ୍ୟ ନୀରବତା ପରେ ଟିକିଏ ହସି ଦିଅନ୍ତି । ପରେ ଟିକିଏ ହସି ଦିଅନ୍ତି । କାଳକ୍ରମେ ସମସ୍ତେ ଜାଣିଗଲେଣି ଏ ପ୍ରକାର ହସର ଅର୍ଥ ‘ସିଏ’ ଛିଡ଼ା ଆଉ କିଛି ନୁହେଁ ।

 

‘କ’ଣ କୁଆଡ଼େ ଭାରି ଜରୁରୀ ?’ ବୀରେନ୍ଦ୍ରଙ୍କୁ ନୀରବ ରହିବା ଦେଖି ପୁଣି କିଶୋର ପ୍ରଶ୍ନ କଲେ । ଦୀର୍ଘଶ୍ୱାସ ପକେଇ ଉତ୍ତରଟାକୁ ସହଜ କରିବାକୁ ବସିଲେ ।’

 

‘ନାଃ.....ଆଉ କୁଆଡ଼େ ଯିବି ? ମୋ ପାଇଁ ରାତି ଅଧ କ’ଣ ଦିନ ଅଧ କ’ଣ ? ଯେତେବେଳେ ଡାକରା ଆସିଲା ଯିବାକୁ ହବ । ନହେଲେ ଗତି ନାହିଁ । ସେଇଥିପାଇଁ ରାତି ଅଧରେ ଗାଡ଼ି ଧରି ବାହାରିଛି ଆହୁରି ଅଢ଼େଇ ଶହ କିଲୋମିଟର ଯିବାକୁ ପଡ଼ିବ । ଆଉ ତମେ ? ରାତିରେ ଏ ଡାକ୍ତରଖାନାକୁ ?’

 

‘ମୋର ଗୋଟାଏ ପେସେଣ୍ଟ ଓ୍ୱାର୍ଡ଼ରେ ଅଛି । ସେ କ’ଣ ସିରଅସ୍‌ ବୋଲି ଖବର ପାଇଲି ଥାନାରୁ ଉଠି ଆସିଛି ।’

 

ଆଉ ଏକ ଦୀର୍ଘଶ୍ୱାସ ପଳେଇଲେ ବୀରେନ୍ଦ୍ର ।

 

‘ସେଇଭଳି ଏକ ସିରଅସ୍‌ କେଶକୁ ନେଇ ମୁଁ ମଧ୍ୟ ଏ ଭିତରକୁ ପଶି ଆସି ଏଠି ଅଟକି ଏତେ ସମୟ ନଷ୍ଟ କଲି । ଆଚ୍ଛା କିଶୋର ! ତମେତ ଅଛ ବରଂ ମୋପାଇଁ ଗୋଟାଏ ସାହାଯ୍ୟ କର । ଭିତରେ ଆଗ ଆଖି ପକେଇ ଦେଇ ଆସ ମୋ କେସ୍‍ଟା ଉପରେ । ତା’ପରେ କେଇଟା କଥା କହି ତମ ଉପରେ ସବୁ ଦାୟିତ୍ୱ ଦେଇ ମୁଁ ଚାଲିଯିବି ।’

 

ଏତିକି କହିବା ପରେ ବୀରେନ୍ଦ୍ର ନୀରବ ରହିଲେ । କିଶୋର ମଧ୍ୟ କିଛି ନ ଜାଣିଲା ଭଳି ଭିତରକୁ ଗଲେ । କ’ଣ କରିବେ କିଶୋର ? ତାଙ୍କର ଉପସ୍ଥିତ ବୁଦ୍ଧି କେମିତି କେଜାଣି ହାଇ ମାନୁଥେଲା ଏଇ ପରିସ୍ଥିତିରେ । କାହାକୁ ସେ କହିବେ—କ’ଣ କହିବେ କିଛି ବାଟ ପାଉନଥିଲେ ।

 

ବୀରେନ୍ଦ୍ର ମାନସିଂହ ତାଙ୍କ ଅଞ୍ଚଳରେ ସେ ରାଜା କହିଲେ ଅତ୍ୟୁକ୍ତି ହେବ ନାହିଁ । ଜମିଦାରୀ ଉଠିଗଲେ ବି ସୁଦ୍ଧା ଜମିଦାର । ଖାଲି ଯେ ସେ ଜମିଦାର ନୁହଁ ଉଚ୍ଚ ଶିକ୍ଷିତ ମଧ୍ୟ । ତାଙ୍କରି ଅଞ୍ଚଳରେ ଯେତେବେଳେ କିଶୋର ଚାକିରି ପାଇ ସବ୍‌ଇନସ୍‌ପେକ୍ଟର ଭାବରେ ଜଏନ୍‌ କଲେ ସେକଥା ଏବେ ବି ମନେଅଛି ।

 

ବଡ଼ ମାର୍କେଟର ସବୁଠାରୁ ଗହଳି ଜାଗାଟାରେ ବୀରେନ୍ଦ୍ରଙ୍କ ଗାଡ଼ିଟା ଥୁଆ ହୋଇଥାଏ ଅଧାଅଧି ବାଟକୁ ମାଡ଼ି । ବେଶ୍‌ ଅସୁବିଧା ହେବେବି କେହି କିଛି କହୁନଥାନ୍ତି । କିଶୋର ଓହ୍ଲେଇପଡ଼ି ଯେତେବେଳେ ପଚାରନ୍ତି ଏ ଗାଡ଼ିଟା କାହାର ବୋଲି—ସମସ୍ତା ଶୁଣିଲେ ବି କେହି ଜବାବ୍‌ ଦେଉ ନଥାନ୍ତି । ପ୍ରଥମ ଚାକିରିର ତେଜ ନେଇ କିଶୋର ଯେତେବେଳେ ଚିତ୍କାର କଲେ ଏ ଗାଡ଼ି କାହାର ବୋଲି—ଓହ୍ନେଇ ଆସିଲେ ପାଖ ଦୋକାନ ପିଣ୍ଡାରୁ ଜନୈକ ସଠାମୁ ସୁପୁରୁଷ । ଯବୁକ ନ ହେଲେ ବି ଯୁବକ ତେଜେ ଦୀପ୍ତ କାନ୍ତି । ବୟସ ପ୍ରାୟ ଚାଳିଶ ତଳକୁ । ତଥାପି ଯଥେଷ୍ଟ କମ୍‌ ଭଳି ଜଣାପଡ଼େ । ଓହ୍ଲେଇ ଆସି ଅତି ଧୀର ଅଥଚ ଗମ୍ଭୀର ଭାବରେ ଉତ୍ତର ଦେଲେ—

 

‘ଗାଡ଼ିଟା ମୋର । କିଛି କହିବେ ?’

 

‘ବାଟରେ କାହିଁକି ରହିଛି ? ଲୋକମାନଙ୍କୁ ଅସୁବିଧା ହଉଚି । ଏ ବଜାର ଭିତରେ ବାଟ ମଝିରେ ଗାଡ଼ି ଅଟକେଇ ରଖିଛନ୍ତି ।’

 

ଭଦ୍ରବ୍ୟକ୍ତି ସେମିତି ଧୀର ଅଥଚ ଗମ୍ଭୀର ଭାବରେ ଉତ୍ତର ଦେଲେ—

 

‘ବାଟ ମଝିରେ ରଖିବା କଥା ନୁହଁ ସେକଥା ମୁଁ ଜାଣେ । ତେବେ ପଚାରି ପାରିବି କି କାହାର ଅସୁବିଧା ହଉଚି ?’

 

କିଶୋର ତାଙ୍କ ମୁହଁରୁ ଆଖି ବୁଲେଇ ଦେଖିଲେ ବେଶ୍‌ ଗହଳି ତାଙ୍କ ଚାରିପଟେ କିନ୍ତୁ କେହି ପଦେ ବି ଜବାବ ଦେଉ ନାହାଁନ୍ତି । ହୁଏତ ବହୁତ ଲୋକ କିଶୋରଙ୍କୁ ସମର୍ଥନ କରିଥାନ୍ତେ କିନ୍ତୁ କିଶୋର ନିରାଶ ହେଲେ । ତଥାପି ସତ କଥାଟା କହିବାକୁ ସେ ମୋଟେ କୁଣ୍ଠାବୋଧ କଲେ ନାହିଁ ।

 

‘ସମସ୍ତଙ୍କର ହେଉଛି । ମୋର ମଧ୍ୟ ହେଉଛି ।’

 

‘କ’ଣ ଆପଣଙ୍କ ସାଇକେଲଟା ନେଇ ଯିବାକୁ ଅସୁବିଧା ହେଉଛି ଆଉ ଜାଗେ ପାଉ ନାହାନ୍ତି ?’

 

ଏ କଥାଟା କେମିତି ବ୍ୟଙ୍ଗ କଲାଭଳି ତରୁଣ ପୋଲିସ ଅଫିସର କିଶୋରଙ୍କୁ ଲାଗିଲା । ମନେହେଲା ଯେମିତି ଭଦ୍ରବ୍ୟକ୍ତି ବିନୟର ସହିତ ପ୍ରଶ୍ନ କରୁ ନାହାଁନ୍ତି । ବରଂ ଗାଡ଼ି ଆଉ ସାଇକେଲ ଭିତରେ ତାରତମ୍ୟ ଦେଖାଇବା ଛଳରେ ବିଦ୍ରୂପ କରୁଛନ୍ତି । ଏଇ ପ୍ରକାର ଏକ ପରିସ୍ଥିତିରେ ହୁଏତ ଦର୍ଶକ ଜନସାଧାରଣ ଖୁବ୍‌ ଉଚ୍ଚ ସ୍ୱରରେ ହସିବାର ଥିଲା । କିନ୍ତୁ ସେଇଟା ସମ୍ଭବ ହେଲା ନାହିଁ କାରଣ ତିନି ଚାରି ଦିନର ଚାକିରି ଭିତରେ ମଧ୍ୟ କିଶୋର ନିଜକୁ ଯଥେଷ୍ଟ ଭାବରେ ପରିବିଜ କରାଇ ସାରିଥା’ନ୍ତି । ଅନ୍ୟ ପକ୍ଷରେ ସେ ଭଦ୍ରବ୍ୟକ୍ତିଙ୍କ ସମ୍ମୁଖରେ ବା କଥାରେ ହସିବାର ସାହାସ ହୋଇ ପାରିନାହିଁ ଲୋକମାନଙ୍କର । ଏତିକିବେଳେ ଦୃଷ୍ଟିପଡ଼ିଲା ଟିକିଏ ଆଗକୁ-। ଟ୍ରକଟାଏ ଆସି ଠିଆ ହେଇଚି ଗହଳିପାଇଁ । ଆଳ ପାଇଗଲେ କିଶୋର ।

 

‘ହେଇ ଦେଖନ୍ତୁ ! ଟ୍ରକଟା ଠିଆ ହେଇଚି ଯିବା ପାଇଁ ବାଟ ନାହିଁ ।’

 

‘ଓ, ଟ୍ରକଟା ପାଇଁ ରାସ୍ତା ଦରକାର । ଆରେ ଏଇ.....ସେ ପାଖରୁ ସବୁ ଉଠିଗଲେ, ଟ୍ରକଟା ଯିବ । ଜଲଦି ଛାଡ଼ି ଜାଗା ।’

 

ରାସ୍ତାର ଅନ୍ୟ ପାଖରେ ବସିଥିବା କେତୋଟି ଛୋଟ ଛୋଟ ଉଠା ବେପାରୀମାନଙ୍କ ଆଡ଼କୁ ଚାହିଁ ଏକଥା କହିଲେ ଭଦ୍ରବ୍ୟକ୍ତି । ଧାଡ଼ିମାରି ବସିଥିଲେ ଅନେକ ବେପାରୀ । କିଏ ପିଆଜ, କିଏ ଆଳୁ, କିଏ ଧନିଆଁ ପତର ବା କିଏ ଛୋଟ ସିଲଭର ଦୋକାନ ପାତି ବସିଥିଲେ । ଏଇ କଥା ଉପରେ ବତାସ ଆସିଲେ ଯେମିତି ଜୀବନ ବିକଳରେ ବନ୍ଧାବନ୍ଧି କରି ଉଠନ୍ତି ସେମିତି ସମସ୍ତେ ଦୋକାନ ଉଠେଇ ଘୁଞ୍ଚଗଲେ । ବାଟ ହେଇଗଲା ଟ୍ରକ ଯିବା ପାଇଁ, ଟ୍ରକଟା ଚାଲିଗଲା । ପୁଣି ସେଇ ଚୁନା ବେପାରୀମାନେ ଆସନ ପାତି ବସିବାକୁ ଆୟୋଜନ କଲେଣି । ନିତାନ୍ତ ଅପ୍ରତିଭ ବୋଧକଲେ କିଶୋର । କିନ୍ତୁ ଉପାୟ କିଛି ନାହିଁ । ସେ ପର୍ଯ୍ୟନ୍ତ ଅତି ଶାନ୍ତ, ଉଦାର ମୁହଁ ନେଇ ଭଦ୍ରବ୍ୟକ୍ତି କିଶୋରଙ୍କୁ ଚାହିଁ ରହିଥାନ୍ତି ଉତ୍ତର ଆଶାରେ ।

 

‘ଏଇଟା କିନ୍ତୁ ଅନ୍ୟାୟ ।’ ଏତିକି ଅଳ୍ପକେ କହି ଦେଇ ନିଜ ସାଇକେଲରେ ବସିଲେ କିଶୋର । ସାଇକେଲ ଉପରକୁ ଉଠିଲାବେଳେ ତାଙ୍କ ଆଖିପତା ପ୍ରାୟ ମୁଦି ହୋଇଗଲା । କାରଣ ସେ ଆଶା କରୁଥିଲେ ଠିକ୍‌ ତାଙ୍କ ପଛରେ ତାତ୍ସଲ୍ୟ ହସର ଏକ ମୃଦୁ ଗୁଞ୍ଜନ ଶୁଣାଯିବ । କିନ୍ତୁ ନାଃ-! ତା’ ମଧ୍ୟ ହେଲା ନାହିଁ । ସେ ବ୍ୟକ୍ତିଙ୍କୁ ଚିହ୍ନିବା ସେତିକିରେ ରହିଥିଲା । କିନ୍ତୁ ତା’ର ଦିନେ ଦି’ଦିନ ପରେ ଭଡ଼ାଘର କଥା ପଡ଼ୁ ପଡ଼ୁ ଥାନା ହାକିମ କିଶୋରଙ୍କୁ ଯେଉଁ ବାବୁ ଚାହିଁଲେ ସାହାଯ୍ୟ କରିପାରିବେ ବୋଲି କହି ତାଙ୍କ ପାଖକୁ ପଠେଇଲେ, ସେଇଠି କିଶୋର ଚିହ୍ନିଲେ ବୀରେନ୍ଦ୍ର ମାନସିଂଙ୍କୁ ।

 

‘କେତେ ଦିନ ହେଲା ଏଠି ଜଏନ୍‌ କଲେଣି ?’

 

‘ଆଜିକୁ ଠିକ୍‌ ଆଠ ଦିନ ହୋଇଗଲା ।’ ସଂକ୍ଷିପ୍ତ ଉତ୍ତରଦେଲେ କିଶୋର ଏଇ ଭଦ୍ରବ୍ୟକ୍ତିଙ୍କ ସହିତ ସେଦିନ ରାସ୍ତାରେ ରଖିବା ପାଇଁ ଏତେ ତର୍କ । ତାଙ୍କରି ବିଶାଳ ପ୍ରାସାଦରେ ବସିଛନ୍ତି କିଶୋର । ତଥାପି ବୀରେନ୍ଦ୍ରଙ୍କ କିଛି ପ୍ରତିକ୍ରିୟା ନାହିଁ । ସେମିତି ସୌମ୍ୟ ଆଉ ଶାନ୍ତ । ସତେ ଯେମିତି ଆଗର କିଶୋରଙ୍କୁ କୌଣସି ପରିସ୍ଥିତିରେ ଭେଟି ନାହାନ୍ତି ।

 

‘ଆପଣ କ’ଣ ପିଲାପିଲି ନେଇ ରହିବେ ।’

 

‘ନାଁ ଆଜ୍ଞା ! ପିଲାପିଲି ନାହାନ୍ତି । ମୁଁ ଏକା—’

 

‘ଓ ବିବାହ କରି ନାହାନ୍ତି ?’

 

‘ନା’

 

‘ଏକା ରହିବେ । ଗୋଟାଏ ରୁମ୍‌ ହେଲେ ଚଳିବ ବୋଧହୁଏ ।’

 

‘ଆଜ୍ଞା ହଁ । ହୋଟେଲେରେ ବି ଖାଇବ ତେଣୁ ଖାଲି ରହିବା କଥା । ପ୍ରଥମ ଚାକିରି ତ, ଟିକେ ଅଡ଼ୁଆ ଲାଗୁଛି ।’

 

‘ଆଚ୍ଛା ତା’ ମାନେ ସଦ୍ୟ କଲେଜ ଛାଡ଼ି, ଘର ଛାଡ଼ିଛନ୍ତି ଚାକିରି ପାଇଁ । ଏଇଆ ନାଁ ।’

 

‘ଆଚ୍ଛା ଠିକ୍‌ । ସହର ଛାଡ଼ି ଏ ପ୍ରକାର ଅଞ୍ଚଳ ମଧ୍ୟ ମୋ ପାଇଁ ପ୍ରଥମ ।’

 

‘ବେଶ୍‌ ! ଘରଟା ଠିକ୍‌ ହବା ପର୍ଯ୍ୟନ୍ତ ଆପଣ ଏଇଠିକି ଆପଣଙ୍କର ଜିନିଷ ପତ୍ର ନେଇ ଆସନ୍ତୁ । ବର୍ତ୍ତମାନ ଯାନ୍ତୁ । ଆମର ବାହାର ପଟେ ଗୋଟାଏ ଅଧିକା ବଖରା ଅଛି । ମୁଁ ଦେଖୁଛି ସେଇଟା କୋଉ ଅବସ୍ଥାରେ ଅଛି ।

 

‘ନାଇଁ.......ଏଠି.......ଆପଣଙ୍କୁ.....’

 

କୌଣସି ପ୍ରକାର ବିନୟ ପ୍ରକାଶ କରିବା ଆଗରୁ ବୀରେନ୍ଦ୍ର ଡ୍ରାଇଭରକୁ ଡାକି କିଶୋରଙ୍କୁ ସାଙ୍ଗରେ ନେଇ ଜିନିଷ ପତ୍ର ଆଣି ଆସିବାକୁ କହିଲେ । ଆଉ ତା’ରି ପରେ ସେଇଠି ତାଙ୍କରି ଘରେ ସେ ଅଞ୍ଚଳରେ ଚାକିରି କରିବା ଦୁଇବର୍ଷ ଯାକ ରହିଛନ୍ତି । ପ୍ରଥମ ଦୁଇ ଦିନ ହୋଟେଲରେ ଖାଇବା ପରେ ଆଉ ତାଙ୍କୁ ହୋଟେଲ ଯିବା ପାଇଁ ପଡ଼ି ନାହିଁ । ଅବଶ୍ୟ ପ୍ରଥମ ମାସ ଦରମା ପାଇଲା ପରେ ଯେତେବେଳେ ଘରଭଡ଼ା ଦେବା ପାଇଁ ମନସ୍ଥ କରି କିଶୋର ବୀରେନ୍ଦ୍ରଙ୍କୁ ଦେଖାକଲେ । ସେତବେଳେ ତାଙ୍କ ପାଖରେ ଆଉ ଦୁଇଜଣ ବିଶିଷ୍ଟ ବ୍ୟକ୍ତି ମଧ୍ୟ ବସିଥିଲେ । ବହୁ ସଂଭ୍ରମତାର ସହିତ ପ୍ରସ୍ତାବଟାକୁ ଉପସ୍ଥାପିତ କରିବା ପରେ କିଶୋର ଦେଖିଉ ସେ ପାଖରୁ ଚା’ ଜଳଖିଆ ଦରାଦ ଛଡ଼ା ଆଉ କିଛି ଉତ୍ତର ନାହିଁ । ତେଣୁ ସାମାନ୍ୟ ସିଧା ସଳଖ ଭାବରେ କହିଲେ । ଉତ୍ତରରେ କେବଳ ଏତିକି କହିଲେ ବୀରେନ୍ଦ୍ର—

 

‘ହଉ ନବା ନବା । ଆପଣ କହିଲେ ମୁଁ ଶୁଣିଲି । ଉତ୍ତର ଦବା ଦରକାର ହୋଇଥିଲେ ଦେଇଥାନ୍ତି । ଘରକୁ ଯାନ୍ତୁ । ପିଲାବେଳେ କାମ ଦାମ ଦେଖନ୍ତୁ । ବର୍ତ୍ତମାନ ମୋର ଭଡ଼ା ହିସାବ କରିବାକୁ ବେଳ ନାହିଁ, ବେଳ ମିଳିଲେ ଭଡ଼ା ହିସାବ କରିବି । ତା’ପରେ ମିଲ୍‌ ହିସାବ କରିବି । ମିଲ୍‌ରେ କେଇଟା ସାଧା ମିଲ୍‌ । ସାଧା ମିଲରେ କେଇଥରେ ପିଆଜ ନଥେଲା କେଇଥର ପିଆଜ ନଥିଲେ ସବୁ ଟିପା ଖାତା କରି ଗୋଟାଏ ଟିପି ରଖିଥାନ୍ତୁ । ବେଳ ମିଳିଲେ ହିସାବ କରିବା ଯାନ୍ତୁ ।’

 

ତା’ପରଠାରୁ ଆଉ କେବେ ଚିନ୍ତା କରି ନାହାନ୍ତିଁ କିଶୋର । ରହିବା ପର୍ଯ୍ୟନ୍ତ ସେ ପ୍ରସଙ୍ଗ ଉଠେଇ ନାହାନ୍ତି । ବରଂ ଘରଭଳି ଆଦରି ନେଇଥିଲେ ବୀରେନ୍ଦ୍ରଙ୍କ ଘରକୁ । ସେଇ ବୀରେନ୍ଦ୍ର ମାନସିଂହ । ତାଙ୍କୁ କେମିତି ଭାବରେ ସମ୍ମୁଖ କରିବେ ସେ ଭାବି ପାରୁ ନାହାନ୍ତି । କିନ୍ତୁ ଅନ୍ୟ ପକ୍ଷରେ କର୍ତ୍ତବ୍ୟ । ଆଉ ତାଙ୍କର ବିଳମ୍ୱ କରିବା ଉଚିତ୍‌ ନୁହେଁ । ଡାକ୍ତର ବାବୁଙ୍କ ପାଖକୁ ଆଉ ଥରେ ଯାଇ ଯାହା ଶୁଣିଲେ ସେଥିରେ କିଶୋରଙ୍କର ଆହୁରି ହୃତ୍‍କମ୍ପ ଦ୍ୱିଗୁଣିତ ହେଲା । ବେଳକୁ ବେ ଅବସ୍ଥା ଖରାପ ଆଡ଼କୁ ଯାଉଚି । ନାଃ.....ଆଉ ନୁହେଁ ଫେରି ଆସିଲେ କିଶୋର ବୀରେନ୍ଦ୍ରଙ୍କ ନିକଟକୁ ।

 

ସତେ ଯେମିତି ବ୍ୟସ୍ତ ହେଇ ଉଠୁଥିଲେ ବୀରେନ୍ଦ୍ର । କିଶୋରଙ୍କୁ ଦେଖିବାକ୍ଷଣି କହି ଉଠିଲେ—

 

‘କିଶୋର ! ମୁଁ ଚାଲିଲି । ଯାହା ହେଇଚି ମୋଟା ମୋଟି ମୁଁ ଅଳ୍ପକେ କହି ଦେଇଚି ଡାକ୍ତର ବାବୁଙ୍କୁ । ତାଙ୍କରିଠଉଁ ବୁଝି ଗୋଟାଏ ରିପୋର୍ଟ ଲେଖିଦବା । ଭୁଲ୍‍ ହେଲା ତମେ ଆସିଗଲ-। ମୁଁ ଯାଏଁ...... । ଆଉ ତାକୁ ଘରକୁ ପଠେଇ ଦେଲା ପରେ କ’ଣ ହେଲା ଟିକେ ବୁଝିଥିବ । ମୁଁ ଫେରିଆସେ । କାଲି ହବତ ମୁଁ ଏଇବାଟେ ମୁହଁ ମାରି ଦେଇ ତମଠାରୁ ସବୁ ବୁଝିଯିବି-। ଭଗବାନଙ୍କୁ ଡାକୁଥିଲେ ଯେ ଏତେ ଗୁଡ଼ାଏ ସୁନାଗହଣା ତା ଦେହରେ । କାହା ମାର୍ଫତରେ ଛାଡ଼ି କରି ଯିବି । ଭଗବାନ ଠିକ୍‌ ଜଣେ ପୁଲିସ୍‍ ଅଡ଼ିସରକୁ ହିଁ ପଠେଇ ଦେଲେ । ମୁଁ ଗଲି ।

 

‘ଆଜ୍ଞା ନାଁ । ଆପଣ ଗଲେ ଟିକେ ଅସୁବିଧା ହେଇପାରେ । ବଡ଼ ଅନିଚ୍ଛାସତ୍ତ୍ୱେ କହିବାକୁ ବାଧ୍ୟ ହେଲା କିଶୋର । ଏଇକଥା ଉପରେ ବିଶେଷ କିଛି ପ୍ରତିକ୍ରିୟା ଦେଖାଗଲା ନାହିଁ ବୀରେନ୍ଦ୍ରଙ୍କ ମୁହଁରେ । ବରଂ ସେ ଆହୁରି ସହଜ ହୋଇ କହିଲେ—

 

‘ମୁଁ ଜାଣେ । ହୁଏତ ଔଷଧଠାରୁ ଆରମ୍ଭ କରି ନାନାକଥା ଦରକାର ପଡ଼ିପାରେ । ବରଂ ଏହି ଦୁଇଶହ ଟଙ୍କା ମୁଁ ତମ ହାତରେ ଦେଇ ଯାଇଚି । ତମେ ମୋ ତରଫରୁ କେଇଟା କର୍ତ୍ତବ୍ୟ କରିଥିବ । ମୁଁ ଯାଏ ।’

 

‘ନାଇଁ ଆଜ୍ଞା କଥାଟା ସେତେ ସହଜ ନୁହେଁ । ଆପଣ ବରଂ ରହିଥାନ୍ତୁ ।

 

‘ମୁଁ ମୋଟେ ରହି ପାରିବିନି କିଶୋର । ସେପଟେ ସେମିତି କିଛି ହୋଇଛି । ନ ହେଲେ ପୁଷ୍ପ ଏମିତିଆ ଟେଲିଗ୍ରାମ କେବେ କରିନଥାନ୍ତା ।’

 

‘କିନ୍ତୁ ମୁଁ କ’ଣ କରିବି ଆଜ୍ଞା । ମୁଁ ନାଚାର ।’

 

‘ଓହୋ ତମେ ପରା ପୁଲିସ୍‍ ଅଫିସର । କିଛି ଗୋଟାଏ କରିଦବନି ।’

 

‘କ୍ଷମା କରିବେ—ମୁଁ ମାନେ......ଆପଣ ଟିକେ ନଯିବା ଉଚିତ ।’ କିଶୋର ଏଇକଥା ଆଦେଶ ଭଙ୍ଗୀରେ କହିବେକି ଅନୁନୟ ଭଙ୍ଗୀରେ କହିବେ ଠିକ୍‌ କରି ପାରୁ ନଥାନ୍ତି । ବୀରେନ୍ଦ୍ର ସାମାନ୍ୟ ବିବ୍ରତ ହୋଇଉଠିଲେ । ପକେଟରୁ ଟେଲିଗ୍ରାମ୍‌ଟା କାଢ଼ି ଦେଖେଇଲେ । କିଶୋର ଦେଖିଲେ ଠିକ୍‌ ଜାଗାରୁ ଟେଲିଗ୍ରାମ ହୋଇଛି । Come immediately Puspa.

 

‘ମତେ ସକାଳୁ ଯେ କୌଣସି ମତେ ତା’ ପାଖରେ ପହଞ୍ଚିବାକୁ ପଡ଼ିବ ।’

 

‘ମତେ କ୍ଷମା କରନ୍ତୁ ମୁଁ ଆପଣଙ୍କୁ ଛାଡ଼ି ପାରିବିନି ।’

 

ଏତିକି କହିବା ପରେ ନିଜେ ଅସ୍ୱସ୍ତି ବୋଧ କଲେ କିଶୋର । କିନ୍ତୁ ଆଶ୍ଚର୍ଯ୍ୟ ହେଲେ ବୀରେନ୍ଦ୍ର । କିଶୋରଙ୍କୁ ମୁହଁରୁ ଏକଥା ଶୁଣିବାକୁ ତାଙ୍କର ଆଶା ନକରିବା ଉଚିତ । ବରଂ ପୁଲିସ୍‍ ଅଫିସର ଭାବରେ ସେ ନିଜର ଅସୁବିଧା କଥା ବୁଝେଇବା ଯିବାକୁ ଚାହିଁଲେ । କିଶୋର ନିଜର ସବୁ ଦମ୍ଭ ସଂଚୟ କରି କହିଲେ—

 

‘ମୁଁ ହାତ ଯୋଡ଼ୁଚି । ଆପଣ ଯାନ୍ତୁନି । ବରଂ ଏତିକି ବୁଝନ୍ତୁ ଯେ ଆପଣ ଗଲେ ମୋ ଉପରକୁ ଆଞ୍ଚ ଆସିପାରେ । ତେଣୁ ମୁଁ ଆପଣଙ୍କୁ ଛାଡ଼ିପାରୁ ନାହିଁ, ମୁଁ ଦୁଃଖିତ । ମତେ ଡାକ୍ତରଙ୍କ ପରୀକ୍ଷା ଅନୁଯାୟୀ ଯିବାକୁ ପଡ଼ିବ ।’

 

ଏଇ ସମୟରେ ଡାକ୍ତରବାବୁ ଭିତରୁ ଆସିଲେ । କିଶୋର ତାଙ୍କୁ ଖାଲି ଇସାରାରେ ପଚାରିଲେ ଗୋଟିଏ ପ୍ରଶ୍ନ । ସେ ହଠାତ୍‌ ଅନ୍ୟ ମନସ୍କ ହୋଇ ଉଠିଥାନ୍ତି । ଡାକ୍ତରଙ୍କ ଡାକରେ ହିଁ ତାଙ୍କର ଚିନ୍ତା ଭାଙ୍ଗିଲା ।

 

‘ଆସନ୍ତୁ ! ଭିତରକୁ, ଡାକ୍ତରବାବୁ ବୀରେନ୍ଦ୍ରଙ୍କୁ ଡାକିଲେ । ବୀରେନ୍ଦ୍ର ପ୍ରଥମେ ବୁଝି ପାରିଲେନି । ତା’ପରେ ଜାଣିଲେ ଡାକ୍ତରବାବୁ ତାଙ୍କୁ ଭିତରକୁ ଡାକୁଛନ୍ତି ।

 

‘ମୁଁ ଭିତରକୁ ଯିବି ? କ’ଣ ଦରକାର ?

 

‘କିଛି ବ୍ୟସ୍ତ ହବା ଦରକାର ନାହିଁ । କେସ୍‍ଟାକୁ ଶେଷ କରିବାକୁ କେତେଟା ଫର୍ମାଲିଟି ଦରକାର । ଆପଣ ଭିତରକୁ ଯାନ୍ତି ।’ ସହଜ ଭାବରେ ବ୍ୟାଖ୍ୟା କରି ଦେଲେ କିଶୋର ।

 

‘ଦେଖ କିଶୋର ! ତମେ ଆଗ ଘଟଣାଟା ବୁଝି । ମୋର ଡ଼େରି ହଉଚି ।

 

‘ସେଥିପାଇଁ ତ ସାର୍‌ ! ଶୀଘ୍ର ଶୀଘ୍ର କାମ ଶେଷ କରିବାକୁ ମୁଁ ଲାଗିପଡ଼ିଚି । କିଶୋରବାବୁଙ୍କର ମଧ୍ୟ ସେଇ ଉଦ୍ଦେଶ୍ୟ ।’ ଡାକ୍ତରବାବୁ ମଧ୍ୟ କିଶୋରଙ୍କ ସହିତ ବୁଝେଇବାକୁ ଆରମ୍ଭ କଲେ । ଅଗତ୍ୟା ବାଧ୍ୟ ହେଇ ବୀରେନ୍ଦ୍ର ଭିତରକୁ ଗଲେ । ପଛରେ ଗଲେ ଡାକ୍ତର । ଅପେକ୍ଷା କରିଥାନ୍ତି କିଶୋର । ମୁହଁରେ ତାଙ୍କର ଶଙ୍କା, ହେବ ଭଗବାନ ! କ’ଣ ତୁ ଇଚ୍ଛା ? ବରଂ କିଛି ନବାହାରୁ । ନହେଲେ ବୀରେନ୍ଦ୍ରଙ୍କ ୠଣ ସେ କ’ଣ ଏଇଭଳି ପରିଶୋଧ କରିବେ ? ବେଶୀ ସମୟ ତାଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିଲାନି । କେଇଟି ମୁହୂର୍ତ୍ତରେ ପରେ ଉଭୟ ଫେରି ଆସିଲେ । କିନ୍ତୁ ଏଥର ବୀରେନ୍ଦ୍ର ବେଶ୍‌ ଭୟଙ୍କର ଦେଖାଯାଉନାହାନ୍ତି ।

 

‘କଣ ଚାଲିଚି ଏସବୁ ?’

 

‘ମୁଁ ନାଚାର ଆଜ୍ଞା ମୋର କର୍ତ୍ତବ୍ୟ କରୁଚି । ଡକ୍ଟର କ’ଣ ହେଲା ?’

 

ଛୋଟ କାଗଜ କଣ୍ଡିକରେ ଧାଡ଼ିଟିଏ ଲେଖି କିଶୋରଙ୍କ ହାତକୁ ବଢ଼େଇ ଦେଲେ ଡାକ୍ତର । ତାକୁ ପଢ଼ି କିଶୋର ଚମକି ପଡ଼ିଲେ । ବାହାରକୁ ଡାକି ନେଲେ ।

 

‘ଡକ୍ଟର ଆପଣ ଠିକ୍‌ ଦେଖିଛନ୍ତି ?’

 

‘ବେଶୀ ଆଗକୁ ଯିବାକୁ ପଡ଼ିଲାନି । ମୁଁ ପୁରାପୁରି ନିଶ୍ଚିତ ।’

 

ଏତିକିବେଳେ ବାହାରି ଆସିଲେ ବୀରେନ୍ଦ୍ର । କିଶୋର ମୁଁ ଗଲି—ଏତିକି କହିଦେଇ ଆଗେଇବାକୁ ବସିଥିଲେ, କିଶୋର କହିଲେ—

 

‘ନାଇଁ ଆଜ୍ଞା ଆଉ ଆପଣ ଯାନ୍ତୁନି।’

 

‘ମାନେ ?’

 

‘ମୁଁ ଦୁଃଖିତ ଆଜ୍ଞା ! ସେ ପେସେଣ୍ଟ ବୋଧହୁଏ ଆଉ କେଇଟା ମୁହୂର୍ତ୍ତ ପରେ ମରିଯିବ-।’

 

‘ତେବେ ମୁଁ କଣ କରିବି ? ବୀରେନ୍ଦ୍ର ସାମାନ୍ୟ ଉତ୍ୟକ୍ତ ହବାପରି ଜଣା ପଡ଼ୁଥିଲେ ।

 

‘ଆଇନ ଆଖିରେ ଆପଣ ହିଁ ବର୍ତ୍ତମାନ ଉପସ୍ଥିତ ତେଣୁ ମୁଁ ଆପଣଙ୍କୁ ଛାଡ଼ି ପାରିବିନି ।

 

‘ହେଲ୍‌ ଇଓର ଆଇନ୍‌ । ମଁ ଏସବୁ ବିଷୟରେ କିଛି ଜାଣିନି । ମୁଁ ଚାଲିଲି । ଧରିନିଆଯାଉ ମୁଁ ଏଠିକି ଆସିନି, କି କାହାକୁ ଆଣିନି । କି ପୋଲିସ୍‌ ଅଫିସର ହେଇଚ ହେ ତମେ-? ଏତିକି କରି ଦେଇ ପାରୁନାଁ । ଯିବାକୁ ଉଦ୍ୟତ ହେଲେ ବୀରେନ୍ଦ୍ର । ତାଙ୍କର ଉତ୍ୟକ୍ତ ଅବସ୍ଥା ଦେଖି ସାମାନ୍ୟ ନରମ କଣ୍ଠରେ କଥାଟାକୁ ଆୟତ୍ତ କରିବାକୁ ଚେଷ୍ଟାକଲେ କିଶୋର-। କୌଣସି ମତେ ତାଙ୍କୁ ଅଟକେଇ ନବା ଦରକାର ।

 

ଆପଣ ଚାଲିଗଲେ କିନ୍ତୁ ମୋର ଚାକିରି ଚାଲିଯିବ ।’

 

‘ଦେଖ କିଶୋର । ମତେ ଯେ କୌଣସି ମତେ ଯିବାକୁ ପଡ଼ିବ । ପୁଷ୍ପ କେବେ ବି ଏମିତି ଟେଲିଗ୍ରାମ କରେନାହିଁ । ସେମିତି କିଛି ହୋଇଛି, ନିଶ୍ଚୟ ମୁଁ ଯିବି । ବରଂ ଗୋଟାଏ ପ୍ରତିଶ୍ରୁତି ଦେଇପାରେ । କାଲି ରାତି ସୁଦ୍ଧା ମୁଁ ଆସି ପୁଣି ତମ ପାଖରେ ହାଜର ହେବି । ପାଖପାଖି ଅଢ଼େଇଶହ କିଲୋମିଟର ଯିବି । ରାତି ଦୁଇଟା ବାଜିବ ।

 

‘ନାଁ...’ ଅତି ସଂକ୍ଷେପରେ ନିଜର ମତାମତ ଜଣେଇଲେ କିଶୋର ।

 

‘ନହେଲେ ଗୋଟାଏ କାମକର । ମୋ ପଛରେ ଗୋଟାଏ ପୋଲିସ୍‌ ଗାଡ଼ି ହେଲେ ପଠାଅ । ତମର ଯଦି ଅବିଶ୍ୱାସ ହେଉଚି, ସେମାନେ ମୋ ପଛେ ପଛେ ଯିବେ । ସେଠି ଦେଖା କରିବା ମାତ୍ରେ ମୋର କାମ ସରିଯିବ । ତା’ପରେ ତମ ଲୋକ ଯାହା କହିବେ ସେଥିପାଇଁ ମୁଁ ପ୍ରସ୍ତୁତ । ନହେଲେ ତମେ ଟିକେ ଛାଡ଼ି ଆସୁ । ଠିକଣା ତ ଜାଣିଚ । ଇଉନି୍‍ଭରସିଟି କ୍ୟାମ୍ପସ ଭିତରକୁ ଗଲାବେଳେ ବାଁ ପଟେ ଯୋଉ ବଡ଼ କ୍ୱାଟରଗୁଡାକ ପଡ଼େ ସେଇଥିରୁ ତୃତୀୟଟାକୁ ଡକ୍ଟର ପୁଷ୍ପିତା ପଟ୍ଟନାୟକ ରିଡ଼ିର । ପଚାରିଲେ ବି କହିଦେବେ ।’

 

ଏତିକି କହିସାରିଲାବେଳକୁ ବୀରେନ୍ଦ୍ର ପ୍ରାୟ ଗାଡ଼ି ଭିତରେ ପଶି ସାରିଲେଣି । ଗାଡ଼ି ଚାବି ଖୋଲିବାକୁ ହାତ ବଢ଼େଇଲେ । କିଶୋର ଆଉ କିଛି ଉପାୟ ନଦେଖି କହି ପକେଇଲେ ତାଙ୍କରି ଶେଷକଥା—

 

‘ଆଜ୍ଞା ଆପଣ ଯାଇ ପାରିବେନି । ଦରକାର ପଡ଼ିଲେ ମୁଁ ଆପଣଙ୍କୁ ଆରେଷ୍ଟ କରିପାରେ । କିଶୋର ଭାବିଥିଲେ ଏପଦଟା ବୀରେନ୍ଦ୍ରଙ୍କୁ ଖୁବ୍‌ ବଡ଼ ଧକ୍‌କଟାଏ ଦବ । କିନ୍ତୁ କିଶୋରଙ୍କ ଏଇ ଶେଷ ପଦଟା ଯେମିତି ଆଦୌ କାଟୁ କଲାନି । ମନେହେଲା ଏଥିପାଇଁ ସେ ଆଦୌ ଭୟଭୀତ ନୁହନ୍ତି । ଅଥବା ବହୁ ଆଗରୁ ସେ ପ୍ରସ୍ତୁତି ନିତାନ୍ତ ସହଜରେ ହସି ହସି ଉତ୍ତର ଦେଲେ ।

 

‘ହାତକଡ଼ି ତ ପକେଇବା ଏ ଯାକେ ତେଣୁ ଆସାମୀ ପଳେଇ ଯାଉଛି । କିନ୍ତୁ ଭରସା ରଖି କାଲି ଏତିକି ବେଳକୁ ତମ ହାତ ମୁଠାରେ ଥିବି । ଆଜିକି ମତେ କ୍ଷମାଦିଅ ।’ ଏତିକି କହି ସାରିଲାବେଳକୁ ଗାଡ଼ିକୁ ଷ୍ଟାର୍ଟ କରି ଅତି ବେଗରେ ବାହାରି ଗଲେ । କିଶୋର କେବେ ହେଲେ ଆଶା କରି ନଥିଲେ ଏଭଳି ପରିସ୍ଥିତି ଉପୁଜିବ । ବୀରେନ୍ଦ୍ର ସତରେ ପକେଇଲେ । ତାଙ୍କର ଏ ଗାଡ଼ିଷ୍ଟାର୍ଟ କରିବାଟା କିଶୋରଙ୍କୁ ମୋଟେ ଭଲ ଜଣାପଡ଼ିଲାନି । ପୁଲିସ୍‍ ଆଖିରେ ଜଣାଗଲା ଯେମିତି ଇଏ ବୀରେନ୍ଦ୍ର ମାନସିଂ ନୁହଁନ୍ତି । ଇଏ ଗଣେ ଆସାମୀ, ପଳାତକ, କିଶୋର ବିବ୍ରତ ହେଲେ । କେଉଁ ଅତୀତର ଏକ ଦୁର୍ବଳତାକୁ ପ୍ରଶ୍ରୟ ଦେଇ ସେ ଏ ପ୍ରକାର ଅବହେଳା କରିବା ଠିକ୍‌ ହୋଇନାହିଁ । ବରଂ ଆହୁରି ଡେରି ହୋଇ ଯାଇପାରେ । ଆଦେଶ ପାଇଁ ପାଖରେ ଆଜ୍ଞାଧୀନ ହାବିଳଦାର ଜଣକ ଠିଆ ହୋଇଛି । ସାମାନ୍ୟ ଦୂରରେ ଠିଆ ହୋଇଥିଲେ ଡାକ୍ତର ଜଣକ । ଗାଡ଼ିଟା ଚାଲିଯିବା ଦେଖି ସେ କିଶୋରଙ୍କ ପାଖକୁ ଆସୁଥିଲେ । ପଛରୁ ଦଉଡ଼ି ଦଉଡ଼ି ଆସିଲା ସିଷ୍ଟର ।

 

‘ସାର୍‌, ଶୀଘ୍ର ଆସନ୍ତୁ ପେସେଣ୍ଟଟା ଶୁଣିବାପାଇଁ ଡାକ୍ତର ଅପେକ୍ଷା କଲେନି । ଧାଇଁଗଲେହ ଭିତରକୁ, ତାଙ୍କ ପଛେ ପଛେ କିଶୋର ମଧ୍ୟ ଗଲେ । ଯେ କୌଣସି ମତେ ବର୍ତ୍ତମାନ ପେସେଣ୍ଟକୁ ସୁସ୍ଥ କରିବାକୁ ହିଁ ପଡ଼ିବ ।

 

ଡାକ୍ତରଖାନା ହତା ଭିତରକୁ ଗାଡ଼ିଟାକୁ ଏକା ନିଶ୍ୱାସକେ ବାହାର କରିଦେଇ ଜାତୀୟ ରାଜପଥ ଉପରେ ପହଞ୍ଚାଇ ସାରିଲାପରେ ଆଖିପକେଇ ନିଜ ଘଣ୍ଟାକୁ ଉପରେ । ଖୁବ୍‌ ଶୀଘ୍ର ତାଙ୍କୁ ଯିବାକୁ ପଡ଼ିବ ଗାଡ଼ିରେ ବେଗ ଦେଲେ ।

 

ମନ ଭିତରେ ବୀରେନ୍ଦ୍ରଙ୍କର ଆଲୋଡ଼ନ । କ’ଣ ଘଟିଗଲା ଏସବୁ । ଆସିଲାବେଳକୁ ଯେଉଁ ଜହ୍ନ ଶୀତଳ ଜ୍ୟୋତ୍ସା ବିକିରଣ କରୁଥିଲା ବର୍ତ୍ତମାନ ତାହା ଦାନ୍ତ ନିକୁଟୁଛି । ଯେୁଁ ଆକାଶ ପରିଷ୍କାର ଦେଖା ଯାଉଥିଲା ସେଥିରେ ବର୍ତ୍ତମାନ ଠାଏ ଠାଏ ବାଦଲ ଜମିଯାଇଛି । ଗାଡ଼ି ଆଗେଇ ଚାଲିଛି । କେମିତି କେଜାଣି ଅସ୍ୱସ୍ତି ଅନୁଭବ କଲେ ଯେ । ତାଙ୍କର ମନହେଲା ଦ୍ରୁତବେଗରେ ତାଙ୍କ ପଛରେ ହୁଏତ ନିଶ୍ଚୟ ସେମାନେ ଆସୁଛନ୍ତି ଏବଂ ଆସିବେ ନିଶ୍ଚୟ । କିନ୍ତୁ ତାଙ୍କର ଆଉ ଉପାୟ କ’ଣ ଥିଲା ।

 

ଅଭୁତ ରୂପକାନ୍ତି ସେ ଝିଅର । ସତେ କି ଜହ୍ନ ଲାଜେଇ ବାଦଲ ଭିତରେ ଲୁଚିଯାଇଛି ସେଇ ରୂପସୀର ମୁଖ ଜ୍ୟୋସ୍ନାରେ । ସେମିତି ତୋଟାଭିତରେ ଏକାକିନା ଛାଡ଼ିଆସିବାକୁ ମନ ହେଲାନି ବୀରେନ୍ଦ୍ରଙ୍କର ।

 

ଯେତେବେଳେ ବୀରେନ୍ଦ୍ରଙ୍କ ମନ ଭିତରେ ଯେ ଅହେତୁକ ଶଙ୍କା ଦେଖାଦେଇ ନଥିଲା ତାହା ନୁହେଁ । କିନ୍ତୁ କିଛି ଗୋଟାଏ କଲେ ତା’ର ଫଳ ତ ଭୋଗ କରିବାକୁ ପଡ଼ିବ ହିଁ ପଡ଼ିବ । ତେଣୁ କର୍ମଠାରୁ ସେ ଦୂରେଇ ରହିବେ କାହିଁକି ? ବରଂ ପରିସ୍ଥିତିକୁ ମୁକାବିଲା କରିଯିବେ ।’

 

କିଶୋରଙ୍କ କେଇ ପଦ କଥା ତାଙ୍କର କାନରେ ବାଜିଲା—ପେସେଣ୍ଟ ସିରଅସ୍‌, ଯେ କୌଣସି ମୁହୂର୍ତ୍ତରେ ମରିଯାଇପାରେ......ଆଇନ୍‌ ଆଖିରେ ଆପଣ ଉପସ୍ଥିତ....ଆପଣଙ୍କୁ ମୁଁ ଆରେଷ୍ଟ କରିପାରେ, ଇତ୍ୟାଦି । ବୀରେନ୍ଦ୍ର ବିବ୍ରତ ହୋଇଉଠିଲେ । ଯାହା ଘଟିଗଲା ସେଥିପାଇଁ ନୁହେଁ, ଯାହା ଘଟିବାକୁ ଯାଉଛି ସେଥିପାଇଁ । ଷ୍ଟିଅରଂ ଉପରେ ତାଙ୍କ ହାତ ଯେତିକି ଶିଥିଳ ହୋଇଉଠୁଛି ତାଙ୍କର ପାଦ ଏକ୍‌ସଲେଟର ଉପରେ ସେତିକି ନିଷ୍ଠୁର ହୋଇଉଠୁଛି । କଣ୍ଟାକୁ ଚାହିଁ ଦେଖିଲେ ବୀରେନ୍ଦ୍ର । ତାଙ୍କର ଇଚ୍ଛା ହେଲା ନିର୍ଜୀବ ଗାଡ଼ିଟିକୁ ପଚାରିବାକୁ—ପୁଷ୍ପ ପାଖକୁ ଯିବାପାଇଁ ଏତେ ବ୍ୟଗ୍ର ନାଁ ପଛରେ ପୋଲିସ୍‌ ଗାଡ଼ି ଆସୁଥିବ ବୋଲି ବ୍ୟଗ୍ର । ଗତି ଆହୁରି ବଢ଼ିଗଲା ।

 

ଏମିତି ଗାଡ଼ି ଚଳେଇଲେ ପୁଷ୍ପ କୁହନ୍ତି—‘ତମ ଗାଡ଼ି ଚଳେଇବା ଯିଏ ଦେଖିଥିବ କିମ୍ୱା ତମ ଗାଡ଼ିରେ ବସିଥିବ ତାକୁ ଅନ୍ୟ ଗାଡ଼ି ଚାଲଲାବେଳେ ଶୋଇଲା ଭଳି ଲାଗିବ ।’

 

‘ତମେ ଭୁଲ୍‍ କହୁଚ । ତମେ ଗାଡ଼ିରେ ବସିଲେ ଯେ କେହି ୟାଠାରୁ ବେଶୀ ଜୋରରେ ଚଳେଇ ପାରିବ । ମୁଁ ତ ଆହୁରି କମ୍‌ ଚଳାଉଛି । ବୀରେନ୍ଦ୍ରଙ୍କ ଏଇ କଥାରେ ଅଭିମାନ ଛାଇ ଯାଏ ପୁଷ୍ପଙ୍କ ମୁହଁରେ ।

 

‘ଓ, ତା’ମାନେ ମୁଁ ଯାହା ଗାଡ଼ିରେ ବସିଲେ ବି ସେ ଖୁସି ହୁଅନ୍ତା ବୋଲି ତମେ ଖୁସି ହେଇଛ । ଏମିତିକି ପବ୍ଳିକ୍‌ ବସ୍‌ର ଡ୍ରାଇଭର ମଧ୍ୟ ଏମିତି ଚଳନ୍ତା ।’

 

‘ଆରେ ନାଁ ନାଁ ପୁଷ୍ପ ତମେ କେବଳ ମୋ ଗାଡ଼ି ପାଇଁ ସୃଷ୍ଟି । ଆଉ ତୁମକୁ ହିଁ ଗାଡ଼ିରେ ବସେଇ ନବାର ଏକମାତ୍ର ଭାଗ୍ୟବାନ ଡ୍ରାଇଭର ମୁଁ । ଗାଡ଼ି ଆହୁରି ଜୋରରେ ଗଡ଼ିଚାଲେ । ଏମିତି ରାତି ଅଧରେ ଗାଡ଼ି ଚଳେଇ ଦୂର ସ୍ଥାନକୁ ଯିବାକୁ ବୀରେନ୍ଦ୍ର ଭଲପାନ୍ତା । ଏ ପ୍ରକୃତି ଜାଣି ମଧ୍ୟ ପୁଷ୍ପ ଆକଟ କରନ୍ତି । ଏତେ ରାତିରେ ଗାଡ଼ି ଚଳେଇ ଯିବା ଭଲ ନୁହେଁ । କାଲେ ଲାଇଟ୍‌ ଫାଇଟ୍‌ ଅସୁବିଧା ହେଇପାରେ । କିନ୍ତୁ ଏ ପ୍ରଶ୍ନକୁ ମଧ୍ୟ ବୀରେନ୍ଦ୍ର ସୁନ୍ଦର ଯୁକ୍ତି ଦେଇ କାଟନ୍ତି ।

 

‘ଓହୋ ସମସ୍ତଙ୍କର ଗାଡ଼ିରେ ସିନା ଦୁଇଟା ଲାଇଟ୍‌ ମୋର ତ ତିନିଟା ।’

 

‘ତିନିଟା ଲାଇଟ କୋଉଠି ?’

 

‘ଦି’ଟା ଆଗରେ ଜଳୁଛି । ଆଉ ଗୋଟାଏ ଏତା ଉଜାଲାବାଲା ହେଡ଼ ଲାଇଟ୍‌ ।’

 

‘କାଇଁ ?’

 

‘ତମେ । ତମ ଭଳି ଗୋଟାଏ ଲାଇଟ ପାଖରେ ଥିଲେ ଦୁନିଆଁରେ ସବୁ ଆଲୋକ ଲିଭିଗଲେ ମଧ୍ୟ ପରବାଏ ନାହିଁ । ମୋର କିଛି ଅନ୍ଧାର ହଜାର ନାହିଁ ।

 

ମନ ଭିତରେ ଅଜସ୍ର ପରିମାଣରେ ପୁଲକିତ ହେଲେବି ସୁଦ୍ଧ ପୁଷ୍ପ ନିଜର ଯୁକ୍ତିରୁ ପଛାନ୍ତି ନାହିଁ । ସେ କୌଣସି ମତେ ବୀରେନ୍ଦ୍ରଙ୍କୁ ବୁଝେଇବାକୁ ଚାହାନ୍ତି—ଏତେ ରାତିରେ ଏତେ ଜୋରରେ ଗାଡ଼ି ଚଳେଇବା ଠିକ୍‌ ନୁହେଁ । କିନ୍ତୁ ସର୍ବୋପରି ବୀରେନ୍ଦ୍ର ଯେଉଁ ଅନୁଯୋଗ ପ୍ରକାଶ କରନ୍ତି ସେଥିରେ ପୁଷ୍ପଙ୍କର ନୀରବ ରହିବା ଛଡ଼ା ଆଉ କିଛି ଉପାୟ ନଥାଏ ।

 

‘ଦେଖ ପୁଷ୍ପ ! ତମକୁ ପାଖରେ ବସେଇ ମାଇଲ ରାସ୍ତା ରାତି ଅଧରେ ଗାଡ଼ି ଚଳେଇବାର କାରଣ କ’ଣ ଜାଣ ? ଏ ପୃଥିବୀରେ ଯେ କୌଣସି ବିଲ, ବନ, ପାହାଡ଼, ମୁଣ୍ଡିଆ, ଗଛ, ନଈ, ନାଳକୁ ସାକ୍ଷୀ ରଖିବା ପାଇଁ ଯେତେବେଳେ ଯୋଉଠି ଇଚ୍ଛା ସେଇଠି ଗାଡ଼ି ଅଟକେଇଁ ଆମ ଦୁହିଁଙ୍କ ପରିଚୟ ସମ୍ପର୍କରେ କହିଦେଇ ଯାଇ ପାରି ଠିକ୍‌ ଦୁଇଟି ମୁକ୍ତ ଆକାଶର ଚଢ଼େଇ ଭଳି-। କୋର୍ଟ କଚେରୀ ଭିତରକୁ ଯାଇ କାଗଜପତ୍ରରେ ଲେଖାଲେଖି, ରେଜେଷ୍ଟ୍ରି ଆମ ସମ୍ପର୍କରେ ସ୍ମୃତି ସ୍ତମ୍ଭ ନିର୍ମାଣ କରିବା ମୋର ନୀତି ବିରୁଦ୍ଧ ।

 

ଭାବାନ୍ତର ହେଲା ବୀରେନ୍ଦ୍ରଙ୍କର । ବହୁତ ଦୂରରୁ ପଛଆଡ଼ୁ ଏକ ଗାଡ଼ି ଆସୁଥିବା ଭଲି ଲାଇଟ୍‌ ଦେଖାଗଲା । ସ୍ପିଡ଼ୋମିଟର ଉପରେ ନଜର ପଡ଼ିଲା । ଗାଡ଼ିଟା ଧିମେଇ ଯାଇଛି । ଆଉ ଅନ୍ୟମନସ୍କ ନ ହୋଇ ଗାଡ଼ିର ଗତି ବଢ଼େଇବାକୁ ଲାଗିଲେ । କଣ୍ଟା ଆଗକୁ ବଢ଼ି ଚାଲିଲା । ଏହି ସମୟରେ ନିଜର କାର୍ଯ୍ୟକଳାପ ପାଇଁ ସାମାନ୍ୟ ଆଶ୍ଚର୍ଯ୍ୟ ହେଲେ । କ’ଣ ପାଇଁ ସେ ପଳାଉଛନ୍ତି-? ପୋଲିସ ଭୟରେ ? ପରିସ୍ଥିତି ଚାପରେ ? ଦରକାର ପଡ଼ିଲେ ବାସ୍ତବ ଏକ ପରିସ୍ଥିତିରେ ନିଜର ଏ କାର୍ଯ୍ୟ କଳାପକୁ ସେ ମୁକାବିଲା କରିବାକୁ ଯଥେଷ୍ଟ ସମର୍ଥ । ଅର୍ଥର ପ୍ରାଚୁର୍ଯ୍ୟ ଭିତରେ ସେ ଦରକାର ପଡ଼ିଲେ ବର୍ଷ ବର୍ଷ ଧରି ଶାସନ କାଳର ମୁକାବିଲା କରି ପାରିବେ-। ତେବେ କ’ଣ ପାଇଁ-?

 

ନାଁ, କେବଳ ଅବସ୍ଥା ଚକ୍ର, ପରିସ୍ଥିତି, ପରିବେଶ । ଯେ କୌଣସି ମତେ ତାଙ୍କୁ ପୁଷ୍ପ ପାଖରେ ପହଞ୍ଚିବାକୁ ପଡ଼ିବ । ସେଠି ପହଞ୍ଚି ସାରିବା ପରେ ସବୁ ଅବସ୍ଥାକୁ ସମ୍ମୁଖ କରିବାକୁ ସେ ପ୍ରସ୍ତୁତ । ତା’ ନ ହେଲେ କିଛି କରିପାରିବେ ନାହିଁ । ବରଂ ପୁଷ୍ପ ତାଙ୍କୁ ଭଲ ବୁଝିପାରେ । କିନ୍ତୁ ଧରାଯାଉ—ସେ ପୁଷ୍ପ ପାଖରେ ପହଞ୍ଚିଗଲେ । ଭୋର ପାଞ୍ଚଟା ସୁଦ୍ଧା ତାଙ୍କ ଗାଡ଼ି କ୍ୱାଟର ସାମନାରେ । ତା’ପରେ ଗାଡ଼ି ଶବ୍ଦ ଶୁଣି ବାହାରି ଆସିଲା ପୁଷ୍ପ । ପ୍ରତି ମୁହୂର୍ତ୍ତରେ ଗାଡ଼ି ଶବ୍ଦ ଶୁଣି କାନ ପାରିବା ଶେଷ ହେଲା । ସବୁଥର ଭଳି ପୁଷ୍ପକୁ ଶୂନ୍ୟକୁ ଟେକି ଧରିଲେ ବୀରେନ୍ଦ୍ର ଘର ଭିତରକୁ ପ୍ରବେଶ କରୁ କରୁ । ମାତ୍ର କେଇଟି ଦିନର ବ୍ୟବଧାନ । ତଥାପି ତାଙ୍କୁ ଲାଗେ ଯେମିତି ବହୁଦିନ ଧରି ଦେଖା ହୋଇ ନାହିଁ । ଦୁହେଁ ଭିତରକୁ ଗଲେ । ପୁଷ୍ପ ହୁଏତ ଆଶା କରୁଥିଲେ—ସବୁଥର ଭଳି ବୀରେନ୍ଦ୍ର ଅବୁଝା ଶିଶୁର ମନଦେଇ ପ୍ରଥମେ ନିଜର ପ୍ରାପ୍ୟ ଜାହିର କରିବେ । ବୀରେନ୍ଦ୍ର ହୁଏତ ଠିକ୍‌ ସେଇଆ କଲେ । ପୁଷ୍ପଙ୍କର ଡକେଇବାର କାରଣ ଆଉ ବୀରେନ୍ଦ୍ରଙ୍କର ବିଳମ୍ୱରେ ପହଞ୍ଚିବାର କାରଣ ବୁଝାବୁଝି ଆଗରୁ ନିଜକୁ ବୁଝେଇବାକୁ ଚେଷ୍ଟା କଲେ ଉଭୟେ ।

 

ତା’ପରେ କ’ଣ ହେଲା..... ? ହଠାତ୍‌ ଗୋଟିଏ ଗାଡ଼ି ହର୍ଣ୍ଣ ଶବ୍ଦ । ହଏତ ପୁଷ୍ପ କିଛି ଭାବି ନପାରନ୍ତି କିନ୍ତୁ ବୀରେନ୍ଦ୍ର ତ ଅଜଣା ରହି ପାରିବେ ନାହିଁ । ବୀରେନ୍ଦ୍ର କିଛି କହି ଉଠି ଆସିବା ଆଗରୁ ପୁଷ୍ପ ସାମାନ୍ୟ ବିରକ୍ତିର ସହିତ ବାରଣ କଲେ । କ’ଣ ତାଙ୍କୁ କୈଫିୟତ ଦେବେ ? କିଶୋର ହୁଏତ ଆସିଛନ୍ତି ହାତରେ ସର୍ଚ୍ଚ ୱାରଣ୍ଟା । ୟା ଭିତରେ ସେ ପେସେଣ୍ଟ ମରିଯିବା ଅସମ୍ଭବ ନୁହେଁ । ଖୁନୀ ଆସାମୀ ଭାବରେ ବୀରେନ୍ଦ୍ରଙ୍କୁ ଗିରଫ କରିବାକୁ କିଶୋର ସଜ୍ଜିତ ହୋଇ ଆସିଛନ୍ତି-। ଗାଡ଼ି, ବନ୍ଧୁକ, ହାତକଡ଼ି ।

 

ହସିଲେ ବୀରେନ୍ଦ୍ର !

 

ଏତେ ସକାଳୁ କ୍ୱାଟର ସାମନାରେ ପୁଲିସ୍‍ ଗାଡ଼ି ଦେଖି ଲୋକଗହଳି ହେବା ସ୍ୱାଭାବିକ-। ପଚରା ଉଚରା କିଶୋର ବା ଅନ୍ୟ କେହି କିଛି କହି ନପାରନ୍ତି, ତଥାପି ବୀରେନ୍ଦ୍ର ବହୁତ ରାଣନିୟମ ପକେଇ ବୁଝେଇବାକୁ ଚେଷ୍ଟା କଲେ । ପୁଷ୍ପଙ୍କ ନବୁଝିବା ଛଡ଼ା ଆଉ ଉପାୟ ନାହିଁ-। କିନ୍ତୁ ଶହ ଶହ କ୍ୱାଟର ଅଧିବାସୀଙ୍କ ସମ୍ମୁଖରେ ବସିବେ ବୀରେନ୍ଦ୍ର ନିଜଗାଡ଼ି ଛାଡ଼ି ପୋଲିସ ଗାଡ଼ିରେ । ୟାରି ଭିତରେ ପୋଲିସ ଗାଡ଼ିର ଡ୍ରାଇଭର କିମ୍ୱା କୋଉ କନ୍‌ଷ୍ଟେବଳ କହୁ କହୁ କାହାକୁ ସଂକ୍ଷେପରେ କେସ୍‍ଟା ବିଷୟରେ କହି ଦେଇଥିବ । ପୋଲିସ ଗାଡ଼ିଟା ଚାଲିଗଲା ପରେ ପୁଷ୍ପ-? ତାଙ୍କ ଅବସ୍ଥା କ’ଣ ହବ ? କ୍ୱାଟରରେ ପହଞ୍ଚିବା ଆଉ କ୍ୱାଟର ଛାଡ଼ିବା ଭିତରେ କିଛିତ ସମୟ ବୀରେନ୍ଦ୍ର ପାଇଲେ ନାହିଁ । କେମିତି ସେ ସବୁ ଘଟଣାତକ ୟା ଭିତରେ ପୁଷ୍ପଙ୍କୁ କହି ନିଜ ବିଷୟରେ ସଫେଇ ବାଢ଼ିଥାନ୍ତି । ନିଜର ଦ୍ରୁତି ଗାଡ଼ି ଚାଳନାର ସାମର୍ଥ୍ୟ ଯୋଗୁଁ ଯୋଉ କିଛିଟା ସମୟ ସେ ଆଗରୁ ପହଞ୍ଚିଲେ ତାକୁ ସେ ତ ପୁଷ୍ପଙ୍କର ଦାବୀ ପୂରଣରେ ବ୍ୟୟ କଲେ-। ବାକି ଯାହା ସେହି ଭିତରେ ସମୟ ମିଳିଲା ସେଥିରେ ପୁଷ୍ପଙ୍କ ଡକେଇବାର କାରଣ ଠିକେ ଠିକେ ଶୁଣିଲେ । ଏ ଦୁଘର୍ଟଣା ସମ୍ପର୍କରେ କହିବାକୁ ସମୟ କୋଉଠି ରହିଲା ?

 

ଫଳରେ ଆଜିଯାକେ ଯେଉଁମାନେ କେବଳ ବୀରେନ୍ଦ୍ରଙ୍କୁ ପ୍ରଶ୍ନାଳୁ ଆଖିରେ ଚାହିଛନ୍ତି ସେମାନେ ଘୃଣ୍ୟ ଚକ୍ଷୁରେ ଚାହିଁବେ । ପୁଷ୍ପଙ୍କର ହାବଭାବ ସର୍ବଜନ ଆଲୋଚ୍ୟ । ବହୁଦିନ ଧରି ବହୁ ମତରେ ବହୁ ଜନଗଣ ବହୁ ଆଲୋଚନା କରି ପୁଷ୍ପ ଆଉ ବୀରେନ୍ଦ୍ରଙ୍କ ସମ୍ପର୍କରେ ଯେଉଁ କଥିତ ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି—ସେଇଟା ଉପସ୍ଥାପିତ କରିବାର ସତ୍‌ସାହାସ କାହାର ନାହିଁ । ତଥାପି ସମସ୍ତେ ଯେମିତି ଏ ସମ୍ପର୍କରେ କିଛି କିଛି ବୁଝି ଯାଇଛନ୍ତି । ଆଉ ପୁଷ୍ପ ମଧ୍ୟ ସୁଖୀ ଯେ ତାଙ୍କର ସାହାଯ୍ୟ ନ ନେଇ ଅନ୍ୟମାନେ ଏ ପ୍ରକାର ଏକ ଜଟିଳ ବନ୍ଧନୀ ବିଷୟରେ ସମ୍ପୂର୍ଣ୍ଣ ନ ହେଲେ ବି ବେଶ୍‌ କିଛି କିଛି ବୁଝି ଯାଇଛନ୍ତି ।

 

ଯିଏ ଯାହା ବୁଝନ୍ତୁ ନ ବୁଝନ୍ତୁ ସମସ୍ତେ ଏତିକି ବୁଝନ୍ତି ଯେ ଡକ୍ଟର ପୁଷ୍ପିତା ପଟ୍ଟନାୟକ–ଅତିବ ରୂପସୀ । ତଥାପି ରୂପସଜ୍ଜା କରିବାର କେହି ଦେଖି ନାହିଁ । ତରୁଣୀ—କିନ୍ତୁ ବୟସ କମେଇବାର ପ୍ରୟାସ କେବେ ପ୍ରକାଶ ପାଇ ନାହିଁ । ରୁଚିଶାଳୀ କିନ୍ତୁ ଉଗ୍ର ଆଧୁନିକ ଭାବରେ କେହି କେବେ ଭେଟି ନାହିଁ । ପ୍ରକୃତ, ଆଚାର, ବିଚାର ସମ୍ପର୍କରେ ସର୍ବସାଧାରଣ ଯାହା ଜଣାଯାଏ, ତାହା ହେଲା—ପୁଷ୍ପିତା ପଟ୍ଟନାୟକ ସଦ୍ୟ ପ୍ରସ୍ଫୁଟିତ ଭଳି ପ୍ରଗଳ୍‌ଭା ନ ହୋଇ ପାରନ୍ତି କିନ୍ତୁ ଲାସ୍ୟମୟୀ । ଆଳୁ, ବାଇଗଣ, ସାରୁ, ପରିବା ଭଳି ମିଶୁକ ନ ହେଇପାରନ୍ତି ତଥାପି ମିତଭାଷିଣୀ, ଶିଷ୍ଟ । ହଠାତ୍‌ ଯେ କୌଣସି ସମୟ ଅସମୟରେ, କାରଣ ବା ଅକାଣରେ କଲୋନୀର ଯେ କୌଣସି କ୍ୱାଟରରେ ସେ ପହଞ୍ଚି ନ ପାରନ୍ତି କିନ୍ତୁ ଭଲ ମନ୍ଦରେ କେହି ଡାକିଛି ପୁଷ୍ପିତାଙ୍କ ଆଉ ସେ ଯାଉ ନାହାନ୍ତି ଏକଥା ନିଶ୍ଚୟ ନୁହେଁ ।

 

କେବଳ ଗୋଟିଏ କଥା ସମସ୍ତଙ୍କ ତଣ୍ଟି ପାଖରେ ଅକୁହା ରହିଛି ବୀରେନ୍ଦ୍ର ଓ ପ୍ରଶ୍ନବାଚକ । ବୀରେନ୍ଦ୍ରଙ୍କୁ ନେଇ କେହି କେବେ ପ୍ରଶ୍ନ କରି ନାହାନ୍ତି ତାଙ୍କୁ । କେତେଟା ଦୁର୍ବୋଧ୍ୟ କଥା ସମସ୍ତେ ମନକୁ ବୁଝିଛନ୍ତି ଯାହାର ସାରାଂଶ ହେଇପାରେ—ଡକ୍ଟର ପୁଷ୍ପିତା ପଟ୍ଟନାୟକ ସମୀନ୍ତରେ ସିନ୍ଦୂର ପିନ୍ଧି ନଥାଇ ପାରନ୍ତି କିନ୍ତୁ କପାଳରେ ନାଲି ଟିପା କେବେ ନ ଲାଗିବା କେହି ଦେଖିନାହିଁ । ଆଉ କାହା ଗାଡ଼ିରେ ସେ ବସିନାହାନ୍ତି ଆଉ କାହା ସହିତ ବୁଲିଯିବାର କେହି ଦେଖି ନାହାନ୍ତି । ଆଉ କାହା ସହିତ ସିନେମା ବଜାର ଯାଇ ନାହାନ୍ତି । ଆଉ କାହା କିଣିଥିବା ଲୁଗା ବା ପଦାର୍ଥ ବ୍ୟବହାର କରିନାହାନ୍ତି—କେବଳ ବୀରେନ୍ଦ୍ରଙ୍କ ବ୍ୟତୀତ । ଏସବୁ ‘ଆଉ କେହି’ର ପରିବର୍ତ୍ତେ କେବଳ ବୀରେନ୍ଦ୍ର.......ବୀରେନ୍ଦ୍ର ଏବଂ ବୀରେନ୍ଦ୍ର ।

 

ପ୍ରଥମେ ପ୍ରଥମେ ଏଇକଥା ନେଇ ଯଥେଷ୍ଟ ଗୁଞ୍ଜନ ସୃଷ୍ଟି ହୋଇଥିଲା । କିନ୍ତୁ ଯେତେବେଳେ ସମସ୍ତେ ଜାଣିଲେ ବା ବୀରେନ୍ଦ୍ରଙ୍କ ସମ୍ପର୍କରେ କୌଣସି ବିଷୟରେ ଲୁଚାଇବା ପାଇଁ ପୁଷ୍ପିତ ଆଦୌ ସଚେତ ନୁହଁନ୍ତି ସେହିଦିନଠାରୁ ସମସ୍ତେ ଏ ବିଷୟରେ ବିଶେଷ ଉତ୍‍କଣ୍ଠା ପ୍ରକାଶ କରି ନାହାନ୍ତି । ପ୍ରତିବର୍ଷ ବିଶ୍ୱବିଦ୍ୟାଳୟର ନବାଗତ ଛାତ୍ରମାନଙ୍କ ପାଇଁ ପ୍ରଥମ କେତେଦିନ ଡକ୍ଟର ପୁଷ୍ପିତା ପଟ୍ଟନାୟକ ଚାଲିଚଳନ, ଗତିବିଧି ବେଶ୍‌ ଦୃଷ୍ଟି ଆକର୍ଷଣ କଲେ ସୁଦ୍ଧା ଅଳ୍ପ କେତେଦିନ ପରେ ସେମାନେ ପୁଣି ନିଜର ମତ ବଦଳାନ୍ତି । ସେମାନଙ୍କର ସର୍ବସମ୍ମତ ଉପସଂହାର ହେଲା—ସମସ୍ତଙ୍କଠାରୁ ପୁଷ୍ପିତା ପଟ୍ଟନାୟକ ‘ଖୁବ୍‌ଭଲ’—

 

ଏ ବୟସରେ ଭାବପ୍ରକାଶ ପାଇଁ ଅନ୍ୟ କିଛି ପ୍ରତିଶବ୍ଦ ମନକୁ ନ ଆସିଲେ ତାକୁ ଏଇ ‘ଭଲ’ ବୋଲି କହି ଶେଷ କରିବାକୁ ପଡ଼ିଥାଏ । ତେଣୁ ଏ ଭଲର ସଂଜ୍ଞା ଅନେକ । ଏ ଶବ୍ଦଟାକୁ ନେଇ ପାଠ, ଶାଠ, ଗୁଣ, ରୂପ, ଚରିତ୍ର, ଧର୍ଶ ସବୁ ପାଖରେ ଲଗାଯିବାର ପରେ ମଧ୍ୟ ତାର ଗୁଣାତ୍ମକ ପରିମାଣ କ୍ଷୁର୍ଣ୍ଣ ହୁଏ ନାହିଁ ବରଂ ଆହୁରି ବଢ଼ିଯାଏ । ତେଣୁ ସେହୀ ବୟସର ତରୁଣ ତରୁଣୀଙ୍କ ପାଇଁ ପୁଷ୍ପିତା ପଟ୍ଟନାୟକ କୌଣସି ଗୁଣରେ କମ୍‌ ନୁହଁନ୍ତି । ବୀରେନ୍ଦ୍ରଙ୍କ ପ୍ରତି ତାଙ୍କର ଅଶେଷ ତ୍ୟାଗ ଆଉ ଚରମ ଭଲପାଇବା ସମସ୍ତଙ୍କୁ ଆଚମ୍ୱିତ କରିଛି । ସେମାନଙ୍କର ପଢ଼ୁଥିବା ବା ଶୁଣିଥିବା ସୂର୍ଯ୍ୟମୁଖୀ ଫୁଲର ସୂର୍ଯ୍ୟଙ୍କ ପ୍ରତି ମମତା ବା କେଦାର ଗୌରୀଙ୍କ ଠାରୁ ଆରମ୍ଭ କରି ହୀର୍‌ରାଞ୍ଜା, ଲୈଲାମଜ୍‌ନୁ, ରୋମିଓ ଜୁଲିଏଟ୍‌ କାହାରି ଠାରୁ ପୁଷ୍ପିତାଙ୍କର ତ୍ୟାଗ ବା ନିଷ୍ଠା କମ୍‌ ଭଳି ସେମାନଙ୍କୁ ମନେହୁଏ ନାହିଁ । କଥା ହେଲା ସେଇମାନଙ୍କ ନିକଟରେ ପୁଷ୍ପିତା କେତେ ଛୋଟ ହେଇଯିବେ ସତେ । ସମସ୍ତେ ଆଙ୍ଗୁଠି ଦେଖେଇ ପୁଷ୍ପିତାଙ୍କୁ ଶରବ୍ୟ କରିବେ । କହିବେ, ପୁଷ୍ପିତା ଏଇଆ କଲେ ? ଏଇଭଳି ଜଣକୁ ନିଜର ସର୍ବସ୍ୱ ନିବେଦନ କରିଛନ୍ତି ।

 

ତା’ପରେ ହୁଏତ ହଠାତ୍‌ କାନ୍ଥବାଡ଼ ସବୁଥିବେ ସମସ୍ତେ ଆବିଷ୍କାର କରି ବସିଥିବେ ଏଇ କାହାଣୀର କଳଙ୍କିତ ବୃତ୍ତାନ୍ତର କିୟଦଂଶ । ତେବେ ପୁଷ୍ପଙ୍କର ଅଯାଚିତ ନିଟୋଳ ଭଲ ପାଇବାର ପ୍ରତିଦାନରେ କ’ଣ ଏହାହିଁ ଦେବେ ବୀରେନ୍ଦ୍ର ?

 

ନାଃ...ହଠାତ୍‌ କେଜାଣି ନିଜର ମୁଣ୍ଡ ଭିତରର ଏକ ଅହେତୁକ କଳ୍ପନାକୁ ସେ ଆର ରୂପେ ଦବାକୁ ଚାହିଁଲେ ନାହିଁ । କ’ଣ କରିବେ ବର୍ତ୍ତମାନ ?

 

ତାଙ୍କର ମୁକ୍ତି ଦରକାର । କାହାଠାରୁ ମୁକ୍ତି ଦରକାର ? କିଶୋରଙ୍କ ଠାରୁ ନା ପୋଲିସ ଠାରୁ ? କ’ଣ ପାଇଁ ? ଆତ୍ମଗୋପନ କରିବାକୁ ? ନା...ପୁଷ୍ପିତାଙ୍କୁ ଠିକ୍‌ ଭାବରେ ବୁଝେଇବାକୁ ? କିନ୍ତୁ ପୁଷ୍ପିତା ତାଙ୍କୁ ଅବିଶ୍ୱାସ କରିବ ବା କାହିଁକି ?...ହୁଏତ ସେ ମଣିଷ, ପୁଣି ନାରୀ । ଅବିଶ୍ୱାସ କରିବା ସନ୍ଦେହ କରିବା ସେ ଜାତିର ଧର୍ମ । କିନ୍ତୁ ମୁକ୍ତି ଚାହିଁବେ ଯଦି ଦୋଷକୁ ମାନିନେବାକୁ ପଡ଼ିବ । ନାଁ ତା’ ସେ କରିପାରିବେ ନାହିଁ । କିନ୍ତୁ କୌଣସିମତେ ଦିନକ ପାଇଁ ସେ ଦୂରେଇ ରହିବା ଉଚିତ୍‌ । ଯଦି ବୀରେନ୍ଦ୍ର ବର୍ତ୍ତମାନ ନିଜକୁ ପୋଲିସ ହାତରେ ସମର୍ପି ଦିଅନ୍ତି ତେବେ ସଙ୍ଗେ ସଙ୍ଗେ ଲୋକ ମୁଖରେ ଯୋଉ ଅପବାଦ, କୁତ୍ସା ରଟି ଯିବ ତାକୁ ପୁଣି ପୋଛିବା ପାଇଁ ବେଶ୍‌ ସମୟ ଲାଗିବ । ତେବେ ସେ କ’ଣ କରିବେ ? କୁଆଡ଼େ ଚାଲିଯିବେ ? ପୁଷ୍ପ ପାଖକୁ ଗଲେହିଁ ସେମାନେ ସେଠିକି ଯାଇ ପହଞ୍ଚିବେ । ନାଁ....ବୀରେନ୍ଦ୍ର ନିଜ ଉପରେ ସବୁ ଅପବାଦ ନେଇ ପାରନ୍ତି କିନ୍ତୁ ପୁଷ୍ପଙ୍କ ସୁନାମରେ ଆଞ୍ଚ ନ ଆସୁ ।

 

ଆଚ୍ଛା, ଯଦି ହଠାତ୍‌ କିଶୋର ଆଗର କୌଣସି ପୋଲିସ୍‌ ଥାନାକୁ ଟେଲିଫୋନ୍‌ କରି ଦେଇଥାନ୍ତି ତେବେ ସେମାନେ ସାମନାରୁ ମଧ୍ୟ ଆସି ବାଟ ଅଟକେଇ ପାରନ୍ତି । ତେବେ....ତେବେ କ’ଣ କରିବେ ବୀରେନ୍ଦ୍ର ? ଷ୍ଟିଅରିଂ ଉପରେ ପୁଣି ହାତ ବଜ୍ର ହୋଇଉଠିଲା । ନାଃ....ତାଙ୍କର ମୁକ୍ତି ଦରକାର । ସାମନାରେ ଯଦି କେହି ଠିଆହୁଏ ତେବେ ଗାଡ଼ି ଠିଆହବ ନାହିଁ । ଗାଡ଼ି ଯେତିକି ଗତିରେ ଯାଉଛି ତା’ଠାରୁ ବରଂ ଅଧିକ ହୋଇପାରେ ଧିମେଇବାର ସମ୍ଭାବନା ନାହିଁ । ତାଙ୍କର ହାତମୁଠା ଆହୁରି ଟାଣ ହୋଇ ଷ୍ଟିଅରିଂକୁ ଧରିଲା । ଯଦି ଆଗରେ ଗୋଟାଏ ଗାଡ଼ି ଠିଆ କରି ଦେଇଥାନ୍ତି ତଥାପି ମଧ୍ୟ ଦକ୍ଷ ଖେଳାଳୀ ଭଳି ଆଜି ନିଜର କ୍ରୀଡ଼ା ପ୍ରଦର୍ଶନ କରିବେ ବିରେନ୍ଦ୍ର । ପରବର୍ତ୍ତୀ କାଳରେ ଏଥିପାଇଁ ତାଙ୍କର କୈଫିୟତ ସେ ଠିକ୍‌ କରିଦେଲେ ।....ଅନ୍ଧାର ରାତିରେ କିଏ ଗାଡ଼ି ଅଟକେଇଲେ ମଧ୍ୟ ସେ ଅଟକିଥାନ୍ତେ କେମିତି ? ହୁଏତ ଚୋର ଡକାୟତ ହୋଇପାରନ୍ତି । ଯାହା ହେଲେ ବି ଆଜିର ରାତିଟା ତାଙ୍କର ମୁକ୍ତି ଦରକାର । ଆପାତତଃ କାଲି ଦିନଟା ମଧ୍ୟ ।

 

ଏହାରି ଭିତରେ ସେ ହତଭାଗିନୀର ସଂଜ୍ଞା ନିଶ୍ଚୟ ଫେରି ଆସିଥିବ ଏବଂ କିଶୋର ନିଶ୍ଚୟ ସବୁକଥା । ତା’ପରେ ପ୍ରକୃତ ଆସାମୀ ଖୋଜା ଚାଲିବ । ନଚେତ୍‌ ଯଦି ସେ ମରିଯାଏ ତେବେ ମଧ୍ୟ ବହୁ ଅନୁସନ୍ଧାନ ପରେ ଠିକ୍‌ କାରଣ ଜଣାପଡ଼ି ଯାଇଥିବ । ଖୁବ୍‌ ବେଶିରେ କିଶୋର ପୁଷ୍ପଙ୍କ କ୍ୱାଟରରେ ଆଜି ପହଞ୍ଚି ଯେତେବେଳେ ବୀରେନ୍ଦ୍ରଙ୍କୁ ପାଇବେନି ସେଠିକା ଥାନାରେ ସବୁ କବର ଦେଇ ଖୋଜିବା ଖୋଜିବା ପାଇଁ ଫେରି ଆସିବେ । ସେ ସ୍ଥାନ ଛାଡ଼ିବାପରେ ପୁଷ୍ପଙ୍କ ପାଖରେ ପହଞ୍ଚି ସମସ୍ତ କଥା ବୁଝେଇ ଘଟଣାକୁ ଆୟତ୍ତକୁ ଆଣିବାକୁ ପଡ଼ିବ । କିନ୍ତୁ ବର୍ତ୍ତମାନ ? ନାଁ ନାଁ....ସେ ଆତ୍ମସମର୍ପଣ କରି ପାରିବେନି । ତେବେ ବର୍ତ୍ତମାନ ପାଇଁ ପୁଷ୍ପଙ୍କର ଅବସ୍ଥା ? କାହିଁକି ସେ ଭୁଲ୍‍ କଲେ ? ଆଗରୁ ପଛରୁ ଉଭୟ ଆଡ଼ୁ ଗାଡ଼ି ଆସିପାରେ । ଆଜି ତେବେ ବୀରେନ୍ଦ୍ର ମଣିଷ ଶିକାର କରିବେ । ଜଣେ ଦକ୍ଷ ଶିକାରୀ ହିସାବରେ ତାଙ୍କର ଅତୀତ ଗୌରବ ଏ ପର୍ଯ୍ୟନ୍ତ ମଳିନ ପଡ଼ିନାହିଁ । ପୁଷ୍ପଙ୍କ ରାଣ ସକାଶେ ସେ ବନ୍ଧୁକ ଛାଡ଼ିଚନ୍ତି...... ।

 

‘ଏ ବୀର ପଣିଆଟା କ’ଣ ନଦେଖେଇଲେ ଚଳନ୍ତାନି ?’

 

‘ଆଦୌ ଏଇଟା ବୀରପଣିଆ ନୁହେଁ, ସଉକ୍‌ ।’

 

‘ମୋଠାରୁ ତମର ଶିକାରଟା ବଡ଼ ସଉକ୍‌ ?’

 

‘ନା....ଏଇଟା ଅନେକ ଛୋଟ ସଉକ୍‌ ଭିତରୁ ଗୋଟାଏ ।’

 

‘ମୁଁ ଯଦି ଅନୁରୋଧ କରେ ତେବେ ଛାଡ଼ିଦବ ଶିକାର ? ମତେ ଜମ୍ମା ଭଲ ଲାଗେ ନାହିଁ-

 

‘ଦେଖ ପୁଷ୍ପ ! ପୁରୁଷ ମୁଁ, ପୁରୁଷପଣିଆର ଗୋଟାଏ ଚିହ୍ନହେଲା ବନ୍ଧୁକ ଧରିବା, ଶିକାର କରିବା ।’

 

‘ଆହା ହା ଧନ୍ୟରେ ପୁରୁଷ ! ବନ୍ଧୁକ ମାରି ନିରୀହ ଚଢ଼େଇ ଶିକାର କରିବାଟା କ’ଣ କମ୍‌ ପୁରୁଷ ପଣିଆ ?’

 

ପୁଷ୍ପ, ସେମିତି କହିବନି, ବୀରେନ୍ଦ୍ର ମାନସିଂ ଥରେ ବନ୍ଧୁକ ଉଠେଇଲେ କେବଳ ମହାବଳ ଶିକାର କରେ, ଚଢ଼େଇ କିମ୍ବା ହରିଣ ନୁହେଁ ।’

 

‘ହଉରେ ବାବା ହେଲା । ମାନିଲିତ, ଯାହାପାଇଁ ଏତେ ପୁରୁଷତ୍ୱ ଜାହିର କରି ଚାଲିଚ ସେତ ବିନୟର ସହିତ ହାତଯୋଡ଼ି ହେଇ ମୁକ୍ତ କଣ୍ଠରେ ସ୍ୱୀକାର କରୁଛି—ଏ ପୃଥିବୀରେ କେବଳ ଜଣେ ମାତ୍ର ପୁରୁଷଶ୍ରେଷ୍ଠ ଜନ୍ମଲାଭ କରିଛନ୍ତି । ସେ ହେଉଛ ତମେ, ଆଉ ପୁଣି କାହାପାଇଁ ପୁରୁଷତ୍ୱ ପ୍ରମାଣ କରିବା କଣ ଦରକାର ? ସେଇ ଫଟଟା ଦେଖତ ? ଯିଏ ଘରେ ଥରେ ପଶିଛି ଏ ଫଟଟା ତା’ ଦୃଷ୍ଟି ଆକର୍ଷଣ କରିଛି । ବୀର ପୁରୁଷ—କାନ୍ଧରେ ବାଘଛୁଆକୁ ନାଉକରି ଖେଳୁଛନ୍ତି-। ପାଖରେ ବନ୍ଧୁକ । ଏ ଫଟଟାକୁ ତ ପ୍ରତିଦିନ ଫୁଲ ଚନ୍ଦନ ଦେଇ ପୂଜାକରୁଛି ବୀରତ୍ୱର ସନ୍ତକରୂପେ । ଆଉ ପୁଣି କ’ଣ ନିତାନ୍ତ ଭାବରେ ଏ ଅଭ୍ୟାସଟା ରଖିବା ଦରକାର-?’

 

‘କିନ୍ତୁ ତମେ ଜାଣିନାହଁ ପୁଷ୍ପ ! ଏ ପ୍ରକାର ଏକ ଅଭ୍ୟାସ ରଖିବା ଦରକାର । ସମୟ ପଡ଼ିଲେ ବହୁତ କାମରେ ଆସିବ । ଆମେ ପରା ଜମିଦାରିଆ ଘରଛୁଆ ।’

 

‘ମୋର କିନ୍ତୁ ଭୟ ହୁଏ । ଏଇ ବୀରତ୍ୱ ଦେଖି ମୁଁ ଯେମିତି ମୋର ସତ୍ତା ହରେଇଛି ସେମିତି ଆଉ କେହି ଜଣେ ଯଦି ମୋ ସହିତ ସମଦୁଃଖୀ ହବାକୁ ମିଳିଗଲା ? ମୋ ରାଣ....ଛାଡ଼ ନାଁ ।’

 

ଗୋଟାଏ ଛୋଟ କାଟର ଦୀର୍ଘଶ୍ୱାସ । ତା’ପରେ....ଛାଡ଼ିଦେଲି । ସେଇଦିନ ଠାରୁ ବୀରେନ୍ଦ୍ର ଆଉ ବନ୍ଧୁକ ଛୁଇଁ ନାହାଁନ୍ତି ବା ଶିକାର କରି ନାହାଁନ୍ତି । କିନ୍ତୁ ଆଜି ସେ ବିନା ବନ୍ଧୁକରେ ମଣିଷ ଶିକାର କରିବେ । ଯିଏ ତାଙ୍କୁ ରୋକିବାକୁ ଆସିବ ବା ବାଟ ଓଗାଳିବ ସେ କିଶୋର ହୁଅନ୍ତୁ ବା ଅନେକ ବନ୍ଧୁକଧାରୀ ପୋଲିସ ହୁଅନ୍ତୁ ସେମାନଙ୍କୁ କିଛିଟା କ୍ଷତି ସହିବାକୁ ପଡ଼ିବ ।

 

ଗାଡ଼ିର ବେଗ ଆଉ ବୀରେନ୍ଦ୍ରଙ୍କ ମନର ଉଦ୍‌ବେଗ ଦୁହେଁ ପରସ୍ପରଠାରୁ ପ୍ରତିଯୋଗିତା କରି ଆଗେଇବାକୁ ବ୍ୟସ୍ତ । କେମିତି କେଜାଣି ହଠାତ୍‌ ବୀରେନ୍ଦ୍ର ଅନୁଭବ କଲେ ସେ କୌଣସି ଏକ ସଠିକ ଉପସଂହାରରେ ପହଞ୍ଚି ପାରୁନାହାଁନ୍ତି । ତାଙ୍କର ଇଚ୍ଛା ହଉଛି ଘଡ଼ିଏ ଗାଡ଼ି ବନ୍ଦକରି ଆଖି ନାକ ଚାପିଧରି ଟିକିଏ ଭାବନ୍ତେ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେଇଟା ସମ୍ଭବ ନୁହେଁ । ଯଦି କେହି ଖୁବ୍‌ ଗରମ ଚା’ ଗୋଟାଏ ଫ୍ଳାସ୍କରେ ତାଙ୍କ ଆଗରେ ଧରି ଠିଆହୁଅନ୍ତା ତେବେ ଜିଭ ପୋଡ଼ିଗଲା ଭଳି ଚା’କୁ କପ୍‌ରେ କପ୍‌ ତିନିତ ଚାରି କପ୍‌ ପିଇଯାଆନ୍ତେ । କିନ୍ତୁ ସେ ସୁବିଧା ମଧ୍ୟ ନାହିଁ ।

 

ଆଉ ଟିକିଏ ଆଗକୁ ହାଇଓ୍ୱେଟା ଦୁଇଭାଗ ହୋଇଛି । ବା’ପଟ ରାସ୍ତାଟା ଲମ୍ବିଯାଇଛି ଅନ୍ୟଆଡ଼େ । ସେ ରାସ୍ତାରେ ଗଲେ ଠିକ୍‌ ପଛକୁ ଫେରିବା ଦିଗକୁ ଗାଡ଼ିଟା ମୁହାଁଇବ ଠିକ୍‌ ସେଇଠି ଆଉକିଛି ଭାବିବା ଆଗରୁ ତାଙ୍କର ହାତ କେମିତି ଷ୍ଟିଅରିଂ ଉପରେ ବୁଲିଗଲା । ଚକାଦି’ଟା ଏକରକମ ଘୋଷାଡ଼ି ହେଇ ବାମକୁ ବୁଲିଗଲା । ସେ ପାଖକୁ ମୋଡ଼ି ବୁଲିଲା ପରେ ଗାଡ଼ିଟାକୁ ଟିକିଏ ଆଗେଇ ଘଣ୍ଟାକୁ ଥରେ ଆଖି ପକେଇ ଦେଇ ବୀରେନ୍ଦ୍ର ନିଜକୁ ପ୍ରଶ୍ନକଲେ—ପ୍ରକୃତରେ ସେ କ’ଣ ଚାହିଁକରି ଏ ପାଖକୁ ଷ୍ଟିଅରିଂ ମୋଡ଼ୁଛନ୍ତି ? କେମିତି କେଜାଣି ତାଙ୍କର ମନ ଉତ୍ତର ଦେଲା—ଏଇଟା ତାଙ୍କର ଇଚ୍ଛା ବାହାରେ, ଭଗବାନଙ୍କର ହୁଏତ ଇଚ୍ଛା, ସେ ସେଇ ରାସ୍ତାରେ ଯା’ନ୍ତୁ । ପରମୁହୂର୍ତ୍ତରେ ସେ ଆହୁରି କଠିନ ହୋଇଉଠିଲେ । ନାଁ, ତାଙ୍କୁ ନିଶ୍ଚୟ ନିଜକୁ ଲୁଚେଇ ରଖିବାକୁ ପଡ଼ିବ ।

 

ଆଲୋକ ବିହୀନ ରାଜ-ପଥର ଦୁଇପାଖରେ କେବଳ ଜଙ୍ଗଲ ଆଉ ଜଙ୍ଗଲ । ନିଜ ଗାଡ଼ି ଆଲୁଅ ଲିଭେଇଲା ପରେ ମୁହଁକୁ ମୁହଁ ଦିଶିବନି । କେବଳ ଚତୁର୍ଦ୍ଦଶୀର ଜହ୍ନ ବେଳେବେଳେ ବାଦଲ ଭିତରୁ ବାହାରି ରାସ୍ତାକୁ ପରିଷ୍କାର କରୁଥାଏ । ସେ ମଧ୍ୟ ବର୍ତ୍ତମାନ ବେଶ୍‌ କିଛିସମୟ ଧରି ବଡ଼ ଖଣ୍ଡେ ବାଦଲ ଭିତରେ ଆତ୍ମଗୋପନ କରିଛି । ଶୀଘ୍ର ବାହାରକୁ ଆସିବାର ସମ୍ଭାବନା ନାହିଁ । କାହିଁକି କେଜାଣି ବୀରେନ୍ଦ୍ରଙ୍କର ହଠାତ୍‌ ମନେପଡ଼ିଗଲା ସେ ଡାକ୍ତରଟାର କଥା । ତାଙ୍କ ମୁଣ୍ଡର ସମସ୍ତ ଶିରା ପ୍ରଶିରା ଟାଙ୍କି ହୋଇଗଲେ । ଖାଲି ଖରାପ ବଳଟା ଟିକିଏ ପାର ହେଇଗଲା ପରେ ତା କଥାଟା ବୀରେନ୍ଦ୍ର ବୁଝିବେ । ଆଜି ତାଙ୍କୁ ଗୋଟାଏ କ୍ରୀଡ଼ନକ ଭଳି ବ୍ୟବହାର କରିବାକୁ ସେ କୁଣ୍ଠାବୋଧ କଲାନାହିଁ । ପଚାରିବାରୁ ଉତ୍ତର ଦେଇଛି—ମୋ କର୍ତ୍ତବ୍ୟ ମୁଁ କରିବି ଆଜ୍ଞା.... । ବେଶ୍‌-! ତାକୁ କର୍ତ୍ତବ୍ୟବୋଧ ଶିକ୍ଷା ଦବାକୁ ବୀରେନ୍ଦ୍ର ମନ ଭିତରେ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ।

 

ଏତିକିବେଳେ ବହୁତ ଦୂରରୁ ଜଣାପଡ଼ିଲା ଯେମିତି କୌଣସି ଏକ ଯାନ ସାମନାଆଡ଼ୁ ଆସୁଛି । ଚମକି ଉଠିଲେ ବୀରେନ୍ଦ୍ର । ତାଙ୍କର ବୁଝିବାକୁ ବାକି ରହିଲାନାହିଁ ଯେ ସେଇଟା ନିଶ୍ଚୟ ଗୋଟାଏ ମଟର ସାଇକେଲ । ତାଙ୍କୁ ଜଣାପଡ଼ିଲା କଥାଟା । ଯାହା ସେ ଆଶଙ୍କା କରୁଥିଲେ ତାହାହିଁ ଘଟିବାକୁ ଯାଉଛି । ଏତେ ଯନ୍ତ୍ରଣା ଭିତରେ ମଧ୍ୟ ବୀରେନ୍ଦ୍ର ନହସି ରହି ପାରିଲେ ନାହିଁ । ସେ ଶୁଷ୍କ ହସ କେବଳ କିଶୋରଙ୍କ ବୁଦ୍ଧିର ତାରିଫ୍ ପାଇଁ । ପ୍ରକୃତରେ କିଶୋରଙ୍କର ପୋଲିସ ବୁଦ୍ଧିର ଉନ୍ନତି ଘଟିଚି । କେବଳ ଆଗର ଥାନାକୁ କହି ନାହାନ୍ତି । ଏପଟର ଥାନାକୁ ମଧ୍ୟ ଖବର ଜଣାଇଛନ୍ତି । ଫଳରେ ଏପାଖରୁ ମଧ୍ୟ ମଟରସାଇକେଲ ଆସି ଏଇ ତିନି ମୁହାଁଣୀ ଛକ ଟିପିଯିବା ଆଗରୁ ଏଇଠି ଧରିବ । ହେଲେ କିଶୋର କଳ୍ପନା ମଧ୍ୟ କରି ନଥିବ ଯେ ଏତେ ବେଗରେ ବୀରେନ୍ଦ୍ର ଗାଡ଼ି ଚଳେଇ ସେ ଛକକୁ ଟପି ଯାଇଛନ୍ତି । ମଟର ସାଇକେଲଟି ପହଞ୍ଚିବା ଆଗରୁ ସେ ହୁଏତ ଆଗପଟେ ବାହାରି ଯାଇଥାନ୍ତେ । କିନ୍ତୁ ତାଙ୍କର ଦୁର୍ଭାଗ୍ୟ ସେ ଠିକ୍‌ ଏଇପାଖକୁ ହିଁ ମୁହାଁଇଛନ୍ତି । ଗାଡ଼ି ପୁଣି ପଛକୁ ଫେରାଇ ଆଗେଇଲାବେଳକୁ ଏ ମଟରସାଇକେଲ ପହଞ୍ଚି ସାରିଥିବ । ନପହଞ୍ଚିଲେ ମଧ୍ୟ ମୁକ୍ତି ନଥାନ୍ତା । କାରଣ ଆଗକୁ ଆଗେଇ ଥିଲେ ଆଗରୁ ପୋଲିସ୍‌ ଆଉ ପଛକୁ ଫେରେଇଲେ କିଶୋର ନିଜେ ।

 

ଆଉ ଚିନ୍ତା କରିବାର ଅବକାଶ ନାହିଁ । କିଛି ଗୋଟାଏ କରିବାକୁ ପଡ଼ିବ । ନିଜକୁ ପ୍ରସ୍ତୁତ କଲେ ବୀରେନ୍ଦ୍ର । ନାଃ...ଯଦି ଭଗବାନଙ୍କର ଇଚ୍ଛା ବୁଦ୍ଧିର ଗୋଟାଏ ଖେଳ ଖେଳିବାକୁ ତେବେ ସେ ମଧ୍ୟ ପରୀକ୍ଷା ଦବାପାଇଁ ପଛେଇବେ ନାହିଁ । ଆଜି ରାତିଟା ସମସ୍ତଙ୍କଠାରୁ ମୁକ୍ତିପାଇ ଖସିଗଲା ପରେ ସେ ଗୋଟାଏ ନିରୋଳା ମୁହୂର୍ତ୍ତ ଦେଖି ପୁଷ୍ପଙ୍କ ନିକଟରେ ପହଞ୍ଚି ତାଙ୍କୁ ସବୁ ବୁଝେଇ ଦେଲା ପରେ ବାକି ସବୁ ସହଜ ହେଇଉଠିବ । ସତ୍ୟ ତ ନିଶ୍ଚୟ ଦିନେ ଉଦ୍‌ଘାଟିତ ହେବ-। ଡାକ୍ତର କହିଲା—ଏଇ ଟିକକ ପରୀକ୍ଷା ସାରି ଦେଇଥିଲେ ଆପଣ ସବୁଆଡ଼ୁ ମୁକ୍ତ ହୋଇଯିବେ-। କିନ୍ତୁ ସେତେବେଳେ ସେ ପ୍ରକାର ଏକ ପରିସ୍ଥିତିର ଅବତାରଣ କାହିଁକି ଯେ କରାହେଲା—କିଛି ବୁଝିନଥିଲେ ବୀରେନ୍ଦ୍ର । କୌଣସିମତେ କିଛିଟା ମାନିନେଇ ଶୀଘ୍ର ପୁଷ୍ପି ତାଙ୍କ ନିକଟକୁ ତାଙ୍କୁ ଯିବାକୁ ପଡ଼ିବ । ଜାଣିକରି ଭୁଲ୍‍ କରି ପକେଇଛନ୍ତି । ଆଜିକାଲିର ଦୁନିଆଁରେ କୌଣସି ପ୍ରକାର ଦୟା, ମାୟା, ମମତାର ମାନେ କିଛି ହୁଏନା ।

 

ତାଙ୍କର ଏକମାତ୍ର ଉପାୟ ତାଙ୍କ ସମ୍ମୁଖରେ ବର୍ତ୍ତମାନ ବାକି ରହିଛି । ସାମନାରୁ ଯେଉଁ ପୋଲିସ୍‌ ଅଫିସର ଜଣକ ମଟରସାଇକେଲରେ ଅରଣ୍ୟର ବୁକୁଚିରି ବୀରେନ୍ଦ୍ରଙ୍କୁ ବୀରତ୍ୱର ସହିତ କରଗତ କରିବାକୁ ମାଡ଼ିଆସୁଛି ସେ ବିଚାରାଟି କେବଳ ଗାଡ଼ି ନମ୍ବର ଆଉ ରଙ୍ଗଟି ଜାଣିଥାଇପାରେ । ଯଦି ବର୍ତ୍ତମାନ ନମ୍ବରଟାକୁ କୌଣସିମତେ ସାମନାପଟରୁ । ଢାଙ୍କି ଦିଆଯାଇପାରନ୍ତା । ତେବେ ଅନ୍ଧାରକରି ନିଜେ ବସି ରହନ୍ତେ ଗାଡ଼ିର ଷ୍ଟାର୍ଟ ରଖି । ଅନ୍ଧାରରେ ସେ ଗାଡ଼ିର ରଙ୍ଗଟା ଦୂରରୁ ଠଉରେଇବା ସମ୍ଭବ ନୁହେଁ । ପୋଲିସ ଅଫିସରଟି ଠିକ ଦେଖିବ ଗାଡ଼ିଟା ଅଟକିଛି । ସେ ନିଶ୍ଚିନ୍ତରେ ତା’ ନିଜ ଗାଡ଼ିଟା ଅନ୍ୟକଡ଼କୁ ପାଖେଇ ରଖି ଏ ଗାଡ଼ି ପାଖକୁ ଆସିବାକୁ ଚାହିଁବ । ଅତି ନିକଟକୁ ପାଖେଇ ଆସିବାର ଠିକ୍‌ ଆଗରୁ ଆଖି ପିଛୁଡ଼ାକେ ଗାଡ଼ିର ଆଲୁଅ ଜାଳିଦେଇ ଭୁଷକରି ବାହାରି ଚାଲିଯିବେ ବୀରେନ୍ଦ୍ର ଗାଡ଼ିଟା ଆଖି ପିଛୁଡ଼ାକେ ନେଇ ଚାଲିଯିବେ । ବିଚାରା ପୁଣି ମଟରସାଇକଲ୍‌ ବୁଲେଇ ତାଙ୍କୁ ଅନୁସରଣ କଲେ ସୁଦ୍ଧା ବୀରେନ୍ଦ୍ରଙ୍କୁ ଧରିବାକୁ ବେଶ୍‌ କଷ୍ଟ ହୋଇପାରେ । କିନ୍ତୁ ସେ କାହିଁକି ପୁଣି ଗୋଡ଼େଇବ । ହୁଏତ ସେ ଏ ରାସ୍ତାରେ ଗାଡ଼ିଟାକୁ ବିପରୀତ ଦିଗକୁ ମୁହେଁଇବାକୁ ଆଶା ନରଖିବା ସ୍ୱାଭାବିକ । ଗାଡ଼ିର ରଙ୍ଗ ଦେଖି ପାରିବ ନାହିଁ—ତାକୁ ଲାଗିଲା ଗାଡ଼ିଟାଏ ଠିଆ ହୋଇଥିଲା ଚାଲିଗଲା, ବରଂ ସେ ଆଗେଇବ ପଛକେ ଫେରିବ ନାହିଁ । କାରଣ ଆଗକୁ ଗଲେ ତାର ଶିକାର ମିଳିବାର ସୂଚନା ସେ କିଶୋରଙ୍କଠାରୁ ପାଇଥିବ ।

 

ସମୟ ହୋଇଗଲା । ଆଲୋକ କ୍ରମେ ସ୍ପଷ୍ଟ ହୋଇଆସୁଛି । ଶବ୍ଦଟା ବେଶ୍‌ ବିକଟାଳ ଭାବରେ ଜଣାପଡ଼ୁଛି ନିଥର ଜଙ୍ଗଲ ଭିତରେ । ଏ ରାସ୍ତାଟା ନିଶ୍ଚିତ ବହୁତ ଅଙ୍କାବଙ୍କା ନହେଲେ ଏତେ ଆଗରୁ ଆଲୋକର ସୂଚନା ପାଇ ନଥାନ୍ତେ ବୀରେନ୍ଦ୍ର । ଯାହାର ଏଇଟା ମଧ୍ୟ ଇଶ୍ୱରଙ୍କର ବରାଦ୍‌ । ହଁ.....ଚଳେଇବାର ଢଙ୍ଗରୁ ଜଣାପଡ଼ୁଛି ନିଶ୍ଚୟ ଜଣେ ଦକ୍ଷ ଇନ୍‌ସପେକ୍ଟର । ନିର୍ଭୀକ ଚିତ୍ତରେ ଆଶୀର୍ବାଦୀ ହୋଇ ବାହାରିପଡ଼ିଛି । ଖୁବ ଶୀଘ୍ର ଗାଡ଼ିର ବାହାର ଆଗର ନମ୍ବର ପ୍ଳେଟକୁ ସମସ୍ତ ଶକ୍ତି ସଂଞ୍ଚୟ କରି ଉପରକୁ ଟାଣି ବଙ୍କା କରିଦେଲେ । ଗାଡ଼ିରେ ବସିପଡ଼ିଲେ । ଏଥର ପାଖେଇ ଆସିଲା ଆଲୁଅଟା । ବୀରେନ୍ଦ୍ର ସେଲ୍‌ଫ ଉପରେ ହାତ ରଖିଲେ—ଷ୍ଟାର୍ଟ କଲେ...ବାସ୍‌ ଆହୁରି ପାଖେଇଲା ଆଲୁଅ...କଡ଼କୁ ଆସିବା ଆରମ୍ଭ କଲାଣି ସେ....ଗିଅର ପକେଇ କ୍ଳଚ୍‌ ଏକ୍‌ସଲେଟର ଉପରେ ଚାପଦେଇ ପ୍ରସ୍ତୁତ ରହିଲେ ବୀରେନ୍ଦ୍ର......ଏଥର ଆଲୁଅଟା ତାର ଯେତିକି ପଡ଼ିବ ବୀରେନ୍ଦ୍ର ଙ୍କ ଗାଡ଼ି ଉପରେ, ସେଇ ଆଲୋକରେ ସେ ଦେଖିଦେଇ ପାରିବେ ଗାଡ଼ିର ରଙ୍ଗ.....ରେଡ଼ି......ଷ୍ଟାର୍ଟ..... ।

 

ଆଃ......

 

ଏକ ଅବ୍ୟକ୍ତ ଚିତ୍କାର ବାହାରିପଡ଼ିଲା ବୀରେନ୍ଦ୍ରଙ୍କ ମୁହଁରୁ । କ’ଣ ହେଲା...ଏ ଶବ୍ଦଟା କିଛି ବୁଝିପାରିଲେନି । ଢାଏ କରି ଶବ୍ଦଟା ହେଲା । କୋଉଠି ମାଡ଼ ବାଜିଲା କ’ଣ ବାଜିଲା ନିଜକୁ ଟିକେ ସାଷ୍ଟାମ କରି ପଛକୁ ଚାହିଁଲେ । କାହିଁ ? ମଟରସାଇକେଲ ଶବ୍ଦ କୁଆଡ଼ୁ ଆସୁଛି କିନ୍ତୁ...ପଛରେ ଲାଇଟ୍‌ କାହିଁ ? ତାଙ୍କୁ ଜଣାପଡ଼ିଲା ଗାଡ଼ିଟା କେମିତି କ’ଣ ହୋଇଯାଇଛି । ବାହାରକୁ ବାହାରିଲେ ଧୈର୍ଯ୍ୟ ସଞ୍ଚୟକରି ଯାହା ଦେଖିଲେ ତାଙ୍କର ମୁଣ୍ଡ ଆହୁରି ଝିମ୍‌ ଝିମ୍‌ ହୋଇଉଠିଲା । ମଟରସାଇକେଲ୍‌ଟି ଅଦୂରରେ ପଡ଼ିଛି । ଏପର୍ଯ୍ୟନ୍ତ ମଧ୍ୟ ଷ୍ଟାର୍ଟ ଅଛି । ଆଉ ଚକା ଘୂରି ଚାଲିଛି । ଆରୋହୀଟି ଆହୁରି ଦୂରକୁ କୋଉଠି ପଡ଼ିଛି କି କଣ ଦେଖା ଯାଉନାହିଁ ।

 

ବୀରେନ୍ଦ୍ରଙ୍କର ଆଉ ବୁଝିବାକୁ ବାକି ରହିଲା ନାହିଁ । ଗାଡ଼ିଟା ଷ୍ଟାର୍ଟ କରି ସେ ଆଗେଇ ନେଲାବେଳେ ହୁଏତ ଡାହାଣକୁ ଖୁବ୍‌ ମାଡ଼ିଯାଇ ଅସାବଧାନତାରୁ ପିଟି ହୋଇଛି ମଟର ସାଇକଲ୍‌ଟିରେ । କିନ୍ତୁ କାହିଁକି ? ବୀରେନ୍ଦ୍ର କଣ ସତରେ ଭୁଲ୍‍ ଚଳେଇଥିଲେ ? ନାଁ’ ତ ଗାଡ଼ି ଚଳେଇବାରେ ତାଙ୍କର ଭୁଲ୍‍ ହବାର ନାହିଁ । ନଇଁପଡ଼ି ସେ ଦେଖିଲେ ଆଗଚକା ଭିତରୁ ଡାହାଣପଟ ଚକଟା କେମିତି କଣା ହୋଇଯାଇଛି । ଟାୟାରଟା ପ୍ରାୟ ତଳେ ଲାଗିଛି । ବୀରେନ୍ଦ୍ର ଜାଣିପାରି ନାହାନ୍ତି । ହଠାତ୍‌ ଜୋରରେ ଚଳେଇ ନେଲାବେଳକୁ ଡାହାଣକୁ ମୋଡ଼ି ଟାଣି ନେଇଛି ଗାଡ଼ିଟା ।

 

ଧିରେ ଧିରେ ତାଙ୍କର ମଥା କେମିତି ନଇଁ ଆସୁଥିଲା, ଝିମ୍‌ ଝିମ୍‌ କରି ଚାରିଆଡ଼ କଳା ଘୋଟି ଆସୁଥିଲା । ଗାଡ଼ିର ବନେଟ ଉପରେ ସେ ହାତଥୋଇ ସାହାରା ଖଷାଜୁଥିଲେ ଯେମିତି । ପଲକରେ ତାଙ୍କର ଚେତନା ଫେରିଆସିଲା, କି ଭୁଲ୍‍ କରିଛନ୍ତି ସେ ? ବର୍ତ୍ତମାନ ନିଶ୍ୱାସ ମାରିବାକୁ ସମୟ ନାହିଁ । କାଳ ବିଳୟ ନକରି ଆଗେଇଲେ ଦେଖିବାକୁ ପୁଲିସ୍‌ କର୍ମଚାରୀଟିର ଅବସ୍ଥା । ବେଶ୍‌ ଦୂରକୁ ଛିଟ୍‌କି ପଡ଼ିଛି ଦେହଟା । ପାଖକୁ ଗଲେ, ମନଟା କିନ୍ତୁ ତାଙ୍କର ସେତେବେଳକୁ ବେଶ୍‌ ତିକ୍ତ ହୋଇଉଠିଲାଣି । ନାଃ...ଯାହା ହବାର ହବ । ଆତ୍ମସମର୍ପଣ କରିବେ ।

 

ଇସ୍‌ ! ଏ କ’ଣ ? କାହାଁନ୍ତି ପୋଲିସ୍‌ ହାକିମ ? ଇଏତ ଜଣେ ଶିଖ୍‌ ଯୁବକ ଭଳି ମନେହୁଏ । ବେଶ୍‌ ସାଧା ପୋଷାକ, ମୁହଁରେ ଘଞ୍ଚଦାଢ଼ି । ମୁଣ୍ଡରେ ପଗଡ଼ି । ନିଶ୍ଚୟ ହୋସ ନାହିଁ । ଆହୁରି ନିକଟକୁ ଯାଇ ଦେଖିଲେ—ଆଘାତ ଭୀଷଣ । କଡ଼େଇ କରି ପଡ଼ିଛି ଯୁବକଟି । ବଡ଼ପଥର ଦିହରେ ପିଟି ହୋଇ ମୁଣ୍ଡରୁ କେତେ ରକ୍ତ ଯାଇଛି କହିବା ସମ୍ଭବ ନୁହେଁ । ତଥାପି ପରିସ୍ଥିତିରୁ ଜଣାପଡ଼େ ଆଉ ବୋଧହୁଏ ସେ ବଞ୍ଚିବ ନାହିଁ । ବୀରେନ୍ଦ୍ର ସେ ଯୁବକର ନାକ ପାଖରେ ହାତ ଦେଲେ । ଅତିକ୍ଷୀଣ ସେ ନିଶ୍ୱାସ ପ୍ରଶ୍ୱାସ । ଏଥର କ’ଣ ଜବାବ ଦେବେ ବୀରେନ୍ଦ୍ର ? ଏଥିପାଇଁ ମଧ୍ୟ ସେ ଦାୟୀ ନୁହଁନ୍ତି ? ନାଁ ଆଉ ଭାବିବା ପାଇଁ ସମୟ ନାହିଁ । ତାଙ୍କୁ ଖୁବ୍‌ ଶୀଘ୍ର ଏ ମାନସିକ ଦୁର୍ବଳତାକୁ ବିଦାୟ ଦବାକୁ ପଡ଼ିବ । ଏ ସ୍ଥାନରୁ ବି ବିଦାୟ ନବାକୁ ପଡ଼ିବ । କିନ୍ତୁ କାହିଁକି ଏପରି ହେଲା ? ତାଙ୍କର ଗାଡ଼ି ଚଳେଇବାରେ ସତରେ କ’ଣ ଭୁଲ୍‍ ରହିଗଲା ? ଏତେଟା ଭ୍ରମ ବୀରେନ୍ଦ୍ରଙ୍କ ପାଖରେ କଣ ସମ୍ଭବ ? ବାଡ଼ି ଉପରେ ନଜର ପଡ଼ିଲା ତାଙ୍କର । ନାଁ’ତ ଗାଡ଼ି ଠିକ୍‌ ଅଛି । ତେଣୁ ତାଙ୍କର ପଳେଇବା ଉଚିତ୍‌ ।

 

ଗାଡ଼ି ଭିତରେ ବସି ଷ୍ଟାର୍ଟ କରି ଆଗକୁ ଆଗେଇଲା ବେଳେ ଗାଡ଼ିଟା ଟାଣିଲା । ବୀରେନ୍ଦ୍ର ପୁଣି ବାହାରକୁ ଆସିଲେ । ମନେପଡ଼ିଲା ଡାହାଣ ପାଖ ଚକାଟା ନିସ୍ତେଜ ହୋଇପଡ଼ିଛି । ଆଉ ଯିବା ପାଇଁ ଇଚ୍ଛୁକ ନୁହେଁ । ବର୍ତ୍ତମାନ ବୀରେନ୍ଦ୍ର ବୁଝିଲେ—ମୋଡ଼ ବୁଲିଲା ପରେ ବୋଧହୁଏ ଚକାଟା କଣା ହୋଇଯାଇଛି । ଆଉ ଯୋଉ କେତେ ସମୟ ମଟର ସାଇକେଲଟିକୁ ସେ ଅପେକ୍ଷା କରୁଥିଲେ ତାରି ଭିତରେ ଗାଡ଼ିଟା ଚାଲିବା ଅବସ୍ଥାରେ ନଥିଲା । ମଟର ସାଇକେଲ ପାଖେଇ ଆସିବା ବେଳକୁ ଏକାଥରେ ବେଗର ସହିତ ଗାଡ଼ିଟାକୁ ଆଗେଇ ନବାବେଳେ ଗାଡ଼ିଟା ଆଗକୁ ଡାହାଣପଟେ ଟାଣିହୋଇ ପିଟି ହୋଇଛି ତା’ ସାଙ୍ଗରେ ।

 

ବାସ୍‌, ବୀରେନ୍ଦ୍ରଙ୍କର ଦ୍ୱିଧା କ୍ରମେ କଟି ଆସୁଥାଏ । ସେ ଆଗେଇବା ଉଚିତ । ସମବେଦନା ଜଣେଇ ପୁଣି ଜଣେ ମରିବାକୁ ଯାଉଥିବା ବ୍ୟକ୍ତିକୁ ଡାକ୍ତରଖାନାକୁ ନବାର ଆଦର୍ଶ ଦେଖେଇ ନିଜକୁ ବିପଦାପନ୍ନ କରିପାରିବେ ନାହିଁ । ଏ ପୃଥିବୀର ପ୍ରତ୍ୟେକଟି ବସ୍ତୁ ଅସତ ଉପରେ ଉପସ୍ଥାପିତ । ଏ ସୃଷ୍ଟିର ଆରମ୍ଭ—ଆଦାମ୍‌ ଆଉ ଇଭଙ୍କର ଅସଦାଚରଣ ଯୋଗୁ । ତେଣୁ ଆଦର୍ଶ ପୁରୁଷ ହବା ଦରକାର ନାହିଁ । ତାଙ୍କ ଛାତି ଭିତରୁ ଯେଉଁ ପ୍ରବୃତ୍ତି ଚିତ୍କାର କରୁଛି ଯେ ସେ ନିର୍ଦ୍ଦୋଷ, ବୀରେନ୍ଦ୍ର ତାରି କଥା ହିଁ ମାନିବେ । ସେ ଆଗେଇବେ, ଗାଡ଼ିର ଚକା ବଦଳାଇବାର ସମୟ ଆଉ ହୁଏତ ନାହିଁ । ସେ ପର୍ଯ୍ୟନ୍ତ ମଟର ସାଇକଲର ଷ୍ଟାର୍ଟ ବନ୍ଦ ହୋଇନାହିଁ ।

 

ପଲକରେ ମଟର ସାଇକଲ ପାଖକୁ ଆଗେଇଲେ ବୀରେନ୍ଦ୍ର । ଉଠେଇ ଠିଆ କରି ପରୀକ୍ଷା କଲେ । ଦେଖିଲେ ଗାଡ଼ିର ଆରୋହୀ ସିନା ବିକ୍ଷତ ହେଲେ ବିଶ୍ୱସ୍ଥ ଗାଡ଼ିଟି ସମ୍ପୂର୍ଣ୍ଣ ଅକ୍ଷତ-। ଏଇଟା ମଧ୍ୟ ପ୍ରଭୁଙ୍କର ଆଶୀର୍ବାଦ ଭଳି ମନେହେଲା ବୀରେନ୍ଦ୍ରଙ୍କୁ । କେଇଟି ମୁହୂର୍ତ୍ତ ମଧ୍ୟରେ ଏକ ଦକ୍ଷ ପଳାତକଭଳି ନିଜର ଦରକାରୀ ବ୍ରିଫକେସ୍‍ଟି ଗାଡ଼ିରୁ କାଢ଼ି ଆଣିଲେ । ଦୃଷ୍ଟିପଡ଼ିଲା ମଟର-ସାଇକେଲ୍‌ରେ ସେଇ ପ୍ରକାର ଛୋଟ ବାକ୍‌ସାଟିଏ ସାଙ୍ଗେ ସାଙ୍ଗେ ତାକୁ ଖୋଲି ଦେଖିଲେ-। ବୀରେନ୍ଦ୍ର ଆଶ୍ଚର୍ଯ୍ୟ ହେଲେ—ଯଥେଷ୍ଟ ଟଙ୍କା ତା ଭିତରେ । ବେଶ୍‌ ବିଡ଼ା କେଇଟା, ନିଶ୍ଚୟ ପଚିଶହଜାର ପାଖାପାଖି ହବ । ବ୍ୟକ୍ତିଟି ନିଶ୍ଚୟ କୌଣସି ବ୍ୟବସାୟୀ । ଏତେ ରାତିରେ ଏତେଗୁଡ଼ାଏ ଟଙ୍କା ସାଙ୍ଗରେ ନେଇ ଯିବା ଆଉକାହା ପକ୍ଷରେ ସମ୍ଭବ ନୁହେଁ । ଏବଂ ଏହା ମଧ୍ୟ ନିଶ୍ଚିତ ଯେ ସେ ଖୁବ୍‌ ପାଖର ଲୋକ ଏବଂ ପାଖକୁ ଯାଉଥିଲା ଏ ରାତିରେ ।

 

ବୀରେନ୍ଦ୍ର କିଛି ବିଚାର କରିବା ପୂର୍ବରୁ ତାଙ୍କର ହାତ ଦୁଇଟି ଯେମିତି ଅବାଧ୍ୟ ଭାବରେ ନିଜ ବାକ୍‌ସ ଭିତରେ ସେ ଟଙ୍କା ବିଡ଼ାକୁ ରଖି ସାରିଥିଲେ । ଆଉ ଥରେ ସେ ଲୋକଟି ପାଖକୁ ବୀରେନ୍ଦ୍ର ଆଗେଇଲେ ।

 

‘ଜାଣେନା ବନ୍ଧୁ ! ତମେ ମୃତ ବା ଜୀବିତ । ତଥାପି ମୁଁ ନାଚାର । ଭଗବାନଙ୍କର ଅଭିପ୍ରେତ ଭଳି ତମେ ଆସି ମତେ ସାହାଯ୍ୟ କରିଛ । ଏ ପ୍ରକାର ଦୋଷ ପାଇଁ ମୁଁ ତମଠାରୁ କ୍ଷମା ପ୍ରାର୍ଥନା କରୁଛି । ଯଦି ପ୍ରକୃତରେ ତମେ ବଞ୍ଚିରୁହ ତେବେ ମୃତ୍ୟୁ ପୂର୍ବରୁ ନିଶ୍ଚୟ ଦେଖାକରି ସବୁ ସ୍ୱୀକାର କରିବାର ପ୍ରତିଶ୍ରୁତି ଦେଲି । ତମ ମଟର ସାଇକେଲ୍‌ ବଦଳରେ ମୋ ମଟରଗାଡ଼ିଟି ଦେଇଗଲି । ଆଉ ଟଙ୍କା...... ! ସେଗୁଡ଼ା ଅନ୍ୟ କୋଉ ଲୋକ ହାତରେ ପଡ଼ିଥାନ୍ତା ମୁଁ ନେଇଯାଇଛି । କଡ଼ାଗଣ୍ତା ହିସାବ କରି ଫେରେଇ ଦେବି । କେବଳ ଗୋଟିଏ ଅବଶୋଷ ବୀରେନ୍ଦ୍ର ମାନସିଂ ଆଜି ପ୍ରଥମଥର ପାଇଁ ନିଃସହାୟ ଅବସ୍ଥାରେ ଜଣକୁ ଦେଖି ସାହାଯ୍ୟ ନକରି ଛାଡ଼ିଯାଉଛି-। ସେଥିପାଇଁ ସେ ନୁହେଁ ତାର ପରିସ୍ଥିତି ହିଁ ଦାୟୀ, ସେତିକି ତ୍ରୁଟି ପାଇଁ ତାକୁ କ୍ଷମା ଦିଅ ।’

 

ଏଇତକ କଥା ନିଜର ଉତ୍ତପ୍ତ ନିଃଶ୍ୱାସରେ ପ୍ରକାଶ କରି ବୀରେନ୍ଦ୍ର ମଟରସାଇକେଲ୍‌ଟି ଧରି ଆଗକୁ ଆଗେଇଲେ । ହଠାତ୍‌ ତାଙ୍କ ମନକୁ ଆସିଲା—ନାଃ...ତେବେ ସେ ବୀରେନ୍ଦ୍ର ମାନସିଂ ନୁହଁନ୍ତି । ଯଦି ଖେଳ ଆରମ୍ଭକଲେ ତେବେ ଖେଳାଳୀର ଗୌରବ ନନେବେ କାହିଁକି ?

 

ମାତ୍ର କେଇଟି ସେକେଣ୍ଡରେ ବ୍ୟବଧାନରେ ବୀରେନ୍ଦ୍ର ମାନସିଂହ ପୋଷାକ ବଦଳିଗଲା-। ବେଶର ପରିପାଟୀ ମଧ୍ୟ । ସେଇ ଶିଖ ଯୁବକଟିର ଖସିପଡ଼ିଥିବା ପଗଡ଼ିକୁ ମୁଣ୍ଡରେ ଦେଇ ନିଜର ଦାଢ଼ି ସ୍ଥାନରେ ମଧ୍ୟ ପଗଡ଼ିର କିଛି ଅଂଶ ଗୁଡ଼େଇ ଦେଲେ—ସେତେକି ପବନରୁ ରକ୍ଷା ପାଇବାକୁ ମୁହଁରେ ଗୁଡ଼ା ହୋଇଛି ପଗଡ଼ିଟା । ଆରମ୍ଭ ହେଲା ଅଭିଯାନ । ବୀରେନ୍ଦ୍ର ମାନସିଂ ହସିଲେ । କେବଳ ବୀରେନ୍ଦ୍ର ମାନସିଂ ହସିଲେ ନାହିଁ ଉପରେ ଚତୁର୍ଦ୍ଦଶୀର ଜହ୍ନ ହସିଲା-। ସେଇ ଦାନ୍ତନିକୁଟା ହସ—ପରିବେଶ ଓ ପରିସ୍ଥିତି ।

 

ଏଇଟାକୁ ମିଶେଇ ସାତକପ୍‌ ହୋଇଗଲା । ଆଉ ଅଳ୍ପ ସମୟ ପରେ ମଧ୍ୟାହ୍ନ ଅତିକ୍ରମ କରିଯିବ । ଚା’ ଖାଇବା ଏଯାକେ ଶେଷ ହେଲାନାହିଁ । ନିତ୍ୟକର୍ମ ସାରିବାପରେ ସିନା କେବଳ ଖାଇବା କଥା ଚିନ୍ତା କରାଯାଇପାରେ ।

 

‘ପଚାରୁନାଁ କହିଁକି—ଏତେବେଳେ ଯାକେ ଚା’ ପିଉଛନ୍ତି । କାମ ସାରିଲେ ଖାଇବା କଥା— । ଏତେବେଳେ ହେଲାଣି ।’

 

‘ତମ ଭାଇ, ତମେ ପଚାରୁନାଁ, ମୁଁ କାହିଁକି ପଚାରିବି ?’

 

‘ଆହା, ମୋର ଭାଇ । ତମର ଆଉ କିଛି ନୁହେଁ ।’

 

‘ସେ ହିସାବଟା କ’ର କହିବି ?’

 

‘ତମର ତ କେତେ ହିସାବ ଅଛି । କାହିଁକି ତୁମକୁ କହିବି ।’

 

‘ଖାଉଚି ଚା’ ଖାଉ କେତେ ଖାଇବ । ତମ ହାତ ତିଆରି ଚା’ଟା ଭଲ ଲାଗେ ଯେ, ଦେଖ ନାହିଁ ମୁଁ କେମିତି କପେ ଖାଇବାଲୋକ ବେଳେ ବେଳେ ଦି’କପ ଖାଇଦିଏ । ସେମିତି ଭାବରେ ତା’ର ସାତ କପ୍‌ ହେଲାଣି । ଆଉ ମଧ୍ୟ ଖାଇପାରେ ।’

 

ଗାୟତ୍ରୀ ଆଉ ବଢ଼ିଲେ ନାହିଁ । ଏମିତି ଦେଖିବାକୁ ପ୍ରଶାନ୍ତ ଖୁବ୍‌ ଗମ୍ଭୀର । ରସିକତା କରିବାକୁ ଥରେ ଯଦି ତାଙ୍କ ମୁହଁ ଖୋଲିଛି ତେବେ ସେଇଟା ସହଜରେ ବନ୍ଦ ହୁଏନାହିଁ । ତେଣୁ ସେ କଥା ସେତିକିରେ ଶେଷକରି ଗାୟତ୍ରୀ ନିଜେ ଗଲେ ।

 

ଦାଣ୍ଡଘରେ ବୀରେନ୍ଦ୍ର ବସିଛନ୍ତି । ଗାୟତ୍ରୀ ଦେଖିଲେ—ବହୁତ ଥଣ୍ଡା ହୋଇଯିବଣି । ମୁଣ୍ଡକୁ ଉପରକୁ ଟେକି ଆଖି ବନ୍ଦ କରି ବସିଛନ୍ତି ଗାୟତ୍ରୀ ବସିଲେ । ରାତି ଅନିଦ୍ରା ବେଶ ବାଧିଛି ବୋଧହୁଏ ।

 

‘କ’ଣ ଚା’ ଖାଇନାଁ ଏ ଯାକେ । ଥଣ୍ଡା ହେଇଗଲାଣି ।’

 

‘ଏଁ...ହଁ, ସେଥିପାଇଁ ଖାଇନାହିଁ । ତୁ ଦେଲାବେଳକୁ ଟିକେ ଥଣ୍ଡା ହୋଇ ଯାଇଥିଲା ।’

 

‘ନାଁ, ମୁଁ ଖୁବ୍‌ ଚରମ କରି ଦେଇଥିଲି ।’

 

‘ହଁ ଦେଇଥିଲୁ ଯେ । ତା’ ଉପରେ ସରଗୁଡ଼ାକ ବହୁତ ବେଶୀ ପଡ଼ିଛି । ଜଣାପଡ଼ୁଛି ଯେମିତି ଏଇଟା ଚା’ କପ୍‌ ନୁହେଁ ଦୁଧ କପ୍‌ ।’

 

‘ମୁଁ ତ ଜାଣିକରି ଦେଇଥିଲି । ଉପରେ ସର ପଡ଼ିଲେ ତମେ ଖାଇବାକୁ ଭଲ ପାଅ ।’

 

‘ଠିକ୍‌ ଯେ ବର୍ତ୍ତମାନ ଟିକେ କଡ଼ା ଚା’ ଦରକାର କରୁଥିଲି । ଏଇଟା ରଙ୍ଗରୁ ଜଣା ପଡ଼ୁଛି ଯେମିତି ବହୁତ୍‌ ହାଲ୍‌କା ହୋଇଛି । ଆଉଥରେ ଟିକେ ଲିକର ଦେଇ ଗରମ କରି ଦେ’ତ ।

 

ଊଠିଲେ ଗାୟତ୍ରୀ ଚା’ କପ୍‌ଟା ଧରି ।

 

କିଏ କହୁଥିଲା ରାତି ଅଧରେ ଏତେବାଟ ଗାଡ଼ି ଚଲେଇ ଆସିବାକୁ, ପୁଣି ମଟର ସାଇକେଲ । ଜୀବନଟା ସାରା ଗାଡ଼ି ଧରି ବୁଲିବା ଲୋକ, ହଠାତ୍‌ ମଟର ସାଇକେଲ ଧରି.... ।

 

କଥା ଅଧାରଖି ଭଉଣୀର ଅଭିମାନ ନେଇ ଭିତରକୁ ଗଲେ ଗାୟତ୍ରୀ । ଚା’ଟା ଶୀଘ୍ର ଗରମ କରି ଆଣିବେ । ଏଇଥରକ ନ ଖାଇଲେ ଗାଧୁଆ ପାଧୁଆ କରିବାକୁ ଉଠିବେନି ବୀରେନ୍ଦ୍ର ।

 

ସକାଳୁ ସକାଳୁ ବୀରେନ୍ଦ୍ରଙ୍କୁ ଅତିଥି ଭାବରେ ପାଇ ପ୍ରଶାନ୍ତ ଆଉ ଗାୟତ୍ରୀ ଅନେକ ଖୁସୀ । ଏଭଳି ପାହାଡ଼ିଆ ଯାଗାରେ ସେମାନେ ଅଛନ୍ତି, ମାନଚିତ୍ରର କେଉଁ କଣକୁ । ଏଠିକି ଜଣେ କୁଣିଆ ଆସିବାଟା କୋଟିନିଧି ପରି ଲାଗେ । । ବିଶେଷ କରି ବୀରେନ୍ଦ୍ର ଆସିଛନ୍ତି । ଦୁହିଁଙ୍କର ଜୀବନରେ ବୀରେନ୍ଦ୍ରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

 

ପ୍ରଶାନ୍ତ ବୀରେନ୍ଦ୍ରଙ୍କ ସହପାଠୀ । କଲେଜରେ ଏକାଠି ପଢ଼ିଲାବେଳେ ଦୁହିଁଙ୍କ ମଧ୍ୟରେ ଅନ୍ତରିକତା ବଢ଼େ । ମୂଳରୁ ପ୍ରଶାନ୍ତ ଲକ୍ଷ୍ୟ କରିଛନ୍ତି ବୀରେନ୍ଦ୍ର ପାଠପଢ଼ାକୁ ଗୋଟାଏ ସଉକ୍‌ ଭାବରେ ନେଇଛନ୍ତି । କିନ୍ତୁ ପ୍ରଶାନ୍ତଙ୍କ ପକ୍ଷରେ ସେଇଟା ସମ୍ଭବ ନୁହେଁ । ନିଜର ଭବିଷ୍ୟତ ପାଇଁ ପାଠଟାହିଁ ପ୍ରଶାନ୍ତଙ୍କର ଏକମାତ୍ର ସଞ୍ଚୟ । ହଠାତ୍‌ ଦିନେ ବୀରେନ୍ଦ୍ର ଆବିଷ୍କାର କରନ୍ତି ଶ୍ରେଣୀର କୃତୀଛାତ୍ର ପ୍ରଶାନ୍ତ କେମିତି କେଜାଣି ଭାଙ୍ଗିପଡ଼ୁଛି । ପାଠପଢ଼ା ପାଇଁ ବିତସ୍ପୃହ ହୋଇଉଠୁଛି । ଯେତେବେଳେ ସେ କାରଣଟା ଜାଣିଲେ ତାଙ୍କର ଆଶ୍ଚର୍ଯ୍ୟ ସୀମା ରହିଲା ନାହିଁ । ଦୁଇବର୍ଷ ଜୁନିଅର ଛାତ୍ରୀ ଜଣକୁ କେମିତି କେଜାଣି ପ୍ରଶାନ୍ତ ଭଲପାଇ ବସିଛି । ପୋଷ୍ଟ ଗ୍ରାଜୁଏଟ କ୍ଲାସ୍‍ର ଛାତ୍ର ପ୍ରଶାନ୍ତ ଆଉ ସେଇ ଏକା ବିଷୟରେ ଅନର୍ସ ଥିବା ଛାତ୍ରୀଟି ସହିତ ଡିପାର୍ଟମେଣ୍ଟର ସେମିନାରରେ ସାମାନ୍ୟ ଆଳାପ ଆଲୋଚନା..... ।

 

ଏଭଳି ଏକ ଖେୟାଲକୁ ଅନାବଶ୍ୟକ ବୋଲି ଘୋଷଣା କରିବାର ସୁଯୋଗ ନବା ଆଗରୁ ବୀରେନ୍ଦ୍ର ଦେଖିଲେ ବିଳମ୍ବ ହୋଇଯାଇଛି । ପ୍ରଶାନ୍ତ ବେଶ୍‌ ନିଷ୍ଠାର ସହିତ ସେ ମାନସୀଟି ସମ୍ପର୍କରେ ଚିନ୍ତା କରିବା ଆରମ୍ଭ କରିଛି । ଏବଂ କେବଳ ଚିନ୍ତା ନୁହେଁ ବରଂ କିଛି ଗୋଟାଏ କାଣ୍ଡ ଘଟେଇବା ସୁଯୋଗ ଅପେକ୍ଷାରେ ନିଜକୁ ପ୍ରସ୍ତୁତ କରୁଛି । ହୁଏତ ଜୀବନ ସାରା ଦାଢ଼ି ଛାଡ଼ିଦବ, ଅନ୍ୟମନସ୍କ ଭାବରେ କଲେଜ ଆସିବ ଅତବା ଚେଷ୍ଟା କରି ବର୍ଷେ ଫେଲ ହୋଇ ଯାଇ ‘ଝରୁଚି’ ବୋଲି ପରୋକ୍ଷରେ ଘୋଷଣା କରିବ ।

 

ବନ୍ଧୁକୁ ସିଧାସଳଖ ସାହାଯ୍ୟ କରିବାକୁ ଯାଇ ବୀରେନ୍ଦ୍ର ଯେଉଁ ଯେଉଁ ଭୂମିକାରେ ଅବତୀର୍ଣ୍ଣ ହେଲେ ତା ଭିତରୁ ପ୍ରେମପତ୍ର ଲେଖକ ଅନ୍ୟତମ । କଥାର ଚାତୁରୀକୁ ନିଖୁଣ ଭାବରେ କାଳି କାଗଜରେ ରୂପ ଦେଲେ ବୀରେନ୍ଦ୍ର—କେବଳ ପ୍ରଶାନ୍ତଙ୍କ ପାଇଁ । ସାମାନ୍ୟ ଆଲୋକ ଦେଖାଗଲା । ତାକୁ ହିଁ ଆଶାକରି ଆହୁରି ଉଚ୍ଛ୍ୱସ ଦେଇ ନିଜକୁ ପ୍ରଶାନ୍ତ ସ୍ଥାନରେ ରଖି ପତ୍ର ଲେଖିଲେ । ଶେଷରେ ତାଙ୍କର ନିଷ୍ଠା ଆଉ ତ୍ୟାଗର ବିଜୟ ହେଲା । ମାନସପ୍ରତିମ ତରଳିଲେ । ମାନସରୁ ବାସ୍ତବକୁ ଆସିଲେ । ଦୁହିଁଙ୍କ ଭିତରେ ଆଳାପ ପ୍ରେମାଳାପକୁ ବଢ଼ିଲା । ବୀରେନ୍ଦ୍ର ଭାବିଲେ ଏଇଠି ବୋଧହୁଏ ତାଙ୍କ ଭୂମିକା ଶେଷ ହୋଇଛି । ଏଥର ତାଙ୍କ କଥା ସିଏ ବୁଝିବେ । କିନ୍ତୁ କଥାଟା ସମ୍ପୂର୍ଣ୍ଣ ବିପରୀତ ହେଲା ।

 

ଘଣ୍ଟା ଘଣ୍ଟାଧରି କଥା ଭାଷା ପରେ ମଧ୍ୟ ଫେରି ପୁଣି କାଳିକାଗଜାରେ ପୃଷ୍ଠା କରି ଲେଖି ପ୍ରଶାନ୍ତଙ୍କର ଦବା ଦରକାର ପଡ଼ିଲା । ଏ କାମଟା କିନ୍ତୁ ବୀରେନ୍ଦ୍ରଙ୍କୁ ସାମାନ୍ୟ କଷ୍ଟ ଲାଗେ । କ’ଣ କ’ଣ ସେମାନେ କଥାଭାଷା ହେଲେ ସେତକ ବିଶଦ ଭାବରେ ପ୍ରଶାନ୍ତ କହିବେ ନାହିଁ । କିନ୍ତୁ ସବୁକଥା ମନକୁ ବୁଝିଯାଇ ସେଇ ଆବେଗକୁ ରକ୍ଷାକରି ବୀରେନ୍ଦ୍ରଙ୍କୁ ଚିଠି ଲେଖିବାକୁ ପଡ଼ିଲା । ସେପଟରୁ ମଧ୍ୟ ଯୋଉ ଚିଠି ଆସେ ସେଥିରୁ କେଇଧାଡ଼ି କେବଳ ପଢ଼ି ଯାହା ଶୁଣେଇ ଦିଅନ୍ତି ପ୍ରଶାନ୍ତ । ଉତ୍ତର ଲେଖିବା ପାଇଁ ତାହା ଯଥେଷ୍ଟ ନୁହେଁ ନିଶ୍ଚୟ । ତଥାପି ବୀରେନ୍ଦ୍ର ଏ ଆହ୍ୱାନକୁ ସମ୍ମୁଖ କଲେ ଏବଂ ଶେଷରେ ତାଙ୍କର ହିଁ ବିଜୟ ହେଲା । ଦୁହେଁ ବିବାହ କରିବାକୁ ମନସ୍ଥ କଲେ । ଏମ୍‌. ଏ. ପାସ୍‌ କରି ସାରିବା ପରେ ପରେ ଅସ୍ଥାୟୀ ଭାବରେ ନିଯୁକ୍ତି ପାଇବା ମାତ୍ରେ ହିଁ ପ୍ରଶାନ୍ତ ଆଉ ପ୍ରେମିକ ବିବାହ କରିବାକୁ ସମ୍ମତ ହେବାରୁ ବୀରେନ୍ଦ୍ରଙ୍କୁ ବେଶ୍‌ କିଛି ଆର୍ଥିକ ସାହାଯ୍ୟ ଦବାକୁ ମଧ୍ୟ ପଡ଼ିଥିଲା ।

 

ଯେଉଁଦିନ କିନ୍ତୁ ବୀରେନ୍ଦ୍ର ଯାଇ ଗାଁରେ ନିଜ ଘରେ ଆବିଷ୍କାର କଲେ ଯେ ସଦ୍ୟ ମାତ୍ର ସେହି କନ୍ୟା ପିତାଙ୍କ ତରଫରୁ ତାଙ୍କ ଘରକୁ ନିମନ୍ତ୍ରଣ ପତ୍ର ସହିତ, ହଳଦୀ ଲଗା ଗୁଆ ମଧ୍ୟ ବାରିକ ନେଇ ଆସିଛି, ଏବଂ ବୀରେନ୍ଦ୍ରଙ୍କୁ ହୁଏତ ଅନେକେ ବେଭାର ନେଇ, ଗାଡ଼ି ନେଇ, ଗାଡ଼ି ନେଇ ଯିବାକୁ ପଡ଼ିବ ତାଙ୍କର ମୁହଁ ଝିମ୍‌ ଝିମ୍‌ ହେଲା । ସେତେବେଳେ ସେ ଜାଣିଲେ କନ୍ୟାଟି ଆଉ କେହି ନୁହେଁ । ତାଙ୍କର ଦେଶ ନିକଟ ସମ୍ପର୍କୀୟା ଭଉଣୀ । ତା’ରି ମୁହଁକୁ କଳ୍ପନା କରି ପ୍ରଶାନ୍ତଙ୍କ ପାଇଁ କେତେ ଚିଠି ଆଉ କ’ଣ ସେ ନ ଲେଖିଛନ୍ତି । ଖାଲି ସେତିକି ମନ ଭିତରେ ଥରେ ଦୋହରେଇ ନେଲେ ।

 

ସେ ଭଉଣୀ ଆଉ କେହତ ନୁହେଁ, ଏଇ ଗାୟତ୍ରୀ । ପ୍ରଶାନ୍ତର ପ୍ରେମିକା । ତେଣୁ ପ୍ରଶାନ୍ତର ଘରେ ବୀରେନ୍ଦ୍ରଙ୍କ ଭୂମିକା କେବଳ ପ୍ରଶାନ୍ତଙ୍କ ବନ୍ଧୁ ନୁହେଁ ବା ଶାଳକ ନୁହେଁ, ଗାୟତ୍ରୀଙ୍କ ଭାଇ ନୁହଁ, ଦୁହିଁଙ୍କ ଅତୁଟ ପ୍ରେମ ସ୍ତମ୍ଭର ରାଜମିସ୍ତ୍ରୀ । ସେଇ ବୀରେନ୍ଦ୍ର ଆଜି ଅତିଥି ପ୍ରଶାନ୍ତ ଆଉ ଗାୟତ୍ରୀଙ୍କର । ଗାୟତ୍ରୀଙ୍କର ଗୋଡ଼ ତଳେ ଲାଗୁନାହିଁ ।

 

ଚା’ ତିଆରି କଲାବେଳେ ନିଜକୁ ପ୍ରସ୍ତୁତ କରୁଛନ୍ତି ଗାୟତ୍ରୀ, ଯେ କୌଣସିମତେ ଭାଇଙ୍କୁ ଅଟେକେଇ—ଅତି କମ୍‌ରେ ଦୁଇ ଦିନ । ଆସୁ ଆସୁ କହିଛନ୍ତି ଆଜି ଚାଲିଯିବେ । ଅସମ୍ଭଭ, ସକାଳୁ ଇଏ ପଚାରିଲେ—କିରେ ! ତୋର ହଠାତ୍‌ ମଟର ସାଇକେଲ୍‌ ଧରି ପରିଭ୍ରମଣ କରିବାର ଉଦ୍ଦେଶ୍ୟଟା କ’ଣ ବୁଝିପାରିଲି ନାହିଁ ତ । ଉତ୍ତରରେ କହିଲେ ଯେ ପେଟ୍ରୋଲର ଦରଦାମ୍‌ ଯାହା ହେଲାଣି ଗାଡ଼ି ଛାଡ଼ିଦବାକୁ ପଡ଼ିବ । ଓଃ ଉତ୍ତର ଦବାରେ ତ ଦିହେଁ ଦିହିଁଙ୍କୁ ବଳି । ଦି’ ସାଙ୍ଗ କିଏ କାହାକୁ କମ୍‌ ନୁହଁ, ସତେ ଯଦି ଏମିତି ପେଟ୍ରୋଲ ଉପରେ ଦୃଷ୍ଟି ତେବେ ସକାଳୁ ବଡ଼ପୁଅ ଯାଇ ତେଲ ଚାବି ଖୋଲାଥିଲା ବନ୍ଦ୍‌ କରିଛି । ରାସ୍ତାଯାକ ତେଲ । ଆସିବା ବେଳଠାରୁ ନିଗିଡ଼ି ଚାଲିଛି ।

 

ଗାୟତ୍ରୀ ଚା’ ନେଇ ଆସିଲେ । ଚଞ୍ଚଳ ନିତ୍ୟକର୍ମ ସାରି ପ୍ରସ୍ତୁତ ହବାକୁ କହିଲେ । ପ୍ରଶାନ୍ତ ସାଙ୍ଗରେ ଖାଇବେ ବୋଲି ଅପେକ୍ଷା କରିଛନ୍ତି । ଖାଇବା ପିଇବା କାମ ତୁଟିଗଲେ ତିନିହେଁ ବସି ଆଲୋଚନା କରିବେ । ହୁଏତ ବୁଲିଯିବେ କିଛିବାଟ ଯାକେ ।

 

‘କ’ଣ ଏତେ ଭାବୁଚ ଭାଇ ?’

 

‘ନାଇଁ ଭାବୁଥିଲି—ସବୁ ଜିଲ୍ଲାର ଅଳ୍ପେ ବହୁତେ ଉନ୍ନତି ହେଲା କିନ୍ତୁ ଏଇ ଜିଲ୍ଲାଟାର କିଛି ହେଲାନାହିଁ, ସେମିତି ମାଳ ଆଦିବାସୀ ଅଞ୍ଚଳ ହେଇ ରହିଗଲା ।’

 

‘ଯୁଆଡ଼େ ଦେଖ ଖାଲି ପାହାଡ଼ । ଆମେମାନେ ତ ସହର ବଜାର ଭୁଲି ଗଲୁଣି । ଏଇଟା ଜିଲ୍ଲାର ହେଡ଼୍‌କ୍ୱଟର । ହେଲେ ଏଠି ସିନେମା ବୋଲି ନାହିଁ, ଥିଏଟର ବୋଲି ନାହିଁ ।

 

‘ଖୁବ ଭଲ, ବୁଝିଲୁ ! ପିଲାଗୁଡାକ ତୋର ପାହାଡ଼ ଭଳି ନିଦା ହେବେ ଆଉ ଆଦିବାସୀମାନଙ୍କ ଭଳି ସରଳ, ଶାନ୍ତ ଆଉ ସୁଖୀ ହେବେ ।’

 

ଖଣ୍ଡେ କାଗଜରେ ଲେଖିଲେ ଔଷଧର ନାଁ । ଚା’ ଶେଷ କରି ଖାଲି କପ୍‌ ଆଉ ସେ କାଗଜ ଖଣ୍ଡକ ବଢ଼େଇ ଦେଲେ ଗାୟତ୍ରୀଙ୍କ ହାତକୁ ।

 

‘ନେ ଏ ଔଷଧରୁ ଦି’ଟା ମଗେଇ ଦେ । ମୋର ଟିକେ; ନିଦହବା ଦରକାର । ମୁଁ କାମଦାମ ସାରେ । ଖାଇ ସାରିଲା ପରେ ୟାକୁ ଖାଇ ଶୋଇପଡ଼ିବି ।’

 

ଗାୟତ୍ରୀ ଭାଇଙ୍କ ମୁହଁକୁ ଚାହିଁ ଦେଖିଲେ ପ୍ରକୃତରେ ଆଖି ଦୁଇଟା ଶେତା ଦେଖାଯାଉଛି । ଶୋଇ ପଡ଼ିଲେ ମଧ୍ୟ ଭଲ । ଆଜି ଯୋଉ ପଳେଇବେ ବୋଲି କହୁଥିଲେ ସେଇଟା ହବନାହିଁ । କଥାଭାଷା ଆଉ ବୁଲିବା କାଲିକି ରଖାଯାଇପାରେ ।

 

ବୀରେନ୍ଦ୍ର ବେଶ୍‌ ଚିନ୍ତାକର ବର୍ତ୍ତମାନ ପାଇଁ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ମୁଣ୍ଡଟା ତାଙ୍କର ଯେମିତି ଆଉ କିଛି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଜୋରକରି ତାଙ୍କୁ କେଇଟି ଘଣ୍ଟା ବିଶ୍ରାମ କରିବାକୁ ପଡ଼ିବ ଏବଂ ତାରି ଭିତରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ସେ ସିଦ୍ଧାନ୍ତ ଗ୍ରହଣ କରିବେ.... !

 

ନିଦ ଭାଙ୍ଗିଲାବେଳକୁ ଛଅଟା ବାଜିଗଲାଣି, କାହିଁକି କେମିତି ଗୋଟାଏ ଚମକ ଖେଳିଗଲା ବୀରେନ୍ଦ୍ରଙ୍କ ମନରେ । ଏତେ ସମୟ ତାଙ୍କର ଶୋଇପଡ଼ିବା ଠିକ ହୋଇନାହିଁ । ବର୍ତ୍ତମାନ ପ୍ରତିଟି ମୁହୂର୍ତ୍ତ ତାଙ୍କର ଅଶେଷ ମୂଲ୍ୟବାନ । କାଲି ଦିନ ଗୋଟାଏ ବେଳୁ ପ୍ରାୟ ଶୋଇଛନ୍ତି । ବର୍ତ୍ତମାନ ସକାଳ ଛଅଟା ବାଜିଗଲା ୟା’ ଭିତରେ । କେବଳ ରାତିରେ ଘଣ୍ଟାକ ପାଇଁ ଉଠିଥିଲେ ଖାଇବାକୁ । ସେ ଭିତରେ ନିଦ ବାଉଳାରେ ଯାହାକିଛି କଥାବାର୍ତ୍ତା । ବିଶେଷ କିଛି ମନେନାହିଁ ବୀରେନ୍ଦ୍ରଙ୍କର । କେବଳ ଏତିକି ମନେଅଛି ପ୍ରଶାନ୍ତ ପ୍ରଶ୍ନ କରୁଥିଲେ—କାହିଁକି ମଟର ସାଇକେଲ୍‌ରେ ଏତେବାଟ ଏମିତି ଆସିବା ଦରକାର ପଡ଼ିଲା । ବୀରେନ୍ଦ୍ର ଏଇ କଥାର ଏକ ସଂକ୍ଷିପ୍ତ ଉତ୍ତର ଦେଇଛନ୍ତି । ପୁଅ ତାଙ୍କର ଆଉ କେଇଟା ମାସ ପରେ କଲେଜରେ ନାଁ ଲେଖେଇବ । ଦେଖିବା ପାଇଁ ସିନା ଏଡ଼େ ବଡ଼ ଦେଖାଯାଉଛି ହେଲେ ଜମ୍ମା ସତରବର୍ଷ । ଜମିଦାରୀ ଘର ବୋଲି ବୀରେନ୍ଦ୍ର କଲେଜ ଛାଡ଼ିବା ପୂର୍ବରୁ ବାହାହୋଇ ପଡ଼ିଥିଲେ । ଚାକିରି ପାଇଁ ଅପେକ୍ଷା କରିବାକୁ ପଡ଼ିନାହିଁ ଏଯାକେ ତାଙ୍କୁ । ସେଇ ଜମିଦାରୀ ପୁଅର ଖିଆଲ ଭିତରେ ମଧ୍ୟ ଅଛି । କଲେଜଟା ଘରଠାରୁ ପ୍ରାୟ ଚାରି କିଲୋମିଟର ଦୂର । ମା’ଙ୍କର ଇଚ୍ଛା, ପୁଅ ସାଇକଲ ଠେଲି ଠେଲି ଏତେବାଟ ଯାଇ ପାଠ ପଢ଼ି ପାରିବେନି । ପୁଅଙ୍କର ଶେଷ ବାଣୀ—ନିଜର ରିକ୍‌ସା କିଣା ହୋଇ କେବଳ ତାଙ୍କ କଲେଜ ଯିବାପାଇଁ ମହଜୁଦ୍‌ ରହିଲେ ବି ସେ ଗାଁ ରାସ୍ତାରେ ଧକଡ଼ ଧକଡ଼ ହୋଇ ରିକ୍‌ସାରେ ବସି ଯାଇପାରିବେ ନାହିଁ । ପ୍ରାଣ ବାହାରି ଗଲେବି ସ୍କୁଟର ଚଢ଼ିବେନି, କାରଣ ସେଇଟା ଝିଅ ପିଲାଙ୍କ ଗାଡ଼ି । ଆପାତତଃ ଏ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି କାର୍‌ଟା ସବୁଦିନେ ନେଇକରି ଯିବ ଏବଂ ନେଇକରି ଆସିବ । ସେଥିରେ ମଧ୍ୟ ଯଥେଷ୍ଟ ବିପଦ । ଡ୍ରାଇଭରକୁ ଧମକେଇ ବାବୁ ବାଟରେ ଗାଡ଼ି ଚଳେଇ ନେବେ । ଏ ପାଖରେ ବୀରେନ୍ଦ୍ରଙ୍କର ପଚାଶ ଆଡ଼େ ପଚାଶ କାମ । ତେଣୁ ସବୁ ସମସ୍ୟାର ସମାଧାନ ପାଇଁ ଗୋଟିଏ ମଟର ସାଇକେଲ ପାଇଁ ଚିନ୍ତା କରୁଥିଲେ । ଜଣେ ଆସି ତାର ଏଇ ମଟର ସାଇକେଲ୍‌ଟା ବିକିବା କଥା ଉଠେଇଲା, ବୀରେନ୍ଦ୍ର ତାକୁ କହିଛନ୍ତି—ଯଦି କିଛି ପଇସା ଖର୍ଚ୍ଚ ନକରି ଖାଲି ତେଲ ପକେଇ ସେ ହଜାରେ କିଲୋମିଟର ବୁଲି ଆସିବେ—ତା’ ଭିତରେ ଗାଡ଼ି କିଛି ଟ୍ରବ୍‌ଲ୍‌ ଦବନାହିଁ ତେବେ ସେ ଯାହା କହିବ ସେଇ ଦାମ୍‌ରେ କିଣି ନେବେ ।

 

ଏଇ କଥାରେ ଅବଶ୍ୟ ଗାୟତ୍ରୀ ପ୍ରତିବାଦ କଲେ । ଏତେ ସାନ ପିଲାଟାକୁ ବଡ଼ ଗାଡ଼ିଟା ନଦବା ଭଲ । କିନ୍ତୁ ବୀରେନ୍ଦ୍ର ନିଜର ଅସହାୟତା ପ୍ରକାଶ କରିଛନ୍ତି । ଆଉ ଏତେ ଆଗରୁ କିଣିବାର କାରଣ ହେଲା ଏହାରି ଭିତରେ ସେ ନିଜେ ପୁଅକୁ ମଟର ସାଇକେଲ୍‌ ଚଢ଼ିବା ତାଲିମ୍‌ ଦେବେ ।

 

ପ୍ରଶାନ୍ତି ଆଉ ଗାୟତ୍ରୀ ବିଶ୍ୱାସ କରିଛନ୍ତି । ନକରି ଉପାୟ ନାହିଁ । ସେମାନେ ମଧ୍ୟ ଜାଣନ୍ତି ବୀରେନ୍ଦ୍ର ଆଉ ପୁଷ୍ପିତାଙ୍କର ନିଟୋଳ ଭଲ ପାଇବା । ପୁଷ୍ପିତା ସମସ୍ତ ତ୍ୟାଗକୁ ଟପିଯାଇ ଶେଷରେ ବାହାରେ ବାହାରେ ଚାକିରି କରି ରହିବା ସିଦ୍ଧାନ୍ତ ନେଇଛନ୍ତି—କେବଳ ବୀରେନ୍ଦ୍ରଙ୍କର ସାନ୍ନିଧ୍ୟ ଟିକେ ପାଇଁ । ବୀରେନ୍ଦ୍ର ତାଙ୍କ ପାଖକୁ ନ ଯାଇ ରହିପାରିବେ ନାହିଁ । ଗାଡ଼ିଟା ନିଶ୍ଚୟ ତାଙ୍କରି ତେଣୁ ଦରକାର ।

 

ଏମିତି ମାମୁଲି କଥାଭାଷା କେତୋଟି ପରେ ବୀରେନ୍ଦ୍ର ପୁଣି ଶୋଇଯାଇଛନ୍ତି ଆଜି ସକାଳ ପର୍ଯ୍ୟନ୍ତ । ଏତିକି ଭାବିଲା ବେଳେ ମୁଣ୍ଡ ଉପରେ ତାଙ୍କର ଗୋଟାଏ କ’ଣ ଖସିପଡ଼ିଲା । ଚମକିପଡ଼ି ଦେଖନ୍ତି ତ ଖବରକାଗଜ । ଝରକାବାଟେ ହକର ବୋଧହୁଏ ଗଳେଇ ଦେଇଯାଏ । ଏଠି ବାହାର ଘରେ କେହି ଶୁଅନ୍ତି ନାହିଁ ବୋଲି ସେ ଜାଣିଛି । ଆଜି କିନ୍ତୁ ଜଣେ ଅତିଥି ଶୋଇଛନ୍ତି ବୋଲି ସେ ଧାରଣା କରିବ କାହିଁକି ? କାଗଜଟା ଟାଣି ନେଇ ବୀରେନ୍ଦ୍ର ଆଖି ପକେଇବା ମାତ୍ରେ ସାପକୁ ଦେଖିଲା ଭଳି ଚମକି ପଡ଼ିଲେ । କାଗଜର ପ୍ରଥମ ପୃଷ୍ଠାରେ ବାହାରିଛି—ଦୁଇଟି ଅଦ୍‌ଭୁତ ହତ୍ୟାକାଣ୍ଡ ଘଟେଇ ଆତତାୟୀ ଫେରାର । ଅଧିକା ଧାଡ଼ିଟିଏ ପଢ଼ି ବୀରେନ୍ଦ୍ର ଆଉ ପଢ଼ିବାପାଇଁ ଧୈର୍ଯ୍ୟ ରଖି ପାରିଲେ ନାହିଁ । ଜୀବନ ବିକଳରେ କାଗଜଟାକୁ ମୋଡ଼ିମାଡ଼ି ନିଜ ବାକ୍‌ସ ଭିତରେ ପୂରେଇ ଦେଲେ । ବର୍ତ୍ତମାନ ହୁଏତ ପ୍ରଶାନ୍ତ ଜାଣିବେ, ଗାୟତ୍ରୀ ଜାଣିବେ ଆଉ ସାରା ବସ୍ତିଟା ଜାଣିବେ । ଯେଉଁମାନେ କାଲି ଗାୟତ୍ରୀଙ୍କୁ ଖୁସିହବା ଦେଖି ଯାଇଛନ୍ତି ସେଇ ଭାଇ ତାଙ୍କର କ’ଣ...... ! ନାଁ, ଏଠି ଆଉ ମିନିଟ୍‌ ଗୋଟାଏ ସୁଦ୍ଧା ନୁହେଁ ।

 

ସାତଟା ବାଜିବାଆଗରୁ ସବୁ ନିତ୍ୟକର୍ମ ସାରି ଯେତେବେଳେ ବୀରେନ୍ଦ୍ର ବାହାରିଲେ ଗାୟତ୍ରୀ କେବଳ ଆଶ୍ଚର୍ଯ୍ୟ ହେଲେ ନାହିଁ ବ୍ୟଥିକ ହେଲେ । କିନ୍ତୁ ଭାଇଙ୍କ ପ୍ରକୃତି ସେ ଜାଣନ୍ତି । ବାହାରିଲେଣି । ଇନ୍ଦ୍ରରାଜ ମଧ୍ୟ ବଜ୍ର ପଠେଇ ତାଙ୍କୁ ଅଟକେଇବା ସମ୍ଭବ ନୁହେଁ । ଭଲକରି ଗାଧୋଇ ପାରିଲେନି ବୋଲି ଦୁଃଖ ପ୍ରକାଶ କଲେ ଗାୟତ୍ରୀ କିନ୍ତୁ ବୀରେନ୍ଦ୍ର ଭାବୁଥାନ୍ତି ଆଉ ହୁଏତ କେବେ ଏମିତି ଭଲ ଭାବରେ ଗାଧୋଇବାକୁ ଟିକେ ମିଳିବ ସେ କଥା ମଧ୍ୟ ସେ ଜାଣିନାହାନ୍ତି । ଯାହା ସମ୍ଭବ ଜଳଖିଆ ଟିକେ ବାଢ଼ିଦେଇ ଆଶ୍ୱସ୍ତ ହେଲେ ଗାୟତ୍ରୀ । ବୀରେନ୍ଦ୍ର ମଧ୍ୟ ବିନା ଆପତ୍ତିରେ ଖାଇ ଦେଇ ବାହାରିଲେ ।

 

ପ୍ରଶାନ୍ତ ଆଉ ଗାୟତ୍ରୀଙ୍କଠାରୁ ବିଦାୟ ନେଲାପରେ ବୀରେନ୍ଦ୍ର ନିଜେ ମଧ୍ୟ ହଠାତ୍‌ ଠିକ୍‌ କରି ପାରିଲେନି କୁଆଡ଼େ ଯିବେ । କୁଆଡ଼େ ଗାଡ଼ିଟାକୁ ଆଗେଇବେ । ପ୍ରଥମେ ଆଗ ତାଙ୍କ କୋଉଠି ଗାଡ଼ିଟା ଠିଆ କରି ଖବରକାଗଜଟା ପଢ଼ିବାକୁ ପଡ଼ିବ । ଏଭଳି ଏକ ସମ୍ବାଦ ସତେ କ’ଣ କେବେହେଲେ ବାହାରିପାରେ ? ତାଙ୍କର ଦେଖିବାରେ ଆଉ ଭ୍ରମ ହୋଇନାହିଁ ତା ? କିନ୍ତୁ କୋଉଠି ପଢ଼ିବେ ? ଯାହା ହେଲେବି ସୁଦ୍ଧା ଏଇଠାରୁ ବେଶ୍‌ କିଛିଦୂର ତାଙ୍କୁ ଆଗେଇ ଯିବାକୁ ପଡ଼ିବ । ଏବଂ ଖୁବ୍‌ ଶୀଘ୍ର, କାରଣ କିଏ ଜାଣେ ପ୍ରଶାନ୍ତ ଅଭ୍ୟାସବଶତଃ ଖବରକାଗଜ ପଢ଼ିବାକୁ ଖୋଜିବେଣି । ନିଜ ଖବରକାଗଜ ନଦେଖି ପୁଅକୁ ପାଖର କାହା ଘରକୁ ପଚାରିବାକୁ ପଠାଉଥିବେ-। ଆଉ ଟିକେ ପରେ ପୁଅକୁ ତାଙ୍କ ଘରୁ କାଗଜଟା ଆଣି ଆସିବ, ତା’ପରେ.... ?

 

ଅଣନିଃଶ୍ୱାସୀ ହୋଇ ବୀରେନ୍ଦ୍ର ମଟର ସାଇକେଲଟିକୁ ବେଶ ଦୂରକୁ ଆଗେଇ ନବାକୁ ଚାହିଁଲେ । ରାସ୍ତାକଡ଼ର ମାଇଲ ଖମ୍ବକୁ ଚାହିଁଲେ । ୟାଭିତରେ ସେ ପ୍ରାୟ କୋଡ଼ିଏ କିଲୋମିଟର ପଛରେ ଛାଡ଼ିଦେଇ ଆସିଲେଣି ଗାୟତ୍ରୀ ଓ ପ୍ରଶାନ୍ତଙ୍କୁ, ଆଉ କିଛିବାଟ ଆଗେଇ ଯିବାଟା ଭଲ ।

 

ଛୋଟ ଦୋକାନଟିଏ । ପାନଦୋକାନ ବା ଚା’ ଦୋକାନ କିମ୍ବା ମନୋହରୀ ଦୋକାନ କିଛି ସେଇଟାକୁ କହି ହବନାହିଁ । ରାସ୍ତାକଡ଼ର କାଠ କ୍ୟାବିନ୍‌ଟିଏ । ନିଶ୍ଚୟ ଏଇ ପାଖରେ ଭିତରକୁ–କୋଉ ଗାଁକୁ ରାସ୍ତା ଅଛି ବୋଧହୁଏ । ସେମାନଙ୍କ ଉପରେ ଏ ଦୋକାନଟି ଭରସା କରେ-। ଗୁଡ଼ାଖୁ, ସିଲଟଖଡ଼ି, ପିଲାଙ୍କ ଖେଳ ଘଣ୍ଟାଠାରୁ ଆରମ୍ଭକରି ପାନ, ଚା’, ମୁଣ୍ଡଫିତା, ଲୁଗାଧୁଆ ସାବୁନ୍‌ ପର୍ଯ୍ୟନ୍ତ । ବୀରେନ୍ଦ୍ର ଭାବିଲେ ଏଇଟାହିଁ ଉପଯୁକ୍ତ ସ୍ଥାନ । ଚା’ ଖାଇବା ବାହାନାରେ ଏଇଠି ବସି କାଗଜଟା ଭଲକରି ପଢ଼ିଦିଆ ଯାଇପାରେ ।

 

ଏ ପ୍ରକାର ଜଣେ ଗରାଖ ସେ ପ୍ରକାର ଦୋକାନରେ ଅଟକିବେ ଦୋକାନୀ ବିଶ୍ୱାସକରି ପାରିଲା ନାହିଁ । ଚା’ଟା ଦବାପାଇଁ ଆଗ ସେ କେଟ୍‌ଲୀରୁ ଧୋଇବା ଆରମ୍ଭ କଲା ।

 

ବ୍ରିଫ୍‌କେସ୍‍ରୁ ଖବରକାଗଜଟା ବାହାରକଲେ ବୀରେନ୍ଦ୍ର, ଆଖିମଳି ପଢ଼ିବା ଆରମ୍ଭ କଲେ । ସବୁ ସେ ଠିକ୍‌ ପଢ଼ୁଛନ୍ତି ତ.... ? ପ୍ରଥମ ପୃଷ୍ଠାରେ ବାହାରିଛି ଦୁଇଟି ଅଦ୍‌ଭୁତ ହତ୍ୟାକାଣ୍ଡ ଘଟେଇ ଆତତାୟୀ ଫେରାର । ହାତ ଥରିଉଠିଲା ବୀରେନ୍ଦ୍ରଙ୍କର । ନିଜର ମନର ଭାବକୁ ବାହାରୁ ଜଣାନପଡ଼ିବା ଭଳି ଦମ୍ଭ ସଞ୍ଚୟ କଲେ । ତା’ପରେ ପଢ଼ିଲେ—

 

‘ପୋଲିସ ହାତରେ ଧରାଦେଇ ମଧ୍ୟ ଆତତାୟୀ ଚମ୍ପଟ । ଦକ୍ଷ ପୋଲିସ ଅଫିସର କିଶୋର ଦାସ ଆତତାୟୀ ପଛରେ ସଦଳବଳେ ଅନୁସରଣ କରି ଆତତାୟୀର ଗାଡ଼ି ଏବଂ ଆଉ ଗୋଟିଏ ଆହତ ଦେହ ଆବିଷ୍କାର କରିଛନ୍ତି ।’ ହେଡ଼୍‌ଲାଇନ୍‌ ସରିଗଲା ।

 

ପୁରା ଖବରଟା ପଢ଼ିବା ଆଗରୁ ବୀରେନ୍ଦ୍ର ଆଉଥରେ ନିଜକୁ ଦେଖିନେଲେ ଓ ନିଜ ଘଡ଼ିକୁ ଚାହିଁଲେ । ଚା’ଟା ତିଆରି ହବାକୁ ଆହୁରି ଡେରି ଅଛି । ଗିଲାସଟା ମଧ୍ୟ ଗରମ ପାଣିରେ ଧୋଇବାର ବ୍ୟବସ୍ଥା କରୁଛି ସେ । ଖବରକାଗଜ ଉପରୁ ଆଖି ଫେରେଇଲେ । ଥରଟାଏ ପୁରା ପଢ଼ିଗଲେ । ପୁଣି ଆହୁରି ଥରେ ପୁରା ସମ୍ବାଦଟା ପଡ଼ିଗଲା ବେଳକୁ ଚା’ ବଢ଼େଇଲା । ଚା’ ଖାଉ ଖାଉ ସମ୍ବାଦର ସାରାଂଶ ଯାହା ତାଙ୍କର ମନେରହିଲା—ଦୋହରାଇ ନେଲେ ।

 

ପ୍ରକାଶିତ ସମ୍ବାଦ ଅନୁଯାୟୀ—ଗାଡ଼ିଟା ଯେମିତି ପ୍ରଧାନ ରାସ୍ତାକୁ ଆସିଲା, ଡିଉଟିରେ ଥିବା ପହରାଦାରର ସନ୍ଦେହ ହେଲା । ସାଙ୍ଗେ ସାଙ୍ଗେ ଗାଡ଼ିଟାକୁ ସେ ଅଟକେଇ ଦେଲା । ଗାଡ଼ି ପଛ ସିଟ୍‌ରେ ଜଣେ ନାରୀ ଶୋଇଥିଲେ ମଧ୍ୟ ଦେହରେ ଲୁଗାପଟା ନଥିଲା । ଏକାଥିଲା କନଷ୍ଟେବଳ ଜଣକ—ତେଣୁ ଚାଲାଖି କରି ପାଖରେ ଡାକ୍ତରଖାନା ଅଛି କହିଦେଇ ଇ୍‍ନସପେକ୍ଟରଙ୍କ ଖବର ଦେଲା । ଡିଉଟିରେ ଥିବା ଡାକ୍ତର ଓ ଇନ୍‌ସପେକ୍ଟରଙ୍କର ଅକ୍ଳାନ୍ତ ପରିଶ୍ରମ ପରେ ମଧ୍ୟ ସେ ନାରୀ ବଞ୍ଚିବା ସମ୍ଭବ ହେଲା ନାହିଁ । ଇନ୍‌ସପେକ୍ଟର ଦାସ ତାଙ୍କୁ ପିସ୍ତଲ ଦେଖେଇ ଆନୁଷ୍ଠାନିକ ଡାକ୍ତରୀ ପରୀକ୍ଷା କରିବା ପାଇଁ ବାଧ୍ୟ କରିଥିଲେ ଏବଂ ଡାକ୍ତରଙ୍କ ରିପୋର୍ଟରୁ ମଧ୍ୟ ସୁଦକ୍ଷ ପୋଲିସ ଅଫିସରଙ୍କର ସନ୍ଦେହ ସତ୍ୟ ପ୍ରମାଣିତ ହେଲା । ଏହି ସମୟରେ ସେ ନାରୀ ଜଣଙ୍କର ସାମାନ୍ୟ ଚେତା ଆସିବା ସମ୍ବାଦ ପାଇ ଉଭୟ ତା’ଠାରୁ ମୃତ୍ୟୁକାଳୀନ ଜମାନବନ୍ଦୀ ନବାକୁ ପ୍ରସ୍ତୁତ ହବା ଭିତରେ ଲୋକଟି ଗାଡ଼ିଧରି ଖସି ପଳେଇଲା । ତାଙ୍କୁ ଜଗି ରହିଥିବା ଜଣେ ପୋଲିସ ହାବିଲଦାରଙ୍କ ସହିତ ବେଶ୍‌ ସମୟ ଧସ୍ତାଧସ୍ତି ହୋଇଥିଲା ।

 

କେବଳ ସେତିକି ନୁହେଁ ତାଙ୍କର ପଳେଇବା ଦେଖି ଇନ୍‌ସପେକ୍ଟର ସଦଳବଳେ ତାଙ୍କର ପିଛା କରିଥିଲେ । କିନ୍ତୁ ସେ ବ୍ୟକ୍ତି ତାଙ୍କର ଲକ୍ଷ୍ୟସ୍ଥାନକୁ ନଯାଇ ଅନ୍ୟ ଏକ ରାସ୍ତାରେ ପଳେଇବା ବେଳେ ବାଟରେ ଆଉ ଜଣେ ଶିଖ୍‌ଯୁବକ ମଟର-ସାଇକେଲ୍‌ରେ ଆସୁଥିଲେ । ତାଙ୍କୁ ଅଟକେଇ ତାଙ୍କ ସହିତ ଧସ୍ତାଧସ୍ତି କରି ତାଙ୍କୁ କ୍ଷତବିକ୍ଷତ କରିଦେଇ ତା’ର ସମସ୍ତ ଟଙ୍କା ନେଇ ଆତ୍ମଗୋପନ କରିବାକୁ ନିଜ ଗାଡ଼ି ଛାଡ଼ିଦେଇ ମଟର ସାଇକେଲ୍‍ଟି ନେଇ ପଳେଇ ଯାଇଛି........ ।

 

ଚା’ର ଶେଷ ଢୋକଟା ନେଇ ବୀରେନ୍ଦ୍ର ଶେଷ କେଇଟି ଧାଡ଼ି ଉପରେ ଆଖି ପକେଇଲେ । ଏ ସମ୍ପର୍କରେ ବହୁତଥ୍ୟ ଲୋକଲୋଚନକୁ ଆସିପାରେ । ତେଣୁ ଆସନ୍ତା କାଲିଠାରୁ ଏ ସମ୍ପର୍କରେ ଦୈନିକ ବିବରଣୀ ପ୍ରକାଶ ପାଇବ । ଏବଂ ପରେ ପରେ ଏ ମାମଲାର ଅନ୍ୟତମ ନାୟିକା ଅଧ୍ୟାପିକା ପୁଷ୍ପିତା ପଟ୍ଟନାୟକଙ୍କ ଜମାନବନ୍ଦୀ ପ୍ରକାଶିତ ହବ । ପ୍ରକାଶ ଥାଉ କି ପୋଲିସ୍‌ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି ଯେ ଆତତାୟୀ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ସୀମା ଭିତରେ ଅଛି-। ତେଣୁ ରାଜ୍ୟର ସମସ୍ତ ଅନୁସନ୍ଧାନ ଶକ୍ତିକୁ ଏଥିପାଇଁ ନିଯୁକ୍ତ କରାଯାଇଛି ବହୁ ଶୀଘ୍ର ଏ ତଦନ୍ତର ଫଳାଫଳ ଜଣାପଡ଼ିବ ।

 

ହସିଲେ ବୀରେନ୍ଦ୍ର । ଏତେ ଦୁଃଖ ଭିତରେ ମଧ୍ୟ ତାଙ୍କ ମୁହଁରେ ବ୍ୟଙ୍ଗସୂଚକ ସାମାନ୍ୟ ହସ ପ୍ରକଟିତ ହେଲା । ଗାଡ଼ିଟା ସତରେ ସେ ନେଇ ପଳେଇ ଯାଉଥିଲେ ଆଉ ସୁଦକ୍ଷ ପୁଲିସ୍‍ ଅଫିସରଙ୍କର ବୁଦ୍ଧିମାନ ପହରାଦାର ବୀରେନ୍ଦ୍ରଙ୍କର ଗାଡ଼ିକୁ ଅଟେକେଇ ଦେଲା ? ପଳେଇ ଆସିଲାବେଳେ ଧସ୍ତାଧସ୍ତି.... ? ତା’ପରେ ମଟର ସାଇକେଲ୍‌..... ? ଏସକୁ ମଧ୍ୟ ଏଡ଼େ ଦୁଃଖଦାୟକ ହୋଇନଥାନ୍ତା ଯଦି ବୀରେନ୍ଦ୍ରଙ୍କ ନାମ ପ୍ରକାଶିତ ହୋଇନଥାନ୍ତା । ଇନ୍‍ସପେକ୍ଟର କିଶୋର ଦାସ ଅତି ଭଲ ଭାବରେ ବୀରେନ୍ଦ୍ର ମାନସିଂ ଓ ତାଙ୍କ ପରିବାରକୁ ଚିହ୍ନନ୍ତି ବୋଲି ସେ ସମ୍ପର୍କରେ ବେଶ୍‌ ଭୂମିକା ସହିତ ସର୍ବଶେଷ ବିବରଣୀ ଉପସ୍ଥାପିତ କରିଛନ୍ତି ।

 

ବେଇମାନ, କୃତଘ୍ନ,...... । ନିଜର ଅତୀତକୁ ଟିକିଏ ଫେରି ଚାହିଁଲା ନାହିଁ । ହଠାତ୍‌ ବୀରେନ୍ଦ୍ର ଭାବିଲେ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଫେରିବେ ଏଇଠୁ । ତା’ପରେ ସେ ପୋଲିସ ଅଫିସରଟାର ଦକ୍ଷତା ପ୍ରମାଣ କରିଦେବେ । ପୁଣି ତାଙ୍କର ହଠାତ୍‌ ମନ ମରିଗଲା । ନାଃ....କାଳେ ଆହୁରି ଅପବାଦ ବଢ଼ିଯିବ । ଗଲାମାତ୍ରେ ତାଙ୍କୁ ଆତ୍ମସମର୍ପଣ କରି ଜେଲକୁ ଯିବାକୁ ପଡ଼ିବ । ତା’ପରେ ଯାହାକିଛି । ବରଂ ଟିକିଏ ଡେରି କରିବେ । ପ୍ରକୃତରେ ଏମିତି ଏକ ଘଟଣା, ନିଶ୍ଚୟ ସମସ୍ତ ପୋଲିସ୍‌ କର୍ତ୍ତୃପକ୍ଷ ନିଜର ବୁଦ୍ଧି ଓ ଦକ୍ଷତା ବିନିଯୋଗ କରି ଚାଲିଥିବେ । ତେଣୁ ବୀରେନ୍ଦ୍ର ଆଶାବାଦୀ ହୋଇ ଉଠିଲେ । ସମସ୍ତେତ ଆଉ କିଶୋର ଭଳି ସୀମିତ ବୁଦ୍ଧି ନେଇ ହାକିମ ହୋଇ ନାହାଁନ୍ତି ବରଂ ରହସ୍ୟର ପରଦା ଉନ୍ମୋଚନ ହେଲାବେଳେ ବୀରେନ୍ଦ୍ର ଆତ୍ମପ୍ରକାଶ କରିବେ ।

 

କିନ୍ତୁ ଏ କ’ଣ ହେଲା ? କାଲି ପୁଷ୍ପଙ୍କର ଜମାନବନ୍ଦୀ ବାହାରିବ ? ତା’ ଅର୍ଥ ଏମାନେ ପୁଷ୍ପଙ୍କ ନିକଟକୁ ଯାଇ ତାଙ୍କୁ ମଧ୍ୟ ହଇରାଣ କରିଥିବେ । ତା’ପରେ ? ସେ ମୁହଁ ଦେଖେଇବେ କେମିତି ? ଯୋଉ ଆଶଙ୍କାକୁ ଦୂର–କରିବାକୁ ଯାଇ ବୀରେନ୍ଦ୍ର ଆଉ ଗୋଟାଏ ଭୁଲ୍‍ କରି ବସିଲେ ଠିକ୍‌ ସେଇଆ ହିଁ ଘଟିଲା । ସମସ୍ତେ ଜାଣିଲେ ଯେ ସେ ପୁଷ୍ପଙ୍କର ଟେଲିଗ୍ରାମ ପାଇ ରାତି ଅଧରେ ଛୁଟି ଚାଲିଥିଲେ । ଅବଶ୍ୟ କେହି ନଜାଣନ୍ତି ବୋଲି ନାହିଁ । ମୁଖ ଲଜ୍ଜାକୁ କଥାଟାକୁ ବଞ୍ଚେଇ ପ୍ରକାଶ କରନ୍ତି । ସାବିତ୍ରୀ କ’ଣ ଭାବିଥିବେ ?

 

ସାବିତ୍ରୀ ! ବୀରେନ୍ଦ୍ରଙ୍କ ଧର୍ମପତ୍ନୀ । ଇହକାଳ ପରକାଳର ସାଥୀ । ଅପରୂପା ସୁନ୍ଦରୀ,ରୂପବତୀ । ବୀରେନ୍ଦ୍ର ପିତା ବୀରେନ୍ଦ୍ରଙ୍କ ବାହାଘର କଥା ଚିନ୍ତାକଲାବେଳେ ଅନେକଗୁଡ଼ି, ସର୍ତ୍ତ ମନ ଭିତରେ ରଖିଥିଲେ, ଯେ କେହି ଜଣେ ହେଲେ ଚଳିବ ନାହିଁ । କେବଳ ଖାନଦାନୀ ପରିବାରର ଝିଅ ହୋଇଥିବା ଦରକାର, ଆଭିଜାତ୍ୟ କ’ଣ ଜାଣିଥିବା ଦରକାର । ଶ୍ୱଶୁର, ସ୍ୱାମୀ, ଦେଢ଼ଶୁର, ଦିଅର ଏକାଠି ଖାଇ ବସିଲେ ମଧ୍ୟ ସେମାନେ କେବେହେଁ ଏକା ନୁହଁନ୍ତି ତେଣୁ ବଡ଼ ମାଛ ତରକାରୀ ବାଢ଼ିଲାବେଳେ ମୁଣ୍ଡଟା ଯେ କେବଳ ଘରର ମୁରବି ଯିଏ ତାକୁହିଁ ବାଢ଼ିବା କଥା, ସେ ଜାଣିଥିବା ଦରକାର । ଗାଁ ଭିତରେ ଯାନି-ଯାତରା ହେଲେ କିମ୍ବା ପୁନିଅଁ ପରବ ହେଲେ ବୋହୂ ଯିବେ ମନ୍ଦିରକୁ । ମାନସିଂ ଘରର ବୋହୂ ବିଜେ କରୁଛନ୍ତି ବୋଲି ହୁରି ପଡ଼ିବା ମାତ୍ରେ ଶହ ଶହ ଲୋକ ଟାକିବସିବେ ଦେଖିବାକୁ । ସେଥିପାଇଁ ଦେଖିଲାଭଳି ବୋହୂଟାଏ ହୋଇଥିବା ଦରକାର । ହାତ ଆଙ୍ଗୁଠିରୁ ହଉ ବା ଗୋଡ଼ ପାଦରୁ ହଉ ରୂପ ସମ୍ପର୍କରେ କଳି ହୋଇଯିବା ଦରକାର ।

 

ଏହି ପ୍ରକାରର ଏକ ଝିଅ ଖୋଜୁ ପାଖାପାଖି ଦୁଇ ବର୍ଷ କଟି ଯାଇଥିଲା । ନହେଲେ ବୀରେନ୍ଦ୍ର ବୋଧହୁଏ ବି: ଏ: ପଢ଼ିଲାବେଳଠୁ ବାହା ହୋଇ ପଡ଼ିଥା’ନ୍ତେ । ସେଇ ସାବିତ୍ରୀ ଅଦ୍ଭୁତ ଭାବରେ ନିଜ ଦିହରେ ଚଳେଇ ନେଇଛନ୍ତି ବୀରେନ୍ଦ୍ରଙ୍କର ଏ ଅଧ୍ୟାୟକୁ । ପ୍ରଥମେ ବେଶ୍‌ କିଛିଦିନ ତାଙ୍କ ଜୀବନରେ ଝଡ଼ ଉଠିଥିଲା ପୁଷ୍ପିତାଙ୍କୁ ନେଇ । କିନ୍ତୁ ପରମୁହୂର୍ତ୍ତିରେ ସେ ବୁଝିପାରିଲେ । ବୀରେନ୍ଦ୍ର ଆଉ ପୁଷ୍ପିତା ଅଭିନ୍ନ ଆତ୍ମା । ସାବିତ୍ରୀଙ୍କର ଶତଚେଷ୍ଟାସତ୍ତ୍ୱ ସେ ଦୁହେଁ ବିଚ୍ଛିନ୍ନ ହୋଇପାରିବେ ନାହିଁ । ବରଂ ସାବିତ୍ରୀ ଦେଖିଲେ ସବୁ ଚେଷ୍ଟା ଫଳରେ ସେ ନିଜର ହିଁ କ୍ଷତି କରୁଛନ୍ତି । ଏ କଳଙ୍କ କାହାରି ଆଗରେ ଉପସ୍ଥାପିତ କରିବାକୁ ଯାଇ ସେ ବୀରେନ୍ଦ୍ର ମାନସିଂଙ୍କୁ କଳଙ୍କିତ କରୁନାହାଁନ୍ତି—କରୁଛନ୍ତି ତାଙ୍କରି ସ୍ୱାମୀ ବୀରେନ୍ଦ୍ରଙ୍କୁ । ତେଣୁ ଚଳେଇ ନବା ଆରମ୍ଭ କଲେ ସାବିତ୍ରୀ ।

 

ବୀରେନ୍ଦ୍ରଙ୍କୁ କେବଳ କିଛିଟା ଅନୁରୋଧ କରିଛନ୍ତି ସେ ।

 

‘ଦେଖ ! ପିଲାମାନେ ଆସ୍ତେଆସ୍ତେ ବଡ଼ ହେବେ । ସେମାନେ ଏ ଦୁର୍ନାମର ଭାଗୀଦାର ଯେମିତି ତ ହୁଅନ୍ତି । ମୁଁ ଚଳେଇ ନେଲି । ମୋ ଜୀବନଟାକୁ ମୁଁ ସାଧନା କରିବାରେ କାଟିଦେବି ବୋଲି ମନସ୍ଥ କରିଛି । ଆଉ ପ୍ରଭୁଙ୍କୁ ଶକ୍ତି ମାଗିଛି । କିନ୍ତୁ ପିଲାମାନଙ୍କ ପ୍ରତି ତମେ ଥରେ ଚାହଁ । କାଲି ସକାଳେ ତାଙ୍କ ଆଡ଼କୁ ଆଙ୍ଗୁଠି ବଢ଼େଇ କେହି ଯେମିତି ନକହୁ....ୟା ବାପା...’

 

ମନେଅଛି ବୀରେନ୍ଦ୍ରଙ୍କର ସେ ମୁହୂର୍ତ୍ତ । ୟା’ପରେ ସାବିତ୍ରୀଙ୍କର ବାକ୍ୟ ପୂରଣ କରିବାକୁ ଆଉକିଛି ଶବ୍ଦ ନଥିଲା । କିନ୍ତୁ ସେଇଦିନଠାରୁ ବୀରେନ୍ଦ୍ରଙ୍କର ମମତା ସାବିତ୍ରୀଙ୍କପାଇଁ ଦ୍ୱିଗୁଣିତ ହୋଇଗଲା । ବେଶିବେଶି ଆକୃଷ୍ଟ ହୋଇଉଠିଲେ ସାବିତ୍ରୀଙ୍କ ପ୍ରତି । ପୁଷ୍ପିତାଙ୍କ ସମ୍ପର୍କରେ କୌଣସି ବିକଳ୍ପ ଚିନ୍ତା କରିବାର ସମ୍ଭାବନା ନାହିଁ । ତଥାପି ପ୍ରତିଟି ଅବସ୍ଥାରେ ସେ ସାବିତ୍ରୀଙ୍କ ପ୍ରତି ଆଗ୍ରହ ପ୍ରଦର୍ଶନ କଲେ । ସେଇ ବୁଝାମଣା ଭିତରେ ସାବିତ୍ରୀ ଯେମିତି ଅନେକ ବୁଝିଯାଇଛନ୍ତି । ଏବଂ ପୁଷ୍ପିତାଙ୍କ ପ୍ରତି ଘୃଣା ପରିବର୍ତ୍ତେ ଦୟା ବଢ଼ିଉଠିଛି ।

 

ଦୀର୍ଘଶ୍ୱାସ ଛାତି ଭିତରୁ ଓଟାରି ହୋଇ ବାହାରି ଆସିଲା ବୀରେନ୍ଦ୍ରଙ୍କର । କ’ଣ ହୋଇଗଲା ? ବର୍ତ୍ତମାନ ଏଇଠାରୁ ସିଧାସଳଖ ଯାଇ ସାବିତ୍ରୀଙ୍କୁ ଜାବୁଡ଼ି ଧରି କହିବେ କି ସାବିତ୍ରୀ-! ମୁଁ ଏସବୁ କିଛି ଜାଣେନା । କିନ୍ତୁ ଲାଭ କ’ଣ ? କାହିଁକି ବିଶ୍ୱାସ କରିବେ ସାବିତ୍ରୀ-? ସେ ଯଦି ପ୍ରଶ୍ନ କରନ୍ତି—ଏତେ ରାତିରେ ହଠାତ୍‌ ଅଧାନିଦରୁ ଉଠିକି ଖବର ପାଇ ବାହାରି ଚାଲିଗଲ, ତେବେ ? ସେ ଯଦି ପ୍ରଶ୍ନ କରନ୍ତି—ପୁଷ୍ପିତା ନିକଟକୁ ଏତେ ରାତିରେ ଉଠି ବାହାରି ଯିବାର କାରଣ-? ସକାଳ ଯାକେ ମଧ୍ୟ ଅପେକ୍ଷା କରାଯାଇ ପାରିଥାନ୍ତା । ତେବେ ଏସବୁ ଘଟଣା ମିଥ୍ୟା ବୋଲି ବୀରେନ୍ଦ୍ର କ’ଣ କହିପାରିବେ ? ଯେତେ ଯାହା କହିଲେ ବି ସାବିତ୍ରୀ କାହିଁକି କ୍ଷମା ଦେବେ ବୀରେନ୍ଦ୍ରଙ୍କୁ ? ପିଲାମାନଙ୍କ ଭବିଷ୍ୟତ ପ୍ରତି ଦୃଷ୍ଟି ଦବାକୁ ଯେଉଁ ଅନୁରୋଧ କରିଛନ୍ତି ସାବିତ୍ରୀ ସେଇତକ ଅନୁରୋଧ ମଧ୍ୟ ବୀରେନ୍ଦ୍ର ରକ୍ଷା କରି ପାରିଲେ ନାହିଁ । ସେ ଫେରିଲାବେଳକୁ ଅତି କମ୍‌ରେ ଶହେ ଜଣ ସେମାନଙ୍କ ବାପାଙ୍କ ସମ୍ପର୍କରେ ପ୍ରଶ୍ନ କରି ସାରିଥିବେ । ସମସ୍ତଙ୍କ ନିକଟରେ ମୁହଁ ଭାଙ୍ଗି ତଳକୁ ଚାହୁଁଥିବେ । ଏଗୁଡ଼ା ମିଛକଥା ବୋଲି ମୁହଁ ଟାଣକରି ଜବାବ୍‌ ଦଉଥିବେ-। ଇସ୍‌-!!

 

ବୀରେନ୍ଦ୍ରଙ୍କ ମନ ବିଷାକ୍ତ ହୋଇଉଠିଲା । ତାଙ୍କର ଇଚ୍ଛା ହେଲା ସର୍କସ୍‌ର ଖେଳାଳୀ ଭଳି ମଟର ସାଇକେଲ୍‌ରେ ବସି ସମ୍ମୁଖରେ ଦେଖା ଯାଉଥିବା ପାହାଡ଼ ଉପରକୁ ଚଢ଼େଇନେଇ ସେପାଖକୁ ଖସି ପଡ଼ିବେ କି ? ନାଃ....ତା ସେ କରିପାରିବେ ନାହିଁ । ସବୁ କଳଙ୍କ ଗ୍ଳାନିକୁ ଏଡ଼େ ସହଜରେ ମାନିନେଇ ସେ ଆତ୍ମହତ୍ୟାକର ପାରିବେ ନାହିଁ । ସମସ୍ତ ପୋଲିସ ଶକ୍ତି ଗୋଇନ୍ଦାବିଭାଗ ସାମର୍ଥ୍ୟ ଖଟେଇ ଅନୁସନ୍ଧାନ ଚଳେଇଛନ୍ତି । ଦିନେ ଠିକ୍‌ ପୂର୍ବ ଗୌରବ ନେଇ ଶିର ଉତ୍ତୋଳନକରି ବୀରେନ୍ଦ୍ର ମାନସିଂ ଆତ୍ମପ୍ରକାଶ କରିବେ । ତେଣୁ ଆପାତତଃ ଆଉ ଦୁଇଚାରିଟା ଦିନ ତାଙ୍କର ଅପେକ୍ଷା କରିବା ଆବଶ୍ୟକ । ଯଦି ଏତେଦୂର ଏ ଖେଳଟା ଗଲାଣି ତେବେ ବୁଦ୍ଧିର ପରୀକ୍ଷା ହେଇଯାଉ ।

 

ପାଞ୍ଚଟଙ୍କିଆ ନେଟ୍‌ ଖଣ୍ଡକ ବଢ଼େଇ ଦେଲାପରେ ଦୋକାନୀ ସାମାନ୍ୟ ଇତସ୍ତତଃ ହେଲା । ଏତେ ସକାଳୁ ପାଞ୍ଚଟଙ୍କାର ଖୁଚୁରା ପାଇବା ସମ୍ପୂର୍ଣ୍ଣ ଅସମ୍ଭବ । ବୀରେନ୍ଦ୍ର ବୁଝିପାରିଲେ ଅସୁବିଧାଟା ।

 

‘ଟଙ୍କାଟା ତମେ ରଖିଥାଅ, ମୁଁ ପୁଣି କାଲିଆଡ଼କୁ ଏଇ ବାଟେ ଫେରିବି । ଏଇଠି ଚା’ ଖାଇବି ।’

 

ଦୋକାନୀଟି ଆଶ୍ଚର୍ଯ୍ୟ ହେଲା । କିଛି ଉତ୍ତର ଦବା ଆଗରୁ ବୀରେନ୍ଦ୍ର ଆଗେଇଲେ ଗାଡ଼ି ପାଖକୁ । ମନରେ ଗୋଟିଏ ପ୍ରଶ୍ନ କୁଆଡ଼େ ଯିବେ ? ଖବରକାଗଜରେ ବାହାରିଥିବ ଧାଡ଼ିଟି ମନେପଡ଼ିଲା । ଆତତାୟୀ ଏ ପର୍ଯ୍ୟନ୍ତ ଓଡ଼ିଶାର ସୀମା ଭିତରେ ଅଛି । ବେଶ୍‌ ତ ! ସେ ଓଡ଼ିଶାର ସୀମା ବାହାରକୁ ହିଁ ଚାଲିଯିବେ । ମଟର ସାଇକେଲ ଆଗେଇଲା । ଅଳ୍ପ କେତେବାଟ ପରେ ଦୂରତ୍ୱ ଦର୍ଶାଉଥିବା ମାଇଲ ଖମ୍ବକୁ ଚାହିଁ ଦେଖିନେଲେ । ମାତ୍ର ଷାଠି, କିଲୋମିଟର ଟପିଗଲେ ଓଡ଼ିଶା ବାହାରକୁ ଚାଲିଯିବେ ବୀରେନ୍ଦ୍ର ।

 

ଦିନ ଆସି ବାରଟା ବାଜିବ । ତଥାପି ସାବିତ୍ରୀ ବାହାରି ନାହାନ୍ତି ଠାକୁର ଘରୁ । କାଲି ରାତିରୁ ଯେକିତି ଲୋକ ଶୁଭାକାଂକ୍ଷୀ ନାମରେ ଆସି ପ୍ରଶ୍ନ କରି ଚାଲିଛନ୍ତି ତା’ର ହିସାବ ନାହିଁ । ଘଟଣାର କିୟଦଂଶ ଶୁଣି ଏକରକମ ପଥର ପାଲଟି ଯାଇଛନ୍ତି ସାବିତ୍ରୀ । ନିଜକୁ ନିଜେ ପ୍ରଶ୍ନକରି ଚାଲିଛନ୍ତି ଏଇଟା ବିଶ୍ୱାସ ଯୋଗ୍ୟ କି ନାଁ ? ବିନିଦ୍ର ରଜନୀ ବିତେଇ ସାରିବା ପରେ ଅତି ପ୍ରତ୍ୟୁଷରୁ ନିତ୍ୟକର୍ମ ସାରି ଠାକୁର ଘର ଭିତରେ ପ୍ରବେଶ କରିଛନ୍ତି । ହୁଏତ ନିର୍ବାକ ଠାକୁରଙ୍କଠାରୁ ସେ ସେହି ଉତ୍ତର ମାଗି ଚାଲିଛନ୍ତି ଅତି ସକାଳୁ । ଦିଅର ନରେନ୍ଦ୍ର କାଲିଠାରୁ ଏ ଖବର ପାଇବା ପରେ କେବଳ ପାଗଳ ଭଳି ହେଉଛନ୍ତି । ଭାଇଙ୍କ ଉପସ୍ଥିତିରେ ନିଜକୁ ଯଥେଷ୍ଟ ସାନ ବୋଲି ବିବେଚନା କରନ୍ତି । ଦାୟିତ୍ୱ ମୁଣ୍ଡକୁ ନେଇ କିଛି ଗୋଟାଏ କରିବା ଏ ଯାବତ୍‌ ତାଙ୍କର ଭାଗ୍ୟରେ ଯୁଟିନାହିଁ । ହଠାତ୍‌ ଏଭଳି ଏକ ପରିସ୍ଥିତିରେ ସେ କ’ଣ କରିବେ ନିଜେ ବୁଝିପାରୁ ନାହାଁନ୍ତି । ନିଜର ଏବଂ ନିଜର ନିକଟ ସମ୍ପର୍କୀୟଙ୍କର ଯେତେଟା ଗାଡ଼ି ଅଛି ସବୁତକ ଟେଲିଫୋନ୍‌ ଉପରେ ମଗେଇ ନିଜ ହତା ଭିତରେ ଠିଆ କରି ରଖିଛନ୍ତି । କେହି ଆସି କିଛି ଗୋଟାଏ କହି ଉପଦେଶ ଦବାକୁ ବସିଲେ ସଙ୍ଗେ ସଙ୍ଗେ ଯାହା କରିବା ଦାୟିତ୍ୱ ତାଙ୍କୁ ଦେଇ ଗୋଟାଏ ଗାଡ଼ି ଏବଂ କିଛି ଟଙ୍କା ଧରେଇ ଦଉଛନ୍ତି । କେତେବେଳଠୁ ସେ କୁଆଡ଼େ ବାହାରି ଯା’ନ୍ତେଣି କିଛି ଗୋଟାଏ କରିବାକୁ । କିନ୍ତୁ ଘରଛାଡ଼ି ଏ ପରିସ୍ଥିତିରେ ତାଙ୍କର ଯିବା ଉଚିତ୍‌ ନୁହେଁ ବୋଲି ଧରି ନେଇଛନ୍ତି । କାଳେ ଭାଉଜ କିଛି କରି ବସିବେ । ଆଜି ଗୋଟାଏ କିଛି ଘଟି ଯାଇଛି, କାଲି ସବୁ ଠିକ୍‌ ହୋଇଯିବ । ହୁଏତ ମାନସିଂ ଜମିଦାରୀରୁ ଏକଶତାଂଶ ଏଥିପାଇଁ ମାତ୍ର ଖର୍ଚ୍ଚ କରିବାକୁ ପଡ଼ିପାରେ । କିନ୍ତୁ ଭାଉଜ ଯଦି କିଛି କରି ବସନ୍ତି ?

 

ଘଟଣାଟା ଯେତିକି ଜନମୁଖ ପର୍ଯ୍ୟନ୍ତ ଆସି ପହଞ୍ଚିଛି ସେତିକି ଉପରେ ନରେନ୍ଦ୍ର ମନ୍ତବ୍ୟ ପ୍ରକାଶ କରି ସାରିଛନ୍ତି ଅନେକ ବେଳୁ । କାଲି ରାତିରୁ ଆଜି ପର୍ଯ୍ୟନ୍ତ ସାବିତ୍ରୀଙ୍କୁ ଶୁଣେଇ ପାଞ୍ଚଥର କହିଲେଣି—

 

‘ଯଦି ହେଇଥାଏ ତେବେ କ’ଣ ହେଲା? ସେଭଳି କୌଣସି ଏକ ପରିସ୍ଥିତିରେ ଭାଇ ଯଦିବା ଏମିତି କରିଥା’ନ୍ତି ତେବେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ମାନସିଂ ବଂଶର ରକ୍ତରେ ତ ଏଇଆ ଅଛି । ଆଗେ ଜମିଦାରୀ ରକ୍ଷା କରିବାକୁ ଯାଇ, ପ୍ରଜାମାନଙ୍କୁ ଧମକ ଦେବାକୁ ଯାଇ ଆମ ବଂଶର ଅଜା ଅଣଅଜାମାନେ ବନ୍ଧୁକ ଗୁଳିରେ କଥାବାର୍ତ୍ତା କରିଥିଲେ । ଜମିଦାରୀ ଖାନଦାନୀ ଦେଖାଇବାକୁ ଯାଇ କେତେ ମଉଜ ମଜଲିସ୍‌ କରୁଥିଲେ । ଭାଇ ମଧ୍ୟ ସେଇ ବଂଶର ଛୁଆ । ବନ୍ଧୁକରେ ନ ମାରି ଅନ୍ୟ ଭାବରେ ମାରିଛନ୍ତି—ସେଥିରେ କ’ଣ ହେଇଗଲା ?’

 

କେହି କେହି ଯୁକ୍ତି ଛଳରେ ବୀରେନ୍ଦ୍ର ଫେରାର୍‌ କାହିଁକି ବୋଲି ପ୍ରଶ୍ନ କରନ୍ତେ ତାକୁ ମଧ୍ୟ ନରେନ୍ଦ୍ର ଜଣେ ପାରିବାର ଓକିଲ ଭଳି ଦୃଷ୍ଟାନ୍ତ ଦେଇ ବୁଝେଇଛନ୍ତି—

 

‘କୌଣସି ଗୋଟିଏ ଗାଡ଼ି ଦୁର୍ଘଟଣାପରେ ଡ୍ରାଇଭର ତା’ର ଦୋଷ ଥାଉ ବା ନ ଥାଉ ସେ ସ୍ଥାନ ଛାଡ଼ି ପଳାଏ ଏବଂ ଆତ୍ମଗୋପନ କରେ । ନ ଦେଲେ ତା’ ଉପରେ କିଛି ନ ବୁଝି ସମାଜର କିଛିଟା ଅତ୍ୟାଚାର ଜାହିର କରାଯିବ । ପରେ ହୁଏତ ଲୋକେ ଭୁଲ୍‍ ଠିକ୍‌ ବୁଝି ନିଜର ମତ ବଦଳେଇ ପାରନ୍ତି । କିନ୍ତୁ ପ୍ରଥମେ କ୍ଷତିଟା ସହିବାକୁ ପଡ଼ିବ । ଭାଇ ଜରୁରୀ କାମରେ ବାହାରକୁ ଯାଇଛନ୍ତି । ହଠାତ୍‌ ସେତିକି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ନ ଥିଲେ ଏମିତି ସେ ଯାଇ ନଥାନ୍ତେ । ଏବଂ ସେହି ଯିବା ବାଟରେ ଯଦି କୌଣସି କାରଣରୁ ଲକ୍ଷ୍ୟଚ୍ୟୁତ କରିବାକୁ କେହି ଚେଷ୍ଟା କରିଥିବ ତେବେ ଭାଇ ଆଉ କ’ଣ କରିପାରିଥାନ୍ତେ ।’

 

ସାବିତ୍ରୀ ଏକଥା ଯେ ଶୁଣି ନାହାନ୍ତି ତା ନୁହେଁ, କିନ୍ତୁ ସନ୍ତୁଷ୍ଟ ହୋଇ ପାରି ନାହାନ୍ତି । କ୍ରମଶଃ ତାଙ୍କର ବୁଦ୍ଧି ମଧ୍ୟ ଭ୍ରମ ହବାକୁ ବସିଛି । କେହି ଯଦି କହୁଛି—ବୀରେନ୍ଦ୍ର ଫେରି ଆସିବା ଉଚିତ୍‌, ସେ ଭାବୁଛନ୍ତି ନଆସିବା ଉଚିତ । କାରଣ ଆସିବା ମାତ୍ରେ କାଳେ ଧରି ନେଇଯିବେ । କିନ୍ତୁ ଯେତିକି ମୁହୂର୍ତ୍ତ ଗତ ହେଇଯାଉଛି ସେ ସେତିକି ଅଧିକା ବିଚଳିତ ହୋଇ ଉଠୁଛନ୍ତି । ନିତାନ୍ତ ଅବୁଝା ଦୁଇଟି ଯାକ ସନ୍ତାନ ଏ ଅଘଟଣରୁ କିଛି ବୁଝୁ ନାହାଁନ୍ତି । ପ୍ରଥମ ସନ୍ତାନ ପୁତ୍ର ଏଇ ମାତ୍ର ମାଟ୍ରିକ ପରୀକ୍ଷା ଦବ । ଆଉ ତା’ ତଳେ କନ୍ୟା । ଦଶମ ପ୍ରେଣୀରେ ପଢ଼େ । ଏ ପ୍ରକାର ପରିସ୍ଥିତିକୁ ବିଶ୍ଳେଷଣ କରିବାକୁ ସାମର୍ଥ୍ୟ ହୋଇନାହିଁ । ଆଭିଜାତ୍ୟ ଓ ବଂଶ ମର୍ଯ୍ୟାଦାର ନମୁନା ସ୍ୱରୂପ କେବଳ ହଳିଆ ମୁଲିଆଙ୍କ ଉପରେ ହାକିମି ଦେଖାଇବା ଛଡ଼ା ଆଉ କିଛି ନୁହେଁ । ସାବିତ୍ରୀଙ୍କର ଠାକୁର ଘରୁ ନ ବାହାରିବା ଦେଖି ଆଜି ସ୍କୁଲ ଯିବା ଆଶା ଛାନ ଦେଇଛନ୍ତି । କିଛି କାହାରି ସହିତ କଥାବାର୍ତ୍ତା କରିବାର ସୁଯୋଗ ମଧ୍ୟ ନାହିଁ ।

 

ଏତିକିବେଳେ ନରେନ୍ଦ୍ର ଦେଖିଲେ ତାଙ୍କ ହତା ଭିତରକୁ ଜିପ୍‌ ଗାଡ଼ିଟିଏ ପ୍ରବେଶ କଲା । ନରେନ୍ଦ୍ର ବୁଝିଲେ ଏଇଟା ପୋଲିସ ଗାଡ଼ି । ଅଟକିଲା ପରେ ବାହାରକୁ ଓହ୍ଲେଇ ଆସିଲେ ଜଣେ ପୁଲିସ୍‍ ଅଫିସର । ପ୍ରଥମେ ଦୋ ଦୋ ଚିହ୍ନ ହେଲେ ନରେନ୍ଦ୍ର । ତା’ ପରେ ସେ ଯେତେବେଳେ ମୁଣ୍ଡରୁ ଟୋପି କାଢ଼ି ଦେଲେ ସେତେବେଳେ ନରେନ୍ଦ୍ରଙ୍କର ଆନନ୍ଦର ସୀମା ରହିଲା ନାହିଁ ।

 

‘ମୁଁ ଜାଣିଥିଲି । ଆମର ଏ ଅବସ୍ଥାବେଳେ ଆପଣ ଯେଉଁଠି ଥାନ୍ତୁ ନା କାହିଁକି ନିଶ୍ଚୟ ଆସିବେ । ଯା’ ହଉ ଆପଣ ଆସିଗଲେ ।’

 

ଏ କଥାର ଉତ୍ତରରେ କେଜାଣି କାହିଁକି କିଶୋର ବେଶି ଆହ୍ଲାଦିତ ହେଲା ଭଳି ମନେ ହେଲା ନାହିଁ । ବରଂ ଖୁବ୍‌ ପଦେ ଦି’ପଦ ମାମୁଲି କଥାରେ ପାରିବାରିକ ଆଲୋଚନା ଶେଷ କରି ସରକାରୀ କାର୍ଯ୍ୟ ଆରମ୍ଭ କଲେ ।

 

‘ଦେଖନ୍ତୁ ମୋର ହାକିମ ମୋ ସହିତ ଆସିଛନ୍ତି । କେତେଟା ଜରୁରୀ କଥାଭାଷା ଅଛି । ଟିକିଏ ବୀରେନ୍ଦ୍ର ବାବୁଙ୍କ ମସେସ୍‌ଙ୍କ ସାଙ୍ଗରେ କଥାଭାଷା ହବା ଦରକାର । ଡାକି ଦିଅନ୍ତୁ ।

 

ନରେନ୍ଦ୍ର ଭାବିଲେ—ବହୁତ ଦିନ ପରେ କିଶୋର ଆସୁଛନ୍ତି । ସେଥିପାଇ ତାଙ୍କର ମନେ ପଡ଼ୁନାହିଁ, କ’ର ସମ୍ବୋଧନ କରି ପକାଉଛନ୍ତି । ନହେଲେ ବୀରେନ୍ଦ୍ର ବାବୁଙ୍କ ମିସେସ୍ ବୋଲି ନ କହି ଭାଉଜଙ୍କ ସହିତ ବୋଲି କହିଥାନ୍ତେ । ଏହାବି ସମ୍ଭବ—ବର୍ତ୍ତମାନ ମୁଣ୍ଡ ଠିକ୍‌ କାମ କରୁ ନାହିଁ । ଯାହା ହଉଚି ସମସ୍ତତ ଭାଇଙ୍କ ମଙ୍ଗଳ ପାଇଁ । ତାଙ୍କ ପାଇଁ କେତେ ଲୋକ ଲାଗିପଡ଼ିଛନ୍ତି । ନିଶ୍ଚୟ ଲାଗିବାର କଥା । ଭାଇଙ୍କ ପାଖକୁ ଯିଏ କିଛି ଆଶାକରି ଥରେ ହାତ ବଢ଼େଇଛି ଶୂନ୍ୟ ହାତରେ କେବେ ଫେରିନାହିଁ । ତାଙ୍କ ପାଇଁ ଚିନ୍ତିତ କିଏ ନ ହେବ ।

 

ସାବିତ୍ରୀ ପ୍ରଥମେ ନାମଙ୍ଗ ହେଲେ କିନ୍ତୁ କର୍ତ୍ତବ୍ୟ ଏବଂ ଆଇନ୍ ଏ ଦୁଇଟି ଏଡ଼େଇ ଦବାର ସାମର୍ଥ୍ୟ ତାଙ୍କର ନାହିଁ, ଆସିଲେ । ଦୁଇଜଣ ପୋଲିସ ହାକିମ, ନରେନ୍ଦ୍ର, ସାବିତ୍ରୀ ଆଉ ଦୂରରେ ଠିଆ ହୋଇଥାନ୍ତି ଅବୁଝା କିଶୋର କିଶୋରୀ ଦୁଇଜଣ । ଏପରି ଏକ ଘଟଣା ପାଇଁ ମାମୁଲି କେତେଟା କଥାଭାଷା ପରେ କିଶୋର ଅନୁରୋଧ କଲେ ନରେନ୍ଦ୍ରଙ୍କୁ—

 

‘କିଛି ଯଦି ମନେ ନକରନ୍ତି.....କେତେଟା ବ୍ୟକ୍ତିଗତ କଥା ପଚାରିବାକୁ ପଡ଼ିବ..... ।’

 

ବାକି କଥାଟା ବୁଝିଲେ ନରେନ୍ଦ୍ର । ସେଥିପାଇଁ ଆଶ୍ଚାର୍ଯ୍ୟ ହେଲେ । ଏମିତି ଏମାନଙ୍କର କ’ଣ କଥା ଥାଇପାରେ । ଯୋଉଥିରେ କି ନ ନରେନ୍ଦ୍ରଙ୍କର ଉପସ୍ଥିତି ଅବାଞ୍ଚନୀୟ । କିନ୍ତୁ ପରିସ୍ଥିତି ଦୃଷ୍ଟିରୁ ନରେନ୍ଦ୍ର ବାହାରକୁ ଗଲେ । ସାବିତ୍ରୀ କିଶୋର ଆଉ ଅନ୍ୟ ଜଣେ ପଦସ୍ଥ କର୍ମଚାରୀ । ସାବିତ୍ରୀଙ୍କ ଆଖିଦୁଇଟା ବେଶ୍‍ ପୁଲି ଯାଇଛି । ମୁହଁରୁ ଜଣାପଡ଼େ ସତେ ଯେମିତି ହଠାତ୍‍ ବୟସଟା ବଢ଼ିଯାଇଛି । ଆଉ ବେଶି ସମୟ ତାଙ୍କୁ ଅପ୍ରସ୍ତୁତ ନ କରିବାକୁ ପୋଲିସ୍‌ ହାକିମ ଜଣେ ପ୍ରଶ୍ନ କଲେ—

 

‘ନିହାତି ପାରିବାରିକ ପ୍ରଶ୍ନଟିଏ ପଚାରିବି । କିଛି ଭାବିବେ ନାହିଁ । ଆପଣଙ୍କ ସମ୍ପର୍କ ଭିତରେ ବ୍ୟତିକ୍ରମ କେବେ ଦେଖାଗଲା ଆଉ ସେଇଟା ବର୍ତ୍ତମାନ କେତେ ପରିମାଣରେ ବଢ଼ିଛି କହି ପାରିବେ ?’

 

ନିଦରୁ ଉଠିଲା ପରି ସାବିତ୍ରୀ ପ୍ରକୃତିସ୍ଥ ହେଲେ । କ’ଣ ଏମାନେ ପଚାରିବାକୁ ଚାହାଁନ୍ତି-? କେହି ନଜାଣିଲେ ବି କିଶୋର ତ ନିଶ୍ଚୟ ଜାଣନ୍ତି, ସେଇ ଏକମାତ୍ର କଳଙ୍କ । ପୁଷ୍ପିତାଙ୍କୁ ନେଇ ଇଙ୍ଗିତ କରିବାଟା ଏ ସମୟରେ ମଧ୍ୟ ଛାଡ଼ୁ ନାହାଁନ୍ତି । ଏଇଥିପାଇଁ କିଶୋର ତାଙ୍କ ହାକିମଙ୍କୁ ଏଇତକ କହି ପୋଲିସ୍‌ ଚାକିରିର ଗୌରବ ନବାକୁ ଚାହାଁନ୍ତି । ମଣିଷ ଜାତି ବେଇମାନ । ଯାହାକୁ ଘରେ ଆଶ୍ରୟ ଦବ ସେ ପୁଣି ପଛରେ ସାପ ହୋଇ ଦଂଶନ କରିବାକୁ ପଛେଇବ ନାହିଁ ।

 

‘ମୁଁ ଜାଣେ ମିସେସ୍‌ ମାନସିଂ ! ଏଇଟା ଏକ ଅପ୍ରୀତିକର ପ୍ରଶ୍ନ । ସେଇଭଳି ଏକ ଅପ୍ରୀତିକର ପରିସ୍ଥିତି ନହୋଇଥିଲେ ମୁଁ ଆପଣଙ୍କୁ ଏଭଳି ପ୍ରଶ୍ନ ମୁହାଁମୁହିଁ ପଚାରନ୍ତି ନାହିଁ । ମତେ କ୍ଷମା କରିବେ । ଆଚ୍ଛା, ଗୋଟିଏ କଥା କୁହନ୍ତ ତ ! ବୀରେନ୍ଦ୍ର ବାବୁ କେତେ ରାତିରେ ଘର ଛାଡ଼ିଲେ-?’

 

‘ପ୍ରାୟ ଏଗାରଟା, ମୁଁ ଘଣ୍ଟା ଦେଖିନି..... ।’

 

‘ଆପଣ ସେତେବେଳେ କ’ଣ କରୁଥିଲେ ?’

 

‘ଆମେ ସମସ୍ତେ ଶୋଇ ସାରିଥିଲୁ ।’

 

‘ତାଙ୍କର ଯିବାର ଥିଲା କୁଆଡ଼େ, ଆପଣଙ୍କୁ କହିଥିଲେ ?

 

‘ନାଁ...... ।’

 

‘ତାଙ୍କ ସହିତ ଆଉ କିଏ ଥିଲେ ?’

 

‘ଜାଣେନା...... ।’

 

‘କିଏ ଆସି କ’ଣ ଖବର ଦେଲା କହିପାରିବେ ?’

 

‘ନାଁ....... ।’

 

‘ଆପଣଙ୍କୁ କ’ଣ କହିଗଲେ ?’

 

‘ଜରୁରୀ ଦରକାର, କେଇଘଣ୍ଟା ପାଇଁ, ବାହାରକୁ ଯାଉଛନ୍ତି ।’

 

‘ଏମିତି ପ୍ରଥମ ଗଲେନା ଆଗରୁ କେବେ ଯାଇଥିଲେ ?’

 

‘ପ୍ରାୟ ଯା’ନ୍ତି । ରାତିରେ ଗାଡ଼ି ଚଳେଇବା ତାଙ୍କର ସଉକ ।’

 

‘ଅଧ୍ୟାପିକା ପୁଷ୍ପିତା ପଟ୍ଟନାୟକଙ୍କ ବିଷୟରେ ଆପଣ କିଛି କହିପାରିବେ ?’

 

‘କ’ଣ କହିବି... ?

 

ଏତକ କହିଦେଇ ପ୍ରକୃତିସ୍ଥ ହେଲେ ସାବିତ୍ରୀ । କେମିତି କେଜାଣି ତାଙ୍କ ଅଜାଣତରେ ଏ ପଦକ ବାହାରି ପଡ଼ିଲା ଟିକିଏ ରୁଢ଼ଭାବରେ । କିନ୍ତୁ ପୋଲିସ୍‌ ହାକିମ ବୋଧହୁଏ ସେଥିପ୍ରତି ନଜର ଦେଇ ନାହାଁନ୍ତି । ସେ କହିଲେ—

 

‘ତାଙ୍କ ସହିତ ଆପଣଙ୍କର ଆନ୍ତରିକତା, ମିଷ୍ଟର ମାନସିଂଙ୍କର ସମ୍ପର୍କ ଆଉ ଉଭୟ ପରିବାର ଭିତରେ, ଘଟଣାକୁ ନେଇ..... ।’

 

କିଛିଟା ଅକୁହା ରଖି ସାବିତ୍ରୀଙ୍କୁ ବୁଝିବାକୁ ଛାଡ଼ି ଦେଲେ । ସାବିତ୍ରୀଙ୍କ ମୁଣ୍ଡ ଝିମ୍ ଝିମ୍‌ କରି ଉଠିଲା । ଆଉ କେହି ଶୁଣିଛିକି ବୋଲି ଥରେ ଆଖି ଉପରକୁ ଉଠେଇ ବୁଲେଇ ଆଣିଲାବେଳେ ଦୃଷ୍ଟିପଡ଼ିଲା—ବାଧ୍ୟ ଛାତ୍ରଭଳି କିଶୋର କାଗଜ କଲମରେ ସମସ୍ତ ଟିପି ନେଉଛନ୍ତି-। ସାବିତ୍ରୀ ପ୍ରକୃତିସ୍ଥ ହେଲେ । ନାଃ...ଏ ପ୍ରକାର ପ୍ରଶ୍ନର ଉତ୍ତର ସେ ଦେଇ ପାରିବେ ନାହିଁ-। ସେଥିପାଇଁ ସେ ବାଧ୍ୟ ନୁହଁନ୍ତି । ତାଛଡ଼ା ମାନସିଂ ଘରର କୂଳବୋହୂ ସେ । ପର ପୁରୁଷଙ୍କ ସହିତ ଏତେ ଗୋଟାଏ କଥାଭାଷା କ’ଣ ? ଯାହା ଯାହା ତାଙ୍କର ବୁଝିବା କଥା ଅନ୍ୟଠାରୁ ବୁଝିପାରନ୍ତି-

 

‘ମୁଁ ହାତ ଯୋଡ଼ୁଛି । ଏଇଟା ମୋର ବ୍ୟକ୍ତିଗତ କଥା । ଏ ସମ୍ପର୍କରେ ଆପଣ ନଜାଣିବା ଉଚିତ... ।’ ଏତିକି କହିସାରି ଗୋଟାଏ ମୁହୂର୍ତ୍ତ ଅପେକ୍ଷା ନକରି ଭିତରକୁ ଚାଲିଗଲେ ସାବିତ୍ରୀ ।

 

ଏମିତି ଚାଲିଯିବେ ବୋଲି ଦୁହେଁ ଆଶା କରିନଥିଲେବି ଆଶ୍ଚର୍ଯ୍ୟ ହେଲେ ନାହିଁ । ବରଂ କିଶୋର ପରିସ୍ଥିତିକୁ ନିଜେ ବୁଝି ତାଙ୍କ ହା ହାକିମକୁ ବୁଝେଇ ଦେଲେ । ତେବେ ଉପାୟ ନାହିଁ, ଯେମିତି ହେଲେ ବାକି କଥାଗୁଡାକ ତାଙ୍କଠାରୁ ଆଦାୟ କରିବାକୁ ପଡ଼ିବ । କିଶୋର ପୁଣି ଭିତରକୁ ଖବର ଦବାକୁ ଉଠୁଥିଲେ । ଏତିକି ବେଳେ ଚାକର ଚା’ ଜଳଖିଆ ନେଇ ପ୍ରବେଶ କଲା । ପୋଲିସ୍‌ ହାକିମ ବିସ୍ମିତ ହେଲେ । ଘରର ଏଭଳି ବିପତ୍ତିବେଳେ ମଧ୍ୟ ଆତିଥ୍ୟ ସମ୍ପର୍କରେ ଲୋକ ଭାବିପାରନ୍ତି... ? କିନ୍ତୁ କିଶୋରଙ୍କ ପାଇଁ ଏଇଟା ନୂଆ ନୁହେଁ । ସେ ମାନସିଂ ପରିବାରର ଆଭିଜାତ୍ୟ ଆଉ ମର୍ଯ୍ୟାଦା ସମ୍ପର୍କରେ ଜାଣନ୍ତି । ଶତ୍ରୁକୁ ମଧ୍ୟ ଯଥା ସମ୍ମାନ ଦେବାପାଇଁ ସବୁଠାରୁ ଅଶୁଭ ବେଳାରେ ମାନସିଂ ପରିବାର ତ୍ରୁଟି କରିବା କେହି କେବେ ଜାଣେ ନାହିଁ । ଅଗତ୍ୟା ଦୁହେଁ ସେଗୁଡ଼ିକର ସଦ୍‌ବ୍ୟବହାର କରିବା ଭିତରେ ନିଜକୁ ପରବର୍ତ୍ତି ପରିସ୍ଥିତି ପାଇଁ ପ୍ରସ୍ତୁତ କରି ବସିଲେ-

 

ଆଗାମୀ ପରିସ୍ଥିତି ପାଇଁ ପ୍ରସ୍ତୁତ କରୁଥିଲେ ନିଜକୁ ବୀରେନ୍ଦ୍ର । ଆଖିକୁ ଚାପି ଧରିବା ଭିତରେ ତାଙ୍କ ଆଖି ଆଗରେ ନାଚି ଉଠୁଥିଲା ପ୍ରତ୍ୟେକଟି ଦୃଶ୍ୟ ତାଙ୍କ ଘରର । କ’ଣ ହେଉଥିବ ବର୍ତ୍ତମାନ । ଚଳଚ୍ଚିତ୍ର ଭଳି ଗୋଟି ଗୋଟି ହୋଇ ସ୍ପଷ୍ଟ ସେ କେମିତି ଦେଖିପାରୁଥିଲେ । ଛାତି ଫଟେଇ ଦୀର୍ଘଶ୍ୱାସ ବାହାରି ଆସିଲା ତାଙ୍କର । ନାଃ......ସେ ଆଉ ଆଖି ବନ୍ଦ କରିବେ ନାହିଁ । ବନ୍ଦ କରିବା ଫଳରେ ସବୁଗୁଡାକ ବେଶି ବିଭତ୍ସ ହୋଇ ଦେଖାଯାଉଛି । ବିଶେଷ କରି ପୁଅ ଆଉ ଝିଅ, ଦୁଇଟାଙ୍କ ମୁହଁ । ସ୍କୁଲ ଯିବାତ ଦୂରର କଥା, ତାଙ୍କରି ସମବୟସ୍କଙ୍କ ସହିତ ମୁହଁ କେମିତି ଦେଖେଇବେ । ଆଉ ସାବୀତ୍ରୀ ? ଜର୍ଜରିତ ହୋଇ ଉଠିଲେ ବୀରେନ୍ଦ୍ର । ସାବିତ୍ରୀଙ୍କର ଛୋଟ ଅନୁରୋଧ ପିଲା ଦୁଇଟାଙ୍କ ଭବିଷ୍ୟତ ସମ୍ପର୍କରେ—ସେତକ ମଧ୍ୟ ରକ୍ଷା କରି ପାରିଲେ ନାହିଁ ।

 

ଯେଉଁଦିନ ସାବିତ୍ରୀ ତାଙ୍କ ଏଭଳି ଏକ ଅନୁରୋଧ କରିଥିଲେ ତା’ର ମାତ୍ର କେଇଟା ଦିନ ପରେ ବୀରେନ୍ଦ୍ର ପୁଅକୁ ନେଇ ଯାଇଥିଲେ ସ୍କୁଲରେ ନାମ ଲେଖାଇବାକୁ, ସେପର୍ଯ୍ୟନ୍ତ ନାଁଟଶ ସମ୍ପର୍କରେ କେହି ନିଶ୍ଚିତ ନଥିଲେ । ତେଣୁ ଫେରି ଆସିଲା ପରେ ସାବିତ୍ରୀ ଯେତେବେଳେ ସ୍କୁଲ ନାଁ କ’ଣ ରହିଲା ବୋଲି ପ୍ରଶ୍ନକରେ—ଅତି ଅଳ୍ପକେ ଉତ୍ତର ଦେଇଥିଲେ ବୀରେନ୍ଦ୍ର ଅଂଶୁ ଅନିନ୍ଦିତ । ଆଶ୍ଚର୍ଯ୍ୟ ହେଲେ ସାବିତ୍ରୀ । ଅଂଶୁ ଅନିନ୍ଦିତ ସହିତ ମାନସିଂ ଶବ୍ଦଟା କେମିତି ଲାଗିବ ସେ ପରୀକ୍ଷା କଲେ । କିନ୍ତୁ ବୀରେନ୍ଦ୍ର ବୁଝେଇ ଦେଲେ—

 

‘ତ’ର ନାଁ କେବଳ ଅଂଶୁ ଅନିନ୍ଦିତ ରହିବ । ମାନସିଂ ଆଉ ଲଗେଇବା ନାହିଁ । ମୁଁ ଚାହେଁ ସେ ମଣିଷ ହଉ । କରଣ, ବ୍ରାହ୍ମଣ, ଖଣ୍ଡାୟତ ଜାତି ଅଜାତି ସବୁର ଉର୍ଦ୍ଧ୍ୱରେ ରହୁ । ସାଜ୍ଞା ବୋହି ସେ ଅନ୍ୟମାନଙ୍କଠାରୁ ଦୂରେଇ ନଯାଉ । ତା ନାଁଟା କେବଳ ନା ପାଇଁ । ବୀରେନ୍ଦ୍ର ମାନସିଂର ପୁଅ ବୋଲି କହିବାକୁ ନୁହେଁ । ଦେଖିବ ! ତମ ଅଂଶକୁ ମୁଁ କେମିତି ଅନିନ୍ଦିତ କରି ଠିଆ କରେଇବି ।’

 

ସେଦିନ ସାବିତ୍ରୀଙ୍କର ଆନନ୍ଦର ଆଉ ସୀମା ରହିଲା ନାହିଁ । ସତରେ ତ । ଅଂଶୁ ମଣିଷ ଶିଶୁ । ଏ ନାଁଟା ହଁ ତା’ ପାଇଁ ଉଚିତ ହବ । ତାରି ସାଙ୍ଗରେ ନାଁଟିଏ ପକେଇ ଝିଅର ନାଁ ରଖିବାକୁ ଯେଉଁଦିନ ସାବିତ୍ରୀ ବୀରେନ୍ଦ୍ରଙ୍କୁ ଅନୁରୋଧ କଲେ, ବୀରେନ୍ଦ୍ର ଉତ୍ତର ଦେଲେ—

 

‘ତୋ’ର ନାଁ ମୁଁ ବହୁତ ଦିନୁ ଠିକ୍‌ କରି ରଖିଚି । ତମେ ଜାଣ ଝିଅ ମୋର ହେଲେ ମୋ ଝିଅର ସେଇଟାହିଁ ବ୍ୟତିକ୍ରମ । ସେ ମଲ୍ଲି ଫୁଲକୁ ଭଲ ପାଏ । ତାର ଅର୍ଥ ସେ କେବଳ ଗୁଣକୁହିଁ ଶ୍ରଦ୍ଧାକରେ । ତାର ନାଁ ରଖିବା ମଲ୍ଲିକା ଅନୁରାଗୀଣି ।

 

ଏତିକି ସ୍ନେହର ଯେଉଁ ସନ୍ତାନ ବୀରେନ୍ଦ୍ରଙ୍କର, କ’ଣ ହେଉଥିବ ତାଙ୍କ ଅବସ୍ଥା । ଖୁବ ଶୀଘ୍ର ବୀରେନ୍ଦ୍ର ଆତ୍ମପ୍ରକାଶ କରିଦେ ଏବଂ ସେ ସେତିକିବେଳେ ଆତ୍ମ–ପ୍ରକାଶ କରିବେ ଯେତେବେଳେ ସମସ୍ତ ଆଇନ କାନୁନ୍‌ ତାଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରି ଖୋଜିବା ଆରମ୍ଭ କରିବେ । ସେ ବେଳ ହୁଏତ ଆଉ ଡେରି ନାହିଁ । ଆଉ କେଇଟା ଦିନ ଅଜ୍ଞାତବାସ କରିବାକୁ ପଡ଼ିବ ଏବଂ କରି ଚାଲିଛନ୍ତି । ଏଇ ଛୋଟ କୋଠରୀ । କାହିଁ ଭବାନୀ ପାଟଣାର ଏକ ଛୋଟ ହୋଟେଲ, ଏହାରି ଭିତରେ କେତୋଟିଘଣ୍ଟା ହେଲା ଆଶ୍ରୟ ନେଇଛନ୍ତି ବୀରେନ୍ଦ୍ର । ମଟର ସାଇକେଲ୍‌ଟି ତଳେ ରାସ୍ତା ଉପରେ ବିରାଜମାନ କରିଛି । ମନକୁ ଟିକିଏ ହସିଲେ । କେତେ ନିର୍ଭୟରେ ସେଇଟିକୁ ବାହାରେ ଥୋଇ ଦେଇଛନ୍ତି । ମାତ୍ର ଦଶଟଙ୍କା ଖର୍ଚ୍ଚ । ସେଥିରେ ପୁଣି ଏତେ ନିଶ୍ଚିନ୍ତ ?

 

ଆସିଲାବେଳେ କୌଣସି ଛୋଟ ଗାଁର ବଜାରଟିଏ ପଡ଼ିଲା । କିଛିବାଟ ଗଲାପରେ ଦେଖିଲେ ସାଇନ୍‌ବୋର୍ଡ଼ ଲେଖା ଦୋକାନଟିଏ । ପାଖାପାଖି ଦୋକାନମାନଙ୍କର ବୋର୍ଡ଼, ଟେବୁଲ୍‌ ଚିତ୍ରକର ଯାହା ରୋଜାଗାର ହୁଏ ସେଇଥିରୁ ଗୁଜରାଣ ମେଣ୍ଟଉଥିବା ଭଳି ଦୋକାନ । ବୀରେନ୍ଦ୍ରଙ୍କ ମୁଣ୍ଡିକୁ ଚିନ୍ତା ଗୋଟାଏ ପଶିଲା.... ।

 

ବାସ୍‌ ! ଅଧଘଣ୍ଟାକ ଭିତରେ ଗୋଡ଼ିର ନମ୍ବର ବଦଳି ନୂଆ ହୋଇଛି । ମାତ୍ର କେଇଟା ଟଙ୍କାର ବିନିମୟରେ । ଅବଶ୍ୟ ଲୋକଟା ପ୍ରଶ୍ନକଲା ଏଇ ନମ୍ବର ବଦଳେଇବା ବିଷୟରେ । ବୀରେନ୍ଦ୍ର ପ୍ରଥମେ ଶଙ୍କିତ ହେଲେ । ଲୋକଟାର ସନ୍ଦେହ ହେଲା କି ? ତାକୁ ଯେତେବେଳେ ବୀରେନ୍ଦ୍ର ବୁଝେଇଲେ ଗୋଟାଏ ଫିଲ୍ମସୁଟିଂ ହଉଛି । ଆଉ ତାରି ଭିତରେ ଦେଖାଯାଉଚି ମଧ୍ୟପ୍ରଦେଶର ମଟର ସାଇକେଲ୍‌ଟା । ଯଦି ସେଠିକା ନମ୍ବର ନଥାଏ ତେବେ ଭୁଲ୍‍ ହୋଇଯିବ । ଲୋକଟା ଅତିଅଳ୍ପ କଥାରେ ବୁଝିଗଲା । ବରଂ ସେ କେମିତି ସୁଟିଂ ଟିକିଏ ଦେଖି ପାରିବ ସେଥିପାଇଁ ସୁଯୋଗ ଭିକ୍ଷାକଲା ।

 

ତା’ପରେ ଆସି ବୀରେନ୍ଦ୍ର ଏଇଠି ଆଶ୍ରୟ ନେଇଛନ୍ତି । ଏଇ ଘର ଭିତରେ ଖାଇବା ପିଇବା ସବୁ । ହୋଟେଲର ମାଲିକ ଜାଣିଛି ବାବୁ ବହୁତ କାର୍ଯ୍ୟବସ୍ତୁ, ଅନେକ କାଗଜପତ୍ର ଧରି କାମ କରୁଛନ୍ତି । ତେଣୁ ତାଙ୍କ ପାଖରେ ସମସ୍ତ ଆବଶ୍ୟକୀୟ ପହଞ୍ଚିବା ଦରକାର । ଆସିଲା ବେଳଠାରୁ ଆଉ ବାହାରକୁ କାହାରି ନାହାନ୍ତି । ଆଉ ଅଳ୍ପ ସମୟ ପରେ ଆଜିର ରାତି ପାହିଯିବ । କାଲି ସକାଳୁ ଖବରକାଗଜ ଏଠି ପହଞ୍ଚିବ । ବୀରେନ୍ଦ୍ର ସେଇ କାଗଜ ଖଣ୍ଡକୁ ଅପେକ୍ଷା କରିଛନ୍ତି । ପୁଷ୍ପ ତାଙ୍କ ସମ୍ପର୍କରେ କିଛି ନହେଲେ ଖବରକାଗଜ ମାଧ୍ୟମରେ ତ ଜାଣିପାରିବେ ।

 

ପୁଷ୍ପ ! ସତେ କେତେ ଭାଙ୍ଗି ପଡ଼ିଥିବେ । କେତେଥର ସେ ନକହିଛନ୍ତି—

 

‘ତମ ଜୀବନରେ କିଛି ଦୁର୍ଘଟଣା ଘଟିବା ଆଗରୁ ମୁଁ ନିଶ୍ଚୟ ଜାଣିପାରିବି । ଆଉ ଥରେ ଜାଣିଲା ପରେ ସେ ଯେତେବଡ଼ ସମସ୍ୟାଟା ହେଉ ମୁକ୍ତ କରି କମକୁ ମୋ ପାଖକୁ ନେଇ ଆସିବି । ତାର କାରଣ କ’ଣ ଜାଣିଛ ? ମୁଁ ଗୋଟାଏ ମୁହୂର୍ତ୍ତ ତମ ବିନା ଚଳି ପାରିବିନି । ବରଂ ସେଭଳି କିଛି ଦୁର୍ଘଟଣା ହବାକୁ ହେଲେ ତା’ ଆଗରୁ ମତେ ଆଉ କେହି ଦେଖି ପାରିବେ ନାହିଁ ।’

 

ଏଇ ଶେଷକଥାଟା ପାଇଁ ବୀରେନ୍ଦ୍ର ବେଶି ବିଚଳିତ । କିଛି ଗୋଟାଏ କାଣ୍ଡ ଘଟେଇ ବସିବା ତା’ ପକ୍ଷରେ ଅସମ୍ଭବ....ନୁହେଁ। ପୁଷ୍ପଙ୍କ ତରଫରୁ ବୀରେନ୍ଦ୍ରଙ୍କ ପାଇଁ ଦୁଇଟି ସର୍ତ୍ତ । ବୀରେନ୍ଦ୍ରଙ୍କର କିଛି ଗୋଟାଏ ଅମଙ୍ଗଳ ସେ ଶୁଣିବେ ନାହିଁ । ଦ୍ୱିତୀୟରେ, ଥରଟିଏ ପାଇଁ ବୀରେନ୍ଦ୍ରଙ୍କ ଠାରୁ ଆଦର ଊଣା ହେଲାଭଳି ଅବକାଶ ତାଙ୍କ ଜୀବନ କାଳ ଭିତରେ ହେବ ନାହିଁ । ଯଦି ଏହାର ବ୍ୟତିକ୍ରମ ହବାର ସୂଚନା ଜଣାପଡ଼େ ତେବେ ପୁଷ୍ପଙ୍କୁ ହୁଏତ ଆଉ କେହି ଜୀବନରେ ଦେଖିବେ ନାହିଁ । ବୁଢ଼ିଆଣୀ ଜାଲପରି ସାରାମୁଣ୍ଡଟା ଛନ୍ଦି ହୋଇଗଲା । କୌଣସି ସୂତାର ଖିଅ ପାଇଲେ ନାହିଁ’ କେଉଁଟା ତାଙ୍କର କରିବା ଉଚିତ ଆଉ କେଉଁଟା ନ କରିବା ଉଚିତ ଏବଂ କେଉଁଠୁ ଆରମ୍ଭ କରିବେ ? ଦୁଇଟି ପ୍ରାଣ ତାଙ୍କ ପାଇଁ ଚିତ୍କାର କରୁଛନ୍ତି, ସେ ମଧ୍ୟ ବୁଝି ପାରୁଛନ୍ତି । ତାଙ୍କ ଅନ୍ତର ମଧ୍ୟ ସେ ଦୁହିଁଙ୍କୁ ଏକାନ୍ତ ଭାବରେ ଖୋଜୁଛି । ସାବିତ୍ରୀ ଆଉ ପୁଷ୍ପ । ଯଥେଷ୍ଟ ସାମଞ୍ଜସ୍ୟ ଥିଲେ ମଧ୍ୟ ଅନେକ ପ୍ରଭେଦ । ତଥାପି ଦୁହିଁଙ୍କର ଲକ୍ଷ୍ୟ ଏକ । କୌଣସି ଅବସ୍ଥାରେ ମଧ୍ୟ କାହାର ଅଜସ୍ର ସ୍ନେହରୁ କାଣିଚାଏ ଊଣା ହେବା ବୀରେନ୍ଦ୍ର ଅନୁଭବ କରି ନାହାଁନ୍ତି କିନ୍ତୁ ଦୁହେଁ ଭିନ୍ନ । ପାର୍ଥକ୍ୟ ଯଥେଷ୍ଟ । ବହୁବାର ନିଜମନ ଭିତରେ ତୁଳନା କରିଛନ୍ତି ବୀରେନ୍ଦ୍ର । ଜଣେ ଉତ୍ସଳ, କଳ ବିନାଦିନୀ ବନ ଝରଣା ପ୍ରଗଳ୍‌ଭା; ଜୋର କରି ସେ ତାର ଦାବି ହାସଲ କରେ । ସାମାନ୍ୟ ବାଧାରେ ବାଟଭାଙ୍ଗି ଦୂରେଇ ଯିବାର ଧମକ । ଆଉ ଜଣେ ଶାନ୍ତ ଗଭୀର, ଉଦାର ଆଉ ଗମ୍ଭୀର ସାଗର । ଅନେକ ଜୁଆର, ଭଟ୍ଟକୁ ଅଙ୍ଗରେ ଧରି ରଖିବାର ଅସୀମ ଧୈର୍ଯ୍ୟ । ଉଭୟ ଚାହାଁନ୍ତି ବୀରେନ୍ଦ୍ରଙ୍କୁ ଏବଂ ବୀରେନ୍ଦ୍ର ମଧ୍ୟ ଚାହାଁନ୍ତି ଉଭୟଙ୍କୁ । କିନ୍ତୁ ଏହି ସ୍ୱୀକାରୋକ୍ତି ଗରେନ୍ଦ୍ରଙ୍କ ମନ ଭିତରେ । କାହିଁକି କେଜାଣି ଉଭୟଙ୍କୁ ଚାହିଁବା କଥାଟା ଉଭୟଙ୍କୁ ବ୍ୟକ୍ତ କରିବା ସମ୍ଭବ ହୋଇପାରେ ନାହିଁ । ଯଦି ଏହି ପ୍ରକାର ଏକ ଅବସ୍ଥାର ଦୁହେଁ ଦୁହିଁଙ୍କୁ କୌଣସି କାରଣରୁ ମନ ଭିତରେ ହଠାତ୍‌ ଦାୟୀକରି କିଛି ଗୋଟାଏ କରି ବସନ୍ତି ???

 

ଆଉ ଅଧିକା ଭାବିବା ସମ୍ଭବ ନୁହେଁ । ଏମିତି ଆଗକୁ ଭାବି ସେ ନିଜର ମାନସିକ କ୍ଳାନ୍ତି ଆଣିବା ଉଚିତ ହବନାହିଁ । ମାଇଲ ମାଇଲ ଲମ୍ବ ଅଜଣା ଭବିଷ୍ୟତ ତାଙ୍କ ସମ୍ମୁଖରେ ଲମ୍ୱି ଯାଉଛି-। ଗାଡ଼ି ଯେମିତି ଘଣ୍ଟାକ ଭିତରେ ସେ ପୃଥିବୀର ଶେଷ ମୁଣ୍ଡରେ ପହଞ୍ଚିଯିବେ । ବର୍ତ୍ତମାନ କିନ୍ତୁ ତାଙ୍କୁ ଓଲଟା ଜଣାପଡ଼ୁଛି । କିନ୍ତୁ କାହିଁକି ? ତାଙ୍କର ଦୋଷ କଣ ? ତେବେ ଦୋଷ ଯଦି ନାହିଁ ଏଠି ଆତ୍ମଗୋପନ କରିଛନ୍ତି କାହିଁକି ? ଏ ମାନସିକ ଯନ୍ତ୍ରଣାରେ ନିର୍ଯ୍ୟାତିତ ହେଉଛନ୍ତି କାହିଁକି ? ନାଁ ନିଶ୍ଚୟ କିଛି ଦୋଷ ଅଛି । ହୁଏତ ଏ ଜନ୍ମରେ ତାଙ୍କ ଜ୍ଞାତସାରରେ ନଥିଲେ ବି ପୂର୍ବଜନ୍ମର ଥିବ-। କିଛି ନଥିଲେ ବି ପୁଷ୍ପ ଆଉ ସାବିତ୍ରୀଙ୍କ ନିଶ୍ୱାସ । ଉଭୟଙ୍କର ଯେତେ ଦୁର୍ଭାବନା–ସେ ସବୁଥିପାଇଁ କେବଳ ବୀରେନ୍ଦ୍ର ହିଁ ଦାୟୀ ।

 

ହାତ ଘଣ୍ଟାକୁ ଚାହିଁଲେ । ଆଉ ବିଳମ୍ବ କରିବା ଉଚିତ୍‌ ନୁହେଁ । ଖାଇବା ଜିନିଷ କେତେବଳୁ ରଖି ଦେଇ ଗଲାଣି । ବିଶ୍ରାମ ଦୂରେଇ ଯାଇଛି ବୀରେନ୍ଦ୍ରଙ୍କ ଠାରୁ । ହେଲେ ବୀରେନ୍ଦ୍ର ଟାଣି ଓଟାରି ବିଶ୍ରାମକୁ ଧରି ରଖିଛନ୍ତି କେତୋଟି ନିଦ ବଟିକା ଭିତରେ । ଟେବୁଲ ଉପରୁ ସେଗୁଡ଼ିକ ଜକ୍‌ ଜକ୍‌ କରି ସତେ ଯେମିତି ଅସହାୟ ବୀରେନ୍ଦ୍ରଙ୍କୁ ଚାହିଁ ରହିଛନ୍ତି । ଖାଇବାଟା କୌଣସିମତେ ଏକା ନିଶ୍ୱାସକେ ଶେଷ ହେଲା । ତା’ପରେ ବେହେରାକୁ ଡାକି ବାସନ ଦେଲାବେଳେ ସକାଳୁ କାଗଜ କେତେବେଳେ ଆସେ ବୋଲି ପଚାରି ଖବର କାଗଜ ନାଟା କହି ଦେଇ ଦ୍ୱାର ଭିତରୁ ବନ୍ଦ କଲେ ।

ଔଷଧ ଖାଇବା ପରେ ବାଧ୍ୟ ବାଳକଟି ଭଳି ନିଜକୁ ବିଛଣାରେ ଲମ୍ବେଇ ଦେଇ ନିଦ୍ରାକୁ ଅପେକ୍ଷା କଲେ ।

‘ଠକ୍‌.......ଠକ୍‌.......ଠକ୍‌ ।’

ବେଶ୍‌ ଭଲକରି ଶୁଣି ପାରିଲେ ତେଣୁ ସନ୍ଦେହ କରିବାର କିଛି ନାହିଁ । ଛାଇନିଦ ଭାଙ୍ଗିଗଲା । ଆଖିମଳି ଅନେଇଲାବେଳକୁ ପୁରାପୂରି ଫରଚା ହୋଇ ନାହିଁ । କବାଟ ଖୋଲି ଦେଇ ଆଉ ଅନେଇବା ମନେ ନକରି ଭିତରକୁ ମୁହଁ ବୁଲେଇଲେ ।

‘ସୁଇଚଟା କୋଉଠି ?’

ହଠାତ୍‌ କଣ୍ଠ ସ୍ୱରଟା ଅପରିଚିତ ମନେକରି ବୁଲି ପଡ଼ିଲେ ପୁଷ୍ପିତା । ଦେଖନ୍ତି ତ ତାଙ୍କ ସାମନାରେ ବୀରେନ୍ଦ୍ର ନୁହଁନ୍ତି ଆଉ ଜଣେ ବ୍ୟକ୍ତି ଠିଆ ହୋଇଛନ୍ତି । ସର୍ପାହତ ଭଳି ଚମକି ପଡ଼ିଲେ-

 

‘ଆ....ପଣ ?’

 

‘କ୍ଷମା କରିବେ । ମୁଁ ଆପଣଙ୍କର ଅପରିଚିତ । ଏପରି ଅବେଳରେ ଆସି ବିରକ୍ତ କରିବାଛଡ଼ା ମୋର ଆଉ ଉପାୟ ନଥିଲା ।’ ସୁଇଚ ଦେଲେ, ଘରଟି ଆଲୋକିତ ହେଲା ।

 

ପୁଷ୍ପିତା ଦେଖିଲେ, ବ୍ୟକ୍ତି ଜଣକ ପୁଲିସ୍‌ ହାକିମ । ନିଜର କ୍ୱାଟରରେ ଏଭଳି ଅବେଳରେ ଜଣେ ଅନାଗତ ପୁରୁଷଙ୍କୁ ଦେଖି ସେ ବାକ୍‌ବିହୀନା ହୋଇ ପଡ଼ିଥିଲେ । ଭାଗ୍ୟର ବିପର୍ଯ୍ୟୟରେ ଶେଷକୁ ଏଇଆ ହେଲା ? ନିଶି ଉଜାଗର ଖୋଲିଲେ, ଘର ଭିତରେ ସେ ଅନ୍ୟଜଣେ ପୁରୁଷ ପାଲଟି ଗଲେ ?

 

‘କୁହନ୍ତୁ ? ନିତାନ୍ତ ଜରୁରୀ ? ସକାଳୁ ଆସିଥିଲେ ଚଳିନଥାନ୍ତା ?’

 

‘ଆବଶ୍ୟକତାଟା ସେମିତି ନ ହୋଇଥିଲେ..... ।’

 

କଥା ପୁରା କରିବାକୁ ଦେଲେ ନାହିଁ ପୁଷ୍ପିତା । ବରଂ ବୀରେନ୍ଦ୍ରଙ୍କୁ ଅପେକ୍ଷା କରିବାର କୋହଟା ବର୍ତ୍ତମାନ କ୍ରୋଧକୁ କ୍ରମେ ରୂପାନ୍ତରିତ ହେଉଥିଲା । କହି ଉଠିଲା—

 

‘ଆବଶ୍ୟକତା ଯାହାହେଉନା କାହିଁକି ଲୌକିକତାଟାକୁ ମଧ୍ୟ ଦୃଷ୍ଟିଦବା ଦରକାର । ଏଇଟା ସରକାରୀ କ୍ୱାଟାର, ତା’ଛଡ଼ା ମୁଁ ଜଣେ ମହିଳା । ଏ କ୍ୱାଟରରେ ଥାଏ ।’

 

‘ହଁ, କିନ୍ତୁ ମୁଁ ତ ଜଣେ ପୁଲିସ୍‌ ଅଫିସର ।’

 

‘ଏବଂ ଜଣେ ପୁରୁଷ ମଧ୍ୟ । ତା’ଛଡ଼ା ପୋଲିସ୍‌ ଅଫିସର ହେଲେ ଜଣେ କଳଙ୍କ ମୁକ୍ତ ହୋଇଥିବ ଏ ପ୍ରକାର ବାଣ ମୁଁ କୋଉଠି ପଢ଼ିନାହିଁ । ଛାଡ଼ନ୍ତୁ ! ବରଂ ଶୋଇବାଟା ଯଥେଷ୍ଟ ହୋଇ ନାହିଁ । କ’ଣ ଦୟାକରି ପଚାରିବାର ଅଛି ପଚାରିଲେ ବାକି ସମୟଟା ଭଲରେ କଟିବ ।’

 

‘ବସନ୍ତୁ...... ।’

 

‘ଦେଖନ୍ତୁ ! ବସିବା ଭଳି କଥାଟା ଲମ୍ବା ନହବା ଉଚିତ । ଚାକର ପିଲାଟା ଉଠିବା ବେଶ୍‌ ଡେରି ହବ । ଚା’ କଫି କରି ଆପ୍ୟାୟିତ କଲାଭଳି ଧୈର୍ଯ୍ୟ ମୋର ନାହିଁ ।

 

ପୁଷ୍ପିତା ଯେ ଅତିଷ୍ଠ ହୋଇ ଉଠିଛନ୍ତି ତାହା ପରିଷ୍କାର ଜଣା ପଡ଼ୁଥାଏ । ତଥାପି ଧୈର୍ଯ୍ୟ ସଞ୍ଚୟ କରି ସେ ଉତ୍ତର ଦେଇ ଚାଲିଥାନ୍ତି ।

 

‘ବୀରେନ୍ଦ୍ର ମାନସିଂଙ୍କର ଏଠାକୁ ଆସିବାର ଥିଲା ।’

 

ଏଇ କଥାରେ ପୁଷ୍ପିତା ସାମାନ୍ୟ ଇତସ୍ତତଃ ଭାବ ଅନୁଭବ କଲେ । କିନ୍ତୁ ତାଙ୍କର କଥାବାର୍ତ୍ତା । ଆହୁରି ସ୍ପଷ୍ଟ ହୋଇ ଉଠିଲା ।

 

‘ଆପଣ ବୀରେନ୍ଦ୍ର ମାନସିଂଙ୍କୁ ଚିହ୍ନନ୍ତି ?’

 

‘ବନ୍ଧୁ ବୋଲି ଧରି ନିଆ ଯାଇପାରେ ।’

 

‘ହଁ ତା’ତ ନିଶ୍ଚୟ ଜଣାପଡ଼ୁଛି । ବନ୍ଧୁଙ୍କ ଆସିବା ଖବର ନହେଲେ ପାଇଥାନ୍ତେ କେମିତି-। ସେଇ ବେଳରେ ବୁଝିବାକୁ ଆସିବାରୁ ଜାଣି ପାରୁଚି । କୁହନ୍ତୁ ।’

 

‘ବୀରେନ୍ଦ୍ର ବାବୁ ଆସିଛନ୍ତି ?

 

‘ବାସ୍‌ ଏତିକି ବୁଝିବାର ଥିଲା ଏ ଅବେଳରେ ଆସି ? ଆଚ୍ଛା କହି ପାରିବେ ଆପଣ କଲିଂବେଲ୍‌ ବଜେଇଲେ ନାହିଁ କାହିଁକି ?’

 

ଏ ପ୍ରକାର ପ୍ରଶ୍ନଟା କିଶୋର ସହଜରେ ବୁଝି ପାରିଲୋ ନାହିଁ ।

 

‘ମାନେ..... ?’

 

‘ବାହାରେ କଲିଂବେଲ୍‌ଟା ସେଇଠି ଲାଗିଛି । ତାକୁ ନବଜେଇ ଠକ୍‌ ଠକ୍‌ କରିବାର ଅର୍ଥ କଣ ?’

 

‘ବୁଝି ପାରିଲିନି । କଲିଂବେଲ୍‌ ବଜେଇଥିଲେ କଣ ହେଇଥାନ୍ତା ? ବରଂ ସେଇଟା ବେଶି ଜୋରରେ ବାଜି ବିରକ୍ତ କରିଥାନ୍ତା ।’

 

‘ଆଜ୍ଞା ହଁ, ଜୋରରେ ବାଜିଥିଲେ ଚାକର ପିଲାଟା ଉଠିଥାନ୍ତା । ଆଉ ଏଇ ଖବରଟା ଆପଣଙ୍କୁ ଜଣେଇ ଦେଇ ପାରିଥାନ୍ତି । ମୁଁ ଆସିବା ଦରକାର ନଥିଲା ।’

 

ଏଥରକ ଅଳ୍ପ କିଛି ବୁଝିଲେ ବୋଧହୁଏ କିଶୋର ।

 

‘ଓ, ଏଇ ଠକ୍‌ ଠକ୍‌ କରିବାରୁ ଆପଣ ବୁଝିଲେ ବୀରେନ୍ଦ୍ର ବାବୁ । କାରଣ ସେ କେବଳ ଠକ୍‌ ଠକ୍‌ କରନ୍ତି, ବେଲ୍ ନୁହେଁ ।’

 

‘ବାଃ.....ଆପଣ କେବଳ ବନ୍ଧୁ ନୁହଁନ୍ତି, ଏଥିରୁ ବୁଝାପଡ଼ିଲା ନିକଟ ବନ୍ଧୁ । ନହେଲେ ଏ ଠାରଟା ମଧ୍ୟ ସେ ଆପଣଙ୍କୁ କହି ନଥାନ୍ତେ ।’

 

‘କ୍ଷମା କରିବେ ଆଜ୍ଞା ! ସେ ମୋଟେ ଏକଥା ମୋତେ କହି ନାହଁନ୍ତି । କେବଳ ଆପଣଙ୍କ କଥାରୁ ହଁ ଯାହା ଜଣାପଡ଼ିଲା । ମୁଁ ଅନ୍ଧାରରେ କଲିଂବେଲ୍ ଦେଖି ନପାରି ଠକ୍‌ ଠକ୍ କରୁଥିଲି, ଏବଂ ବହୁତ ଆସ୍ତେ କରୁଥିଲି । ଯେମିତି ଆପଣ ବା ପାଖର ଅନ୍ୟ କେହି ବିରକ୍ତି ବୋଧ ନକରନ୍ତି ।’

 

Unknown

ପୁଷ୍ପିତା ଆହୁରି ଅସୁସ୍ଥିବୋଧ କରୁଥିଲେ । କେମିତି କୁହନ୍ତେ ଯେ ଜୋର୍‌ରେ ବେଲ୍‌ ବାଜିଲେ ତାଙ୍କ ନିଦ ଆଦୌ ଭାଙ୍ଗେ ନାହିଁ । ଆଉ ଅତି ଧିରେ ଏଇ ଠକ୍‌ ଠକ୍‌ ଶୁଣିବା ମାତ୍ରେ ସାତିରାତି ଅନିଦ୍ରାର ନିଦ ଚାଉଁକିନା ଭାଙ୍ଗିଯାଏ । ଏ ପ୍ରକାର ଠକ୍ ଠକ୍‌ ବୀରେନ୍ଦ୍ରଙ୍କର କେବଳ ବିଶେଷତ୍ୱ ନୁହେଁ ବେଲ୍ ନବଜେଇବା କେବଳ ତାଙ୍କର ଅଧିକାର ।

 

ଏତେଦିନ ସମ୍ପର୍କ ଭିତରେ ଥରଟିଏ କେବଳ ବୀରେନ୍ଦ୍ରଙ୍କୁ କବାଟ ଖୋଲିଦେଇ ଥିଲା ଚାକର ପିଲାଟା । କେଜାଣି କେମିତି ବହୁତ ରାତି ଯାଏ ପରୀକ୍ଷା ଖାତା ଦେଖି ଶୋଇବା ଫଳରେ ପାହାନ୍ତା ପହରକୁ ନିଦ ଜୋର ଲାଗି ଯାଇଥାଏ । ବେଲ୍ ବଜାଇବାରୁ ଚାକର ଉଠି କବାଟ ଖୋଲି ଦେଲା । ବାସ୍ ! ସେତିକିରେ ପ୍ରଳମ୍ବ ଅଶୁଦ୍ଧ ହୋଇଗଲା । ଦୁଇଦିନ ପର୍ଯ୍ୟନ୍ତ ପୁଷ୍ପିତାଙ୍କ ହାତରୁ ଚା’ ଖାଇ ନାହଁନ୍ତି ବୀରେନ୍ଦ୍ର । ଯେତେ ବୁଝାଇଲେ ବି ସେଇ ଗୋଟିଏ ଧାଡ଼ି—ଛାଡ଼ି, ଆମେ ତ ସେଇ ଷ୍ଟାଣ୍ଡାର୍ଡ଼ର ଲୋକ, ଚାକର ପୂଝାରୀ କବାଟ ଖୋଲିବେ, ଘରକୁ ଡାକିବେ, ଚା’ ଦେବେ, ଖାଇବାକୁ ଦେବେ, ତମର ବ୍ୟସ୍ତହବା ଦରକାର ନାହିଁ । ଦୀର୍ଘ ଦୁଇଦିନ ଧରି ସମସ୍ତ ଖୋସାମତର ଅଭିମାନ ଶେଷ କରି ଦେଇଛନ୍ତି ପୁଷ୍ପତା । ତଥାପି ଲାଭ ହେଲାନି ଦେଖି ନିଜର ଶେଷ ଅମୋଘ ପ୍ରୟୋଗ କଲେ ନିଜର ଖାଇବା ବନ୍ଦ । କଲେଜ ଗଲେ ଓପାସରେ, ଫେରିଲାବେଳକୁ ଯାହା ଆଶା କରିଥିଲେ ଠିକ୍‌ ତାହାହିଁ ହୋଇଛି । ନିଜେ ବୀରେନ୍ଦ୍ର ଆୟୋଜନ କରିଛନ୍ତି ରୋଷେଇର । ଏତିକିରେ ସମାଧାନ ହୋଇଗଲା ସେ ଅଭିମାନ, କିନ୍ତୁ ପୁଷ୍ପିତା ଯଥେଷ୍ଟ ପରିମାଣରେ ନିଶ୍ଚିନ୍ତ ହେଲେ ନାହିଁ । କାଳେ କେଉଁ କୋଣରେ କିଛି ଅଭିମାନ ରହି ଯାଇଥିବ—ସେଥିପାଇଁ ଏକ କ୍ଷୁଦ୍ରଗଲର ଅବତାରଣା କରିଥିଲେ ଦୁଇ ତିନି ଦିନ ତଳେ କେମିତି ରାତି ଅଧରେ ପାଖ କ୍ୱାଟରରେ ବେଲ ବାଜିଲା । ହଠାତ୍ କବାଟ ଖୋଲିବା ମାତ୍ରେ ଚୋର ମୁହଁ ବନ୍ଦ କରି ପଶିଆସି ସର୍ବସ୍ୱ ଖାଲି ନେଇ ଗଲେ ନୁହେଁ...ତାଙ୍କର ଝିଅ..... ।

 

ଆଉ କହିବାକୁ ପଡ଼ିନାହିଁ ପୁଷ୍ପିତାଙ୍କୁ । ଅବଶିଷ୍ଟାଂଶର ଅବ୍ୟକ୍ତ ଅନୁଭୂତି ଭିତରେ ଯେଉଁ ସିଦ୍ଧାନ୍ତରେ ବୀରେନ୍ଦ୍ର ଉପନୀତି ହେଲେ ତାହା ଏହି ‘ଠିକ୍‌ ଠିକ୍‌..... ।’ ତାଙ୍କର ନିଜର ନିଜସ୍ୱ ଏଇଟା, କଲିଂବେଲ୍‌ ଠାରୁ ଯଥେଷ୍ଟ କୋମଳ ହେଲେ ବି ପୁଷ୍ପିତାଙ୍କ ପାଇଁ ଖୁବ୍‌ ତୀକ୍ଷ୍‍ଣ ।

 

‘ଆପଣ ଟେଲିଗ୍ରାମ କରିଥିଲେ ବୀରେନ୍ଦ୍ର ବାବୁଙ୍କୁ ଆସିବା ପାଇଁ ?’

 

‘ଆପଣ କେମିତି ଜାଣିଲେ ?’

 

‘ସେ ମତେ ଦେଖେଇଥିଲେ ।’

 

‘ଓ ! ତା’ ମାନେ ଆପଣଙ୍କୁ ସେ କହିଛନ୍ତି କିଛି ଖବର ଦବାପାଇଁ ।’

 

‘ନାଁ, ବରଂ ମୁଁ ତାଙ୍କୁ ଖୋଜିବା ପାଇଁ ଆସିଛି ।’

 

‘ସେ ଆସି ନାହାଁନ୍ତି ।’

 

‘ଆଚ୍ଛା, ଆପଣ ତାଙ୍କୁ କଣ ପାଇଁ ଡକେଇଥିଲେ ?

 

‘ସେଇଟା ଆପଣଙ୍କୁ କହି ଲାଭ ?’

 

‘ମୋର ଦରକାର ଅଛି ।’

 

‘ଆପଣଙ୍କର ଯାହା ଯାହା ଦରକାର ସବୁଗୁଡ଼ା ଏଠୁ ମିଳିବା ଉଚିତ ଏକଥା କାହିଁକି ହଠାତ୍‌ ଭାବିଲେ ? ବୀରେନ୍ଦ୍ର ମାନସିଂଙ୍କ ବନ୍ଧୁ ବୋଲି ?’

 

‘ଆପଣଙ୍କର କଥାରେ ସାମାନ୍ୟ ବିଦ୍ରୂପ ଅଛି, ସେଇଟା ମୁଁ ବୁଝିପାରୁଛି । ତେବେ ମୋର ଦୁଃଖ କରିବାର କିଛି ନାହିଁ । ମୋର କେବଳ ଯାହା ଜାଣିବାର କଥା ମୁଁ ଜାଣିଲେ ଚାଲିଯିବି-।’

 

‘ବୀରେନ୍ଦ୍ର ଆସି ନାହାଁନ୍ତି ଜାଣି ସାରିଲା ପରେ ସଂଭ୍ରମତା ଦୃଷ୍ଟିରୁ ଆପଣ ଉଠିବା ଉଚିତ ।’

 

‘ଦେଖନ୍ତୁ ଡକ୍ଟର ପଟ୍ଟନାୟକ ! ମୁଁ ଯାହା କହିବି ଅପ୍ରିୟ ହେଲେ ମଧ୍ୟ କଥାଟା ସତ୍ୟ । ବୀରେନ୍ଦ୍ର ଆଜି ଆସିନାହିଁନ୍ତି ନୁହେଁ ଆଉ ବୋଧହୁଏ ବେଶ୍‌ କିଛିଦିନ ପାଇଁ ଆସିବେ ନାହିଁ ।’

 

ଏଇ କଥା ଉପରେ ହଠାତ୍‌ କେମିତି ଏକ ଅବ୍ୟକ୍ତ ଶବ୍ଦ ଖୁବ୍‌ ଚାପି ହୋଇ ଅଜାଣତରେ ପୁଷ୍ପି ତାଙ୍କର କଣ୍ଠରୁ ବାହାରି ଆସିଲା । ଠିକ୍‌ ସେଇ ପରିମାଣରେ ଚକ୍ଷୁର ଆୟତନ, ନାସିକାର ସ୍ଫୁରଣ ଆଉ ଭ୍ରୂଲତାର ସଂକୋଚନ ତାଙ୍କ ମୁଖମଣ୍ଡଳକୁ ଭିନ୍ନ ଭାବରେ ଚିନ୍ତିତ କଲା । କ’ଣ ପଚାରିବେ ବା କୋଉଠୁ ପଚାରିବା ଉଚିତ ସେ ଠିକ୍‌ କରିପାରୁ ନଥିଲେ । ହତବମ୍ବ ହୋଇ ବେଶ୍‌ କେତେକ୍ଷଣ ନିର୍ବାକ ଭାବରେ ଅଟକି ଗଲେ ।

 

ଧଡ଼ାସ୍‌ କରି ଖସି ପଡ଼ିଲା, ଦରମେଲା ବ୍ରିଫକେସ୍‌ଟା ଟେବୁଲ ଉପରୁ । ଟେବୁଲ ତଳକୁ ରଖି ଦେଇଥିବା ଚା’ କପ୍‌ରୁ ବାକି ରହିଯାଇଥିବା ଅବଶେଷ ଢାଳି ହୋଇଗଲା ଚଟାଣରେ । ଖବରକାଗଜଟାକୁ ଚାପିଧରି ବିଧାଟାଏ ପକେଇଲାବେଳେ ଟେବୁଲରେ ହାତବାଜି ଖସି ପଡ଼ିଲା ବ୍ରିଫକେସ୍‍ । ଅଯତ୍ନ ଭାବରେ ପଡ଼ି ଯାଇଥିବା ପଦାର୍ଥଗୁଡ଼ିକୁ ଏକାଥରେ ଉଠେଇ ରଖିଦେଇ ଦୀର୍ଘଶ୍ୱାସ ଛାଡ଼ିଲେ । ଦାନ୍ତ କଡ଼ମଡ଼ ହେଉଥିବା ଶବ୍ଦ ଭିତରୁ ସତେକି ବାହାରି ଆସୁଥାଏ—

 

‘କିଶୋର ! ବର୍ତ୍ତମାନ ମୁହୂର୍ତ୍ତରେ ତମେ ସାମନାରେ ପଡ଼ିବାର ଦରକାର ଥିଲା । ବୀରେନ୍ଦ୍ର ମାନସିଂ କେବଳ ବନ୍ଧୁକ ଚଲେଇବା ମୁତାବକ ହାତଟାଣ କରିନାହିଁ—ସାମନାରେ ଗଣ୍ଡା ଗୟଳ ପଡ଼ିଲେ ତାଙ୍କ ଶିଙ୍ଘକୁ ଧରି ବଳ କଷିବାକୁ ମଧ୍ୟ ସିଂହର ବଳ ସଞ୍ଚୟ କରିଛି । ତା’ ସାଙ୍ଗରେ ଆଉ ତାର ଲୋକ ସାଙ୍ଗରେ ତମେ ଏମିତି ଭାବରେ ଖେଳିବାକୁ ସାହାସ କରିଛ—ବାସ୍‌, ସେତିକି ତମ ପୁନର୍ଜନ୍ମ ପାଇଁ ଯଥେଷ୍ଟ ।’

 

ଆଉ ଥରେ ଖବର କାଗଜଟାକୁ ଆମୂଳଚୂଳ ପଢ଼ିଲେ । ପ୍ରକୃତରେ କ’ଣ ପୁଷ୍ପ ଏକଥା କହିଥିବେ ? ବୀରେନ୍ଦ୍ର ମାନସିଂ ଏକ କଳଙ୍କିତ ଅସାମାଜିକ ବ୍ୟକ୍ତି ? ଦାୟରେ ପଡ଼ି କେବଳ ସେ ତାଙ୍କ ସହିତ ସମ୍ପର୍କ ରଖିଥିଲେ ? ପୁଣି ବିଶେଷ କରି ଏଭଳି କିଚି ଆନ୍ତରିକ ସମ୍ପର୍କ ତାଙ୍କ ସହିତ ଡକ୍ଟର ପୁଷ୍ପିତା ପଟ୍ଟନାୟକଙ୍କର ନାହିଁ ? ଏସବୁ କିଶୋରଙ୍କର ଚାଲବାଜି । କିନ୍ତୁ ପରମୁହୂର୍ତ୍ତରେ ବୀରେନ୍ଦ୍ରଙ୍କ ମନ ଫିକା ପଡ଼ିଗଲା । ଯଦି ପ୍ରକୃତରେ ଏ ସମସ୍ତ କଥା ପୁଷ୍ପ ନ କହିଥାନ୍ତି ତେବେ କିଶୋରଙ୍କର ପ୍ରକାଶ କରେଇବା ଭଳି ସାହାସ ହୁଅନ୍ତା କିପରି । ପୁଷ୍ପ ନିଶ୍ଚୟ ପ୍ରତିବାଦ ସ୍ୱରୂପ ମକଦ୍ଦମା କରନ୍ତେ । ମାନହାନି ଦାବି କରନ୍ତେ ।

 

ତେବେ କ’ଣ ପ୍ରକୃତରେ ପୁଷ୍ପ ଏକଥା କହିଛନ୍ତି ? ସତରେ ସେ କହି ପାରିଲେ ? ତା’ହେଲେ ବୀରେନ୍ଦ୍ରଙ୍କର ଏତେ ଦିନର ଗବେଷଣାର ସନ୍ଦର୍ଭ କଣ ଭୁଲ୍‍ ବୋଲି ପରିଗଣିତ ହେବ-?

 

କାହିଁକି କେଜାଣି ତୁହାକୁତୁହା ତାଙ୍କ ମନ ଭିତରେ ଆଲୋଡ଼ନ ସୃଷ୍ଟି ହେଲା ଏବଂ ଏହା ଦ୍ୱନ୍ଦ୍ୱରେ ପରିଣତ ହେବାକୁ ଲାଗିଲା । ପୁଷ୍ପକୁ ଦାୟୀ କରିବା ଆଗରୁ ବୀରେନ୍ଦ୍ର ନିଜର ସ୍ଥିତି ପରୀକ୍ଷା କରିନବାକୁ ଚାହାନ୍ତି । ଏ ସମସ୍ତଙ୍କୁ ଯଦି ସତ୍ୟ ବୋଲି ଧରି ନିଅନ୍ତି ତେବେ ହଠାତ୍‌ ତାଙ୍କ ଚାରିକଡ଼େ ପୃଥିବୀରେ ଭୂମିକମ୍ପ ସୃଷ୍ଟି ହେବା ଅସମ୍ଭବ ନୁହେଁ । ସମୁଦ୍ରର ଜଳରାଶି ମାଡ଼ି ଆସିବା ମଧ୍ୟ ବିଚିତ୍ର ନୁହେଁ ।

 

ନାଁ ! ୟା ମଧ୍ୟ ସମ୍ଭବ । ବର୍ତ୍ତମାନ ପାଇଁ ପୁଷ୍ପିତାଙ୍କୁ ଆୟତ୍ତ କରାଯାଇଛି ଏବଂ ନୀତି ଦୃଷ୍ଟିରୁ ତାଙ୍କ ମୁହଁ ବନ୍ଦ କରାଯାଇ ଏଭଳି ଏକ ପ୍ରଚାର କରାଯାଉଛି ।

 

‘କିଶୋର ତମ ବଡ଼ ହାକିମଙ୍କ ବୁଦ୍ଧିକୁ ତାରିଫ ନକରି ରହି ହେଉନାହିଁ । ହେଲେ ମନେରଖ, ବୀରେନ୍ଦ୍ର ମାନସିଂକୁ ଯେତିକି ତମେ ଚିହ୍ନିଛ ସେ କେବଳ ସେତିକି ନୁହେଁ । ତାଠାରୁ ଆହୁରି ଯଥେଷ୍ଟ ବ୍ୟାପ୍ତ ଓ ପ୍ରସାରିତ । ସେ ସମସ୍ତ କଳନା କରିବା ତମ ଶକ୍ତିର ବାହାରେ ।’

 

ବୁଦ୍ଧିର ଖେଳ ଆରମ୍ଭରୁ ତେବେ ବେଶ୍‌ ଜମିଗଲା । ପରିସ୍ଥିତି ଓ ପରିବେଶର ସହାୟତାରେ ଘଟଣାଟା ଆହୁରି ଛନ୍ଦି ହୋଇଯାଉଛି । ବେଶ୍‌ ! ତେବେ ବୀରେନ୍ଦ୍ରଙ୍କର ପାଳି ବର୍ତ୍ତମାନ ଆରମ୍ଭ ହେଲା । ତାଙ୍କୁ ଆହୁରି କେଇଟା ଦିନ ଅପେକ୍ଷା କରି ଦେଖିବାକୁ ପଡ଼ିବ । କୋଉ ପାଣି କୁଆଡ଼କୁ ଗତି କରୁଛି ଜାଣିବାଟା ନିତାନ୍ତ ଦରକାର । ସୁଯୋଗ ଅପେକ୍ଷାରେ ରହିବେ ସେ ।

 

ଆଦେଶ ମୁତାବକ ତାଙ୍କର ଆଉ କପେ ଚା’ଧରି ହୋଟେଲର ପିଲାଟା ରୁମ୍‌ ଭିତରକୁ ଆସିଲା । ଅପରିଷ୍କାର ହୋଇଥିବା ଚଟାଣକୁ ପରିଷ୍କାର କରିବାକୁ ଆଦେଶ ଦେଲେ ବୀରେନ୍ଦ୍ର । ବାଳକଟି ସାଙ୍ଗେ ସାଙ୍ଗେ କାମରେ ଲାଗିଗଲା ।

 

‘ବାବୁ ! ମଟର ସାଇକେଲ୍‌ ଟା କ’ଣ ମଧ୍ୟପ୍ରଦେଶରୁ କିଣିଥିଲେ ?’

 

ଝିମ୍‌ କରି ଲାଗିଲା କଥାଟା ବୀରେନ୍ଦ୍ରଙ୍କୁ । ସାମାନ୍ୟ ଅସାବଧାନ ହୋଇଥିଲେ ହାତରୁ କପ୍‌ଟା ଖସି ପଡ଼ିଥା’ନ୍ତା । ବୀରେନ୍ଦ୍ର ପ୍ରଥମେ ପିଲାଟାକୁ ତୀକ୍ଷ୍‌ଣ ଦୃଷ୍ଟିରେ ଥରେ ଦେଖିଦେଲେ । ତା’ପରେ ପ୍ରଶ୍ନ କଲେ—

 

‘କଣ ଦରକାର ?’

 

‘ଆଜ୍ଞା ନାଁ, ମୁଁ ନୁହେଁ । ଦୁଇଜଣ ବାବୁ ତଳେ ଠିଆହୋଇ ମଟର ସାଇକେଲ୍‍ଟି ଦେଖୁଥିଲେ, କଥାଭାଷା ହେଉଥିଲେ । ମୁଁ ପାଖକୁ ଯାଇ ପଚାରିବାରୁ କହିଲେ ମଧ୍ୟ ପ୍ରଦେଶରୁ କୋଉ ବାବୁ ଆସିଛନ୍ତି କି ?’

 

‘ସେଇଠୁ... ?’

 

‘ମୁଁ କହିଲି ସାର ଆମର ପୁରାପୁରି ଓଡ଼ିଆ । ମଧ୍ୟ-ପ୍ରଦେଶରୁ କାହିଁକି ଆସିବେମ ? ସେଇଠୁ ସେମାନେ କହିଲେ ଗାଡ଼ିଟା ଏମ୍‌: ପି:ର । ମୁଁ କହିଲି ସାର୍‌ଙ୍କ କ’ଣ ଏମ୍‌: ପି:ରୁ ଗାଡ଼ି କିଣିବାକୁ ମନା ?’

 

‘ତା’ପରେ... ?’

 

‘ନାହିଁ ଆଜ୍ଞା ଆଉ ବେଶି କିଛି ନୁହେଁ । ସେମାନେ ବୋଧହୁଏ ଗାଡ଼ିଟାଏ କିଣିବାକୁ ଚାହାଁନ୍ତି—ପଚାରିଲେ ଯେ—କ’ଣ ଗାଡ଼ିଟା ବାବୁ ବିକିବେ କି ? ମୁଁ କହିଲି ମୁଁ କେମିତି ଜାଣିବି ।’

 

ଏତକ କହିସାରି ବାଳକଟି ନିଜ କାର୍ଯ୍ୟରେ ମନୋନିବେଶ କଲା ।

 

ବୀରେନ୍ଦ୍ର କିନ୍ତୁ ଆଉ ନିଶ୍ଚିନ୍ତ ରହି ପାରିଲେନି । ତାଙ୍କୁ କେମିତି ସହଜ ଭାବରେ ବୁଝାପଡ଼ିଲା କଥାଟା । କେବଳ କିଶୋରଙ୍କୁ ନୁହେଁ ରାଜ୍ୟର ସମସ୍ତ ପୋଲିସ୍‌ ଶକ୍ତିପ୍ରତି ତାଙ୍କର ଯେଉଁ ହେୟ ମନୋଭାବ ଥିଲା ତାହା କ୍ରମେ ଅପସରି ଗଲା । ଯେଉଁ ଦୁଇଜଣ ଗାଡ଼ିକଥା ପଚାରି ବୁଝୁଚନ୍ତି, ସେ ଦୁହେଁ ହୁଏତ ଦୁଇଟି ପୁଲିସ୍‌ ଅଫିସର ହବା ସ୍ୱାଭାବିକ୍‌ । ତାଙ୍କୁ ଅନୁସରଣ କରି ଚାରିଆଡ଼େ ଜାଲ ବିଛେଇ ଥିବା କିଶୋର ବା ତାଙ୍କ ଗୋଷ୍ଠୀର କେହି ଖବରପାଇ ଏଯାଏ ଆସିଛନ୍ତି । ଯେକୌଣସି ପଳାତନ ଆତ୍ମଗୋପନ କରିବାକୁ ନିଜ ଗାଡ଼ିର ଲାଇସେନ୍‌ସ ପ୍ଲେଟ୍‍କୁ ବଦଳେଇବା ସ୍ୱାଭାବିକ କଥା । ତେଣୁ ବୀରେନ୍ଦ୍ର ବି ସେଇଆ କରିଥାଏ ପାରନ୍ତି ବୋଲି ଅନୁମାନ କରି ଆସିଲା ବେଳେ ବାଟରେ ସେହି ଦୋକନରେ ପ୍ରଶ୍ନ କରିଥାଇ ପାରନ୍ତି । ତା’ପରେ ଏଯାଏ ଆସି ପହଞ୍ଚିବା ଅସମ୍ଭବ ନୁହେଁ ।

 

ଏତିକି ଭାବି ସାରିବା ପରେ ବୀରେନ୍ଦ୍ର ସତର୍କ ହୋଇଉଠିଲେ । ତାଙ୍କ ନିକଟରେ ସମୟର ମୂଲ୍ୟ ବହୁତ ବେଶି । ଖୁବ୍‌ ଶୀଘ୍ର ତାଙ୍କୁ ଏଠାକାର ସମସ୍ତଙ୍କ ଆଖିରେ ଧୂଳି ଦେଇ ପଳେଇବାକୁ ପଡ଼ିବ । କିନ୍ତୁ କୁଆଡ଼େ ଯିବେ ? ଏଇ କଥାରେ ସାମାନ୍ୟ ହସ ଲାଗିଲା । କୁଆଡ଼େ ଆଉ ଯିବାର ପ୍ରଶ୍ନ କାହିଁକି ? ଯେଉଁଆଡ଼େ ଯିବାର କଥା ସିଆଡ଼େ ଯଦି ଯାଇ ନପାରି ଲକ୍ଷ୍ୟଚ୍ୟୁତ ହେଲେ ତେବେ ଯେକୌଣସି ଆଡ଼େ ଯାଇ କକ୍ଷଚ୍ୟୁତ ଭଳି ଘୂରି ବୁଲିବାରେ ବାଧା ଆଉ କଣ ?

 

ପିଲାଟା ଘର ସଫାକରି ଚାଲିଗଲା । ବୀରେନ୍ଦ୍ର ଝରକା ବାଟେ ହୋଟେଲର ତଳକୁ ଥରେ ସତର୍କରେ ଚାହିଁ ଦେଲେ । କେମିତି କେଜାଣି ତାଙ୍କୁ ଲାଗିଲା ବେଶ୍‌ କିଛି ଲୋକ ବିଭିନ୍ନ ସ୍ଥାନରେ ଠିଆହୋଇ କିଛି ଗୋଟାଏ ଆଲୋଚନା କରୁଛନ୍ତି । ବୀରେନ୍ଦ୍ର ପ୍ରସ୍ତୁତ ହେଲେ ।

 

ଅଳ୍ପକ୍ଷଣ ଭିତରେ ହୋଟେଲ୍‌ର ସମସ୍ତ ପଇସା ଚୁକ୍ତି କରି ବୀରେନ୍ଦ୍ର ବାହାରିଲେ । ସାମାନ୍ୟ ମାନସିକ ପ୍ରସ୍ତୁତ କରି ଦେଲେ—ଯଦି ତାଙ୍କୁ କିଏ ବାଧାଦିଏ ତେବେ ତାଙ୍କର ପ୍ରତିକ୍ରିୟା କଣ ହବା ଉଚିତ୍‌ । ହୋଟେଲ୍‌ ଛାଡ଼ିବା ଆଗରୁ ଆଉଥରେ ଦେଖି ଦେଲେ ବାକ୍‌ସଟିକୁ । ଯଥେଷ୍ଟ ଟଙ୍କା, ଯଥେଷ୍ଟ ଟଙ୍କା ତା ଭିତରେ । ବେଶ୍‌ କିଛିଦିନ ଚଳିଯିବା ମୁତାବକ ଗଚ୍ଛିତ ଅଛି । ମନେ ମନେ ସେଇ ଅପରିଚିତ ପୁରୁଷଟିକୁ ଅଶେଷ କୃତଜ୍ଞତା ଜଣେଇଲେ । ତାଙ୍କର ଯେମିତି ମନେହେଲା ବୀରେନ୍ଦ୍ରଙ୍କ ଅସମୟରେ ସାହାଯ୍ୟ କରିବାକୁ ଭଗବାନଙ୍କ ଅଭିପ୍ରେତ କୌଣସି ଦେବଦୂତ, ଆସିଥିଲେ ନିଜର କର୍ତ୍ତବ୍ୟ ସାରି ସେଇ ମୁହୂର୍ତ୍ତରେ ସ୍ୱର୍ଗକୁ ବାହୁଡ଼ି ଯାଇଛନ୍ତି ।

 

ମଟର ସାଇକେଲ୍‌ରେ ବସି ଷ୍ଟାର୍ଟ କଲାବେଳେ ତାଙ୍କୁ ଜଣାପଡ଼ିଲା ଯେମିତି ଅନେକ ଲୋକ ତାଙ୍କ ଆଡ଼କୁ ମାଡ଼ି ଆସିପାରନ୍ତି । ତେଣୁ କୁଆଡ଼େ ଆଉ ଚାହିଁବାକୁ ଇଚ୍ଛା ହେଲା ନାହିଁ । ଆଗାମୀ ପରିସ୍ଥିତିକୁ ଅପେକ୍ଷା କରି ଗମ୍ଭୀରତାର ସହିତ ଗାଡ଼ିକୁ ଆଗକୁ ଗଡ଼େଇଲେ । ତଥାପି କିଛି ଜଣାପଡ଼ୁ ନାହିଁ । ତା’ପରେ ଆଖି ପିଛୁଡ଼ାକେ ଗାଡ଼ିଟି ଆଗକୁ ଗଡ଼ିଗଲା ଏବଂ ଅଦୃଶ୍ୟ ହୋଇଗଲା ।

 

କିଛିବାଟ ଗଲାପରେ ପଛରୁ କୌଣସି ଗାଡ଼ି ଆସିବାର ସୂଚନା ନଦେଖି ବୀରେନ୍ଦ୍ର କଥାଟା ବୁଝିବାକୁ ଚେଷ୍ଟା କଲେ । ବିଚାରା ସବ୍‌ଇନ୍‌ସପେକ୍ଟର ଦୁଇଜଣ ହୁଏତ ସନ୍ଦେହଜନକ ମଟର ସାଇକେଲ୍‌ଟିକୁ ଠାବକରି ନିଜ ହାକିମକୁ ଯାଇ କହିଥିବେ । ଦକ୍ଷ ହାକିମ ନିଶ୍ଚେ ବାବୁଙ୍କ ନାଁ ଗାଁ କୁଆଡ଼େ ଯିବେ କେବେ ଯିବେ ଏସବୁ କାହିଁକି ବୁଝି ନାହାନ୍ତି ବୋଲି ଗାଳି ଦେଇଥେବେ । ତା’ପରେ ପୁଣି ସେମାନେ ଫେରିଥିବେ ହୋଟେଲକୁ । ସେଠୁ ଖବର ନେଇଥେବେ ବାବୁ ଆଉ ଦି’ଦିନ ରହିବେ କଣ କନ୍‌ଫରେନ୍‌ସ ଅଛି ବୋଲି । ବାସ୍‌, ତା’ପରେ ହୁଏତ ହାକିମ ନିଜେ ଇସ୍ତ୍ରୀକରା ପୋଷାକ ପିନ୍ଧି ସଦଳବଳେ ଗାଡ଼ିରେ ଆସି ପହଞ୍ଚିବାର ଯୋଜନା କରୁଥେବେ । ଏତେ ଦୁଃଖରେ ମଧ୍ୟ ବୀରେନ୍ଦ୍ର ହସିଲେ ।

 

କେମିତି କେଜାଣି ଅଳ୍ପ କିଛିକ୍ଷଣ ପରେ ବୀରେନ୍ଦ୍ରଙ୍କ ଆଖି କୋଣରେ ଲୁହ ଜକେଇଲା ପରି ଲାଗିଲା । ହାତମୁଠା ଭିତରେ ଗାଡ଼ିର ବେଗ ଶିଥିଳ ହୋଇଉଠିଲା । କୁଆଡ଼େ ଯାଉଛନ୍ତି ସେ-? କଣ ପାଇଁ ଯାଉଛନ୍ତି ? ପ୍ରକୃତରେ କଣ ସେ ଦୋଷୀ ଆଉ ସେଇ ଉଭୟେ ପଳାୟନ କରୁଛନ୍ତି-? ହଁ, ଦୋଷୀ ନୁହଁତ ଆଉ କ’ଣ ? ଅଧରାତିରେ ସ୍ତ୍ରୀ ପାଖରୁ ପଳେଇ ଆସିବାର ଉଦ୍ଦେଶ୍ୟ କ’ଣ-? ପୁଷ୍ପିତାଙ୍କ ନିକଟକୁ ଏମିତି ଆକୁଳତାର ସହିତ ଧାଇଁବାଟା ଦୋଷ ନୁହଁତ ଆଉ କ’ଣ-? ବାଟରେ ଘଟିଥିବା ଘଟଣା ଫଳରେ ଦୁଇ ଦୁଇଟି ଦୁର୍ଘଟଣା, ନାରୀଟି ମୃତ । ପୁରୁଷ କଥା ସେ ଜାଣନ୍ତି ନାହିଁ-। ଏସବୁ ମଧ୍ୟ ଦୋଷଛଡ଼ା ଆଉ କ’ଣ ହୋଇପାରେ ? ସୂର୍ଯ୍ୟମୁଖୀ ଫୁଲର ନିଷ୍ଠା ନେଇ ଯେଉଁ ସାବିତ୍ରୀ ତାଙ୍କୁ ସତ୍ୟବାନର ଆସନ ଦେଇଛନ୍ତି-। ସେଥିରେ ବୀରେନ୍ଦ୍ର ଅବମାନନା କରିଛନ୍ତି । ଏସବୁଗୁଡ଼ିକ ଦୋଷ ତାଲିକାରେ ଯାଏ । ପରିସ୍ଥିତି ପାଇଁ ହେଉ ବା ଦୁର୍ଘଟଣାରୁ ହଉ । ଘଟଣାଟା ଘଟଣା, ତାକୁ ଗ୍ରହଣ କରିବାକୁ ହିଁ ପଡ଼ିବ ।

 

ଆଗରେ ପଡ଼ିଲା ରାସ୍ତା କଡ଼ରେ ଛୋଟ ମନ୍ଦିରଟିଏ । ଚଉପାଢ଼ୀଟିଏ କରି ଦେଇ ତିନିହାତରେ ମନ୍ଦିରଭଳି କରାହୋଇଛି । ଉପରେ ବିରାଟ ଝଙ୍କାଳିଆ ବରଗଛ । ଚଉତରାଟି ବେଶ୍‌ ଚିକ୍‌କଣ ଆଉ ଶୀତଳ । ଏକବାରେ ନିରୋଳା ସ୍ଥାନ । ଅଭ୍ୟାସ ବଶତଃ ମୁଣ୍ଡିଆଟିଏ ମାରି ଟଙ୍କାଟିଏ ଦେଇଯିବା କଥା । ଗାଡ଼ି ଷ୍ଟାର୍ଟ ବନ୍ଦକରି ଠିଆ କଲେ । ପାଖକୁ ଯାଇ ମୁଣ୍ଡିଆଟିଏ ମାରି ଟଙ୍କାଟିଏ ଗଳେଇ ଦେଲେ । ତାଙ୍କର କେମିତି ମନେହେଲା ଆଜିକାର ଏ ମୁଣ୍ଡିଆ ମାରିବାଟା ସାମାନ୍ୟ ଭିନ୍ନ ଧରଣର ହୋଇଗଲା । ଅନ୍ୟ ସବୁଦିନ ସେ ମୁଣ୍ଡ ନୁଆଁନ୍ତି ନାହିଁ, ହାତ ଉଠେଇ ଚାଲିଯାନ୍ତି । ଏଇ ଅଭ୍ୟାସଟା ମଧ୍ୟ ପୁଷ୍ପିତାଙ୍କ ଦାନ ।

 

ଥରେ ବାଟରେ ଏମିତି କୁଆଡ଼େ ଯାଉଥିଲାବେଳେ ଏହିପରି ଏକ ମନ୍ଦିରରୁ ପୂଜକ ଆଣି ଗାଡ଼ି ଭିତରେ ସିନ୍ଦୂର ଲଗେଇଲା, ପୁଷ୍ପ ବୀରେନ୍ଦ୍ରଙ୍କୁ ଟଙ୍କାଟିଏ ଦବାକୁ କହିଲେ । ବାଧ୍ୟରେ ବୀରେନ୍ଦ୍ର ଦେଲେ ସତ କିନ୍ତୁ ପରକ୍ଷଣରେ ପୁଷ୍ପଙ୍କୁ ବୁଝେଇଲେ—

 

‘ଇଏ ମଧ୍ୟ ରୋଜଗାରର ଏକ ବାଟ ।’

 

‘ଅନେକ ବାଟ ଭିତରୁ ଗୋଟାଏତ ?’

 

‘ମୁଁ ମୋଟେ ଏସବୁ ଯାଗାରେ ପଇସା ଦବାକୁ ପସନ୍ଦ କରେ ନାହିଁ । ବାଟରେ ଘାଟରେ ଯୋଉଠି ପାରି ସେଠି ମେଞ୍ଚାଏ ସିନ୍ଦୂର ପଥର ଦେହରେ ଲଗେଇ ଦେଇ ଠାକୁର କରିଦେଲେ ତା’ପରେ ଦିଅ ପଇସା । ଛତୁ ଫୁଟିଲା ଭଳି ଏଭଳି ମନ୍ଦିର ଗଢ଼ି ଉଠୁଛି ।’

 

‘ନାଁ, ଯେତେ ଏମିତି ମନ୍ଦିର ହବ ଭଲ, ଆଚ୍ଛା କହିଲ ! ଏମିତି ମନ୍ଦିର ରାସ୍ତାକଡ଼ରେ ବେଶି ବଢ଼ୁଚି ନାଁ ଛୋଟ ମଦ ଦୋକାନ ଆଉ ଗଞ୍ଜେଇ ଭାଟି ବେଶି ବଢ଼ୁଚି ? ବର ଏମିତି ଦିଅଁ ଦେବତା ଯେତେ ବଢ଼ିବ ମଣିଷ ସେତିକି ସଚେତ ହବ । ଏ ଯାଗାରେ ଟଙ୍କାଟାଏ ଦବାକୁ କେବେ କାର୍ପଣ୍ୟ କରିବ ନାହିଁ ।’

 

ବାସ୍‌, ସେଇଦିନଠାରୁ ବୀରେନ୍ଦ୍ର ଉପଦେଶରେ ଖିଲାପ୍‌ କରିନାହାଁନ୍ତି । ମଦଭାଟି ବଢ଼ିବ ଉଚିତ କି ଠାକୁର ମନ୍ଦିର ବଢ଼ିବ ଉଚିତ ଏହା ଉପରେ ତାତ୍ତ୍ୱିକ ଗବେଷଣା ବା ତୁଳନା କରିବାକୁ ଚେଷ୍ଟା କରିନାହାଁନ୍ତି । ପୁଷ୍ପ ଚାହାଁନ୍ତି ଏଠି କିଛି ଦିଆହବା କଥା, ବାସ୍‌ ସେତିକି । ଯୁଆଡ଼େ ଯେତେବେଳେ ଗଲେ ବାଟରେ ଯଦି ଏମିତି କିଛି ବାଟଦିଅଁ ପଡ଼ନ୍ତି ସେଠି ଟଙ୍କାଟାଏ ଛାଡ଼ିଦେଇ ଯିବାକଥା ।

 

ମୁଣ୍ଡିଆ ମାରି ସାରିଲା ପରେ ଇଚ୍ଛା ହେଲା ସେଇ ଚଉପାଢ଼ୀ ଉପରେ ଟିକିଏ ବସିବାକୁ-। ବସିଲେ ବୀରେନ୍ଦ୍ର । କେମିତି ମନେହେଲା ଭାରି ନିଃସହାୟ ହୋଇ ଉଠିଛନ୍ତି ସେ ପ୍ରକୃତରେ ଯଦି ବେଢ଼ାଘେରା ହୋଇ ମନ୍ଦିରଟିଏ ହୋଇଥାନ୍ତା । ତେବେ ନିଜକୁ ନିଭୃତରେ ରଖି ସେ ଘଡ଼ିଏ କେବଳ କାନ୍ଦିଥାନ୍ତେ । କିନ୍ତୁ ଏଠି ତାହା ସମ୍ଭବ ନୁହେଁ । ଘଣ୍ଟାକୁ ଚାହିଁ ସଚେତ ହେଲେ-। ନା, ତାଙ୍କ ପାଇଁ ବର୍ତ୍ତମାନ ଦୁର୍ବଳତା କାମ୍ୟ ନୁହେଁ । ମଟର ସାଇକେଲ୍‌ ଟି ସଜୀବ ହୋଇଉଠିଲା-

 

ରାସ୍ତାଟା ସମ୍ପୂର୍ଣ୍ଣ ଭାବରେ ନିରୋଳା । ଦିନବେଳ ହୋଇଥିଲେ ମଧ୍ୟ କେମିତି କେଜାଣି ବହୁତ ଶୂନ୍ୟତା ଅନୁଭବ କରୁଥିଲେ ବୀରେନ୍ଦ୍ର । ବିଶେଷ କରି ମଟର ସାଇକେଲ୍‌ରେ ଏତେବାଟ ଯିବା ତାଙ୍କ ପାଇଁ କେବଳ ବିରକ୍ତିକର ନୁହେଁ, କ୍ଳାନ୍ତିଦାୟକ ମଧ୍ୟ । ତଥାପି ଯିବାକୁ ହେବ । ହୁଏତ ସମ୍ପୂର୍ଣ୍ଣ ଅପରିଚିତ ସ୍ଥାନକୁ ଯିବାକୁ ପଡ଼ିପାରେ । ତାହାହିଁ ଶ୍ରେୟସ୍କର, କେହି ଚିହ୍ନାମୁହଁ ନଥିବେ । ଖଣ୍ଡେଦୂର ପରେ ପେଟ୍ରୋଲ ପମ୍ପଟିଏ ପଡ଼ିଲା । ବୀରେନ୍ଦ୍ର ଭିତରକୁ ଆଗେଇଲେ ।

 

ଆଗେ ଆଗେ ଜିପ୍‌ଟା ବାହାରିଗଲା । ତେଲ ନେଇ ସାରିଥିଲା ବୋଧହୁଏ । ସେଇ ଜାଗାରେ ମଟର ସାଇକେଲ୍‌ଟି ଠିଆ କରେଇ ଷ୍ଟାର୍ଟ ବନ୍ଦ କଲେ । ତେଲ ପୁରା ନେଇଯିବା ଦରକାର । ଦେଖିଲେ ଦୁଇଜଣ ଲୋକ ଠିଆ ହୋଇ କଥାବାର୍ତ୍ତା କରୁଛନ୍ତି । ଅଥଚ ଗରାଖ ଠିଆ ହେଲେଣି ନଜର ନାହିଁ । ସାମାନ୍ୟ ଅପେକ୍ଷା କରିବା ଭିତରେ ତାଙ୍କୁ ଜଣାଗଲା ଉଭୟେ ସାମାନ୍ୟ ଉଚ୍ଚସ୍ୱରରେ ପରସ୍ପର ଭିତରେ ଯୁକ୍ତିତର୍କ, ଆରମ୍ଭ କରିଛନ୍ତି । ଜଣେ କହୁଚି ଅନ୍ୟ ଜଣଙ୍କୁ—

 

‘କଣ ପୁଲିସ୍‍ବାକୁ ହେଲେ ବୋଲି ଭଗବାନ ହୋଇଗଲେ ? ଆମେତ ମଣିଷ । ତମର କାମ ଅଛି ତ ଆମେ କଣ କରିବା ?’

 

ବୀରେନ୍ଦ୍ର ଦେଖିଲେ ତାଙ୍କୁ ପଦେ ଖଣ୍ଡେ କହିବାକୁ ପଡ଼ିବ । କାରଣ ଦୁହେଁ ଯେପରି ଅବସ୍ଥାରେ ଅଛନ୍ତି ନିଜେ ନକହିଲେ ସେମାନଙ୍କର ତର୍କ ଭାଙ୍ଗି ଗାଡ଼ି ପାଖକୁ ଆସିବାର ସମ୍ଭାବନା ନାହିଁ ।

 

‘ବାବୁ କଣ ହେଲାକି ? ଆମକୁ ତେଲ ଦିଅ ହେ । ପଛରେ ଆଲୋଚନା କଲେ ହବ ନାଇଁ ?’ ବୀରେନ୍ଦ୍ର ମୁହଁ ଖୋଲିଲେ । କିନ୍ତୁ ଏଇ କଥା ଉପରେ ସେ ଦୁହିଁଙ୍କ ଭିତରୁ ଅନ୍ୟଜଣକ ସହଜ ଭାବରେ କହିଲା—

 

‘ଆଜ୍ଞ ! ପାଓ୍ୱାର ନାହିଁ । ଇଲେକ୍‌ଟେରୀ ଚାଲିଲେ ଦିଆହବ ।’

 

‘କାଇଁକି ? ହାଣ୍ଡ ପମ୍ପରେ ଦଉନାଁ ?’

 

‘ସେଇ କଥା ତ ଆଜ୍ଞା । କେତେ ହ୍ୟାଣ୍ଡଲ ମାରିବ ? ସକାଳୁ ଲାଇନ୍‌ ନାହିଁନା । ସେଇକଥା କହିଲା ବେଳକୁ ଆପଣମାନେ ରାଗି ଯାଉଛନ୍ତି ।’

 

ଚକମି ପଡ଼ିଲେ ବୀରେନ୍ଦ୍ର । କାଇଁ ନାଁ ତ, ରାଗିଲା ଭଳି ସେତ କିଛି କହି ନାହାଁନ୍ତି ।

 

‘ଆମେ ମାନେ ରାଗି ଯାଉଚୁ ?’

 

‘ଆଉ ନୁହେଁ ଆଜ୍ଞା ? ଖାଲି ଜିପ୍‌ । ଟାଙ୍କି ଫୁଲ୍‍ ହବ । କହୁଚନ୍ତି, ଯେମିତି ହେଲେ ଦିଅ ବହୁତ ଅର୍ଜେଣ୍ଟ । ଏତେ ମାରିହବ କହିଲେ ? ଆପଣ ପୁଲିସ୍‍ବାଲା ହୁଅନ୍ତୁ ବା ଯେତେ ଜରୁରୀ କାମରେ ଯାଉଥାନ୍ତୁ, ଆମେ କଣ କରିବା ? ଏତିକିରେ ରାଗ ?’

 

ବୀରେନ୍ଦ୍ର ପୁଲିସ୍‌ ନାଁଟା ଶୁଣିବା ପରେ କିନ୍ତୁ ଅସୁସ୍ଥିବୋଧ କଲେ । ପୁଲିସ୍‌ ଗାଡ଼ି ଆଉ ତାଙ୍କ ପାଇଁ ନୁହେଁ ତ ?

 

‘ପୁଣି ସେମାନେ ତେଲ ନେଲେ ତ ?’

 

‘ଆଜ୍ଞା ହଁ । ଗାଡ଼ିରେ ଭର୍ତ୍ତି ହୋଇଥିଲେ ଅଫିସର, ସିପାହୀ ସବୁ । ସମସ୍ତେ ମାରିଲେ ଘେରାଏ ଘେରାଏ । ବାସ୍‌ ହେଇଗଲା । ଆମେ ଦି’ଜଣ କାହିଁକି ମାରିଲୁନି ବୋଲି ରାଗ ।’

 

ଏସବୁ କଥା ବିଶେଷ କିଛି ଶୁଣା ଯାଉନଥାଏ ବୀରେନ୍ଦ୍ରଙ୍କୁ । ତାଙ୍କ କାନରେ କେବଳ ସେଇ ଗୋଟିଏ କଥା ଛାପି ହୋଇ ରହିଗଲା, ପୁଲିସ୍‌ ଗାଡ଼ି ଭର୍ତ୍ତି ହୋଇଛନ୍ତି । ଅର୍ଜେଣ୍ଟ କାମ । ଦୂରକୁ ଯିବେ....କ’ଣ ପାଇଁ ? ତେବେ କ’ଣ ପୁଣି ଦଉଡ଼ିବା ଆରମ୍ଭ ହୋଇଗଲା ? ତେବେ ତ ଗାଡ଼ି ଅନେକ ଆଗେଇ ଗଲାଣି । ସେମାନେ ନିଶ୍ଚୟ ଅନ୍ୟ କୋଉବାଟେ ବାହାରି ଆସିଛନ୍ତି । ବର୍ତ୍ତମାନ ତେବେ କର୍ତ୍ତବ୍ୟ ?

 

‘ଆଜ୍ଞା ! କେତେବେଳେ ଆଉ ଠିଆ ହେବେ ? କେତେ ଦରକାର ? ଦି’ଚାରି ଲିଟର ହେଲେ ଆମେ ଦେଖିବା ।’

 

ପ୍ରକୃତିସ୍ଥ ହେଲେ ବୀରେନ୍ଦ୍ର । ତାଙ୍କ ନୀରବତାକୁ ପମ୍ପର ହେଲ୍‌ପର ବିଚାର ଭାବିଛି ବାବୁ ଅପେକ୍ଷା କରିଛନ୍ତି ଲାଇନ୍‌ ଆସିବାକୁ । ଉତ୍ତର ଦେଲେ... ।

 

‘ମୋର ତ ଅନେକ ଦରକାର । ତେବେ କେତେ ଦେଇପାରିବ ଦେଖ ।’

 

ଏତିକି କହି ସେ ଅପେକ୍ଷା କଲେ । ଅନ୍ୟବେଳ ହୋଇଥିଲେ ନିଜେ ହ୍ୟାଣ୍ଡଲ ବୁଲେଇ ଦେଖେଇ ଦେଇଥା’ନ୍ତେ ଯେ ସେ ଏକାକୀ ଏକା ଦମ୍‌ରେ ଟାଙ୍କିଟା ପୁରା କରି ପାରନ୍ତି । ବର୍ତ୍ତମାନ ସେ ସମୟ ନୁହେଁ । ୟା ଭିତରେ ତାଙ୍କୁ କିଛି ଗୋଟାଏ ଫଇସଲା କରିନବାକୁ ପଡ଼ିବ । ତେଣୁ ଦେହର ବଳ ଅପେକ୍ଷା ବୁଦ୍ଧିର ବଳଟା ତାଙ୍କର ବର୍ତ୍ତମାନ କାମରେ ଲଗେଇବାର ବେଳ ।

 

ୟା ଭିତରେ ବାଳକଟି ପମ୍ପ ବୁଲେଇବା ଆରମ୍ଭ କରିବ, ଅଳ୍ପ କେତେକ୍ଷଣ ପରେ ସେ ଠିଆ ହୋଇଗଲା ।

 

‘ବାବୁ ଗାଡ଼ି ତ ଫୁଲ ଅଛି । ଆଉ ବ୍ୟସ୍ତ କାଇଁକି ହଉଥେଲେମ ? ଜମ୍ମାରୁ ଚାରି ଲିଟର ଧଇଲା ।’

 

ମନେ ପଡ଼ିଗଲା ବୀରେନ୍ଦ୍ରଙ୍କର । ସତେତ ! କାଲି ରାତିରେ ପରା ସେ ଗାଡ଼ି ପୁରା କରିଥିଲେ । ଏଇ ସମୟତକ ତାଙ୍କର ଅଯଥା ନଷ୍ଟ କରିବା ଉଚିତ ନଥିଲା । ତଥାପି ତାଙ୍କର ମନେହେଲା—ଏଇ ପମ୍ପକୁ ସେ ନ ଆସିଥିଲେ ଖବରଟା ହୁଏତ ଜାଣି ପାରିନଥା’ନ୍ତେ । ଖୁବ୍‌ ଶୀଘ୍ର ପଇସା ଛିଡ଼େଇବା ପାଇଁ ଯାଇ କାଉଣ୍ଟରରେ ବସିଥିବା ମ୍ୟାନେଜର ଠାରୁ ରସିଦ୍‌ କାଟିବା ଭିତରେ ସେଇଠାରୁ କୁଆଡ଼େ କୋଉ ରାସ୍ତା ବା ଦୂରତ୍ୱ ଠିକେ ଠିକେ ପଚାରି ବୁଝି ନେଲେ । ନାଃ...ତାଙ୍କୁ ପ୍ରଥମେ ଓଡ଼ିଶା ସୀମା ଟପି ଚାଲି ଯିବାକୁ ପଡ଼ିବ ।

 

ସାରା ରାଜ୍ୟରେ ଏ ଘଟଣା ଯେ କେବଳ ଚାଞ୍ଚଲ୍ୟ ସୃଷ୍ଟି କରିଛି ତା ନୁହେଁ ବରଂ ପ୍ରତ୍ୟେକ ଦିନ ସମ୍ବାଦପତ୍ର ଅଧିକାରୀମାନେ ଏ ସମ୍ପର୍କରେ କିଛି ନା କିଛି ନ ବାହାର କରିବାର ଉପାୟ ନାହିଁ । ପ୍ରତ୍ୟେକ ଲୋକ ଯେପରି ଉତ୍ସୁକ ଚିତ୍ତରେ ୟା’ ପରର ଖବରକୁ ଅପେକ୍ଷା କରିଛନ୍ତି-। ଯେକୌଣସି କାଳ୍ପନିକ ରୋମାଞ୍ଚକର ରହସ୍ୟ ଉପନ୍ୟାସ ଠାରୁ ଏହା କେବେ କମ୍‌ ନୁହେଁ, ଆଉ ଏହି ଘଟଣାର ତାତ୍ପର୍ଯ୍ୟ ଦୁଇଟି । ଯେଉଁ ନାରୀ ମୃତ ସିଏ ଯେ ସେ ସର୍ବସାଧାରଣଙ୍କ ମଧ୍ୟରୁ ଜଣେ ନୁହେଁ । ଆଉ ଅନ୍ୟଟି ହେଲା, ଦୋଷୀ, ପୁଲିସ୍‌, ତଥା ସଂପୃକ୍ତ ବ୍ୟକ୍ତିମାନେ ସମସ୍ତେ ସମସ୍ତଙ୍କ ସହିତ ପରିଚିତ । ତଥାପି ଦୋଷୀ ମୁକ୍ତ ରହି ପାରିଛି ।

 

କିଶୋର ମଧ୍ୟ ଘଟଣାର ଗୁରୁତ୍ୱ ବୁଝି ଟିକିଏ ମଧ୍ୟ ଖିଲାପ କରିବାକୁ ଚାହାଁନ୍ତି ନାହିଁ । ଯଥା ସମ୍ଭବ ସେ ପୁଷ୍ପିତାଙ୍କୁ ଆୟତ୍ତ କରି ସବୁ ଘଟଣା ଜାଣି ପାରିବେ । ପୁଷ୍ପିତା ନିଶ୍ଚୟ ଜାଣନ୍ତି—ବୀରେନ୍ଦ୍ର କୋଉଠି । ତାଙ୍କର ସମସ୍ତ ରହିବା ଯିବା ସ୍ଥାନ ସହିତ ପୁଷ୍ପିତା ପରିଚିତା ଯାହା ହେଲେ ବି ସୁଦ୍ଧା ସାରା ରାଜ୍ୟର ଶକ୍ତି ଯୋଉଠି ବିନିଯୋଗ କରିବାର ବ୍ୟବସ୍ଥା ହୋଇଛି ସେଠି ବୀରେନ୍ଦ୍ର କେତେଦିନ ବା କୋଉଠି ଆତ୍ମଗୋପନ କରି ରହିବେ ?

 

ଗାଡ଼ିଟା ଗେଟ୍‌ ଖୋଲି ଭିତରକୁ ପ୍ରବେଶ କଲା । କିଶୋର ଓହ୍ଲେଇ କଲିଂବେଲ ଚିପିଲେ, ବାହାରକୁ ଆସିଲେ ପୁଷ୍ପିତା ।

 

‘ଆଜ୍ଞା ନମସ୍କାର ।’

 

‘ପୁଣି କ’ଣ ଆପଣଙ୍କର ଦରକାର ପଡ଼ିଲା ?’

 

‘ଦରକାର ତ ଆରମ୍ଭ ହୋଇନି କହିଲେ ଚଳେ । ଆଚ୍ଛା କୁହନ୍ତୁ ତ, ଆଜି ତ ମୁଁ ବେଲ୍‌ ମାଇଲି । ଆପଣ କାହିଁକି ଆସିଲେ ?’

 

‘ଏଇଟା ଦିନ ବେଳ ।’

 

‘ଓ ସେଇଟା ଖାଲି ରାତିର ବ୍ୟବସ୍ଥା, ବୁଝିଲି ।’

 

‘ଖାଲି ବୁଝିଲେ ତ ହବନାହିଁ । ଆପଣମାନେ ଯାହା ବୁଝନ୍ତି ସବୁତ ଟିପା ଖାତାରେ ଟିପି ନିଅନ୍ତି । ଲେଖି ନିଅନ୍ତୁ ।’

 

‘ଧନ୍ୟବାଦ ।’

 

‘ପୁଣି କୁଆଡ଼େ ଆସିଲେ ? ଆପଣଙ୍କ ବନ୍ଧୁତ ଆସି ନାହାଁନ୍ତି ।’

 

‘ପୁଷ୍ପିତା ଦେବୀ ! ସେକଥା ମୁଁ ଜାଣେ । ବୀରେନ୍ଦ୍ର ବାବୁ ଆସିବା ସମ୍ଭବ ନୁହେଁ । ତେଣୁ ଆପଣଙ୍କୁ କେତେଟା କଥା ପଚାରିବାକୁ ଆସିଛି ।’

 

ଏଥର ଜଣାପଡ଼ିଲା ପୁଷ୍ପ ଅସ୍ୱସ୍ଥିବୋଧ କରିଛନ୍ତି । କେମିତି କେଜାଣି ସେ ସମ୍ଭାବନାରେ ଆଦୌ ରହିପାରନ୍ତି ନାହିଁ । ତଥାପି ଏଇ ଅଳ୍ପଦିନ ଭିତରେ ନିଜକୁ ସାମାନ୍ୟ ସଂଯତ କରିବାକୁ ଚେଷ୍ଟା କରିଛନ୍ତି ।

 

ଆଚ୍ଛା କିଶୋରବାବୁ ! ଦୟା କରି କହିବେ, ଆପଣଙ୍କର କେତେଟା କଥା ମୋଠୁ ଜାଣିବାର ଅଛି ? ସେଗୁଡ଼ିକ ଏକାଥରେ ପଚାରି ଦେଇ ପାରନ୍ତେ ନାହିଁ ? ଆପଣ ବୁଝିବା ଉଚିତ ମୁଁ ଜଣେ ଅଧ୍ୟାପିକା, ମୋର ଏ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସମ୍ମାନ ଅଛି । ଥରକୁଥର ମୋ ଘରକୁ ସମୟ ଅସମୟରେ ପୋଲିସ୍‌ ଆସିବାଟା.... ।’

 

ତାଙ୍କ କଥା ପୁରା ହବାକୁ ନଦେଇ କହି ଉଠିଲେ କିଶୋର ।

 

‘କିନ୍ତୁ ଆଜ୍ଞା ଆଜିତ ମୁଁ ସାଦାପୋଷାକରେ ଆସିଲି । ଆପଣ କହିଥିଲେ ବୋଲି.... ।’

 

ହଁ ସାଦାପୋଷାକରେ ଆସିଛନ୍ତି । କିନ୍ତୁ ପୋଲିସ୍‌ ଗାଡ଼ିରେ ଆସିଛନ୍ତି ।’

 

ପ୍ରକୃତିସ୍ଥ ହେଲେ କିଶୋର, ସତେ ତ ! ଏକଥା ତାଙ୍କର ମୋଟେ ହେଇ ନଥିଲା । ଅତି ସହଜରେ ନିଜର ଭୁଲ୍‍ ସ୍ୱୀକାର କଲେ ।

 

‘ହଁ, ଭୁଲ୍‍ ହୋଇଗଲା, ଆଉ ୟା’ପରେ ଏ ଗାଡ଼ି ନେଇ ଆସିବି ନାହିଁ ।’

 

‘ଓହୋ, ମତେ ବରଂ କୁହନ୍ତୁ ଆପଣ ଆଉ ଆସିବେ ନାହିଁ ବୋଲି, ମତେ ସବୁକଥା ଏଇଥର ପଚାରି ମୁକ୍ତି ଦିଅନ୍ତୁ ।’

 

‘ମ୍ୟାଡ଼ାମ୍‌ ପଟ୍ଟନାୟକ ! ମୁଁ ଜାଣେ ଆପଣ ବିରକ୍ତ ହେଉଛନ୍ତି । କିନ୍ତୁ ମୁଁ ନାଚାର, ଆସିବା ହୁଏତ ଆରମ୍ଭ ହେଲା । ଥରକୁଥର ଆପଣଙ୍କୁ ପୋଲିସ୍‌ ଷ୍ଟେସନକୁ ନଡ଼କେଇ ମୁଁ ଆସିବାର କଷ୍ଟ କରୁଛି । କାରଣ ମୁଁ ଜାଣେ ଆପଣଙ୍କର ସମ୍ମାନ ଅଛି । ସେତିକି ଅକ୍ଷୁର୍ଣ୍ଣ ରଖିବାକୁ ମୁଁ ଚେଷ୍ଟା କରୁଛି । କିନ୍ତୁ ନ ଆସି ମୋର ଗତି ନାହିଁ । ଏମିତି ଅନେକଥର ଆପଣଙ୍କୁ ବହୁତ କିଛି ପ୍ରଶ୍ନର ଉତ୍ତର ଦବାକୁ ପଡ଼ିପାରେ ।’

 

‘ବେଶ୍‌, ତେବେ ବାଧ୍ୟ ହେବି ମାସେଖଣ୍ଡେ ଛୁଟିନେଇ ଘରକୁ ପଳେଇବାକୁ ।’

 

‘ଯଦି ସେଠି ଉତ୍ତର ଦବା ସମ୍ଭବ ହେବ ବୋଲି ଭାବୁଛନ୍ତି ତା ମଧ୍ୟ କରିପାରନ୍ତି ।’

 

ଜଣାପଡ଼ିଲା ଯେମିତି ପୁଷ୍ପ ଥକ୍‌କା ହୋଇ ଯାଉଛନ୍ତି । ଅହେତୁକ ଭୟ ଆଉ କ୍ଳାନ୍ତିରେ ସେ କେମିତି ଭାଙ୍ଗି ଭାଙ୍ଗି ପଡ଼ୁଥିଲେ । ତଥାପି ନିଜକୁ ପ୍ରକୃତିସ୍ଥ କରି ପଚାରିଲେ—

 

‘ଆରମ୍ଭ କରନ୍ତୁ ।’

 

‘ସବୁ ଗୁଡ଼ିକ ଭାରି କଠିଣ ଓ ବିଶଦ ପ୍ରଶ୍ନ ପଚାରିବି । ଆଗ କୁହନ୍ତୁ ତ ଏଇ ମୁଣ୍ଡ ଉପରକୁ କାନ୍ଥରେ ବୀରେନ୍ଦ୍ରଙ୍କର ଯେଉଁ ବଡ଼ ଫଟଟା ବାଘଛୁଆ ସହିତ ଟଙ୍ଗା ହୋଇଥିଲା ସେଇଟାକୁ ଆପଣ ଖୋଲି ଦେଲେ କାହିଁକି ?’

 

‘ଆପଣଙ୍କୁ ଡରିକରି ଖୋଲି ଦେଇ ନାହିଁ । ପାରା ଉଡ଼ିଲା ବେଳେ ବାଜି କାଚଟା ଖସି ପଡ଼ିଲା ।’

 

ସାମାନ୍ୟ ହସିଲେ କିଶୋର । ସତେ ଯେମିତି ସେଇ ହସିବା ଭିତରେ ସେ ଘୋଷଣା କରୁଥିଲେ ୟା’ଭିତରେ ତାଙ୍କର ପୁଷ୍ପିତାଙ୍କ ସମ୍ବନ୍ଧରେ ଅନେଇ ଜ୍ଞାନ ବଢ଼ି ଯାଇଛି । ତେଣୁ ମନେ ହେଲା ସେ ହସରେ ବ୍ୟଙ୍ଗ ଅଛି । ଯେଉଁ ପରିମାଣରେ ପୁଷ୍ପିତା କ୍ଷିପ୍ତ ଜଣାପଡ଼ୁଥିଲେ କିଶୋର ଠିକ୍‌ ଅନୁରୂପ ଶାନ୍ତ ଆଉ ସହଜ ଭାବରେ କହୁଥିଲେ । ଅଳ୍ପକ୍ଷଣ ନୀରବତା ପରେ କିଶୋର କହିଲେ—

 

‘ଦେଖନ୍ତୁ ପୁଷ୍ପିତା ଦେବୀ ! ମୁଁ ନିଶ୍ଚୟ ଜାଣେ ଆପଣ ସେ ଫଟ ଡରିକରି ଖୋଲି ଦେଇନାହାନ୍ତି । କାରଣ ଆପଣ ଠିକ୍‌ ଜାଣନ୍ତି ଆପଣଙ୍କ ସଂସାରରେ ବୀରେନ୍ଦ୍ରଙ୍କ ଛାପ ଏତେ ସ୍ପଷ୍ଟ ଯେ ତାକୁ ଲିଭେଇବାକୁ ଚେଷ୍ଟା ଆପଣ କେଭେ କରିବେ ନାହିଁ । ଯଦି ଫଟଟା ଡରିକରି ଖୋଲିଦେଇଥା’ନ୍ତେ ତେବେ ଆପଣଙ୍କ ବେକରେ ଏତେ ବଡ଼ ଲକେଟ୍‌ରେ ‘B’ ଅକ୍ଷରଟା ମଧ୍ୟ ଖୋଲି ଦେଇଥା’ନ୍ତେ । କିନ୍ତୁ ତା’ତ କରି ନାହାଁନ୍ତି ।’

 

ଏଇ କଥାରେ କେମିତି ଟିକେ ଚମକି ପଡ଼ିଲେ ପୁଷ୍ପିତା । ପରମୁହୂର୍ତ୍ତରେ ବିରକ୍ତର ସହିତ କହି ଉଠିଲେ ‘ଆପଣ ସତରେ ନିତାନ୍ତ ନୀଚ । ଏସବୁ ଗୁଡ଼ାକୁ ଆପଣଙ୍କର ଅନ୍ୟ ଅର୍ଥରେ ବୁଝିବା ଉଚିତ ନୁହେଁ । ‘B’ ରେ କେବଳ ବୀରେନ୍ଦ୍ର, ହୋଇପାରେ ‘ବନଜା’ ନୁହେଁ ? ମୋ ସାନଭଉଣୀ ନାଁ ବନଜା । ମୋ ହାରଟା ହଠାତ୍‌ ଛିଣ୍ଡିଗଲା ବୋଲି ତା’ ହାର ପିନ୍ଧି ଚାଲି ଆସିଥିଲି ଏଥରକ ।’

 

‘କ୍ଷମା କରିବେ, ପୁଲିସ୍‌ ଆଖି ଆମର । ବେଳେବେଳେ ଏମିତି ଓଲଟା ସିଧା ବୁଝିବା ପାଇଁ ବିଭିନ୍ନ ଆଡ଼େ ଆଖି ବୁଲେଇବା ସମୟରେ କିଛି ଗୋଟାଏ ଆଖିରେ ପଡ଼ିଗଲେ...... ।’

 

ଆଉ ବୋଧହୁଏ କିଛି ଶୁଣିବା ଅବସ୍ଥାରେ ପୁଷ୍ପିତା ନଥିଲେ । ତାଙ୍କର ସଂଭ୍ରମତା ଜ୍ଞାନ ସେ ହରେଇ ବସୁଥିଲେ । କେମିତି କେଜାଣି ପରିବେଶଟା ଯେତିକି ଅସ୍ୱସ୍ଥିକର ହୋଇ ଉଠିଲା, କିଶୋର ସେତିକି ଯତ୍ନବାନ ହୋଇଉଠୁଥିଲେ ।

 

‘ବର୍ତ୍ତମାନ ମୁଁ କହିବାର ପାଳି ଆସିଛି କିଶୋରବାବୁ ! ବରଂ ମୁଁ ଏଥର ଆପଣଙ୍କ ବିରୁଦ୍ଧରେ ମାନହାନିର ଅଭିଯୋଗ ଆଣିପାରେ । କ’ଣ ପାଇଁ ଆପଣ ମତେ ଏମିତି ଭାବରେ ପ୍ରଶ୍ନକରି ଚାଲିଛନ୍ତି ? କି ଦରକାର ବାରମ୍ବାର ମୋ କ୍ୱାଟରକୁ ଆସି ମତେ ଅପ୍ରସ୍ତୁତ କରିବା । ମୋର ଯାହା କହିବା କଥା ମୁଁ ଠିକ୍‌ ଜାଗାରେ କହିବି । ଏକାନ୍ତରେ ଆପଣଙ୍କୁ ଚା’ପାନ ଦେଇ ନୁହେଁ ।’

 

କିଶୋରଙ୍କର ସେଇ ମୃଦୁହସ ବରଂ ଆଉ ଟିକେ ଦୀର୍ଘସ୍ଥାୟୀ ହୋଇ ଆତ୍ମପ୍ରକାଶ କଲା, ଖୁବ୍‌ ବିନୟର ସହିତ ନିଜର ଡାଏରୀ ଖଣ୍ଡକ ଧରି ସେ ଉଠିଲେ ।

 

‘ପୁଷ୍ପିତା ଦେବୀ ! ଆପଣ ହଠାତ୍‌ ଉତ୍ୟକ୍ତ ହୋଇପଡ଼ିଛନ୍ତି । ଆଜି ଆଉ କୌଣସି କଥାବାର୍ତ୍ତା ସମ୍ଭବ ନୁହେଁ । ତେଣୁ ମୁଁ ଆସେ । କିନ୍ତୁ କହିଯାଉଛି ବୀରେନ୍ଦ୍ରଙ୍କ ସମ୍ପକରେ ଯାହା ଆପଣଙ୍କର ବକ୍ତବ୍ୟ ସେଗୁଡ଼ିକୁ କହିବାପାଇଁ ନିଜକୁ ପ୍ରସ୍ତୁତ ରଖିବେ ।’

 

ଏତିକି କହି ଚାଲିଗଲେ ବାହାରକୁ କିଶୋର । କିଛିକ୍ଷଣ ପରେ ଗାଡ଼ିଟା ଚାଲିଗଲା । ମୁହଁରୁ ରୁକ୍ଷତା ଲିଭିଯିବା ପରିବର୍ତ୍ତେ ଆହୁରି କଦାକାର ହେଲା । ପୁଷ୍ପିତା ରାଗରେ ଲକେଟଟାକୁ ଟାଣିଦେଲେ । ଛିଡ଼ିଗଲା ହାରଟା ।

 

ଗରମ ଘିଅ ଆଉ ତତଲା ଦୀପରେ ହାତ ପାପୁଲିଟା ପାଚିଗଲା ଭଳି ନାଲି ପଡ଼ିଗଲା । ଆଖିରୁ ଠପ୍‌ ଡପ୍‌ ଦି’ଟୋପା ଲୁହ ଖସିପଡ଼ିଲା । ଲୁହଟା କିନ୍ତୁ ହାତର ଯନ୍ତ୍ରଣାଯୋଗୁଁ ନୁହଁ, ଏତେବଡ଼ ଦିନଟାରେ ଏଭଳି ଅଘଟଣା କେବେ ଘଟିନଥିଲା ।

 

ଆଜି ଜନ୍ମାଷ୍ଟମୀ । ଏ ଘର ଖାନଦାନୀର ଗୋଟାଏ ବଡ଼ପୂଜା କହିଲେ ଚଳେ । ମାନସିଂ ବଂଶର ଡାକ୍‌ପୂଜା । ମୂଳରୁ ବାହାରକୁ ବାହାରିବେ ନାହିଁ ବୋଲି ସାବିତ୍ରୀ କହି ଦେଇଥିଲେ । ନରେନ୍ଦ୍ରଙ୍କର କିନ୍ତୁ ଏକାଜିଦ୍‌ । ଭାଉଜ ଯଦି ପୂଜାକୁ ନ ଆସିବେ ବା ସବୁବର୍ଷ ଭଳି ଠାକୁର ନସଜେଇବେ ତେବେ ଏଘରୁ ଆଜିଠାରୁ ଏ ପୂଜା ବନ୍ଦ ହୋଇଯିବ । ନରେନ୍ଦ୍ରଙ୍କ ସ୍ତ୍ରୀ ଆରତୀ । କେତେ ନେହୁରା ହୋଇ ଗୋଡ଼ହାତ ଧରି କାନ୍ଦିଛନ୍ତି ସାବିତ୍ରୀଙ୍କର । ତା’ପରେ ଯାଇ ସାବିତ୍ରୀ ବାହାରକୁ ବାହାରିଲେ । ସବୁକାମ କଲେ । ନରେନ୍ଦ୍ରଙ୍କର ଜିଦ୍‌ ବା ଆରତୀଙ୍କ ମିନତି କୋଉଟା ମଧ୍ୟ ତାଙ୍କ ପକ୍ଷରେ ଏଡ଼େଇ ଯିବା ସମ୍ଭବ ହେଲା ନାହିଁ । ଆରତୀଙ୍କୁ ସେ କେବେ ସାନ ଯାଅର ସ୍ଥାନ ଦେଇ ନାହାନ୍ତି, ସାନଭଉଣୀ ଠାରୁ ଅଧିକା କରିଛନ୍ତି । ନ ଦେବ କେମିତି । ସାତ ସାନ ସେ, ନିଜେ ତ ସାବିତ୍ରୀ ଯାଇ ତାକୁ ପସନ୍ଦ କରି ଘରକୁ ଆଣିଛନ୍ତି ।

 

ଏତେ ସହଳ ଆରତୀ ସେ ଦିନକୁ ଭୁଲିବେ ନାହିଁ । ସାବିତ୍ରୀ ଯାଇଥିଲେ ଦେଖିବାକୁ । ପଦେ ଦି’ପଦ କଥା ପରେ ଆରତୀଙ୍କ ଗାଲ ଚିପିଦେଇ କହିଲେ—ତୁ ଠିକ୍‌ ମୋର ଯାଆ ହବୁଲୋ-। ତତେ ଶୀଘ୍ର ଘରକୁ ନେଲେ ମୋର ମନ କେତେ ହାଲୁକା ହୋଇଯିବ, ସେ ଘରକୁ ଠିକ୍‌ ସାଜିବୁ-

 

ଆରତୀ ଲାଜମିଶା ଭକ୍ତିରେ ଝାଉଁଳିପଡ଼ି ଆଉଜି ପଡ଼ିଥିଲେ ସାବିତ୍ରୀଙ୍କୁ । ଏତେ ଦିନର ଆସିବା ଭିତରେ ଥରେ ହେଲେ ଆରତୀ ବୁଝିପାରି ନାହାନ୍ତି ସେ ସାନ ଯାଆ । ବେଳେ ବେଳେ ଆଶ୍ଚର୍ଯ୍ୟ ହୁଅନ୍ତି । ଏତେବଡ଼ ଜମିଦାରୀଟାକୁ କେମିତି ଜିଭ ଆଗରେ ରଖି ସମସ୍ତଙ୍କ ମନନେଇ ଅପା ଚଳେଇ ନଉଛନ୍ତି ।

 

ଆଜି ଦି’ଖଣ୍ଡ ଶାଢ଼ି ଆଣି ଯେତେବେଳେ ନରେନ୍ଦ୍ର ଆରତୀଙ୍କୁ ବଢ଼େଇ ଦେଲେ ସେତିକିବେଳୁ ଅପାଙ୍କ ପଛରେ ଲାଗିଛନ୍ତି ଆରତୀ ।

 

କିନ୍ତୁ ଇଏ କଣ ହେଲା ? ମାନସିଂ ବଂଶର ପିତ୍ତଳ ଦୀପ ଆଉ ଦୀପଦାନୀ କାହିଁ କେତେ ପୁରୁଷର । ସେଇ ଦୀପରେ ଘିଅ ଭର୍ତ୍ତି ହୋଇ ଜଳିଲେ ଏଡ଼େବଡ଼ ଠାକୁର ଘରେ ଆଲୁଅ ଦରକାର ପଡ଼େ ନାହିଁ । ତାକୁ ତେଜି ଦଉଦଉ ଖସିପଡ଼ିଲା ଦୀପଟା । ଜୀବନ ବିକଳରେ ଉଠେଇଦବା ଯୋଗୁଁ ପୁରାପୁରି ସିଝିଯାଇଚି ହାତଟା । ପଲକର ଅସାବଧାନତା ।

 

ନୂଆ ଲୁଗା ପିନ୍ଧି ସାବିତ୍ରୀ ପୂଜା ସାମଗ୍ରୀ ସଜଉଥିଲେ ଆରତୀଙ୍କ ସହିତ । ପଛରୁ ବୋଧହୁଏ ଲକ୍ଷ୍ୟ କରୁଥିଲେ ନରେନ୍ଦ୍ର । ଭାଉଜଙ୍କ ମନକୁ ବୁଝେଇବାକୁ କହି ଉଠିଲେ—

 

‘ଖୁବ ଭଲ ଭାବରେ ପୂଜାହବ ଏ ବର୍ଷ । ଭାଇ ଫେରି ଯେମିତି ମୋତେ ଦୋଷ ନଦିଅନ୍ତି ଯେ ମୁଁ କିଛି କମ୍‌ରେ ପୂଜା କରେଇଛି ।’

 

ଏଇ କଥା ଉପରେ ନିଜ ଆଖିର ଲୁହକୁ ଲୁଚେଇବାକୁ ମୁହଁକୁ ଆଡ଼କରି ଦେଲେ । ଦୀପଟା କେମିତି ହଲିଯାଇ ଖସି ପଡ଼ିଲା । ଦୀପଟାକୁ ଉପରକୁ ଉଠେଇ ରଖିଲେ । କାଳେ ଭାଉଜ କିମ୍ବା କାହାରି ମନରେ କିଛି କାଳ ଚିନ୍ତା ହୋଇଥିବ ସେଇଟାକୁ ପୋଛି ଦବାକୁ ନରେନ୍ଦ୍ର ପଛରୁ କହି ଉଠିଲେ—

 

‘କିଛି ହୋଇ ନାହିଁ । ଦୀପ ତ ଲିଭିନାହିଁ । ସେମିତି ଜଳୁଛି । ୟାର ଅର୍ଥ ହେଲା ଆମର ଗୋଟାଏ ବିପଦ ଆସିଛି କିନ୍ତୁ ଭଲରେ ଭଲରେ ସୁଧୁରିଯିବ ।’

 

ପୂଜକ ମଧ୍ୟ କଥାଟାକୁ ସମ୍ମତ କଲେ । ତଥାପି ସାବିତ୍ରୀଙ୍କ ମନ ମାନିଲା ନାହିଁ—ପୂଜା ଆରମ୍ଭ ହେଲା ।

 

ନିରୋଳା ସମୟ ଦେଖି ଅଂଶୁ ଏବଂ ଅନୁ ଦୁହେଁ ଅତି ସନ୍ତର୍ପଣରେ ସାବିତ୍ରୀଙ୍କ ବାକ୍‌ସ ଖୋଲି ଆଜିକା ଖବରକାଗଜଟି କାଢ଼ି ଆଣିଲେ । ଏଇଟା ଭାଇ ଭଉଣୀ ଦୁହିଁଙ୍କର ଏକ ଯୋଜନାରେ ପରିଣତ ହୋଇଯାଇଛି । ସେ ଦୁହିଁଙ୍କ ମନରେ କିଛି ଛାପ ପଡ଼ିବ ନାହିଁ ବୋଲି ସାବିତ୍ରୀ ଖବରକାଗଜ ଆସିବା ମାତ୍ରେ କିଏ କିଏ ଆଖି ବୁଲେଇବା ପରେ ତାଙ୍କୁ ନେଇ ଟ୍ରଙ୍କ ଭିତରେ ଭର୍ତ୍ତିକରି ଦିଅନ୍ତି । କିଛି ନହେଲେ ପିଲାମାନଙ୍କ ହାତରେ ବା ହଳିଆ ମୁଲିଆଙ୍କ ହାତରେ ନପଡ଼ୁ । ରାତି ଅଧରେ କେତେବେଳେ କେମିତି ଅଂଶୁ ବା ଅନୁ କାହାର ନିଦ ଭାଙ୍ଗିଗଲେ ସେମାନେ ସାବିତ୍ରୀଙ୍କୁ ସେଇ କାଗଜ କାଢ଼ି ପଢ଼ିବାର ଦେଖିଛନ୍ତି । ତେଣୁ ଏଇ କେତେଦିନ ହବ ଦୁହେଁ ଏକ ବିଧିବଦ୍ଧ ଯୋଜନା କରିଛନ୍ତି । ମା’ଙ୍କର ଠାକୁରଘରକୁ ଯିବା ସମୟରେ ଦୁହେଁ କାଗଜଟାକୁ ପଢ଼ିଦେଇ ତା’ ଉପରେ ଯାହା ଆଲୋଚନା କରିବାର ଥାଏ କରନ୍ତି ।

 

ସାବିତ୍ରୀଙ୍କର ଠାକୁରଘର ସମୟଟା ପ୍ରକୃତରେ ସଦୁପଯୋଗର ସମୟ । ବୀରେନ୍ଦ୍ର ଏଇ ସମୟକୁ ଆଖିରେ ରଖି ପୁଷ୍ପିତାଙ୍କ ନିକଟକୁ ଚିଠି ଲେଖିଥାନ୍ତି, ମନିଅର୍ଡ଼ର ଫର୍ମ ପୂରଣ କରିଥାନ୍ତି । ଗାଡ଼ିରେ କେତେ ଖର୍ଚ୍ଚ ହବ, ପେଟ୍ରୋଲ ବିଲ୍‌ ମାସରେ କେତେ ଉଠିଲା, ଟେଲିଫୋନ ପିଛା କେତେ ଖର୍ଚ୍ଚ ହବ ଏସବୁର ବ୍ୟୟ ବରାଦ କରି ଦିଅନ୍ତି ।

 

ତାଙ୍କର ଦୁଇ ସନ୍ତାନ ଅଂଶୁ ଆଉ ଅନୁ । ଖବରକାଗଜ ପଢ଼ୁଛନ୍ତି । ପ୍ରତ୍ୟେକ ଦିନର ‘ବୀରେନ୍ଦ୍ର ବିବରଣୀ’ ପ୍ରାୟ ଧାରାବାହିକଭାବରେ ବାହାରି ଚାଲିଛି । ଠିକ୍‌ ଯେମିତି କୌଣସି ଧାରାବାହିକ ରହସ୍ୟ ଉପନ୍ୟାସର ଅଂଶ ବିଶେର୍ଷ । କାଳ ବିଳମ୍ବ ନକରି ଦୁହେଁ ଏକାନିଶ୍ୱାସକେ ପଢ଼ିଗଲେ ସମ୍ବାଦଟିକୁ । ତା’ପରେ କାଗଜକୁ ଯଥା ସ୍ଥାନରେ ରଖିଦେଇ ବସିଗଲେ ଦୁଇଟିଯାକ ଚପଳମତି କିଶୋର କିଶୋରୀ । କିଛିକ୍ଷଣ ପାଇଁ ଦୁହେଁ ନିର୍ବାକ । ସତେ ଯେମିତି ତାଙ୍କ ବୟସର ଜ୍ଞାନ ଅପେକ୍ଷା ସେମାନେ ବେଶ୍‌ ଅଧିକା କିଛି ବୁଝି ଯାଇଛନ୍ତି ।

 

ଅଂଶୁ କଲେଜରେ ନାମ ଲେଖାଇଛି । କଲେକର ପ୍ରଥମ ବର୍ଷର ବାତାବରଣରେ ମଧ୍ୟ ନିଜକୁ ମୁକ୍ତ ବିହଙ୍ଗ କରି ପାରୁନାହିଁ । ସତେ ଯେମିତି ତା’ ପକ୍ଷ କାଟି ଦିଆଯାଇଛି । ତଥାପି ତାର ଆଖି ଖୋଲିଯାଇଛି । ଅନୁ ଏଇବର୍ଷ ସ୍କୁଲ ପଢ଼ା ଶେଷ କରିବ । ଏଇ କେତେଦିନ ହବ ଉଭୟେ ନିଜ ନିଜର ଦୈନନ୍ଦିନ ଜୀବନରେ ସଂଯତ ହୋଇ ଯାଇଛନ୍ତି । ଅବଶ୍ୟ ନରେନ୍ଦ୍ର ଗୋଟିଏ ମୁହୂର୍ତ୍ତ ସୁଦ୍ଧା ସେମାନଙ୍କୁ ଅନ୍ୟଥା ଭାବିବାକୁ ଦେଇ ନାହାନ୍ତି । ବରଂ ସମୟ ପଡ଼ିଲେ ବୀରେନ୍ଦ୍ରଙ୍କର ଏଇ ଆତ୍ମଗୋପକ କରିବା ବା ଦୁଇଦୁଇଟା ହତ୍ୟାକାଣ୍ଡ ଘଟାଇବାକୁ ଏକ ଗୌରବ ବା ଆଭିଜାତ୍ୟର ଚିହ୍ନ ବୋଲି ବୁଝାଇଛନ୍ତି । ରାତିର କୁହୁଡ଼ି ସକାଳୁ ଅପସରି ଯିବ । କାଳେ ପିଲା ଦି’ଟା ହାରିଯିବେ ।

 

ବେଶ୍‌ ଭାବିଭାବି ଅଂଶୁ କହିଲା—‘ମୁଁ ଭାବୁଛି ଥରେ ପୁଷ୍ପ ମାଉସୀଙ୍କ କତିକି ଯିବି । ବୁଝିଲୁ ! ସେ ନିଶ୍ଚୟ ବାପା କୋଉଠି ଅଛନ୍ତି ଜାଣିଥିବେ ।’

 

ଅନୁ ଏ କଥାରେ ଏକ ପ୍ରକାର ଚିହିଙ୍କି ଉଠିଲା ।

 

‘ଭାଇ ! ସେକଥା ମୋଟେ କରିବୁନି । ତୁ ଜାଣିନୁ ସେ ଭାରି ଖରାପ ଲୋକ ।’

 

‘ହୋ, ତୁ ଜମ୍ମା ଜାଣିନୁ । ମତେ ସେ ଯେତେ ସ୍ନେହ କରନ୍ତି କେହି ନିଜର ବି କରିବେନି-। ସେ ଯଦି ଜାଣିଥିବେ ତେବେ ନିଶ୍ଚୟ କହିବେ । ମୋର ତ ବିଶ୍ୱାସ ନିଶ୍ଚୟ ଜାଣିଛନ୍ତି-। ଖାଲି ତାଙ୍କ ପାଖକୁ ଯିବାକଥା । କେମିତି ଯିବି ? ଘରୁତ ବାହାରିବା ମୁସ୍କିଲି । ଦାଦା ତ ଆଉ ଘର ଛାଡ଼ି କୁଆଡ଼େ ଯାଉନାହାଁନ୍ତି କହିଲେ ଚଳେ । କଲେଜର ଗୋଟାଏ ଏକ୍‌ସକର୍ସାନ ପଡ଼ନ୍ତା କି କ୍ୟାମ୍ପ ପଡ଼ନ୍ତା ଯଦି ନାଁ...ସିଆଡ଼ୁ ଖସିଯାଆନ୍ତି ।’

 

‘ବୋଉତ କହୁଥିଲା, ସେ ଭାରି ଖରାପ ଲୋକ । ତାଙ୍କରି ସକାଶେ କୁଆଡ଼େ ଏତେ ପାଲା । ବାପା କୁଆଡ଼େ ତଳିତଳାନ୍ତ ହୋଇଗଲେ କେବଳ ପୁଷ୍ପ ମାଉସୀଙ୍କ ପାଇଁ ।’

 

‘ବୀଜେ କଥା, ବୋଉ କେତେଦିନ ତାଙ୍କ ସାଙ୍ଗରେ ଚଳିଛି ? ମୁଁ ଯାଇଛି । ଥରେ ନୁହେଁ ଚାରି ପାଞ୍ଚଥର ଯାଇଚି ରହିଚି । ମୁଁ ଜାଣିଚି ସେ ଆମକୁ କେତେ ଭଲପା’ନ୍ତି । ଖାଲି ମୋ ସାଙ୍ଗରେ ତାଙ୍କର କେମିତି ଦେଖା ହୁଅନ୍ତା ।

 

ଅଂଶୁର କେବଳ ଏମକାତ୍ର ଚିନ୍ତା—କେମିତି ସେ ବାପାଙ୍କ ଖବରଟା ପାଇବ । କଲେଜ ଜୀବନର ଆରମ୍ଭରେ କିଛିଟା ସାମାଜିକ ପ୍ରଶ୍ନ ତାକୁ ବ୍ୟଥିତ ନକଲେ ବି ବିବ୍ରତ କରୁଛନ୍ତି । ତେଣୁ ଖାଲି ତାର ବାପାଙ୍କ ବିଷୟରେ ଜାଣିବା ଦରକାର । ତା’ପରେ ଆଉ ଯିଏ ଯାହା କହିଲେ ବି ଖାତିର ନାହିଁ । ଦାଦୀ ନରେନ୍ଦ୍ରଙ୍କଠାରୁ ଶୁଣିବା ପରେ ସେ ମଧ୍ୟ ନିଜକୁ ସେହି ଖାନ୍‌ଦାବୀ ବଂଶର ଯୁକ୍ତି ଭିତରେ ନିମଜ୍ଜିତ କରିଛି । ଦରକାର ପଡ଼ିଲେ କାହାକୁ ଠିକଣା ଜବାବ୍‌ ଦବାକୁ ପଛେଇବ ନାହିଁ ।

 

ହେଲେ ଅନୁ ?

 

ନିଜକୁ ସାବିତ୍ରୀ ସହିତ ବୟସ ଅନୁପାତରେ ସମଦୁଃଖୀ କରିବାକୁ ଚେଷ୍ଟା କରିଛି । ନାରୀ ଆଉ ପୁରୁଷଙ୍କର ସମ୍ପର୍କ ବିଷୟରେ ସଠିକ୍‌ ବିବରଣୀ ନଜାଣିଲେ ବି କିଛିଟା ବୁଝିବାର ବୟସ ହୋଇଛି । ଏ ଘଟଣା ପରେ ପରେ କାହିଁକି କେଜାଣି ସେ ବେଶି ଯତ୍ନବତୀ ହୋଇ ପାଠରେ ମନ ଦେଇଛି । ଖୁବ୍‌ ଭଲ ପଢ଼ି ସ୍କୁଲ ପଢ଼ାଟା ସାରିଦେଲେ ସହରର କୌଣସି କଲେଜରେ ସୁଯୋଗ ମିଳବ । ସିଆଡ଼େ ଚାଲିଗଲେ ଏ ବାତାବରଣରୁ ଯଥେଷ୍ଟ ପରିମାଣରେ ମୁକ୍ତି ମିଳିବ । ବହୁତ ରକମର ଚାହାଣୀରୁ ଆଉ ଅର୍ଥହୀନ ପ୍ରଶ୍ନରୁ ନିଷ୍କୃତି ମିଳିବ । ଏକନିଷ୍ଠ ଭାବରେ ସେ ପାଠ ପଢ଼ିବା ଆରମ୍ଭ କରିଛି । ଯେମିତିକି ଖୁବ୍‌ ଭଲ କରିବ । ତା’ହେଲେ ଦାଦାଙ୍କୁ କହିବାକୁ ସାହାସ କରିବ ସିନା ।

 

କୌଣସି ପ୍ରକାର ସିଦ୍ଧାନ୍ତରେ ଉପନୀତ ହୋଇପାରନ୍ତି ନାହିଁ ଭାଇ ଓ ଭଉଣୀ ଦୁହେଁ । କେବଳ ଖବର କାଗଜରୁ ବିବରଣୀଟି ପଢ଼ି ପୁଣି ଯଥାସ୍ଥାନରେ ରଖିଦେଇ ନଜାଣିବାର ଅଭିନୟ କରନ୍ତି । ବାହାର ଲୋକଙ୍କ ପାଇଁ ଅଂଶୁ ଓ ଅନୁ ଦୁଇଟି ସନ୍ତାନ—ଠିକ୍‌ ବୀରେନ୍ଦ୍ର ଆଉ ସାବିତ୍ରୀଙ୍କ ଅନୁରୂପ ।

 

ଜନ୍ମାଷ୍ଟମୀର ବାତାବରଣରେ ଘରର ଉତ୍ସବ ସହିତ ଖୁବ୍‌ ଖାପଖୁଆଇ ମଜ୍ଜିଗଲେ ସୁଦ୍ଧା ଦୁହେଁ ସାବିତ୍ରୀଙ୍କର ଏ ଦୁର୍ଘଟଣା ପାଇଁ ସମଦୁଃଖୀ ହେଲେ । ବେଳକୁ ବେଳ ସେ ହାତଟା ସାମାନ୍ୟ ଯନ୍ତ୍ରଣା ଦେଲା । ଅଂଶୁ ହାତ ପାପୁଲି ଦେଖି କହିଲା—

 

‘ବୋଉ ! ପାପୁଲିଟା ନାଲିପଡ଼ି ଟିକିଏ ଫୁଲି ଯାଇଛି । ତୁ ଏ ମୁଦି ଦି’ଟା ବାହାର କରିଦେ’ତ । କାଳେ ଆଉ ଫୁଲିଯିବ ।’

 

‘ନାଇଁ ନାଇଁ ଥାଉ କହି’ ମୁଦି ବାହାର ନକରିବାକୁ ଉଠିଗଲେ ସାବିତ୍ରୀ ଅଂଶୁ ବାଳକସୁଲଭ ଚପଳତାରେ ବିରକ୍ତ ହେଲେବି ଅନୁ ବୁଝିପାରିଚି—ବୋଉ କେବେ ସେ ମୁଦିଟା ହାତରୁ ବାହାର କରିବ ନାହିଁ । ସେତିକିବେଳେ ବୋଉ ଆଖିର ଲୁହ କେବଳ ହାତ ଯନ୍ତ୍ରଣାର ନୁହଁ, ମନର ବେଦନା ମଧ୍ୟ ସେଥିରେ ବେଶ୍‌ ପରିମାଣରେ ମିଶି ରହିଛି ।

 

ଭାଇକୁ ଆଉ ବିଶେଷ କିଛି ନକହିବାକୁ ଆକଟକଲା ଅନୁ । ଅଂଶୁ ମଧ୍ୟ ବୁଝିଲା, ଅକାରଣେ ଯଦି ବୋଉ ଭିତରକୁ ଯାଇ ଶୋଇବାଘର କବାଟ ଭିତରୁ କିଳିଦବ ବା ଠାକୁର ଘରେ ପଶି ପୂଜାକରିବା ବାହାନାରେ କବାଟ ଭିତରୁ ବନ୍ଦ କରିବ ତେବେ ବର୍ତ୍ତମାନ ଚାରି ପାଞ୍ଚ ଘଣ୍ଟା ଭିତରେ ସାଷ୍ଟମ ହବାର ନୁହେଁ । ପୁଣି ସମସ୍ତଙ୍କ ଆଡ଼ ମଉଳିଯିବ । ପୂଜାର ଆନନ୍ଦ ଟିକକ ସମସ୍ତଙ୍କ ମନରୁ ଝରି ପଡ଼ିବ ।

 

ଦୁହେଁ ଦୂରରୁ ଦେଖିଲେ ସାବିତ୍ରୀ ପୂଜାବେଳର ନୂଆଶାଢ଼ିଟା ଶୀଘ୍ର ବଦଳିବାରେ ବ୍ୟସ୍ତ-। ପୂଜା ସରିଯାଇଛି । ତେଣୁ ସତେ ଯେମିତି ନୂଆଶାଢ଼ି ପିନ୍ଧିବାର କର୍ତ୍ତବ୍ୟମଧ୍ୟ ତାଙ୍କର ଶେଷ ହୋଇଛି । ଦୁହେଁ ନିଜକୁ ସହଜ କରିନେଇ ପୂଜାଆଡ଼କୁ ଆଗେଇଲେ ।

 

ଆଗେଇବାକୁ ହିଁ ପଡ଼ିବ, ଆଉ ବର୍ତ୍ତମାନ ପଛେଇବାର ଅବକାଶ ନାହିଁ ବୋଲି ବୀରେନ୍ଦ୍ର ସିଦ୍ଧାନ୍ତରେ ଉପନୀତ ହୋଇ ସାରିଛନ୍ତି । ବର୍ତ୍ତମାନ ତାଙ୍କର ପ୍ରଥମ ଚିନ୍ତା—ଏ ମଟର ସାଇକେଲ୍‌ଟକୁ କେମିତି ଛାଡ଼ିବାକୁ ପଡ଼ିବ । ଏଥର ରେଳଗାଡ଼ିର ଆଶ୍ରୟ ନନେଲେ ବହୁତ ଦୂରକୁ ବହୁତ ଶୀଘ୍ର ଯିବା ସମ୍ଭବ ନୁହେଁ । କିନ୍ତୁ ମଟର ସାଇକେଲ୍‌ଟିକୁ ସେ ଫୋପାଡ଼ି ଦେଇ ଯିବାକୁ ଚାହାଁନ୍ତି ନାହିଁ । ତା’ଦ୍ୱାରା ଆଉ କିଛି ପ୍ରମାଣ ରଖିବାର ଭୁଲ୍‍ ସେ କରିବେ ନାହିଁ ।

 

ବେଶ୍‌ ନାମକରା ହୋଟେଲ ଏଇଟା ରାୟପୁରର । ପ୍ରକୋଷ୍ଠ ଭିତରେ ଠିଆହୋଇ ପୋଷାକ ବଦଳିଲାବେଳେ ନିଜକୁ ବଡ଼ ଦର୍ପଣରେ ଭଲ କରି ଚାହିଁଲେ । ଏଇ ଅଳ୍ପ ସମୟତଳେ । ହୋଟେଲ ମ୍ୟାନେଜରକୁ ଯାହାସବୁ କହିଲେ ସେଗୁଡ଼ା ବେଖାପ୍‌ ଲାଗି ନଥିବ ତ ?

 

ଅତି କମ୍‌ ସମୟ ଭିତରେ ହୋଟେଲ୍‌ ମ୍ୟାନେଜର ଠଉରେଇ ନେଲାଯେ ବୀରେନ୍ଦ୍ର ସାଧାରଣ ଲୋକ ନୁହଁନ୍ତି । ତାଙ୍କପରି ଜଣେ ବିଶିଷ୍ଟ ଲୋକ ମଟରସାଇକେଲ୍‌ରେ ଏତେବାଟ କେମିତି ଆସିଲେ ବୋଲି ଆଲୋଚନାରେ ପ୍ରସଙ୍ଗ ଉଠିଲା । ବୀରେନ୍ଦ୍ର ବୁଝେଇଲେ, ଘୋଡ଼ାଦୌଡ଼ ପ୍ରତି ତାଙ୍କର ଅସମ୍ଭବ ଆକର୍ଷଣ । ଭୋପାଳରେ ଖୁବ୍‌ ଶୀଘ୍ର ଘୋଡ଼ାଦୌଡ଼ପାଇଁ ଟିକେଟ୍‌ କିଣିବା ତାରିଖ ସରିଯାଉଛି । ସେତିକିବେଳେ ତାଙ୍କର ସବୁ ଗାଡ଼ି ବିଭିନ୍ନ ଆଡ଼େ ଚାଲି ଯାଇଥିଲା । ନିଜର କାର ବାହାରିବାର ଅଳ୍ପ ସମୟ ଆଗରୁ ସାମାନ୍ୟ ଅସୁବିଧା କଲା । ତେଣୁ ରାଗରେ ନିଜର ଗୁମାସ୍ତାର ମଟର ସାଇକେଲ୍‌ ଧରି ସେମିତି ଦିହେ ଦିହେ ଚାଲି ଆସିଛନ୍ତି ।

 

ମ୍ୟାନେଜର ଏବଂ ଅନ୍ୟମାନେ ବିସ୍ମିତ ହେଲେ । ପ୍ରକୃତରେ ଘୋଡ଼ାଦୌଡ଼ ପାଇଁ କେତେ ପାଗଳ । ଏଇ ପ୍ରସ୍ତାବରୁ ବୀରେନ୍ଦ୍ର ଜାଣିବାକୁ ଚାହିଁଲେ ମଟର ସାଇକେଲ୍‌କୁ କିଛିଦିନ ପାଇଁ ଏଠି ରଖିଯାଇ ହବକି ? ହୋଟେଲ୍‌ ମାଲିକ ଅତି ସମ୍ମାନର ସହିତ ସମ୍ମତି ଜଣେଇଲେ । ତାରି ଜରିଆରେ ସେଠାକାର ଭଲ ମେକାନିକ୍‌କୁ ଖବର ପଠେଇଛନ୍ତି । ସେ ଆସି ଦେଖିବ ଏଇ ଗାଡ଼ି ନେଇ ଭୋପାଳ ଯାଇ ହବକି ନାଁ..... ? ମ୍ୟାନେଜର ବୀରେନ୍ଦ୍ରଙ୍କର ଏ ପ୍ରକାର ପିଲାଳିଆମୀ ଦେଖି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । ତା’ପର ଦିନ ସକାଳୁ ମେକାନିକ୍‌ ଆସିଲେ ଯାହା ଠିକ୍‌ କରିବେ ବୋଲି ବୀରେନ୍ଦ୍ର ମନସ୍ଥ କରିଛନ୍ତି ।

 

ଆଉଥରେ ନିଜକୁ ଦେଖିଲେ ବୀରେନ୍ଦ୍ର । ନାଁ, କାହାରି ସନ୍ଦେହର ଅବକାଶ ନାହିଁ । ସେ କେବେ ଖାପଛଡ଼ା ଜଣାପଡ଼ୁ ନାହାନ୍ତି । ଖବରକାଗଜରେ ଭୋପାଳରେ ହେଉଥିବା ଡର୍ବିରେସ୍‌ ବିଷୟରେ ପଢ଼ିବାଟା ତାଙ୍କର ସାର୍ଥକ ହୋଇଛି । ନିଜକୁ ନିଜେ ଆଶ୍ଚର୍ଯ୍ୟ ହେଲେ । କେମିତି ହଠାତ୍‌ ତାଙ୍କ ମନକୁ ଏ ଧାରଣା ଜୁଟିଲା । ସେ ତ ୟା କରିବେ ବୋଲି ନିଜକୁ ପ୍ରସ୍ତୁତ କରିନଥିଲେ-। ଏଇଟା ମଧ୍ୟ ତାଙ୍କୁ ଏକ ସ୍ୱର୍ଗୀୟ ଆଶୀର୍ବାଦ ଭଳି ଜଣାଗଲା । ହଠାତ୍ କେହି ତାଙ୍କ ପାଖରେ ଏତେ ପ୍ରଚୁର ଟଙ୍କା ଦେଖି ମଧ୍ୟ ସନ୍ଦେହ କରିପାରିବ ନାହିଁ । ତଥାପି ତାଙ୍କର ଚାଲିଯିବା ଉଚିତ–ଆହୁରି ଦୂରକୁ । କେବଳ ମଟର ସାଇକେଲ୍‌ଟାର ବ୍ୟବସ୍ଥା କରାଯିବା ଉଚିତ୍‌ । ତା’ପରଦିନ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ମେକାନିକ୍‌ ପ୍ରଥମେ ଆସୁ । ନହେଲେ ଏଇ ହୋଟେଲ୍‌ରେ ଅନିର୍ଦ୍ଦିଷ୍ଟ କାଳପାଇଁ ରଖିଦେଇ ଚାଲିଯିବେ ।

 

କ୍ଳାନ୍ତ ବୀରେନ୍ଦ୍ର ନରମ ବିଛଣା ଉପରେ ବସି ପଡ଼ିଲେ । ତାଙ୍କର ଇଚ୍ଛା ହେଲା ଏଇ କେଇଦିନର ଘଟଣାବଳୀ ଥରେ ମନ ଭିତରେ ଦୋହରେଇ ନେବେ । କିନ୍ତୁ ନା ପରମୁହୂର୍ତ୍ତରେ ସେ ଆହୁରି କଠିନ ହୋଇ ଉଠିଲେ । ପଛକୁ ଫେରି ଚାହିଁବାର ଆଉ ଅବକାଶ ନାହିଁ । ଦୁର୍ବଳତା ଆସିଯିବ । ‘ଯୁଦ୍ଧ’ ଦେହି’ ଆମନ୍ତ୍ରଣକୁ ସାଦରେ ଗ୍ରହଣ କରିସାରିବା ପରେ ଜଣେ ଭୀରୁ ସୈନିକ ପରି ସବୁ ଭାଗ୍ୟ ଉପରେ ଛାଡ଼ିଦେଇ ଆତ୍ମସମର୍ପଣ କରି ପାରିବେ ନାହିଁ । ତାଙ୍କୁ ପଛକଥା ସବୁ ସିଲ୍‌ଟ ପଟାର ଲେଖାଭଳି ଲିଭେଇଦବାକୁ ପଡ଼ିବ ବର୍ତ୍ତାମାନ ପାଇଁ ସେ ଶୋଇ ପଡ଼ିବା ଆବଶ୍ୟକ-। ନିଦ ବଟିକାରୁ କିଛି ଗିଳିଦେଇ ଆଖି ବନ୍ଦକରି ନିଜକୁ ଅପେକ୍ଷା କଲେ ।

 

ତା’ପରଦିନ ସକାଳୁ ଚା’ ପର୍ବ ଶେଷକରି ନିଜର ନିତ୍ୟକର୍ମ ସାରିବାକୁ ବାହାରିଛନ୍ତି—କଲିଂବେଲ୍‌ ବାଜିଲା । ଭିତରକୁ ଆସିଲେ ହୋଟେଲ୍‌ର ଜଣେ କର୍ମଚାରୀ ଆଉ ତାଙ୍କ ସହିତ ଆଉ ଜଣେ—ନିଶ୍ଚୟ ସେଇ ମେକାନିକ୍‌ । ବୀରେନ୍ଦ୍ରଙ୍କ ଅନୁମାନ ସତ୍ୟ ହେଲା । ସକାଳୁ ଲୋକ ସହିତ ଗାଡ଼ି ପଠେଇ ହୋଟେଲ ମ୍ୟାନେଜର ଡକେଇ ଆଣିଛନ୍ତି ମେକାନିକ୍ ଜଣକୁ । ପରିଚୟ କରେଇ ମେକାନିକ୍‌କୁ ଛାଡ଼ିଦେଇ କର୍ମଚାରୀ ଜଣକ ଫେରିଗଲେ । ବୀରେନ୍ଦ୍ର ସଂକ୍ଷେପରେ ଡକେଇବାର ଉଦ୍ଦେଶ୍ୟ କହି ଗାଡ଼ିର ଅବସ୍ଥା ଦେଖିବାକୁ ଚାବି ବଢ଼େଇ ଦେଲେ । ସବୁ ଶୁଣି ମେକାନିକ୍‌ ଜଣକ ସବିନୟ ପ୍ରକାଶ କଲା—

 

‘ଆପଣ ଆଜ୍ଞା ଗାଡ଼ି ଚଢ଼ିବା ଲୋକ । ମଟର ସାଇକେଲ୍‌ ଧରି ଏତେବାଟ ଯିବା ଠିକ୍‌ ହବନାଇଁ । ଗାଡ଼ି ମୁଁ ଠିକ୍‌ କରିଦେବି । ହେଲେ ଆପଣଙ୍କୁ କଷ୍ଟ ହବ ।’

 

ବୀରେନ୍ଦ୍ର ବୁଝିଲେ ଏବଂ ଉତ୍ତର ଦେଲେ ।

 

‘ଉପାୟ ନାହିଁ ! ଗୋଟାଏ ଜିଦ୍‌ରେ କିଛି ଆଗପଛ ନଭାବି ଚାଲି ଆସିଲି । ମୁଁ କିନ୍ତୁ ଭାବିଥିଲି ରାୟପୁରରେ ସେ ଟିକଟ୍‌ ଯଦି ମିଳୁଥିବ ତେବେ ଏଠୁ କିଣି ଫେରିଯିବି । ରେସ୍‌ ଦିନ ପୁଣି ଉଡ଼ାଜାହାଜରେ ଚାଲିଆସିବି । କିନ୍ତୁ ଏଠି ଟିକେଟ୍‌ ମିଳୁନାହିଁ ତା’ଛଡ଼ା ତାରିଖ ପାଖେଇ ଆସିଲାଣି । କେତେଦିନ ପାଇଁ କୋଉଠି ଛାଡ଼ିଯିବି । ପୁଣି ଏଥିପାଇଁ ଫେରିବାକୁ ପଡ଼ିବ ।’

 

‘ଆଜ୍ଞା ମୁଁ ତେବେ ଦେଖି ଦଉଚି ଗାଡ଼ି । ଯଦି କିଛି କରିବାର ଥବ ତେବେ ଆପଣଙ୍କୁ କହି ଗାଡ଼ି ନେଇଯିବି ଗ୍ୟାରେଜ୍‌କୁ ।’

 

ବୀରେନ୍ଦ୍ର ସମ୍ମତି ଜ୍ଞାପନ କଲେ ।

 

‘ହଁ ଆଉ କଣ କରାଯାଇପାରେ ? ଗାଡ଼ିଟାତ ଆଉ ବିକ୍ରୀ କରି ଦେଇ ହବନାଇଁ କି ଫୋପାଡ଼ି ଦେଇଯାଇ ପାରିବି ନାହିଁ ।’

 

‘ନାଁ ଆଜ୍ଞା ତା କେମିତି କରିବେ । ନିଜ ଗାଡ଼ି ହେଇଚି ଯେ ବିକ୍ରୀ କରି ଦେବେ ।’

 

ଏ କଥାରେ ହସିଲେ ବୀରେନ୍ଦ୍ର । ନିଜର ସମସ୍ତ କ୍ଷଣିକ ଦୁର୍ବଳତାକୁ ମନ ଭିତରେ ଚାପିଦେଇ ଏକ ନାଟକର ଚରିତ୍ର ଭଳି ସେ କହିବା ଆରମ୍ଭ କଲେ ।

 

‘ନିଜ ଗାଡ଼ି ମାନେ ? ଓ, ମୋର ଗୁମାସ୍ତା ଗାଡ଼ି କହିଲିବୋଲି ଭାବିଲେ କି ? କିନ୍ତୁ ଏ ଗାଡ଼ି ତାକୁ ଦେଇଚି କିଏ ? ଆମ ଫାର୍ମର, ମୁଁ କିଣି ତାକୁ ଦେଇଛି । ଧରନ୍ତୁ ଯଦି ବିକ୍ରୀ କରିଦେବି ତେବେ ତାର ଭଲ । ତାକୁ ଆଉ ଗୋଟାଏ ନୂଆଗାଡ଼ି କିଣିକରି ମତେ ଦବାକୁ ପଡ଼ିବ ।’

 

କାହିଁକି କେଜାଣି ଏ କଥାରେ ମେକାନିକ୍‌ ଜଣକ ସାମାନ୍ୟ ଆଗ୍ରହ ପ୍ରକାଶ କଲା । ସତରେ ଆଉ ବାବୁ ଗାଡ଼ିଟା ବିକିବେ ନାହିଁ ତ ? ଏ ପ୍ରକାର ଅମୀର ଲୋକ । ଯଦି ଗାଡ଼ିଟା ବିକନ୍ତେ ତେବେ ବହୁତ କମ୍‌ ପରିଶ୍ରମରେ ମଧ୍ୟସ୍ଥି କରି କିଛି ଫାଇଦା ଉଠେଇ ପାରନ୍ତା ସେ ।

 

‘ଆଜ୍ଞା ତେବେ ବିକ୍ରୀ କରିବେ ବୋଲି ଭାବୁଛନ୍ତି କି ?’

 

ବୀରେନ୍ଦ୍ର ମୁହଁ ଶୁଖେଇଲେ । ବହୁତ ଆଗରୁ କେମିତି ସେ ଚିନ୍ତା କରି ମଧ୍ୟ ଏ ସମାଧାନକୁ ଅସମ୍ଭବ ବୋଲି ଗ୍ରହଣ କରିଛନ୍ତି । ତେଣୁ ଉତ୍ତର ଦେଲେ—

 

‘କେମିତି ଆଉ କହିବି କୁହନ୍ତୁ । ମୋ ପାଇଁ ସେଇଟା ସବୁଠାରୁ ସୁବିଧା ହୁଅନ୍ତା । ଆସିଛି ଯେତେବେଳେ ଭୋପାଳରୁ କାମସାରି ଟିକେ ଦିଲ୍ଲୀବାଟ ହେଇ ଫେରିଥାନ୍ତି; କିନ୍ତୁ କ’ଣ କରିବି ? ବିକ୍ରୀ କରିବାକୁ ହେଲେ ତ ପୁଣି ଗାଡ଼ିର କାଗଜପତ୍ର ସବୁ ଦରକାର । ସେଗୁଡ଼ିକ ଆଉ କ’ଣ ମୁଁ ନେଇ ଆସିଚି ? ମୁଣ୍ଡରେ ଜୁଟିଲା—ଚାଲି ଆସିଲି ।’

 

‘ସାର ! ଏଇଟା କ’ଣ ଗୋଟାଏ ସମସ୍ୟା—କାଗଜପତ୍ର ଥେଲେ ହବ ନହେଲେ ନାଇଁ-? ରାତାରାତ୍‌ ଦୁଇ ନମ୍ବର ଗାଡ଼ି କାଗଜପତ୍ର ହୋଇ ବିକ୍ରୀ ହେଇଯାଉଚି । ଫଟାପଟ୍‌ ଚୋରାମାଲ ଗ୍ୟାରେଜ ଭିତରେ ପଶି ନୂଆ ହେଇ ବାହାରି ଯାଉଚି । ଆଉ ଆପଣଙ୍କର ତ ନିଜ ଗାଡ଼ି । ଆପଣ କଣ ଆଉ ପୋଲିସ୍‌ରେ ଦେବେ ଗାଡ଼ି ହଜିଚି ବୋଲି ? ଖାଲି ଗୋଟାଏ ସାଧାରଣ ଲେଖାପଢ଼ି ହୋଇଗଲେ ଗଲା ।’

 

ହଠାତ୍‌ କେମିତି ବୁଝାପଡ଼ିଲା । ଉଭୟେ ଯାହା ଚାହୁଁଥିଲେ ସେହି ପ୍ରକାର ଏକ ସ୍ଥାନରେ ଉଭୟ ଆସି ପହଞ୍ଚି ଯାଇଛନ୍ତି । ଆଉ ତା’ପରେ ବିଶେଷ କଷ୍ଟ କରିବାକୁ ପଡ଼ିଲା ନାହିଁ କାହାକୁ । ମାତ୍ର କେଇଟି ଘଣ୍ଟା ଭିତରେ ସେଇ ମଟର ସାଇକେଲ୍‌ ବାବତ ଆଉ ସାତହଜାର ଟଙ୍କାର ନୋଟ କେମିତି କେଜାଣି ସଙ୍କୁଚିତ ହୋଇ ଆସି ବୀରେନ୍ଦ୍ରଙ୍କ ବ୍ରିଫକେସ୍‍ରେ ପଶିଗଲା ବୀରେନ୍ଦ୍ର କଳ୍ପନା କରି ପାରିଲା ନାହିଁ । ଖାଲି ଗାଡ଼ି ଚାବିଟା ଦେଲାବେଳେ ତାଙ୍କର ଅଜାଣତରେ ଯାହା ଦୀର୍ଘଶ୍ୱାସଟାଏ ବାହାରି ପଡ଼ିଥେଲା । ସତେ ଯେମିତି ତାଙ୍କୁ ଲାଗିଲା ସେ ବର୍ତ୍ତମାନ ଠାରୁ ନିଃସଙ୍ଗ ହୋଇଗଲେ । ଗାଡ଼ିଟା ଛାଡ଼ିବା ପରେ ଏ ମଟରସାଇକେଲ୍‌ର ଉପସ୍ଥିତିରେ ଏତେଟା ଭାବିବାର ଅବକାଶ ପାଇନଥିଲେ । ଆଜି ତାଙ୍କୁ ଲାଗିଲା ଯେମିତି ସେ ମଟର ସାଇକେଲ୍‌ ନୁହେଁ ତାଙ୍କର ମଟର କାର୍‌କୁ ଛାଡ଼ୁଛନ୍ତି । କାର୍‌ଟା କେବଳ ତାଙ୍କର କାର୍‌ ନୁହଁ ଅନେକ ସ୍ମୃତିର ମୁକ ସାକ୍ଷୀ-

 

ଥରେ ପୁଷ୍ପ ପଚାରିଥିଲେ—

 

‘ଆଚ୍ଛା କୁହତ ! ତମର ସବୁଠାରୁ ପ୍ରିୟ ବସ୍ତୁ କିଏ ?’

 

‘ତମେ.... ।’

 

‘ନମ୍ବର ଦୁଇ.... ?’

 

‘ମୋର ଏଇ ଗାଡ଼ି.... ।’

 

ହଠାତ୍‌ ଏଭଳି ଏକ ଉତ୍ତର ଆଶା କରି ନଥିଲେ ପୁଷ୍ପ । ସେ ଭାବିଥିଲେ ହୁଏତ ବୀରେନ୍ଦ୍ର ଉତ୍ତର କେବଳ ଅଶୁଂ ବା ଅନୁ । ନିଶ୍ଚୟ ମନରକ୍ଷା କରି ନକହି ପାରନ୍ତି ସାବିତ୍ରୀଙ୍କ ନାମ-। କିନ୍ତୁ ଗାଡ଼ିଟା କେମିତି ତାଙ୍କ ନମ୍ବର ପରେ ଆସିଲା ଆଉ ତାର ଯୋଗସୂତ୍ର କଣ ସେ ଜାଣି ପାରିଲେ ନାହିଁ । କ୍ଷଣେ ଅଟକିଯାଇ ଚିନ୍ତା କଲେ ଏବଂ ପରମୁହୂର୍ତ୍ତରେ କିଛିଟୀ ବୁଝିପାରି ଲାଜରେ ଚୁପ୍‌ ରହିଲେ, ଆଉ ବଢ଼ିବ ଉଚିତ ନୁହେଁ । କିନ୍ତୁ ବୀରେନ୍ଦ୍ର ଛାଡ଼ିବା ଜନ୍ତୁ ନୁହଁନ୍ତି । ପ୍ରଶ୍ନ କଲେ—

 

‘ପଚାରିଲନି କେମିତି ଆଉ କାହିଁକି ବୋଲି ।’

 

ପୁଷ୍ପ ବୁଝିଲେ ନିଶ୍ଚିତ ଭାବରେ ମୁଣ୍ଡଟା ଅନ୍ୟକିଛି ପାଇଁ କାମ କଲାଣି । ହୁଏତ ବର୍ତ୍ତମାନ ଗାଡ଼ି ଚଳେଇବା ନିକଟରେ ବନ୍ଦକରାଯିବ । ଏହା ଉପରେ ଏକ ବିଶଦ ଆଲୋଚନା ପରେ ଯାଇ ଯାହା ଯାହା ହେଇପାରେ ତେଣୁ କଥାଟାକୁ ଆଗକୁ ନବଢ଼େଇ ବର୍ତ୍ତମାନ ପାଇଁ କେମିତି ଏଇଠି ରଖାଯିବ ସେଥିପାଇଁ ପୁଷ୍ପ ନିହାତି ନିର୍ବିକାର ଭାବରେ ଉତ୍ତର ଦେଲେ—

 

‘ପଚାରି କ’ଣ ଲାଭ । କ’ଣ ନାଇଁ କ’ଣ ଗୋଟାଏ ବୁଝେଇ ଦବ । ବରଂ ନ ପଚାରିବା ଭଲ । ଚୁପଚାପ ଗାଡ଼ି ଚଲାଅ । ବେଶ୍‌ ରାତି ହେଲାଣି । ତମ ଫ୍ରଏଡ଼୍‌ ପରା କୁଆଡ଼େ କହିଚନ୍ତି ଯେ ରାତ୍ରିର ଏକ ନିର୍ଦ୍ଦିଷ୍ଟ ସମୟ ପରେ ଯାହା କିଛି ଆଲୋଚନା କରାଯାଏ ତାହାକୁ ଯୌନ ସମ୍ପର୍କୀୟ ବୋଲି ଅଭିହିତ କରାଯାଇପାରେ ।’

 

‘ନାଁ, ଏଇଟା କିନ୍ତୁ ତମର ନିଶ୍ଚୟ ଜାଣିବା ଉଚିତ୍‌ । କବି କାଳି ଦାସ ଯଦି ତାଙ୍କର ବିରହୀ ପ୍ରେମିକ ଯକ୍ଷକୁ ପ୍ରଶ୍ନ କରିଥାନ୍ତେ ଯେ ତୋର ପ୍ରିୟାପରେ ପରବର୍ତ୍ତି କାହାକୁ ତୁ ସବୁଠାରୁ ଆପଣାର ବୋଲି ଭଲପାଉ ତେବେ ସେ ‘ମେଘ’ ବୋଲି ଉତ୍ତର ଦେଇଥାନ୍ତା । କାହିଁକି ଜାଣ ? ମେଘକୁ ଯେହେତୁ ସେ ଆବିଷ୍କାର କରିଥିଲା ତାର ପ୍ରିୟା ପାଖକୁ ସନ୍ଦେଶ ବହି ନବାକୁ । ଠିକ୍‌ ସେମିତି ବିରହ ଅଞ୍ଚଳରେ ଜର୍ଜରିତ ହୋଇ ମୁଁ ଯେତେବଳେ ତମପାଖକୁ ଯିବାକୁ ଆର୍ତ୍ତଚିତ୍କାର କରେ ସେତେବେଳେ ଏଇ ଗାଡ଼ି ହିଁ ମତେ ଅତି ବିଶ୍ୱସ୍ତ ସାଜି ତମ ପାଖରେ ଆଣି ପହଞ୍ଚେଇ ଦିଏ-।’

 

ନୀରବ ରହିଲେ ପୁଷ୍ପ । କି ସୁନ୍ଦର ବାଖ୍ୟାକରି ବୁଝେଇ ଦେଲେ ସତେ । ଅଦ୍ଭୁତ ବୀରେନ୍ଦ୍ରଙ୍କର ବାଗ୍ମୀତା, କେତେ ଅଖାଡ଼ୁଆ ଉତ୍ତର କିନ୍ତୁ ଆଶା କରୁଥିଲେ ପୁଷ୍ପିତା—ଛି ଛି । ଟିକିଏ ପରେ ପ୍ରଶ୍ନ କଲେ ବୀରେନ୍ଦ୍ର ।

 

‘କଣ ଭାବୁଚ ? କଥାଟା ଅପ୍ରାସଙ୍ଗିକ ଲାଗିଲା । ନାଁ ତମେ ଅନ୍ୟକିଛି ଆଶା କରୁଥିଲ-?’

 

ସଚେତ ହେଲେ ପୁଷ୍ପ ! ନିଶ୍ଚୟ ଭାବରେ ସେ ଉତ୍ତର ଦବା ଉଚିତ୍‌ । ହେଲେ ସେ ଯାହା ଭାବୁଥିଲେ ସେ କଥା ତାଙ୍କ ପାଟିରୁ କେବେ ବାହାରିବ ନାହିଁ ।

 

‘ମୁଁ ଭାବୁଥିଲି ଅନ୍ୟ ରକମର । ବୋଧହୁଏ ମୁଁ ଆଉ ତମ ଗାଡ଼ି ଭିତରେ ସାମଞ୍ଜସ୍ୟ ବହୁତ ସେଇଥିପାଇଁ କହିଲି ।’

 

‘ଯଥା.... ।’

 

‘ଏଇ ଦେଖ ! ଖରା, ବର୍ଷା, ଝଡ଼ି କାକର, ରାତି ଦିନ ଯାହା ହେଇଥାଉନାଁ କାହିଁକି ଏ ଗାଡ଼ିଟା ସବୁଆଡ଼ୁ ଘୋଡ଼େଇ ତମକୁ ଏକାନ୍ତ ନିରାପଦ ଭାବରେ ନିଜ ଭିତରେ ଆଶ୍ରୟ ଦେଇଛି । ବାହାରର ସବୁ ନିର୍ଯ୍ୟାତନାକୁ ନିଜେ ସହ୍ୟ କରିବାକୁ ନିଜକୁ ଲୁହା କରି ଗଢିଛି । ଠିକ୍‌ ମୋରି ଭଳି-। ପୃଥିବୀରେ ଯାହା ଯନ୍ତ୍ରଣା ଆସିଲେ ବି ତମେ ମୋ ଭିତରେ, ଏକାନ୍ତ ନିରୀହ ଆଉ ନିରାପଦ ଭଳି ଆଶ୍ରୟ ନେଇ ପାରିଛ । ବାହାରର କୌଣସି ଆକ୍ଷେପ ମତେ ଟପି ତମ ପାଖରେ ପହଞ୍ଚିବା ସମ୍ଭବ ନୁହଁ । ସେଥିପାଇଁ ବୋଧହୁଏ କହିଲ ବୋଲି ଭାବିଲି ।’

 

ହଠାତ୍‌ ଦୁହେଁ ଦୁହିଁଙ୍କର ବାଖ୍ୟାନରେ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ । ପ୍ରକୃତରେ ଏ କଥାଗୁଡାକ କେମିତି ସେମାନଙ୍କ ଜିଭକୁ ଆସିଲା ? ହୁଏତ ଏଇଥିପାଇଁ ଯେ ଏଗୁଡ଼ା ପରିକଳ୍ପିତ ଭାବର ପରିପ୍ରକାଶ ନୁହେଁ । ସ୍ୱତଃ ମନର ଆବେଗ ଉଚ୍ଛ୍ୱାସ ।

 

ତେଣୁ ସେଇ ଗାଡ଼ିକୁ ଛାଡ଼ିଲାବେଳେ ସଙ୍ଗହରା ହେବାର ଭାବନା ବୀରେନ୍ଦ୍ରଙ୍କୁ ବିବ୍ରତ କରିନଥିଲା । ଦେଳେ ମଟର ସାଇକେଲ୍‌ ଚାବି ଶେଷଥରପାଇଁ ଅନ୍ୟ ହାତକୁ ବଢ଼େଇଦବା ପରେ ସେ ନିଜକୁ ସମ୍ପୂର୍ଣ୍ଣ ଏକାକୀ ମନେକଲେ । ପରକ୍ଷଣରେ ନିଜକୁ ସଂଯତ କଲେ ଏବଂ ପ୍ରସ୍ତୁତ କଲେ-। ବର୍ତ୍ତମାନ ପାଇଁ ତାଙ୍କର ଏଠିକା କାର୍ଯ୍ୟ ଶେଷ ହୋଇଛି । ସେ ବାହାରିବା ଉଚିତ ।

 

ସନ୍ଧ୍ୟାସୁଦ୍ଧା ସମସ୍ତ ପାଉଣା ଚୁକ୍ତିକରି ହୋଟେଲ୍‌ରୁ ଷ୍ଟେସନ ଅଭିମୁଖେ ବାହାରିଲା ବେଳେ କାଉଣ୍ଟର ପାଖରେ ହୋଟେଲର ବୟ ଆସି କହିଲା—

 

‘ସାର୍‌ ! ଧୋବା ଲୁଗା ତ ଦେଲା ନାହିଁ । ସେ ତ ରାତି ଆଠଟାବେଳକୁ ଆସିବ ।’

 

ସାମାନ୍ୟ ହସିଲେ ବୀରେନ୍ଦ୍ର । ଏ ହସର ଅର୍ଥ କେହି ସେଠି ବୁଝିଲେ ନାହିଁ । କିନ୍ତୁ ମ୍ୟାନେଜରଠାରୁ ଆରମ୍ଭ କରି ସମସ୍ତେ ବର ଏ ସମସ୍ତେ ବର ଏ ସମସ୍ୟାଟାରେ ବିବ୍ରତ ହୋଇ ଉଠିଲେ । ବୀରେନ୍ଦ୍ର କହିଲେ—

 

‘ଲୁଗା ଭିତରେ ଗୋଟାଏ ଧୋତି ଆଉ ଦି’ଟା ପଞ୍ଜାବୀ ସେ ନେଇଚି । ହେଇ ହେଇ ଧୋତିଟା ପଚିଶ ତିରିଶଟଙ୍କା ହବ ଆଉ ପଞ୍ଜାବି ଦି’ଟା ଚାଳିଶଟଙ୍କା ଖଣ୍ଡେହବ । ସେସବୁ ପୋଷାକ ପ୍ରାୟ ମାସେ ଦି’ମାସ ହବ ପିନ୍ଧିସାରିଛି । ସେ ଧୋବାକୁ ତ ମତେ ପୁଣି କିଛି ବକ୍‌ସିସ୍‌ ଦବାକଥା । ତମେମାନେ ନେଲ । ତା’ ସାଙ୍ଗେ ଦେଖା ହେଲ ନାହିଁ । ତାକୁ କହିବ ସେ ପୋଷାକ ତାକୁ ମୁଁ ବକ୍‌ସିସ୍‌ ଭାବରେ ଦେଇଗଲି ।’

 

ଏତିକି କହି ଟ୍ୟାକ୍‌ସିରେ ବସିଲେ ବୀରେନ୍ଦ୍ର । ଅନ୍ୟମାନେ କେବଳ ବିସ୍ମିତ ଚକ୍ଷୁରେ ତାଙ୍କୁ ଚାହିଁ ରହିଥାନ୍ତି । ଅସାଧାରଣ ବ୍ୟକ୍ତିତ୍ୱ ସତେ !

 

ଟ୍ୟାକ୍‌ସି ଷ୍ଟେସନ ଚାଲିଲା । ପଛରେ ରହିଗଲା କେତେଗୁଡ଼ିଏ ସତୃଷ୍ଣ ନୟକ । ଯୋଡ଼ହସ୍ତ ଆଉ ପରିଶେଷରେ ବୀରେନ୍ଦ୍ରଙ୍କ ମଟର ସାଇକେଲର ସ୍ମୃତି ।

 

ସ୍ମୃତି ବହୁତ ଜୀବନ ବୀରେନ୍ଦ୍ରଙ୍କର । କୌଣସିଟିକୁ ସେ ବିସ୍ତୁତି ଗର୍ଭକୁ ଠେଲିଦେଇ ପାରିନାହାଁନ୍ତି । ଏହିଭଳି ବିଳାସମୟ ହୋଟେଲରେ ରହିବା ବୀରେନ୍ଦ୍ରଙ୍କର ନୂଆ ନୁହେଁ । ଭୋପାଳ ହୁଏତ ପ୍ରଥମ ଆସିଲେ । କିନ୍ତୁ ଭାରତର ଅନେକ ପ୍ରାନ୍ତ ବୁଲିଛନ୍ତି । ଏତେ ସୁନ୍ଦର ସାଜସଜ୍ଜା ତାଙ୍କୁ ହୁଏତ ମୁଗ୍‌ଧ କରିଥାନ୍ତା କିନ୍ତୁ କରିପାରୁ ନାହିଁ । ସବୁ ଗୁଡ଼ିକ କେମିତି କୌଣସି ଏକ କାଉଁରୀ ହାତସ୍ପର୍ଶର ଅଭାବରୁ ଶୁଷ୍କ ଜଣାପଡ଼ୁଛନ୍ତି । ସକାଳର ପ୍ରଥମ ଖରା ଚେନାକ ନରମ ଲାଗିଥାନ୍ତା । ଯଦି ସେହି କାଉଁରୀ ହାତ ଭିତରୁ ଗୋଟିଏ ଝରକା ପରଦାଟା ଆଡ଼େଇ ଦେଇଥାନ୍ତା । ଏତେ ଦାମୀ ଦର୍ପଣ, ତଥାପି ବୀରେନ୍ଦ୍ରଙ୍କୁ ତାଙ୍କର ନିଜର ପ୍ରତିବିମ୍ବ ଭଲ ଲାଗୁନାହିଁ । ହୁଏତ ତାଙ୍କ ଆଗରୁ ଆଉଜଣେ ଯଦି ସକାଳୁ ଉଠି ନିଜ ମୁହଁ ଦେଖି ଦେଇଥାନ୍ତା ତେବେ ନିର୍ଜୀବ ଦର୍ପଣର ମଧ୍ୟ ସୌନ୍ଦର୍ଯ୍ୟ ବିକର୍ଷଣ ଶକ୍ତି ବୃଦ୍ଧି ପାଇଥାନ୍ତା ।

 

ନାଃ....ଆଉ ଆଗକୁ ଭାବିବେ ନାହିଁ । ବର୍ତ୍ତମାନ ତାଙ୍କ ସମ୍ମୁଖରେ ଅନେକ କର୍ତ୍ତବ୍ୟ । କାଲିଠାରୁ ଏ ହୋଟେଲରେ ଆସି ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ମୁହୂର୍ତ୍ତଟିଏ ଫାଙ୍କାପାଇ ପାରୁନାହାଁନ୍ତି । ଏ ହୋଟେଲରେ ରହୁଥିବା ବ୍ୟବସାୟୀ, ସେଠ୍‌ ପ୍ରଭୃତି ଆସି ତାଙ୍କ ସହିତ ବ୍ୟବସାୟୀକ ସମ୍ପର୍କ ସ୍ଥାପନ କରିବାକୁ ଆଗ୍ରହୀ, ଜଣେ ଯଦି ଏଭଳି ଏକ ଖେୟାଲରେ ଘୋଡ଼ାଦୌଡ଼ିରେ ଟଙ୍କା ଲଗେଇବାକୁ ଏତେବାଟ ଗାଡ଼ି ଛାଡ଼ି ମଟର ସାଇକେଲରେ ଆସିବାକୁ ସାହାସ କରିପାରେ ଏବଂ ଶୀଘ୍ର ଆସିବାପାଇଁ ମଟର ସାଇକେଲ ବିକ୍ରୀ କରିଦେଇ ପାରେ ତେବେ ସେ କି ଭଳି ବ୍ୟକ୍ତି ହେଇ ନଥିବେ । ନିଜେ ବୀରେନ୍ଦ୍ର ନିଜର ଆସିବା ଅନୁଭୂତି ପ୍ରକାଶ କରିଛନ୍ତି ଅନ୍ୟମାନଙ୍କ ସମ୍ମୁଖରେ ।

 

ସମସ୍ତଙ୍କୁ ଯଥାରୀତି ଉତ୍ତର ଦେଇଛନ୍ତି ବୀରେନ୍ଦ୍ର । ପରବର୍ତ୍ତୀ ସୁଯୋଗରେ କାହା କାହାର କଥା ବିଚାର କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସକାଳର ନିତ୍ୟକର୍ମ ସାରିବାକୁ ବାହାରିଲେ । ହଠାତ୍‌ ବାହାରେ କେମିତି କିଛି ଅସ୍ୱାଭାବିକ ଶବ୍ଦ ଶୁଣାଗଲା । ତା’ପରେ କିଛି ଉଚ୍ଚସ୍ୱରରେ ଆଳାପ । ବୀରେନ୍ଦ୍ର ବାହାରକୁ ଆସିଲେ । ପାଖର କୌଣସି ରୁମ୍‌ ପାଖରେ ଦୁଇ ଚାରିଜଣ ଭଦ୍ରବ୍ୟକ୍ତି ଓ ଜଣେ ଦୁଇଜଣ ଭଦ୍ରମହିଳା—କିଛିଟା ଉତ୍ତେଜନା । ପ୍ରଥମେ ବୀରେନ୍ଦ୍ର ଭାବିଲେ ପ୍ରକୋଷ୍ଠ ଭିତରକୁ ଫେରିବେ । କିନ୍ତୁ ହୋଟେଲ ରିସେସ୍‌ସନିଷ୍ଟ ଓ ମ୍ୟାନେଜର ଉଭୟେ ବୀରେନ୍ଦ୍ରଙ୍କ ସହିତ ବେଶ୍‌ ଘନିଷ୍ଠ ହୋଇ ଉଠିଚନ୍ତି । ରିସେପସନିଷ୍ଟ ମହିଳା ଜଣକ ସକାଳର ଶୁଭେଚ୍ଛା ଜଣେଇବା ଫଳରେ ବୀରେନ୍ଦ୍ର ବାଧ୍ୟ ହେଲେ ସେଯାକେ ଆଗେଇବାକୁ । ପରିସ୍ଥିତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଥିଲା । ବୀରେନ୍ଦ୍ର ପ୍ରଥମେ ଘଟଣାଟି ଜାଣିବାକୁ ଚେଷ୍ଟା କଲେ ।

 

ଗତ ରାତ୍ରିରେ ମହିଳା ଜଣକ ହଲ୍‌ରେ ଅନ୍ୟ ଅଧିବାସୀନିଙ୍କ ସହିତ ନୈଶ ଭୋଜନ ପରେ କିଛିଟା ମଧୁର ଆଳାପ କରୁଥିଲେ । ରୁମ୍‌ରେ ତାଙ୍କର ସ୍ୱାମୀ ଥିଲେ । ଆଳାପ ପରେ ସେ ଫେରିଆସି ତାଙ୍କ ରୁମ୍‌ର କଲିଂବେଲ୍‌ ଚିପିଲେ । କିନ୍ତୁ ଭିତରୁ କବାଟ ଖୋଲିଲେ ଆଉ ଜଣେ ଭଦ୍ରଲୋକ ଏବଂ ଏଭଳି ଭଦ୍ରମହିଳାଙ୍କୁ ଦେଖି ଭିତରକୁ ନେଇଯାଇ କିଛିଟା ଅଶ୍ଳୀଳ ଇଙ୍ଗିତ କଲେ-

 

କଥାଟା ବୀରେନ୍ଦ୍ରଙ୍କ ପାଇଁ ପ୍ରଥମେ କ୍ଳିଷ୍ଟ ହେଲେ ମଧ୍ୟ ପରକ୍ଷଣରେ ପରିଷ୍କାର ହେଲା । ସ୍ୱାମୀ, ସ୍ତ୍ରୀ ଉଭୟେ ଯାଇଛନ୍ତି ନୈଶ ଭୋଜନ ପାଇଁ ଡ଼ାଇନିଂହଲ୍‌କୁ । ରାତ୍ରୀ ଭୋଜନକୁ ଯିବା ସମୟରେ ନିଜକୁ ସାମାନ୍ୟ ସଜ୍ଜିତ କରିଛନ୍ତି ନିଶ୍ଚୟ । ଭୋଜନ ପରେ ଆସିବାବେଳେ କୌଣସି ଆଧୁନିକାଙ୍କ ସହିତ ସୌହାର୍ଦ୍ଦ୍ୟତା ବିନିମୟ ପୂର୍ବକ ଅଟକିଗଲେ ମହିଳା ଜଣକ । ଆଗରେ ସ୍ୱାମୀ ନିଜ ରୁମ୍‌ ଭିତରକୁ ଫେରି ଆସିଛନ୍ତି । ପରେ ମହିଳା ଜଣକ ଫେରିଲାବେଳେ କରିଡ଼୍‌ର୍‌ର ନିଷ୍ପ୍ରଭ ଆଲୋକରେ ନିତାନ୍ତ ଅନ୍ୟମନସ୍କ ଭାବରେ ଅନ୍ୟଏକ ରୁମ୍‌ର ବେଲ ଚିପିଛନ୍ତି । ଭିତରେ ଥିବା ଭଦ୍ରବ୍ୟକ୍ତି ହୁଏତ ସାମାନ୍ୟ ପାନୀୟ ପରେ ବିଶ୍ରାମ ଲୋଡ଼ୁଥିଲେ । ଏପରି ସମୟରେ ଜଣେ ରୂପସୀ ହୋଟେଲ ତତ୍ୱାବଧାରକ ଦ୍ୱାରା ପ୍ରେରିତ ବୋଲି ଭାବି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପୂର୍ବକ ଭିତରକୁ ଟାଣି ନେଲେ । ବିଶେଷ କିଛି ଅଧିକା ଅଘଟଣ ନଘଟିଲେବି ନିଜର ସମ୍ମାନ ପ୍ରତିପାଦକ କରିବାକୁ ମହିଳା ଜଣକ ଗତ ରାତ୍ରୀରେ ସ୍ୱାମୀଙ୍କ ଜରିଆରେ ସାମାନ୍ୟ ଉତ୍ତେଜନା ସୃଷ୍ଟି କରିଥିଲେ-। ସବୁଗୁଡାକ ସକାଳକୁ ବାକି ଥିଲା ।

 

ବର୍ତ୍ତମାନର ପରିସ୍ଥିତି ହେଲା—ସ୍ୱାମୀ ନିଜର ପୌରୁଷ ପ୍ରମାଣ କରିବାକୁ ନିଜ ସ୍ତ୍ରୀ ହାତରେ ସେ ଭଦ୍ରବ୍ୟକ୍ତିଙ୍କୁ ଅପମାନ ଦବାକୁ ଚାହାଁନ୍ତି । ସେ ବ୍ୟକ୍ତି ମଧ୍ୟ କମ୍‌ ନୁହଁନ୍ତି । ବର୍ତ୍ତମାନ ପୋଲିସ୍‌କୁ ଡାକିବେ ଏବଂ ହୋଟେଲରେ ନିରାପତ୍ତା ନାହିଁ ବୋଲି ମ୍ୟାନେଜର ଓ ରିସେପ୍‌ସନିଷ୍ଟଙ୍କୁ ଡକେଇ ଚିତ୍କାର କରିବାରେ ବ୍ୟସ୍ତ । ଏ ପ୍ରକାର ପରିସ୍ଥିତିରେ କଣ କରିବେ ବୋଲି ମ୍ୟାନେଜର ଓ ତରୁଣୀ ଚିସେପ୍‌ସନିଷ୍ଟ ଜଣକ ବିବ୍ରତ ହୋଇ ପଡ଼ିଛନ୍ତି । ହୋଟେଲର ସୁନାମରେ ଆଞ୍ଚ ଆଣିବା ପାଇଁ ଏହାହିଁ ଯଥେଷ୍ଟ । ବୀରେନ୍ଦ୍ରଙ୍କ ଉପସ୍ଥିତି ସାମାନ୍ୟ ବ୍ୟତିକ୍ରମ ଆଣିବାଭଳି ଜଣାଗଲା । ହଠାତ୍‌ ସମସ୍ତେ ନିଜ ତରଫରୁ ସଫେଇ ବାଛିବାକୁ ଉଦ୍ୟତ ହେଲାବେଳେ ବୀରେନ୍ଦ୍ର ଅତି ଗମ୍ଭୀର ଭାବରେ ସମସ୍ତଙ୍କୁ ନୀରବ ରହିବାକୁ ଇଙ୍ଗିତ ଦେଲେ । ତା’ପରେ ନିଜ କକ୍ଷକୁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ ଜଣେଇଲେ । ହୋଟେଲ ବୟ ହାତରେ କିଛି ଜଳଯୋଗ ଆଉ ପାନୀୟ ପଠେଇବାକୁ ମ୍ୟାନେଜରଙ୍କୁ ଅନୁରୋଧ କଲେ ।

 

ବୀରେନ୍ଦ୍ରଙ୍କ କକ୍ଷରେ ପରିବେଶ ଗମ୍ଭୀର ହୋଇଉଠିଲା । କେମିତି କେଜାଣି କେହିକିଛି କହିପାରୁ ନଥିଲେ । ବୀରେନ୍ଦ୍ର ଅତି ଅଳ୍ପକେ ଘଟଣାର ପୁନରାବୃତ୍ତି କଲେ । ନିତ୍ୟନ୍ତ ସହଜ ଭାବରେ ଘଟଣାଟିକୁ ଆଉଥରେ ବ୍ୟାଖାନ କଲେ । ଏବଂ ସବୁପରେ ତରଳ ଭାବରେ ବୁଝେଇ ଦେଲେ ଯେ ଯାହାକିଛି କରାଯିବ ସବୁ ସେ ମହିଳାଙ୍କ ସମ୍ମାନରେ ବେଶୀ ଆଞ୍ଚ ଆଣିବ । ବେଶୀ ଲୋକ ଜାଣିବେ, ଖବର କାଗଜରେ ବାହାରିବ । ପୋଲିସ ଡାଏରୀରେ ନାଁ ଲେଖାଯିବ । ସର୍ବୋପରି ଏ ଘଟଣାକୁ କୌଣସି ଗୁରୁତ୍ୱ ଦିଆଯିବ ନାହିଁ । କାରଣ ଏହା ଏକ ଆକସ୍ମିକ ଦୁର୍ଘଟଣା-। ଉଦ୍ଦେଶ ମୂଳକଭାବେ ଯେହେତୁ ଭଦ୍ର ମହିଳା ଅନ୍ୟକକ୍ଷକୁ ଯାଇ ନାହାଁନ୍ତି ତେଣୁ ଅନ୍ୟ ଭଦ୍ରବ୍ୟକ୍ତି ଉଦ୍ଦେଶ୍ୟ ମୂଳକଭାବେ ତାଙ୍କୁ ଅବ୍ୟବହାର ଦେଖାଇ ନାହାନ୍ତି । ଯଦି ମହିଳା ଅନ୍ୟ ରୁମ୍‍ର କଲିଂବେଲ୍‌ ନ ଚିପିଥାନ୍ତେ ତେବେ ଏ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ଯଦି ମହିଳାଙ୍କ ସ୍ୱାମୀଜଣକ ହଲ୍‌ ପାଖରେ ତାଙ୍କ ସ୍ତ୍ରୀଙ୍କୁ ଏକା ଛାଡ଼ି ନ ଆସିଥାନ୍ତେ ତେବେ ତାଙ୍କର ମଧ୍ୟ ଏ ଭୁଲ୍‍ ହବାର ଦୁର୍ଯ୍ୟେଗ ହୋଇ ନଥାନ୍ତା । ଏଇ ଘଟଣାଟି କେବଳ ଏକ ଅଶୁଭ ମୁହୂର୍ତ୍ତର ପ୍ରତିଫଳନ-। ତେଣୁ ଏହାକୁ ଦୁଃସ୍ୱପ୍ନ ଭଳି ଭୁଲିଯିବା ଉଚିତ୍‌ । କେବଳ ସେତିକି ନୁହେଁ, ସ୍ୱପ୍ନର ଯେମିତି କୌଣସି ଛାପ ମନ ଭିତରେ ରହେ ନାହିଁ ଠିକ୍‌ ଏହାର ମଧ୍ୟ କୌଣସି ତୀବ୍ର ପ୍ରତିକ୍ରିୟା ରହିବା ଉଚିତ୍‌ ନୁହେଁ-

 

ଏତକ ମତାମତ ବ୍ୟକ୍ତ କରିବା ପରେ ବୀରେନ୍ଦ୍ର ଦେଖିଲେ ସମସ୍ତେ ନୀରବ ଏବଂ ସେହି ନୀରବତା ଭିତରେ ସମସ୍ତେ ନିଜ ନିଜର ଚା’ ଓ ଜଳଯୋଗ ଶେଷ କରିବା ପର୍ଯ୍ୟାୟରେ ପହଞ୍ଚିଛନ୍ତି । ବୀରେନ୍ଦ୍ର ନିଜ ଚା’ କପ୍‌ର ଶେଷ ଦି’ ତିନି ଢୋକକୁ ଏକା ନିଶ୍ୱାସରେ ଶେଷ କରି ଦେଇ ପରିସ୍ଥିତିକୁ ଲାଘବ କରିବା ପାଇଁ କହି ଉଠିଲେ—

 

‘ଦେଖନ୍ତୁ ! ଆମେ ସମସ୍ତେ ଏ ଯୁଗର ସର୍ବାଧୁନିକ ସାମାଜିକ ଜୀବ ବୋଲି ଗର୍ବ କରୁ । ବିଭିନ୍ନ ଅବସରରେ ବହୁବିଧ ଦେଇ ପର ସ୍ତ୍ରୀକୁ ନିଜ ସ୍ତ୍ରୀ ବୋଲି ସହଜ ଭୁଲ୍‍ କରିବାହିଁ ଗୌରବମୟ ଆଧୁନିକତା ବୋଲି ବର୍ତ୍ତମାନ ଗ୍ରହଣ କରାଯାଏ । ଏହି ଧରନ୍ତୁ ! ଯେଉଁ ନିଷ୍ପ୍ରଭ ଆଲୋକ ପାଇଁ ବା ସାମାନ୍ୟ ପାନୀୟ କାରଣରୁ ଏହି ଘଟଣା ଘଟିଗଲା—ଧରାଯାଉ ଏହି ହୋଟେଲର କୌଣସି ପାର୍ଟିରେ ବା ନାଚବେଳେ ଅନୁରୂପ ପରିବେଶରେ ଏଭୁଲ୍‍ ହୋଇଥାନ୍ତା ତେବେ ଏହାକୁ ଦୁର୍ଯ୍ୟେଗ ନାଁ ସୁଯୋଗ ବୋଲି ଧରା ଯାଇଥାନ୍ତା ? ବରଂ ଆସନ୍ତୁ ! ଏପରି ଏକ ଘଟଣା ଆମ ସମସ୍ତଙ୍କୁ ପରସ୍ପର ସହିତ ପରିଚିତ ହେବାର ସୁଯୋଗ ଦେଇଛି । କାଲିରାତିର ଏଇ ଅପସ୍ମୃତିା ବିସ୍ମୃତି ପାଇଁ ଆଜିରାତିରେ ଏକ ସ୍ମୃତିଶୀଳ ରାତ୍ରିଭୋଜନର ଆୟୋଜନ କରାଯାଇପାରେ-। ସମସ୍ତେ ଏକାଠି ବସି ଖାଇବା ବେଳେ ବିଗତ ରାତ୍ରିର ଲିଭି ଆସୁଥିବା ସ୍ୱପ୍ନକୁ ନିଜ ନିଜ ମୁହଁରେ ଗୌରବର ସହିତ ସଂଜୀବିତ କରିବା । ନୈଶ୍ୟ ଭୋଜନର ଦାୟୀତ୍ୱ ମୋର । ଆପଣମାନେ ନିମନ୍ତ୍ରିତ ଅତିଥି ।’

 

ବୀରେନ୍ଦ୍ରଙ୍କ କଥା ଶେଷବେଳକୁ ଦେଖାଗଲା ସମସ୍ତଙ୍କ ମୁହଁର ଭାବ କେମିତି ଅସ୍ୱାଭାବିକ୍‌ ଭାବେ ବଦଳି ଯାଇଛି । ବେଶ୍‌ ସହଜ ହୋଇଉଠିଛି ପରିବେଶ । ବରଂ କେମିତି କେଜାଣି ଏ ଘଟଣାପାଇଁ ସମସ୍ତେ ଅନୁତପ୍ତ ଭଳି ଜଣା ପଡ଼ନ୍ତି । ମୁହଁରେ ଅଳ୍ପ ଅଳ୍ପ ହାଲ୍‌କା ହସ ଫିଟି ଆସୁଛି । ସନ୍ଧ୍ୟା ସାତଟା ସୁଦ୍ଧା ସମସ୍ତେ ନୈଶ ଭୋଜନ କକ୍ଷରେ ଏକତ୍ରିତ ହେବେ ବୋଲି ବୀରେନ୍ଦ୍ର ପ୍ରତିଶ୍ରୁତି ଦେଇ ଗଲେ ।

 

ଦିନଟି ଯାକ ବୀରେନ୍ଦ୍ର ଡର୍ବିରେସ୍‌ର ଏଜେଣ୍ଟମାନଙ୍କ ସହିତ ଆଲୋଚନା ପାଇଁ ବିଭିନ୍ନ ସ୍ଥାନ ବୁଲି ଆସିଲେ । ଘୋଡ଼ା ଦେଖି ମଧ୍ୟ ସେ କେତୋଟି ସ୍ଥାନରେ ହତାଶ ହେଲେ । ଏ ରେସ୍‌ରେ ଆୟୋଜନ ସାମାନ୍ୟ ଭିନ୍ନ । ସେଥିପାଇଁ ସେ ଆଗ୍ରହୀ କିନ୍ତୁ ମୋଟାମୋଟି ଲାଭଜନକ ନୁହେଁ ବୋଲି ସେ ଅନ୍ୟମାନଙ୍କୁ କହୁଛନ୍ତି । ସାରାଦିନ ବାହାରେ କାଟିବା ପରେ ସନ୍ଧ୍ୟା ଆଗରୁ ଫେରି ଆସିଲେ ହୋଟେଲକୁ । ଯିବା ଆଗରୁ ରାତ୍ରିର ବିଶେଷ ଭୋଜନର ସମସ୍ତ ବନ୍ଦୋବସ୍ତ କରି ଯାଇଥିଲେ । କ୍ଷୁଦ୍ର ହେଲେ ମଧ୍ୟ ବୀରେନ୍ଦ୍ରଙ୍କ ସମ୍ମାନରେ ଯେମିତି ଆଞ୍ଚ ନଆସେ ସେଥିପାଇଁ ମ୍ୟାନେଜର ସଚେତ । ବୀରେନ୍ଦ୍ର ନିଜେ ମ୍ୟାନେଜରଙ୍କୁ ଏବଂ ଅଭ୍ୟର୍ଥନାକାରିଣୀଙ୍କୁ ସେମାନଙ୍କ ସହିତ ଯୋଗଦବା ପାଇଁ ଆମନ୍ତ୍ରଣ ଜଣେଇଛନ୍ତି । ଖାଇବା ଆଦେଶକୁ ତଦାରଖ କରୁଛନ୍ତି ମ୍ୟାନେଜର ନିଜେ । ବାସ୍ତବରେ କି ପ୍ରକାର ଏକ ଝଡ଼କୁ ବୀରେନ୍ଦ୍ର ଆଖି ପିଛୁଡ଼ାକେ ଥମେଇ ଦେଲେ । ନ ହେଲେ ଏତେବଡ଼ ଅନୁଷ୍ଠାନର ସମ୍ମାନ ଯଥେଷ୍ଟ କ୍ଷୁର୍ଣ୍ଣ ହୋଇଥାନ୍ତା ।

 

ସନ୍ଧ୍ୟା ହେଲା । ସମସ୍ତେ ଯେମିତି ଅପେକ୍ଷା କରିଥିଲେ । ଯଥେଷ୍ଟ ଆଗରୁ ହଲ୍‌ରେ ପହଞ୍ଚିଲେ । ବେଶ୍‌ ସମୟ ଧରି ମଧୁର ଆଳାପପରେ ଚର୍ଚ୍ଚା ପର୍ଯ୍ୟାୟ ଆରମ୍ଭ ହେଲା । ଯାହା ବ୍ୟବସ୍ଥା ହୋଇଥିଲା ସେ ସମସ୍ତ କଳ୍ପନାର ବାହାରେ । ସାମାନ୍ୟ ପାନୀୟର ବ୍ୟବସ୍ଥା ମଧ୍ୟ ଥିଲା । ବୀରେନ୍ଦ୍ର ଆବିଷ୍କାର କଲେ ଉକ୍ତ ଭଦ୍ର ମହିଳାଙ୍କ ସ୍ୱାମୀ ବରଂ ଅଧିକ ପାନୀୟ ସେବନରେ ବ୍ୟସ୍ତ । ଏହି କେତେଜଣ ବ୍ୟକ୍ତିଙ୍କ ଆଳାପ ଆଲୋଚନାରେ ଲେଶ ମାତ୍ର ଗ୍ଳାନି ନ ଥିଲା । ଗୋଟିଏ ଦୁର୍ଘଟଣାରୁ ସମସ୍ତେ ଏକତ୍ରିତ ହୋଇଛନ୍ତି ଏକଥା କେହି ଅନୁମାନ କରିପାରିବେ ନାହିଁ । ବହୁ ସମୟ ଧରି ହସ ଖୁସି ସ ମଉଜ ଭିତରେ ପ୍ରାୟ ଦୁଇଘଣ୍ଟା ଧରି ପରସ୍ପର ନିଜକୁ ଭୁଲି ଯାଇଥିଲେ-

 

ଏ ଆୟୋଜନର ଅନ୍ୟତମ ବିଶେଷତ୍ୱ ହେଲା ଅଭ୍ୟର୍ଥନାକାରିଣୀ ତରୁଣୀ । ବୀରେନ୍ଦ୍ର ଲକ୍ଷ୍ୟ କଲେ ତରୁଣୀ ଜଣକ ଏଭଳି ଏକ ଆକଷଣୀୟ ଭୋଜନର ନିମନ୍ତ୍ରିତା ଅତିଥି ନୁହଁନ୍ତି ସେ ନିଜେ ଏକ ଆକର୍ଷଣ । ଏ କେତେଦିନ ତାଙ୍କୁ ଦେଖିବା ଭିତରେ ଏଭଳି କେବେ ଦେଖି ନାହାନ୍ତି । ବୀରେନ୍ଦ୍ର ସେଇଠି ଅନୁଭବ କଲେ ଏ ଝିଅମାନଙ୍କର ପ୍ରକୃତରେ ରୁଚି ଅଛି । କେଉଁ ପରିବେଶରେ ନିଜକୁ କେମିତି ଭାବରେ ଉପସ୍ଥାପିତ କରିବା ଉଚିତ୍‌ ତାହା ସେମାନେ ଆମ ଝିଅମାନଙ୍କ ଠାରୁ ଯଥେଷ୍ଟ ଭାବରେ ଅଧିକ ଜାଣନ୍ତି । ବିଶେଷକରି ନିଜ ଚାକିରିର ଯଥାର୍ଥ ଯୋଗ୍ୟତା ପ୍ରତିପାଦନ କରୁଛନ୍ତି ସେ । ଏ ପ୍ରକାର ଏକ ପରିବେଶରେ ସେ ଆଦୌ ଉଗ୍ରଆଧୁନିକା ଜଣା ପଡ଼ୁନାହାନ୍ତି । ବରଂ ରୁଚିଶୀଳ ମନେ ହଉଛନ୍ତି । ନିଜକୁ ବେଶ୍‌ ଯତ୍ନର ସହିତ ସଜେଇ ଥିଲେ ମଧ୍ୟ ଚର୍ଯ୍ୟା ଯଥେଷ୍ଟ ମାର୍ଜିତ । ଏକ ପ୍ରଗଳ୍‌ଭା କିଶୋରୀ ଭଳି ସେ ଯେମିତି ଚଳଚଞ୍ଚଳ ହୋଇଉଠି ଅନେକ କାମ ନିଜେ କରି ଯାଉଛନ୍ତି । ବୀରେନ୍ଦ୍ରଙ୍କର ମନେହେଲା ସତେ ଯେମିତି ସେ ହୋଟେଲର ଅଭ୍ୟର୍ଥନାକାରିଣୀ ନୁହନ୍ତି ନିମନ୍ତ୍ରଣ କାରିଣୀ ।

 

ମନେ ମନେ ହସିଲେ ବୀରେନ୍ଦ୍ର । ଆହା ବିଚାରା । ସିଏ ଖୁସୀ ନ ହବତ ହବ ଆଉ କିଏ । ଆଜି ହୁଏତ ଏହିପରି ଏକ ଦୁର୍ଘଟଣା ଲୋକଲୋଚନକୁ କିମ୍ବା ଜନଶ୍ରୁତିକୁ ଆସିଥିଲେ ହୋଟେଲର କର୍ତ୍ତୃପକ୍ଷ ଚବିଶଘଣ୍ଟିଆ ନୋଟିସ୍‌ ଦେଇ ସବୁଦିନ ପାଇଁ ଛୁଟି କରି ଦେଇଥାନ୍ତେ । ତାକୁ ରକ୍ଷାକରି ତା ତପଫରୁ ଭୋଜି ଦେଲାଭଳି କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ବୀରେନ୍ଦ୍ର । ତେଣୁ ସାଧାରଣ ଲୌକିକତା ଦୃଷ୍ଟିରୁ ସେ କୃତଜ୍ଞତା ପ୍ରକାଶ କରିବା ଯଥାର୍ଥ ।

 

କିଞ୍ଚିତ୍‌ ଭାବାନ୍ତର ହେଲା ବୀରେନ୍ଦ୍ରଙ୍କର । ଏହି ପ୍ରକାର ଏକ ପରିବେଶରେ ସେ ଆଉଜଣକୁ ପରିକଳ୍ପନା କରି ବସିଲେ । ହଠାତ୍‌ ନିଃସଙ୍ଗତାର ଭୂତ ତାଙ୍କୁ ଅହେତୁକ ଭାବରେ ଗ୍ରାସକଲା । ଏତେ ଲୋକଙ୍କର ଉପସ୍ଥିତିରେ ମଧ୍ୟ ସେ ଖୁବ୍‌ ଏକା ଅନୁଭବ କଲେ । ଖୁବ୍‌ ଚାତୁରୀ ସହକାରେ ଉପସ୍ଥିତ ବାତାବରଣ ଚଳେଇ ନବାକୁ ଚେଷ୍ଟା କରି ମଧ୍ୟ କେମିତି କେଜାଣି ସେ ଖାପ୍‌ଛଡ଼ା ହୋଇ ପଡ଼ୁଥିଲେ ।

 

‘ଆରେ ! ମୋ କଥା ଶୁଣ, ତମେ...’

 

ଅଭ୍ୟର୍ଥନାକାରିଣୀଙ୍କର କୌଣସି ଏକ ପ୍ରଶ୍ନର ଉତ୍ତର ଦବାକୁ ଯାଇ ବୀରେନ୍ଦ୍ରଙ୍କ ମୁହଁରୁ ଏତକ ବାହାରି ପଡ଼ିଲା । ହଠାତ୍‌ ନିଜକୁ ସଂଯତ କରି ନେଇ କହିଲେ—

 

‘କ୍ଷମା କରିବେ, ଆପଣ-ଆପଣ ମଧ୍ୟ ଖାଇବାରେ ମନ ନ ଦେଇ ଆମ ସେବାରେ ଲାଗିଛନ୍ତି ।’

 

କେହି ନଧରିଲେ ବି ଫିକ୍‌କରି ତରୁଣୀ ଜଣକୁ ହସି ପକେଇଲେ । ବୀରେନ୍ଦ୍ରଙ୍କ ଅଜାଣତରେ ତମେ ବୋଲି ସମ୍ବୋଧନ ବାହାରି ପଡ଼ିଛି ଯେହେତୁ ସେ ଅନ୍ୟ ରାଜ୍ୟରେ ଥିଲେ । ଏମିତି ତ ତାଙ୍କ ସହିତ ଇଂରାଜୀରେ କଥାବାର୍ତ୍ତା କରିବାକୁ ପଡ଼େ । କିନ୍ତୁ ଏକ ହିନ୍ଦିଭାଷୀ ପରିବେଶ ପୁଣି ସେ ଭଦ୍ରମହିଳା ମଧ୍ୟ ସୁନ୍ଦର ହିନ୍ଦି କହିବା ଦେଖି ହିନ୍ଦିରେ କହି ପକେଇଲେ ବୀରେନ୍ଦ୍ର ।

 

‘ଆପଣ ମତେ ତମେ ବୋଲି ସମ୍ୱୋଧନ କରିବାରେ କୌଣସି ଆପତ୍ତି ନାହିଁ, ତରୁଣୀ ଜଣକ ଖୁବ୍ ନରମ କଣ୍ଠରେ କହିଲେ ।’ ବୀରେନ୍ଦ୍ର ସାମାନ୍ୟ ଅପ୍ରତିଭ ବୋଧକଲେ ।

 

ବେଶ୍‌ ସମୟ ପରେ ଭୋଜନ ଶେଷ ହେଲା । ସମସ୍ତେ ବୀରେନ୍ଦ୍ରଙ୍କୁ ଧନ୍ୟବାଦ ଜଣେଇ ଏବଂ ତାଙ୍କର ସୌର୍ଦ୍ଦହା ପ୍ରତି ସଂଭ୍ରମତା ପ୍ରକାଶକରି ନିଜ ନିଜ କକ୍ଷକୁ ବାହୁଡ଼ିଲେ । ମ୍ୟାନେଜରଙ୍କର ପ୍ରାପ୍ୟ ସମ୍ପର୍କରେ ସାଧାରଣ କଥାବାର୍ତ୍ତା କରି ସାରିଲା ପରେ ଅଭ୍ୟର୍ଥନାକାରିଣୀ ଓ ପରିଚାଳକ ଉଭୟଙ୍କୁ ଶୁଭରାତ୍ରୀ ଜଣେଇ ନିଜକକ୍ଷକୁ ଫେରିଲେ ବୀରେନ୍ଦ୍ର ।

 

ଅସସନ୍ନ ଦେହକୁ ବିଚଣାରେ ଲେଟେଇ ଦେଇ ବୀରେନ୍ଦ୍ର ସଦ୍ୟ ଅତୀତର ପୃଷ୍ଠା ଓଲଟାଇଲେ । ଶୁଭରାତ୍ରୀ ଜଣେଇଲାବେଳେ ମ୍ୟାନେଜରଙ୍କ ଭଳି କରୁଣୀ ଜଣକ କାହିଁକି ମୁକ୍ତକଣ୍ଠି ହେଲେ ନାହିଁ । ବୋଧହୁଏ ସାମାନ୍ୟ ଅପ୍ରସ୍ତୁତ ବୋଧ କରିଛନ୍ତି ବୀରେନ୍ଦ୍ରଙ୍କର ତମେ ସମ୍ବୋଧନରେ । ଏ ପ୍ରକାର ଭୁଲ୍‍ କେବେ କରିବେ ନାହିଁ ବୋଲି ସେ ସଚେତ । ଅତୀତରେ ଏ ପ୍ରକାର ଏକ ଛୋଟ ଭ୍ରମର ଯଥେଷ୍ଟ ମୂଲ୍ୟ ତାଙ୍କୁ ଦେବାକୁ ପଡ଼ିଛି ।

 

କୌଣସି ଏକ ପାରିବାରିକ ଆଲୋଚନାର ଚରମ ପର୍ଯ୍ୟାୟରେ ପାଟିରୁ ବାହରି ପଡ଼ିଲା–‘ଶୋଭା ! ତମେ ମୋ କଥାଟା ବୁଝୁନା ଜମ୍ମା ।’

 

‘ମୁଁ ଶୋଭା ନୁହେଁ । ଶୋଭା ଦେଇ ପାରିବି ନାହିଁ । କିମ୍ବା ହବାର ବାସନା ମୋର କାହିଁ-। ଶୋଭା ଶୋଭୁ । ପୁଷ୍ପ ପୁଷ୍ପ । ପୁଷ୍ପ ହେଇ ରହିବାକୁ ଦିଅ । ତମର ଶୋଭା ଯିଏ ଭରାସୀମନ୍ତ ସିନ୍ଦୂରଗାର ଦେଇ ତମ ଘରର ଶୋଭାବର୍ଦ୍ଧନ କରୁଛି । ମୁଁ ସେ ଗୌରବ କାହୁଁ ପାଇବି-? ସ୍ୱଚ୍ଛ ସୀମନ୍ତ ଏ ପର୍ଯ୍ୟନ୍ତ ମୋର ଅପୂର୍ଣ୍ଣ ରହିଛି—କେବଳ କଳଙ୍କ ବିମଣ୍ଡିତ ହେବା ପାଇଁ ।’

 

କେଉଁ ଏକ ଅଭିମାନ ଅନ୍ୟ କେଉଁଆଡ଼େ ଟାଣି ହେଇ ଚାଲିଗଲା ବୀରେନ୍ଦ୍ର ବୁଝିପାରିଲେ ନାହିଁ । ପୁଷ୍ପକୁ କେବଳ ଶୋଭା ବୋଲି ପାଟିରୁ ବାହାରି ଯିବାରେ ଏତିକି ଶୁଣିବାକୁ ପଡ଼ିଲା । ଅନେକ ଅଭିମାନର କଥା ଏଇ ପୁଷ୍ପଙ୍କର । ଶୋଭା ସାବିତ୍ରୀଙ୍କର ଶାଶୁ ଘରର ନାଁ । ସାବିତ୍ରୀ ଯେତେବେଳେ ବାହାହେଇ ଆସିଲେ ପ୍ରଥାଅନୁଯାୟୀ ଶାଶୁଘରେ ବେଦୀ ଉପରେ ଆଉ ଗୋଟାଏ ନୂଆ ନାଁ ଦିଆହବା କଥା । ବୀରେନ୍ଦ୍ରଙ୍କ ମା’ କହିଲେ—ତା ନା’ ଶୋଭା ରହିବ । ସେ ଆସିଚି ମୋ ଘରର ଶୋଭା ବଢ଼େଇବାକୁ । ସେଇଦିନଠାରୁ ସାବିତ୍ରୀଙ୍କ ନାଁ ବୀରେନ୍ଦ୍ରଙ୍କ ଘରେ ଶୋଭା । ତାକୁ ଉପଲକ୍ଷ କରି ପୁଷ୍ପ ଏତକ କହିଲେ ।

 

ଉଠିଲେ ବୀରେନ୍ଦ୍ର । ଯଥେଷ୍ଟ ଅଭିମାନ ପୁଷ୍ପଙ୍କର । ଏ ଅବସ୍ଥାରେ ବୀରେନ୍ଦ୍ର ଜାଣନ୍ତି ତାଙ୍କୁ ଭାଷାରେ ବୋଧଦେଇ ହବନାହିଁ । ବୀରେନ୍ଦ୍ର ମଧ୍ୟ ବେଶି ଯୁକ୍ତିତର୍କ ସପକ୍ଷରେ ନୁହଁନ୍ତି । ସତ୍ୟ ମନ୍ଦିରରରୁ ଫେରିଥିବା ଭୋଗଥାଳି ପାଖକୁ ଫେରିଗଲେ । ବେଲପତ୍ରରେ ବହଳିଆ ସିନ୍ଦୂର ଆଉ ହୋମ ଅର୍କ ଚକ୍‌ ଚକ୍‌ କରୁଥାଏ ।

 

‘ମତେ ମଧ୍ୟ ଲାଗୁଛି ପୁଷ୍ପ । ତମର ଏ ସୀମନ୍ତ ନିତାନ୍ତ ଫାଙ୍କା । କଳଙ୍କିତ ହବା ଯଦି ଦରକାର ତେବେ ଆଜି କାହିଁକି ନୁହେଁ ? ଏଠି ହୋମର ଅବଶେଷ ଅଛି ସିନ୍ଦୂର ଅଛି । ମିଶେଇ ଦେଲେ ଦୁହେଁ ଦୁହିଁଙ୍କର ଅସ୍ଥିତ୍ୱ ହରେଇ ଏକ ନୂତନ ମିଶ୍ରଣ ହୋଇ ଉଠିବେ ଏବଂ ସେଇ ନୂତନ ମିଶ୍ରଣ ଏକ ନୂତନ ରୂପରେ ଏ ନବ ସୀମନ୍ତରେ ସ୍ଥାନ ପାଉ ।’

 

ଏତିକି କହି ସେ ସିନ୍ଦୂର ଆଉ ଉସ୍ମକୁ ଏକାଠି ଧରି ବହଳିଆ ଗାରଟା ଟାଣିଦେଲେ ବୀରେନ୍ଦ୍ର ପୁଷ୍ପଙ୍କ ସୀମନ୍ତରେ । ବାସ୍‌ ! ସେହି ଦିନଠାରୁ ପୁଷ୍ପ ଆଉ ଏଭଳିଆ କଥା କହି ନାହାନ୍ତି । ବରଂ ଭୁଲ୍‍ରେ ଯଦି କେତେବେଳେ ପୁଷ୍ପ ଡ଼ାକିଲାବେଳେ ‘ଶୋଭା’ ବୋଲି ବାହାରିପଡ଼େ ପୁଷ୍ପ ଏକାନ୍ତଭାବେ ଗର୍ବ ଅନୁଭବ କରିଛନ୍ତି ସିନା ଅଭିମାନ ନୁହେଁ । ସେହିଦିନ ଠାରୁ ପୁଷ୍ପଙ୍କର ମଧ୍ୟ ଅଦ୍ଭୁତ ପରିବର୍ତ୍ତନ । ୟା’ ଆଗରୁ ବେଳେ ବେଳେ ନିତାନ୍ତ ସହଜ ଭାବରେ ନିଜ ହାତକୁ ଖାଲି କରି ଘଣ୍ଟା ବା କିଛି ପିନ୍ଧିଲାବେଳେ ତାଙ୍କୁ ଅଡ଼ୁଆ ଲାଗୁନଥିଲା । କିନ୍ତୁ ୟା’ପରେ ପରୋକ୍ଷରେ ଅନ୍ୟ ନାଁର ଆଳ ଦେଖେଇ ଏହି ଅଭ୍ୟାସକୁ ପୁଷ୍ପ ବାତିଲ କରି ଦେଇଛନ୍ତି । ବରଂ ଥରେ ଥରେ କଥା ଛଳରେ ଅନ୍ୟାନ୍ୟ ଗୁରୁଜନମାନେ କିପରି ସମ୍ପୂର୍ଣ୍ଣ ଖାଲି ହାତ କରିବା ଅନୁଚିତ କୁହନ୍ତି ବୋଲି ବର୍ଣ୍ଣନା କରିଛନ୍ତି ।

 

ସେହି ପ୍ରକାରର ଏକ ଛୋଟ ଧରଣର ଭୁଲ୍‍ ବୀରେନ୍ଦ୍ର ଆଜି କରି ବସିଲେ । ବୋଧହୁଏ ଅଭ୍ୟର୍ଥନାକାରିଣୀ ଅନ୍ୟଥା ବୁଝିଲେ । ତେବେ ଆଉ କଥାଟା ବେଶୀ ଆଗକୁ ନଭାବି ବରଂ ସହଜରେ ମନରୁ ଏଡ଼ିଦେଇ ଶୋଇବା ଉଚିତ ହବ । ଏଇ ସିଦ୍ଧାନ୍ତରେ ଉପନୀତ ହେବାପରେ ରୁମ୍‌ର ଲାଇଟ କ୍ଷୀଣ କଲେ ଏବଂ କଡ଼ ଲେଉଟାଇଲେ ।

 

କକ୍ଷ ଭିତରେ କଲିଂବେଲ୍‌ ବାଜିଲା । ବୀରେନ୍ଦ୍ର ଘଣ୍ଟାକୁ ଚାହିଁଲେ ରାତି ଦଶଟା । ସାମାନ୍ୟ ହସ ଲାଗିଲା ବୀରେନ୍ଦ୍ରଙ୍କୁ । ଉଠୁ ଉଠୁ ଭାବିଲେ ଗତ ରାତିର ଅଘଟଣ ଭଳି ଆଜିମଧ୍ୟ ସେହିଭଳି କିଛି ଅଘଟର ଘଟିଲା ନାହିଁତ ? କବାଟ ଖୋଲିଲେ । ଅଭ୍ୟର୍ଥନାକାରିଣୀ ନିଜେ । ବୀରେନ୍ଦ୍ର ଆଶ୍ଚର୍ଯ୍ୟ ହେଲେ । ତଥାପି ନିଜକୁ ପ୍ରକାଶ ନକରି ପ୍ରଶ୍ନକଲେ–

 

‘ପୁଣି ଆପଣ ? ଆଉ କିଛି.... ।’

 

‘ଆଉକିଛି ସେମିତି ଦୁର୍ଘଟଣା ଘଟିଲେ ଆପଣଙ୍କ ପାଖକୁ କେବଳ ଆସିବି—ଏକଥା ତ ଆପଣ ମତେ କହିନଥିଲେ । କ’ଣ ଶୋଇ ପଡ଼ିଥିଲେ ?’

 

‘ନାଁ ଶୋଇବାର ଉପକ୍ରମ କରୁଥିଲି ।’

 

‘ତେବେ ମୁଁ ଯାଉଛି । ଆପଣଙ୍କୁ ଡିଷ୍ଟର୍ବ କରିବି ନାହିଁ । ମୁଁ ଭାବିଲି ଆପଣ ବହୁତ ରାତିଯାଏ ଶୋଉ ନଥିବେ ।’ ଏତିକି କହି ଫେରିବାକୁ ଉଦ୍ୟତ ହେଲେ ଭଦ୍ରମହିଳା । ବୀରେନ୍ଦ୍ର କିଛି ବୁଝିପାରିଲେ ନାହିଁ କ’ଣ ତାଙ୍କର କରିବା ଉଚିତ । ପାଟିରୁ ବାହାରି ପଡ଼ିଲା—

 

‘ନାଁ ନାଁ ଆପଣ ଡିଷ୍ଟର୍ବ ମୋଟେ କରୁନାହାଁନ୍ତି । ମୁଁ ପ୍ରକୃତରେ ବହୁତ ଗତିରେ ଶୁଏ ।’ ଆଉ କିଛି କହିବା ଆଗରୁ ତରୁଣା ଜଣକ ରୁମ ଭିତରକୁ ପ୍ରବେଶ କରୁ କରୁ କହିଲେ–

 

‘ତେବେ କିଛି ସମୟ ଆପଣଙ୍କୁ ବିରକ୍ତ କରିବାରେ ଆପଣଙ୍କ ଆପତ୍ତି ଅଛି ?’

 

ଏ ପ୍ରଶ୍ନର ଉତ୍ତର ବୀରେନ୍ଦ୍ରଙ୍କ ପାଇଁ ଯଥେଷ୍ଟ ଜଟିଳ ମନେହେଲା । ବରଂ ସେ ନୀରବ ରହିବାକୁ ଚାହୁଁଥିଲେ । ତରୁଣୀ ଜଣକୁ ଆସନ ଗ୍ରହଣ କରି ସାରିବା ଦେଖି ଦରଜା ପାଖରୁ ଫେରି ଆସିଲେ । ଦାମୀ ହୋଟେଲର ଦାମୀ ଦରଗା ଆପେ ଆପେ ବନ୍ଦ ହୋଇଗଲା । ବୀରେନ୍ଦ୍ର ନିଜ ବିଛଣା ଉପରେ ବସୁ ବସୁ ତରୁଣୀ ଜଣକ ପୁନର୍ବାର ସେହି ପ୍ରଶ୍ନକୁ ସ୍ମରଣ କରେଇ ଦେଲେ ।

 

‘କିଛି ଉତ୍ତର ଦେଲେନି.... ?’

 

‘ଉତ୍ତର ଦବାଟା କ’ଣଟା ନିତାନ୍ତ ଦରକାର?’ ଅଳ୍ପକେ ଉତ୍ତରଟାକୁ ଅନ୍ୟ ଏକ ପ୍ରଶ୍ନରେ ଫେରେଇ ଦେଲେ ବୀରେନ୍ଦ୍ର । ଏଇଟା ତାଙ୍କର ପ୍ରକୃତି । ବେଳେବେଳେ ଏପରି ଏକ ଅସମାଧିତ ପରିସ୍ଥିତି ପାଇଁ କେତୋଟି ଫର୍ମୁଲାବନ୍ଧା ବାକ୍ୟ ତାଙ୍କ ପାଖରେ ଗଚ୍ଛିତ ଅଛି । ଏଗୁଡ଼ିକୁ ଅତି ଅନ୍ୟମନସ୍କ ଭାବରେ ଆଗପଛ କିଛି ନଶୁଣି ମଧ୍ୟ ପ୍ରୟୋଗ କରାଯାଇପାରେ । ଫଳତଃ ଯିଏ ଯାହା ଚାହୁଁଥିବେ ସେଇ ଉତ୍ତର ହିଁ ସେଥିରୁ ପାଇଯିବେ ।

 

ତାହାହିଁ ହେଲା । ଅଭ୍ୟର୍ଥନାକାରିଣୀ ମହିଳା ମନ ଭିତରେ ତାଙ୍କର ଉତ୍ତର ପାଇ ନିଶ୍ଚିନ୍ତ ହେଲେ । ବୀରେନ୍ଦ୍ର ମୁହଁଟେକି ତରୁଣୀ ଜଣଙ୍କୁ ଅନେଇଲେ । ହଠାତ୍‌ ତାଙ୍କୁ ଜଣାଗଲା କେଇଘଣ୍ଟା ପୂର୍ବର ଲାସ୍ୟମୟୀ, ଲାବଣ୍ୟବତୀ ତରୁଣୀ ଏଇ ଅଳ୍ପସମୟ ଭିତରେ ଚପଳାଛନ୍ଦା କିଶୋରୀ ହୋଇଉଠିଛନ୍ତି । ବେଶ ବିନ୍ୟାସ ଆହୁରି ସତେଜ ହୋଇଉଠିଛନ୍ତି । ଚାହାଁଣୀ ହସ ଆଉ କଥାର ଭଙ୍ଗୀରେ କେମିତି ଗୋଟାଏ ପ୍ରଗ୍‌ଳଭତା ଭରି ଉଠିଲା ଭଳି ଲାଗୁଛି ବୀରେନ୍ଦ୍ରଙ୍କୁ ।

 

‘ଆପଣ କେମିତି କୋଉଠୁ କଥାଟା ଆରମ୍ଭ କରିବେ ବୋଲି ଭାବୁଛନ୍ତିତ ? ଏଥିରେ ଏତେ ଭାବିବାର କ’ଣ ଅଛି ? ଆମେମାନେ ଏଭଳି ଆଧୁନିକ ହୋଟେଲରେ କାମ କରୁଥିବା ଭଳି ଝିଅ, ଆପଣମାନଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ଦେଖିବା ଆମର କର୍ତ୍ତବ୍ୟ ତା’ଛଡ଼ା ଏପରି ସମୟରେ ଆପଣଙ୍କ ରୁମ୍‌କୁ ଆସି ବସିସାରିଛି । ଅନ୍ୟ କିଛି ପଚାରିବା ପୂର୍ବରୁ ଆଉ ଭାବିବାର କଣ ଥାଇପାରେ ?’

 

ବୀରେନ୍ଦ୍ର କେମିତି କେଜାଣି ଟିକେ ଅସଂଯତବୋଧ କରୁଥିଲେ । ଭଦ୍ରମହିଳା ଯାହା କହୁଛନ୍ତି, ତାର ଅର୍ଥ ସେ ଠିକ୍‌ ବୁଝିଛନ୍ତି ତ ? ଅବଶ୍ୟ ଏଥିରେ ବିଶେଷ ଦୁର୍ବୋଧ୍ୟ କିଛି ନ ଥିବା ସ୍ୱାଭାବିକ । ଏସବୁ କେମିତି ଉପସ୍ଥାପିତ କରିବାକୁ ପଡ଼େ ସେ ସମ୍ପର୍କରେ ତରୁଣୀଙ୍କର ବେଶ୍‌ ଅଭିଜ୍ଞତା ଥାଇପାରେ । ଖାଲି ସେ କଥାଗୁଡ଼ାକୁ ହଜମ କରି ପ୍ରତ୍ୟୁତ୍ତର ଦବାଭଳି ଜ୍ଞାତ ବୀରେନ୍ଦ୍ରଙ୍କର ଅଛି କି ନାଁ ସେଇଟାହିଁ ଭାବିବାର କଥା ।

 

’ଦେଖନ୍ତୁ... ।’

 

‘ମୋ ନାଁ ଲିସା । ଏପର୍ଯ୍ୟନ୍ତ ମୋ ନାଁଟା ଜାଣିନାହାନ୍ତି ମୁଁ ଭାରି ଦୁଃଖିତ । ଅନ୍ୟ ଗୋଟାଏ ନାଁରେ ଡାକିଦେଇ ସନ୍ଧ୍ୟାବେଳେ ଆପଣ ଖୁବ୍‌ ଦୁଃଖ ପ୍ରକାଶ କରିଛନ୍ତି ।’

 

‘ଲିସା...ଭଲ ନାଁଟିଏ । କଣ ମୋନାଲିସାରୁ ଲିସା ।’

 

‘ଏଲିସାରୁ ! ବାପାଙ୍କର ବାପା ଅବା ତାଙ୍କ ବାପା କେହି ବିଦେଶୀୟ ଥିଲେ, ଖାଲି ତାଙ୍କରି ତରଫରୁ ନାଁ ଗୁଡାକ ହିଁ ରହୁଛି । ଆଉକିଛି ନୁହେଁ ।’

 

‘ଖାଲି ନାଁ କାହିଁକି ରୂପ ଚାଲିଚଳନ ଆଚାର ବ୍ୟବହାର ସବୁଥରେ ସାମନ୍ୟ ଭିନ୍ନତା ନିଶ୍ଚୟ ଅଛି ।’

 

‘ଯା ହଉ । ଧନ୍ୟବାଦ । ଆପ୍ୟାୟିତ କରିବାଟା କୋଉଠୁ ଆରମ୍ଭ କରିବି ?’ ଏତକ ପଚାରି ଲିସା କଲିଂବେଲ ଚିପିଲେ । ତା’ପରେ ପହିହାସ କରି ବୀରେନ୍ଦ୍ରଙ୍କୁ କହିଲେ—

 

‘ଆପଣ ବିବ୍ରତ ନାହିଁ । ଏ ରାତିର କୌଣସିଟି ବିଲ୍‌ ଆପଣଙ୍କୁ ଦବାକୁ ପଡ଼ିବ ନାହିଁ ।’

 

ବୀରେନ୍ଦ୍ର ପ୍ରତିବଦଳରେ କେବଳ ମୃଦୃ ହସିଲେ । ପରିସ୍ଥିତି ଭିନ୍ନ ଜାଣି ସୁଦ୍ଧା ସେ ନିଜକୁ ସଂଯତ କରି ରଖିପାରିଥିଲେ । ତଥାପି ତାଙ୍କୁ ଜଣା ପଡ଼ୁଥିଲା ତାଙ୍କ କପାଳ ଘର୍ମାକ୍ତ ହୋଇ ଉଠୁଥିଲା । ବୟ ଆସିଲା । ତାକୁ ଥଣ୍ଡା ପାନୀୟର କିଛି ବରାଦ ଦେଲେ ଲିସା ।

 

‘ଆଗ ଥଣ୍ଡାରୁ ଆରମ୍ଭ ହଉ । ତା’ପରେ ଗରମ ଦରକାର ପଡ଼ିଲେ ମଗେଇବା । ଏଥର ଆରମ୍ଭ କରନ୍ତୁ ।’

 

‘କ’ଣ... ?’ ହତବମ୍ୱ ହୋଇ ପ୍ରଶ୍ନକଲେ ବୀରେନ୍ଦ୍ର । କେମିତି କେଜାଣି ତାଙ୍କ କପାଳର ସ୍ୱେଦବିନ୍ଦୁ କ୍ରମଶଃ ବହଳ ହୋଇଆସିଲା, କିନ୍ତୁ ଲିସା ସମ୍ପୂର୍ଣ୍ଣ ସହଜ ଭାବରେ ଉତ୍ତର ଦେଲେ ।

 

‘ଯାହା ଆପଣଙ୍କର ଇଚ୍ଛା । ଆପଣଙ୍କ ବିଷୟରେ । ମୋ ବିଷୟରେ ବା ଆମ ଦୁହିଁଙ୍କ ବିଷୟରେ ।’

 

‘ମୋ ବିଷୟରେ କ’ଣ ହବ ? ବରଂ ଆପଣଙ୍କ ବିଷୟରେ କିଛି କୁହନ୍ତୁନାଁ । ଜଣେ ନାରୀ ବିଷୟରେ ତା’ ମୁହଁରୁ ଶୁଣିଲେ ଗୋଟାଏ ଆକର୍ଷଣ ଅଛି ।’

 

ଏଥର ଦୀର୍ଘଶ୍ୱାସ ଛାଡ଼ି ସହଜ ହୋଇ ବସିଲେ ଲିସା । ଦୁହେଁ ପାନୀୟ ଶେଷ କରିସାରିବା ପରେ ବୋଧହୁଏ ଆରମ୍ଭ କରିବାର ଉପକ୍ରମ କରୁଛନ୍ତି ।

 

‘ବେଶ୍‌ ଯଦି ଗପକରି କିଛିସମୟ କଟେଇଦବା ଆପଣଙ୍କର ଉଦ୍ଦେଶ୍ୟ ତେବେ ମୁଁ ବି ରାଜି । କିନ୍ତୁ ଆପଣ କହିଲେ ଭଲ ହୁଅନ୍ତା, ବିଶେଷକରି ପୁଷ୍ପଙ୍କ ବିଷୟରେ କହିଲେ ମୋର ବହୁତ କିଛି ଉଦ୍ଦେଶ୍ୟ ସାର୍ଥକ ହୋଇପାରନ୍ତା । ତେବେ ଠିକ୍‌ କରନ୍ତୁ । ମତେ ଆପଣଙ୍କ ପୁଷ୍ପ ବିଷୟରେ କହିବେ ନାଁ ମୋ ଠାରୁ କିଛି ଶୁଣିବେ ।’

 

ଏତିକି ବୀରେନ୍ଦ୍ରଙ୍କୁ ନ ଚାହିଁ ନିତାନ୍ତ ସହଜ ଭାବରେ ବାଥ୍‌ରୁମ୍‌ ଭିତରକୁ ଉଠିଗଲେ । ଗଲାବେଳକୁ ଏତିକି କହିଗଲେ—

 

‘ମୋର ଡେରି ରାତିରେ ଗାଧୋଇବାର ଅଭ୍ୟାସ । ନ ଗାଧୋଇଲେ ବି ସାମାନ୍ୟ ଧୁଆଧୋଇ ହୋଇ ଆସିବି । ଆପଣଙ୍କର କିଛି ଅସୁବିଧା ହେବ ନାହିଁ ନିଶ୍ଚୟ !’

 

ଭିତରକୁ ଚାଲିଗଲେ ଲିସା । ଭିତରୁ କବାଟ ହୁକ ଦବାର ଶବ୍ଦ । କିନ୍ତୁ ବୀରେନ୍ଦ୍ର ? କେମିତି କେଜାଣି ତାଙ୍କୁ କେନ୍ଦ୍ର କରି ସେ କକ୍ଷଟା ବୁଲିବା ଆରମ୍ଭ କରିଥିଲା । ପୁଷ୍ପଙ୍କ ବିଷୟରେ ଲିସା ଜାଣିଲା କେମିତି ? ତାହେଲେ କ’ଣ ବୀରେନ୍ଦ୍ରଙ୍କ ସମ୍ପର୍କରେ ଲିସା ସବୁ ଜାଣି ପାରିଛି ? କୌଣସି ସ୍ଥାନରେ ଅସାବଧାନରେ ମଧ୍ୟ ସେ ଶବ୍ଦ ତାଙ୍କୁ ମୁଖରୁ ନ ବାହାରିବା ପାଇଁ ସଚେତ ।

 

ବୀରେନ୍ଦ୍ରଙ୍କ ଆଖି ଆଗରେ ଅଳ୍ପ କେତେକ୍ଷଣ ଭିତରେ ସମସ୍ତ ପରିଷ୍କାର ହୋଇଗଲା । ହୋଟେଲର ଯେତେ ଉଗ୍ରଆଧୁନିକା ବା ଶସ୍ତା ଧରଣର ନାରୀ ହେଲେ ମଧ୍ୟ ବିନା ନିମନ୍ତ୍ରଣରେ ଏପରି ଆସିବାର ସାହାସ କରିବ ନାହିଁ । ସେ ନିଶ୍ଚୟ ପୁଲିସ୍‍ ବିଭାଗର ଦକ୍ଷ ନିମନ୍ତ୍ରଣରେ ଏପରି ଆସିବାର ସାହାସ କରିବ ନାହିଁ । ସେ ନିଶ୍ଚୟ ପୁଲିସ୍‍ ବିଭାଗର ଦକ୍ଷ ଗୁଇନ୍ଦା । ତାଙ୍କରି ଜରିଆରେ ଖବର କାଗଜର ସ୍ଥାନୀୟ ଏଜେଣ୍ଟକୁ ଖବର ଦେଇ ଓଡ଼ିଶାରୁ ଖବର କାଗଜ ପଛ ତାରିଖର ମଗେଇଛନ୍ତି । ସେଗୁଡ଼ା ଆଜି ସୁଦ୍ଧା ଆସି ପହଞ୍ଚିବ ବୋଲି ଭଦ୍ରମହିଳା ପ୍ରତିଶ୍ରୁତି ଦେଇଥିଲେ । ବୀରେନ୍ଦ୍ର ସ୍ୱପ୍ନରେ ସୁଦ୍ଧା ଲିସାଙ୍କୁ ସନ୍ଦେହ କରି ନ ଥିଲେ । ବରଂ ଅଭ୍ୟର୍ଥନାକାରିଣୀମାନେ ବହୁ ଭାଷା ପଢ଼ିଲେଖି ଜାଣିଥିବା ସ୍ୱାଭାବିକ୍‌ ବୋଲି ମଧ୍ୟ ତାଙ୍କର ହେଜ ନ ଥିଲା । ଖବର କାଗଜ ଆସିବା ପରେ ‘ବୀରେନ୍ଦ୍ର ବିବରଣୀ’ ସବୁ କାଗଜରୁ ପଢ଼ି ସାରିଛନ୍ତି । ଆଉ ସେଥିରେ ଫଟ ମଧ୍ୟ ବାହାରିଥିବା ଅସ୍ୱାଭାବିକ ନୁହେଁ ।

 

ହଠାତ୍‌ ବୀରେନ୍ଦ୍ର ପ୍ରକୃତିସ୍ଥ ହେଲେ । କେତେଟା ଘଟଣାରୁ ସକାଳରୁ ଏ ପର୍ଯ୍ୟନ୍ତ ହାବଭାବ ଚାଲିଚଳନ ଭିତରେ ବୀରେନ୍ଦ୍ର ଆଖିରେ ଲିସା ଖାପଛଡ଼ା ଜଣାପଡ଼ିଲେ । ବର୍ତ୍ତମାନ ପ୍ରତି ସେକେଣ୍ଡ ତାଙ୍କ ପାଇଁ ମୂଲ୍ୟବାନ୍‌ । ଯେ କୌଣସି ମତେ ତାଙ୍କୁ ଲିସାଙ୍କ କଳବରୁ ପଳେଇବାକୁ ପଡ଼ିବ । କିନ୍ତୁ କେମିତି ? ତାଙ୍କ ମୁଣ୍ଡରେ ଗୋଟାଏ ବୁଦ୍ଧି ଜୁଟିଲା । ସେ ଭାବିଲେ ବାଥରୁମ୍‌ ସେ ପାଖକୁ ଖୋଲିବାର ବାଟ ଅଛି କି ନାଁ ? ଠିକ୍‌ ମନେ ପଡ଼ିଲା ସେ ପାଖରେ ଆଉ ରାସ୍ତା ନାହିଁ । ତେଣୁ ବର୍ତ୍ତମାନ ବାଥରୁମ୍‌ ଏ ପଟରୁ କବାଟ ବନ୍ଦକରି ସେ କିଛିଟା ଆବଶ୍ୟକୀୟ ଜିନିଷ ଧରି ପଳେଇ ଯିବେ । ଆଉ ପଲକେ ସୁଦ୍ଧା ନୁହେଁ । ସେହି ଅଭିପ୍ରାୟରେ ଆଗ ଲୁଗାପଟା, ବ୍ରିଫକେସ୍‍ଟା ସଜାଡ଼ି ନେବା ଭିତରେ ଆଖି ପକେଇଲେ ବାଥରୁମ୍‌ କବାଟକୁ । ପୁଣି ତାଙ୍କ ମୁଣ୍ଡ ଝିମ୍‌କରି ହୋଇଗଲା । ଖଟ ଉପରେ ଥକ୍‌କା ମାରି ବସି ପଡ଼ିଲେ ସେ । ଲିସାଙ୍କ ବୁଦ୍ଧିକୁ ତାରିଫ୍‌ ନ କରି ସେ ରହି ପାରିଲେ ନାଇଁ । ବାଥରୁମ୍‌ ଭିତରପଟୁ ବନ୍ଦ କରିବାକୁ ବ୍ୟବସ୍ଥା ଅଛି । କିନ୍ତୁ ଏ ପାଖରୁ ନାହିଁ । ତେଣୁ ଏତେ ନିର୍ଭୟରେ ଲିସା ବୀରେନ୍ଦ୍ରଙ୍କୁ ଉପହାସ କରିବାକୁ ଭିତରକୁ ଯାଇ ପାରିଲେ ।

 

ସବୁ ପ୍ରକାର ସମ୍ଭାବନାକୁ ବାଦ୍‌ଦେଇ କେବଳ ବୀରେନ୍ଦ୍ରଙ୍କ ସମ୍ମୁଖରେ ବାକି ରହିଗଲା ଆଉ ଏକମାତ୍ର ରାସ୍ତା । ସେଇଟାହିଁ ସର୍ବଶେଷ ଅମୋଘ ଅସ୍ତ୍ର । ଲିସା ଫେରିଲା ପରେ ଆହୁରି କମନୀୟ, ଲାଳିତ୍ୟପୂର୍ଣ୍ଣ ହୋଇ ଉଠିଥିବା ସ୍ୱାଭାବିକ । ବୀରେନ୍ଦ୍ରଙ୍କୁ ଏଇ ପୁଷ୍ପ ଶବ୍ଦ କିଛି ଚିନ୍ତିତ କରିଛି ଏକଥା ଜାଣିବାକୁ ନଦେଇ ବରଂ ଠିକ୍‌ ଲିସାଙ୍କ ବିଗଳିତ ଗୁଣ ମୁଗ୍‌ଧ କରି ଅଭିନୟ କରିବେ । ଏକ ଦୀର୍ଘଶ୍ୱାସ ତାଙ୍କର ବୁକୁଫଟେଇ ବାହାରି ଆସିଲା । ତାରି ଭିତରେ ସତେ ଯେମିତି ପ୍ରତିଧ୍ୱନିତ ହୋଇଉଠିଲା—ପୁଷ୍ପ ! ମୋ ଭୁଲ୍‍ ପାଇଁ ମୋତେ କ୍ଷମା କରିବ । ମୁଁ ନାଚାର । କମେଇ ଥରେ କହିଥିଲ...ମୋ ପରି ଜଣେ ପୁରୁଷ ସିଂହର ବାହୁବନ୍ଧନୀ ଭିତରେ ସାତଶତ୍ରୁ ମଧ୍ୟ ନିମିଷକ ପାଇଁ ସତ୍ତା ହରେଇବ । ....ତା’ପରେ ଅନେକ ତୃପ୍ତିର ନିଦ୍ରା ଘୋଟିଯାଏ । .....ସତେ ଯେମିତି ନିଦର ପାହାଡ଼.... ।

 

ବୀରେନ୍ଦ୍ର ନିଜକୁ ପ୍ରସ୍ତୁତ କଲେ । କିଛି ସମୟର ନୈବେଦ୍ୟକୁ ଗ୍ରହଣ କରି ଚରୁ କରିସାରିଲା ପରେ ଯଦି ଲିସା ନିଜେ କେତେ ଘଣ୍ଟା ପାଇଁ ଶାନ୍ତିରେ ଶୋଇ ନପଡ଼ନ୍ତି ତେବେ ଦରକାର ପଡ଼ିଲେ ବୀରେନ୍ଦ୍ର ସେହିପରି ଏକ ସୁଅବକାଶରେ ସବୁଦିନ ପାଇଁ ଲିସାକୁ ଶୁଆଇ ଦେବେ । କ’ଣ ବା ଆଉ ଅଧିକ ହବ ? ଦୁଇପରେ ତିନ । କାନୁନ୍‌ ଆଖିରେ ଦଣ୍ଡର ପରିମାଣ ବେଶୀ ଏପାଖ ସେପାଖ ନୁହେଁ । ଏହାଛଡ଼ା ଆଉ କିଛି ଉପାୟ ନାହିଁ । କାରଣ ଏହି ଯୋଜନାରେ ହିଁ ପ୍ରଥମରୁ ନିରାପଦ ବଟିକା ବୋଲି ବିଶ୍ୱାସ କରେଇ ଦୁଇଟି ନିଦ ବଟିକା ଦେଇ ପାରିବେ । ଅତିଶୀଘ୍ର ତିନି ଚାରିଟା ବଟିକା ଖୋଳରୁ ଚିରି ଅନ୍ୟ ପୁଡ଼ିଆରେ ରଖି ଦେଲେ ।

 

ବର୍ତ୍ତମାନ କେବଳ କବାଟ ଖୋଲିବା ପାଇଁ ପ୍ରତୀକ୍ଷା । ତା’ରି ଭିତରେ ପୁଷ୍ପଙ୍କ ମୁହଁ ମନେପକେଇ ସେ ଆଉଥରେ କ୍ଷମା ମାଗିନେଲେ ।

 

କବାଟ ଖୋଲିଲା । ସଂଯତ ଓ ସଚେତ ହେଲେ ବୀରେନ୍ଦ୍ର । ତଳକୁ ମୁହଁରଖି ମଧ୍ୟ ସେ ପୁରୁଣା ଶିକାରୀ ଭଳି ପ୍ରସ୍ତୁତ । ଯଦି ଦରଜା ସେ ପାଖରୁ ହାତରେ ପିସ୍ତଲ ଧରି ସମ୍ମୁଖ ସମର ପାଇଁ ଆହ୍ୱାନ ଦିଅନ୍ତି ତେବେ ମଧ୍ୟ ବୀରେନ୍ଦ୍ର ପ୍ରତ୍ୟୁତ୍ତର ଦେବେ ଶେଷଥର ପାଇଁ । ଆଉ ଅବକାଶ ନଦେଇ ବାହାରି ଆସିଲେ ଲିସା ।

 

‘ମୁଁ ଜାଣେ ପୁଷ୍ପ କଥା କହି ମୁଁ ଭୁଲ୍‍ କରିଛି । ଆପଣ ବେଶ୍‌ ବିବ୍ରତ ଜଣାପଡ଼ୁଛନ୍ତି । ଏଥର ମୁଁ ଯାଏ ।’ ଯିବାକୁ ଉଦ୍ୟତ ହେଲେ ଲିସା । ତେବେ ଏ କଣ ହବାକୁ ଯାଉଚି । ଲିସା ବରଂ ଖସିଯିବାକୁ ଚାହୁଁଛନ୍ତି । ତାଙ୍କୁ କୌଣସିମତେ ଅଟକେଇବାକୁ ପଡ଼ିବ । ନିଜର ମନୋଭାବକୁ ଚାପିରଖି ରସିକତା କରି କହିଲେ ବୀରେନ୍ଦ୍ର ।

 

‘ଏମିତି ଚାଲିଯାଇ ଠିକ୍‌ କରୁଛନ୍ତି ବୋଲି କେମିତି ଜାଣିଲେ ?’

 

‘ନିଶ୍ଚିନ୍ତରେ ଆପଣ ତାଙ୍କୁ ଚିନ୍ତା କରିପାରିବେ ।’

 

‘ଆପଣ ଉପସ୍ଥିତ ରହିଲେ ଉଚ୍ଚସ୍ୱରରେ ଚିନ୍ତା କରାଯାଇପାରେ ।’

 

‘ମୁଁ ତ ଠିକ୍‌ ସେଇଥିପାଇଁ ଆସିଥିଲି । ତାଙ୍କ ସମ୍ପର୍କରେ ଆଉ ଆପଣଙ୍କର ସମ୍ପର୍କରେ ଅନେକ କଥା ଶୁଣିବା ମୋର ଦରକାର । ବେଶ୍‌ କିଛି ଲମ୍ୱା କାହାଣୀ ହୋଇଥାଇପାରେ । ତେଣୁ ଅନେକ ସମୟ କଟିଯିବ ।’

 

ଏଥରକ ବୀରେନ୍ଦ୍ର ନିଶ୍ଚିତ ହେଲେ ଲିସାଙ୍କ ବିଷୟରେ । ତାଙ୍କୁ ଆଉ ଲିସା ଯେମିତି ନଜାଖନ୍ତୁ ଯେ ବୁଝିପାରି ପ୍ରସ୍ତୁତ ହୋଇ ସାରିଲେଣି । ବର୍ତ୍ତମାନ ବୀରେନ୍ଦ୍ରଙ୍କ ନାଟକ ଆରମ୍ଭ ହବାର ପାଳି ।

 

‘ଆପଣ ଟିକିଏ ଧୁଆଧୋଇ ହୋଇ ପଡ଼ିଲେ ନିଶ୍ଚୟ ।’

 

‘ସେଥିପାଇଁ ଯାଇଥିଲି ଭିତରକୁ । କିନ୍ତୁ ଲୋଭ ହେଲା । ବେଶ୍‌ ଭଲ ପରି ଗାଧୋଇ ପଡ଼ିଛି । ତଉଲିଆଟା ଓଦାକରି ଦେଇଛି । ମୁଁ ସଙ୍ଗେ ସଙ୍ଗେ ବଦଳେଇ ଦଉଚି ।’

 

‘ଗାଧୋଇ ପଡ଼ିଲେ ବୋଲି ଚାଲିଯିବାକୁ ବାହାରିଛନ୍ତି ?’

 

‘ନାଁ....କାହିଁକି ?’ ଏ ପ୍ରଶ୍ନଟା ସହ୍ୟ ହେଲନାହିଁ ଲିସାଙ୍କପାଇଁ ବୋଧହୁଏ ।

 

‘ଗାଧୋଇ ସାରିଲାପରେ ଆପଣ ବେଶ୍‌....ମାନେ....ଭଲ ଦେଖାଯାଉଛନ୍ତି ।’

 

ହସିଲେ ଲିସା, ଅଳ୍ପ ଛୋଟ ହସର ଧାରଟିଏ ଖେଳିଗଲା ତାଙ୍କର ଓଠରେ । ବୀରେନ୍ଦ୍ର ଭାବିଲେ ଏଇଟା ପରିହାସର ନୁହେଁତ ? ତଥାପି ଆଗେଇବାକୁ ପଡ଼ିବ ।

 

‘ଖାଲି ହସିଲେ ?’

 

‘ଆପଣଙ୍କ ତାରିଫଟା ଯଥାର୍ଥ, କାହିଁକି ଜାଣନ୍ତି ? ଭଲ ଦେଖାଯିବାର କାରଣ ହେଲା ମୁହଁ, ହାତ, ଦିହରୁ କୃତ୍ରିମ ରଙ୍ଗ ଆଉ ସାଜ ପରିପାଟୀ ସଫା ହୋଇଯାଇଛି । ସମସ୍ତଙ୍କର ନିଜସ୍ୱଟା ନିଶ୍ଚୟ ଭଲ । ଉପରର ଆବରଣଟା କେବଳ ପରିସ୍ଥିତି ଆଉ ପରିବେଶକୁ ଚାହିଁ । କାହାକୁ ଭଲ ଲାଗିପାରେ କାହାକୁ ନୁହେଁ ।’

 

‘ଓଡ଼ିଆ ପଢ଼ି ପାରନ୍ତି ଆପଣ ? ବୁଝୁଥିବେ ନିଶ୍ଚୟ ?’’

 

ଏଥର କିନ୍ତୁ ଖିଲ୍‌ ଖଲ୍‌ ହେଇ ହସରେ ଫାଟିପଡ଼ିଲେ ଲିସା । ସେଇ ହସର ଲହଡ଼ିରେ ଉବୁକା ଖାଇ ଯେମିତି ଲିସା ନିଜ ଠିଆ ହେବା ସ୍ଥାନରୁ ଘୁଞ୍ଚିଯାଇ ବସି ପଡ଼ିଲେ ଚଉକି ଟପି ବିଛଣା ଉପରେ—ଠିକ୍‌ ବୀରେନ୍ଦ୍ରଙ୍କ ପାଖରେ । ବୀରେନ୍ଦ୍ର ମନ ଭିତରେ ନିଜକୁ ପ୍ରସ୍ତୁତ କଲେ । ଯା’ହଉ ତାଙ୍କ ଶର ଠିକ୍‌ ବାଜିଛି । ହୁଏତ କିଛି ଆଦାୟ କରିବା ଛଳରେ ଲିସା ପାଖକୁ ଆସୁଛନ୍ତି । ଆଉ ବୀରେନ୍ଦ୍ର ତ ଠିକ୍‌ ସେଇଆ ହିଁ ଚାହାଁନ୍ତି । ବାଟ ଏକ୍‌.....ଲକ୍ଷ୍ୟ ଭିନ୍ନ ।

 

ହସ ସରିଲାବେଳକୁ କହିଲେ ଲିସା—

 

‘କ’ଣ ପୁଷ୍ପଙ୍କର ଚିଠି ପଢ଼ିବାକୁ ଦେବେନାଁ ପଢ଼ି ଶୁଣେଇବେ ।’

 

‘ପୁଷ୍ପଙ୍କର ଅନେକ ପ୍ରିୟମନ୍ତ୍ର ଆପଣଙ୍କ କାନରେ ପଢ଼ି ଶୁଣେଇ ଦେଇପାରେ । ସେ ତ ପୁଣି ଅସରନ୍ତି । ବରଂ ଆପଣ କୁହନ୍ତୁ ଖୁବ୍‌ ବେଶିରେ କେତେ ସମୟ ଏଠି କଟେଇ ପାରିବେ ।’

 

ଅତି ସହଜ ଭାବରେ କଥାଟାକୁ ବୁଝିଲେ ଲିସା । ତାଙ୍କ ପାଇଁ ଯେମିତି ଏଇଟା ସମସ୍ୟା ନୁହେଁ ।

 

‘ଆପଣଙ୍କ ପାଇଁ ତ ଆଜି ରାତିଟା ରହିଲି । ତେଣୁ ସାରା ରାତିଟା କଟେଇବାରେ ମଧ୍ୟ ମୋର ଆପତ୍ତି ନାହିଁ । ଆପଣଙ୍କ ଉପରେ ବରଂ ନିର୍ଭର କରେ ।’

 

‘କବାଟଟା ବନ୍ଦ ହୋଇ ନାହିଁ ବୋଧହୁଏ ।’

 

‘କ’ଣ ଦରକାର ? ଯିଏ ଆସିବ କଲିଂ ବେଲ ଚିପିବ ।’

 

‘ତା’ମାନେ କେହି ଆସିପାରେ ?

 

‘ପାରନ୍ତି । କାରଣ ଜାଣନ୍ତି ତ ମୁଁ ଯାଇନାହିଁ ଅଛି । ତେଣୁ କ’ଣ ଦରକାର ହେଇପାରେ-। ମୁଁ ଅଛି ବୋଲି ରୁମ୍‌ ଟେଲିଫୋନ୍‌ ଲାଇନଗୁଡ଼ା ମଧ୍ୟ ସବୁ ଅନ୍‌ ଥିବ ଦେଖନ୍ତୁ ।’

 

ବୀରେନ୍ଦ୍ରଙ୍କର ଆଉକିଛି ଭାବିବାର ନଥିଲା । ଲିସାଙ୍କର ଜାଲ ବିଛେଇବା ପ୍ରଣାଳୀ ତାଙ୍କ ମନ ଭିତରେ ହୃତକମ୍ପ କ୍ଷଣକ ପାଇଁ ଦେଲେ ବି ସେ ନିଜକୁ ସଂଯତ କଲେ । କେହି ଆସି ଡାକିବା ଲୋକ ଯେ ପୋଲିସ୍‌ ଲୋକ—ଏବଂ ଜଗି କରି ଅଛନ୍ତି ଏଥିରେ ମଧ୍ୟ ଦ୍ୱିଧା ରହିଲାନି ।

 

‘ତେବେ ତ ଦରଜା ନିଶ୍ଚୟ ବନ୍ଦ କରିବା ଦରକାର ।’

 

‘କାହିଁକି ?’

 

‘ଯଦି ହଠାତ୍‌ କେହି ପଶି ଆସେ ତେବେ ତାକୁ ଏମିତି କିଛିଟା ଅଡ଼ୁଆ ଦେଖାଯିବ ।’

 

‘ଓଃ....ଦେଖାଯାଉ । ଭଲ । ସେମାନେ ଆଶ୍ଚର୍ଯ୍ୟ ହେବେ ନାହିଁ । କାରଣ ତାଙ୍କ ଚିନ୍ତାଧାରା ସତ୍ୟ ବୋଲି ପ୍ରମାଣିତ ହେବ । ଅବଶ୍ୟ ଖୁସୀ ନିଶ୍ଚୟ ହେବେ ଯେ ଦୀର୍ଘ ନଅ ବର୍ଷ ଭିତରେ ପ୍ରମାଣ ଯୋଗ୍ୟ କିଛିଟା ତାଙ୍କ ଆଖିରେ ଆଜି ପଡ଼ିଛି ।’

 

‘ନଅବର୍ଷ.... ?’

 

‘ମୋର ଏଠି ନଅ ବର୍ଷ ହୋଇଗଲା ।’

 

‘ଏଇଟା ବୋଧହୁଏ ସାମାନ୍ୟ ମିଛ କହିଲେ ।’

 

‘ଓହୋ, ମୋ ବୟସ ଦେଖି ଅନୁମାନ କରୁଛନ୍ତି, ମୋ ବୟସ କେତେ କୁହନ୍ତୁ ତ ?’

 

‘କୋଡ଼ିଏ.... ।’

 

‘ଏକତିରିଶ.... ।’

 

‘ମୋଟେ ନୁହେଁ.... ।’

 

ବିଶ୍ୱାସ କରନ୍ତୁ । ମୋର ବାପା ମରିଗଲା ପରେ ତାଙ୍କର କେବଳ କର ଖଣ୍ଡେ ଆଉ ଅଳ୍ପକିଛି ବ୍ୟାଙ୍କ ବାଲନ୍‌ସ ରହିଥିଲା ଆମ ପାଇଁ । ଚଳିବାକୁ ମୁଁ, ମୋର ମା’ ଆଉ ସାନଭାଇ । ପଢ଼ାଛାଡ଼ି ଏଇ ହୋଟେଲରେ ପହଞ୍ଚିଲି । ବହୁ ରକମର ପ୍ରଶ୍ନ ପରୀକ୍ଷା । କେମିତି କେଜାଣି ଟେଲିଫୋନ ଅପରେଟର ଚାକିରି ପାଇଲି । ତା’ପରେ ମୋର ଯୋଗ୍ୟତା ଦେଖି ୪।୫ ବର୍ଷ ହେଲା ଏଇ ଚାକିରି । ଏଇ କେତେବର୍ଷ ଭିତରେ ମତେ ଥରଟିଏ ବି କେହି ରାତିରେ ରହିବା ଦେଖିନି । ଆମେ ଦୁଇଜଣ । ମୁଁ ସକାଳୁ ଆସେ । ରିସେପ୍‌ସନିଷ୍ଟକମ୍‌ ଟେଲିଫୋନ୍‌ ଅପରେଟର । ସନ୍ଧ୍ୟାବେଳକୁ ମୋର ସହକର୍ମୀ ପୁରୁଷ ଜଣେ ଆସି ରହନ୍ତି । ମୁଁ ଚାଲିଯାଏ । ଆଜି ଗଲିନି । ସେଥିପାଇଁ ଅନେକ ଦୁଃଶ୍ଚିନ୍ତା—ମା ଆଉ ଭାଇ ବହୁତ ବିବ୍ରତ ହୋଇ ଉଠୁଥିବେ ।’

 

‘ଆପଣ ଗଲେ ନାହିଁ କାହିଁକି କୁହନ୍ତୁ ତ ?’

 

‘ଏଇ ଆପଣଙ୍କର ଡିନରର ଆୟୋଜନ । ଏଇଟାତ ପ୍ରାୟ ମୋ ସକାଶେ ହୋଇଥିଲା ତେଣୁ ଛାଡ଼ିଯାଇ ପାରିଲିନି ।’

 

‘କିନ୍ତୁ ସେଇଟାତ ବହୁତ ଶୀଘ୍ର ସରିଗଲା । ତା’ପରେ ଆପଣ ଯାଇ ପାରିଥା’ନ୍ତେ ।’

 

‘ରାତି ନ’ଟା ପରେ ଆଉ ଆମ ଆଡ଼େ ବସ୍‌ ନାହିଁ । ଟ୍ୟାକ୍‌ସିରେ ଯିବାକୁ ପଡ଼ିଥାନ୍ତା । ଏଇ କେତେ ବର୍ଷର ଚାକିରି ଭିତରେ ହୋଟେଲକୁ ଆସୁଥିବା ବହୁବିଧ ସାମାଜିକ ଓ ଅସାମାଜିକ ପୁରୁଷଙ୍କୁ କେବଳ ହସିହସି ଭ୍ରୁଲତା ନଚେଇ ସାଦର ଅଭ୍ୟର୍ଥନା କରିବା ମୋର କାମ । ତା’ରି ଭିତରେ ସମସ୍ତେ କେତେ କ’ଣ ବୁଝିଯାନ୍ତି । ଅବଶ୍ୟ ସେଇ ବୁଝିବାରେ ହିଁ ତ ଆମ ଚାକିରିର ସାର୍ଥକତା । ତେଣୁ ସେମିତି କିଛିଟା ଚାହାଣୀ ମନେ ରଖିଥିବା ଲୋକ ଯଦି ଟ୍ୟାକ୍‌ସିରେ ଜୁଟିଯାନ୍ତି ତେବେ ଆଉ କୋଉ ହୋଟେଲକୁ ଯିବାର ପ୍ରସ୍ତାବଟା କାଟିଦେଇ ପାରି ନଥାନ୍ତି । ତା ଛଡ଼ା ସ୍ୱତନ୍ତ୍ର ଟ୍ୟାକ୍‌ସି ନେଇ ଯିବାର ସାହସ ବା ସାମର୍ଥ୍ୟ ମୋର ନାହିଁ ।’

 

‘ତେବେ ଏଠି ରାତିରେ ରହିବେ.... ।’

 

‘ସେ ସୁବିଧ ଅଛି । ଆମମାନଙ୍କର ବ୍ୟକ୍ତିଗତ ବ୍ୟବହାର ପାଇଁ ଏଠି ସବୁ ପ୍ରକାର ଘରଭଳି ବ୍ୟବସ୍ଥା ରହିଛି । କିନ୍ତୁ କ’ଣ କରିବି ମା ଆଉ ଭାଇତ ଏଠି ନାହାନ୍ତି ।’

 

ବୀରେନ୍ଦ୍ର ବୋଧକଲେ ତାଙ୍କର ନିଶ୍ୱାସ କ୍ରମଶଃ ବେଶୀ ଉତ୍ତପ୍ତ ଜଣାପଡ଼ୁଛି । ସେ ଏଥର ଯାହା ପଚାରୁଛନ୍ତି ସେଥିରେ ତାଙ୍କର ନିଜର କିଛି କର୍ତ୍ତୃତ୍ୱ ନ ଥିଲା ଭଳି ଲାଗୁଛି ।

 

‘ଏ ରୁମ୍‍କୁ ଆସିବାକୁ ଆପଣ ହଠାତ୍‌ ଚିନ୍ତାକଲେ କେମିତି ?’

 

‘ମୋର ଏଇ କେଇ ବର୍ଷର ଚାକିରି ଭିତରେ ଲୋକମାନଙ୍କ ଚିହ୍ନିବାରେ କିଛିଟା ମୋର ଅଭିଜ୍ଞତା ହୋଇଛି । ଏତେ ବଡ଼ ବଡ଼ ବିଳାସମୟ ସହର ବା ହୋଟେଲକୁ ପ୍ରାୟ ଦୁଇ ରକମର ଲୋକ ଆସିଥା’ନ୍ତି । ଏକ ହେଲା ସବୁ ପ୍ରାଚୁର୍ଯ୍ୟ ଭିତରେ ବୁଡ଼ି ରହି ନିଜର ଅତୀତ ବର୍ତ୍ତମାନକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇ ଉପଭୋଗ କରିବେ । ଆଉ ଗୋଟାଏ ଗୋଷ୍ଠୀ ହେଲେ—ଏତେ ପ୍ରାଚୁର୍ଯ୍ୟ ଭିତରେ ନିଃସଙ୍ଗତାକୁ ଆହୁରି ବେଶୀ ଉପଭୋଗ କରି ନିଜର ଅତୀତ ବା ବର୍ତ୍ତମାନର ଯନ୍ତ୍ରଣାକୁ ଉଖାରି ନିଖାରି ବିଦାରି କ୍ଷତି ବିକ୍ଷତ ହେବାକୁ । ଆପଣ ଏଇ ଦୁଇ ନମ୍ୱର ଗୋଷ୍ଠୀ । ତେଣୁ ମୁଁ ଜାଣେ ଏଠି ଘଣ୍ଟା ଘଣ୍ଟା ବସି ସମୟ କାଟିଲେବି ଆପଣ କେବଳ ପୁଷ୍ପକଥାହିଁ ଗପିବେ । ମୋ ବିଧବା ମା’, ଭାଇ ବା ଘରକଥା ଭୁଲ୍‍ରେ ପଚାରିବେ ନାହିଁ ।’

 

‘ଲିସା ଦେବୀ ! ପୁଷ୍ପ.....’

 

‘କାଲିର ଲଣ୍ଡ୍ରିବିଲ୍‌ କାଗଜ ପଛରେ ଅନ୍ୟମନସ୍କ ଭାବରେ ଏତେ ସୁନ୍ଦର କରି ଆପଣ ପୁଷ୍ପଙ୍କ ନାଁ ଲେଖିଥିଲେ । ମତେ ଦେଖି ଆଶ୍ଚର୍ଯ୍ୟ ଲାଗିଲା ।’

 

‘ସାପକୁ ଦେଖି ଚମକି ପଡ଼ିଲାପରି ଏକ ରକମ୍ ଡ଼େଇଁ ପଡ଼ିଲେ ବୀରେନ୍ଦ୍ର ।’

 

‘ଲିସା ଦେବୀ....’ ଆଉ କିଛି ତାଙ୍କ କଣ୍ଠରୁ ବାହାରିଲା ନାହିଁ ।

 

‘ଆମର ନିୟମ ହେଲା ପ୍ରତି ରୁମ୍‌ ସଫା କରି ସାରିବାପରେ ଅଳିଆ କାଗଜ ଗୋଟାଏ ଜାଗାରେ ଜମାହୁଏ । ମୋର ସକାଳୁ ଆସି ଚେକ୍‌ଅପ୍‌ କରିବା ହେଲା କାମ ।’

 

‘କାହିଁକି?’

 

‘କାଳେ କିଏ ଅସଂଯତ ଅବସ୍ଥାରେ କିଛି ଦରକାରୀ କାଗଜ ପକେଇ ଦେଇ ଥାଇପାରେ-। ବିଲ ଉପରେ ରୁମ୍‍ ନମ୍ୱର ଦେଖି ସେଥିରୁ ଜାଣିଲି...ଆପଣ ସେଇ ଗୋଷ୍ଠୀର ଲୋକ ଯେ କି ଏଠିକି ଆସି ନିଃସଙ୍ଗତା ଭିତରେ କେବଳ ପୁଷ୍ପଙ୍କୁ ଖୋଜୁଛନ୍ତି । ତେଣୁ ଆପଣଙ୍କ ରୁମ୍‌ରେ ଗାଧୋଇ, ଖାଇ, ଶୋଇବାରେ ମଧ୍ୟ ତିଳେ ହେଲେ ସଂକୋଚ ନାହିଁ । ମୋ ପାଇଁ ନିର୍ଭର ଯୋଗ୍ୟ ପ୍ରମାଣ ହେଲା—ସନ୍ଧ୍ୟାବେଳେ ବଡ଼ ଭୁଲ୍‍ରେ ‘ତମେ’ ବୋଲି ସମ୍ୱୋଧନ କରି ପକେଇ ଆପଣ ଯେମିତି ଝାଳେଇ ଗଲେ ।’

 

ବୀରେନ୍ଦ୍ରଙ୍କ ବୁକୁ ବିଦାରି କେବଳ ଏକ ଦୀର୍ଘଶ୍ୱାସ ବାହାରି ଆସିଲା । ଆଉ ଅଳ୍ପ କେଇପଦ ମାମୁଲି କଥାବାର୍ତ୍ତା ପରେ ଲିସା ବିଦାୟ ନେଲେ । ଗଲାବେଳେ କହିଗଲେ—‘ଯଦି ପୁଷ୍ପଙ୍କ କଥା ବେଶୀ ମନେପଡ଼ି ଚା’, କଫି ବା କିଛି ଦରକାର ପଡ଼େ ତେବେ ଟେଲିଫୋନ୍‌ରେ ଲିସାଙ୍କୁ ଜଣେଇବେ । ବୀରେନ୍ଦ୍ରଙ୍କ ପାଇଁ ସେ ଯେତେବେଳେ ରାତିଟା ରହୁଛନ୍ତି ବୀରେନ୍ଦ୍ରଙ୍କ ସେବାରେ ଟେଲିଫୋନ୍‌ଠାରୁ ଆରମ୍ଭ କରି ସମସ୍ତ ସୁବିଧା ଉନ୍ମକ୍ତ କହିବ ।’

 

ଲିସା ଚାଲିଗଲା ପରେ ଦରଜା ଭିତରୁ ବନ୍ଦ କରି ହତବମ୍ୱ ହୋଇ କିଛିକ୍ଷଣ ପାଇଁ ବସି ରହିଲେ ବୀରେନ୍ଦ୍ର । ଅଳ୍ପକେ ଏଇ ସଦ୍ୟ ଅତୀତକୁ ରୋମନ୍ଥ କରିବାକୁ ଆରମ୍ଭ କଲେ । କ’ଣ ସେ କରିବାକୁ ଯାଉଥିଲେ ସତେ । ତାପରେ ସେ କୋଉଠି ପହଞ୍ଚିଥାନ୍ତେ ? ନିଜ ପ୍ରତି ସାମାନ୍ୟ ବିଷାକ୍ତ ହୋଇ ଉଠିଲା ତାଙ୍କର ମନ । ଗୋଟାଏ ପକ୍‌କା ଦୋଷୀଭଳି ସେ ବିଭିନ୍ନ କାଣ୍ଡ ଘଟେଇ ଚାଲିଛନ୍ତି-। ଯେମିତି ତାଙ୍କର ଚରଣ ଚିହ୍ନ ସବୁ ପଛରୁ ଲିଭିଯାଉଛି । ତେଣୁ ଫେରିବାକୁ କଷ୍ଟ ହୋଇପାରେ-

 

ବିପଦମୁକ୍ତ ବୋଲି ନିଜକୁ ଜାଣିବାପରେ ମଧ୍ୟ ସେ ନିଧଡ଼କ ହୋଇ ପାରିଲେ ନାହିଁ । କିଛି ନ ହେଲେ ବି ପୁଷ୍ପ ନାଁଟା ତ ଲିସା ଜାଣିଗଲେ । ତେଣୁ ଭବିଷ୍ୟତରେ ସୂତ୍ର ଯୋଗେଇବାକୁ ସେତିକି ହିଁ ଯଥେଷ୍ଟ । ଅବିଳମ୍ବେ ସେ ହୋଟେଲ ତାଙ୍କୁ ଛାଡ଼ିବାକୁ ପଡ଼ିବ । ଆଉ ନୁହେଁ.... । ଆଜି ରାତିଟା ତାଙ୍କର ନିରାପଦ ଭାବରେ ବିଶ୍ରାମ ଦରକାର । ନିଦ ବଟିକା ପାଇଁ ହାତ ବଢ଼େଇଲେ ।

 

ମନୁଷ୍ୟ ହୋଇ ବହୁତ ବେଶୀ ଆଶା କରି ହାତ ବଢେଇବା ଉଚିତ ନୁହେଁ । କାରଣ ହାତ ଶୂନ୍ୟ ହୋଇ ଫେରେଇବାକୁ ପଡ଼ିପାରେ । ଏ ମଣିଷର ଅଶେଷ ଶକ୍ତି । ସେ ଅନେକ କଇଚି କରିପାରୁଛି; କିଛି ସବୁକିଛି କରିପାରୁ ନାହିଁ । ଶୂନ୍ୟରେ ଉପଗ୍ରହ ଉଡ଼େଇ ମଧ୍ୟ ବେଳେବେଳେ ଏଇ ମଣିଷ ନିଜର ଅସାମର୍ଥ୍ୟ ପାଇଁ ଲଜ୍ୟା ପ୍ରକାଶ କରୁଛି । ତଥାପି ଚେଷ୍ଟାର ବିରାମ ନାହିଁ ।

 

ଏଭଳି ଏକ ଚେଷ୍ଟା ସାବିତ୍ରୀଙ୍କର କରିବାର ଥିଲା କି ନଥିଲା ସେକଥା ଆଉ ବର୍ତ୍ତମାନ ଭାବିବା ଅବସ୍ଥାରେ ନାହାଁନ୍ତି । ପୁଷ୍ପ କହି ଚାଲିଛନ୍ତି ଆଉ ସେ ଶୁଣି ଚାଲିଛନ୍ତି ଠିକ୍‌ ନିଦାପଥର ଭଳି-। ଉତ୍ତର ଦେବାର ଅବକାଶ ଆସିନାହିଁ । ଯୁକ୍ତିକୁ ଖଣ୍ଡନ କରିବା ମଧ୍ୟ ସେ ଜାଣନ୍ତି ନାହିଁ-। ଆଲୋଚନା ବା ଯୁକ୍ତିକରି କାହାକୁ କେଉଁ ବିଷୟରେ ବୁଝେଇବାକୁ ସାବିତ୍ରୀଙ୍କୁ ପଡ଼ିନାହିଁ । କାରଣ ସେ ଖାନଦାନ୍‌ ଘରର ବଡ଼ବୋହୂ, ସାଆନ୍ତାଣୀ । ତାଙ୍କ ପାଟିରୁ କଥାଟା ବାହାରିଲେ ପୁନରାବୃତ୍ତି ପୂର୍ବରୁ ସେଇଟା କାର୍ଯ୍ୟରେ ପରିଣତ ହୋଇଥାଏ । ତେଣୁ ସେ ଖାଲି ଶୁଣି ଯିବେ—ପୁଷ୍ପଙ୍କ ବକ୍ତବ୍ୟ ।

 

‘ବୀରେନ୍ଦ୍ର ବିବରଣୀ’ କ୍ରମଶଃ ନିତ୍ୟାନ୍ତ କୁତ୍ସିତ ରୂପନେଲା । ସତେ ଯେମିତି ମାନସିଂ ବଂଶର ସପ୍ତପୁରୁଷଙ୍କର ସମସ୍ତ ଅପକର୍ମ ମାଟିତଳେ ପୋତି ହୋଇ ବାଉଁଶ ଗଛ ଉପରକୁ ଉଠିଛି ଏବଂ କାଳକ୍ରମେ ତାହା କାଗଜକୁ ରୂପାନ୍ତରିତ ହୋଇ ଖବରକାଗଜ ରୂପ ନେଇଛି । ତେଣୁ ବୀରେନ୍ଦ୍ରଙ୍କ ବଂଶପ୍ରତି ଅତୀତର ସମସ୍ତ ପ୍ରତିଶୋଧ ନବାକୁ ପଞ୍ଚମୁଖ । ସେଇ ସମ୍ବାଦର ଅପସ୍ୱର କ୍ରମଶଃ ବହୁଦୂର ପ୍ରସାରୀ ହୋଇଗଲାଣି । ସାବିତ୍ରୀ ଠିକ୍‌ କଲେ ନରେନ୍ଦ୍ରଙ୍କୁ ନେଇ ପୁଷ୍ପଙ୍କ ପାଖକୁ ଆସିବେ । ପୁଷ୍ପଙ୍କ ସହିତ ତାଙ୍କର ଥରେ ସାକ୍ଷାତହବା ଆବଶ୍ୟକ । ଭଗବାନ ମଧ୍ୟ ସମୟ ପଡ଼ିଲେ ଗଧ ପାଦ ଧରିଥିଲେ । ତେଣୁ ସାବିତ୍ରୀଙ୍କର ପୁଷ୍ପଙ୍କ ନିକଟକୁ ଆସିବାରେ କୌଣସି ଦ୍ୱିଧା ନାହିଁ । ବିଶେଷକରି ଏ ସମୟରେ । ନରେନ୍ଦ୍ର ମଧ୍ୟ ପ୍ରସ୍ତାବକୁ ସମର୍ଥନ କରିବାରୁ ସାବିତ୍ରୀ ଓ ନରେନ୍ଦ୍ର ଆସିଛନ୍ତି ପୁଷ୍ପଙ୍କ ନିକଟକୁ ।

 

ବୀରେନ୍ଦ୍ରଙ୍କ ସମ୍ପର୍କରେ ଅଳ୍ପ କେତୋଟି ପ୍ରଶ୍ନ ପରେ କେମିତି କେଜାଣି ପୁଷ୍ପ କ୍ଷିପ୍ତ ହୋଇ ଉଠିଛନ୍ତି । କୋହ ଏବଂ କ୍ରୋଧରେ ଜର୍ଜ୍ଜରିତ ହୋଇ ସେ ଅନର୍ଗଳ ତାଙ୍କର ବକ୍ତବ୍ୟ ପ୍ରକାଶ କରି ଚାଲିଛନ୍ତି । ସାମାନ୍ୟ ବ୍ୟକ୍ତିଗତ ଆବଶ୍ୟକତା ଯୋଗୁଁ ଟେଲିଗ୍ରାମ ସେ କରିଥିଲେ ସତ୍ୟ; କିନ୍ତୁ ବୀରେନ୍ଦ୍ର କୁଆଡ଼େ ଗଲେ, କ’ଣ କଲେ ଏସବୁ ସମ୍ପର୍କରେ ପୁଷ୍ପ ଜାଣିବେ କେମିତି ? କାହିଁକି ସମସ୍ତେ ତାଙ୍କୁ ପଚାରିବେ ? କାହିଁକି ତାଙ୍କ ନିକଟକୁ ପୋଲିସ ବାରମ୍ବାର ଜେରା କରିବାକୁ ଆସିବ-? କ’ଣ ପାଇଁ ସେ ତାଙ୍କର ଛୋଟ ସମାଜର ପରିସର ଭିତରେ ମୁହଁ ଲୁଚେଇ ବୁଲିବେ-? ସାବିତ୍ରୀଙ୍କ କଥା ଭିନ୍ନ । ଯେତେ ଯାହା ହେଲେ ବି ସୀମନ୍ତରେ ତାଙ୍କର ଦର୍ପିତ ସିନ୍ଦୂର ଗାର-। ମାନସିଂ ବଂଶର କୂଳବୋହୁ । ବୀରେନ୍ଦ୍ରଙ୍କ ସନ୍ତାନର ଜନନୀ । କିନ୍ତୁ ପୁଷ୍ପ ? ସମାଜ ଆଖିରେ କ’ଣ ତାଙ୍କର ପରିଚୟ ?

 

ଅଭିମାନରେ ଫୁଲି ଫୁଲି ପୁଷ୍ପ ଯେଉଁ ଆହ୍ୱାନ ବ୍ୟଞ୍ଜକ ପ୍ରଶ୍ନ ଉତ୍‌ଥାପନ କଲେ ତାହା ଅନେକାଂଶରେ ଯୁକ୍ତିଯୁକ୍ତ ଭଳି ମନେହେଲା । କେଉଁ ଗୁଣରେ ସାବିତ୍ରୀଙ୍କଠାରୁ ତାଙ୍କର ପ୍ରେମ ଅପବିତ୍ର ? କେତେ ପରିମାଣରେ ତାଙ୍କର ତ୍ୟାଗ ସାବିତ୍ରୀଙ୍କଠାରୁ ଅପ୍ରଚୁର ? ତେବେ କାହିଁକି ତାଙ୍କର ଆଉ ସାବିତ୍ରୀଙ୍କ ଭିତରେ ପାର୍ଥକ୍ୟ ଏତେ ? ଚତୁର୍ଦ୍ଦିଗରେ ପୁଷ୍ପଙ୍କର କଳଙ୍କିତ ଅଧ୍ୟାୟ ସାଙ୍ଗକୁ ବୀରେନ୍ଦ୍ରଙ୍କ ଏ ବିଭତ୍ସକାଣ୍ଡ କେବଳ ପୁଷ୍ପଙ୍କପାଇଁ କାଳ ହୋଇଛି । ଅନେକ ପ୍ରଶ୍ନକୁ ପ୍ରତିମୁହୂର୍ତ୍ତରେ ସମ୍ମୁଖ କରି ନପାରି କେବଳ ମୁଣ୍ଡକୁ ତଳକୁ କରିବା ଆରମ୍ଭ କରିଛନ୍ତି । ଏକଥା ବୀରେନ୍ଦ୍ର ନିଶ୍ଚୟ ଜାଣିବା ସ୍ୱାଭାବିକ । ତେଣୁ ସେ ତ ଅନ୍ତତଃ ପୁଷ୍ପଙ୍କୁ ଜଣେଇ ପାରିଥାନ୍ତେ କୋଉଠି ଅଛନ୍ତି ? କଣ ପାଇଁ ଏସବୁ କରି ଚାଲିଛନ୍ତି । ତାହାମଧ୍ୟ ହେଲାନାହିଁ । ବାହାରର ଇତରଲୋକଙ୍କ ଭଳି ବା ପୁଲିସ୍‌ ଚାକିରିଆଙ୍କ ଭଳି ଶେଷରେ ସାବିତ୍ରୀ ଆସି ସେଇ ପ୍ରଶ୍ନ କଲେ ? ବୀରେନ୍ଦ୍ରଙ୍କ ଖବର ସେ କେବଳ ଜାଣିଥାଇ ପାରନ୍ତି ?

 

ନରେନ୍ଦ୍ର ଆଉ ସାବିତ୍ରୀଙ୍କର ଶୁଣିବା ହୁଏତ ଶେଷ ହେଲା । ତାଙ୍କର ଫେରିବା ଉଚିତ । ଘରେ ପିଲାମାନେ ବ୍ୟସ୍ତ ହେଇ ଉଠିବେଣି । ପୁଷ୍ପଙ୍କର ଶେଷକଥା କେଇପଦ ବେଶ୍‌ ଶ୍ରୁତିକଟୁ ହେଲେ ମଧ୍ୟ ସାବିତ୍ରୀ ଉତ୍ତର ଦେଇ ପାରିଲେ ନାହିଁ ।

 

‘ବରଂ ମତେ ଆପଣ ଜଣେ ଶତ୍ରୁ ତାଲିକାରେ ନିଅନ୍ତୁ । କାରଣ ଏଥର ମୁଁ ଯାହା ଜନସାଧାରଣଙ୍କ ପାଇଁ କହିବି ସେଗୁଡ଼ା ମୋ ନିଜର ଆତ୍ମରକ୍ଷା ପାଇଁ । ମତେତ ପୁଣି ବଞ୍ଚିବାକୁ ପଡ଼ିବ । ବୀରେନ୍ଦ୍ର ଯଦି ମୋ ମୁହଁକୁ ଚାହିଁଲେ ନାହିଁ ତେବେ ମୁଁ କାହିଁକି କାହାକୁ ଚାହିଁବି । ମୋ ପାଖରେ ତ ଅଂଶୁ ଅନୁ ନାହାଁନ୍ତି, ମୋ ବାପା, ବୋଉ, ଭାଇ—ସେମାନେ କାହିଁକି ମୋ କଳଙ୍କରେ ଭାଗୀ ହେବେ ? ତାଙ୍କର ଦୋଷ କଣ ? ବୀରେନ୍ଦ୍ରଙ୍କ ପାଇଁ ଏ ଦ୍ୱାର ହୁଏତ ଚିରଦିନ ପାଇଁ ବନ୍ଦ ରହିବ ।’

 

ବାଟରେ ଫେରିଲାବେଳେ ସାବିତ୍ରୀ ପୁଷ୍ପଙ୍କର କଥା କେଇପଦ ମନ ଭିତରେ ଦୋହରାଉଥିଲେ । ସତରେ ପୁଷ୍ପ ଆଉ ଭୁଲ୍‍ କ’ଣ କହିଲେ ? ଜୀବନରେ ସେ ପାଇଲେ କଣ ? ଏତେ ଅଭିମାନ ଭିତରେ ମଧ୍ୟ ଚର୍ଚ୍ଚାରେ ତ ଟିକିଏ ତ୍ରୁଟିକରି ନାହାନ୍ତି ପୁଷ୍ପ । ମାନ ମର୍ଯ୍ୟଦା, ଆଚାର ବ୍ୟବହାର ସବୁଥିରେ ଯଥାରୀତି ସତ୍କାର କରିଛନ୍ତି । ନରେନ୍ଦ୍ରଙ୍କୁ ନରେନ୍ଦ୍ର ଭଳି ସାବିତ୍ରୀଙ୍କୁ ସାବିତ୍ରୀଭଳି—ଟିକିଏ ଊଣା ପଡ଼ିନାହିଁ ।

 

ସବୁପରେ ବି ସାବିତ୍ରୀ ପାଇଲେ କଣ ? ବା ଏହି ସାକ୍ଷାତରେ ପୁଷ୍ପ ପାଇଲେ କଣ ? ଆସିଲାବେଳେ କେତେ ଆଶାନେଇ ଆସିଥିଲେ, ପହଞ୍ଚିଯାଇ ହାତଧରି ନେହୁରା ହୋଇ କହିବେ । ହେଲେ ସବୁ କେମିତି ଓଲଟା ହୋଇଗଲା । ବାଟରେ ଆସିଲାବେଳେ ବଡ଼ ଗାଡ଼ିଗୁଡ଼ା ବିପରୀତ ଦିଗକୁ ଯେତେବେଳେ ଯାଉଥାଏ ସାବିତ୍ରୀ ମନକୁମନ ଭାବୁଥିଲେ—ସେଇ ଗାଡ଼ିରୁ ଗୋଟିଏ ପିଟି ହୋଇଯାଆନ୍ତା କି ? ନରେନ୍ଦ୍ରଙ୍କର କିଛି ହୁଅନ୍ତା ନାହିଁ । ଆଉ ସାବିତ୍ରୀ ସବୁଦିନ ପାଇଁ ଆଖି ବୁଜନ୍ତେ । କିନ୍ତୁ ଫେରିଲାବେଳେ ସାବିତ୍ରୀ ଭାବୁଛନ୍ତି ଯେ ତାଙ୍କୁ ବଞ୍ଚିବାକୁ ପଡ଼ିବ—ଅନ୍ତତଃ ଅଂଶୁ ଆଉ ଅନୁ ପାଇଁ ।

 

ଆତ୍ମହତ୍ୟା କରିବାକୁ ଯେ ସାବିତ୍ରୀ ଅତୀତରେ ଅନେକଥର ଅନେକଥର ନପାଞ୍ଚିଛନ୍ତି ତା’ ନୁହେଁ; କିନ୍ତୁ ପରମୁହୂର୍ତ୍ତରେ ବୀରେନ୍ଦ୍ରଙ୍କ ସ୍ନେହସଜଳ ମୁହଁ ଆସି ତାଙ୍କୁ ଦେଖା ଦେଇଛି । ସତେ ଯେମିତି ସେ ଆଖି ଛଳଛଳ କରି ପଚାରୁଛନ୍ତି—ମୁଁ ସିନା ଦୋଷ କରିଛି । କେବଳ ଗୋଟାଏ ଭୁଲ୍‍ପାଇଁ ମୋ ଉପରେ ପ୍ରତିଶୋଧ ନବାକୁ ତମେ ଚାଲିଯିବାକୁ ଚାହୁଁଛ । ହେଲେ ଅଂଶୁ ଅନୁ କଣ କଲେ ? ସେ ଦୁହିଁଙ୍କୁ ଆମ ଦୁହିଁଙ୍କର ସଂଶୋଧିତ ସାରାଂଶ କରି ଗଢ଼ି ତୋଳିବ ପରା କେବଳ ତମେ ?

 

ନାଃ...ଆଉ ନୁହେଁ । ସାବିତ୍ରୀଙ୍କ ଦେହରେ କେମିତି କେଜାଣି ଏକ ନିଶ୍ଚୁପ କଠିଣତା ଭରିଗଲା । ସେ ସମସ୍ତପ୍ରକାର ଅବସ୍ଥାର ସମ୍ମୁଖ କରିବାକୁ ପ୍ରସ୍ତୁତ ହେଲେ ।

 

 

ଦିନକୁ ଦିନ କେମିତି ଘଟଣା ଆହୁରି ଜଟିଳ ହୋଇଉଠିଲା । ଦେଶର ସର୍ବୋଚ୍ଚ ଅନୁସନ୍ଧାନକାରୀଙ୍କ ପାଇଁ ଏହା ଏକ ଗବେଷଣାର ବସ୍ତୁ ହୋଇପଡ଼ିଛି । ବର୍ତ୍ତମାନର ତଦନ୍ତ ପରିସ୍ଥିତିରେ କିଶୋରଙ୍କର ଭୂମିକା ଅତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କର ବହୁ ଉପରିସ୍ଥ ଉପାଧିଧାରୀଙ୍କ ନିମିତ୍ତ ଏହି ଘଟଣା ଏକ ସମସ୍ୟା ହୋଇ ଉଠିଛି ।

 

ଯେଉଁଦିନ ଜଣା ପଡ଼ିଲାଯେ—ଧର୍ଷିତା ଯୁବତୀ ଜଣକ ଯେ ସେ ନୁହେଁ, ସୁଧାଗଡ଼ର ଜମିଦାର ମାନଗୋବିନ୍ଦ ସାମନ୍ତରାୟଙ୍କ ଝିଅ କଳାବତୀ ସାମନ୍ତରାୟ, ସେଦିନ କେସ୍‍ଟିର ମୋଡ଼ ସାମାନ୍ୟ ଘୂରି ଯାଇଛି । କଳାବତୀ ସାମନ୍ତରାୟ, କେବଳ ଜମିଦାରୀ ସାମନ୍ତରାୟ ବଂଶର ଅଲିଅଳି ଦୁଲାଳୀ ନୁହଁନ୍ତି ରୂପରେ ସାର୍ଥକ କଳାବତୀ—ଏକଥା ସେ ଅଞ୍ଚଳରେ ସ୍ୱୀକାର କରିବାକୁ କାହାର ଦ୍ୱିଧାନାହିଁ । ଉପାଧି ଶ୍ରେଣୀର ଛାତ୍ରୀ କଳାବତୀ ସହିତ ବୀରେନ୍ଦ୍ରଙ୍କ ବୟସର ବ୍ୟବଧାନ ଏତେଥିଲେ ମଧ୍ୟ ଦୁହିଁଙ୍କର କିପରି ପରିଚୟ ହେଲା ବା ସାକ୍ଷାତ ହେଲା ତାହାହିଁ ଚିନ୍ତାର ବିଷୟ । ଅନୁସନ୍ଧାନ ବିଭାଗ ପାଇଁ ଏକ ସୂକ୍ଷ୍ମସୂତ୍ର ଏହାରି ଭିତରୁ ବାହାରି ଆସିଲା ଏବଂ ସେଇଟା ହେଲା ମାନଗୋବିନ୍ଦ ସାମନ୍ତରାୟ ଜମିଦାର ଏବଂ ସେହିପରି ଜମିଦାର ମଧ୍ୟ ବୀରେନ୍ଦ୍ର ମାନସିଂ । ତେଣୁ ଏହି ପର୍ଯ୍ୟାୟରେ ଦୁଇବଂଶର ଅତୀତର କୌଣସି ବାଦ ବିସମ୍ବାଦ ଥିବା ସମ୍ଭବ ବା ସେହି ପରିଚୟ ମାଧ୍ୟମରେ ଏ ଅପହରଣ କାଣ୍ଡ ବୀରେନ୍ଦ୍ର ଘଟାଇ ପାରିଥିବା ସମ୍ଭବ ।

 

ଏହି ସୂତ୍ରକୁ ଅନୁସରଣ କରି ଘମାଘୋଟ ଅନୁସନ୍ଧାନ ଚାଲିଲାବେଳେ ସେଇ ମୃତ ମଟର ସାଇକେଲ୍‌ ଚାଳକଟିର ପରିଚୟ ମିଳିବାପରେ ଘଟଣାଟା ବୁଢ଼ିଆଣୀ ଜାଲଭଳି ଛନ୍ଦି ହୋଇଯାଇଛି । ବହୁ ଚେଷ୍ଟା ଫଳରେ ଜଣାପଡ଼ିଲା ଯେ ସେ ମୃତ ଯୁବକଟି ଶିଖ ନୁହେଁ । ସେହିପରି ଦାଢ଼ି ପ୍ରଭୃତି ରଖି ନିଜକୁ ଲୁଚେଇ ରଖିଥିଲା । କୌଣସି ଏକ କୁଖ୍ୟାତ ଡକାୟତ ଦଳର ଲୋକ । ସଦ୍ୟ ପ୍ରଚୁର ଟଙ୍କା ନେଇ ସେ ଆସିଥିଲା । ତା’ପରେ ତାର ଦୁର୍ଘଟଣା ଓ ମୃତ୍ୟୁ ଏବଂ ବୀରେନ୍ଦ୍ରଙ୍କର ତା’ ମଟରସାଇକେଲ୍‌ ଆଉ ଟଙ୍କା ନେଇ ଫେରାର ହବା ପଛରେ ଅନେକ ତଥ୍ୟ ଥିଲା ଭଳି ମନେହୁଏ ।

 

ହୁଏତ ବୀରେନ୍ଦ୍ର ସେହିପରି ଏକ ଦଳ ସହିତ ସଂପୃକ୍ତ । ଏ ସନ୍ଦେହ ମଧ୍ୟ କେତେକାଂଶରେ ସତ୍ୟ ବୋଲି ମନେ ହୋଇଛି । କାରଣ ତାଙ୍କର ଗତିବିଧି କେତେଟା ମେଳ ଖାଇଯାଏ । ନହେଲେ ଏତେ ରାତିରେ ଯେ ଗାଡ଼ି ଚଳେଇବାକୁ ଭଲପାନ୍ତି କାହିଁକି ? ଏତେ ଅଜସ୍ର ପଇସା ଖର୍ଚ୍ଚ କରନ୍ତି କୁଆଡ଼ୁ ? କେମିତି ନହେଲେ ଜାଣିଥାନ୍ତେ ଯେ ଏତିକିବେଳେ ଟଙ୍କାଟା ଆସି ପହଞ୍ଚିବ ବୋଲି ? ବରଂ ସନ୍ଦେହର ପରଦା କ୍ରମେ ଉନ୍ମୋଚିତ ହୋଇଯାଉଛି । ପୋଲିସ କର୍ତ୍ତୃପକ୍ଷ ଧରି ନେଇଛନ୍ତି—ମୃତ ବ୍ୟକ୍ତି କୋଉଠୁ ଟଙ୍କା ଆଣି ଆସିବାର ଥିଲା, ନେଇ ଆସିଛି ଏବଂ ବୀରେନ୍ଦ୍ର ଠିକ୍‌ ସମୟରେ ପହଞ୍ଚି ସେ ଟଙ୍କା କରଗତ କଲାବେଳେ ହୁଏତ କୌଣସି ବିଭେଦ ଯୋଗୁ ବୀରେନ୍ଦ୍ର ତାକୁ ହତ୍ୟାକରି ସମସ୍ତ ଟଙ୍କା ନେଇ ଫେରାର ହୁଅନ୍ତି ।

 

ବର୍ତ୍ତମାନ ପ୍ରଶ୍ନ ହେଲା ଯେ କଳାବତୀର ମୃତ୍ୟୁ ପଛରେ ନିଶ୍ଚୟ ଜମିଦାରୀ ବା ବୁନିଆଦିର କିଛି ଶତ୍ରୁତା ରହିଛି । ତା’ ନହେଲେ ବୀରେନ୍ଦ୍ର କଳାବତୀକୁ ଜାଣିବାର ଅବକାଶ କାହିଁ ? ହୁଏତ ଡକାୟତ ଖିଆଲ, ନେଇ ଜଣେ ସୁନ୍ଦରୀ ରୂପସୀକୁ ହରଣକରିବା ଅସମ୍ଭବ ନୁହେଁ । କିନ୍ତୁ ତା’ ହୋଇଥିଲେ କେଉଁ ବିଳାସପୂର୍ଣ୍ଣ କକ୍ଷ ପର୍ଯ୍ୟନ୍ତ କ’ଣ ବୀରେନ୍ଦ୍ର ନେଇ ପାରିନଥାନ୍ତେ ? ତୋଟା ଭିତରେ ଏପରି ଅସଂଯତ ପରିବେଶରେ କାହିଁକି ? ତେଣୁ ଏହା ଭିତରେ ନିଶ୍ଚୟ କିଛି ରହସ୍ୟ ଅଛି । ଯେଉଁ ଇତିହାସ ସମ୍ଭବତଃ କେବଳ ବୀରେନ୍ଦ୍ର ମାନସିଂ ଏବଂ ମାନଗୋବିନ୍ଦ ସାମନ୍ତରାୟଙ୍କୁ ଜଣା, ମାନଗୋବିନ୍ଦ ନିଜର ସ୍ୱାର୍ଥ ଦୃଷ୍ଟିରୁ ବର୍ତ୍ତମାନ ସେଇଟା ପ୍ରକାଶ କରୁ ନାହାଁନ୍ତି ।

 

ସମସ୍ତ ପ୍ରକାର ଦେଶୀ ବିଦେଶୀ ଧାରାରେ ଅନୁସନ୍ଧାନ ଘମାଘୋଟ ଚାଲିଛି ଏବଂ ସେଇ ଅନୁସନ୍ଧାନ ପୃଷ୍ଠା ପରେ ପୃଷ୍ଠା ଭାବରେ ବୀରେନ୍ଦ୍ର କୀର୍ତ୍ତି କାହାଣୀରେ ପୁରି ଉଠିଛି । ଏ ବିବରଣୀ ପ୍ରକାଶ ପାଇବା ଫଳରେ ସମ୍ବାଦପତ୍ରର କାଟ୍‌ତି ବଢିଛି କି ନାଁ ତାହା ବାରାନ୍ତରେ ଆଲୋଚ୍ୟ । କିନ୍ତୁ କେହି କେହିଯେ ଉପକୃତ ନ ହେଉଛନ୍ତି ତା ନୁହେଁ । ବୀରେନ୍ଦ୍ରଙ୍କ ଅଞ୍ଚଳର ଜଣେ ସବ୍‌ଇନସ୍‌ପେକ୍ଟର ଯେଉଁଦିନ ଆସି ତଥ୍ୟ ଯୋଗାଇଥିଲା ଯେ ବୀରେନ୍ଦ୍ର ମାନସିଂ ଗାଡ଼ିଟା ସେଦିନ କାରଖାନା ଗ୍ୟାରେଜ୍‌ରୁ କାଢ଼ିକରି ନେଇଛନ୍ତି—ନିଜ ଗ୍ୟାରେଜ୍‌ରୁ ନୁହେଁ, ସେଦିନ ଅନୁସନ୍ଧାନ ଆହୁରି ପ୍ରଶସ୍ତ ହେଲା । ଘଟଣା ଦିନ ରାତ୍ରିରେ ବୀରେନ୍ଦ୍ର କାରଖାନାକୁ ଆସିଥିଲେ । ତା ପୂର୍ବଦିନ ଠାରୁ କେତେକ ଛୋଟଛୋଟ କାମପାଇଁ ଗ୍ୟାରେଜରେ ଗାଡ଼ିଟା ଦିଆହୋଇଥିଲା । ରାତିଅଧରେ ଆସି କାରଖାନା ମାଲିକକୁ ଯେତେବେଳେ ଗାଡ଼ି ନବାପାଇଁ କହିଲେ ସେତେବେଳେ ମଧ୍ୟ କାମ ସରି ନ ଥିବାର ସେ ସୂଚାଇ ଦେଇଥିଲେ । କିନ୍ତୁ ବୀରେନ୍ଦ୍ର ସେଥିପ୍ରତି ଭ୍ରୂକ୍ଷେପ ନ କରି ଗାଡ଼ି ନେଇଥିଲେ । ବୀରେନ୍ଦ୍ରଙ୍କ ମୁହଁ ଉପରେ କଥା କହିବାର ସାହସ କାହାର ନଥିବେ ବି ମେକାନିକ୍‌ କହିଥିଲା ଆଉ ଗୋଟାଏ ଗାଡ଼ି ନେଇ ଯିବାକୁ । କିନ୍ତୁ ବୀରେନ୍ଦ୍ର ସେଇ ଗାଡ଼ି ନବାପାଇଁ ଜିଦ୍‌ କଲେ ଏବଂ ନେଇକରି ମଧ୍ୟ ଗଲେ । ଗଲାବେଳେ ତାଙ୍କ ମୁହଁରୁ ଏତିକି ବାହାରିବାର ଶୁଣିଛି ମେକାନିକ୍‌–ଏ ଗାଡ଼ିଟାର କିଛି ଗୋଟାଏ ବ୍ୟବସ୍ଥା କରିବାକୁ ପଡ଼ିବ ।

 

ଘଟଣାର ପରିସରକୁ ତୁଳନା କଲେ ଏ ସାମାନ୍ୟ ସୂଚନା ନଗଣ୍ୟ ଜଣାପଡ଼ିପାରେ । କିନ୍ତୁ ଏହା ଯେ ଗୁରୁତ୍ୱପୂର୍ଣ୍ଣ ତାହା କେବଳ ସେହି ଉଚ୍ଚପଦସ୍ଥ ହାକିମ ବୁଝିପାରିଲେ । ତେଣୁ ସବ୍‌ଇନ୍‌ସପେକ୍ଟରଙ୍କର କାର୍ଯ୍ୟଦକ୍ଷତା ଓ ବୁଦ୍ଧି ପାଇଁ ତାରିଫକରି ପଦୋନ୍ନତି ପାଇଁ ସୁପାରିଶ୍‌ କରିଛନ୍ତି । ଏହି ପରି ଛୋଟକାଟର ଉପକାର ମଧ୍ୟ ବିଭିନ୍ନ କ୍ଷେତ୍ରରେ ଲୋକେ ପାଇ ଚାଲିଛନ୍ତି ।

 

ବୀରେନ୍ଦ୍ରଙ୍କର ଶେଷ ଧାଡ଼ିଟା ମେକାନିକ୍‌ ମୁହଁରେ ବାରମ୍ବାର ଦୋହରାଇଛନ୍ତି । ଠିକ୍‌ ଏଇଆ କହିଛନ୍ତି କି ବୋଲି ନିଶ୍ଚିତ ହବାକୁ ଚାହିଁଛନ୍ତି । ତା ଅର୍ଥ ବୀରେନ୍ଦ୍ର ନିଜ ଗାଡ଼ିଟାକୁ ଛାଡ଼ିବା, ଭାଙ୍ଗିବା ବା ଧକ୍‌କା ଲଗେଇବା ପାଇଁ ତେବେ ପ୍ରସ୍ତୁତ ହୋଇ ନେଇଥିଲେ ? ଗ୍ୟାରେଜ୍‌ ବାଲା ଆଉ ଗୋଟାଏ ଗାଡ଼ି ଯାଚିବା ସତ୍ତ୍ୱେ ମଧ୍ୟ ନୁହେଁ ? ? ଗାଡ଼ିକାମ ସଂପୂର୍ଣ୍ଣ ନ ହୋଇ ମଧ୍ୟ ଅଧା ତିଆରି ଗାଡ଼ିନେଇ ସତରେ ବୀରେନ୍ଦ୍ର ଏତେ ବାଟ ଯିବେ ବୋଲି କ’ଣ ଗାଡ଼ି ନେଇ ଥିଲେ ???

 

ଘଟଣାର ରୂପ ଯାହା ଧରିବାକୁ ଆରମ୍ଭ କଲାଣି ସେଠି କିଶୋର ନୁହଁନ୍ତି ବହୁ ମହାମହା ପାରିବାର ବ୍ୟକ୍ତି ନିଜକୁ ନିୟୋଜିତ କରିଛନ୍ତି । କାରଣ ବୀରେନ୍ଦ୍ର ତ ଆଉ ସେଇ ସ୍ତରର ନୁହଁନ୍ତି । ସେ ଯଦି ଚୋର ତେବେ ସେହିପରି ମୋଟା ଅଙ୍କର ଚୋର । ନହେଲେ କଳାବତୀଙ୍କ ଅଙ୍ଗରୁ ସମସ୍ତ ଦାମୀ ଅଳଙ୍କାର ନେଇ ଯିବିକୁ ଭୁଲି ନ ଥାନ୍ତେ । ବୀରେନ୍ଦ୍ର ଯଦି ହତ୍ୟାକାରୀ ତେବେ ଏକା ରାତିକେ ଦୁଇ ତିନିଜଣଙ୍କୁ ଶେଷ କରିପାରନ୍ତି । ଆଉ ବୀରେନ୍ଦ୍ର ଯଦି ପଳାତକ ତେବେ ଏକା ରାତିକେ ଦୁଇ ତିନିଜଣଙ୍କୁ ଶେଷ କରି ପାରନ୍ତି । ଆଉ ବୀରେନ୍ଦ୍ର ଯଦି ପଳାତକ ତେବେ ସେ କିଶୋରଙ୍କ ଥାନା ଅଞ୍ଚଳରୁ ଯାଇ ଶେଖରଙ୍କ ଅଞ୍ଚଳରେ ବା ସୁଧୀରଙ୍କ ଅଞ୍ଚଳରେ ଆତ୍ମଗୋପନ କରିବେ ନାହିଁ–ନିଶ୍ଚୟ ହାତ ପାଆନ୍ତାରେ ନୁହେଁ । ଏ ପ୍ରମାଣ କିଶୋରଙ୍କର ପାଇବାରେ ବାକି ନାହିଁ-। ଗୋଟିଏ ଉଦାହରଣ ତାଙ୍କ ପାଇଁ ଯଥେଷ୍ଟ । ବୟସବେଳେ ତାଙ୍କର ପତ୍ନୀ କେବଳ ସାବିତ୍ରୀ ହବା ସମ୍ଭବ....ଯେହେତୁ ସାବିତ୍ରୀଙ୍କ ରୂପପରି ଆଉ ଜଣେ, କିଶୋର କାହାକୁ ଦେଖିଥିବାର ମନେ ନାହିଁ-। ପ୍ରେମିକା କେବଳ ପୁଷ୍ପିତା ହବା ସମ୍ଭବ....ଯିଏ ନିଜ ଚାରିପଟେ ଅନେକ ଆକର୍ଷଣ, ପ୍ରଲୋଭନ ଏବଂ ନୀଡ଼ ବାନ୍ଧିବାର ସ୍ୱପ୍ନ ଥାଇ ସୁଦ୍ଧା ଏକ ସିଂହୀର ଅନେକ ଅହଙ୍କାରରେ ଏ ସବୁକୁ କ୍ଷୁଦ୍ର ଶଶାବକ ଭଳି ପାଦରେ ବେଖାତିରରେ ଆଡ଼େଇ ଦେଇପାରନ୍ତି । ଆଉ ପ୍ରାପ୍ତ ବୟସରେ ଅପହରଣକରିବା ଦରକାର ପଡ଼ିଲେ ବୀରେନ୍ଦ୍ର କେବଳ କଳାବତୀକୁ ଅପହରଣ କରିପାରନ୍ତି ବା ଧର୍ଷଣ କରିପାରନ୍ତି । ଯାହାକୁପାରି ତାକୁ ନୁହେଁ । କାରଣ କଳାବତୀଙ୍କ ତୁଳନା ବୋଧହୁଏ କେବଳ କଳାବତୀ ନିଜେ । ତାଙ୍କ ଭଳି କେହି ହବା ସମ୍ଭବ ନୁହଁନ୍ତି ।

 

କଲେଜ ବନ୍ଦ ହୋଇ କଳାବତୀଙ୍କ ଶବକୁ ବିରାଟ ପଟୁଆରରେ କଲେଜ ପାଖରେ ଯେତେବେଳେ ଫୁଲମାଳ ଦିଆଗଲା କିଶୋର ସେଦିନ ସାଦା ପୋଷାକରେ ପାଖେ ପାଖେ ରହି ଦେଖୁଥିଲେ—ନିଜର ସମ୍ପର୍କୀୟ ଲୋକମାନଙ୍କ ଠାରୁ ଯଦି ଅଧିକ କେହି କାନ୍ଦୁଛି ତେବେ ସେହି ସହପାଠୀଗଣ ଏବଂ ଅଧ୍ୟାପକ ଗଣ । ସତେ ଯେମିତି କଳାବତୀ ତାଙ୍କ କଲେଜର ନୁହେଁ ପ୍ରତ୍ୟେକଙ୍କ ସ୍ୱପ୍ନର କଳାବତୀ । ଆଉ ଠିକ ସ୍ୱପ୍ନ ଭଳି ସେ ଉଭେଇ ଯାଇଛି । ବୀରେନ୍ଦ୍ର ସେହିପରି ଜଣକୁ ନିଃଶେଷ କରି ନିଶ୍ଚଳ କରି ଦେଇଛନ୍ତି । ଏ ପ୍ରକାର ଜଣକୁ ଖୋଜି ବାହାର କରିବାକୁ ହେଲେ ସେହି ପ୍ରକାର ସମର୍ଥ ଅଫିସର ଦରକାର । କିଶୋର ନୁହଁନ୍ତି ।

 

ସଦ୍ୟ ସ୍ନାନକରି ଠିଆ ହୋଇଛନ୍ତି ବୀରେନ୍ଦ୍ର । ତେଣୁ କଳାଦାଗ କୋଉଠୁ ଲାଗିବାର ନାହିଁ । ଦାମୀ ଦର୍ପଣ ମଧ୍ୟ ଭ୍ରମ ପ୍ରତିବିମ୍ବ ସୃଷ୍ଟି କରିବାତ ସମ୍ଭବ ନୁହେଁ । ସତରେ ତେବେ କ’ଣ ବୀରେନ୍ଦ୍ରଙ୍କ ମୁହଁରେ ଏତେ ପରିବର୍ତ୍ତନ ହୋଇଯାଇଛି । ମାତ୍ର କେଇଟା ମାସ । ତା’ ଭିତରେ ତାଙ୍କ ରୂପ ଏ ଅବସ୍ଥାକୁ ଆସିଯାଇଛି ? ହଠାତ୍‌ ମନେହେଲା ଯେମିତି ଏହା ଭିତରେ ଅନେକ ବର୍ଷ ଅତିକ୍ରମ କରିଯାଇଛନ୍ତି । ଅସମ୍ଭବ ଭାବରେ ମୁହଁରେ କଳାଦାଗ ସବୁ ମାଡ଼ିଯାଇଛି ।

 

ଅବଶ୍ୟ ଅନ୍ୟ ଦିନ ହୋଇଥିଲେ ବୀରେନ୍ଦ୍ର ଏଇଟାକୁ ମଧ୍ୟ ଭଗବାନଙ୍କର ଆଶୀର୍ବାଦ ବୋଲି ଗ୍ରହଣ କରିଥାନ୍ତେ । ଧରା ନ ପଡ଼ିବା ପାଇଁ ଭଗବାନ ସାହାଯ୍ୟ କରୁଛନ୍ତି ବୋଲି ଧରି ନେଇଥାନ୍ତେ । କିନ୍ତୁ କେଜାଣି କାହିଁକି ଆଜି ଆଉ ସେଭଳି କୃତଜ୍ଞତା ତାଙ୍କ ମନକୁ ଆସିଲା ନାହିଁ । ହୁଏତ—ପରିସ୍ଥିତି ଆଉ ପରିବେଶ । ଦିନକୁ ଦିନ ତାଙ୍କ ବାକ୍‌ସ ଭିତରେ ଥିବା ନୋଟ ବିଡ଼ାଗୁଡ଼ା ଖବରକାଗଜରୁ କଟାହୋଇ ରହୁଥିବା ବିଡ଼ାକୁ କେମିତି ରୂପାନ୍ତରିତ ହୋଇ ଚାଲିଛି । କାଲି ହୁଏତ ବୀରେନ୍ଦ୍ର ଭାବୁଥିଲେ ବାସ୍ତବତାଠାରୁ ଦୂରେଇ ଯାଇ ନିଜେ ଭୁଲ୍‍ କରିଛନ୍ତି । ଆଜି କିନ୍ତୁ ସେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି କୋଉଟା ବାସ୍ତବତା । କାଲି ପର୍ଯ୍ୟନ୍ତ ସେ ଭାବୁଥିଲେ ସାମାନ୍ୟ କିଛି ଭୁଲ୍‍ପାଇଁ ପଳେଇଆସିବା ତାଙ୍କର ଉଚିତ୍‌ ନ ଥିଲା । ବରଂ ସେଠି ରହି ସମସ୍ତଙ୍କୁ ବୁଝେଇବା ଉଚିତ୍‌ ହୋଇଥାନ୍ତା । ଆଜି କିନ୍ତୁ ଭାବୁଛନ୍ତି—କାହାକୁ ବୁଝେଇଥାନ୍ତେ ? କ’ଣ ପାଇଁ ବୁଝେଇଥାନ୍ତେ ? ଲାଭ କ’ଣ ହୋଇଥାନ୍ତା ?

 

ବିଜ୍ଞାନ କଳା ସଂସ୍କୃତିର ଅଗ୍ରଗତି ସହିତ ତାଳ ମିଶେଇ ସମାଜର କଳେବରରେ ଦ୍ରୂତ ପରିବର୍ତ୍ତନ ହୋଇ ଚାଲିଛି । ତେଣୁ ବହୁ ତଥ୍ୟ ଉପରେ ପର୍ଯ୍ୟବସିତ ସତ୍ୟ ମଧ୍ୟ ସହସା ମିଥ୍ୟା ବୋଲି ପ୍ରମାଣିତ ହୋଇପାରିଛି ଏବଂ ବହୁ ଚରମ ଅସତ୍ୟ କ୍ରମଶଃ ସତ୍ୟ ବୋଲି ପ୍ରମାଣିତ ହୋଇଚାଲିଛି । ଉଦାହରଣ ସ୍ୱରୂପ କାହିଁ କେତେ ସହସ୍ର ବର୍ଷ ତଳୁ ପୂଜା ପାଇଁ ଆସୁଥିବା କୌଣସି ଏକ ନକ୍ଷତ୍ର ଆଜି ହଠାତ୍‌ ଗ୍ରହ, ଉପଗ୍ରହ ବା ଅପଗ୍ରହ ବୋଲି ଉପସ୍ଥାପିତ ହୋଇପାରୁଛି । ସେ ତୁଳନାରେ ସତ୍ୟ ଆଉ ମିଥ୍ୟର ସଂଜ୍ଞା ଅଦଳ ବଦଳ ହୋଇଚାଲିଛି ।

 

ବର୍ତ୍ତମାନ ପାଇଁ ନିର୍ବାକ୍‌ ସତ୍ୟ ହେଲା—ବୀରେନ୍ଦ୍ର ମାନସିଂ ଜଣେ ଚରିତ୍ରହୀନ, ସ୍ତ୍ରୈଣ, କୁଖ୍ୟାତି ଖଳନାୟକ । ଏତେ ସହଜରେ ଏ ସମସ୍ତ ପ୍ରମାଣିତ ହୋଇପାରିବ ଏହା କଳ୍ପନାର ବାହାରେ ଥିଲା । କିନ୍ତୁ ସବୁ ଅସମ୍ଭବ ଜଣା ପଡ଼ୁଥିବା ତଥ୍ୟ କବଳିତ ଭାବରେ ଦିନେ ସ୍ୱୀକାର କରନ୍ତି ଯେ ସେସବୁ ସମ୍ଭବ । ଏ ପର୍ଯ୍ୟନ୍ତ ଲୋକଲୋଚନରେ ବୀରେନ୍ଦ୍ର ମାନସିଂ ଯାହା ଜଣା ପଡ଼ୁଥିଲେ ସେ ଠିକ୍‌ ସେଇଆ ନୁହଁନ୍ତି । ଲୋକମାନେ ଯାହା ବିଶ୍ୱାସ କରି ଆସିଥିଲେ ପୁଷ୍ପ ଆଉ ତାଙ୍କ ସମ୍ପର୍କରେ ସେଗୁଡ଼ା ମଧ୍ୟ ଭ୍ରମ ସ୍ୱରୂପ ।

 

ଅନୁଢ଼ା କିଶୋରୀର ଚଳଚଞ୍ଚଳ ବୟସ ଛାଡ଼ି ପୁଷ୍ପ ଯେତେବେଳେ ଯୁବତୀ ନାମରେ ପ୍ରସ୍ଫୁଟିତ ହୁଅନ୍ତି କେମିତି କେଜାଣି ବୀରେନ୍ଦ୍ରଙ୍କ ଆଖି ସେତେବେଳଠୁ ତାଙ୍କ ଉପରେ । ବୟସର ତଫାତ୍‌-ବେଶ୍‌ ଥିଲେ ସୁଦ୍ଧା ପୁଷ୍ପଙ୍କର ପ୍ରଥମ ପାଦ ଖସେ କଲେଜରେ ପଢୁଥିବାବେଳେ । ବୀରେନ୍ଦ୍ର ମାନସିଂ ସେଇ କଲେଜରେ ନିଜର ପୂର୍ବ ଭୂମିକାର ଦ୍ୱାହିଦେଇ ନିଜର ପରିଚୟ ଜାହିର କରିବାକୁ ତାଙ୍କ ସମସାମୟିକ ବନ୍ଧୁମାନଙ୍କୁ ଦେଖା କରିବାକୁ ଗାଡ଼ିଧରି କଲେଜ ଆସନ୍ତି । ଆଉ ପୁଷ୍ପ—ବେଶ୍‌ ଦିନ ତଳର ପରିଚୟକୁ ଏଡ଼େଇ ନଦେଇ ପାରି ବୀରେନ୍ଦ୍ରଙ୍କୁ ସାକ୍ଷାତ କରନ୍ତି । ଏ ସାକ୍ଷାତ କ୍ରମେ ଆନ୍ତରିକତାକୁ ଆଗେଇଲା । ବେଳେବେଳେ ଗାଡ଼ିରେ ବସିବା ଆରମ୍ଭ କରି ତା’ପରେ ବେଶ୍‌ ବେଳପାଇଁ ବସିଲେ । ଯେଉଁଦିନ ପୁଷ୍ପ ଆବିଷ୍କାର କଲେ ଯେ ସେ ବୀରେନ୍ଦ୍ରଙ୍କ ଭଲପାଇ ବସିଛନ୍ତି, ସେତିନ ମଧ୍ୟ ସେ ଜାଣି ପାରିଲେ ସେ କିଛିଟା ଭୁଲ୍‌ କରି ବସିଛନ୍ତି । ତଥାପି ସେ ସମ୍ପର୍କ ବଢିଲା ପଛେ କମିଲା ନାହିଁ ।

 

ତା’ପରେ ପୁଷ୍ପ ଚାକିରି କଲେ । ନିଜ ଭଲ ପାଇବାକୁ ବଜାୟ ରଖିବାକୁ ଦୃଢ଼ମତ ହେଲେ । କିନ୍ତୁ ତାଙ୍କର ସେଇଦିନଠାରୁ ବୀରେନ୍ଦ୍ରଙ୍କ ପ୍ରତି ଘୃଣା ବଢ଼ିଲା, ଯେଉଁଦିନ ସେ ଜାଣିଲେ ଯେ ବୀରେନ୍ଦ୍ର ମାନସିଂ ଜଣେ ଲମ୍ପଟ, ଚରିତ୍ରହୀନ, ପୁଷ୍ପଙ୍କ ପରି ଅନେକ ପୁଷ୍ପଙ୍କର ମଧୁ ଲୁଟିବାରେ ଗୌରବାନ୍ୱିତ ବୋଧ କରନ୍ତି । ସେତେବେଳକୁ ପୁଷ୍ପ କିନ୍ତୁ ସମାଜ ଆଖିରେ ବୀରେନ୍ଦ୍ରଙ୍କ କଳଙ୍କରେ କଳଙ୍କିତ । ତଥାପି ବୀରେନ୍ଦ୍ରଙ୍କୁ ସେ ଘୃଣା କଲେ । ବାରମ୍ବାର ତାଙ୍କ ପାଖକୁ ଆସିବାକୁ ବାରଣ କଲେ । ଏତେଥର ପୁଷ୍ପଙ୍କ ନିକଟକୁ ଆସିବାର ଉଦ୍ଦେଶ୍ୟ ପୁଷ୍ପ ଜାଣି ପାରିଲେ ଯେ ସେ ନିଜେ ନୁହଁନ୍ତି, ତାଙ୍କ ପାଖକୁ ବେଳେବେଳେ ପଢ଼ା ବୁଝିବାକୁ ଆସୁଥିବ; ଅନେକ ଛାତ୍ରୀ ।

 

କ୍ରମଶଃ ପୁଷ୍ପ ଜାଣିପାରିଲେ ବୀରେନ୍ଦ୍ରଙ୍କର ନିଜରୂପ । କିନ୍ତୁ ସେତେବେଳକୁ ନିଜ ଆୟର ବହୁଟଙ୍କା ବୀରେନ୍ଦ୍ରଙ୍କୁ ସେ ଧାର ଆକାରରେ ଦେଇସାରିଥାନ୍ତି । ପୁଷ୍ପ ବୀରେନ୍ଦ୍ରଙ୍କ ତାଙ୍କର ଆଚାର ବ୍ୟବହାର ସମ୍ପର୍କରେ ଧିକ୍‌କାର କରିଛନ୍ତି । ତାଙ୍କର କବଳରୁ ନିଜର ଅନ୍ୟ ଛାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି । ଏଥିପାଇଁ ସବୁବେଳେ ପୁଷ୍ପଙ୍କ ସହିତ ବୀରେନ୍ଦ୍ରଙ୍କ ମନୋମାଳିନ୍ୟ ଘଟିଛି ।

 

ଏତେ ଟଙ୍କା ନେଇ ଖଚ୍ଚକରି ଦବାଟାକୁ ପୁଷ୍ପ ସେତେବେଳେ ମଧ୍ୟ ସନ୍ଦେହ ଚକ୍ଷୁରେ ଦେଖିଛନ୍ତି ଏବଂ ପଚାରିଛନ୍ତି । ହେଲେ ଉତ୍ତର ପାଇଛନ୍ତି–‘ହଜାରେ ଟଙ୍କା ପାଇଁ ଗୋଟାଏ ମିନିଟ୍‌ ହିସାବରେ ଧରିନିଅ । କେତେ ଟଙ୍କା ତମର ଦରକାର ।’ ଏଭଳି ଉତ୍ତରକୁ ମଧ୍ୟ ପୁଷ୍ପ ସନ୍ଦେହ କରିଛନ୍ତି । ହୁଏତ ବୀରେନ୍ଦ୍ର କିଛି ଗୁପ୍ତ କାରବାର ବା କଳାକାରବାର କରୁଥାଇପାରନ୍ତି । ସେ ଜାଣିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ପାରିନାହାଁନ୍ତି ।

 

ଏବଂ ସର୍ବୋପରି ସେଦିନ ପୁଷ୍ପଯେଉଁ ଟେଲିଗ୍ରାମ କରିଥିଲେ ତାର ଉଦ୍ଦେଶ୍ୟ ହେଲା ବୀରେନ୍ଦ୍ର ପୁଷ୍ପଙ୍କଠାରୁ ଉଧାର ନେଇଥିବା ଟଙ୍କାରୁ ଦଶହଜାର ଟଙ୍କା ଦେଇ ପାରିବେ ବୋଲି ପ୍ରତିଶ୍ରୂତି ଦେଇଥିଲେ । ସେ ଟଙ୍କା ପୁଷ୍ପଙ୍କ ସାନ ଭଉଣୀର ବାହାଘର ବାବଦ ଖର୍ଚ୍ଚ ପାଇଁ ଦରକାର ଥିଲା । କିନ୍ତୁ ବୀରେନ୍ଦ୍ର ଆସିଲେ ନାହିଁ ବୋଲି ପୁଷ୍ପ ଟେଲିଗ୍ରାମ କରିଥିଲେ ।

 

ହୁଏତ ନୁହେଁ, ନିଶ୍ଚୟ ସେଇଥିପାଇଁ ବୀରେନ୍ଦ୍ର ପୁଷ୍ପଙ୍କ ପାଖକୁ ଯିବା ବାଟରେ ଶିଖ ବେଶଧାରୀ ଯୁବକ ଡକାୟତକୁ ଟଙ୍କା ଆଣିବା ପାଇଁ କହିଥିଲେ ଏବଂ ସେଥିପାଇଁ ନିଶ୍ଚୟ କିଶୋର ଯେତେ ଅଟକେଇଲେ ମଧ୍ୟ ସେ ରହିବାକୁ ଚାହିଁ ନଥିଲେ । ବୋଧହୁଏ ସେହି ପ୍ରକାର ଚାରିତ୍ରିକ ଦୁର୍ବଳତା ପାଇଁ କଳାବତୀ ସାମନ୍ତରାୟ ପୁଷ୍ପିତା ପଟ୍ଟନାୟକ ଭଳି ସବୁଦିନିଆ ଜାଲରେ ନପଡ଼ିଲେ ବୋଲି ସବୁଦିନ ପାଇଁ ଝରିଗଲେ ।

 

ଏତେଗୁଡ଼ାଏ ଅନୁସନ୍ଧାନୀ ଏତେ ଜ୍ଞାନର ଡ଼ିଗ୍ରୀ ଧରି ଏ ପ୍ରକାର ତଥ୍ୟଟାକୁ ସଂଯୋଗ କରି ପାରୁନଥିଲେ । ପ୍ରକୃତରେ କେତେ ସହଜରେ ସବୁ ପ୍ରମାଣିତ ହୋଇଗଲା । କେବଳ ସେତିକି ନୁହେଁ ଯେଉଁଦିନ ପ୍ରକୃତ ତଥ୍ୟ ଉଦ୍‌ଘାଟିତ ହେଲା ଯେ ସେଇ କଲେଜବେଳର ସାମୟିକ ମିଳାମିଶା ଛଡ଼ା ବୀରେନ୍ଦ୍ର ମାନସିଂ ଆଉ ପୁଷ୍ପିତା ପଟ୍ଟନାୟଙ୍କର କୌଣସି ପ୍ରକାର ଆନ୍ତରିକତା ନଥିଲା, ଯାହାଥିଲା କେବଳ ବୀରେନ୍ଦ୍ରଙ୍କର ପୁଷ୍ପଙ୍କ ଜରିଆରେ ଆର୍ଥିକ ସ୍ୱାର୍ଥ ଆଉ ତାଙ୍କର ଛାତ୍ରୀମାନଙ୍କ ଆକର୍ଷଣ । ଏହାପରେ ହଠାତ୍‌ ଜନଗଣ ପଞ୍ଚମୁଖ ହୋଇ ପୁଷ୍ପଙ୍କୁ ଆଦର୍ଶ ଶିଖରରେ ଉପସ୍ଥାପିତ କରିବା ସ୍ୱାଭାବିକ ।

 

Unknown

ସତରେ ପୁଷ୍ପ ! ଏତେଗୁଡ଼ାଏ ସମସ୍ୟାର ସହଜ ସମାଧାନ...ଏତେ କଳଙ୍କିତ ଅଧ୍ୟାୟ ଭିତରେ ନିଷ୍ପାପ ଚରିତ୍ର....ପଙ୍କ ଭିତରୁ ପଦ୍ମ ।

 

କାହାପାଇଁ ଆଉ !

 

କ’ଣ ଦରକାର—ଏତେ ଯତ୍ନରେ ଖବରକାଗଜରୁ ଏଗୁଡାକ କାଟିକରି ବିଡ଼ାବାନ୍ଧି ରଖିବା ? ଭାବୁଥିଲେ, ଦିନେ ହୁଏତ ଫେରିବେ ଆଉ ପ୍ରତି ଖଣ୍ଡ ପଢି ଶୁଣେଇ ତା’ ଉପରେ ଏକ ରମ୍ୟ ରଚନା କରି ପରିବେଶକୁ ଉପଭୋଗ କରିବେ । ହେଲେ ଆଉ କ’ଣ ଦରକାର ? ତାଙ୍କର ତ ଫେରିବାର ବାଟ ବନ୍ଦ ହୋଇଗଲା ।

 

ପୁଷ୍ପ ! ଏତେ ନିର୍ଦ୍ଦୟ ତମେ ?

 

ତମେ ନାଁ ଜାଣିଥିଲ ବୀରେନ୍ଦ୍ର ମାନସିଂର ଚରମ ଦୁର୍ବଳତା ଅଂଶୁ ଆଉ ଅନୁ ! ତାଙ୍କ ମୁହଁ ଥରକ ପାଇଁ ତମର ମନେପଡ଼ିଲା ନାହିଁ । ବୀରେନ୍ଦ୍ର ମାନସିଂର ଗୋଚର ପଡ଼ିଥିବା ଜମିକୁ କେବଳ ବିକ୍ରୀ କଲେ ତମର ସାରା ଚାକିରି ଜୀବନର ରୋଜଗାରକୁ ଭରିଣା କରି ଦେଇ ପାରିଥାନ୍ତା । ସତ୍ୟଟାହିଁ ଅପ୍ରିୟ । ତେଣୁ ପ୍ରକାଶ କରିବାରେ ଦ୍ୱିଧାଜନ୍ମେ । କିନ୍ତୁ ତୁମେହିଁ ପ୍ରଥମ ନାରୀ ଯେ କି ବିନାଦ୍ୱିଧାରେ ଏତେଗୁଡାକ ସତ୍ୟ ଲୋକଲୋଚନରେ ପ୍ରକାର କରିପାରିଛ ।

 

ସତ୍ୟର ହିଁ ଜୟ । ତେଣୁ ଶେଷରେ ତୁମର ହିଁ ଜୟ ହେଲା । ସତ କଥାଟା ପ୍ରକାଶ ପାଇନଥିଲେ ହୁଏତ ପୁଷ୍ପ ଗୁରୁତ୍ୱ ହରେଇଥାନ୍ତା । ବରଂ ଭଲ ହେଲା–ତୁମର ଗୁଣଗ୍ରହୀ ଲୁବ୍ଧ ଶୁଭେଚ୍ଛୁଗଣ ତୁମ ନିକଟକୁ ପାଖେଇ ଆସି ସାନି ତୁମବ ଗୁଣକୀର୍ତ୍ତନ ଆରମ୍ଭ କରିବେ ।

 

ଠପ୍‌ ଠପ୍‌ ହୋଇ ଦୁଇଟୋପା ଲୁହ ଆଖିରୁ ଖସିପଡ଼ିଲା ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା ଦୁଇଟୋପାଯାକ କେବଳ ପୁଷ୍ପଙ୍କ ଉପରେ ହିଁ ପଡ଼ିଲା । ପାଖାପାଖି ଦୁଇଜଣଙ୍କ ମୁହଁ ଥିଲେ ମଧ୍ୟ ଲୁହ ଦୁଇଟୋପା କେବଳ ପୁଷ୍ପଙ୍କ ମୁହଁରେ ପଡ଼ିଲା । ବୀରେନ୍ଦ୍ର ହସିଲେ । ବଡ଼ କରୁଣ ସେ ହସ । ମନ ଭିତରୁ ଯେମିତି କୋହ ଉଠି କହୁଥିଲା—

 

‘ପୁଷ୍ପ ! ତମ ମୁହଁରେ ଫୁଲ ଚନ୍ଦନପଡ଼ୁ । ଏ ଚାରିକାନ୍ଥ ଭିତରେ ମୁଁ ଫୁଲ ଚନ୍ଦନର ସନ୍ଧାନ କରି ନପାରି କେବଳ ରକ୍ତର ସ୍ୱରୂପ ଫୁଲ ଚନ୍ଦନ ଭାବେ ଲୁହ ଦୁଇଟୋପା ଦେଲି ।’

 

ଖବରକାଗଜର ଫଟ ଉପରେ ଲୁହପଡ଼ି ଭିଜି ଯାଇଥିଲେ ସୁଦ୍ଧା ତା’ ଭିତରୁ ବୀରେନ୍ଦ୍ରଙ୍କୁ ଜଣାପଡ଼ୁଥାଏ ଯେମିତି ପୁଷ୍ପ ହସୁଛନ୍ତି । ଦର୍ପିତ ଅହଙ୍କାରର ସେ ହସ । ଆଉ ତାରି ପାଖକୁ ବୀରେନ୍ଦ୍ରଙ୍କ ଫଟ । ହୁଏତ ଅନ୍ୟଥର ଭଳି ବୀରେନ୍ଦ୍ର ଏହାକୁ କୌଣସି ଧୂର୍ତ୍ତ ପୁଲିସ୍‌ ଅଫିସରଙ୍କ ଚାଲବୋଲି ଭାବିଥାନ୍ତେ । କିନ୍ତୁ ଏଥର ସେ ସନ୍ଦେହ କରିବାର ନାହିଁ । ଏଇ ଯୋଉ ଫଟଟା ଖବରକାଗଜରେ ବାହାରିଛି ବୀରେନ୍ଦ୍ରଙ୍କର ସେ ଫଟଟା କେବଳ ପୁଷ୍ପ ଦେଇଥାଇ ପାରନ୍ତି ଆଉ କେହି ନୁହେଁ । ସେ ଖଣ୍ଡକ କେବଳ ନିଜସ୍ୱ । ତାଙ୍କ ପାଇଁ ଉଠିଥିଲା, ଖଣ୍ଡେ ମାତ୍ର କପି ହୋଇ ତାର ନେଗେଟିଭ ଚିରା ହୋଇଥିଲା । ତେଣୁ ସେ ଖଣ୍ଡକ ଯଦି ପୁଷ୍ପ ଦେଇ ପାରନ୍ତି ତେବେ ଏ ସମସ୍ତ ଇତିହାସ କେବଳ ତାଙ୍କରି ବକ୍ତବ୍ୟ ।

 

ଆଉଥରେ ଓଦା କାଗଜଟା ଉପରେ ହାତଟା ଧୀରେ ସାଉଁଳେଇ ଆଣିଲେ । ସତେ ଯେମିତି ତା’ରି ଭିତରୁ ପୁଷ୍ପଙ୍କର ଅସ୍ତିତ୍ୱ ଉପଲବ୍‌ଧି କରୁଛନ୍ତି ବୀରେନ୍ଦ୍ର । ତାଙ୍କ ପାଇଁ ଆଜିର ସ୍ମୃତି ଅତୀବ ସ୍ମରଣୀୟ । କେବେହେଲେ ଆଜିକୁ ସେ ଭୁଲିପାରିବେ ନାହିଁ ।

 

ଆଜି ପରେ ବୀରେନ୍ଦ୍ରଙ୍କର ନବକଳେବର । ସେ ଭିନ୍ନଏକ ମଣିଷ ହୋଇ ବଞ୍ଚି ରହିବେ-। ତେଣୁ ଆଜିପାଇଁ ତାଙ୍କର ନୂତନ ସିଦ୍ଧାନ୍ତ । ଟିକି ଟିକି କରି ସାଇତି ରଖିଥିବା ସବୁ ଖବରକାଗଜର କଟିଂଗୁଡ଼ିକୁ ଚିରିବା ଆରମ୍ଭ କଲେ; ୟାର ଆଉ ଆବଶ୍ୟକତା ନାହିଁ । ଦ୍ୱିତୀୟରେ ବୀରେନ୍ଦ୍ର ମାନସିଂଙ୍କର ଆଜିଠାରୁ ଅଜ୍ଞାତବାସ ଜୀବର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ । କାରଣ ତାଙ୍କର ପଛକୁ ଫେରିବାର ବାଟ ନାହିଁ । ସେ କେବଳ ଆଗେଇ ଚାଲିବେ । ପଛକୁ ଫେରି ଚାହିଁଲେ ବରଂ ବିଭତ୍ସ ଅତୀତ ଦେଖାଯିବ ଯେଉଁଠି ପୁଷ୍ପ, କିଶୋର, ଗାୟତ୍ରୀ ଏବଂ ପୁଷ୍ପଙ୍କ ତଥାକଥିତ ଚରିତ୍ରଗଣ ପ୍ରେତନୃତ୍ୟ କରୁଥିବେ । ଧରି ନିଆଯାଉ ଏଇ ନୂତନ ବୀରେନ୍ଦ୍ରଙ୍କର ଅତୀତ ନଥିଲା ।

 

ସବୁ କାଗଜ ଟିକି ଟିକି କରି ଚିରିବା ପରେ ଆଜିର ଏ କାଗଜ ଖଣ୍ଡକୁ ପାଖରେ ରଖିବାକୁ ସିଦ୍ଧାନ୍ତ ବୀରେନ୍ଦ୍ର । ସତରେ ଯେମିତି ତାଙ୍କ ମନ ଭିତର କିଏ ଉପହାସ କରି କହି ଉଠିଲା—ଏ କାଗଜଟା ଥାଉ । ଏମିତିରେ ବି କେବେ ଦୁହିଁଙ୍କର ଫଟ ଏକାଠି ବାହାରି ନଥାନ୍ତା । ବା ଦୁହେଁ ଏକାଠି ଫଟ ଉଠେଇବାର ସମ୍ଭବନା ମଧ୍ୟ ନାହିଁ । କେବଳ ଏଇଟା ଥାଉ । ଦୁହିଁଙ୍କର ଏକାଠି ଫଟାଦି’ଟା ତ ଲକ୍ଷ ଜନତାଙ୍କ ଆଖିରେ ପଡ଼ିବା ପାଇଁ ପ୍ରକାଶ ପାଇଛି ।

 

ଅଜ୍ଞାତବାସ ପାଇଁ ଅନୁକୂଳ କରିବା ଆମ୍ଭରୁ କ୍ଷଣକ ପାଇଁ ବୀରେନ୍ଦ୍ର ପୁଣି ଦୁର୍ବଳ ହୋଇପଡ଼ିଲେ । ତାଙ୍କ ପ୍ରକୋଷ୍ଠ ଛାଡ଼ିବା ଆଗରୁ ସେଠିଥିବା ଫଟଟା ଉପରେ ତାଙ୍କ ଆଖି ପଡ଼ିଲା-। ମଥା ଅବନତ କରି ମନକୁ ଯେମିତି କହି ଉଠିଲେ—ପ୍ରଭୋ ! ଅଶେଷ ଦର୍ପରେ ସହିତ କେବେ କିଛି ମାଗିନାହିଁ । ଆଜି କେବଳ ଜୀବନର ଅନ୍ତିମଭିକ୍ଷା ଗୋଟିଏ ପୂର୍ଣ୍ଣକର । ମୋର ସମସ୍ତ ପ୍ରକାଶ୍ୟ ଅପ୍ରକାଶ୍ୟ ପାପ ପାଇଁ ମତେ ସମସ୍ତ ଯାତନା ଦିଅ ଏବଂ ତା’ ବଦଳରେ ଗୋଟିଏ ଉପକାର—ସାବିତ୍ରୀ, ଅଂଶୁ ଓ ଅନୁ ଏ ତିନିହେଁ କୌଣସି ଅବକାଶରେ ଏକାଠି ଥିଲାବେଳେ ବା ଏକାଠି ଗଲାବେଳେ ତିନିଜଣଙ୍କୁ ଏକାଥରକେ ଏ ପୃଥିବୀରୁ ନେଇଯାଅ । ସେମାନଙ୍କ ଭିତରୁ କେହି ଜଣେହେଲେ ଆଉ ବଞ୍ଚି ନରହନ୍ତୁ ।

 

ବିଲ୍‌ ନେଇ ଯେତେବେଳେ ହୋଟେଲ୍‌ର ବୟ ଆସିଲା ସେତେବେଳେକୁ ବୀରେନ୍ଦ୍ରଙ୍କ ଜ୍ଞାନ ଫେରିଲା ଓ ସେ ଆବିଷ୍କାର କଲେ—ପିଲାଙ୍କ ଭଳି କିଛିକ୍ଷଣ ହେବ କଇଁ କଇଁ ହୋଇ କାନ୍ଦିବା ଆରମ୍ଭ କରିଛନ୍ତି ।

ଏ କାନ୍ଦ ପୁଣି କି ପ୍ରକାର କାନ୍ଦ ସେଇଟାର ଗୂଢ଼ାତ୍ମକ ଅର୍ଥ ଆରୋପ କରିବାକୁ ହେଲେ ଅଥବା ବ୍ୟାଖ୍ୟା କରି ବସିଲେ ପୁଣି ପରିବେଶ ବା ପରିସ୍ଥିତିକୁ ପ୍ରାଞ୍ଜଳ ଭାବରେ ଆଲୋଚନା କରିବାକୁ ପଡ଼ନ୍ତା ।

ସଂକ୍ଷେପରେ ବୀରେନ୍ଦ୍ରଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଭିତ୍ତିକରି ଯଦି ଏକ ସିଦ୍ଧାନ୍ତରେ ଉପନୀତ ହେବା ଆବଶ୍ୟକ ତେବେ ଏଇଠି ବୀରେନ୍ଦ୍ରଙ୍କ ଜୀବନର ମଧ୍ୟାନ୍ତର ବୋଲି ଯୌକ୍ତିକ ଘୋଷଣା କରାଯାଇପାରେ ।

ଏମୋଇବାରୁ ମନୁଷ୍ୟ । ଏହି ପର୍ଯ୍ୟାୟ ମଧ୍ୟରେ ଯେତେକ ରହିଗଲେ ସମସ୍ତଙ୍କୁ ପ୍ରାଣୀ ଜଗତ ବୋଲି ଅଭିହିତ କରାଯାଇପାରେ । ପ୍ରାଣୀ ଜଗତରେ ଏ ପ୍ରକାର ଜୀବ ମଧ୍ୟ ଅଛନ୍ତି ଯେକି ତା’ର ପୁରୁଷ ସଙ୍ଗୀ ସହିତ ସହବାସ କଲାବେଳର ଚରମ ଆନନ୍ଦ ମୁହୂର୍ତ୍ତରେ ତା’ର ପୁରୁଷ ସଙ୍ଗୀର ମୁଣ୍ଡକୁ ଚୋବେଇ ଖାଏ ଏବଂ ସେଥିରେ ହିଁ ତା’ର କାମନାର ତୃପ୍ତି ।

ମାଈବିଲେଇ ପ୍ରସବ କରିବା ପରେ ତା’ର ପୁରୁଷ ସହଚର ଭୁଆଁ ମୁହଁରୁ ତା’ର ଛୁଆଙ୍କୁ ବଞ୍ଚେଇ ରଖିବାକୁ ଅକ୍ଳାନ୍ତ ପରିଶ୍ରମ କରେ ।

ଅବଶ୍ୟ, ଏ ପ୍ରକାର ବିବିଧ ଦୃଷ୍ଟାନ୍ତ ଆଖିରେ ପଡ଼େ ଯେତେବେଳେ କି ଜଣେ ବିକୃତ ଚିନ୍ତାଧାରା ଭିତରେ ଛନ୍ଦିହେବା ଆରମ୍ଭ କରେ—ଏହା ହିଁ ସମ୍ଭବତଃ ମନସ୍ତତ୍ତ୍ୱବିତ୍‍ମାନଙ୍କ ସିଦ୍ଧାନ୍ତ-

ଏ ସୃଷ୍ଟିର କତିପୟ ଚିରନ୍ତନ ସତ୍ୟ ଭିତରୁ ଅନ୍ୟଏକ ସତ୍ୟ ହେଲା—ଯେ କୌଣସି ନିମ୍ନଗାମୀ ବସ୍ତୁର ଗତି ଅପେକ୍ଷାକୃତ ଅଧିକ ଗତିଶୀଳ । ଏ ଉକ୍ତିର ସତ୍ୟତା ଦୈନନ୍ଦିନ ଜୀବନର ଅନୁଭୂତିରୁ ହେଉ ବା ପ୍ରକୃତିର ବୈଚିତ୍ର୍ୟରୁ ହେଉ ପ୍ରତିପାଦନ କରିବା ସମ୍ଭବ । ପାହାଚ ଉପରକୁ ଉଠି ଉଠି ଗଲାବେଳେ ଆଉ ତଳକୁ ଓହ୍ଲେଇବା ବେଳେ ପରୀକ୍ଷା କରାଯାଇପାରେ । ଅବା ଅଧୋଗାମୀ ଝରଣା ଯେତେବେଳେ ସମସ୍ତଙ୍କୁ ସାକ୍ଷୀରଖି ତଳକୁ ବହିଯାଏ ସେତେବେଳେ ମଧ୍ୟ ଏହି ଉକ୍ତି ପ୍ରତିପାଦ୍ୟ । ବେଳେ ବେଳେ ପଥର, ଗଛ ବା ହିଡ଼ ଏ ସ୍ରୋତ ମୁଖରେ ବାଧା ସୃଷ୍ଟି କରିପାରନ୍ତି ନାହିଁ ।

ସଡକଟା ଏକବାରେ ଫାଙ୍କା । ଗାଡ଼ିଟା ଯଦି ଗଡ଼ାଣିରେ ତଳକୁ ଗଡ଼ୁଛି ତେବେ ନିଶ୍ଚୟ ବେଶ୍‌ ଜୋରରେ ହିଁ ଗଡ଼ୁଛି । କାରଣ ବାଧା ବନ୍ଧନ ନାହିଁ । ଆଗପଛର ଦୁଶ୍ଚିନ୍ତା ନାହିଁ । ମୋଡ଼ ବା ଲେଉଟାଣି ନାହିଁ । ଜୀବନ ରାଜପଥଟା ଏକବାରେ ସଳଖ ଆଉ ଢାଲୁ । ତା’ ଉପରେ ନିମ୍ନଗା ‘ବୀରେନ୍ଦ୍ର ଗାଡ଼ି’ ଗଡ଼ୁଛି । ଜୋର୍‌ରେ ଅତି ଜୋର୍‌ରେ । ତଳକୁ ଅତି ତଳକୁ । ସତେ ଯେମିତି ପାହାଡ଼ ଉପରୁ ସମୁଦ୍ରକୁ ।

ଏବଂ ଗାଡ଼ିଟା ଗଡ଼ିଗଡ଼ି ବର୍ତ୍ତମାନ ପାଇଁ ଯେଉଁଠି ପହଞ୍ଚିଛି—ସେଇଟା ହେଲା ସେ ଅଞ୍ଚଳର ସବୁଠାରୁ ବଡ଼ କାରଖାନା । କୋଲ୍‌ଡଡ୍ରିଙ୍କ୍‌ ଇଣ୍ଡଷ୍ଟ୍ରୀ, ତା’ ସାଙ୍ଗକୁ ବୋତଲ ବିଷୋଧନ ପ୍ଲାଣ୍ଟ । ସେଇଠି ଅଟକି ଯାଇଛନ୍ତି ବୀରେନ୍ଦ୍ର । ମ୍ୟାନେଜରଙ୍କୁ ଦେଖା କରିବା ଦରକାର । ବୀରେନ୍ଦ୍ରଙ୍କୁ କିଛିଗୋଟାଏ ଦୀର୍ଘଦିନିଆ ଯୋଜନା କରିବାକୁ ପଡ଼ିବ । ଅଧିକ ବିଳମ୍ବ ହେଲେ ସେ ହୁଏତ ବିପଦର ସମ୍ମୁଖୀନ ହୋଇପାରନ୍ତି । ଏ ସ୍ଥାନକୁ ଆସିବା ଆଗରୁ ସେ ଅନେକ ଚିନ୍ତାକରି ଆସିଛନ୍ତି ଏବଂ ଯଥେଷ୍ଟ ମାନସିକ ପ୍ରସ୍ତୁତି କରିଛନ୍ତି ।

ଅଳ୍ପ କିଛିଦିନ ତଳର ଭୂମିକାଟା ତାଙ୍କର ମନେପଡ଼ିଲା । ଦିନେ ହଠାତ୍‌ ବୀରେନ୍ଦ୍ର ସଜାଗ ହେଲେ, ତାଙ୍କର ବିନାଆୟରେ ବହୁ ପରିମାଣ ବ୍ୟୟ ହୋଇଚାଲିଛି । ଆଉ ଯେତେବେଳେ ପଛକୁ ଫେରି ଚାହିଁବାର ନାହିଁ ତେଣୁ ଦୀର୍ଘ ଦିନ ପାଇଁ ତାଙ୍କର ପାଥେୟ ଦରକାର । ଯାହା କିଛି ପୁଞ୍ଜି ଅଛି ତାକୁ ଯତ୍ନରେ କାର୍ଯ୍ୟରେ ଲଗେଇବାକୁ ପଡ଼ିବ । ଏକ ଦ୍ରୁତଗାମୀ ଟ୍ରେନରେ ବଡ଼ ସହରଟିକୁ ଯାଉଛନ୍ତି ବୀରେନ୍ଦ୍ର । ଉପର ଶ୍ରେଣୀ କମ୍ପାଟମେଣ୍ଟରେ ନ ଯାଇ ତଳଶ୍ରେଣୀ କମ୍ପାଟମେଣ୍ଟରେ ଯାଉଥାନ୍ତି । ଲକ୍ଷ୍ୟହୀନ ଭାବରେ କୌଣସି ଏକ ସ୍ଥାନକୁ । ଟ୍ରେନ ଚାଲିବାର ଅଳ୍ପ ସମୟପରେ ଜଣେ ବଡ଼ ବାକ୍‌ସ ଦୁଇଖଣ୍ଡ ଧରି ଉଠିଲା ସେଇ ଡବାରେ । ବସିଥିବା ଅନ୍ୟାନ୍ୟ ଲୋକମାନଙ୍କୁ ତା ଭିତରୁ କାଢ଼ି ବିଦେଶୀ କପଡ଼ା କିଛି ଦେଖେଇବା ଆରମ୍ଭ କଲା ।

 

ବୀରେନ୍ଦ୍ର ପଚାରି ବୁଝିଲେ—ସବୁଗୁଡ଼ିକ ବିଦେଶୀ କନା । ତାଙ୍କ ମୁଣ୍ଡକୁ ଗୋଟାଏ ବୁଦ୍ଧି ଜୁଟିଲା । କିଛି ତ ତାଙ୍କୁ କରିବାକୁ ହିଁ ପଡ଼ିବ । ନ ହେଲେ ସବୁ ଟଙ୍କା ସରିଯିବା ପରେ ଆଉକିଛି କରି ପାରିବେ ନାହିଁ ।

 

‘କେତେଖଣ୍ଡ କନା ଅଛି ?’

 

‘ପ୍ରାୟ ଦୁଇଶହ ଖଣ୍ଡ ଆଜ୍ଞା, ଯୋଉ ଭେରାଇଟି ଚାହିଁବେ ମିଳିବ ।’

 

‘ହଁ ଏଗୁଡ଼ା କୋଉଠୁ ଆଣୁଚ ?’

 

‘ଚୋରାରେ ଆଣିବା କଥା ସାର୍‌ । ଇଏତ ଆମ ଦେଶୀ ଜିନିଷ ନୁହେଁ । ବିଦେଶରୁ ଆସିଛି । ବ୍ୟବସାୟ କରିବା କଥା । ପକ୍‌କାମାଲ ଆଜ୍ଞା ଦୁଇ ନମ୍ବରି ଜମ୍ମା ନୁହେଁ । ଆପଣମାନଙ୍କ ଭଳିଆ ସାହାବମାନଙ୍କ ପାଇଁ ଆଣିବା କଥା ସାର୍‌ ।’

 

ହାତରେ କେଇଖଣ୍ଡ ଧରି ବୀରେନ୍ଦ୍ର ପରୀକ୍ଷା କଲେ । କଥାଟା ନିତାନ୍ତ ଭୁଲ୍‍ ନୁହେଁ, କନାଗୁଡ଼ାକ ନିଶ୍ଚୟ ଦାମିକା ଆଉ ଏ ଦେଶର ନୁହଁ ଭଳି ଜଣା ପଡ଼େ ।

 

‘ଆଚ୍ଛା ଏ କେତେ ଟଙ୍କାର କନା ହବ ?’

 

‘ଦି’ହଜାରରୁ ତିନିହଜାର ଟଙ୍କା ହବ ସାର୍‌ ।

 

‘ଆଚ୍ଛା, ତମେ ସେ ବାକ୍‌ସ ବନ୍ଦ କର । ଏଇଠି ବସ ।’

 

‘କାହିଁକି ?’

 

‘ମୁଁ ସବୁତକ ନେବି ।’

 

ଯୁବକଟି ଆଶ୍ଚର୍ଯ୍ୟ ହେଲା ଏବଂ ଅନ୍ୟମାନେ ମଧ୍ୟ ବିନୀତ ଭାବ ପ୍ରକାଶ କରି ଶଙ୍କିଗଲେ । କେତେବେଳେକେ ସାହାସ ସଞ୍ଚୟ କରି ପଚାରିଲା—

 

‘ଆପଣ ଦେଖନ୍ତୁ, କୋଉଟା ଆପଣ ପସନ୍ଦ କରିବେ ବା ନ କରିବେ ।’

 

‘ମୋର ସବୁ ପସନ୍ଦ । କିଛି ଦେଖେଇବା ଦରକାର ନାହିଁ ।’

 

ଏଥରକ ଆଉ କଣ କହିବ ବୋଲି ଯୁବକଟି ଭାବିପାରିଲା ନାହିଁ । ତାର ନୀରବ ହୋଇ ରହିବା ଉଚିତ ବୋଲି ମଧ୍ୟ ଧରିନେଇ ପାରୁନାହିଁ । କାରଣ ନଦେଖି ନଶୁଣି ଜଣେ ଏତେଗୁଡ଼ାଏ କନା ନବାପାଇଁ କହୁଛନ୍ତି । ଶେଷରେ ଯଦି ନକିଣନ୍ତି ତା’ର ଦି’ପଇସା କାରବାର ହବନାହିଁ । ଅଳ୍ପକ୍ଷଣ ପରେ ଆଉ ଜଣେ ସହକର୍ମୀ ତା’ ସହିତ ଆସି ମିଶିଲା, ଦୁହେଁ ନିଜ ଭାଷାରେ କଥା ହେଇ ସାରିଲା ପରେ ପୁଣି ନୀରବତା ।

 

‘କୋଉ ଷ୍ଟେସନରେ ଓହ୍ଳେଇବେ ଆପଣ ?’ ଦ୍ୱିତୀୟ ଜଣକ ପ୍ରଶ୍ନକଲା । ବୀରେନ୍ଦ୍ର ଉତ୍ତର ଦେଲେ ଗୋଟିଏ ଷ୍ଟେସନର ନାମ । ସେଠି ଗାଡ଼ି ବହୁତ ସମୟ ଧରି ଠିଆ ହୁଏ ସେମାନେ ମଧ୍ୟ ସେଇଠି ଓହ୍ଲେଇବେ ବୋଲି କହିଲେ ।

 

ବେଶ୍‌ ସମୟ ପରେ ତାଙ୍କ ଭିତରୁ ଜଣେ କହିଲା ।

 

‘ସାର୍‌ ଆପଣ କ’ଣ ବ୍ୟବସାୟୀ ?’

 

‘ଦି’ଟା ଭିତରୁ ଗୋଟାଏ । ବ୍ୟବସାୟୀ ହୋଇଥିବି କଷ୍ଟମସ୍‌ ଅଫିସର ହୋଇଥିବି । ନହେଲେ ସବୁଗୁଡ଼ାକ ଏକାଥରକେ ନେଇଯିବି ବୋଲି କହୁଚି କେମିତି ?’

 

ହଠାତ୍‌ ଏ କଥାରେ ଗୋଟାଏ ଅଲଗା ରକମର ବାତାବରଣ ଖେଳିଗଲା । ପ୍ରଥମ ଜଣକ ଚଳେଇ ନେଇ କହିଲା—

 

‘ନାଇଁ ସାହାବ, ଆପଣ ସେଭଳି ଅଫିସର ହେଇଥେଲେ ଏଠି ତଳ କମ୍ପାଟମେଣ୍ଟରେ କାହିଁକି ବସିଥାନ୍ତେ ? ଫାଷ୍ଟକ୍ଲାସ ଛାଡ଼ି...

 

‘ତଳ କମ୍ପାଟମେଣ୍ଟରେ ନ ବସିଥିଲେ ତମ ଦେଖାପାଇଥାନ୍ତି କେମିତି ? ତମେମାନେ ତ ଉପର କମ୍ପାଟମେଣ୍ଟକୁ ଯିବନାହିଁ ।’

 

ବାସ୍‌ ଏତିକି କଥାବାର୍ତ୍ତା ପରେ ସେ ଦୁହେଁ ନୀରବ ହୋଇଚଳେ ଏବଂ ବୀରେନ୍ଦ୍ର ମଧ୍ୟ ନିଜକୁ ସହଜ କରିନେଇ ବିଶ୍ରାମ ଲେଡ଼ିଲେ ।

 

ଆଉ ମାତ୍ର ଦୁଇଟା ଷ୍ଟେସନ ଅଛି ବୀରେନ୍ଦ୍ର ଆବିଷ୍କାର କଲେ, ସେ ଦୁହେଁ ସେଠି ନାହାଁନ୍ତି । ଏଥିରେ ଅବଶ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ବାହାରକୁ ଯାଇଥାଇ ପାରନ୍ତି । କିନ୍ତୁ ବେଶ୍‌ ସମୟ ହେଲା ଏତେଗୁଡ଼ାଏ ଦାମୀ ଜିନିଷ ଛାଡ଼ି ଯିବାର ମାନେ କିଛି ହୁଏନା ।

 

ଦୁଇ ତିନିଟା ଷ୍ଟେସନ ପରେ ଗାଡ଼ିଟା ଅଟକିଲା । ବୀରେନ୍ଦ୍ର ଆଶ୍ଚର୍ଯ୍ୟ ହେଲେ । ସେମାନେ ପହଞ୍ଚିଯିବା ଉଚିତ୍‌ । କିନ୍ତୁ କାହାନ୍ତି ? ତା’ପରେ ମଧ୍ୟ ଦେଖା ନାହାନ୍ତି । କୁଲି ପଶିଲାବେଳକୁ ଡବାରେ କେବଳ ବୀରେନ୍ଦ୍ର । ଜିନିଷ ଓହ୍ଲେଇବା ପାଇଁ ଅନୁମତି ମାଗିଲା । ଅନ୍ୟମନସ୍କ ଭାବରେ ବୀରେନ୍ଦ୍ରହିଁ ମାରିଲେ ।

 

ପ୍ଲାଟଫର୍ମ ଉପରେ ଗାଡ଼ି ଛାଡ଼ିବା ପର୍ଯ୍ୟନ୍ତ ବୀରେନ୍ଦ୍ର ନିଜ ଜିନିଷ ଓ ସେ ଦୁଇଟା ବାକ୍‌ସ ସହିତ ଅପେକ୍ଷା କଲେ । ଆସ୍ତେ ଆସ୍ତେ ପ୍ଲାଟଫର୍ମ ମଧ୍ୟ ପତଳା ହବାକୁ ଲାଗିଲା । ଅଗତ୍ୟା କୁଲି ପଚାରିଲା ଜିନିଷ ଉଠେଇବା ପାଇଁ ଏବଂ ବୀରେନ୍ଦ୍ର ହିଁ ମାରିଲେ । ଏ ଘଟଣାର କାର୍ଯ୍ୟକାରଣ ସମ୍ପର୍କ ଜାଣିବାକୁ ଚେଷ୍ଟା କରି କିଛି ଭାବି ପାରିଲେ ନାହିଁ । କେବଳ ତାଙ୍କ ମନରେ ଏତିକି ପ୍ରଶ୍ନ ଉଠିଲା—ସତରେ ତାଙ୍କୁ କଷ୍ଟମସ୍‌ ଅଫିସର ବୋଲି ଭାବି ସେମାନେ ଆତ୍ମରକ୍ଷାପାଇଁ ଚାଲିଯାଇ ନାହାଁନ୍ତି ତ ?

 

ବାକ୍‌ସଗୁଡ଼ାକ ଖାଲି କରି ନିଜର ବ୍ରିଫକେସ୍‍ରେ ଆଉକିଛି ଟଙ୍କା ଭର୍ତ୍ତି କରିବା ପାଇଁ ବୀରେନ୍ଦ୍ରଙ୍କୁ ବେଶୀ ଦିନ ଲାଗିଲା ନାହିଁ । ପ୍ରକୃତରେ ବେଶ୍‌ ଦାମରେ ଜିନିଷଗୁଡ଼ା ବିଭିନ୍ନ ଦୋକାନକୁ ଯାଇ କଟେଇ ଦେଲେ, କିନ୍ତୁ କେତେଦିନ, ଆସ୍ତେ ଆସ୍ତେ ସେ ଟଙ୍କା ମଧ୍ୟ ସରି ଆସିଲାଣି ।

 

ଆଉ କେତେ ତଳକୁ ଗଡ଼ିଥାନ୍ତେ ବୀରେନ୍ଦ୍ର ମାନସିଂ । ତଥାପି ବେଶ୍‌ କିଛିଦିନ ତାଙ୍କୁ ବଞ୍ଚି ରହିବାକୁ ପଡ଼ିବ । ସେଥିପାଇଁ ସେ ଏଇ କାରାଖାନାରେ ଆସି ପହଞ୍ଚିଛନ୍ତି ଏବଂ ମ୍ୟାନେଜରକୁ ଅପେକ୍ଷା କରିଛନ୍ତି ।

 

ବେଶ୍‌ କିଛି ସମୟ ପରେ ମ୍ୟାନେଜର ଆସିଲେ । ବୀରେନ୍ଦ୍ର ନିଜର ପ୍ରାର୍ଥୀତ୍ୱ ସମ୍ପର୍କରେ ଏକ ଛୋଟ ଭୂମିକା ଦେଲେ । ମ୍ୟାନେଜର ମହୋଦୟ କଣ ଶୁଣିଲେକି ନାଁ କହି ହବନାହିଁ; କିନ୍ତୁ ପ୍ରଶ୍ନ କଲେ—

 

‘କି ଚାକିରି କରିବ ?

 

‘ସବୁ କରି ପାରିବି, ବୋତଲ, ବାସନ ମଧ୍ୟ ସଫା କରି ପାରିବି ।’

 

ଏତକ କଥା କେମିତି ଗଳା ଫଟେଇ ବୀରେନ୍ଦ୍ରଙ୍କର ବାହାରିଗଲା । ତା’ପରେ ବୀରେନ୍ଦ୍ରଙ୍କୁ ଅନେକ ପ୍ରଶ୍ନ ଏକାଥରକେ ସମ୍ମୁଖୀନ ହେବାକୁ ପଡ଼ିଲା । ଘର ଦ୍ୱାର ନାଁ, ଗାଁ, ଶିକ୍ଷାଦିକ୍ଷା ଇତ୍ୟାଦି । ସବୁ ଶୁଣି ବୀରେନ୍ଦ୍ର କେବଳ ଏତିକି କହିଲେ—

 

‘ବାସନ ବୋତଲ ଧୂଆପାଇଁ ଏତେକଥା ଜାଣିବା କଣ ଦରକାର ?’ ହଠାତ୍‌ ମ୍ୟାନେଜର ସାହେବ କ୍ଷିପ୍ତ ହୋଇ ଉଠିଲେ ଏବଂ ଏକା ନିଶ୍ୱାସକେ ଉଚ୍ଚସ୍ୱରରେ କହିଗଲେ—

 

‘ବାସନ ଧୋଇବା ପାଇଁ ଘର ଦ୍ୱାର ନାଁ ଗାଁ ଜାଣିବା ଦରକାର ନାହିଁ ? କଣ ତେବେ ସବୁ ଚୋରିକରି ନେଇ ପଳେଇବାକୁ ସୁବିଧା ହବ ? ପଳା... ବାସନ ମାଜିଲା ଭଳି ଦେଖାଯାଉଚି ଏକା ।’

 

କଥାଟା ଛୁଞ୍ଚିଭଳି ଦିହରେ ଗଳିଗଲେ ମଧ୍ୟ ବୀରେନ୍ଦ୍ରଙ୍କର କିଛି କହିବାର ନଥିଲା । ପ୍ରକୃତରେ କଥାଟା ନିତାନ୍ତ ସତ୍ୟ । ତାଙ୍କ ଚେହେରାରୁ କଣ ବାସନ ମାଜିବା ଲୋକଭଳି ଠଉରେଇ ହବ । ତେଣୁ ସେ ଯଦି ଚାରୀ ବୋଲି ଭାବିଲା ତେବେ ଭୁଲ୍‌ କ’ଣ ଭାବିଚି ? ନାଃ...ଏଥରକ ସେ ଭୁଲ୍‌ର ପୁନରାବୃତ୍ତି କରିବେ ନାହିଁ । ଚାକର ତ କେବେ ସେ ହୋଇ ପାରିବେ ନାହିଁ । ତାଙ୍କର ମ୍ୟାନେଜର ହବା ଦରକାର ଓ କେବଳ ସେହିପରି ଏକ ଜାଗା ଦରକାର ଯୋଉଠିକି ବୀରେନ୍ଦ୍ର ସମସ୍ତଙ୍କର ଆସିବା ଯିବା ଓ ଘର ଦ୍ୱାରର ରେକର୍ଡ଼ ରଖିବେ । କିନ୍ତୁ ତାଙ୍କର କେହି ରଖିବା ଦରକାର ପଡ଼ିବ ନାହିଁ ।

 

ଆଗେଇଲେ ବୀରେନ୍ଦ୍ର ମାନସିଂ । ପଛକୁ ଫେରି ଚାହିଁବାର ନାହିଁ । ଯେହେତୁ ପଛ ବୋଲି ତାଙ୍କର କିଛି ନାହିଁ । ‘ବୀରେନ୍ଦ୍ରଗାଡ଼ି’ର ଜୀବନ ଚକ ଆହୁରି ଗଡ଼ିଲା ।

 

ଦୂରକୁ.....ଦୂରକୁ ଏବଂ ବେଶ୍‌ ଦୂରକୁ ଯିବାକୁପଡ଼ିଲା ବୀରେନ୍ଦ୍ର ମାନସିଂଙ୍କୁ । ଏଇଠି ହୁଏତ ନିଜର ଭାଗ୍ୟ ଲଢ଼େଇବେ ।

 

ସହରର ସବୁଠାରୁ ବଡ଼ ପ୍ରତିଷ୍ଠାନ, ହୋଟେଲ, ବାର, ସପିଙ୍ଗ୍‌ କମ୍ପ୍ଳେକ୍‌ସ ସବୁକିଛି । ବୀରେନ୍ଦ୍ର ଗୋଟାଏ ସୁଯୋଗ ନେବେ ବୋଲି ମନସ୍ଥ କରିଛନ୍ତି । ବାସନ ମାନିବାଠାରୁ ଆରମ୍ଭକରି ସବୁ ପ୍ରକାର କାର୍ଯ୍ୟପାଇଁ ବୀରେନ୍ଦ୍ର ନିଜକୁ ଉତ୍ସର୍ଗ କରିଛନ୍ତି । କିନ୍ତୁ କେହି ତାଙ୍କୁ ଗ୍ରହଣ କରିବାର ଭରସା ଦେଇ ନାହାଁନ୍ତି ।

 

ଅର୍ଥର ପରିମାଣ ଯଥେଷ୍ଟ କ୍ଷୂର୍ଣ୍ଣ ନହବା ଆଗରୁ ବୀରେନ୍ଦ୍ର ମଧ୍ୟ ଅଳ୍ପେ ବହୁତେ ଚେଷ୍ଟା କରିଛନ୍ତି । ଟ୍ରକ୍‌ବାଲାଙ୍କ ସହିତ ଯାଇ ଟଙ୍କା ଖଟେଇବାର ପ୍ରସ୍ତାବ ଦେଇଛନ୍ତି, ଟ୍ୟାକସିବାଲାଙ୍କ ସହିତ ଟ୍ୟାକ୍‌ସି ଚଳେଇବାର ପ୍ରସ୍ତାବ ଆଣିଛନ୍ତି । କିନ୍ତୁ କୋଉଟା ହେଲେ ସମ୍ଭବ ହୋଇନାହିଁ । ତାର କାରଣ ସବୁଠାରେ ତାଙ୍କର ଅତୀତ ଓ ବର୍ତ୍ତମାନ ସମ୍ପର୍କରେ ପ୍ରଶ୍ନ । ଘରଦ୍ୱାର ବା ଶତ୍ରୁ ମିତ୍ରଙ୍କ ପରିଚୟ ସମ୍ପର୍କରେ ପ୍ରଶ୍ନ । ଯେଉଁଗୁଡ଼ାକ ବୀରେନ୍ଦ୍ର ଚାହାଁନ୍ତି ନାହିଁ ଠିକ୍‌ ସେଇସବୁ ପ୍ରଶ୍ନହିଁ ତାଙ୍କୁ ବିବ୍ରତ କରୁଛି । ସେଥିପାଇଁ ସବୁଠାରୁ ପରାଜୟ ସ୍ୱୀକାର କରି ଆସିଛନ୍ତି । ତାଙ୍କର ହଠାତ୍‌ ମନେହୋଇଛି—ଯଦି ନିଜର ଭିକ୍ଷା ଥାଳ ପାତିବେ ତେବେ ଏକ ସର୍ବୋଚ୍ଚ ସ୍ଥାନରେ କାହିଁକି ନୁହେଁ-। ଦେଖାଯାଉ ସେଠୁ କଣ ମିଳୁଛି ।

 

ଦିନଟା ସାରା ବସି ବସି ମଧ୍ୟ ମାଲିକଙ୍କ ଦେଖାନାହିଁ । ତଥାପି ବୀରେନ୍ଦ୍ର ଆଦୌ ଧୈର୍ଯ୍ୟ ହରେଇ ନାହାନ୍ତି । କୁଆଡ଼େ ବା ଯିବେ ? ବରଂ ଜଣକୁ ଅପେକ୍ଷା କରିବା ବାହାନାରେ ଶୀତତାପ ନିୟନ୍ତ୍ରିତ ଅପେକ୍ଷା ଗୃହରେ ଏତେ ସମୟ କାଟି ସାରିଲେଣି । ମୁହଁସଞ୍ଜ ହବାକୁ ଅଳ୍ପ ସମୟ ବାକିଅଛି, ଦାମୀ କାର ଆସି ଲାଗିଲା । ଦରୁଆନ୍‌ ସଲାମ୍‌ ଠୁଙ୍କିବାରୁ ଜଣାଗଲା ଖାମିଦ ଆସିଗଲେ । ବୀରେନ୍ଦ୍ରଙ୍କ ଅନୁମାନ ସତ୍ୟହେଲା । ବୀରେନ୍ଦ୍ର ଆଜି ମଧ୍ୟ ନିଜକୁ ବୀରେନ୍ଦ୍ରଙ୍କ ପ୍ରତିରୂପ କରି ସଜେଇଛନ୍ତି, ତେଣୁ ବିବ୍ରତ ହେବାର ନାହିଁ ।

 

ଭିତରକୁ ପ୍ରବେଶ କରୁ କରୁ ବୀରେନ୍ଦ୍ରଙ୍କ ପାଖରେ ସାହେବ କ୍ଷଣକ ପାଇଁ ଅଟକିଲେ । ଉଦ୍ଦେଶ୍ୟଟା ଧାଡ଼ିକରେ ଶୁଣି ଆଗେଇ ଗଲେ । ପଛରେ ରହିଗଲେ ବୀରେନ୍ଦ୍ର, ତଥାପି ବୀରେନ୍ଦ୍ର ଅପେକ୍ଷା କଲେ । ଅଳ୍ପସମୟ ପରେ ଫେରିଲେ ସାହେବ । ପଛେ ପଛେ ତାଙ୍କର ଆଉକିଛି କର୍ମଚାରୀ । ବୀରେନ୍ଦ୍ରଙ୍କ କଥା ଶୁଣିବାକୁ ବସିଗଲେ ସାହେବ । ବୀରେନ୍ଦ୍ର ଅଳ୍ପକେ ନିଜର କିଞ୍ଚିତ ଜ୍ଞାନ ବା ସାମର୍ଥ୍ୟ ସମ୍ପର୍କରେ ସାମାନ୍ୟ ଉପକ୍ରମଣିକା ଦେଇ ସାରିଲାପରେ ନିଜର ଇଚ୍ଛା ପ୍ରକାଶ କଲେ । ବିଭିନ୍ନ ସ୍ଥାନରେ ଚାକିରି ସମ୍ପର୍କରେ ଆଲୋଚନା କରୁକରୁ, ଏପ୍ରକାର ଏକ ଚାକିରିର ଚାହିଦା ଏଠିଅଛି ବୋଲି ଶୁଣି ଏଠିକି ଆସିଛନ୍ତି ବୋଲି ମଧ୍ୟ ଜଣେଇଲେ ।

 

ସାହାବ୍‌ ଚୁରୁଟ ଲଗେଇ କିଛି ଉତ୍ତର ନଦେଇ ଉଠିଲେ । ଧୀରେ ଧୀରେ ବାହାରର ପୋର୍ଟିକୋ ଆଡ଼କୁ ଆଗେଇଲେ । ବୀରେନ୍ଦ୍ର ଅନୁମାନ କଲେ, ବାହାରି ଚାଲିଯିବେ ତେଣୁ ସାଙ୍ଗେ ସାଙ୍ଗେ ବୀରେନ୍ଦ୍ର ମଧ୍ୟ ଚାଲିଲେ । ଅନ୍ତତଃ ପୋର୍ଟିକୋ ଯାକେ ଯିବା ଦରକାର । ପୋର୍ଟିକୋ ତଳେ ଠିଆ ହୋଇଥାନ୍ତି ସାହାବ୍‌ ପଛରେ ବୀରେନ୍ଦ୍ର ଓ ଅନ୍ୟମାନେ । ହଠାତ୍‌ ସାହାବ ପ୍ରଶ୍ନକଲେ—

 

‘ହଁ କୋଉ ଚାକିରି ପାଇଁ କହୁଛ ?’

 

ବୀରେନ୍ଦ୍ରଙ୍କର ମନେହେଲା ତାଙ୍କର ଏତେବେଳଯାଏ କହିଥିବା କଥା ସେ ମହାଶୟ କିଛି ଶୁଣି ନାହାନ୍ତି । ତଥାପି ବୀରେନ୍ଦ୍ର ଧୈର୍ଯ୍ୟ ହରେଇଲେ ନାହିଁ ।

 

‘କେୟାର ଟେକର... ।’

 

‘ଡ୍ରାଇଭର କାମ ଆସେ ?’

 

‘ଆଜ୍ଞା ହଁ ।’

 

‘ଜଣେ ମେମ୍‌ ସାହାବ ଉପରୁ ଆସୁଛନ୍ତି । ସଞ୍ଜ ହୋଇଆସୁଛି, ସେ ଘରକୁ ଫେରିବେ । ତାଙ୍କ ଘର ଦୂର । ଆମର ଅଲଗା ଡ୍ରାଇଭର ଆସି ନାହିଁ । ତାଙ୍କୁ ନେଇ ଛାଡ଼ି ଦେଇପାରିବ ?’

 

‘ଚେଷ୍ଟା କରିବି ସାର୍‌ ।’

 

‘ଏ ଗାଡ଼ି ଚଳେଇ ପାରିବ ?’

 

‘ଚେଷ୍ଟା କରିବି ସାର୍‌ ।’

 

ଆଉକିଛି ଉତ୍ତରକୁ ଅପେକ୍ଷା ନକରି ଜଣେ ବେହେରାକୁ କଣ କହି ଚାଲିଗଲେ । ସାହାବ ତାଙ୍କ ଗାଡ଼ିରେ ଚାଲିଗଲା ପରେ ବୀରେନ୍ଦ୍ର କିଛିକ୍ଷଣ ପାଇଁ ନିଶ୍ଚଳ ହୋଇ ଠିଆହେଲେ । ଶେଷରେ ତାଙ୍କୁ ଡ୍ରାଇଭର ଦେଇ...

 

ନାଃ...ତାଙ୍କର ଅନ୍ୟଥା ଚିନ୍ତା କରିବାର ଅବକାଶ ନାହିଁ । ସେ ଗାଡ଼ି କିମ୍ବା ଗାଡ଼ିରେ ବସିଥିବା ମହିଳା କାହାକୁ ନେଇ ପଳେଇ ଯିବାର ଭୁଲ୍‌ ଆଉ କରିବେ ନାହିଁ; କିନ୍ତୁ ଏ କି ପ୍ରକାର ଆଦେଶ ସେଇଟା ବୀରେନ୍ଦ୍ର ବୁଝିପାରିଲେ ନାହିଁ ।

 

ଅପେକ୍ଷା କରିବା ଶେଷ ହେଲା । ଉପରୁ ଯେଉଁ ଭଦ୍ରମହିଳା ଓହ୍ଲେଇ ଆସିଲେ ତାଙ୍କୁ ବୀରେନ୍ଦ୍ର ଦେଖି ପ୍ରଥମେ ଶଙ୍କିଗଲେ । ଅନିନ୍ଦ୍ୟ ସୁନ୍ଦରୀ ନହେଲେବି ଅନିନ୍ଦ୍ୟ ତାଙ୍କ ପାରିପାଟୀ । ଯୌବନର ଆକର୍ଷଣୀୟ ବୟସ କାଟିସାରିଥିଲେ ମଧ୍ୟ ଅଙ୍ଗରୁ କାନ୍ତି ମରି ନାହିଁ ।

 

ବୀରେନ୍ଦ୍ରଙ୍କ ଧ୍ୟାନଭଙ୍ଗ ହେଲା ଯେତେବେଳେ ସେ ଦେଖିଲେ ହୋଟେଲର ଜଣେ ଓ୍ୱେଟର ଆଣି ଗାଡ଼ିର ଗୋଟାଏ ଚାବି ବୀରେନ୍ଦ୍ରଙ୍କ ମୁହଁ ପାଖରେ ଧରିରଖିଲା । ସେ ପ୍ରକୃତିସ୍ଥ ହେଲେ । ବିଦେଶୀ ଗାଡ଼ି ଆଡ଼କୁ ଆଗେଇଯାଇ ଭିତରେ ବସି ସାରିଥିଲେ ଭଦ୍ରମହିଳା । ବୀରେନ୍ଦ୍ର ଗାଡ଼ି ଷ୍ଟାର୍ଟ କଲେ । ମୁହଁରେ ତାଙ୍କର ସାମାନ୍ୟ ହସ...ତାଙ୍କୁ ଗାଡ଼ି ଚଳେଇ ଆସେ କି ନାଁ ?

 

ଗାଡ଼ିଟା ଯେତେବେଳେ ଟାଉନ ଛାଡ଼ି ଫାଙ୍କା ରାସ୍ତା ଧରିଲା ବୀରେନ୍ଦ୍ର ତାଙ୍କ ପଛ ପିଠିରେ କାହାର ହାତର ସ୍ପର୍ଶ ପାଇ ସାମାନ୍ୟ ଚମକି ଉଠିଲେ ।

 

‘ଶୁଣ । ମତେ ଗାଡ଼ିର ପଛ ସିଟରେ ବସିବାକୁ ଭଲ ଲାଗେ ନାହିଁ । ମୁଁ ଆଗକୁ ଯିବି । ରାସ୍ତା ଦେଖେଇବାକୁ ସୁବିଧା ହବ ।’

‘ମେମ୍‌ ସାହାବ ! ମୁଁ ନୂଆଲୋକ । କେମିତି କ’ଣ କିଛି ଜାଣି ନାହାନ୍ତି ସାହାବ । ଡ୍ରାଇଭର ଆସି ନ ଥିଲା ବୋଲି ମତେ ବାଧ୍ୟ ହୋଇ କହିଲେ । ମୁଁ ଚାକିରିରେ ରହି ନାହିଁ......ଭଲ ଲୋକ ଖରାପ ଲୋକ ନ ଜାଣି ଏତେଟା ବିଶ୍ୱାସ କରି ପାଖରେ ବିସିବା ଠିକ୍‌ ହବ ନାହିଁ । ଆଜି ପାଇଁ ସେଠି ବସିଥାନ୍ତୁ ।’

 

ଗାଡ଼ି ଜୋରରେ ଚାଲୁଥାଏ, ତେଣୁ ବୀରେନ୍ଦ୍ର ଆଉ ସେଆଡ଼କୁ କାନ ଦେଲେ ନାହିଁ । ଫ୍ଲାଇଓଭର ଦେଇ ଗାଡ଼ି ଖୁବ୍‌ ଜୋରରେ ଗଡ଼ିଲାବେଳେ ହଠାତ୍‌ ନିର୍ଜ୍ଜନ ରାସ୍ତାରେ ବୀରେନ୍ଦ୍ର ଦୂରରୁ କିଛିଟା ଦେଖି ପାରିଲେ । ତାଙ୍କର ମନେହେଲା ରାସ୍ତା ମଝିରେ ଗାଡ଼ିଟାଏ ବ୍ରେକ୍‌ ଡାଉନ୍‌ ହୋଇ ଅଟକିଛି । ଗାଡ଼ି ଗତି କମେଇ ବୀରେନ୍ଦ୍ର ପାଖେଇ ଆସିଲା ହଠାତ୍‌ ତାଙ୍କ ମୁଣ୍ଡ ଝିମ୍‌ ଝିମ୍‌ ହୋଇଗଲା ଭଳି ଲାଗିଲା ।

 

ବ୍ରେକ୍‌ କସି ଗାଡ଼ି ଠିଆ କଲେ ବୀରେନ୍ଦ୍ର । ଆର୍ତ୍ତଚିତ୍କାର କଲେ ଭଦ୍ରମହିଳା ପଛ ସିଟ୍‌ରୁ-। ବୀରେନ୍ଦ୍ରଙ୍କ ସାମନାରେ ତିନିଟା ଖଣ୍ଡେ ପିସ୍ତଲ ଏବଂ ଚାରି ପାଞ୍ଚଟା ଲୋକ । ଅନନ୍ୟୋପାୟ ହୋଇ ବୀରେନ୍ଦ୍ର ତଳକୁ ଓହ୍ଲେଇଲେ । ପଚାରି ବୁଝିଲେ—ସେମାନଙ୍କ ଉଦ୍ଦେଶ୍ୟ ହେଲା ସେ ଭଦ୍ରମହିଳାଙ୍କୁ ତାଙ୍କ ମାର୍ଫତରେ ଛାଡ଼ି ଦେବାପାଇଁ ଏବଂ ତାଙ୍କ ହାତରେ ଧରିଥିବା କ୍ୟାସକେଟ ମଧ୍ୟ ।

 

ଏକା ନିଶ୍ୱାସକେ ବୀରେନ୍ଦ୍ର ସବୁକଥା ଶୁଣି ସାରିଲାପରେ ସେମାନଙ୍କୁ ଦୁଇ ଧାଡ଼ିରେ ନିଜର ବକ୍ତବ୍ୟ ପଦେ କହିବେ ବୋଲି ଅନୁମତି ମାଗିଲେ । କିନ୍ତୁ ବୀରେନ୍ଦ୍ରଙ୍କ ଚେହେରା ଦେଖି ସେମାନେ ଗୋଟାଏ ପଲକ ସୁଦ୍ଧା କାଳ ବିଳମ୍ବ କରିବାକୁ ଚାହିଁଲେ ନାହିଁ । କାଳେ ବୀରେନ୍ଦ୍ର ଏକ ଦକ୍ଷ ପାରିବାର ପୁରୁଷ ଭଳି ସେମାନଙ୍କୁ ଆୟତ୍ତ କରି ଦେଇ ପାରନ୍ତି । ତଥାପି ବୀରେନ୍ଦ୍ର ମୁହଁ ଖୋଲିଲେ—

 

‘ଆପଣମାନେ ନିଶ୍ଚିନ୍ତ ରହନ୍ତୁ ମୋ ପାଖରେ କିଛି ଗୋଳା ବନ୍ଧୁକ ନାହିଁ ବା ମୁଁ ଲଢ଼େଇ କରିବି ନାହିଁ । ସିନେମାରେ ହିରୋ ଯଦି ହୋଇଥାନ୍ତି ସବୁ ପିସ୍ତଲକୁ ହଟେଇ ଆପଣଙ୍କ ଭଳି ଏତେ ଲୋକଙ୍କୁ ମାରି ଗାଡ଼ି ଚଳେଇ ନେଇ ଯାଇ ପାରନ୍ତି । ସେ ସବୁ ମୁଁ କରି ପାରିବି ନାହିଁ । ମୁଁ ହିରୋ ନୁହେଁ । ଆପଣଙ୍କର ଦରକାର ସେ ମହିଳାଙ୍କୁ । ଆପଣମାନେ ନିଶ୍ଚୟ ନେଇ ଯାଆନ୍ତୁ । କିନ୍ତୁ ଗୋଟାଏ ସର୍ତ୍ତ—’

 

ଅନ୍ୟାମାନେ ଆହ୍ଲାଦିତ ହେଲେ । ଅଳ୍ପ କିଛି ପରିଶ୍ରମରେ କଥା ତୁଟି ଗଲା ।

 

‘କେତେ ବକ୍‌ସିସ ତମର ଦରକାର ନେଇଯାଅ । ଗାଡ଼ିନେଇ କହିବ ଛଡ଼େଇ ନେଇଗଲେ । ତମେ ରୋକି ପାରିଲ ନାହିଁ ।’

 

‘ତାଠାରୁ ଆହୁରି ହିସାବ କରିବା । ଚିଡ଼ିଆକୁ ନବ ତା’ ପାଖରେ ଥିବା ମାଲ ନବ । ତା’ ସାଙ୍ଗରେ ଗାଡ଼ିବି ତମର ହବ । ଖାଲି ଗୋଟାଏ କାମ କର—ଯୋଉ ପିସ୍ତଲ ଧରିଚ ଗୋଟାଏ ଖର୍ଚ୍ଚ କରି ମତେ ମାରିଦିଅ । ତା’ପରେ ସବୁକର । ମୋର କେହି ନାହିଁ ମୁଁ ମରିଗଲେ କାହାର କିଛି କ୍ଷତି ହବ ନାହିଁ ।’

 

ପ୍ରଥମେ କଥାଟା ସେମାନଙ୍କୁ ଦୁର୍ବୋଧ୍ୟ ହେଲା । କିନ୍ତୁ ତା’ପରେ ସେମାନେ ସାମାନ୍ୟ ଆଶ୍ଚର୍ଯ୍ୟ ହେଲେ । ବୀରେନ୍ଦ୍ର ସେମାନଙ୍କୁ ତାଙ୍କ ଭାଷାରେ ବୁଝେଇଲେ । ଗାଡ଼ିରେ ବସିଥିବା ଭଦ୍ରମହିଳାଙ୍କୁ ରକ୍ଷା କରିବାକୁ ଯାଇ ଧସ୍ତାଧସ୍ତି କଲେ ପିସ୍ତଲ ଆଗରେ ବୀରେନ୍ଦ୍ର ପାରିବାର ସମ୍ଭାବନା ନାହିଁ । ଗୋଟାଏ ହାତରେ ଭଦ୍ରମହିଳାଙ୍କୁ ଅଟକେଇ ଘଣ୍ଟା ଘଣ୍ଟା ଫାଇଟିଙ୍ଗ୍‌ କରିବା ସାମର୍ଥ୍ୟ ତାଙ୍କର ନାହିଁ । ତା’ ଦ୍ୱାରା ଅନେକଙ୍କର କ୍ଷତି ହବ । କିନ୍ତୁ କୌଣସି ମତେ ତାଙ୍କୁ ରକ୍ଷା କରିପାରିବେ ନାହିଁ । ତା’ ବୋଲି ତାଙ୍କ ଉପରେ ଦିଆ ଯାଇଥିବା ଗୁରୁ ଦାୟିତ୍ୱକୁ ନିଜେ ଏଡିଦେଲା ଭଳି ବେଇମାନୀ କରିପାରିବେ ନାହିଁ । ତାଙ୍କର ଶେଷକଥା ହେଲା ତାଙ୍କ ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଭଦ୍ରମହିଳାଙ୍କୁ ରକ୍ଷା କରିବେ ।’

 

‘ତେଣୁ ବନ୍ଧୁଗଣ ! ଅତି ସହଜରେ ଗୋଟାଏ ବୁଲେଟ ପରେ ଆପଣ ଗାଡ଼ି ସହିତ ନେଇ ଯାଇ ପାରନ୍ତି; କିନ୍ତୁ ମତେ ବଞ୍ଚେଇ ରଖି ଚେଷ୍ଟା କଲେ କିଛିଟା ବାଧା ସୃଷ୍ଟି କରିବି ନିଶ୍ଚୟ । ଅନ୍ତତଃ ସାମର୍ଥ୍ୟ ଥିଲା ପର୍ଯ୍ୟନ୍ତ ।

 

ଏତକ କଥା କହି ବୀରେନ୍ଦ୍ର ନିଜର ହାତ ତଳକୁ ପକେଇ ଗୁଳିକୁ ଛାତି କରି ଠିଆ ହେଲେ । ତାଙ୍କ ଭିତରୁ ଜଣେ ଅନ୍ୟକୁ କହିଲା—ପଚାର । ସରଦାରକୁ, ଦୁଇଜଣ ପିସ୍ତଲ ଦେଖେଇ ଠିଆ ହୋଇ ରହିଲେ । ଅନ୍ୟ ଜଣେ ଗାଡ଼ି ଭିତରେ ବସିଥିବା ସର୍ଦ୍ଦାରକୁ ପଚାରିବାକୁ ଗଲା । କେତେକ୍ଷଣ ପରେ ବାହାରକୁ ଆସିଲେ ଯିଏ, ତାଙ୍କୁ ଦେଖି ବୀରେନ୍ଦ୍ର ଚମକି ପଡ଼ିଲେ-। ...ଏଇ ତ ସେ ସାହାବ ଯେ କି ତାଙ୍କୁ ନବାକୁ ଆଦେଶ ଦେଇଥିଲେ ।

 

ସାହାବ ଆଗେଇ ଆସିବା ଯୋଗୁଁ ଅନ୍ୟମାନେ ବୀରେନ୍ଦ୍ରଙ୍କ ଠାରୁ ଦୂରେଇ ଗଲେ । ପାଖକୁ ଆସି ବୀରେନ୍ଦ୍ରଙ୍କ ପିଠିରେ ହାତ ଥାପୁଡ଼େଇଲେ ।

 

‘ସାବାସ୍‌ !’

 

ଏତିକି ବେଳକୁ ଭଦ୍ରମହିଳା ବାହାରି ଆସି ଏକ ରକମ କୁଣ୍ଢେଇ ପକେଇଲେଣି ସାହାବଙ୍କୁ ।

 

‘ତମେ ? ...କିନ୍ତୁ ଏସବୁ କ’ଣ ?’

 

ହସିହସି କିଛି ନ କହି ବୀରେନ୍ଦ୍ରଙ୍କ ଗାଡ଼ିରେ ସାହାବ ଓ ସାହାବାଣୀ ଦୁହେଁ ବସିଗଲେ । ବୀରେନ୍ଦ୍ରଙ୍କୁ ଆଦେଶ ମିଳିଲା ଗାଡ଼ି ଚଳେଇବାକୁ ।

 

ଗାଡ଼ି ଯୋଉଠି ଅଟକିଲା ସେଭଳି ପ୍ରାସାଦ ବୀରେନ୍ଦ୍ର ଆଉ କୋଉଠି ଦେଖିଲା ଭଳି ସହଜରେ ମନେ ପଡ଼ିଲା ନାହିଁ । ଗାଡ଼ିରୁ ଓହ୍ଲେଇ ଯାଇ ଦୁହେଁ ଭିତରକୁ ଗଲାବେଳକୁ ସାହାବ ହସି ହସି ବୀରେନ୍ଦ୍ରଙ୍କ କାନ୍ଧରେ ହାତ ରଖି କହିଲେ—

 

‘ଗାଡ଼ି ନେଇ ପୁଣି ସେଇ ହୋଟେଲ ଅଫିସରେ ଛାଡ଼ି ଦେବେ ଏବଂ କାଲିଠୁ ଚାକିରିରେ ହାଜର ହେଇ ଯିବେ ।’

 

ଗାଡ଼ି ଫେରେଇ ଆଣିଲା ବେଳେ ବୀରେନ୍ଦ୍ରଙ୍କୁ କେମିତି ସ୍ୱପ୍ନଭଳି ଲାଗିଲା । ଚଳଚିତ୍ରର ଦୃଶ୍ୟ ଭଳି ଏ କେତେଟା ଘଟଣା ତାଙ୍କ ଆଗରେ ଚାହୁଁ ଚାହୁଁ ଘଟିଗଲା, ମନେ ପକେଇଲେ ମଧ୍ୟ ବିଶ୍ୱାସ ହେଉ ନ ଥାଏ । ସତେ ଯେମିତି ଶସ୍ତା ଡିଟେକ୍‌ଟିଭ୍‌ ଉପନ୍ୟାସର କେତେଟା ପୃଷ୍ଠା ।

 

ଅଫିସ ପୋର୍ଟିକୋରେ ପହଞ୍ଚି ଗାଡ଼ିଚାବି କାଉଣ୍ଟରରେ ଜମା କଲାବେଳକୁ ବୀରେନ୍ଦ୍ରଙ୍କୁ ମ୍ୟାନେଜର ରହିବା ରୁମ୍‌, ଖାଇବା ଇତ୍ୟାଦି ସମ୍ପର୍କରେ କହିବାରୁ ବୀରେନ୍ଦ୍ର ଜାଣିଲେ ସେଗୁଡ଼ା ସାହାବ ଟେଲିଫୋନରେ ସଦ୍ୟ କହି ଦେଇଛନ୍ତି ।

 

ଧନ୍ୟବାଦ ଜଣେଇ ବୀରେନ୍ଦ୍ର ସେଠାରୁ ବିଦାୟ ନବାକୁ ଚାହିଁଲେ । କାରଣ ତାଙ୍କର ଜିନିଷପତ୍ର ଧରି ସେ ଅନ୍ୟ ଏକ ସ୍ଥାନରେ ରହୁଛନ୍ତି । ତେଣୁ ସେଠିକି ଫେରିବାକୁ ପଡ଼ିବ । କାଲି ସକାଳୁ ଆସିବେ । ଅନୁରୂପ ବକ୍ତବ୍ୟ ମ୍ୟାନେଜର ସାହାବଙ୍କୁ ଟେଲିଫୋନ କରି ଜଣେଇବା ପରେ ସେଠାରୁ ଆଦେଶ ମିଳିଲା ଯିବାକୁ ଏବଂ କାଲି ସକାଳୁ ଜିନିଷପତ୍ର ଧରି ସାହାବଙ୍କୁ ଦେଖା କରିବାକୁ ।

 

ସକାଳୁ ବୀରେନ୍ଦ୍ର ଉଠି ଶୀଘ୍ର ନିତ୍ୟକର୍ମ ସାରି ନିଜର ଜିନିଷପତ୍ର ସଜାଡ଼ିଲେ । ଦର୍ପଣ ପାଖରେ ନିଜର ପ୍ରତିବିମ୍ବକୁ ଚାହିଁ ନିଜକୁ କହି ଉଠିଲେ—

 

‘ଆଜିଠାରୁ ଚାକିରିରେ ମୁକୁରିର ହୋଇଗଲ । ଆଜି ଦିନଟା ସବୁଠଉଁ ଭାଗ୍ୟର ଦିନ । ବୀରେନ୍ଦ୍ର ମାନସିଂ ! ତୋର ଆଜି ଡ୍ରାଇଭର ଚାକିରିରେ ମୁକରିର ହୋଇଗଲା । ନିଜର ଦାମୀ ସୁଟକେସ୍‌ ଆଉ ବ୍ରିଫ୍‌କେସ୍‍କୁ ଧରି ବୀରେନ୍ଦ୍ର ମାନସିଂ ଚାଲ ନୂଆ ଚାକିରିରେ ଜଏନ୍‌ କରିବୁ ।’

 

ହସି ହସି ବାହାରି ପଡ଼ିଲେ । ମନରେ ତାଙ୍କର ଏତେ ଟିକେ ସୁଦ୍ଧା ଗ୍ଲାନି ନାହିଁ । କାହିଁକି ଗ୍ଳାନି ରହିବ, ତାଙ୍କର ତ ଅତୀତ ବୋଲି କିଛି ନ ଥିଲା ବା ନାହିଁ ।

 

ସାହାବଙ୍କ ଅଫିସରେ ପହଞ୍ଚିଲାବେଳକୁ ବୀରେନ୍ଦ୍ର ଭାବୁଥିଲେ ଆଜି ପୁଣି ସାହାବଙ୍କ ପାଇଁ କେତେବେଳେ ଯାଏ ଅପେକ୍ଷା କରିବାକୁ ପଡ଼ିବ କେଜାଣି । କାଲି ତ ସନ୍ଧ୍ୟା ହୋଇଗଲା । କିନ୍ତୁ ମୁଣ୍ଡ ଟେକି ଚାହିଁଲାବେଳକୁ ପୋର୍ଟିକୋ ପାଖରେ ଆଗରୁ ଆସି ସାହାବ ଯେ ଠିଆ ହୋଇଥିବେ ଏକଥା ସ୍ୱପ୍ନରେ ସୁଦ୍ଧା ସେ ଭାବି ନଥିଲେ ।

 

ପ୍ରାତଃକାଳୀନ ଶୁଭେଚ୍ଛା ଜଣେଇଲା ପରେ ସାହାବଙ୍କ ସହିତ ଅଫିସ ଭିତରକୁ ଯାଇ ବୀରେନ୍ଦ୍ର କିନ୍ତୁ ଯୋଉଁ ଚାକିରିରେ ମୁକରିର ହେଲେ ସେଇଟା ଡ୍ରାଇଭର ନୁହେଁ—ସେ ଚାକିରିର ନାମ କେହି ଜାଣନ୍ତି ନାହିଁ—ସେ ନିଜେ ମଧ୍ୟ ନୁହେଁ । ଖାଲି ଏତିକି ତାଙ୍କୁ ଶୁଣେଇ ଦେଲେ ।

 

‘ଆପଣ କାଲି ମୋ ଲୋକମାନଙ୍କୁ କହିଥିଲେ ଆପଣଙ୍କର କେହି ନାହିଁ । ଆପଣଙ୍କୁ ମାରିଦେଲେ ବି କିଛି ଯାଏ ଆସେ ନାହିଁ । ତେଣୁ କାହା ପାଖକୁତ ଖବର ଦବାରେ ନାହିଁ । ଚାକିରି ବିଷୟରେ କିଛି ଜାଣି ଲାଭ ନାହିଁ । ଆପଣଙ୍କର ଚାକିରି ଦରକାର ଥିଲା ଚାକିରି ମିଳିଲା । ମୁଁ ଯେମିତି କୌଣସି କଥା ଆପଣଙ୍କଠାରୁ ଲିଖିତ ଚାହିଁ ନାହିଁ ଆପଣ ମଧ୍ୟ ସେମିତି ମୋଠାରୁ କିଛି ଲିଖିତ ଦାବି କରିବେ ନାହିଁ ।’

 

ବାସ୍‌, ବୀରେନ୍ଦ୍ର ନିରୁତ୍ତର ରହିଲେ । ଚାକିରିରେ ହାଜିର ହେଲେ । ୩ ।୪ ଦିନ ଭିତରେ ସେ ଦେଖିଲେ ତାଙ୍କର ରହିବା ପାଇଁ ବେଶ୍‌ ମାଜତ ବ୍ୟବସ୍ଥା ହୋଇପାରିଛି, ଖାଇବା ପିଇବାକଥା ଚିନ୍ତା କରିବା ଦରକାର ପଡ଼ୁନାହିଁ ‘ତାଙ୍କର ବସିବାର ଟେବୁଲ ଚେୟାର ଚାକିରି କ’ଣ ବୋଲି ଚିନ୍ତା କରିବା ଆରମ୍ଭ କରିଛନ୍ତି । ତାଙ୍କ ଟେବୁଲ ଉପରେ ଯେଉଁଦିନ ତାଙ୍କର ନାମାଙ୍କିତ ଫଳକ ଭୀରନ୍ ମାସାନୀ ବୋଲି ଲେଖା ହୋଇ ଆସି ଥୁଆ ହେଲା ସେ ଦିନ ମଧ୍ୟ ସେଥିରେ ତାଙ୍କ ଚାକିରି ସମ୍ପର୍କରେ କିଛି ଲେଖା ନଥିଲା ।

 

ପ୍ରତିଦିନ ସକାଳୁ ବୀରେନ୍ଦ୍ର ମାନସିଂ ରୁମ୍‌ ଭିତରକୁ ପ୍ରବେଶ କଲାବେଳକୁ ଏଇ ନାମ ଫଳକଟି ଆଖିରେ ପଡ଼େ । ଆଉ କାହିକି ଅବା କାହାପାଇଁ ? ବୀରେନ୍ଦ୍ର ମାନସିଂ କିଏ ଥିଲା ବା ଅଛି ସେକଥା ସେ ଜାଣନ୍ତି ନାହିଁ । ସେ ନିଜେ ଭୀରେନ୍‌ ମାସାନୀ...ଏବଂ କେବଳ ଭୀରନ୍‌ ମାସାନୀ, ତା ଛଡ଼ା ଆଉ କିଛି ନୁହେଁ ।

 

ସେଇଆହିଁ ହେଲା । ଭୀରନ୍‌ ମାସାନୀ ପ୍ରତିଦିନ ତାଙ୍କର ଚାକିରିକୁ ଆସି ମଧ୍ୟ ନିଜରକାମ କ’ଣ ବୁଝିପାରନ୍ତି ନାହିଁ । କ୍ରମେ ବେଶ ଦ୍ୱନ୍ଦ୍ୱରେ ପଡ଼ିଲେ । ଅଧିକ ବିଳମ୍ବ ଉଚିତ ନୁହେ ଭାବି ଦିନେ ସେ ସାହାବଙ୍କୁ ପଚାରିଲେ ନିଜର ଦାୟିତ୍ୱ ବିଷୟରେ । ଉତ୍ତର ମିଳିଲା—

 

‘ଦାୟିତ୍ୱ ବିଷୟରେ ମତେ ପଚାରିବା କ’ଣ ଦରକାର ? ଚାକିରିରେ ନିଯୁକ୍ତି ଦେଲାବେଳେ ଆପଣ କି କି ଦାୟିତ୍ୱ ତୁଲେଇ ପାରିବେ ସେ କଥା ତ ମୁଁ ପଚାରି ନାହିଁ ତେଣୁ ଯାହା କାମ ଆପଣ କରିପାରିବ ବା ଯେଉଁ ଯେଉଁ ଦାୟିତ୍ୱ ନେଇ ପାରିବେ ସେସବୁ ନିର୍ବିଘ୍ନରେ ନିଜେ ନବା ଆରମ୍ଭ କରନ୍ତୁ ।’

 

ଭୀରନ୍‌ ମାସାନୀ ସେଦିନଠାରୁ ସମ୍ପୂର୍ଣ୍ଣ ଭାର ତାଙ୍କ ଉପରେ ଝୁଲିପଡ଼ିଲା ଯେମିତି । ଭୀରନ୍‌ ମାସାନୀଙ୍କର ସେହିପରି କାର୍ଯ୍ୟ ଦରକାର ଥିଲା ଯେଉଁଥିରେ କି ଅବିଶ୍ରାନ୍ତ ପରିଶ୍ରମ ଥିବ । ଅଧିକା ସମୟ ଫାଙ୍କା ମିଳୁନଥିବ । ପ୍ରଚୁର ନୂଆ ନୂଆ ଲୋକଙ୍କ ସହିତ ଆଳାପ ହେଲେବି କାହା ସହିତ ପରିଚୟ ଦୀର୍ଘସ୍ଥାୟୀ ହେଉନଥିବ, ଏବଂ ଏଠାରେ ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଛି ।

 

ବେଶ୍‌ କିଛିବାଟ ଚକ ଗଡ଼ିଲା ପରେ ବ୍ରେକ କସିଲା । କେଇଟା ମାସ ପରେ ହଠାତ୍‌ ଦିନେ ସାହାବଙ୍କ ଖାସ୍‌ କାମରାରୁ ଡାକରା ଆସିଲା ଭୀରନ୍‌ ମାସାନୀଙ୍କୁ ।

 

‘ଆଚ୍ଛା ମାସାନୀକୀ ! ୟା ଭିତରେ ବେଶ୍‌ କିଛି ମାସ ହେଇଗଲାଣି ଆପଣଙ୍କର ଦରମାଟା କଥା କିଛି କଥାବର୍ତ୍ତା ହେଲାନାହିଁ । ଆପଣ କେତେ ଆଶା କରୁଛନ୍ତି ?’

 

ଏ ପ୍ରକାର ପ୍ରଶ୍ନପାଇଁ କିନ୍ତୁ ପ୍ରସ୍ତୁତ ହୋଇ ଭୀରନ୍‌ ମାସନୀ ଯାଇନଥିଲେ । ବେଶ କିଛିସମୟ ପାଇଁ ସେ ନୀରବ ରହିଲେ । ସେଥିରୁ ସାହାବ ଜାଣିଲେ—ଭୀରନ୍‌ ମାସନୀ ନିଜର ଆଶା ସମ୍ପର୍କରେ ଆଶଙ୍କା ପ୍ରକାଶ କରି କିଛି ମତାମତ ଦେଇପାରୁ ନାହାଁନ୍ତି ସେ ତାଙ୍କୁ ଅଭୟ ଦେଲେ ।

 

‘ନିଜର ଆଶା କଥାଟା କହିବାରେ କିଛି ଆପତ୍ତି ନାହିଁ । ମୁଁ ତାଠାରୁ କମ୍‌ ଦବାକୁ ଚାହୁଁଥିଲେ କେବେ ହେଲେ ବେଶି ଦେବି ନାହିଁ । ବା ବେଶି ଦବାକୁ ଚାହୁଁଥିଲେ ଶୁଣିଲା ପରେ କମ୍‌ ଦେବି ନାହିଁ । ଏଥିପାଇଁ ଦ୍ୱିଧା କରିବାରେ କିଛି ନାହିଁ ।’

 

‘ମତେ କ୍ଷମା କରନ୍ତୁ ସାର୍‌ ! ମୁଁ ଦ୍ୱିଧା ସେଥିପାଇଁ କରୁନାହଁ ବରଂ ଚିନ୍ତା କରୁଛି—କାହାପାଇଁ ଟଙ୍କା ନେବି ? କଣ ପାଇଁ ନେବି ? ଆଉ କେତେ ନେବି ? ଏ ପ୍ରଶ୍ନର ସମାଧାନ କରିଦେବା ପାଇଁ ମତେ ସମୟ ଦିଅନ୍ତ । ମୁଁ ନିଜେ ଦିନେ ମାଗିନେବି । ବର୍ତ୍ତମାନ ମୋର ଖାଇବା, ପିନ୍ଧିବା, ରହିବା ସବୁଥିର ବ୍ୟବସ୍ଥାତ ହୋଇରହିଛି । କିଛି ଦରକାର ପଡ଼ୁନାହିଁ ।’

 

ସାହାବ୍‌ ବୋଧହୁଏ ଭାବିଲେ ୟା’ପଛରେ କିଛି ବେଦନାସିକ୍ତ କାହାଣୀ ଅଛି । ନପଚାରିଲେ ଭଲ । ଯାଉ ଆଉ କେତେଦିନ । କେବଳ ଗୋଟିଏ ବ୍ୟବସ୍ଥା କରିଦେଳେ । ଭୀରନ୍‌ ମାସାନୀ ଯଦି କେତେବେଳେ ଟଙ୍କା ଚାହାଁନ୍ତି କ୍ୟାସିଅର ତାଙ୍କୁ ମନା କରିବ ନାହିଁ । ଏବଂ ସେ କ୍ୟାସ ବା ଚେକ୍‌ ଯାହା ଚାହିଁବେ ଏବଂ ଯେତେ ଚାହିଁବେ ତାଙ୍କୁ ଦିଆଯିବ ।

 

ପ୍ରଥମେ ପ୍ରଥମେ ସବୁକଥାରେ ସାହାବଙ୍କର ଆଦେଶ ଆବଶ୍ୟକ ପଡ଼ୁଥିଲା ପରେ ହଠାତ୍‌ ସମସ୍ତେ ଆବିଷ୍କାର କଲେ ଭୀରନ୍‌ଙ୍କ କୌଣସି ପ୍ରସ୍ତାବ ପାଇଁ ସାହାବଙ୍କ ଅନୁମତି ଦରକାର ପଡ଼ୁନାହିଁ । ବରଂ ଅନ୍ୟପକ୍ଷରେ ଯିଏ ଯାହା ଯେଉଁଠି କରିବାକୁ ଅନୁମତି ଚାହିଁଲେ ସାହାବ କହି ଦିଅନ୍ତି—ଭୀରନ୍‌ଙ୍କୁ କହି କରିବେ ।

 

ଭୀରନ୍‌ ମାସାନୀଙ୍କ ମଧ୍ୟ କ୍ରମଶଃ ସେହି ପ୍ରକାର ଧାରଣା ହେଲା । ନିଜର ଚାକିରି କଣ ବା ଦାୟିତ୍ୱ କ’ଣ ସେ ନିଜେ ବେଳେବେଳେ ବୁଝିବାକୁ ଚେଷ୍ଟାକରି ସନ୍ଦେହରେ ପଡ଼ୁଛନ୍ତି । ଏ ସନ୍ଦେହ କ୍ରମଶଃ ତାଙ୍କର ବଢ଼ୁଛି ପଛେ କମିବାର ସୂଚନା ନାହିଁ । କେତେଦିନ ହବ କିଛି ଗୋଟାଏ ନୂଆଧରଣର ବ୍ୟବସ୍ଥା ବା ଯୋଜନା କାର୍ଯ୍ୟକାରୀ କରିବାର ହେଲେ ସାହାବ୍‌ ଭୀରନ୍‌ଙ୍କର ମତାମତ ଲୋଡ଼ୁଛନ୍ତି । ତେଣୁ ସାହାବଙ୍କ ସହିତ ଭୀରନ୍‌ଙ୍କର ଖାସ୍‌ କାମରାରେ ବା କୋଠରେ କଫି ଉପରେ ଆଲୋଚନା ହେଲାବେଳେ ଭୀରନ୍‌ଙ୍କୁ ଜଣାପଡ଼େ ଯେମିତି ସେ ଜଣେ ଚାକିରିଆ ନୁହନ୍ତି ବ୍ୟବସାୟିକ ପାର୍ଟନର । ସାହାବ ନଥିଲାବେଳେ ମେମ୍‌ସାହାବଙ୍କ ସହିତ ବସି ଆଇସ୍‌କ୍ରିମ ବା ପୁଡ଼ିଂ ଖାଇଲାବେଳେ ତାଙ୍କୁ ଲାଗୁଛି ସେ ଯେମିତି ଜନୈକ ବନ୍ଧୁବାନ୍ଧବ ।

 

ଡାଇନିଂ ହଲ୍‌ ବା କାର୍‌ର ଗ୍ଲାସ ଡୋର୍‌ ଯଦି ଭଲ ଭାବରେ ପୋଛା ନହୋଇଛି ତେବେ ଭୀରନ୍‌ ଭାବନ୍ତି ସେ ଜଣେ ବେହେରା । କାହାର ବିଲ୍‌ ଡେରି ହେଲେ ତାଙ୍କ ଭୂମିକା ଓ୍ୱେଟର । ସପିଙ୍ଗ୍‌ କମ୍ପ୍ଳେକ୍‌ସର ମସ୍ତବଡ଼ ଅଞ୍ଚଳଟା ଯଦି ଭଲଭାବରେ ପରିଷ୍କାର କରାନଯାଇଛି ସେ ଭାବନ୍ତି ସେ ଜଣେ ଝାଡ଼ୁଦାର । ହଠାତ୍‌ ଗାଡ଼ି କୁଆଡ଼େ ଯିବା ଦରକାର ପଡ଼ିଲେ ଡ୍ରାଇଭର ନଥିଲାବେଳେ ଗାଡ଼ି ଚାବିଧରି ବାହାରିଲା ସମୟରେ ସେ ଜଣେ ଡ୍ରାଇଭର । କିନ୍ତୁ ଏତେବଡ଼ ପ୍ରତିଷ୍ଠାନର ବଡ଼ଠାରୁ ଆରମ୍ଭ କରି ସାନ କର୍ମଚାରୀ ପର୍ଯ୍ୟନ୍ତ ତାଙ୍କୁ ଯେତେବେଳେ ପ୍ରତିଦିନ ସଂଭ୍ରମ ପ୍ରଣାମ ଜଣାନ୍ତି ସେତେବେଳେ ଭୀରନ୍‌ ଭାବନ୍ତି—ସେ ନିଜେ ମାଲିକ ।

 

ଏ ପ୍ରକାର ଧାରଣା ତାଙ୍କର ବଳବତ୍ତର ହେଲା ଯେଉଁ ଦିନ ସାହାବଙ୍କ ପାଇଁ ଏକ ଦାୟିତ୍ୱ ସମ୍ପନ୍ନ କାର୍ଯ୍ୟ ତୁଲେଇଲେ । ସାହାବ ନିଜେ ଯାଇ ପାରିବେ ନାହିଁ ମେମ୍‌ ସାହାବଙ୍କ ଜନ୍ମଦିନ । ତେଣୁ ମେମ୍‌ ସାହାବଙ୍କ ଆଦେଶ ହେଲା ମାସାନୀକୀ ଯାଇ କରିଦେଇ ଆସିବେ । ସେଇଆ ହେଲା, ସାହାବଙ୍କ ପାଇଁ ଉଡ଼ାଜାହାଜରେ ଉଡ଼ି ପୁଳାଏ ଟଙ୍କା ସାଙ୍ଗରେ ନେଇ ପୁଣି କାମ ସାରି ଉଡ଼ି ଆସିଲେ ମାସାନୀଜୀ । ତା’ପରେ ତାଙ୍କର ସାହାବଙ୍କ ସହିତ ଦେଖା କରିବା କଥା । ବିବରଣୀ ସବୁ ଜଣେଇ ସାରିବା ପରେ ଟଙ୍କାର ହିସାବ ଦେଲା ବେଳେ ଆଦେଶ ହେଲା ଯାହା ଖର୍ଚ୍ଚ ନ ହେଇଥିବ କ୍ୟାସିଅରକୁ ଫେରେଇ ଦେବେ । ହିସାବ ଦରକାର ନାହିଁ ।

 

ଭୀରନ୍‌ ମାସାନୀ କେମିତି ଏ କଥାରେ ଅତୃପ୍ତ ହେଲାଭଳି ଜଣାଗଲେ । ଏତେ ଗୁଡ଼ାଏ ଟଙ୍କାର ହିସାବ ନ ଦବାଟା ଭଲ ହେବ ନାହିଁ ବୋଲି ପ୍ରସ୍ତାବ କଲେ ।

 

‘ମୁଁ ଜାଣେ ଆପଣ ଚୋର ନୁହଁନ୍ତି । ଆଉ ଯାହା ହୋଇ ପାରନ୍ତି । ତେଣୁ ମୋର ସନ୍ଦେହ କରିବାର ନାହିଁ, ଯାନ୍ତୁ ।’

 

ଅଗତ୍ୟା ଫେରିଲାବେଳକୁ ପଛରୁ ଖିଲଖିଲ ହୋଇ ହସି ଉଠିଲେ ମେମ୍‌ସାହେବ ।

 

‘ମୋର କିନ୍ତୁ ଗୋଟିଏ ବିଷୟରେ ସନ୍ଦେହ ନିଶ୍ଚୟ ଅଛି । ଆପଣ ତ ଏତେ ଗରିବ, ଚାକିରି କରିବାକୁ ଆସିଥିଲେ । ସେଦିନ ସେଇ ବିଦେଶୀ ଗାଡ଼ିଟା ଯେମିତି ଭାବରେ ଚଳଉଥିଲେ ସେଇଟା କେମିତି ଜାଣିଲେ ବୁଝିପାରିଲି ନାହିଁ । କ’ଣ କାହା ପାଖରେ ଡ୍ରାଇଭର ଥିଲେ ନା ନିଜର ସେମିତିଆ ଗାଡ଼ିଥିଲା ?’

 

ଉଭୟେ ହସି ହସି ଭିତରକୁ ଚାଲିଗଲେ । ଭୀରନ୍‌ ଗୋଟିଏ ଗୋଟିଏ ପାଦ ପକେଇ ବାହାରକୁ ଆସିଲେ । ସାମାନ୍ୟ ପରିମାଣରେ ମୁଣ୍ଡଟା ତାଙ୍କର ଝିମ୍‌ଝିମ୍‌ ହେବା ଆରମ୍ଭ ହେଲା । ପ୍ରକୃତରେ ତ ! ଏଇଟା ଏକ ସ୍ୱାଭାବିକ ପ୍ରଶ୍ନ, ପରକ୍ଷଣରେ ଆୟତ୍ତ କଲେ । ନାଃ...ଏଥିରେ ତାଙ୍କର ତ ଚିନ୍ତା କରିବାର କିଛି ନାହିଁ । ତାଙ୍କର ତ ଅତୀତ ନ ଥିଲା ବା ନାହିଁ । ସେ କେମିତି ଶିଖିଲେ ବା କାହିଁକି ଚଳଉଥିଲେ ସେ ପ୍ରଶ୍ନର ଉତ୍ତର ସେ କେମିତି ଜାଣିବେ ? ଭାବିବାର ଅବକାଶ ବା କାହିଁ ? ସେ ତ ଜାଣନ୍ତି ସେ କେବଳ ଭୀରନ୍‌ ମାସାନୀ । ଏ ଭବରଙ୍ଗ ଭୂମିପରେ ଏକାନ୍ତ ଭାବରେ ଏକକ ତାଙ୍କର ଭୂମିକା । ତାଙ୍କ ମନ ଭିତରୁ କେମିତି କେଜାଣି ନାଟକୀୟ ହସଟାଏ ବାହାରି ପଡ଼ିଲା । ସେ ବାହାରି ଆସିଲେ ।

 

କୌଣସି ଏକ ଗତିଶୀଳ ଯନ୍ତ୍ରର ଗତିର ବେଗ ବଢ଼ିଗଲେ ତାର କାରଣ କେବଳ ଦୁଇଟା ହିଁ ହବା ସମ୍ଭବ । ହୁଏତ ତାହା ଅତ୍ୟନ୍ତ ଉଚ୍ଚଶକ୍ତି ସମ୍ପନ୍ନ ବେଗଗାମୀ ଯନ୍ତ୍ର । ତେଣୁ ତା ପାଇଁ ଉଠାଣି ଗଡ଼ାଣି ସବୁ ସମାନ । ଅନ୍ୟ କାରଣଟା ହେଲା—ଖୁବ୍‌ ଏକ ଗଡ଼ାଣିରେ ଯନ୍ତ୍ରଟି ପ୍ରାକୃତିକ ଉପାୟରେ ଗତିଶୀଳ ହୋଇଉଠିଛି । ବର୍ତ୍ତମାନର ପରିସ୍ଥିତି ପାଇଁ କାରଣଟା ଅନୁଧ୍ୟାନ ନ କରି କ୍ରିୟା ଉପରେ ଜୋର ଦିଆ ଯାଇପାରେ ଯେ ଯନ୍ତ୍ର ବା ଯାନ୍ତ୍ରିକ ଜୀବ ଗତିଶୀଳ ହୋଇଉଠିଛି-। ଗତିଟା କୁଆଡ଼େ ତାହା ବାରାନ୍ତରେ ଆଲୋଚ୍ୟ ।

 

ଦିନଗୁଡ଼ା କେତେ ଶୀଘ୍ର ଶୀଘ୍ର ଚାଲି ଯାଉଛି ସତେ । ପ୍ରତି ମାସର ଶେଷ ତାରିଖରେ ସବୁଆଡ଼େ ଲାଗିଥିବା କ୍ୟାଲେଣ୍ଡରରେ ପୁରୁଣା ମାସଟା ଚିରା ହେଲା କି ନା ଏକଥା ତତ୍ତ୍ୱାବଧାନ କଲାବେଳେ ଭୀରନ୍‌ ମାସାନୀ ଆଶ୍ଚର୍ଯ୍ୟ ହୁଅନ୍ତି । ଖାଲି କେତେମାସ ଚାଲି ଗଲାଣି ନୁହେଁ । କ୍ୟାଲେଣ୍ଡର ମଧ୍ୟ ବଦଳି ଗଲାଣି ।

 

କୌଣସି କଥା ତାଙ୍କର ଆଉ ମନେ ରହୁନାହିଁ । ବା ସେ ମନେରଖିବାକୁ ଚାହୁଁ ନାହାଁନ୍ତି-। କାହାପାଇଁବା ମନେ ରଖିବେ । ଏଇଥର କ୍ୟାଲେଣ୍ଡର ବଦଳେଇବା ଦିନ କଥା କ୍ୟାଲେଣ୍ଡର କଥାରୁ ମନେ ପଡ଼ିଲା ।

 

ସାରା ସହରଟିର ବିପୁଳ ସାଜସଜ୍ଜା ସହିତ ତାଳ ପକେଇ ଏହାକୁ ମଧ୍ୟ ସଜାଯାଇଛି । ଏଥର ଭୀରନ୍‌ ମାସାନୀ ନିଜେ ସଜା ହବାର ଖସଡ଼ା ପ୍ରସ୍ତୁତ କରିଛନ୍ତି । ହୋଟେଲ ଆଉ ବାର୍‌ରେ ମଧ୍ୟ ରାତ୍ରୀର ବିଶେଷ ଆକର୍ଷଣ । ଏ ସଜାସଜି ପାଇଁ ଦୀର୍ଘ ଦଶଦିନ ହବ ଭୀରନ୍‌ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ସକାଳୁ ଆସି ସାହାବ ନିଜେ ବୁଲି ଗଲେ । ଏବେ କେଇଦିନ ହବ ସେ କେବଳ ପରିଦର୍ଶନରେ ଆସୁଛନ୍ତି ଆଉ ତଦାରଖରେ ନୁହେଁ । କୌଣସି କଥା ପଚାରୁ ନାହାଁନ୍ତି କେବଳ ନିଜେ ଦେଖି ଅଳ୍ପ ହସି ଚାଲି ଯାଉଛନ୍ତି । ଫେରିଲା ପୂର୍ବରୁ ଏକାଠି ବସି କଫି ଖାଇବା ବେଳେ ସାହାବ ଭୀରନ୍‌ଙ୍କୁ କହି ଯାଇଛନ୍ତି ଦଶଟା ସୁଦ୍ଧା ତାଙ୍କ ଘରକୁ ଚାଲିଯିବାକୁ । ବର୍ଷ ଶେଷରେ ଆଜି ଯେଉଁ ବିଶେଷ ଖାନା ତାଙ୍କ ଘରେ ହବ ସେସବୁ ସାହାବାଣୀ ନିଜ ରୁଚିରେ କରେଇବେ । ଏକାନ୍ତ ବ୍ୟକ୍ତିଗତ କେତେକ ଅତିଥିଙ୍କୁ ଭୋଜନ ପାଇଁ ଡାକନ୍ତି ସାହାବାଣୀ । ତେବେ ଭୀରନ୍‌ଙ୍କ ପାଇଁ ବ୍ୟବସ୍ଥା ସ୍ୱତନ୍ତ୍ର । ସାରା ରାତିରେ ଗହଳି ପାଇଁ ଭୀରନ୍‌ ସେଠି ବ୍ୟସ୍ତ ରହିବେ । ତେଣୁ ତାଙ୍କୁ ଦିନବେଳେ ଡକା ହୋଇଛି । ସନ୍ଧ୍ୟା ପୂର୍ବରୁ ସେ ଆଜି ଆସି ହଲ୍‌ ପାଖରେ ରହିବାର କଥା । ନିଜେ ସାହାବ୍‌ ରହୁନାହାଁନ୍ତି । ସକାଳୁ ଚାଲିଯିବେ ବିମାନ ଯାତ୍ରାରେ କୋଉଠି ବିଶେଷ ପାର୍ଟିରେ ଯୋଗଦାନ ପାଇଁ । ହୁଏତ ରାତିରେ ଫେରି ପାରନ୍ତି । କିନ୍ତୁ ନୂଆବର୍ଷରେ ନିଶ୍ଚୟ ଫେରିବେ । କାରଣ ନୂଆବର୍ଷରେ ଘରେ ଯାହା ତିଆରି କରିବେ ସେଇଟା ଖୋଦ୍‌ ସାହାବଙ୍କ ଦାୟିତ୍ୱ । ଏବଂ ସେଥିପାଇଁ ମଧ୍ୟ କେହି କେହି ବିଶିଷ୍ଟ ଅତିଥି ଘରକୁ ଡକାହୁଅନ୍ତି ।

 

ସାହାବ କହିଦେଲେ—ସେ ଏଇଆଡ଼ୁ ଏୟାରପୋର୍ଟକୁ ଯିବେ । ଭୀରନ୍‌ ଶୀଘ୍ର ଘରକୁ ଯିବା ଉଚିତ । ନହେଲେ ଅତିଥିଙ୍କ ଗହଣରେ ମେମ୍‌ସାହାବ ଅସୁବିଧା ଭୋଗ କରିପାରନ୍ତି ।

 

ତାହାହିଁ ହେଲା ଭୀରନ୍‌ ମାସାନୀ ବଙ୍ଗଳାକୁ ଆସିଲେ । ଦୂରରୁ ବଙ୍ଗଳାକୁ ଦେଖି ସେ ଭିତରକୁ ପ୍ରବେଶ କରିବେ କିନା ପ୍ରଥମେ ସଙ୍କୋଚ ପ୍ରକାଶ କଲେ । ଯେତିକିଟା ଗାଡ଼ି ଥୁଆହୋଇଛି ସେତିକି ଲୋକ ଧରିବାକୁ ଏ ଭିତରେ ସ୍ଥାନ ଅଛି ତ ? ତଥାପି ତାଙ୍କୁ ଭିତରକୁ ଯିବାକୁ ତ ପଡ଼ିବ । ଭିତରକୁ ପ୍ରବେଶ କରି ସେ ଯାହା ଦେଖିଲେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଯେତିକି ଗାଡ଼ି ସେଇ ଅନୁପାତରେ ଲୋକ ସଂଖ୍ୟା ଅନେକ କମ୍‌ । କେବଳ ନାରୀ ପ୍ରାୟ କୋଡ଼ିଏ ପଚିଶଜଣ ହେବେ ଆଉ କେହି ନାହାନ୍ତି । ଏ ସମସ୍ତଙ୍କୁ ନାରୀ ବୋଲି ଗ୍ରହଣ କରିନେବାହିଁ ଠିକ୍‌ ହବ । କାରଣ ସେ ସମଷ୍ଟି ଭିତରୁ ପ୍ରୌଢ଼ା, ତରୁଣୀ, ଅବା କିଶୋରୀଙ୍କୁ ଅଲଗା କରିବା ଭୀରନ୍‌ଙ୍କ ପାଇଁ କଷ୍ଟକର ବ୍ୟାପାର ।

 

ଗାଡ଼ିଗୁଡ଼ାକ ଦେଖି ଭୀରନ୍‌ଙ୍କର ମନେହେଲା ଆଜି ଅନ୍ତତଃ ଗାଡ଼ିଟା ନିଶ୍ଚୟ ଚଢ଼ିବା ଉଚିତ । କାହା ଗାଡ଼ିରେ କିଏ ଆସିଲେ ନିଜର ଓଜନ କମିଯିବ । କେବଳ ସେତିକି ନୁହେଁ ବର୍ଷ ଶେଷରେ ପାର୍ଟିରେ ନିଜ ଗାଡ଼ିରେ ବସି ସାରାବର୍ଷର ସ୍ମୃତିସକ୍ତି ପରିବେଶକୁ ଦୋହରାଇ ଯିବାରେ ମଧ୍ୟ ଆନନ୍ଦ ଅଛି । କେତେ ସ୍ମୃତିର ମୂକସାକ୍ଷୀ ଭାବରେ ସେ ଗାଡ଼ି ବର୍ଷଟା ସାରା ବାଧ୍ୟ ଭଳି ନୀରବ ରହିଛି । ଆଜି ତାକୁ ଅବହେଳା କରାଯିବାଟା ଅପରାଧ ହେବ । ସେଥିପାଇଁ ବୋଧହୁଏ ସମସ୍ତେ ଗାଡ଼ି ନେଇ ଆସିଛନ୍ତି । ଭୀରନ୍‌ଙ୍କ ଚିନ୍ତା ବାଧାପ୍ରାପ୍ତ ହେଲା ଆଉଏକ ଗାଡ଼ି ଭିତରକୁ ଆସିବାରୁ । ତାଙ୍କର ପୁଣି ମନେହେଲା ଏଗୁଡ଼ାସବୁ ଅଯଥା ଚିନ୍ତା କରୁଛନ୍ତି । ତାଙ୍କରି ଭଳି ସମସ୍ତେ ମୁର୍ଖ ହୋଇ ନାହାଁନ୍ତି ଏତେକଥା ଭାବି ଗାଡ଼ି ଚଢ଼ିବେ ।

 

ଯାହାହେଉ ସେ ନିଜକୁ ପ୍ରସ୍ତୁତ କରିନେଲେ । ବେଶ୍‌ କିଛି ଶକ୍ତି ଖଟେଇ ଖାମିନ୍ଦାଣୀଙ୍କ ବର୍ବୁଚି କାମ କରିବାକୁ ପଡ଼ିବ । ଠିକ୍‌ ଅଛି, ଯେତେହେଲେ ସାହାବଙ୍କ ଘର ବର୍ବୁଚି ତ । ସେଥିରେ ବି ଗୋଟାଏ ଗୌରବ ଅଛି । ବିଶେଷକର ମେମ୍‌ସାହାବଙ୍କ ପାଖରେ ବର୍ବୁଚି ହବାର ମଧ୍ୟ ଗୋଟାଏ ଆନନ୍ଦ ଅଛି । ଏବଂ ଏପ୍ରକାର ବିଶିଷ୍ଟ ଅତିଥିମାନଙ୍କ ଗହଣରେ କାରବାର ହେବାରେ ଗୋଟାଏ ଉତ୍‌କଣ୍ଠା ମଧ୍ୟ ଅଛି ।

 

‘ଆସନ୍ତୁ ଆସନ୍ତୁ ମାସାନୀଜୀ ! ହେଇତ, ମାଲିକଙ୍କ ପ୍ରତିନିଧି ଆସିଗଲେ ।’ ସମସ୍ତଙ୍କୁ ଉଦ୍ଦେଶ୍ୟ କରି ଭୀରନ୍‌ ମାସାନୀଙ୍କୁ ପରିଚୟ କରେଇ ଏକଥା କହିଲେ ମେମ୍‌ସାହେବ, କିନ୍ତୁ ବ୍ୟଙ୍ଗର ଇଙ୍ଗିତଟା ଦୁର୍ବୋଧ୍ୟ ହେଲା ଭୀରନ୍‌ଙ୍କୁ ।

 

‘ମୁଁ କହିଲି, ହେଇ, ମାଲିକଙ୍କ ଡମି ଆସିଗଲେ । ଏବେ ଆଉ ମାଲିକ୍‌ ଯୋଉଠିକି ଯାଉନାହାଁନ୍ତି ତାଙ୍କ ପ୍ରତିନିଧି ଆପଣଙ୍କୁ ପଠେଇ ଦଉଛନ୍ତି । ଆଜି ସେ ଚାଲିଗଲେ ଅନ୍ୟ କାମରେ-। ତେଣୁ ଆପଣଙ୍କୁ ଏଠିକି ଆସିବାକୁ କହିଛନ୍ତି ମାଲିକଙ୍କ ପାଇଁ ପ୍ରକ୍‌ସି ଦବାକୁ, ଡମି ସାଜିବାକୁ-।’

 

‘ଆଜ୍ଞା ହଁ, ମାଲିକଙ୍କ ଘରକୁ ଆପଣମାନେ ଆସିଛନ୍ତି । ତେଣୁ ନିଜେ ମାଲିକାଣୀ ଆପଣଙ୍କ ଖାଇବା ପିଇବାର ଚର୍ଚ୍ଚା ବୁଝିବେ । ଆଉ ମାଲିକ୍‌ ନିଜେ ଯଦି ପ୍ଲେଟ ଗ୍ଲାସ ଧୂଆଧୋଇ କରିଥାନ୍ତେ ଆପଣମାନେ କେତେ ଆନନ୍ଦ ଅନୁଭବ କରିଥାନ୍ତେ । ତେବେ ସତରେତ ଆଉ ସେଇଟା ସମ୍ଭବ ନୁହେଁ, ତେଣୁ ମାଲିକ ମତେ ଛାଡ଼ିଦେଇ ଯାଇଛନ୍ତି । ସେ ପ୍ରକାର କାମ ମାଲିକଙ୍କ ବଦଳିଆ ହୋଇ କରିବି ।’

 

ଗମ୍ଭୀର ହୋଇ ଭୀରନ୍‌ ଏକଥା କହିସାରିଲା ପରେ ଗୋଟାଏ ବିରାଟ ହାସ୍ୟରୋଳ ଉଠିଲା । ବାସ୍‌, ତା’ପରେ ସେମାନେ କେହି ଅପରିଚିତ ବୋଧ କରି ନାହାଁନ୍ତି ଭୀରନ୍‌ଙ୍କ ସହିତ । ବରଂ ଅତି ସହଜରେ ଚଳେଇନେଇ କଥାବାର୍ତ୍ତା କରିବା ଆରମ୍ଭ କରିଛନ୍ତି । ତା’ର ଭିତରେ ମେମ୍‌ସାହେବା ସମୟ ବାହାରକରି ତାଙ୍କୁ କହିଦେଇଛନ୍ତି ଯେ ରାତ୍ରିରେ ସମସ୍ତେ ସେଠି ଡିନରରେ ବ୍ୟସ୍ତ ରହିବେ । ବିଶେଷକରି ମାସାନୀଜୀ ନିଜେ, ତେଣୁ ତାଙ୍କୁ ଦିନବେଳା ଖାଇବାକୁ ଡାକିବାର ଏଇଟା ହେଲା ଉଦ୍ଦେଶ୍ୟ ।

 

ଭୋଜନର ପର୍ବ ଶେଷ ହେବା ପରେ ଯିଏ ଯାହାର ଗାଡ଼ି ଧରି ସନ୍ଧ୍ୟାରେ ପୁଣି ସାକ୍ଷାତ ହେବାର ଶୁଭେଚ୍ଛା ବାଞ୍ଛାକରି ବାହାରିଗଲେ । ଆଉ ରହିଗଲେ ପ୍ରାୟ ତିନି ଚାରିଜଣ । ହାଲ୍‌କା ଆଳାପ ଭିତରେ ମେମ୍‌ସାହେବା ଭୀରନ୍‌ଙ୍କୁ ଅନୁରୋଧ କଲେ ।

 

‘ମାସାନୀଜୀ ! ଇଏ ମୋର ବହୁଅନ୍ତରଙ୍ଗ ବାନ୍ଧବୀ, କଲେଜର ଅଧ୍ୟାପିକା । ଆଉ ଇଏ ତାର ଝିଅ—ସେଇ କଲେଜରେ ପଢ଼ୁଚି । ତାଙ୍କ ମିଷ୍ଟର ସାହାବଙ୍କ ସାଙ୍ଗରେ ବାହାରକୁ ଗଲେ । ଏଠି ଗାଡ଼ିରେ ଆଣି ଛାଡ଼ି ଦେଇଛନ୍ତି, ତାଙ୍କୁ ଟିକେ ଯଦି କିଛି ନ ଭାବନ୍ତି ଆମ ଗାଡ଼ିରେ ଛାଡ଼ିଦେଇ ଆସିବେ କି ? ତାଙ୍କ ଗାଡ଼ି ଅଛି ସେ କିନ୍ତୁ ନିଜେ ଚଳେଇବାକୁ ଚାହୁଁ ନାହାଁନ୍ତି । ଆଜି ରାସ୍ତାରେ ଯାହା ଟ୍ରାଫିକ୍‌ । ବର୍ଷ ଶେଷ ବୋଲି ଗାଡ଼ି ଯେମିତି ଚଳଉଛନ୍ତି, ସେ ନିଜେ ଚଳେଇବାକୁ ସାହାସ କରୁନାହାନ୍ତି । ମୁଁ ତାଙ୍କୁ ଆପଣଙ୍କ ଚଳେଇବା କଥା କହିବାରୁ ସେ ନିଜେ ଏ ଅନୁରୋଧ କରିଛନ୍ତି ।’

 

ଭୀରନ୍‌ଙ୍କର ଉତ୍ତର ଦବାକୁ କିଛି ନଥିଲା । ଗାଡ଼ିର କବାଟ ଖୋଲିବା ଆଗରୁ ସାମାନ୍ୟ ଏକ ଛୋଟ କାମପାଇଁ ଡାକିଲେ ମେମ୍‌ସାହେବା ଭିତରକୁ ।

 

‘ମୋ ବାନ୍ଧବୀର ହୃଦୟ ବହୁତ ଖୋଲା । ବିଚାରୀ ଆପଣଙ୍କ କଥା ଶୁଣି ବହୁତ ନରମି ଯାଇଛି । ଏ ଡ୍ରେସଟା ବି ବହୁତ ଭଲ ଲାଗୁଛି । ତା’ ସାଙ୍ଗକୁ ଏ ଫୁଲଟା ଏଠି ଖୋସା ହେଲେ ଭଲ ଦେଖାଯିବ ।’

 

ଏତକ କହି ଲଞ୍ଚ୍‌ ଟେବୁଲ୍‌ ଫୁଲଦାନୀରୁ ଗୋଟିଏ ଛୋଟ ଫୁଲ ଆଣି ମେମ୍‌ ସାହେବା ନିଜେ ବଟନ୍‌ରେ ଖୋସିଦେଲେ ଆଉ କହିଲେ—

 

‘ଗାଡ଼ି ଧିରେ ଚଳେଇବେ । ସାମନାକୁ ଅନେଇ ଚଳେଇବେ, ଛାଡ଼ିଦେଇ ଆସିଲା ପରେ ଆସି କହିଦେଇ ଯିବେ ତ ?’

 

ଏତକ କଥା ଏକାଥରକେ ଘୋଷିଲାଭଳି ଖୁବ୍‌ ବ୍ୟଙ୍ଗରଖି କହିସାରିଲା ପରେ ଭୀରନ୍‌ ମାସାନୀ ଆଶ୍ଚର୍ଯ୍ୟ ହେଲେ । ସେତ କିଛି ବୁଝିପାରୁ ନାହାଁନ୍ତି କଣ ସେ କହିବାକୁ ଚାହାଁନ୍ତି । ତେବେ ଯାହା ଯାହା ବୁଝିହେଉଥିଲା ସେଗୁଡ଼ାକ ଭୁଲ୍‍ ବୋଲି ଧରିନେଇ ଭୀରନ୍‌ କିଛି ନ ବୁଝିଲାଭଳି ଅଭିନୟ କଲେ ।

 

ଗାଡ଼ି ପାଖରେ ଶେଷ ବିଦାୟ ସମ୍ଭାଷଣ ଜଣେଇଲା ବେଳକୁ ଅତିଥିଙ୍କ କନ୍ୟା ଗାଡ଼ି ଭିତରେ ବସି ସାରିଥିଲେ । ଭୀରନ୍‌ ଠିଆ ହୋଇଥାନ୍ତି । ଆଗ ଅତିଥି ନବସିଲେ ସେ ଗାଡ଼ିରେ ବସିବେ କେମିତି । ନିଜେ ଖାମିନ୍ଦାଣି ପୁଣି ଠିଆ ହୋଇଛନ୍ତି । ଚାକିରିଟା ଚାଲିଯିବ । ମେମ୍‌ ସାହେବା ଶେଷ କେଇପଦ ବାନ୍ଧବୀଙ୍କୁ କହିଲେ ଭୀରନ୍‌ଙ୍କୁ ଶୁଣେଇ—

 

‘ଚଳେଇବା ବେଳେ ବେଶି ଡିଷ୍ଟର୍ବ ମୋଟେ କରିବୁ ନାହିଁ । ରାସ୍ତା ବହୁତ ଭିଡ଼ ହୋଇଛି-।’

 

‘ଯାଃ... ?’

 

ଆଉକିଛି ଶୁଣିବା ଆଗରୁ ଭୀରନ୍‌ ଗାଡ଼ି ଭିତରକୁ ପ୍ରବେଶ କରିବାର ଉପକ୍ରମ କଲେ, ଗାଡ଼ି ଗଡ଼ିଲା ।

 

ଏବଂ ଫେରିଲା... ।

 

ସେତେବେଳକୁ ସନ୍ଧ୍ୟା ହୋଇ ଆସିଲାଣି । ଭୀରନ୍‌ କର୍ତ୍ତବ୍ୟନିଷ୍ଠ ପୁରୁଷଭଳି ମେମ୍‌ ସାହେବାଙ୍କୁ ଖବର ଦେଇ ନିଜ କର୍ତ୍ତବ୍ୟ କ୍ଷେତ୍ରକୁ ଯିବା କଥା ।

 

‘ଏତେ ଶୀଘ୍ର ଫେରି ଆସିଲେ ?’

 

‘ବାହାଦୂର ଡ୍ରାଇଭରର ତାରିଫ୍‌ ନବାକୁ......’

 

‘ସେଇଠିତ ମୋର ସନ୍ଦେହ । ଆଚ୍ଛା ସେ ଏତେ ଶୀଘ୍ର ଛାଡ଼ିଦେଲା ?’

 

‘ହଁ ମାଡାମ୍‍ ! ସେ ବୋଧହୁଏ ଭାବିଲେ ଆପଣ ଯେତେ ଭଲ ଜିନିଷ ଖାଇବାକୁ ଦେଇଛନ୍ତି ତାଠାରୁ ଅଧିକା ଆଉ କିଛି ସେ ଦେଇପାରିବେ ନାହିଁ ।’

 

‘ଆପଣଙ୍କ ପୁଡ଼ିଂ ଆଉ ଆଇସ୍‌କ୍ରିମ୍‌ ଥୁଆ ହୋଇଛି । ଖାଇ ଦେଇ ଶୀଘ୍ର ଯା’ନ୍ତୁ । ସିଆଡ଼େ ସମସ୍ତେ ଖୋଜିବେଣି ।’

 

ଅବଜ୍ଞ କରିବାର ଉପାୟ ନାହିଁ । ଭିତରକୁ ଆଗେଇଲେ ଭୀରନ୍‌ ମାସାନୀ । ଡାଇନିଂ ଟେବୁଲ ପାଖରେ ବସିବା ପରେ ବୟ ଆଣି ଯେତେବେଳେ ପାଣି ଦେଇ ଫ୍ରିନ୍‌ ଭିତରୁ ପୁଡିଂ କାଢ଼ିବାକୁ ଗଲା ମେମ୍‌ ସାହେବଙ୍କର କହିବା ଶୁଣାଗଲା—

 

‘ଧନ୍ୟଲୋକ ! ପୁଡ଼ିଂ ପୁଣି ଆଇସ୍‌କ୍ରୀମ୍‌ । ଦି’ଟା ତ ପ୍ରାୟ ଏକା ଜାତୀୟ ଜିନିଷ ସେଇଟା ଏକାଠି କିଏ ଖାଏ ମୁଁ ଦେଖିନି ।’

 

ଖାଇବାକୁ ଦେଇଯିବା ପରେ ସମ୍ମୁଖ ଚେୟାରରେ ମେମ୍‌ ସାହେବ ନିଜେ ବସିଲେ । ମୁହଁରେ ତାଙ୍କର ଏକ ପ୍ରକାର ଦୁଷ୍ଟାମୀର ହସ ।

 

‘କେମିତି ଲାଗିଲା...’

 

‘ଭଲ...ନିତାନ୍ତ ସହଜ ଉତ୍ତର ।’

 

‘କିଏ...ମୋ ବାନ୍ଧବୀ ?’

 

ଚିନ୍‌ କରି ତାଙ୍କ ମୁଣ୍ଡ ଭିତରେ କ’ଣ ଗୋଟାଏ ମାରି ଦେଲା । ଆଖିପତା ସାମାନ୍ୟ ଅବଶ ବୋଧ କରିବା ଭିତରେ ତାଙ୍କର କେମିତି କିଛି ମନେ ପଡ଼ିଲା ଭଳି ଲାଗିଲା । ସେ ଆହୁରି ହିଂସ୍ର ହୋଇ ଉଠିଲେ । ଦୀର୍ଘନିଶ୍ୱାସ ନବା ଭିତରେ ପ୍ରକୃତିସ୍ଥ ହେଲେ, ନା ତାଙ୍କର ତ ଅତୀତ ନାହିଁ-

 

‘ନାଁ... । ତାଙ୍କ କନ୍ୟା’

 

କହି ସାରିଲା ପରେ ସେ ଭାବି ନେଲେ—ହଁ, ଠିକ୍‌ କହିଛନ୍ତି ତ । ଆକର୍ଷଣ ତାଙ୍କର ଅଧ୍ୟାପିକା ନୁହଁନ୍ତି ତାଙ୍କ ପାଖରେ ପଢ଼ୁଥିବା ବୟସର ଛାତ୍ରୀ । ତାଙ୍କ କନ୍ୟା ବି ହୋଇପାରେ ।

 

ଏକ ପ୍ରକାର ଅସ୍ପଷ୍ଟ ଚିତ୍କାର କରି ଉଠିଲେ ମେମ୍‌ ସାହେବ । ହଠାତ୍‌ କେମିତି ତାଙ୍କ ମୁହଁର ରଙ୍ଗ ବଦଳି ଗଲା । ସତେ ଯେମିତି ମେଞ୍ଚାଏ ଫୁଟନ୍ତା ଫୁଲକୁ କିଏ ମକଚି ମନ୍ଥି ଦେଲା ।

 

‘ଆପଣ ଏମିତି କ’ଣ କହୁଛନ୍ତି ? ତାଙ୍କ କନ୍ୟା ଆପଣଙ୍କର ଝିଅ ଭଳି...’

 

‘ତା’ ମାନେ ମୋ ଝିଅଭଳି ଯେଉଁମାନେ ସେମାନଙ୍କ ମାଆମାନେ ମତେ ମୋ ଝିଅର ମା ଭଳି ଦେଖାଯିବା ଉଚିତ୍‌, ଏଇଆ ତ ?’

 

‘କେଜାଣି ମୁଁ ଏତେ ବଙ୍କେଇ ବୁଲେଇ ବୁଝେଇ ଜାଣେ ନାହିଁ । ଯାହା କହିବାର କଥା କହିଲି ।’

 

‘ମାଡମ୍‌ ! ଏଇଟା ଅତି ସହଜକଥା । ନ ବୁଝିବାରେ ଏଥିରେ କିଛି ନାହିଁ । ମୋର ବୟସ ଯାହା ହୋଇଥାଉ ନାଁ କାହିଁକି ଯେତେ ବଢ଼ୁଥାଉ ନାଁ କାହିଁକି ମୋ ପାଇଁ ଆକର୍ଷଣ—ଅଧ୍ୟାପିକା ନୁହନ୍ତି ତାଙ୍କ ଛାତ୍ରୀ ।’

 

ସେତେବେଳକୁ ହୁଏତ ସମୟ ହୋଇ ଯାଇଥିଲା । ଏକା ନିଶ୍ୱାସକେ ଉଠି ଭୀରନ୍‌ ମାସନୀ ତାଙ୍କ ଅଫିସ ଅଭିମୁଖେ ମୁହାଁଇଲେ । ତା’ ପୂର୍ବରୁ ଥରେ ମନେ ପକେଇ ନେଲେ—

 

ପୁଡିଂ ଆଉ ଆଇସ୍‌କ୍ରୀମ ଦୁଇଟାଯାକ ପ୍ଲେଟ ସେ ନିଃଶେଷ କରିଛନ୍ତି । ନ ହେଲେ ମେମ୍‌ସାହେବଙ୍କର ଅସମ୍ମାନ ହୋଇଥାନ୍ତା ।

 

ନୈଶ ଭୋଜନର ଆସର ବେଶ୍‌ ଜମିଲା ।

 

ବହୁ ରଙ୍ଗ ବେରଙ୍ଗର ସଜ୍ଜିତ ବିଶିଷ୍ଟ ନାଗରିକ ଓ ନାଗରିକା ଗଣ ଯେତେବେଳେ ସେମାନଙ୍କର ବହୁ ଦିନର ଆକାଙ୍‌କ୍ଷିତ ଆସନ ଅଳଙ୍କୃତ କଲେ । ସେତେବେଳେ ସେ ସ୍ଥାନର ଶୋଭାରେ ଯେ କେହି ମୁଗ୍‌ଧ ହେବ । ନୃତ୍ୟ ସଂଗୀତ ଓ ବହୁବିଧ ବିଶେଷ ଆୟୋଜନ ପାଇଁ ବହୁ ଲୋକ ବ୍ୟସ୍ତଥାନ୍ତି । ସର୍ବୋପରି ଭୀରନ୍‌, କିନ୍ତୁ ତାଙ୍କର ନାସାରନ୍ଧ୍ର ଦେଇ ଉତ୍ତପ୍ତ ନିଶ୍ୱାସ କାହିଁକି ବାହାରୁ ଥାଏ ତାହା ସେ ନିଜେ ମଧ୍ୟ ବୁଝିପାରୁ ନ ଥାନ୍ତି ।

 

ରାତ୍ରୀର ବୟସ ବଢ଼ିବ ସଙ୍ଗେ ସଙ୍ଗେ ଅନ୍ୟ ସମସ୍ତଙ୍କର ବୟସ ଯେତେବେଳେ କମିବା ଆରମ୍ଭ କଲା ସେତିକିବେଳେ ଗୋଟାଏ କଣରେ ସାମାନ୍ୟ ଉତ୍ତେଜନା ହେଲା ଭଳି ଜଣାଗଲା । ଭୀରନ୍‌ ସେଠାକୁ ଆଗେଇଲେ । ମୁହୂର୍ତ୍ତକ ଭିତରେ ତାଙ୍କୁ ଘଟଣାଟା ବୁଝିବାକୁ ବାକି ରହିଲା ନାହିଁ-

 

ବହୁ ପରିକଳ୍ପିତ ନବବର୍ଷକୁ ଶୁଭେଚ୍ଛା ଜଣେଇବା ପାଇଁ ପ୍ରେମିକ ଓ ପ୍ରେମିକା ମନସ୍ଥ କରିଛନ୍ତି । ଏଇଠି ଏ ଆସରରେ ନିଜକୁ ଉପଭୋଗ କରିବାର ବାସନା ନେଇ ସେମାନେ ଏଠାକୁ ଆସିଛନ୍ତି । ଏ ଯୋଜନା କିନ୍ତୁ ତାଙ୍କର ଜଣାପଡ଼ିଛି ତାଙ୍କର କେତେକ ବନ୍ଧୁଙ୍କୁ । ଆସୁ ଆସୁ ବାଟରେ ଅଟକେଇଛନ୍ତି । ବିଶେଷ କିଛି ନ କହି କେବଳ କିଛି ପାନୀୟ ଆଉ ଭୋଜନ ପରେ ଏ ଦୁହିଁଙ୍କୁ ଛାଡ଼ି ଦେଇ ବିଦାୟ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଏଠି ସେ ସବୁ ସେବନପରେ ସମସ୍ତେ ଖୋଲିଖୋଲି ଉପସ୍ଥାପିତ କରିଛନ୍ତି ନାୟିକାର ସାନ୍ନିଧ୍ୟ । ଅନନ୍ୟୋପାୟ ହୋଇ ପ୍ରେମପାଗଳ ଯୁବକଟି ହାତଗୋଡ଼ ଧରି ମଧ୍ୟ ଫଳ ହୋଇନାହିଁ ବରଂ ସେମାନେ ନିଷ୍ପ୍ରତ୍ତ ଆଲୋକର ସୁବିଧା ନେଇ ସାମାନ୍ୟ ଅଶ୍ଳୀଳତା ପ୍ରକାଶ କରିଛନ୍ତି ।

 

ଭୀରନ୍‌ଙ୍କୁ ଝିଅଟି ଆକୁଳତାର ସହିତ ଚାପା କଣ୍ଠରେ ସବୁ କହି ପକେଇଛି । ଭୀରନ୍‌ ସମସ୍ତଙ୍କ ଉପରେ ଥରେ ଆଖି ବୁଲେଇ ନେଲେ । ପାଞ୍ଚଜଣ ବେଶ୍‌ ପାରିବାର ଯୁବକ । ପୁରୁଷ ସିଂହଭଳି ଛାତି ଫୁଲେଇ ଦର୍ପଭରେ ବସିଥାନ୍ତି । ତରୁଣ ଓ ତରୁଣୀ ଦୁଇଜଣ ସମ୍ପୂର୍ଣ୍ଣ ଭାବରେ ଝାଉଁଳି ପଡ଼ିଛନ୍ତି । ଭୀରନ୍‌ ସେ ଯୁବକମାନଙ୍କୁ ହାତ ଯୋଡ଼ି ଅନୁରୋଧ କଲେ । ଏ ପ୍ରକାର ଏକ ଉତ୍ସବରେ ପାଟି କରିବା ପାଇଁ ବାରଣ କଲେ । ପ୍ରଥମେ ସେ ପଞ୍ଚ ପୁରୁଷ ଭୀରନଙ୍କୁ ପ୍ରତ୍ୟାଖ୍ୟାନ କଲେ । ଏଇଟା ବ୍ୟକ୍ତିଗତ କଥାରେ ମୁଣ୍ଡ ନ ପୂରେଇବା ପାଇଁ କହିଲେ କିନ୍ତୁ ଭୀରନ୍‌ ପୁଣି ଅନୁନୟ କଲେ । ନେହୁରା ହୋଇ ଅନୁଷ୍ଠାନର ସମ୍ମାନ ପାଇଁ ନୀରବରେ ରହିବା ବା ଛାଡ଼ିବା ପାଇଁ ପ୍ରସ୍ତାବ ଦେଲେ । ସେ ଯୁବକ ମାନଙ୍କୁ ଏ ପ୍ରସ୍ତାବ ସୁହାଇଲା ଭଳି ଲାଗିଲା । ସେମାନେ ମଧ୍ୟ ଅନୁରୂପ ପ୍ରସ୍ତାବ ଦେଲେ ଯେ ସେମାନେ ସମସ୍ତେ ବାହାରକୁ ଚାଲିଯିବେ । ତାଙ୍କର ବୁଝାବୁଝି ହେବେ । କିନ୍ତୁ ଯେତେବେଳେ ନିରୀହ ପ୍ରେମିକାଟି ଅସହାୟ ଭଳି କାନ୍ଦିବା ଆରମ୍ଭ କଲା ସେତେବେଳେ ଭୀରନ୍‌ ଶୃଙ୍ଖଳା ରକ୍ଷାପାଇଁ ସେ ପଞ୍ଚପୁରୁଷଙ୍କୁ ବିଦାୟ ନବାକୁ ଅନୁରୋଧ କଲେ ।

 

ଫଳ ବିପରୀତ ହେଲା । ସେମାନେ ଭୀରନ୍‌ଙ୍କୁ କେବଳ ଭର୍ତ୍ସନା କଲେ ନାହିଁ, ଧମକେଇଲେ ହାତ ଲଗେଇ ଠେଲିଦେଲେ । ଭୀରନ୍‌ ତଥାପି ସେମାନଙ୍କ ଗୋଡ଼ ଧରିବାକୁ ପ୍ରସ୍ତୁତ ହେଲେ । ସେଥିରେ ମଧ୍ୟ ଲାଭ ହେଲା ନାହିଁ । ହଠାତ୍‌ ଯେତେବେଳେ ସେ ପଞ୍ଚପୁରୁଷ ପଞ୍ଚବୀରରେ ପରିଣତ ହୋଇ ଆଉ ଅଧିକା କହିଲେ, ଏ ଉତ୍ସବକୁ ଭାଙ୍ଗି ବନ୍ଦ କରିଦେବେ ବୋଲି ଧମକେଇଲେ ସେତେବେଳେ ଭୀରନ୍‌ଙ୍କର କାହାକୁ ଡାକିବା ପାଇଁ ଧୈର୍ଯ୍ୟ ନ ଥିଲା ।

 

ମାତ୍ର ପାଞ୍ଚମିନିଟ ପୂରିବା ଆଗରୁ ଭୀରନ୍‌ ଯେତେବେଳେ ପୁନର୍ବାର କକ୍ଷ ଭିତରକୁ ଫେରି ଆସିଲେ ସେତେବଳକୁ ପ୍ରଣୟୀ ଯୁଗଳ ସନ୍ତ୍ରସ୍ଥ ଅବସ୍ଥାରେ ଥରୁଥାନ୍ତି । ଅତି ସହଜ ଭାବରେ ପାଖରୁ ଆସି ଭୀରନ୍‌ ତାଙ୍କୁ ଆଶ୍ୱାସନା ଦେଲାବେଳେ ଆଖି ବୁଲେଇ ନେଲେ । ନ, ବିଶେଷ କେହି କିଛି ଜାଣିପାରି ନାହାଁନ୍ତି । ସେ ଦୁହେଁ କେବଳ ଭୀରନ୍‌ଙ୍କୁ ଚାହିଁ ଭାବୁଥିଲେ ଏଇ ବ୍ୟକ୍ତି କେବଳ ଜଣେ ନାଁ ଦଶଜଣର ସମଷ୍ଟି । ପାଞ୍ଚଟି କୁକୁଡ଼ାକୁ ଆୟତ୍ତ କରିବା ବେଳେ ମଧ୍ୟ ଜଣକୁ ସାମାନ୍ୟ ଶ୍ରମ ସ୍ୱୀକାର କରିବାକୁ ପଡ଼ିଥାଏ । ଏ ଦୁହିଁଙ୍କୁ ତଥାପି ସହଜ ନ ହେବାର ଦେଖି ଭୀରନ୍‌ କହିଲେ—

 

‘ଆପଣ ନିଶ୍ଚିନ୍ତ ରୁହନ୍ତୁ ସେମାନଙ୍କୁ ଖାଇଥିବା ବିଲ ମଧ୍ୟ ଆପଣଙ୍କୁ ଦବାକୁ ପଡ଼ିବ ନାହିଁ ।’

 

କିଛି ସମୟ ପରେ ଆଲୋକ ଆହୁରି ନିଷ୍ପଭ୍ର ହେଲା । କେଜାଣି କେମିତି ଭୀରନ୍ ମାସାନୀ ସାମାନ୍ୟ ଅସ୍ୱସ୍ଥି ଅନୁଭବ କଲେ । ସବୁ ଠିକ୍‌ଠିକ୍‌ ଚାଲିଛି, ତାଙ୍କର କର୍ତ୍ତବ୍ୟ ଶେଷ ହୋଇଛି । ଆଉ ବେଶି ସମୟ ଅପେକ୍ଷା ନ କରି ମଧ୍ୟରାତ୍ରୀରେ ପୁରାତନ ବର୍ଷକୁ ବିଦାୟ କଣେଇ ନୂତନ ବର୍ଷକୁ ସ୍ୱାଗତ କରିବେ ସମସ୍ତେ । ବିଭିନ୍ନ ଢଙ୍ଗରେ ବିଭିନ୍ନ ଢଙ୍ଗରେ ବିଭିନ୍ନ ରଙ୍ଗରେ । ସେଠାରେ ଭୀରନ୍ କ’ଣ କରିବା ? ତଙ୍କରତ ଏସବୁ ଅନୁଭୂତି ନାହିଁ ବା ଲୋଡ଼ା ନାହିଁ ।

 

ନିଜ କକ୍ଷରେ ବିଛଣା ଉପରେ ନିଜକୁ ଲୋଟେଇ ଦେବା ପରେ ତାଙ୍କୁ ଆହୁରି ବିବ୍ରତ ଲାଗିଲା । ସତେ କିଏ ନିଃସଙ୍ଗ ପରିବେଶଟା ତାଙ୍କୁ ଅସହ୍ୟ ଲାଗୁଛି । ସେ ଉତ୍ସବ ବରଂ ଭଲ ଥିଲା-। କିନ୍ତୁ ସେଠି ଭଲ ଲାଗିଲା ନାହିଁ ବୋଲିତ ସେ ଆସିଲେ । ମୋଟେ ନୁହେଁ । ଆଉ ଯିବେ ନାହିଁ ସେଠାକୁ । ଆଖି ବନ୍ଦ କଲାବେଳକୁ କ’ଣ ଗୁଡ଼ାଏ ତାଙ୍କ ଆଖି ଆଗରେ ନାଚି ଉଠିଲାଭଳି ଲାଗିଲା-। ଆଖି ଖୋଲିଲେ ଶୂନ୍ୟତା ଭୂତଭଳି ମାଡ଼ି ବସିବାର ଧମକ ଦେଲା । ଏ ପ୍ରକାର ପରିସ୍ଥିତିରେ ଏକ ମାତ୍ର ସମାଧାନ ନିଦ ବଟିକା ।

 

ହାତରେ ନିଦବଟିକା ଧରିବାପରେ ଭୀରନ୍‌ ମାସାନୀ ହଠାତ୍‌ ତାଙ୍କର ନିଦବଟିକା ଖାଇ ଶୋଇରହିବା ଦରକାର ? କାହାକୁ ସେ ଭୟ କରୁଛନ୍ତି ? ସ୍ମୃତିଟା କ’ଣ ପ୍ରେତ ? ତେବେ କାହିଁକି ସବୁବେଳେ ଅତୀତଟାକୁ ମନେପକେଇବାକୁ ଡରୁଛନ୍ତି ? ବରଂ ତାକୁ ବାରମ୍ବାର ମନେପକେଇ ଭୀରନ୍‍ ମାସାନୀ ପ୍ରମାଣ କରିବା ଉଚିତ୍‌ ଯେ ସେ ଆଦୌ ଅନୁତପ୍ତ ନୁହଁନ୍ତି । ବହୁବାର ସେ ସ୍ମୃତିକୁ ରୋମନ୍ଥ କରି ମଧ୍ୟ ଅତି ତାତ୍ସଲ୍ୟର ସହିତ ସେଗୁଡାକ ଭୁଲି ଯାଇ ପାରିବେ ।

 

ଫୋପାଡ଼ି ଦେଲେ ବଟିକା ଦି’ଟାକୁ । ପାଗଳାମୀ ସେ କରିପାରିବେ ନାହିଁ ଏଭଳି ପ୍ରତିକ୍ରିୟା ଯଦି ତାଙ୍କର ବଢ଼ି ତାଙ୍କର ଚାଲିବ ତେବେ ହୁଏତ ସେ କୌଣସି ଠାରେ ଦୁଇଟା ଚଢ଼େଇର ଚିତ୍ର ଦେଖି ପାରିବେ ନାହିଁ । କାନ୍ଥରେ ଯୁଗଳଛବିର କ୍ୟାଲେଣ୍ଡର ଟାଙ୍ଗି ପାରିବେ ନାହିଁ-। ଦୁଇଟା ଚେୟାର ଏକାଠି ପଡ଼ିବା ସହି ପାରିବେ ନାହିଁ ବା ଦୋକାନର ମୋ ରୁମ୍‌ରେ ଶାଢ଼ି ଓ ସାର୍ଟ ଏକା ସୋ କେସ୍‍ରେ ଟଙ୍ଗା ହବାକୁ ଅନୁମତି ଦେବେ ନାହିଁ । ତାଙ୍କ ଟେବୁଲରେତ ପୁଣି ଦୁଇଟା ପେପରଓ୍ୱେଟ ବେଳେବେଳେ ଏକାଠି ରହି ଯାଉଛନ୍ତି । ନାଲି ଓ କଳା କଲମ ଦି’ଟା ତ ପୁଣି ଯୋଡ଼ି ହେଇ ସମ୍ମୁଖରେ ରହୁଛି ।

 

ଯଦି କେବେ ମନ୍ଦିରକୁ ଯାଆନ୍ତି ତେବେ ରାଧା ଆଉ କୃଷ୍ଣଙ୍କ ମୂର୍ତ୍ତିଙ୍କୁ ଦେଖି...... !!!

 

ସେଇ ଅତୀତ । ସେଇ ରାଧାକୃଷ୍ଣ ଉପାଖ୍ୟାନ ।

 

ମାନମୟୀ ରାଧିକା ମାନକରି କହିଲେ—

 

‘ହେ ବଂଶୀଧାରୀ ! ତୁମରି ମୋହନ ବଂଶୀ ନବବର୍ଷର ସ୍ୱାଗତିକା ଗାଇ ଏଥରକ କେଉଁ କୁଞ୍ଜରେ ବାଜିବ ?

 

ବଂଶୀଧାରୀ ବୁଝିଲେ । ଅଭୟ ଦେଲେ । ରାଧାଙ୍କ ପାଇଁତ ଛାର ବାଉଁଶ ଖଣ୍ଡେ ବଂଶୀସାଜି ସ୍ୱର ତୋଳିଛି ତେଣୁ ନୂତନ ବର୍ଷର ଆବାହନୀ—ତାଙ୍କରି କୁଞ୍ଜରେ ।

 

ତାହା ହିଁ ହେଲା । ବର୍ଷର ଶେଷତାରିଖ ସଞ୍ଜରେ ରାଧାଙ୍କ କୁଞ୍ଜରେ ଯେତେବେଳେ ବଂଶୀଧାରୀଙ୍କ ରଥ ଅଟକିଲା, ମାନନୀୟ ରାଧିକା ଆହ୍ଲାଦିତ ହେଲେ । କଣ୍ଟ ଦେଇ କଥା ରଖିଛନ୍ତି ଶ୍ରୀକୃଷ୍ଣ । ରାଧା ବୁଝିଲେ, ଆଜି ଆଉକାହା କଥା ସ୍ମରଣକରି ମାନକରିବାର କିଛି କାରଣ ନାହିଁ । ଗତାୟୁ ବର୍ଷର ଶେଷ ସଞ୍ଜରେ ଏ କୁଞ୍ଜରେ ଯେଉଁ ରାସ ରଚିବେ ରାଧିକା, ତାହା ବର୍ଷ ନୁହେଁ ଶତାବ୍ଦୀଧରି ଜନମନକୁ ବିଚଳିତ କରିବ ।

 

ପ୍ରଥମ କ୍ରୀଡ଼ାର ପ୍ରସ୍ତୁତି । କୁଞ୍ଜରେ ଜଗୁଆଳ, ରାଧାଙ୍କ ଦେହରକ୍ଷୀମାନଙ୍କୁ ଛୁଟି ଦେଇଦିଆଗଲା । ବର୍ଷଶେଷରେ ରାତ୍ରୀକୁ ସେମାନେ ଉପଭୋଗ କରିବେ କୁଞ୍ଜ ଚଉଦବାର ବାହାରେ । ଏକାନ୍ତ ନିରୋଳା । ଫଳାହାର କରି ରହିବେ ପଛେ ଭୋଜନ, ସେବନ କୌଣସି ସମସ୍ୟା ବିବ୍ରତ କରିବାରେ ନୁହେଁ ।

 

ଆରମ୍ଭ ହେଲା ରାସ ।

 

ନୂପୁରର ରୁଣୁଝୁଣୁ । ବଂଶୀର ସ୍ୱନ, କିଙ୍କିଣୀ, ଚାପସରି, ଚନ୍ଦ୍ରାହାର ସବୁର ମିଶ୍ରରାଗ । ଭୁଜ ବନ୍ଧନରେ ଜଡ଼ିଗଲେ ରାଧିକା । ବନ୍ଧନରେ ଅସରନ୍ତି ବନ୍ଧର ଉପକ୍ରମ । ସତେ ଯେମିତି ଏହା ଶେଷ ହବାର ନାହିଁ । ରାଧା ବୁଝିଲେ ବାଧାବନ୍ଧନ ବିହୀନ ଏ ମିଳନ । ମୋହନ ଆଜି ମାତି ଉଠି ମଜ୍ଜି ଯାଇଛନ୍ତି । ତାଙ୍କୁ ନିଃଶେଷ କରିବା ଆଗରୁ କିଛିଟାତ ବାକି ରହିବା ଉଚିତ୍‌ ।

 

‘ମଧ୍ୟ ରାତ୍ରୀ ହେବାକୁ ବେଶ୍ ସମୟ ବାକି । ଥକ୍‌କା ଲାଗିଲାଣି ମୋହନ । ଏତେ ପ୍ରୀତି ଦେଇ ଆଉ ପାଗଳା କରନା ମୋତେ । ନିଃଶ୍ୱାସ ନେବାକୁ ଦିଅ । ନୟନରେ ଏତେଯେ ନିଦ ଭରି ଦେଲେ, ମୁଦ୍ରିତ ନୟନରେ ମୁଁ ତୁମକୁ ସ୍ୱପ୍ନରେ ଥରେ ଦେଖେ । ମଧ୍ୟରାତ୍ରୀ ହେବା ଆଗରୁ ପୁନର୍ବାର ମତେ ଜଣେଇବ ।

 

ମୋହନ ହିଁ ଭରିଲେ । ତୃପ୍ତ ରାଧିକା ନିଦ୍ରା ଗଲେ ।

 

ହଠାତ୍ ତାଙ୍କର ସ୍ମରଣ ହେଲା । ଆସୁ ଆସୁ ରାଧା ପ୍ରଶ୍ନ କରିଥିଲେ—

 

‘କୁହତ ଦେଖି ! କେଉଁ ବେଶ ମୋରି ସବୁଠାରୁ ପ୍ରିୟ ତୁମପାଇଁ ? କାଲି ସକାଳୁ ନବବର୍ଷର ଆରମ୍ଭରେ ତୁମ ପ୍ରିୟ ବେଶ ପିନ୍ଧିବି । ସବୁ ଶାଢ଼ି ମୋର ସଜାଡ଼ି ରଖିଛି । ତୁମରି ମତାମତ କେବଳ ମୋର ଦରକାର ।’

 

ସେତେବେଳେ ଉତ୍ତର ଦେଇ ନ ଥିଲେ ମୋହନ । ବର୍ତ୍ତମାନ ତାଙ୍କର ମନେ ପଡ଼ିଲା । ବସ୍ତ୍ର ସିନ୍ଦୁକ ଖୋଲି ଦେଖିଲେ । ଦାମୀ ଶାଢ଼ି ସବୁ ଚଉତା ହୋଇ ସାଇତା ରହିଛି । ତାଙ୍କ ମସ୍ତକରେ ଏକ ବୁଦ୍ଧି ପଶିଲା । ସବୁବେଳେ କୁଟକପଟିଆ ନଟବର । ହଠାତ୍ ଯେତକ ବାଜେ ଶାଢ଼ି ସୁଦ୍ଧା ବାହାରେ ପଡ଼ିଥିଲା ସବୁ ସଜାଡ଼ି ଦେଲେ । ଯଥାରୀତି ତାକୁ ଚଉତିଲେ ଘଣ୍ଟା ଘଣ୍ଟା ଧରି ।

 

ଘମାଘୋଟ ନିଦ ରାଧିକାଙ୍କୁ । ଜାଣିବାର କିଛି ଜୁ ନାହିଁ ।

 

ସବୁ ଶେଷ କରି ବଂଶୀଧାରୀ ପୁଣି ମୋହନ ବେଣୁ ନାଦ କଲେ । ଅଳସ ଭାଙ୍ଗି ଉଠିଲେ ରାଧିକା । ମଧ୍ୟ ରାତ୍ରୀର ସଙ୍ଗୀତ ଗାଇ ପୁଣି ଆରମ୍ଭିଲେ ରାସ । ମିଳନ ପର୍ବର ପୃଷ୍ଠା ଓଲଟି ଚାଲିଥାଏ ।

 

ରାତି ପାହିଗଲା । ପକ୍ଷୀର କାକଳିରେ ଦୁହିଁଙ୍କର ଧ୍ୟାନଭଙ୍ଗ ହେଲା । ନବବର୍ଷର ନୂତନ ସକାଳ । ପ୍ରଭାତ ସୂର୍ଯ୍ୟ ଉପରକୁ ଉଠିବେ ଅଳ୍ପ ସମୟ ପରେ । ରାଧିକା ଉଠିଲେ ସ୍ନାନ କରିବାକୁ । ନୂତନ ବର୍ଷର ପ୍ରଥମ ଦିନ ପରା । ତାଙ୍କର ମନେ ପଡ଼ିଗଲା ।

 

‘କୁହତ ! କେଉଁବେଶ ତୁମପାଇଁ, ପିନ୍ଧିବି ? ଯେଉଁ ବେଶ ଦେଖି ସବୁଠାରୁ ମତେ ଅଧିକା ଆଦର କରିବ ।’

 

ହସିଲେ ଶ୍ରୀକୃଷ୍ଣ ।

 

‘ଆଗ ସ୍ନାନ ଶେଷ ହେଉ । .......ତା’ ପରେ କହିବି ।’

 

ରାଧିକା ଚାଲିଲେ ସୁବୋଧ ବାଳିକା ସମ । ସ୍ନାନ ଶେଷକରି ଝୀନ ଆର୍ଦବସ୍ତ୍ର ପିନ୍ଧି କୃଷ୍ଣଙ୍କ ଆଦେଶକୁ ଅପେକ୍ଷା କଲେ ରାଧିକା । ଦୁଷ୍ଟ କୃଷ୍ଣ ଉଠିଗଲେ ପାଖକୁ ପିନ୍ଧା ବସ୍ତ୍ର ଖଣ୍ଡି ସମ୍ପୂର୍ଣ୍ଣ ଭାବରେ ଅଙ୍ଗରୁ କାଢ଼ିଦେଲା ପରେ କହିଲେ ।

 

‘ଏ ବେଶରେ ମୋର ସବୁଠୁ ଶରଧା । କରିବ ନାହିଁ ଗୋ ବଞ୍ଚିତ କେବେ ମୋତେ ।’

 

ଲାଜରେ ଝାଉଁଳି ଗଲେ ସତେକି ରାଧିକା । ତା’ର ପରେ ପରେ କୃଷ୍ଣଙ୍କ ପ୍ରସ୍ତାବ । ପ୍ରତ୍ୟେକଟି ଶାଢ଼ି ଆଜି ସେ ପିନ୍ଧିବେ ଏବଂ ପ୍ରତି ବେଶ ପରେ ରାଧିକାଙ୍କୁ ସ୍ପର୍ଶ କଲା ପରେ ପ୍ରତିତ ପଣତିରେ ମୁହଁ ପୋଛିବେ ।

 

‘କୁହତ ! କେଉଁ ବେଶକୁ ଅବହେଳା କରିବି ? କେଉଁ ବେଶ ହେଲେ ତୁମେ ଅସୁନ୍ଦର ଦେଖାଯାଅ ବୋଲି କହିବି ? ନାଁ, ମତତେ କ୍ଷମାକର । ସବୁଶାଢ଼ି ତୁମ ଅଙ୍ଗଲାଗି ହୋଇଛି । କାହାକୁ ସୁଦ୍ଧା ମୁଁ ଅବହେଳା କରି ପାରିବି ନାହିଁ । ଆସଗୋ ରାଧିକେ ! ଇଏ ବି ତ ଆମ ପ୍ରେମର ଏକ ନୂତନ ଦିଗନ୍ତ । ସବୁ ଶାଢ଼ି ପିନ୍ଧି ଇତିହାସ ଏକ ଲେଖିଯିବା ।’

 

ବାସ୍ତବରେ ସେଇଆ ହିଁ ହେଲା ।

 

ଶାଢ଼ି ଶେଷ ହେଲାବେଳକୁ ଦୁହେଁ ଥକି ପଡ଼ିଥିଲେ । ତଥାପି ସେ କ୍ଳାନ୍ତିରେ ଥିଲା ଆନନ୍ଦ । ସେ ସ୍ୱେଦର ବିନ୍ଦୁରେ ମଧ୍ୟ ଥିଲା ବରଫର ଶୀତଳତା ।

 

‘ଆଜି ନୂତନ ବର୍ଷ, ଆମେ ନୂତନ ନାଁ ପୁରାତନ ?

 

‘ବହୁ ପୁରାତନ ପୁଣି ସମ୍ପୂର୍ଣ୍ଣ ନୂତନ.....ପୁଷ୍ପ ।

 

ଓଃ....ନାଃ....ପୁଷ୍ଟ ପରି କୋମଳାଙ୍ଗୀ ରାଧିକାଙ୍କୁ ହୁଏତ ପୁଷ୍ପ ବୋଲି ସେ କେବେ ଡାକିଥାଇ ପାରନ୍ତି । କିନ୍ତୁ ନାଁଟା ଆଦୌ ଖାପ୍‌ ଖାଉନାହିଁ ବରଂ ରାଧିକା ବେଶ୍ ।

 

ହେଃ.....ସବୁଗୁଡ଼ା ଚରମ ଶଠତା ଆଉ ଧପ୍‌ପାବାଜି । ଶ୍ରୀକୃଷ୍ଣ ହୁଏତ ସେତେବେଳେ ମହାମୁର୍ଖ ଥିଲେ । ନଚେତ୍ ଭୀରନ୍‌ ମାସାନୀ ହୋଇଥିଲେ ସେଇ ରାଧିକାଙ୍କୁ ଭିନ୍ନ ଭିନ୍ନ ଶାଢ଼ି ପିନ୍ଧେଇ ନୂଆ ରୂପରେ ଦେଖିବାର ମୁର୍ଖାମୀ କରି ନଥାନ୍ତେ । ବରଂ ସେଇ ଶାଢ଼ିକୁ ରାଧିକାଙ୍କ ସହଚରୀଙ୍କୁ ଖଣ୍ଡେ ଖଣ୍ଡେ ବାଣ୍ଟି ଦେଇ ଅନେକ ରାଧିକା ସଜେଇ ସମସ୍ତଙ୍କ ସହିତ କେଳିକୁଞ୍ଜର ଆୟୋଜନ କରିଥାନ୍ତେ । ତାଦ୍ୱାରା ନବବର୍ଷର ପ୍ରଥମ ଦିନଟା କାହିଁକି ମାସଟା ମଧ୍ୟ ନୂତନ ଦେହର ଗନ୍ଧରେ ଅମୋଦିତ ହୋଇଥାନ୍ତେ ।

 

ଆଉ ଯଦି ହଠାତ୍....ରାଧିକା ଅଧ୍ୟାପକ ହୋଇଥାନ୍ତେ ?

 

ତେବେ ତାଙ୍କର ଶାଢ଼ିଙ୍କୁ ତାଙ୍କ ଉପସ୍ଥିତିରେ ସଶ୍ରଦ୍ଧ ଛାତ୍ରୀମାନଙ୍କ ପିନ୍ଧେଇ ତାଙ୍କ ଅନୁପସ୍ଥିରେ .....ଅନେକ ....ଅନେକ କିଛି କରି ପାରିଥାନ୍ତେ ।

 

ଉଚ୍ଚ ସ୍ୱରରେ ହସିହସି ବେଦମ ହୋଇଗଲେ ଭୀରନ୍ ମାସାନୀ । ହାତଘଣ୍ଟାକୁ ଚଚାହିଁ ଭୀରନ୍‌ ଦେଖିଲେ ରାତି ପାହିବାକୁ ମାତ୍ର ଦୁଇଘଣ୍ଟା ବାକି । ତାଙ୍କୁ ଜୋରରେ ନିଦ ଲାଗିଲାଣି ଶୋଇବା ଉଚିତ୍ । ସେହିପରି କେତୋଟି ମୂର୍ଖ ରାଧା ଓ କୃଷ୍ଣର ଦଳ ହଲରେ ବସି ବା ଶୋଇ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି ।

 

ନୂଆବର୍ଷ ଦିନ ଭୀରନ୍ ଅଫିସକୁ ଆସିଲାବେଳକୁ ନଅଟା । କେତେବେଳ ଯାକେ ସେ ଶୋଇଛନ୍ତି ତାଙ୍କର ହୋସ୍‌ ନାହିଁ । ଭୀରନ୍ ଆସି ମାମୁଲି ଶୁଭେଚ୍ଛା । କାହାକୁ ଜଣେଇ ନିଜ ସ୍ଥାନକୁ ଆସିଲାବେଳକୁ ବେହେରା ଆସି ଖବରଦେଲା । ସାହେବ୍ ଦୁଇଥର ଖୋଜିଲେଣି । ଭୀରନ୍ ପ୍ରଥମେ ଭାବି ପାରିଲେ ନାହିଁ ଏତେ ସକାଳୁ ସାହାବ ଆସିଯିବେ । କିନ୍ତୁ ସେଇ ସାଙ୍ଗେ ସାଙ୍ଗେ ତାଙ୍କର ମନେ ପଡ଼ିଗଲା କାରଣଟା ।

 

ମନଟା ସାମାନ୍ୟ ଝାଉଁଳି ଗଲା ଭୀରନ୍‌ଙ୍କର । ସକାଳୁ ଆସିବାର ଯଥେଷ୍ଟ କାରଣ ଅଛି-। ମେମ୍‌ସାହାବଙ୍କ ବିଦାୟୀ ବର୍ଷର ଶେଷଦିନରେ ଯେଉଁ ଅନୁଭୁତି ଏବଂ ଗତ ରାତ୍ରିର ଦିନର ଭିତରେ ଯେଉଁ ପରିସ୍ଥିତି–ସେଥିପାଇଁ ନବବର୍ଷର ଶୁଭେଚ୍ଛା ଜଣେଇବାକୁ ନିଶ୍ଚୟ ସାହାବ ଡାକିବା ଉଚିତ୍ ।

 

ଭୀରନ୍ ପରମୁହୂର୍ତ୍ତରେ ଅନୁତାପ କରିଛନ୍ତି । କ’ଣ ଦରକାର ଥିଲା ମେମ୍‌ ସାହେବଙ୍କୁ ଏମିତି ବିଚକ୍ଷଣ ପ୍ରତିଉତ୍ତରଟାଏ ଦବା । ଯେତେବେଳେ ସେ ମାଲିକାଣୀ । ଆଉ ଭୀରନ୍‌ ତାଙ୍କର ଦରମାଖିଆ ଚାକର । ଠିକ୍‌ ସେହିପରି ଭୋଜନ କକ୍ଷରେ ଧସ୍ତାଧସ୍ତି । ଏତେବଡ଼ ଉତ୍ସବର ଉଦ୍ଦେଶ୍ୟ ତ କେବଳ ସେଇଆ । ସେଠିକୁ ସେହିପରି ବ୍ୟକ୍ତି ଆସିବା ସ୍ୱାଭାବିକ । ତେଣୁ ଗରାଖ ଇଶ୍ୱରମାନଙ୍କ ସହିତ କର୍ତ୍ତୃପକ୍ଷ ଝଗଡ଼ା କରିବାର କିଛି ଅର୍ଥ ହୁଏନା । ତାଦ୍ୱାରା ଏଭଳି ବ୍ୟବସାୟ ପ୍ରତିଷ୍ଠାନର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି ।

 

ପରସ୍ପରକୁ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣେଇ ସାରିଲାପରେ ସାହାବ ଯେତେବେଳେ ବସିବାକୁ କହିଲେ ସେତେବେଳେ ଭୀରନ୍ ଏକରକମ ତାଙ୍କ ଭବିଷ୍ୟତ ସମ୍ପର୍କରେ ଅନୁମାନ କରିପାରୁଥିଲେ ।

 

‘ଆଜି ନୂଆବର୍ଷରେ ମୋର ପାଳି । ଆପଣଙ୍କର ଲଞ୍ଚ୍‌ ଡିନର ସବୁ ସେଠି । ଆପଣଙ୍କ ପୁଡ଼ିଂ ଆଉ ଆଇସ୍‌କ୍ରୀମ୍‌ ପରା ସବୁଠାରୁ ପ୍ରିୟ ଖାଦ୍ୟ—ମିସେସ୍ କହୁଥିଲେ ?’

 

ଭୀରନ୍ ନୀରବ ରହିଲେ । କ’ଣ ବା କହି ପାରିବେ । ସେଇ ପୁଡ଼ିଂ ଆଇସ୍‌କ୍ରିମ୍‌ ଆଡ଼କୁ କଥାଟା ଗଡ଼ିଲାଣି । ତାପରେ ସାହାବ ଉଠିଲାବେଳକୁ କହିଲେ—

 

‘ଆପଣ ଯିବାଆଗରୁ ପୋଲିସ ଆସିଲି ସେ ଲୋକକେଇଟାଙ୍କୁ ଦେଇ ଦେବେ ।’

 

‘କୋଉ ଲୋକ ସାର୍ ?’

 

‘କାଲି ଆପଣ ଯାହାଙ୍କୁ ନାକଫାଟକ ଫଟେଇ ବିଦା କରିଦେଲେ ।’

 

ଚମକି ପଡ଼ିଲେ ଭୀରନ୍‌ । ସାହାବ କେମିତି ଜାଣିଲେ ? ସେମାନେ କିଏ ? କୁଆଡ଼ୁ ଆସିଥିଲେ ?

 

‘ମୋର ଆଜି ଫେରିବାର କଥା । କାଲି ଶେଷ ଫ୍ଳାଇଟ୍‌ରେ ଚାଲି ଆସିଲୁ । ବେଶ୍ ରାତିରେ ଆସିଲି । ମୁଁ ପହଞ୍ଚିଲାବେଳକୁ ଆପଣ ସେମାନଙ୍କୁ ମାରିମାରି ବିଦା କିରିଦେଲେ । ତେବେ ବିଦା କରିଦେଲେ ତ ହବ ନାହିଁ । ସେମାନେ ଧରନ୍ତୁ ଛକିକରି ରହିଥାନ୍ତେ ଏବଂ ଯେତେରାତିରେ ବି ହଉ ସେ ଝିଅଟା ବାହାରି ଯାଇଥାନ୍ତା । ତା’ପରେ ଏମାନେ ଯାହା କରିବାର କରିଥାନ୍ତେ । ମୁଁ ତାଙ୍କୁ ପୁଣି ଧରେଇ ଗୋଟାଏ ରୁମ୍‌ରେ ତାଲା ପକେଇ ଦେଇଛି । ପୋଲିସ ସକାଳୁ ଆସିବା କଥା, ଗାଡ଼ିରେ ନେଇଯିବେ ସେମାନଙ୍କୁ ।’

 

ଭୀରନ୍‌ ଆଶ୍ଚର୍ଯ୍ୟ ହେଲେ । ତେବେ ସାହାବ ସବୁ ଜାଣିଛନ୍ତି । କିନ୍ତୁ କେମିତି ? ସେହି ଦିନଠାରୁ ଭୀରନ୍‌ ମାସାନୀଙ୍କପାଇଁ ସାହାବ ଦିନକୁ ଦିନ ଆହୁରି ଦୁର୍ବୋଧ୍ୟ ହୋଇ ଉଠିଛନ୍ତି ।

 

ଏହିପରି କେତୋଟି ଛୋଟ ଛୋଟ ଘଟଣା ମନେ ରଖିବାକୁ ଚେଷ୍ଟା ନ କଲେବି ତାଙ୍କର ମନେ ରହି ଯାଇଛି ।

 

ପୃଥିବୀରେ ଅନେକ ବୈଚିତ୍ର୍ୟ ବିଦ୍ୟମାନ । କଦବା ଯଦିକିଛି ଅସମ୍ଭବ ବୋଲି ପ୍ରତୀତ ହୁଏ ତେବେ ବରଂ ତାକୁ ଆମର ଅଜ୍ଞତା ବୋଲି ଧରିନେବ ବିଧେୟ । ତେଣୁ ଅଧୁନା ସବୁ ସମ୍ଭାବ୍ୟ ଚିନ୍ତନ ଭିତରେ ପହଁରୁଥିବା ବ୍ୟକ୍ତିମାନେ କୌଣସି ଅପ୍ରତ୍ୟାଶିତ କିଛି ଯଦି ଉପସ୍ଥାପିତ କରନ୍ତି ତେବ ତାକୁ ଅବାସ୍ତବ ବୋଲି ଗ୍ରହଣ କରିବା ଉଚିତ୍ ନୁହେଁ ।

 

ଯଦି ବର୍ତ୍ତମାନ କୁହାଯାଏ ସାହାବ ଆଉ ପ୍ରାୟ ତାଙ୍କର ଅଫିସକୁ ଫେରୁନାହାଁନ୍ତି ତେବେ ଅଯୌକ୍ତିକ ଲାଗିପାରେ । କିନ୍ତୁ କଥାଟା ସତ୍ୟ । ଏତେବଡ଼ ବିଜିନେସ୍‌ କମ୍ପ୍ଳେକ୍‌ସ ବିନା ତତ୍ତ୍ୱାବଧାନରେ ସୁରୁଖୁରୁରେ ଚାଲିବା ସମ୍ଭବ । ସେଥିପାଇଁ ସେ ଅଯଥା ଆସି ସମୟ ନଷ୍ଟ କରୁ ନାହାନ୍ତି ।

 

ଦିନେ ଦୁହେଁ ବସି ବଙ୍ଗଳାରେ କଫି ଖାଉଥିବା ସମୟରେ ମେମ୍‌ ସାହାବ ବିସ୍କୁଟ ଆଉ କେକ୍ ଉପରେ ଏକ ସନ୍ଦର୍ଭ ଉପସ୍ଥାପିତ କରୁଥିଲେ । ଏହି ସମୟରେ ସାହାବଙ୍କ ଅଲୀଅଳି ଦୁଲାଳୀ ଆସି ସାହାବଙ୍କ କାନରେ କ’ଣ କହିଲେ । ସାହାବ୍‌ ଉଚ୍ଚ ସ୍ୱରରେ ହସି ଉଠିଲେ । ମେମ୍ ସାହେବା ଟିକିଏ ଅପ୍ରତିଭ ବୋଧ କଲେ ବୋଧହୁଏ ।’

 

‘ବେବି ! ଏଇଟା ଅଭଦ୍ରାମୀ, ଅନ୍ୟକିଏ ଗେଷ୍ଟ ବସିଥିବେ ବେଳେ କାନରେ କହିବାଟା ଠିକ୍‌ ନୁହେଁ ।’

 

‘ସାହେବ ଆହୁରି ହସିଲେ ।

 

‘ଆଃ...ସେ ପିଲାଲୋକ, ତାକୁ ଏତେ ଆକଟ କରୁଛ । ବଡ଼ହେଲେ ସବୁ ଠିକ୍‌ ହୋଇଯିବ ।’

 

‘ଏଇଗୁଡ଼ା ସବୁ ବାଜେ କଥା, ତମ ଯୋଗୁ ସେ ବେଶି ଗେହ୍ଳା ହେଇ ଯାଉଛି । କଲେଜରେ ପଢିଲାଣି, ଆଉ ଗୋଟାଏ ପିଲା କ’ଣ ?’

 

‘ତମେ ଜାଣିଛ ! ସେ କ’ଣ କହିଲା ? ମୁଁ ତାକୁ କେବେ କହିଥିଲି ଡ୍ରାଇଭିଂ ଶିଖିବା କଥା-। ସେଇକଥା ବର୍ତ୍ତମାନ କହୁଛି ।’

 

‘ହଁ ଶିଖିବା ଉଚିତ୍‌ । ତେବେ ଏଠି ହଠାତ୍‌ କରିବାର କ’ଣ ଅଛି । ପରେ କହିଥିଲେ ଚଳିଥାନ୍ତା ।’

 

‘ନାଁ ତାକୁ ମୁଁ କହିଥିଲି ମାସାନୀ ଅଙ୍କଲଙ୍କୁ କହିଲେ ସେ ଶିଖେଇ ଦେବେ । ମୋର ତ କେତେବେଳେ ମନେ ପଡ଼ୁନାହିଁ ।’

 

‘ଆ.....ତାଙ୍କୁ କେତେବେଳେ ସମୟ ହେବ ସେ ଏସବୁ କରିବେ ? ଆମର ଏତେ ଡ୍ରାଇଭର ଅଛନ୍ତି କାହାକୁ କହିଲେ କିଏ ଶିଖେଇ ଦବ ।’

 

କଥାଟାରୁ କେମିତି ସ୍ୱରଟା ବିକୃତ ଶୁଣାଗଲା ମେମସାହେବଙ୍କର । ସେ ଯେମିତି ଅତିଶୀଘ୍ର ଅଳ୍ପକେ ଜଣେଇଦବାକୁ ଚାହୁଁଥିଲେ ତାଙ୍କର ବିରୋଧାଭାସ । ଭୀରନ୍‌ ଏ କଥାରୁ ବେଶ୍ କିଛି ବୁଝିବାଭଳି ରହସ୍ୟ ଥିଲା ।

 

‘ଡ୍ରାଇଭର ଶିଖେଇବା ଆଉ ମାସାନୀଜୀ ଶିଖେଇବା ଭିତରେ ବହୁତ୍‌ ତଫାତ୍ ହବ ।’

 

‘ହେଇପାରେ, କିନ୍ତୁ ସେମାନେ ଡ୍ରାଇଭର । ସବୁବେଳେ ମିଳିପାରିବେ । ମାସାନୀଜୀ ମୋଟେ ସମୟ ଦେଇ ପାରିବେ ନାହିଁ ।

 

‘ଓଃ ସେଇଟା ତ ମୋ ହାତରେ, ସେଇଥିପାଇଁ ସେ ମତେ କହୁଚି ।’

 

‘ନା ନାଁ, ମୁଁ ସେ ବ୍ୟବସ୍ଥା କରିବି ।’

 

ଏତେବେଳଯାକ କନ୍ୟା ତାଙ୍କର ନୀରବ ଥିଲେ ।

 

‘ମମି, ତମେ ମୋଟେ କିଛି କରିବନି, ସବୁ ଭୁଲିଯିବ । ଡାଡ଼ି ବର୍ତ୍ତମାନ କରିଦେବେ ।’

 

‘ଓଃ....ଫାଜିଲାମି କରନା, କେମିତି ଶିଖିବୁ ମୁଁ ବୁଝିବି ।’

 

ଆରାମ ଚେୟାରରେ ନିଜକୁ ଆହୁରି ସହଜ କରିନେଇ ହସିଲେ ସାହାବ । ସେଇଥିପାଇଁ ବୋଧହୁଏ ମୁଁ ଏତେ ଆଲୋଚନା କରିନଥିବି । ମାସାନୀଜୀ ! ମୁଁ ଭାବୁଛି ଆପଣଙ୍କର କିଛି ଅସୁବିଧା ହେବନାହିଁ ।’

 

ବାଧ୍ୟହୋଇ ଭୀରନ୍‌ଙ୍କୁ ମୁହଁ ଖୋଲିବାକୁ ପଡ଼ିଲା । ସେ ଦେଖିଲେ ଏଠିକ ନୀରବ ରହିଲେ କଥଥାଟା ଛିଣ୍ଡିବ ନାହିଁ ।

 

‘ସାର୍ ! ମାଡାମ୍‌ ଠିକ୍‌ କହୁଛନ୍ତି,, ତାର ଗୋଟାଏ କାରଣ ଅଛି ।’

 

‘କାରଣ ଅଛି ? ସାହାବ ପଚାରିଲେ ।’

 

ସାଙ୍ଗେ ସାଙ୍ଗେ କଥାଟାକୁ ଧରିଲେ ମେମ୍‌ ସାହାବ ।

 

‘ନାନାଁ କାରଣ ଫାରଣ କିଛି ନାହିଁ ।’

 

‘ଅଛି ସାର୍’ ସେଇଟା ହେଲା ମାଡାମ୍‍ ନିଜେ ଶିଖାଇବାକୁ ଚାହାନ୍ତି । ଆପଣ ଜାଣନ୍ତି—ଝିଅ ଯାହା ଶିଖିଥାଏ ସେସବୁ ମା’ର ଗୌରବ । ଭବିଷ୍ୟତରେ ବେବି ମେମ୍‌ ସାହାବଙ୍କୁ ଯଦି କେହି ପ୍ରଶଂସା କରିବ ତେବେ ତାଙ୍କର ରୁଚି, ଘରକରଣା, ଶିକ୍ଷାଦୀକ୍ଷା ପାଇଁ କେବଳ ନୁହେଁ ଏମିତିକି ଗାଡ଼ି ଚଳେଇବା ପାଇଁ ମଧ୍ୟ ସେ ଗୌରବଟା ମାଡାମ୍‌ ଜାଣି ଜାଣି କାହିଁକି ହରେଇବେ ?

 

ଏଥର ଆହୁରି ଜୋରରେ ହସି ଉଠିଲେ ସାହାବ ।

 

‘ଶୁଣୁଚୁ ଶୁଣୁଚୁ ବେବୀ ! ମୋର ବ୍ୟବସାୟରେ ଚାକିରି କରୁଥିବା ଲୋକମାନଙ୍କୁ ତୋ ମମି କେମିତି ପୁଡ଼ିଂ ଆଉ ଆଇସ୍‌କ୍ରୀମ ଖୋଇ ଖୋଇ ହାତରେ ରଖିଛି ? ସେମାନେ କେମିତି ମମି ପକ୍ଷ ହୋଇ କହୁଛନ୍ତି ଦେଖ୍ । ମାସାନୀଜୀ ! ଏଥର ମୋର ଡ଼ିସିସନ୍‌, ମୋ ବେବୀକୁ ଆପଣ ଡ୍ରାଇଭିଂ ଶିଖେଇ ଦେବେ । କେବେଠଉଁ ଶିଖିଇବେ ସେଇଟା ଆପଣ ତା’ ସହିତ ଠିକ୍‌ କରନ୍ତୁ ।’

 

ସେଦିନର ଏ ଅଧ୍ୟାୟ ସେପରି ଏକ ଅପ୍ରତ୍ୟାଶିତ ଅବସ୍ଥାରେ ଶେଷହେଲା । କିନ୍ତୁ ଯେଉଁଦିନ ପ୍ରକୃତରେ ବେବୀଙ୍କର ଡ୍ରାଇଭିଂ ଶିକ୍ଷା ଆରମ୍ଭ କରିବାର କଥା । ସେଦିନ ମଧ୍ୟ ବେଶ୍ ଉଷ୍ମ ବାତାବରଣର ଦିନଟିଏ ।

 

ଭୀରନ୍ ମାସାନୀ ଅପେକ୍ଷା କରିଥାନ୍ତି ବେବୀମେମସାହାବଙ୍କ ପାଇଁ ପୋର୍ଟିକୋରେ । ବେବି ମେମ୍‌ସାହେବା ତାଙ୍କର ଆଧୁନିକତମ ପୋଷାକ ପିନ୍ଧି ପ୍ରସ୍ତୁତ ହେଉଛନ୍ତି । ଏଇଟା ତାଙ୍କର ସ୍ମରଣୀୟ ଦିନ ଭିତରୁ ଗୋଟାଏ । ଆଜିଠାରୁ ସେ ଗାଡ଼ି ଚଳେଇ ଶିଖିବେ । ଅଳ୍ପଦିନ ପରେ ନିଜେ ଗାଡ଼ି ଚଳେଇ କଲେଜ ଯିବେ ।

 

‘ବେବୀ ! ରହ ମୁଁ ବି ଯିବି ।’ ହଠାତ୍ ଡାକଟା ଶୁଣି ଅଟକିଗଲେ ବେବୀ ମେମ୍‌ ସାହେବା ।

 

‘ତୁମେ କୁଆଡ଼େ ଯିବ ଯେ ?’

 

‘ତୋ ସାଙ୍ଗରେ ଯିବି..... ।’

 

‘ଆମର ତ କେତେ ସମୟ ଲାଗିବ ।’

 

‘ଜାଣେ । ...ଚାଲ ।’

 

ଭୀରନ୍‌ ଦେଖିଲେ ମେମ୍‌ସାହେବା ଯେମିତି ତାଙ୍କ କନ୍ୟାଙ୍କ ଆଗରୁ ପ୍ରସ୍ତୁତ ଥିଲେ । ଅଗତ୍ୟା ଦୁହେଁ ଆସିଲେ । ଭୀରନ୍‌ କବାଟ ଖୋଲିବା ପରେ ମେମ୍‌ ସାହେବର ପଛରେ ବସିଲେ । ଭୀରନ୍‌ ଓ ବେବୀ ଆଗରେ ବସିଲେ । ଗାଡ଼ି ମଗେଇଲା ଯେଉଁ ଖୋଲାପଡ଼ିଆରେ ପ୍ରଥମେ ଆରମ୍ଭ କରିବେ ସେଇଟା ବେଶ୍ ଦୂର । ଭୀରନ୍‌ ବୁଝିପାରିଲେ ମେମ୍‌ ସାହେବା ବହୁତ ଗମ୍ଭୀର ହୋଇ ବସିଛନ୍ତି । ସେ କାରଣଟା ଭୀରନ୍‌ଙ୍କୁ ଅଜଣା ନାହିଁ । ଆଉଟିକେ ପରିସ୍ଥିତିକୁ ଜଟିଳ କରିବାପାଇଁ କହିଲେ—

 

‘ବେବୀଜୀ ! ଆଜି ଡ୍ରାଇଭିଂ ଶିଖା ଆରମ୍ଭ ହେଲା । ମମି ଭୁଲିଗଲେ ସିନା କିନ୍ତୁ ଆପଣ ମତେ ପୁଡ଼ିଂ ଆଇସ୍‌କ୍ରୀମ୍ ଯାଚିବା ଉଚିତ ଥିଲା ।’

 

‘ଆରେ ସତେତ ! ଅଙ୍କଲ୍‌ ମୁଁ ଦୁଃଖିତ । ଆପଣ ଫେରିଲାବେଳେ କିନ୍ତୁ ଆଉ ଭୁଲିବି ନାହିଁ । ମମି ! ବାଟରୁ କେଉଁଠୁ ଫୋନ କରିଦବାତ ସେ ପୁଡ଼ିଂ କରି ଫ୍ରିଜ୍‌ରେ ରଖି ଦେଇଥିବ ।’

 

‘ସେଗୁଡ଼ା ବାହାରେ ମଧ୍ୟ ମିଳିବ ପ୍ରଥମେ ଆଗ ଯାହା କରିବାକଥା ସେତକ ସାର୍ । ଏଇଟା ବି ଗୋଟାଏ ଡିଉଟି ।’

 

ଭୀରନ୍‌ ହସିଲେ ।

 

ଗାଡ଼ି ଶିଖା ଆରମ୍ଭ ହେଲା ।

 

ସେମିତି ହସି ହସି ଭୀରନ୍ ଯେତେବେଳେ ବେବୀମେମ୍‌ ସାହେବାଙ୍କ ହାତଧରି ଷ୍ଟିଅରିଂ, ବ୍ରେକ୍‌, ଗିଅର ସବୁ ଶିଖେଇବା ଆରମ୍ଭ କଲେ ସେଇ ସମୟରେ ସାମାନ୍ୟ ସୁବିଧା ଦେଖି ପଛକୁ କଣେଇ ଚାହିଁ ଭୀରନ୍‌ କୁହନ୍ତି ।

 

‘ମାଡାମ୍‍ ! ଆପଣ ଇଆଡ଼େ ସିଆଡ଼େ ଅନାନ୍ତୁ ନାହିଁ । ବରଂ ଇଆଡ଼େ ଚାହୁଁଥାନ୍ତୁ ମୁଁ ଠିକ୍‌ ଶିଖଉଚି ବା ଭୁଲ୍‍ ଶିଖଉଚି ।’

 

ଯେଉଁଦିନ ଅଳ୍ପ ଅଳ୍ପ ଗାଡ଼ିଧରି ଚଳେଇବା ଆରମ୍ଭ କଲେ ବେବୀମେମ୍ ସାହେବା, ସେହିଦିନ ଗାଡ଼ି ଶିଖୁ ଶିଖୁ ପଚାରିଲେ—

 

‘ଅଙ୍କଲ ! ଆପଣ ପ୍ରଥମେ ଗାଡ଼ିଚଳେ କୋଉଠୁ ଶିଖିଲେ ?’

 

ଭୀରନ୍‌ ଅଳ୍ପ ହସିଲେ । ଥରେ ପଛକୁ ମେମ୍‌ ସାହେବାଙ୍କ ଆଡ଼କୁ ଚାହିଁଦେଇ କହିଲେ–

 

‘ସେ ଗୋଟେ ଛୋଟକାଟର କାହାଣୀ ।’

 

‘କୁହନ୍ତୁ ନା ଅଙ୍କଲ୍... ।’

 

‘ବେଶ୍ କହୁଚି । ମୁଁ ଜଣେ ବଡ଼ଧନୀ ଲୋକଙ୍କ ଫାର୍ମରେ ମ୍ୟାନେଜର ଥାଏ । ତାଙ୍କରି ଝିଅ ଠିକ୍‌ ଆପଣଙ୍କ ଭଳି । ଭାରି ସୁନ୍ଦର ଗାଡ଼ି ଚଲାଏ । ଥରେ ମତେ ବାଟରେ କଲେଜରୁ ଫେରିଲାବେଳେ ଦେଖିଲା ମୁଁ ଟ୍ୟାକ୍‌ସିକୁ ଅପେକ୍ଷା କରି ଠିଆ ହୋଇଛି । ମତେ ଡାକିଲା । ମୁଁ ବସିଲି । ସେ ମତେ ଡ୍ରାଇଭିଂ କରିବାକୁ କହିଲା । ମୁଁ ଜାଣିନାହିଁ ବୋଲି କହିବାରୁ ଦୁଃଖ ପ୍ରକାଶକଲା ଏବଂ କଥାଦେଲା ମତେ ଗାଡ଼ି ଶିଖେଇଦେବ । ସତକୁ ସତ ତାହାହିଁ ହେଲା ସେ ଯାଇ ତା’ ଡାଡ଼ି ମମିଙ୍କୁ କହିଲା—

 

‘ଆମ ଫାର୍ମରେ ମ୍ୟାନେଜର ହେଇ ଗାଡ଼ି ଚଳେଇ ଜାଣନ୍ତି ନାହିଁ । ସେ ଅଲବତ୍‌ ଶିଖିବେ । ତାହାହିଁ ହେଲା । ମାଲିକଙ୍କର ଅର୍ଡ଼ର ହେଲା ତାଙ୍କ ଝିଅ ମତେ ଗାଡ଼ି ଶିଖେଇଦବ । ଏକ ଆଉ ଅଳ୍ପଶିଖି ଗଲାପରେ ପ୍ରତିଦିନ ଝିଅକୁ ନେଇ କଲେଜ ଯିବା ଆସିବା ଭିତରେ ମୁଁ ଖୁବ୍‌ ଭଲ ଶିଖିଯିବି । ତେଣୁ ସେଇ ମତେ ଡ୍ରାଇଭିଂ ଶିଖେଇଚି । ସବୁଦିନ ମତେ ନେଇ ବୁଲିବା ତାର ଅଭ୍ୟାସ ହୋଇଗଲା ।’

 

‘ତୋ’ ପରା.... ?’

 

ପଛଆଡ଼ୁ ମେମ୍‌ ସାହେବା ଶାସନ କରିବା ଗଳାରେ କହିଲେ—

 

‘ଗାଡ଼ି ଚଳେଇବା ଶିଖୁଚୁନାଁ କାହାଣୀ ଶୁଣୁଚୁ ? ମାସାନାଜୀ ତା’ ବୟସ ଆଉ ଆପଣଙ୍କ ବୟସ—କ’ଣ ଯେ ଆପଣ ଗୁଡ଼ାଏ ଗପୁଛନ୍ତି..... ।’

 

‘ଆହା ମମି ତମେ ରୁହ । ଏଇଟା ତ ଯେକୌଣସି ସିନେମା କାହାଣୀ ଭଳି ଲାଗୁଛି । ସବୁ ସିନେମାତ, ମୁଁ ତମ ସାଙ୍ଗରେ ଆଉ ଡାଡ଼ି ସାଙ୍ଗରେ ଯାଏ । ହଁ, ତା’ପରେ କ’ଣ ହେଲା ଅଙ୍କଲ୍ ?’’

 

‘ତା’ ପରେ ତ ସବୁ ଅସୁବିଧା କଥା ।’

 

‘କୁହନ୍ତୁ ନା.... ।’

 

‘ତା’ ପରେ ତ ସେ ଝିଅ ସବୁବେଳେ ମୋ ସହିତ ବୁଲିବାକୁ ଚାହିଁଲା ।’

 

‘କାହିଁକି ?’

 

‘ସେ ମତେ ଭଲପାଇ ବସିଲା ।’

 

‘ଇସ୍ ! କି ବିଭତ୍ସ କଥା । ଆପଣଙ୍କ ବୟସ ଆଉ ତା’ ବୟସ । ମାନାନୀଜୀ ଆପଣଙ୍କୁ ଲଜ୍ୟାଲାଗୁନି ଏକଥା କହିବାକୁ ?’’

 

‘ନାଁ ନାଁ ମମି ତମେ ଜାଣିନ । ଅଙ୍କଲ ! ସେ ନିଶ୍ଚେ ଆମଦେଶର ଲୋକ ହେଇନଥିବେ-। ମମି ତମେ ଜାଣିନାଁ । ଏବେ ପରା ପାଶ୍ଚାତ୍ୟ ଦେଶରେ ଗୋଯାଏ ସଉକ ଉଠିଚି ବହୁତ କମ୍‌ ବୟସର ଝିଅମାନେ ପିଙ୍ଗ୍‌ପିଙ୍ଗା କଲେଜ ଟୋକାମାନଙ୍କୁ ଭଲ ନପାଇ ବହୁତ ବୟସ୍କ ଲୋକମାନଙ୍କୁ ଭଲ ପାଉଛନ୍ତି । ତାର କାରଣ ବି ଅଛି । ଏଇ ବୟସର ପୁଅମାନେ କେତେଯେ ଝିଅଙ୍କ ସହିତ ଏକାଥରେ ସମ୍ପର୍କ ରଖନ୍ତି ତାର ଠିକଣା ନାହିଁ । ଭାରି ଫର୍ମାଲ । କିନ୍ତୁ ବୟସ୍କ ଲୋକମାନେ କେମିତି କେଜାଣି ଭଲ ପାଇଲେ.... ।

 

‘ଚୁପ୍‌କର ! ତୋଠୁ ମୁଁ ଭଲ ପାଇବା ବିଷୟରେ ଭାଷଣ ଶୁଣିବି ? ଗାଡ଼ି ଅଟକା ।’

 

ଗାଡ଼ି କିନ୍ତୁ ଅଟକିଲା ନାହିଁ ।

 

‘ମାସାନୀଜୀ ଗାଡ଼ି ଅଟକାନ୍ତୁ ପରା କହିଲି ।’

 

‘ଆଜ୍ଞା ମୁଁ ଚଲଉ ନାହିଁ । ବେବୀଜୀ ଚଲଉଛନ୍ତି ।’

 

‘ରଖିଲୁ ଗାଡ଼ି.... ।’

 

ଅଦକ୍ଷ ଚାଳକ ଭଳି ଧଡ଼୍ ବ୍ରେକ କଷିଲେ ବେବୀ ମେମ୍‌ ସାହେବା । ସ୍ଳାଇଡ଼୍‌କରି କିଛିବାଟ ଆଗେଇଗଲା ଗାଡ଼ି । ଭୀରନ୍‌ ଆୟତ୍ତ କରି ଗାଡ଼ି ଅଟକେଇ ନେଲେ ।

 

ଓହ୍ଳେଇଗଲେ ମେମ୍‌ ସାହେବା ଅଧାବାଟରେ । କହିଲେ—‘ତମ ଇଚ୍ଛା ଯାହା ଗପକରି ଫେରିବ । ଆପଣଙ୍କ ବିଷୟରେ ଆଉ ଯାହା ଜାଣିବାର ଥିବ ବା ଦରକାର ପଡ଼ିଲେ ପୋଲିସ୍‌ଠାରୁ ମୁଁ ଜାଣିନେବି ।’

 

ଭୀରନ୍‌ କେବଳ କଣେଇ ଚାହିଁ ହସିଦେଲେ । ମେମ୍‌ ସାହେବାଙ୍କ ଦ୍ୱାର ବନ୍ଦହେବା ମାତ୍ରେ ବେବୀ ମେମ୍‌ ସାହେବା ପୁଣି ଗାଡ଼ି ଷ୍ଟାର୍ଟ କଲେ ।

 

ଭୀରନ୍‌ଙ୍କ ଗାଡ଼ି ସେଦିନ ଯେ ଆସି ଅଟକିଲା—ତା’ପରେ କାହିଁକି କେଜାଣି ଭୀରନ୍‌ ଭାବିଲେ ତାଙ୍କ ଗାଡ଼ି ଏଇଠି ଅଟକିବା ଉଚିତ । ହଠାତ୍ କେଜାଣି ତାଙ୍କ ମନ କଣପାଇଁ ବିକଳ ହୋଇଉଠିଲା । ଆଖି ବନ୍ଦକଲା ମାତ୍ରେ ଅନେକଗୁଡ଼ିଏ ମୁହଁ ଏକାଥରକେ ଆସି ତାଙ୍କୁ ବିବ୍ରତକଲା-। କିଛି ଗୋଟାଏ କେମିତି କଣ ସେ କରି ପଳେଇବେ ଯେମିତି ।

 

ନିଦ ବଟିକା ଗୋଟାଏ ପରେ ଗୋଟାଏ ଖାଇ ମଧ୍ୟ ସେ ଯେମିତି ଅଶାନ୍ତ ହୋଇ ଉଠିଲେ । ପରେ ପରେ ବେଶ୍ କେତେ ରାତି ସେମିତି ଛଟପଟ ହୋଇ ଅସୁସ୍ଥି ଅନୁଭବ କଲେ ।

 

ଭୀରନ୍‍ ମାସାନୀ ଭାବିଥିଲେ ହୁଏତ ତାଙ୍କୁ ବହୁତ କଷ୍ଟ ପଡ଼ିଥାନ୍ତା କିନ୍ତୁ ତା’ ଆଦୌ ହେଲା ନାହିଁ । କେତେଦିନ ଧରି ଦର୍ପଣ ସାମନାରେ ଠିଆହୋଇ ସେ ଯେତିକି ରିହର୍‍ସାଲ୍‍ କରିଥିଲେ ସେସବୁ କାମରେ ଲାଗିଲା ନାହିଁ । କୌଣସି ପ୍ରକାର ପ୍ରତିପ୍ରଶ୍ନ ନକରି ସାହାବ ସମ୍ମତି ଜ୍ଞାପନ କଲେ ।

 

ତା’ପରେ ଏକ ସମାଧାନରେ ପହଞ୍ଚିଲେ । ନାଁ, ତାଙ୍କର ଏ ଗାଡ଼ି ଏଇଠି ଅଟକିବା ଉଚିତ୍ ଏବଂ ଅନ୍ୟଦିଗକୁ ବାଟ ଭାଙ୍ଗିବେକି ନା ସେକଥା ପରେ ବିଚାର କରିବେ ।

 

‘ମୋର କୌଣସି ଆପତ୍ତି ନାହିଁ । ଆପଣ ଆସିଲାବେଳେ ମଧ୍ୟ ମୁଁ କୁଆଡ଼ୁ ଆସିଲେ କାହିଁକି, ଆସିଲେ ବୋଲି କିଛିପ୍ରଶ୍ନ ପ୍ରଚାର ନାହିଁ । ଗଲାବେଳେ ମଧ୍ୟ କୁଆଡ଼େ ଯିବେ କାହିଁକି ଯିବେ ବୋଲି କିଛି ପଚାରିବାର ନାହିଁ । ମୋର ଧାରଣାଥିଲା—ଆପଣ ଚୋର ନୁହଁନ୍ତି । ସବୁ କରିପାରିବେ ଚୋରିକରି ପଳେଇବେ ନାହିଁ । ଏଥରକ ଆପଣଙ୍କ ଇଚ୍ଛା ।

 

ଆଖି କୋଣରେ କେମିତି ଲୁହ ଜକେଇଲା ଭୀରନ୍‌ଙ୍କର । ପରମୁହୂର୍ତ୍ତରେ ସେ ସବୁ ମାୟା ମମତାକୁ କାଟି ଦେଇଛନ୍ତି ବୋଲି ଦର୍ପିତ ଅହଙ୍କାରରେ ନିଜକୁ କଠିନ କଲେ । କାହାପାଇଁ ତାଙ୍କର ଆକର୍ଷଣ ? କାହିଁକି ? ହୃଦୟ ବୋଲି ତାଙ୍କର ଗୋଟାଏ କିଛି ଥିଲା—ସେ ବହୁତ ଦିନ ତଳର କଥା । ଯଥେଷ୍ଟ ମଗରୁ ତାକୁ କାଟି ଫୋପାଡ଼ି ଦେଇଛନ୍ତି ।

 

ଯିବା ଦିନ ଅଳ୍ପ ସମୟ ପୂର୍ବରୁ ସାହାବ ଡକେଇ ପଠେଇଲେ । ‘ମାସାନୀଜୀ ! ଆପଣଙ୍କର କିଛିଟଙ୍କା ମୋଠୁ ପାଇବା ଉଚିତ୍‌ ।’ ଏ ଉକ୍ତିରେ ଭୀରନ୍‌ କିଛିସମୟ ପାଇଁ ବାକ୍‌ବିହୀନ ହୋଇ ଠିଆ ହେଲେ । ବୋଧହୁଏ ସାହେବ ବୁଝିପାରିଲେ ନୀରବତାର କାରଣ ।

 

‘ମୁଁ ଜାଣେ, ଆପଣ କେତେ ମାଗିବା ଉଚିତ ବୋଲି ଭାବୁଛନ୍ତି । କୁହନ୍ତୁ ମୁଁ କିଛି ମନେ କରିବି ନାହିଁ ।’

 

‘କ୍ଷମା କରିବେ ସାର୍ ! କେତେ ମାଗିବା ତ ଦୂରର କଥା । ଭାବୁଛି କହିବାକୁ—ମତେ ସେଥିରୁ ମୁକ୍ତି ଦିଅନ୍ତୁ । କ’ଣ ମୁଁ କରିବି ଟଙ୍କା ? କାହାପାଇଁ ନେବି ? କେତେ ନେବି ? କେତେ ନେବି ? ବରଂ ମତେ ଆପଣ ଅନେକ ଦୟା ଦେଖେଇଛନ୍ତି । ସେତିକି ଯଥେଷ୍ଟ ।’

 

ୟା’ ଆଗରୁ ଭୀରନ୍ ଭାବୁଥିଲେ ତାଙ୍କର ଜୀବନରେ ଆଗାମୀ ଅଧ୍ୟାୟ ପାଇଁ ଯଥେଷ୍ଟ ଅର୍ଥ ଦରକାର । କିନ୍ତୁ ବର୍ତ୍ତମାନ ତାଙ୍କୁ ଲାଗୁଛି ଆଉ ହୁଏତ ଅର୍ଥର ଆବଶ୍ୟକତା ମୋଟେ ହେବ ନାହିଁ । ସାହାବଙ୍କ ଡାକରେ ସେ ପ୍ରକୃତିସ୍ଥ ହେଲେ ।

 

‘ମାସାନୀଜୀ ! ଯଦି ଆପଣ କହନ୍ତି ଯେ ଆପଣ ମୋଠାରୁ କିଛି ନେବେ ନାହିଁ ଆଉ ଦରକାର ନାହିଁ । ତେବେ ମୁଁ ଧରିନେବି ଯେ ଆପଣ ନିଶ୍ଚୟ ଗୁପ୍ତଚର ବା ଗୁଇନ୍ଦା ବିଭାଗର ଲୋକ-। ମତେ ପୁଲିସ୍‍କୁ ଖବର ଦବାକୁ ପଡ଼ିବ । ବରଂ ମୋ କଥାଶୁଣନ୍ତୁ । ଟଙ୍କାର ଆବଶ୍ୟକତା କାହାର ନାହିଁ ? ସମସ୍ତଙ୍କର ଟଙ୍କା ଦରକାର । ଆଉ ସେଇଟା ବୋଧହୁଏ ଜୀବନର ଏକମାତ୍ର ଆବଶ୍ୟକତା ।’

 

ପୋଲିସ୍‌କୁ ଖବର ଦେବେ ସାହେବ ? ଭୀରନ୍‌ଙ୍କ ଛାତି ଭିତରଟା ଧଡ଼୍‌କରି କ’ଣ ହୋଇଗଲା । ପ୍ରକୃତରେ ତ ! ଏଇଟା କ’ଣ ବେଶ୍ ସନ୍ଦେହଜନକ କାରଣ ନୁହେଁ ? ଏ ଅବସ୍ଥାରେ ତାଙ୍କର ଅଥିକ ବୋକାମୀ କରିବା ଅନୁଚିତ । ଦୁଇକୂଳ ହରେଇବାର ଯଥେଷ୍ଟ ସମ୍ଭାବନା ଅଛି । ଭୀରନ୍‌ ଗ୍ରହଣ କରିଯିବା ଉଚିତ ।

 

‘ଅଧିକା ଟଙ୍କା କ୍ୟାସ୍‌ କାହିଁକି ନେବେ । ହଜାରେ ଟଙ୍କା ହାତରେ ରଖିଲେ ଯଥେଷ୍ଟ ହବ-। ମୁଁ ଗୋଟାଏ ଲେଖି ଦଉଚି ।’

 

ହଠାତ୍‌ ଏ ଚେକ୍‌ ଲେଖିଦବା କଥାଟାରେ କେମିତି ଚମକି ପଡ଼ିଲେ ଭୀରନ୍‌ । କଣ ଲେଖିବେ, କେତେ ଲେଖିବେ ।

 

‘ସାର୍‌ ! ଗୋଟିଏ ଅନୁରୋଧ କରିବି । ତେଣିକି ଆପଣଙ୍କ ଇଚ୍ଛା, ଯେତିକି ଆପଣଙ୍କର ଲେଖିବାର କଥା ତାକୁ ସମାନ ଦୁଇଭାଗରେ ଦୁଇଟି ଚେକ୍‌ରେ ଲେଖି ଦିଅନ୍ତୁ । ନାଁ ଦୁଇଟା ଯଦି ଛାଡ଼ି ଦେଇଥାନ୍ତେ ତେବେ ମୁଁ ଯାହାକୁ ଦେବି ତାରି ନାଁ ଲେଖି ପଠେଇଥାନ୍ତି । ମତେ ଶେଷଥର ବିଶ୍ୱାସ କରନ୍ତୁ । ମୁଁ କେବେହେଲେ ଅବିଶ୍ୱାସୀ କାମ କରିବି ନାହିଁ ।’

 

ସେତେବେଳକୁ ଭୀରନ୍‌ଙ୍କ କଣ୍ଠସ୍ୱର କେମିତି ରୁନ୍ଧି ହୋଇ ଆସୁଥାଏ । ବୁଝିପାରି ହସିଲେ ସାହାବ । ବହୁ ଅର୍ଥପୂର୍ଣ୍ଣ ସେ ହସ । ଚେକ୍‌ବହି କାଢ଼ି ଦୁଇଖଣ୍ଡ ଦସ୍ତଖତ୍ ମାରି ଯାହା କରିବା କଥା କରି ଚେକ୍‌ ଦୁଇଟି ବଢ଼େଇ ଦେଲେ ।

 

‘ମାସନୀଜୀ ! ଏ ଦୁଇଟା ଚେକ୍‌ ନିଅନ୍ତୁ । ଏଥିରେ ମୋ ଦସ୍ତଖତ ମୁଁ କରି ଦେଇଛି । ନାଁ ଆଉ ପରିଣାମ ଦୁଇଟାଯାକ କିଛି ଲେଖିନାହିଁ । ଯାହା ଆପଣ ଚାହିଁବେ ସେତିକି ପରିମାଣ ଲେଖି ଦେଇପାରନ୍ତି । ବ୍ଲାଙ୍କ ଚେକ୍‌ ଦେଇଦେଲି ।’

 

କୃତଜ୍ଞତାର ଲୁହ ଖସିପଡ଼ିଲା ଭୀରନ୍‌ଙ୍କ ଆଖିରୁ । କେତେ ବିଚିତ୍ର ଏ ପୃଥିବୀ ସତେ । କେତେ ରକମର ଲୋକଅଛନ୍ତି ସେଇଟା କଳନାର ବାହାରେ । ଏ ସୂଚନା ଅନେକ ଶୁଭଚିନ୍ତା ଭୀରନ୍‌ଙ୍କ ମନରେ ଭରିଦେଲା । ସତେ ତାଙ୍କର ଗୋଟାଏ ଭଲ ସମୟ ଆସିଯାଇ ନାହିଁତ ?ସାହେବ କହିଲେ ଦୁନିଆଁରେ ଟଙ୍କାହିଁ ସବୁ । କେତେକ ତାଙ୍କର ଯଥେଷ୍ଟ ଟଙ୍କା ଅଛି ।

 

ସବୁଥାଇ ମଧ୍ୟ ଅନେକ ଅଭାବ ଯେମିତି ତାଙ୍କୁ ମାଡ଼ି ବସୁଛି ବୋଧହୁଏ । ଏଇଥିପାଇଁ ଯେ ବେବୀ ମେମ୍‌ ସାହା ସାହାବଙ୍କଭଳି କେହି ଜଣେ ତାଙ୍କୁ ଗାଡ଼ି ଶିଖେଇବା ପାଇଁ ଜିଦ୍‌ଧରି ନାହିଁ ନା... ।

 

ନାଁ... ସେ ଫେରିବେ । ସମୟ ହିଁ ଏକମାତ୍ର ତୁଳୀ ଯେ କି ପ୍ରତି ଘଟଣାର ରଙ୍ଗ ବଦଳେଇ ଦେଇପାରେ । ଚକ ହୁଏତ ଘୂରିଯାଇଥିବ ବା ଯାଇପାରେ । ସେ ନିଶ୍ଚୟ ଫେରିବେ ।

 

ବେଗଗାମୀ ଚକଗୁଡ଼ିକ କେଡ଼େ ଶବ୍ଦକରି ଦ୍ରୁତଗତିରେ ମାଡ଼ି ଆସୁଛି, ପୁଣି ଧିରହୋଇ ନିଶ୍ଚଳ ହୋଇଯାଉଛି । ପୁଣି ଅଳ୍ପସମୟ ପରେ କ୍ଳାନ୍ତ ମେଣ୍ଟେଇ ଧୀରେ ଧୀରେ ଚାଲିବା ଆରମ୍ଭ କରି ଆଖି ପିଛୁଡ଼ାକେ ଅଦୃଶ୍ୟ ହୋଇଯାଉଛି । କେତେ ଅଦ୍ଭୁତ ସେ ଚକର ଗତି, ତାଙ୍କର ଆଖି ସାମନାରେ ସେ ଦେଖୁଛନ୍ତି ଧାଡ଼ିଏ ଧାଡ଼ିଏ ଚକା ଆସି ଠିଆହୋଇ ଚାଲିଯାଉଛନ୍ତି ।

 

ନିର୍ଜ୍ଜନ ରାଜପଥରେ ବନ, ବିଲ, ପ୍ରାନ୍ତର ଦେଇ ଗଲାବେଳେ ଏମିତି ଧାଡ଼ି ଧାଡ଼ି ଚଢ଼େଇ ଆସି ବସି ଉଡ଼ି ଚାଲିଯିବାର ଦେଖିଛନ୍ତି । ଧାଡ଼ିଧାଡ଼ି ହରିଣ ଜଙ୍ଗଲ ଭିତରେ ଥରେ ଚାହିଁଦେଇ ଧାଇଁ ପଳେଇ ଯିବାର ଦେଖିଛନ୍ତି ।

ଧାଡ଼ି ଧାଡ଼ି ହରିଣ ଜଙ୍ଗଳ ଭିତରେ ଥରେ ଚାହିଁଦେଇ ଧାଇଁ ପଳେଇଯିବାର ଦେଖିଛନ୍ତି-। ବର୍ତ୍ତମାନ ତାଙ୍କୁ ତ ଲାଗୁଛି ଠିକ୍‌ ସେମିତି ଚକଗୁଡ଼ାକ ତାଙ୍କୁ ଆସି ଏଠି ‘ଆଗେଇବେ କି....’ ବୋଲି ପଚାରି ଦେଇ ପୁଣି ପଳେଇ ଯାଉଛନ୍ତି ।

 

ପନ୍ଦରଦିନ ତଳେ ଏଇ ଷ୍ଟେସନରେ ଫେରନ୍ତା ଗାଡ଼ିରୁ ଓହ୍ଲେଇ ଥିଲେ । ସେତେବେଳେ ତାଙ୍କୁ ମନେହେଲା ସେ ପୁନର୍ଜନ୍ମ ପାଇ ଫେରୁଛନ୍ତି ତାଙ୍କରି ପରିଚିତ ଷ୍ଟେସନକୁ । ଇଚ୍ଛାହେଲା ବାକ୍‌ସ ବ୍ରିଫକେଶ୍ ଦିହରେ ଲେଖା ହୋଇଥିବା ‘ଭୀରନ ମାସାନୀ’ ଷ୍ଟିକରକୁ ଛିଣ୍ଡେଇ ରେଳ ଲାଇନ୍‌ ଉପରକୁ ଫୋଫାଡ଼ି ଦେବେ । ଏବଂ ଲମ୍ଫ ଦେବେ ବାସ୍ତବତାକୁ । ତେଣିକି ଯାହା ହଉଚି ହଉ । କେଜାଣି କାହିଁକି ସେ ମତବଦଳେଇ ଥିଲେ । ବର୍ତ୍ତମାନ ତାର ଗୁରୁତ୍ୱ ଉପଲବ୍‌ଧି କରୁଛନ୍ତି ଭୀରନ୍‌ ।

 

ଆସିବା ଦିନ ପ୍ରଥମେ ନିରୀକ୍ଷଣ କରି ନିଜକୁ ଓ୍ୱେଟିଂରୁମ୍‌ରେ ଦର୍ପଣରେ ଦେଖିଥିଲେ । ନାଃ...କେହି ଚିହ୍ନିପାରିବାର କୁ ନାହିଁ । ୟା’ ଭିତରେ ପାଖାପାଖି ସାଢ଼େ ତିନିବର୍ଷର ବ୍ୟବଧାନ । ଭୀରନ୍‌ ମାସାନୀ ମୋହର ଚିରିବା ଆଗରୁ ପ୍ରଥମେ ସମସ୍ତଙ୍କୁ ଥରେ ଥରେ ଦେଖିବା ଦରକାର । ଆଉ ତାଙ୍କର କୋଉଥିବି ଖାତିର ନାହିଁ । ସାହାବ କହିଥିଲେ ଟଙ୍କାଥିଲେ ସବୁ ସମ୍ଭବ ।

 

ନିଜକୁ ଯଥାସମ୍ଭବ ବଦଳାଇ ନିଜଘର ପାଖରେ ପହଞ୍ଚିଲେ । କିନ୍ତୁ କଣ ଦେଖିଲେ ସେ..... ? ଏଇ କେଇଟା ଦିନ ଭିତରେ କିଛି ପରିବର୍ତ୍ତନ ନହୋଇ ମଧ୍ୟ ଏତେ ପରିବର୍ତ୍ତନ ?

 

ନରେନ୍ଦ୍ରଙ୍କ ଗାଡ଼ିଟା ଅଛି । ହେଲେ ବୀରେନ୍ଦ୍ରଙ୍କ ଅନ୍ୟ ଗାଡ଼ିଟା ରଙ୍ଗ ବଦଳେଇଛି । ନମ୍ବର ପ୍ଳେଟରୁ ଜାଣିଲେ ସେଇଟା ଟ୍ୟାକ୍‌ସି ହୋଇଛି । କିନ୍ତୁ କାହିକିଁ ଟ୍ୟାକ୍‌ସି ଚଲାଉଛି କିଏ ? କଣ ଏତେ ଆବଶ୍ୟକତା ? କେମିତି କେଜାଣି ଅବହାଓ୍ୱାରୁ ଲକ୍ଷ୍ୟକଲେ ପରିବେଶଟା ଭଲ ଜଣା ପଡ଼ୁନାହିଁ । ବହୁ ଦକ୍ଷତାର ସହିତ ଏସବୁ ଲକ୍ଷ୍ୟ କରିବା ଭିତରେ ମଧ୍ୟ ତାଙ୍କର ଭୟଥାଏ । ସବୁଗୁଡ଼ାକ ଚିହ୍ନାମୁହଁ । କେହି ଚିହ୍ନି ପକେଇବେ ନାହିଁ ତ ?

 

ସାବିତ୍ରୀଙ୍କୁ ମଧ୍ୟ ବାହାରୁ ଦେଖିବା ସୁଯୋଗ ପାଇଛନ୍ତି । ହଠାତ୍ ଯେମିତି ବୟସ ଅନେକ ବଢ଼ିଯାଇଛି—ସେ ସାବିତ୍ରୀ ନୁହନ୍ତି । ଠିକ୍‌ ତାରି ପରେ ପରେ ସାବିତ୍ରୀଙ୍କ ପ୍ରତିକୃତିର ଝିଅଟିଏ ବହିଧରି କଲେଜରୁ ଫେରିଲା ବୋଧହୁଏ । ଇଚ୍ଛା ହେଲା ଧାଇଁଯାଇଁ ଜାବୁଡ଼ିଧରି ଡାକି ପକେଇବେ....ଅନୁ ! ନାଁ, ତୋଫା ମଲ୍ଲୀଫୁଲ ପରି ନିଷ୍ପାପ ଫୁଲ ଉପରେ ପଙ୍କଛିଟା ଆଉ କାହିଁକି ଦେବେ ? ସତରେ ଅନୁ ଠିକ୍‌ ତାଙ୍କରି ମନଲାଖି ହୋଇଛି ଏକା ।

 

ସେଇଠି ଆଖ ପାଖରେ କଥା ପ୍ରସଙ୍ଗରେ ଯାହା ବୁଝିଛନ୍ତି ସେଇଟା ହେଲା—ବୀରେନ୍ଦ୍ର ମାନସିଂ ଜମିଦାର ଘରର ଛୁଆ ଥେଲା କିନ୍ତୁ ସେ ଭାରୀ ଦୁଶ୍ଚରିତ୍ର । ଗୋଟାଏ ଡକାୟତ ଦଳ ତା’ର ଅଛି । ସେଇ ଦଳ ସହିତ ସେ ଭାରତ ସୀମା ପାର ହୋଇଯାଇଛି । ତାକଥା ଜାଣିବା ପରେ ଏଠାକାରା ଲୋକ ଛକିଥେଲେ ସେ ଆସିଥେଲେ ଏ ଯାଗାକୁ ତାକୁ ବାହାର କରିଥାନ୍ତେ ।

 

ତାଙ୍କର ପରିବାର ସମ୍ପର୍କରେ ବିବରଣୀ ହେଲା—ପୁଅଟା କୁଆଡ଼େ ଗଲାଣି ଆଉ ଦୁଶୁନାହିଁ କେତେଦିନ ହବ । ଝୁଅଟି ଭଲ । ବାପର ଗୁଣଗ୍ରାମ ପାଇଁ ତଳକୁ ମୁହଁ ପୋତି ଯାଏ ଆସେ । ସାଦା ଶାଢ଼ିରୁ ରଙ୍ଗୀନ୍‌ ଶାଢ଼ି ପିନ୍ଧିବା କ୍ୱଚିତ । ମା’–ତା’ର ଅଧା ପାଗଳୀ କହିଲେ ଚଳେ । କୋର୍ଟ, କଚେରୀ, କେଶ୍ ଦଉଡ଼ି ଦଉଡ଼ି ସର୍ବସ୍ୱାନ୍ତ ହୋଇ ସାରିଲେଣି । ବାହାର କେଶ୍ ଏବଂ ଘର ଭିତର କେଶ୍ ।

 

ଘର ଭିତର କେଶ୍ ବୋଲି ଏତିକି ବୁଝିଲେ । ଭାଇ ନରେନ୍ଦ୍ର ପ୍ରଥମେ ବହୁତ କରୁଥେଲେ । ଏବେ ମଧ୍ୟ କରେ । କିନ୍ତୁ ଏକରକମ ବର୍ତ୍ତମାନ ସବୁ ଅଲଗା । ସେ ବିଚରାର ପିଲାଛୁଆ ଅଛନ୍ତି । ଏ ବଦନାମୀରେ କାହିଁକି ଭାଗି ହବ ଆଉ କେତେ ଲୋକଙ୍କ କଥା ଶୁଣିବ ।

 

ଏକ ଦୁର୍ବୋଧ୍ୟ ହସ ହସିଲେ । ନରେନ୍ଦ୍ର ଘରର ନୂଆ ଚାକର ତାଙ୍କ ସାମନାରେ ଠିଆ ହୋଇ ଏସବୁ ବଖାଣୁଛି । ଅନେକ ସମୟ ପାନ କିଣିବା ବାହାନରେ ତା ସହିତ ଗପିବାରେ କାଳେ ତାହାର ସନ୍ଦେହ ଉପୁଜିବ ତେଣୁ ନିଜ ତରଫରୁ କହିଲେ ।

 

‘ମୁଁ ବି ତାଙ୍କୁ ଖୋଜୁଛି । ବହୁଦିନ ତଳେ ମୋଠାରୁ ଦଶହଜାର ଟଙ୍କା ନେଇଥିଲେ । ମତେ କହିଥିଲେ ଏଠି ଖଣ୍ଡେ ବଡ଼ ଜାଗା ଦବାକୁ । ମୋର ଫାର୍ମ କରିବାର ଥିଲା ।

 

‘ଆଉ ସେ ଟଙ୍କା ଫଙ୍କା ମିଳିବ ନାହିଁ । ସେଗୁଡ଼ା ଧପେଇ କରି ନେଇଗଲା ସେ । ପୁରା ଡକାୟତ ସର୍ଦ୍ଦାର ପରା । ଆଜ୍ଞା ଗୋଟାଏ କାମ କରିବେ, କାହାକୁ କହିବେ ନାହିଁ । ସେ ଲୋକର ଆଉ ଗୋଟାଏ ମାଇକିନିଆ ଅଛି । ସେ କୋଉ କଲେଜର ପ୍ରଫେସର । ଇଏ କୁଆଡ଼େ ତା ପାଖକୁ ଆସେ ।’

‘ସେ ପରା ସୀମା ବାହାରକୁ ଯାଇଚି ?’

‘ଡକାୟତ ଲୋକ ତା’ର କ’ଣ ଅସୁବିଧା । ଆସୁଥିବ ଆଜ୍ଞା । କିଛି ନ ହେଲେ ବି ଆପଣ ତାଠାରୁ ଖବରଟା ପାଇବେ । ସେ ଭାରି ଶସ୍ତା ଦରର ମାଇକିନିଆ । ଆପଣ ତା ହାତରେ ଯଦି ଦି ଶହ ଟଙ୍କା ଗୁଞ୍ଜି ଦେବେ ନା ସେ ଫଟ୍‌କିନା ଆପଣଙ୍କୁ ବାଟ ବତେଇ ଦବ ଆଜ୍ଞା ।’

ଏତେବଡ଼ ଖବରଟା ଦେଲା ବୋଲି ତା’ ହାତରେ କୋଡ଼ିଏଟା ଟଙ୍କା ଗୁଞ୍ଜିଦେଇ ସାରିଲା ପରେ ସେ ଆହୁରି ଆହ୍ଳାଦିତ ହେଲା । କାନ ପାଖକୁ ମୁହଁ ନେଇ କହିଲା—

‘ଆଜ୍ଞା ଜାଗା ଆପଣଙ୍କର ଦରକାର ? ସେ ଟଙ୍କାର କାଗଜ ପତ୍ର ରଖିଛନ୍ତି ?’

‘ହଁ......’

‘ଆଉ ଅଳ୍ପଦିନ ସତାରି ଯାଆନ୍ତୁ । ତାଙ୍କର ସବୁ ଭିନ୍ନେ ହେଇ ଯିବାର ଅଛି । ହେଲା ପରେ ଆପଣ ଏ କାଗଜ ଦେଖେଇବେ । ତାଙ୍କ ସ୍ତ୍ରୀ ଭାଗରେ ଯାହା ପଡ଼ିବ ତାରି ଦିହରୁ ପାଇବେ-।’

 

ଅନ୍ୟ କିଛି ଶୁଣିବାର ଧୈର୍ଯ୍ୟ ନଥିଲା ତାଙ୍କର । ସେଇଦିନ ସେ ଅଧ୍ୟାପିକାଙ୍କ ଆଡ଼େ ମୁହେଁଇଲେ । ସେଠି କିନ୍ତୁ ଦିନକରୁ ବେଶି ରହିବାକୁ ପଡ଼ିଲା ନାହିଁ । କ୍ୱାଟର ସାମନାରେ ଦେଖିଲେ ସାଇନ୍‌ ବୋର୍ଡ଼ ବଦଳି ଯାଇଛି । ଆଉ ଭିତରୁ ଅନେକ ନାରୀଙ୍କର କଳରୋଳ ଶୁଣାଯାଉଛି । ଏଠି ଆଉ କିଛି ପଚାରିବାର ନାହିଁ । ଏତିକିବେଳେ କ୍ଷୀର ଦବାକୁ ବାଳକଟିଏ କ୍ୱାଟର ପାଖରେ ସାଇକେଲ ରଖିଲା । ଭିତରୁ ଯାଇ ଫେରିବା ପରେ ତାକୁ ପଚାରିଲେ ।

 

‘ଆଗରୁ ଏଠି ଯୋଉ ଅଧ୍ୟାପିକା ଜଣେ ରହୁଥିଲେ.... ସେ କୋଉ କ୍ୱାଟରରେ ଅଛନ୍ତି ?’

 

‘ସେ ତ ଆଉ ଏଠି ନାହାନ୍ତି । ବହୁତ ଦିନ ତଳେ ରହୁଥିଲେ ।’

 

‘କୁଆଡ଼େ ଗଲେ ? କେବେଠଉଁ ଗଲେଣି ?’

 

‘କିଏ କହୁଥିଲେ, କାହାକୁ ବାହାହୋଇ ଗଲେ କି କ’ଣ...ମୁଁ ଜାଣେନି, ଖବରକାଗଜରେ ବାହାରିଥେଲା ବୋଧହୁଏ ।’

 

ଆଉ କିଛି ପଚାରିବାର ଆବଶ୍ୟକତା ନ ଥିଲା । ଏଇ ସମ୍ଭାବନାଟା ହିଁ ସତ୍ୟ । କାରଣ ଇଉନିଭରସିଟିର ଅଧ୍ୟାପିକା । ବଦଳି ହବାର ନାହିଁ । ଚାକିରି ଛାଡ଼ିଦବାର ମଧ୍ୟ ଆଶଙ୍କା ନାହିଁ । କେବଳ ଏଇ ଗୋଟିଏ ଅବସ୍ଥାରେ ଏଠାରୁ ଯିବା ସମ୍ଭବ । ବାସ୍‌, ଭୀରନ୍‌ ମାସାନୀ ଷ୍ଟିକର ଛଡ଼େଇବା ଦରକାର ପଡ଼ିଲା ନାହିଁ । ସବୁଦିନ ପାଇଁ ଏ ସ୍ଥାନ ଗୁଡ଼ାକରୁ ଆବଶ୍ୟକତା ତାଙ୍କର ଶେଷ ହୋଇଗଲା । ଘରକୁ ଫେରି ପୁଣି ମରି ଯାଇଥିବା କଥାକୁ ସଂଜୀବିତ କରିବା କ’ଣ ଦରକାର । ପୋଲିସ ହାତରେ ଧରା ଦେଇ ପୁଣି ସତ ମିଛ ପ୍ରମାଣ କରିବା କ’ଣ ଦରକାର ? ବାକିତକ ଜମି ବିକ୍ରୀକରି ମକଦ୍ଦମା ଲଢ଼ି ବିଜୟୀ ହବା କ’ଣ ଦରକାର ? ନିଜର ଟ୍ୟାକ୍‌ସି ହେଇ ଚାଲୁଥିବା ଗାଡ଼ିକୁ ପୁଣି ରଙ୍ଗ ବଦଳେଇ ନିଜେ ଚଳେଇବା କ’ଣ ଦରକାର ? ତାଙ୍କର କେହି ନାହିନ୍ତି... ନାହାନ୍ତି । ବାସ୍‌ ସେ ଭୀରନ୍‌ ମାସାନୀ । ବୀରେନ୍ଦ୍ର ମାନସିଂ ନୁହନ୍ତି ।

 

ଷ୍ଟେସନରେ ବସି ସବୁତକ କଥା ଥରେ ମନଭିତରେ ଦୋହରାଇ ନେଲେ ଫେରିବା ଗାଡ଼ିରେ ଆସିଥିଲେ, ଏଥର ଆଗେଇବା ଗାଡ଼ିକୁ ଅପେକ୍ଷା କରିଛନ୍ତି । ଏଇଥରକ ପାଇଁ ଏ ଷ୍ଟେସନର ମାଟିକୁ ଛାଡ଼ିବେ । ପ୍ରତିଟି କାନ୍ଥ ବାଡ଼, ଖୁଣ୍ଟ, ସବୁ ଯେମିତି ଭଲ ଭାବରେ ଦେଖି ନଉଛନ୍ତି । ରେଳଲାଇନ୍ ଉପରେ ଚକାଗୁଡ଼ା ଗଡ଼ୁଛି । ଲାଇନ୍‌ଗୁଡ଼ାକ ଏକବାରେ ସିଧା, ଉଠାଣି ନାହିଁ କି ଗଡ଼ାଣୀ ନାହିଁ ସମ୍ପୂର୍ଣ୍ଣ ସମତଳ । ଜୀବନଟା ଏକରକମ ସେଇଆ ହେଇଗଲା । ଖାଲି ଗୋଟାଏ ଅବଶେଷ—

 

Unknown

ପୁଅ...... ।

 

‘ତାକୁ ଟିକେ ଦେଖି ପାରିଲେ ନାହିଁ ।

 

ସେ ବି ଗୋଟାଏ ଦୃଷ୍ଟିରୁ ଭଲ ହୋଇଛି ।

 

ତାକୁ ଆଉ କ’ଣ ଭାବରେ ସେ ଦେଖିଥା’ନ୍ତେ । ଯାଦା ଶୁଣିଲେ ସେତିକି ଯଥେଷ୍ଟ । କୁଆଡ଼େ ଯାଇଥିବ ବା କୋଉଠି ଥିବ ସେକଥା ଅନୁମାନ କରିବା କଷ୍ଟ ନୁହେଁ । ସେଇତ ଏକା ରକ୍ତି, ତେଣୁ କଳ୍ପନା କରିବାରେ କଣ ଅସୁବିଧା ?

 

ବୀରେନ୍ଦ୍ର ଦେଖିଲେ—ତାଙ୍କର ଆଖି ବାଧା ମାନୁନାହିଁ । ଏପରି ଏକ ଅବସ୍ଥାରେ କେହି ହୁଏତ ଲକ୍ଷ୍ୟ କରୁଥାଇପାରେ । ସେ ମଧ୍ୟ ବସିବା ଆଉ କଣ ଦରକାର ? କୋଉ ଗାଡ଼ିକୁ କାହିଁକି ଅପେକ୍ଷା କରୁଛନ୍ତି ? ଯୋଉ ଗାଡ଼ି ହେଲେବି ତ ଚଳିବ । ତେଣୁ ବର୍ତ୍ତମାନ ଆଗକୁ ଯେଉଁ ଗାଡ଼ି ଅଛି ସେଥିପାଇଁ ବ୍ୟବସ୍ଥା କରିବେ ।

 

କେବଳ ଗୋଟିଏ କର୍ତ୍ତବ୍ୟ । ବ୍ରଫକେସ୍‍ରୁ ଲଫାପା କାଢ଼ି ଦୁଇଧାଡ଼ି ଲେଖିଦେଲେ । ଚେକ୍‌ ଉପରେ ଅଂଶୁ ଆଉ ଅନୁଙ୍କ ନାମ ଲେଖିଲେ । ବର୍ଷକୁ ଦଶହଜାର ହିସାବରେ ଦୁଇବର୍ଷ ପାଇଁ ଦୁଇଟି ଚେକ୍‌ରେ ଦଶହଜାର ଦଶହଜାର ଲେଖି ସାବିତ୍ରୀଙ୍କ ନାଁରେ ରେଜେଷ୍ଟ୍ରି କରିଦେଲେ । ନାଃ, ଆଉ ମମତା କାହିଁକି ....ଆକର୍ଷଣ କାହିଁକି....ସବୁ ଏଇ ରେଳ ଚକାତଳେ ପେଶି ହୋଇଗଲା-

 

ବଡ଼ ସହର । ଜନଗହଳି । ଅବସରବିନୋଦନ ପ୍ରଚୁର ସମ୍ଭାବନା । ନିଜକୁ ହଜେଇଦବାର ସୁଯୋଗ ଯଥେଷ୍ଟ । ଏସବୁ ଭିତରେ ମଧ୍ୟ ନିଃସଙ୍ଗତା ବଡ଼ ନିଜକୁ ହଜେଇଦବାର ସୁଯୋଗ ଯଥେଷ୍ଟ । ଏସବୁଭିତରେ ମଧ୍ୟ ନିଃସଙ୍ଗତା ବଡ଼ ଯନ୍ତ୍ରଣାଦାୟକ । ଅନେକ ପ୍ରାଚୁର୍ଯ୍ୟ ଭିତରେ ନିଃସ୍ୱ ବୋଲି ଅନୁଭବ କରୁଥିବାବେଳେ ହଠାତ୍ ମନକୁ ଆସେ—ଜୀବନଟା ବଡ଼ ବିଚିତ୍ର-। ହୁଏତ କେହି କେହି ଜୀବନ ଦର୍ଶନର କର୍ଣ୍ଣଧାରଭାବେ ଜୀବନଟାକୁ ପ୍ରତିଦିନ ପିଉଥିବା ସିଗାରେଟର ଧୂଆଁ ସହିତ ତୁଳନାକରି ହାଲୁକା କରି ଦେଇଛନ୍ତି । କିନ୍ତୁ ସେଇଟା ଗତି ସେଇଟା ପୁଣି ସେହି ପରିସ୍ଥିତି ଓ ପରିବେଶ । ଫର୍ମୁଲାବନ୍ଧା ଧାରାବାହିକର ନିଶ୍ଚିତ ଗତି କିହିନାହିଁ ।

 

ଚାରିଦିନ ତଳେ ଚାଲୁ ଚାଲୁ ଏଇଠି ଆସି ପହଞ୍ଚିଥିଲେ ବୀରେନ୍ଦ୍ର । ସହରର ଉପକଣ୍ଠ କୁହାଯାଇପାରେ । କୋଳାହଳ ନାହିଁ । ସହର ବଜାରର ପ୍ରଭାବ ନାହିଁ । କିଣାବିକାର ହିସାବ ନାହିଁ-। ଏତେ ଦୂରରେ ତିଆରି କରିବାର ତାହାହିଁ ବୋଧହୁଏ ଅନ୍ତର୍ନିହିତ ଉଦ୍ଦେଶ୍ୟ । ଏତେବଡ଼ ହତା-। ଏତେବଡ଼ କୋଠା । ତଥାପି ଜନମାନବ ଶୂନ୍ୟ ଭଳି ଜଣାପଡ଼େ । ଭିତରେ କେବଳ ବଡ଼ ବଡ଼ ଗଛର ଦୋହଲିବା ଶବ୍ଦ ସାଙ୍ଗକୁ ଚଢ଼େଇମାନଙ୍କର କଳରବ ଛଡ଼ା ଆଉକିଛି ଜଣାପଡ଼େ ନାହିଁ-

 

ବୀରେନ୍ଦ୍ର ଭାବିଲେ ଏ ପ୍ରକାର ହତା ତିଆରି କରିବାର ଲକ୍ଷ୍ୟ ହୁଏତ ସେଇଆ । ତାଙ୍କରି ଭଳି ଲକ୍ଷ୍ୟହୀନ ବ୍ୟକ୍ତିମାନେ ଅନାୟାସରେ ଏଠି ଆଶ୍ରୟ ନେଇ ପାରିବେ । ମଉ ସେମାନଙ୍କର ସଂଖ୍ୟା ହୁଏତ ବେଶ୍ ଯଥେଷ୍ଟ । ସେଥିପାଇଁ ଏତେବଡ଼ ବିରାଟ କୋଠା । କେହି କିଛି ପଚାରିବାକୁ ନାହିଁ । କେବଳ ଖାଇବାବେଳ ହେଲେ ଜଣେ ଆସି କହୁଛି—ଫାଦର ଡାକୁଛନ୍ତି ଖାଇବାକୁ । ବିନାଦ୍ୱିଧାରେ ଯାଉଛନ୍ତି, ନିର୍ବିକାର ଭାବରେ ଖାଇଦେଇ ଆସୁଛନ୍ତି ।

 

ଦିନ ଭିତରର ଏକ ନିର୍ଦ୍ଦିଷ୍ଟ ସମୟରେ କେବଳ ଜନଗହଳି ହୋଇଉଠେ । ଅନେକ ଲୋକ ମୋଟା ମୋଟା ବହିଧରି ଏକାଠି ହୁଅନ୍ତି । ପ୍ରାର୍ଥନା କରନ୍ତି । ତା’ପରେ ପୁଣି ଚାଲିଯାନ୍ତି । ପୁଣି ଚାରିଆଡ଼େ ନିଶୂନ୍‌ । ଏଇ ଖାଇବା ପିଇବା ଭିତରେ ମଧ୍ୟ ଫାଦର ବା କେହି ତାଙ୍କ ବିଷୟରେ କିଛି ପଚାରୁନାହାଁନ୍ତି ତାହାହିଁ ଆଶ୍ଚର୍ଯ୍ୟ । ବୀରେନ୍ଦ୍ର କେବଳ ଏତିକି ବୁଝିଛନ୍ତି ଯେ ଫାଦର ଅନେକ ତତ୍ତ୍ୱଜ୍ଞାନ ଦିଅନ୍ତି । ଉପଦେଶ ଦିଅନ୍ତି ।

 

ଆଜି କିନ୍ତୁ ବୀରେନ୍ଦ୍ର ନିଜେ ପଚାରିବେ । ତାଙ୍କର କରି ଜାଣିବାର ଅଛି । ଖାଇବାବେଳେ ଫାଦରଙ୍କୁ ପଚାରିବାର ଏକମାତ୍ର ସୁଯୋଗ ଭାରି ବୀରେନ୍ଦ୍ର ପ୍ରସ୍ତୁତ ହୋଇ ରହିଲେ-। ସେ ବେଳ ମଧ୍ୟ ଆସିଲା । ଦୁହେଁ ଖାଇ ବସିବାବେଳେ ବୀରେନ୍ଦ୍ର ନିଜ ତରଫରୁ ପ୍ରଶ୍ନ ଆରମ୍ଭ କଲେ । ଛୋଟ କାଟର ଆଲୋଚନା । ତା’ପରେ ବୀରେନ୍ଦ୍ର ସେଇ ସକାଳର ଦୃଷ୍ଟାନ୍ତ ଦେଖାଇ ପଚାରିଲେ ।

‘କ’ଣ ପାଇଁ ସେମାନେ ଲୁଚିକରି କେହି ନଥିଲାବେଳେ ପ୍ରାର୍ଥନା କରିବାକୁ ଆସିଛନ୍ତି ?’

‘କିଛିଟା ଭୁଲ୍‍ ଏହିପରି କରିଛନ୍ତି—ଯେଉଟାପାଇଁ ସେମାନଙ୍କର ମାନସିକ ଶାନ୍ତି ଦରକାର । ଆଉ ସେଇଟା କୋଳାହଳ ଭିତରେ ସମ୍ଭବ ନୁହେଁ ।’

‘ମାନସିକ ଶାନ୍ତି ଏଠି ମିଳିବ ବୋଲି ତ୍ରୁଟି ସେମାନେ ଜାଣିଲେ କେମିତି ?’’

‘ପ୍ରଭୁଙ୍କର ସମ୍ମୁଖରେ ନିଜର ଯେତେ ତ୍ରୁଟି ଅଛି ତାକୁ ସ୍ୱୀକାରକଲେ ପ୍ରଭୁ କ୍ଷମା କରିବେ । ଯେଉଁମାନେ ନିଜର ଅଜାଣତରେ ବା ପରିସ୍ଥିତିରେ କୌଣସି ଭୁଲ୍‍କରି ବସିଛନ୍ତି ସେମାନେ ଏହିପରି ଏକ ସ୍ଥାନକୁ ଆସି ବିକାରହୀନ ଭାବରେ ନିଜର ଭୁଲ୍‍ ସ୍ୱୀକାର କରନ୍ତି ।’

‘କିନ୍ତୁ କ’ଣ ତାର ଲାଭ ?’

‘ଲାଭ ନଥିଲେ ଏତେ ଲୋକ ଆସି ପ୍ରଭୁଙ୍କ ସମ୍ମୁଖରେ ଦଣ୍ଡ ଠିଆହୋଇ ଯା’ନ୍ତେ ନାହିଁ-। ଆପଣ ନିଜକୁ ପ୍ରକାଶ କରି ଦେଖନ୍ତୁ । ଯେଉଁ ଯନ୍ତ୍ରଣାରେ ଛଟପଟ ହୋଇ ଆପଣ ଶାନ୍ତି ପାଉ ନାହାନ୍ତି, ସେହି ଯନ୍ତ୍ରଣାରୁ କେତେ ଶୀଘ୍ର ମୁକ୍ତିମିଳୁଛି । ସହଜ ଆଉ ସୁସ୍ଥ ହୋଇଉଠୁଛନ୍ତି ।

 

ବୀରେନ୍ଦ୍ର ମାନସିଂ ଭୁଲ୍‍ କରିଛନ୍ତି ? ହୁଏତ କରିଛନ୍ତି । କିନ୍ତୁ ଫାଦର କେମିତି ଜାଣିଲେ-? ନାଁ... ସେ ଚିନ୍ତା କରୁଛନ୍ତି । ତାଙ୍କର ଅଭିଜ୍ଞତାରୁ ? ବେଶ୍ ତ । ବୀରେନ୍ଦ୍ର ମଧ୍ୟ ଲୁଚେଇବାକୁ କିଛି ଚାହାନ୍ତି ନାହିଁ । କିନ୍ତୁ ଦୁନିଆଁ ସମ୍ମୁଖରେ ଚିତ୍କାର କରି ତାଙ୍କ ଭୁଲ୍‍ ସ୍ୱୀକାର କଲେ ମଧ୍ୟ ଲାଭ କ’ଣ ହେବ ? କିଛି ପୋଲିସ୍‌ ଅଫିସର ବାହାଦୁରି ନେବେ । ସୀମା ସେପାଖକୁ ଟପି ଯାଇଥିଲେ–ଧରି ଆଣିଛନ୍ତି । ବୀରେନ୍ଦ୍ର ହସିଲେ ।

 

‘ଏଥିରେ ହସିବାର କିଛିନାହିଁ । ନିଜର ଭୁଲ୍‍ ପାଇଁ ଆପଣ ନିଜକୁଦାୟୀ କରି ନପାରନ୍ତି-। କିନ୍ତୁ ଫଳତଃ ଜ୍ୱଳନଟା କାହାର ? ମୁଁ ଯେତେବେଳେ ପ୍ରଥମ ଦିନ ଆପଣଙ୍କର ଏଇ ଚର୍ଚ୍ଚର ବାରଣ୍ଡାରେ ଶୋଇବାର ଦେଖିଲି ସେତେବେଳେ ମତେ ଆଶ୍ଚର୍ଯ୍ୟ ଲାଗି ନଥିଲା । ମୁଁ କେବଳ ପ୍ରଭୁଙ୍କ ପାଖକୁ ଯାଇ କହିଥିଲା—ହେ ପ୍ରଭୋ ! ତୁମ ପାଖରେ ଏହାଙ୍କୁ ଆଶ୍ରୟ ଦିଅ । ଶାନ୍ତି ଦିଅ-।’

 

‘ଫାଦର ! ବେଶ୍‌ଦିନ ଧରି ଆପଣଙ୍କୁ ମୁଁ ଗୋଟିଏ କଥା ପ୍ରଶ୍ନ କରିନି ବୋଲି ଭାବୁଛି—ପାରୁନାହିଁ । ପ୍ରତ୍ୟେକ ଦିନ ଆପଣଙ୍କର କିଛିନା କିଛି ଅନୁଶୀଳନ ମୁଁ ନିଶ୍ଚୟ ଶୁଣୁଛି । କିନ୍ତୁ ମୋର ଗୋଟିଏ ପ୍ରଶ୍ନ—ପ୍ରଭୁଙ୍କ ନିକଟରେ ସବୁ ସମ୍ଭବ ?’

 

‘ସବୁ ସମ୍ଭବ !’

 

‘ମୋର ସମସ୍ତ ଭୁଲ୍‍ ମୁଁ ସ୍ୱୀକାର କରିଯିବା ପାଇଁ ପ୍ରସ୍ତୁତ । ପ୍ରଭୁ ମୋର ସାମାଜିକ ସ୍ୱୀକୃତି ଫେରାଇ ଆଣିପାରିବେ ? ସମାଜ ମତେ କ୍ଷମା ଦବତ ?’

 

‘ପ୍ରଭୁ ନିଶ୍ଚୟ କ୍ଷମା ଦେବେ ।’

 

‘ଫାଦର ! ପ୍ରଭୁଙ୍କ କ୍ଷମା ଦବାର ସ୍ୱୀକୃତି ଆପଣଙ୍କ ମୁହଁରୁ ଶୁଣି ସନ୍ତୋଷ ଲାଭ କରିବି ସତ । କିନ୍ତୁ ସେିଟା ମୋର ଆବଶ୍ୟକ ନାହିଁ । ଆପଣ ପ୍ରଭୁଙ୍କୁ ଜଣେଇ ପାରିବେ କି—ମତେ ସେ କ୍ଷମା ନ ଦେଇ ଅନେକ ଯନ୍ତ୍ରଣାରେ ଛଟପଟ କରନ୍ତୁ । ସେଥିରୁ ନିସ୍ତାର ଲଭିବାପାଇଁ କେବେ ପ୍ରାର୍ଥନା କରିବି ନାହିଁ । ମୋର ପ୍ରୟୋଜନ ସାମାଜିକ ସ୍ୱୀକୃତି । ସମାଜ ମତେ କ୍ଷମା ଦେବ କି ?

 

ବେଶ୍ କିଛିକ୍ଷଣ ନୀରବ ରହିଲେ ଫାଦର । ସତେ ଯେମିତି ତାଙ୍କର ଯୁକ୍ତି କରିବାର କୌଣସି ବାଟ ନ ଥିଲା । କିନ୍ତୁ ଉତ୍ତର ଅପେକ୍ଷାରେ ନ ଥାଇ ମଧ୍ୟ ବୀରେନ୍ଦ୍ର ହାତ ଟେକି ରହିଛନ୍ତି । ତାଙ୍କୁ ଯଥାସମ୍ଭବ ଶାନ୍ତ କରିବା ଦରକାର । ଫାଦର ନରମ ଅଥଚ ଗମ୍ଭୀର କଣ୍ଠରେ କେବଳ ଏତିକି କହିଲେ—

 

‘ସମାଜରେ ଅନେକ ଅଙ୍ଗ ଅବକ୍ଷୟିତ । ତେଣୁ ତା’ ପାଖରେ ପରାଜୟ ସ୍ୱୀକାର କରି ମନୁଷ୍ୟ ଆସୁଛି ପ୍ରଭୁଙ୍କ ସମ୍ମୁଖରେ ଅନୁତାପ କରିବାକୁ । ସେଥିପାଇଁ ପ୍ରଭୁଙ୍କର ଦୟାଶୀଳ କ୍ଷମାମୟ ହସ୍ତ ସୁଦୂର ପ୍ରସାରୀ । ସେ ନିଶ୍ଚୟ କ୍ଷମା ଦେବେ । ନିଜର ବିବେକର ଭୟରେ ଲୋକ ଏଠାକୁ ଆସିନ୍ତି । ସମାଜକୁ ଭୟ କରି ନୁହେଁ । ପ୍ରଭୁଙ୍କର କ୍ଷମାଦବା କଥାହିଁ ମୁଁ କରିପାରିବି ।’

 

‘ମୋର ଏଠୁ ଆବଶ୍ୟକତା ଶେଷ ହୋଇଛି ଫାଦର । ଆପଣଙ୍କର ଏତେ ଅଳ୍ପତନରେ ସ୍ନେହମମତା ଦୋହନ କରି ମୁଁ କୃତାର୍ଥ ହୋଇଛି । ମତେ ଏଥର ମୁକ୍ତି ଦିଅନ୍ତୁ । ଏହା ଭିତରେ ଆପଣ ଦେଉଥିବା ଜ୍ଞାନର ପ୍ରତ୍ୟେକଟି ଧାଡ଼ି ମୋ ପାଇଁ ଯଥେଷ୍ଟ ମୂଲ୍ୟବାନ । କିନ୍ତୁ ମତେ ଅନ୍ୟ କିଛି ଖୋଜିବାକୁ ପଡ଼ିବ । କିଛି ସୂତ୍ର, କିଛି ପଥ, ଏବଂ ସର୍ବୋପରି କିଛି ପାଥେୟ । ଫାଦର! ପ୍ରଭୁଙ୍କ ପାଖରେ ମୋର ବିଦାୟ ନଣେଇ ଦେବେ ଓ କହିବେ ମୁଁ ଏକ ସମର୍ଥ ପ୍ରଭୁ ଖୋଜିବା ଉଦ୍ଦେଶ୍ୟରେ ବାହାରିଲି ।

 

ସେହି ଅର୍ଦ୍ଧଭୁକ୍ତ ଅବସ୍ଥାରେ ବୀରେନ୍ଦ୍ର ଉଠିଲେ ।

 

ଫାଦର ଦେଖିଲେ—ଫାଟକ ବାହାରକୁ ଚାଲି ଯାଉଛନ୍ତି ତାଙ୍କର ସାମାନ୍ୟ କିଛି ଆସବାବ ଧରି । ଫାଦରଙ୍କ ଚକ୍ଷୁ ସଜଳ ହୋଇଉଠିଲା । ଚର୍ଚ୍ଚର ବାରଣ୍ଡାଟା ଖାଲି ହୋଇଗଲା । କେଇଟାଦିନ ତଳେ ଫାଦର ଯେତେବେଳେ ଫାଟକ୍‌ ଭିତରକୁ ପଶୁଥିଲେ, ତାଙ୍କ ଆଖିରେ ପଡ଼ିଗଲା.... ଲୋକଟିଏ । ପ୍ରଶସ୍ତ ବାରଣ୍ଡାଟା ଝାଡ଼ିବାରେ ବ୍ୟସ୍ତ । ହୁଏତ ନିଜର ଆଶ୍ରୟ ପାଇଁ ଯେତିକି ସ୍ଥାନର ପ୍ରୟୋଜନ ସେତିକି ହେଲେ ଚଳିଥାନ୍ତା । କିନ୍ତୁ ପୁରା ଚର୍ଚ୍ଚର ବାରଣ୍ଡାଟା ଓଳେଇବା କ’ଣ ଦରକାର ? ତା’ ପରଦିନ ସକାଳୁ ଦେଖିଲେ ନିଜର ତଉଲିଆରେ ସୁନ୍ଦର କାଚର କବାଟ ଗୁଡ଼ିକ ପୋଛୁଚି । ସେହି ବ୍ୟକ୍ତି—ବୀରେନ୍ଦ୍ର ମାନସିଂ । ଚାଲିଗଲେ ଫାଟକ ଟପି ।

 

ଚାଲିବା ଆରମ୍ଭ ହେଲା ତାଙ୍କର । ସତେ ଯେମିତି ସେ ଚାଲିବାର ଆଉ ଶେଷ ନାହିଁ । ଭାରତ ଦର୍ଶନ ପାଦରେ କରିବା ଆରମ୍ଭ କରିଛନ୍ତି ବୋଲି ତାଙ୍କର ଆଉ ଫଟ ବାହାରିବାର ନାହିଁ କିମ୍ବା କେହି ତାଙ୍କୁ ସାକ୍ଷାତ କରିବାର ନାହିଁ । ସେ ଚାଲିଛନ୍ତି । ଚାଲିବା ଭିତରେ ଯଦି ତାଙ୍କର କିଛିଟା ଲକ୍ଷ୍ୟ ପୂରଣ ହେଲା.... ।

 

ବେଳେବେଳେ ତାଙ୍କର ମନେ ହେଉଛି, ଅତୀତରେ ଖୁବ୍‌ ଶୀଘ୍ର ଗାଡ଼ି ଚଳେଇ ପାରୁଥିଲେ ବୋଲି ଅହମିକା ଥିଲା ତାଙ୍କର । କିନ୍ତୁ ବର୍ତ୍ତମାନ ସେ ଭାବୁଛନ୍ତି ନିଜର ଚାଲିବାର ବେଗ ଆହୁରି ବଢ଼ି ଯାଇଛି । ଗାଡ଼ିଠାରୁ ମଧ୍ୟ ଅଧିକ । ଗାଡ଼ିଟାତ କେଉଁଠି ହେଲେ ପହଞ୍ଚି ଯାଉଥିଲା । କିନ୍ତୁ ଚାଲିବାଟା ଆଉ ସରିବାର ନୁହେଁ । ଗୀର୍ଜା, ମନ୍ଦିର, ମସ୍‌ଜିଦ ସବୁଠାରେ ଖୋଜି ଚାଲିଛନ୍ତି ଜଣେ ପାରିବାର ପ୍ରଭୁଙ୍କୁ । ଯେ କି ସବୁ ଅସମ୍ଭବକୁ ସମ୍ଭବ କରି ପାରୁଥିବ । କେତେ ଛୋଟ ତାଙ୍କର ସମସ୍ୟା, ତଥାପି କେହି ପାରୁନାହାଁନ୍ତି ।

 

ମସଜିଦ୍‌ର ମୁହ୍ଲା ବା ମୌଲବୀମାନଙ୍କ ସହିତ ମଧ୍ୟ ବୀରେନ୍ଦ୍ର ଆଳାପ କରିଛନ୍ତି । ନିଜର ଅସହାୟକୁ ଜଣେଇଛନ୍ତି । ମହାପୁରୁଷ ମହମ୍ମଦଙ୍କ ବାଣୀ ଶୁଣି, କୋରାନ ଶୁଣି ନିଜକୁ ଆଲୋକିତ କରିଛନ୍ତି । କିନ୍ତୁ ତାଙ୍କର ପ୍ରଶ୍ନ ଅସମାଧିତ ।

 

‘ଏଇ ମସ୍‌ଜିଦ୍‌ରେ ପ୍ରତ୍ୟେହ ପଡ଼ିରହି ପବିତ୍ର କୋରାନ ପଢ଼ିବାକୁ ପ୍ରସ୍ତୁତ ଅଛି । ଏକଲୟ ଏକପ୍ରାଣରେ ସୁବହ, ଜୋହର, ଆସର, ମଗ୍‌ରିବ୍‌, ଈଶାନ୍‌ରେ ଏକାଗ୍ର ଚିତ୍ତରେ ସମସ୍ତ ପ୍ରକାର ପବିତ୍ରତା ପ୍ରକାଶ କରିବାକୁ ପ୍ରସ୍ତୁତ ଅଛି । କିନ୍ତୁ ମୋ ସ୍ମୃତିକୁ ମତେ ଭୁଲେଇ ଦିଅନ୍ତୁ ।’

 

‘ୟା କ’ଣ କେବେ ସମ୍ଭବ ? ମଣିଷ ନିଜର ଜ୍ଞାନ ଫେରିପାଇବାକୁ ଧର୍ମଚର୍ଚ୍ଚା କରୁଛି । ଅଲ୍ଲାଙ୍କର ଗୁଣଗାନ ଫଳରେ ଅଧର୍ମୀ ଧର୍ମୀ ହୋଇପାରେ । ଯଦି ଆପଣ ଭୁଲ୍‍ କରିଛନ୍ତି ତେବେ ସେ ଭୁଲ୍‍ ମଧ୍ୟ ଭୁଲ୍‍ ନୁହେଁ । କୋରାନରେ ମଧ୍ୟ ଏକଥା ଉପସ୍ଥାପିତ ହୋଇଛି ।

 

ସର୍ବୋପରି ମୁଁ ପାଇବି କ’ଣ ? ଏତେ ଛୋଟ କଥାଟାଏ ଆଲ୍ଲା ମତେ ସାହାଯ୍ୟ କରିପାରିବେ ନାହିଁ ? ମୁଁ ଚାହେଁ ମୋର ନିଜ ବିଷୟରେ ମୁଁ ବିସ୍ମୃତ ହୋଇଯାଏ । ଯେ କୌଣସି ଖଳ ଡାକ୍ତରକୁ ଅଳ୍ପ କିଛି ଟଙ୍କା ଦେଲେ କେଇଟା ଇଂଜେ୍କସନରେ ଜଣେ ନିଜର ସ୍ମୃତି ସବୁଦିନ ପାଇଁ ଭୁଲିଯାଇ ପାରିବ । ଅଥଚ ଆପଣ କହିବାକୁ ଚାହାଁନ୍ତି ଭଗବାନଙ୍କ ଦ୍ୱାରା ଏତିକି ସମ୍ଭବ ନୁହେଁ ।

 

ବୀରେନ୍ଦ୍ର ମାନସିଂ ପୁନର୍ବାର ଆଗେଇଲେ । ପବିତ୍ର କୋରାନ୍‌ର ପ୍ରତିଟି ଧାଡ଼ି ତାଙ୍କୁ ମୂଲ୍ୟବାନ୍‌ ଭଳି ଲାଗିଲା । କିନ୍ତୁ କୌଣସିଟିକୁ ନିଜ ପାଇଁ ପାଥେୟ କରିପାରିଲେ ନାହିଁ । ତାଙ୍କର ଏକମାତ୍ର ଲକ୍ଷ୍ୟ । ଦ୍ୱିତୀୟ ନାସ୍ତି । ସବୁ ସହ ପୁରୁଷମାନେ ଏହିପରି ଗୋଟିଏ ଲକ୍ଷ୍ୟ ରଖି ସିଦ୍ଧକାମ ହୋଇଛନ୍ତି । ତାଙ୍କର ମଧ୍ୟ ସେହି ଏକମାତତ୍ର ଲକ୍ଷ୍ୟ । ବୁଦ୍ଧ, ଯିଶୁ, ମହମ୍ମଦ, ବିଲମଙ୍ଗଳ, ସାଲବେଗ ଯେତେଗୁଡ଼ାଏ ଉପାଖ୍ୟାନ ଶୁଣିଛନ୍ତି ସମସ୍ତଙ୍କ ଅତୀତ ଦେହରେ ଏକ ସଂକ୍ଷିପ୍ତ ଇତିହାସ ଜଡ଼ିତ । ଠିକ୍‌ ତ ବୀରେନ୍ଦ୍ରଙ୍କ ଭଳି । ତେବେ ବୀରେନ୍ଦ୍ର କାହିଁକି ନିଷ୍ଫଳ ହେବେ, ସେମାନଙ୍କର ଲକ୍ଷ୍ୟ ଥିଲା—ଉପରକୁ ଯିବା । କିନ୍ତୁ ସେ ତୁଳନାରେ ତାଙ୍କର କାମନା କେତେ କ୍ଷୁଦ୍ର-। ସେ ଚାହାଁନ୍ତି ପଛକୁ ଫେରିବା । ତାଙ୍କର ତଳି ଅଞ୍ଚଳକୁ ଫେରିବା । ତାଙ୍କର ତଳି ଅଞ୍ଚଳକୁ ଫେରିବା । ସମସ୍ତେ ପରୋକ୍ଷରେ ଚାହିଥିଲେ ସେମାନେ ମହାପୁରୁଷ ହୁଅନ୍ତୁ, ତାଙ୍କୁ ଲୋକେ ମନେ ରଖନ୍ତୁ । ବୀରେନ୍ଦ୍ର ତ ଚାହଁନ୍ତି ତାକୁ ଲୋକ ଭୁଲିଯାନ୍ତୁ ଏବଂ ସେ କ୍ଷୁଦ୍ରମାନବ ହୁଅନ୍ତୁ । ସମସ୍ତେ ଚାହୁଁଥିଲେ ସଂସାରର ବନ୍ଧନ କାଟି ଭଗବାନଙ୍କ ଦେହରେ ଲୀନ ହେବାକୁ । କିନ୍ତୁ ସେ ତ ଚାହାନ୍ତି ଭଗବାନଙ୍କୁ ଆଦୌ ହଇରାଣ ନ କରି ତାଙ୍କ ପାଖକୁ ନ ଯାଇ ନିଜ ସଂସାରକୁ ଫେରିବାକୁ-। ତେବେ ଭଗବାନଙ୍କ ପାଇଁ କେଉଁ ବର ଦେବାଟା ସହଜ ?

 

ତଥାପି ସେ ଖୋଜିବେ । ଆଗେଇ ଚାଲିଲେ ।

 

ମନ୍ଦିରର ଆରତୀବେଳେ ଉପସ୍ଥିତ ରହି ହାତ ଯୋଡ଼ିଛନ୍ତି । ପୁରାଣର ପାଳିଧରି କଣ୍ଠ ଫିଟେଇ ପଦ ଗାଇଛନ୍ତି । କିନ୍ତୁ କାହିଁ ? ଶ୍ରୀକୃଷ୍ଣ କାହିଁକି ଟିକେ ଚହଲିଲେ ନାହିଁ ? ରାଧିକା ତାଙ୍କରି ପ୍ରେମର ଆଦର୍ଶରୁ କିଛି ସାମଞ୍ଜସ୍ୟ ଖୋଜିପାରିଲେ ନାହିଁ ?

 

ଶ୍ମଶାନରେ ଏକାକି ବସି ଶୂନ୍ୟତା ଭିତରେ ନିଜ ଲକ୍ଷ୍ୟ ଖୋଜିବାକୁ ଚେଷ୍ଟା କରିଛନ୍ତି ବୀରେନ୍ଦ୍ର । ଶ୍ମଶାନର ସାଧକମାନଙ୍କ ନିକଟକୁ ଯାଇ ଚେଲା ହବାର ପ୍ରସ୍ତାବ କରିଛନ୍ତି । ଅରଣ୍ୟ, ପାହାଡ଼ତଳର ସାଧୁ, ସନ୍ଥଙ୍କ ନିକଟରେ ବିଜନରେ ବସି ଶିଷ୍ୟତ୍ୱ ଗ୍ରହଣ କରି ଦୀକ୍ଷା ନେଇଛନ୍ତି । କିଛି ଦିନପରେ ପୁଣି ଅନୁଭବ କରିଛନ୍ତି—ସେ ଲକ୍ଷ୍ୟଭ୍ରଷ୍ଟ ହୋଇଛନ୍ତି । ତାଙ୍କର ଆଗେଇବା ଉଚିତ୍-

 

ପରିଶେଷରେ ଯେଉଁ ସନ୍ଦର୍ଭ ତିଆରି କରି ବୀରେନ୍ଦ୍ର ସିଦ୍ଧାନ୍ତ କଲେ, ତାହାହେଲା—ତାଙ୍କର ଲକ୍ଷ୍ୟରେ ପହଞ୍ଚାଇବା ଭଳି କୌଣସି ପ୍ରଭୁ ସାହାଯ୍ୟ କରିପାରିବେ ନାହିଁ । ତେଣୁ ଅଜ୍ଞାତବାସରେ ଏ ଜନ୍ମଟା ତାଙ୍କୁ କାଟିବାକୁ ହିଁ ପଡ଼ିବ । ଆଉ ସେ କାଟିବେ ଏପରି ଏକ ସ୍ଥାନରେ ଯେଉଁଠିକି ଜନଗହଳି ଭିତରେ ସେ ହଜିକରି ରହିବେ । ପ୍ରତିଦିନ ଭଗବାନକୁ ଅସମର୍ଥ ବୋଲି ଦର୍ଶନ କରି ଉପହାସ କରିପାରିବେ । ଏ ଉପସଂସାରର ଅନ୍ୟ କାରଣ ହେଲା—ସେ ଦେଖିଛନ୍ତି ଏହି ସ୍ଥାନମାନଙ୍କରେ ଖାଇବା ପାଇଁ ରୋଜଗାର କରିବା ଦରକାର ପଡ଼େନାହିଁ । ପିନ୍ଧିବା ପାଇଁ ଲୁଗାପଟାର ଯତ୍ନ ନବାକୁ ପଡ଼େନାହିଁ ବା କ’ଣ ପିନ୍ଧା ଯିବା ଉଚିତ୍ ବୋଲି ଭାବିବାକୁ ପଡ଼େ ନାହିଁ । କେଶରାଶି ବିପର୍ଯ୍ୟସ୍ତ ହେଲେ ମଧ୍ୟ ସଜାଡ଼ିବା ଦରକାର ପଡ଼େ ନାହିଁ । ଦାଢ଼ି କାଟିବା ପାଇଁ ବା କାଲି ବସେଇବା ପାଇଁ ଦର୍ପଣ, କ୍ଷୁର ଇତ୍ୟାଦି ରଖିବା ସହଜରେ ମିଳିବ । ସମସ୍ତଙ୍କ ଆଖି ଆଗରେ ଥାଇ ଆଢ଼ୁଆଳରେ ରହିହେବ ।

 

ବିଶେଷ ଯୋଗ୍ୟତା ପାଇଁ ଦୁଇ ଚାରିଟା ଅଳ୍ପ ଦରର ଛୋଟ ବହି କିଣି ତାକୁ ସଜେଇ କହି ଜାଣିବା ଦରକାର । କିନ୍ତୁ ଏଇଠି ବୀରେନ୍ଦ୍ରଙ୍କ ବିବେକ ବାଧା ଦେଲା । ସବୁକାଳରେ ଯଦି ଭଗବାନଙ୍କୁ ପ୍ରତିପକ୍ଷ କରି ତାଙ୍କ ସହିତ ଲଢ଼ି ଆସିଛନ୍ତି ତେବେ ଆଜି କାହିଁକି ଗୁଣ କୀର୍ତ୍ତନ କରିବେ । ଦେଖାଯାଉ.... ।

 

ଏବଂ ଦେଖାଗଲା ବୀରେନ୍ଦ୍ର ମାନସିଂଙ୍କ ଚାରିପାଖରେ ବେଶ୍ କରି ଲୋକ ସତୃଷ୍ଣ ନୟନରେ ତାଙ୍କ କହିବା ଶୁଣି ଚାଲିଛନ୍ତି । ଭଗବାନଙ୍କୁ ସାକ୍ଷକରି ତାଙ୍କର ଘରବୁଡ଼ା ପଣ, ବିଶ୍ୱାସ ଘାତକତା, ଠକାମି, ଭଗାରୀପଣିଆ ସବୁ ବ୍ୟାଖ୍ୟା କଲେ ତାଙ୍କ ଚାରିପାଖେ ବସିଥିବା ବାଧ୍ୟ ଶ୍ରୋତା ବିଗଳିତ ହୃଦୟରେ ଆଖିରୁ ଲୁହ ଢାଳୁଛନ୍ତି । ବୀରେନ୍ଦ୍ର ଯଦିଓ ଉପହାସ କଲାଭଳି ହସିହସି କହୁଥାନ୍ତି ତଥାପି ଭକ୍ତମାନେ ତାଙ୍କୁ ଭକ୍ତିମାର୍ଗର ସଞ୍ଚାର ବୋଲି ଭାବି ଉଦ୍‌ବୁଦ୍ଧ ହେଉଥାନ୍ତି । ବୀରେନ୍ଦ୍ର ଭାବିଲେ ଏଇଥିପାଇଁ ବୋଧହୁଏ ତାଙ୍କ ଶୁଣିଥିବା, ପଢ଼ିଥିବା ଗାଳିଦିଆ ଭଜନଗୁଡ଼ା ବେଶୀ ହୃଦୟଗ୍ରାହୀ ଓ ମର୍ମସ୍ପର୍ଶୀ ।

 

ବୀରେନ୍ଦ୍ର ମାନସିଂଙ୍କର ଏ ସନ୍ଦର୍ଭ ସେହିଦିନ ପୁନର୍ବାର ଅମୂଳକ ବୋଲି ପ୍ରମାଣିତ ହେଲା ଯେଉଁଦିନ ବୀରେନ୍ଦ୍ର ପୁଣି ବୃନ୍ଦାବନରେ ସେ ଜନଗହଳି ଓ ଭକ୍ତବୃନ୍ଦଙ୍କ ଛାଡ଼ି ଚାଲିବା ଆରମ୍ଭ କଲେ । ନାଁ, ଏଇଠି ତାଙ୍କର ବିଲୀନ ହେବାର ନୁହେଁ । ବହୁ ସୁସ୍ୱାଦୁ ପ୍ରାସାଦ ଥାଇ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟର ଉନ୍ନତି ହୋଇନାହିଁ । ବହୁ ଚିତ୍କାର କରି ମଧ୍ୟ ତାଙ୍କ ମନଭିତରର ଚିନ୍ତାକୁ ସେ ଦୂରେଇ ଦେଇ ପାରିନାହାଁନ୍ତି ଏବଂ ସେ ଚିନ୍ତା ଆଜି ବଳବତ୍ତର ହୋଇ ଠାକୁରଙ୍କଠାରୁ ଅଧିକ ଶକ୍ତି ସମ୍ପନ୍ନ ଭୂତ ପାଲଟି ତାଙ୍କୁ ମାଡ଼ି ବସିଛି । ପୁରୁଣା ଖବର କାଗଜ କାଗଜ ଖଣ୍ଡେ ଦେଖୁ ଦେଖୁ ଛୋଟ ସମ୍ବାଦଟିଏ ତାଙ୍କର ଦୃଷ୍ଟି ଆକର୍ଷଣ କଲା । ଯାହାର ସାରାଂଶ ହେଲା—

 

ବହୁ ଦିନର ହତ୍ୟା କେସ୍‍ରେ ସଂଯୁକ୍ତ ଫେରାଇ ଆସାମୀ ବୀରେନ୍ଦ୍ରମାନସିଂ ଆଉ ବଞ୍ଚି ନାହାଁନ୍ତି ବୋଲି ବିଶ୍ୱାସ କରାଯାଏ । ସୀମା ପାର ହୋଇ ଭାରତ ବାହାରକୁ ତା’ର ଦଳ ସହିତ ପଳେଇ ଯାଇଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ସୀମାନ୍ତରକ୍ଷୀମାନଙ୍କର କିଛିଦିନ ତଳେ ଭିତରକୁ ଆସୁଥିବା କିଛି ଲୋକଙ୍କ ଗୁଳିଚାଳନା ଫଳରେ କିଛି ଲୋକ ମରିଥିବାର ଜଣାପଡ଼େ । ବହୁ ଦିନ ପରେ ପାଣିରେ ପଡ଼ି ପଚି ଯାଇଥିବା ଶବ ଚିହ୍ନଟ କରା ନଗଲେ ବି ଆକାର ବର୍ଣ୍ଣନାରୁ ଅନୁମାନ କରାଯାଏ ସେ ବୀରେନ୍ଦ୍ର ମାନସିଂହ ଶବ ।

 

ଭାରି ଜୋରରେ ହସ ମାଡ଼ିଲା ବୀରେନ୍ଦ୍ରଙ୍କୁ । ସତରେ ତ ! ସେ ମରିଯାଇ ବର୍ତ୍ତମାନ ଭଗବାନଙ୍କ ନିକଟରେ ପହଞ୍ଚି ଯାଇଛନ୍ତି । ପରିକ୍ଷଣରେ ତାଙ୍କର ମନ ମରିଗଲା, ହେ ଭଗବାନ ! ଏପରି ଏକ କୃତଘ୍ନ ସ୍ୱାମୀର ହତଭାଗିନୀ ସ୍ତ୍ରୀ ମଥାରୁ ସିନ୍ଦୂର ଗାରଟା ମଧ୍ୟ ପୋଛିଦବା ପାଇଁ ହାତ ଗଲାନାହିଁ ?

 

ଅନ୍ୟଦିନ ହେଇଥିଲେ ବୀରେନ୍ଦ୍ର ମାନସିଂ ଫାଶୀ ହେଇଥାନ୍ତେ । ଯା’ ଦେଉ ଲୋକଲୋଚନର ଅଗୋଚରରେ ନିରାପଦରେ ସେ ରହିପାରିବେ । କିନ୍ତୁ ଆଜି ନୁହେଁ । ଆଜି ତାଙ୍କ ମନରେ ଅନ୍ୟଏକ ବିକୃତ ଚିନ୍ତା ଦେଖାଯାଇଛି । ଭଗବାନ ଆଉ ସରକାର ଦୁହେଁ ତାଙ୍କର ଶତ୍ରୁ । ଦୁହିଁଙ୍କୁ ସେ ଅପଦସ୍ଥ କରିବେ । ଆତ୍ମରକ୍ଷା କରିବା ପାଇଁ ବନ୍ଧୁକ ଚଳଉଥିବା ସୀମାନ୍ତରକ୍ଷୀଙ୍କ ଗୁଳିରେ ସଉକରେ ବନ୍ଧୁକ ଚଳଉଥିବା ବୀରେନ୍ଦ୍ର ମାନସିଂ ମରି ନ ପାରନ୍ତି । ଏ ପ୍ରକାର ସହକ ଉପାୟରେ ତାଙ୍କ ଲକ୍ଷ୍ମୀ ପ୍ରତିମା ସ୍ତ୍ରୀଙ୍କ ସୀମାନ୍ତରୁ ସିନ୍ଦୂରଗାର ଭଗବାନ ପୋଛିଦବାର ସାହାସ ନ କରିବା ଉଚିତ୍ । ଆଉ ଦର୍ପିତ ସରକାରୀ ଦଳ ନିଜର ସହଜ ପରାଜୟ ସ୍ୱୀକାର ନ କରି ବୀରେନ୍ଦ୍ର ମାନସିଂଙ୍କୁ ମୃତ ବୋଲି ଘୋଷଣା କରି ନ ପାରନ୍ତି ।

 

ତାଙ୍କର ସିଦ୍ଧାନ୍ତ ବଦଳିଲା । ଚାଲିବା ଆରମ୍ଭ ହେଲା, ଆଉ ବା କେତେଦିନ ? ଯେଉଁ ରୋଗର ସମଷ୍ଟିରେ ବେଶ କିଛି ଦିନ ହେବ ବୀରେନ୍ଦ୍ର ମାନସିଂ କଦର୍ଯ୍ୟ ଭାବରେ ଭିତରେ ଇଞ୍ଚ ଇଞ୍ଚ ହୋଇ ମରିବା ଆରମ୍ଭ କରିଛନ୍ତି ସେ ଯନ୍ତ୍ରଣାର ପରିସମାପ୍ତି ଯୋଉଠି ହେଲେ କ୍ଷତି କ’ଣ ? ବାକୀ ଜୀବନ ବା ଆଉ କେତେଦିନ । ସେଇଟା ଏଠି କଟିବା ଆଉ ଅନ୍ୟ କୋଉଠି କଟିବା ଭିତରେ କ’ଣ ବେଶୀ ପ୍ରଭେଦ ? ବରଂ ସେ ଏ ସମସ୍ତ ବିବରଣୀକୁ ଉପହାସ କରି ବଦଳେଇ ଦେଇ ଦେଖେଇ ଦେବେ ବୀରେନ୍ଦ୍ର ମାନସିଂ...ବୀରେନ୍ଦ୍ର ମାନସିଂ । ସିଂହ କେବଳ ଯେ କୌଣସି ଅବସ୍ଥାରେ କେବଳ ସିଂହ ହୋଇପାରେ, ଅନ୍ୟ କିଛି ନୁହେଁ । ଜଙ୍ଗଲରେ ବା ସର୍କସରେ । ସେ କେବଳ ସିଂହ । ତାକୁ ଦେଖିବା ପାଇଁ ଯେକୌଣସି ଅବସ୍ଥାରେ ଭିଡ଼ ହୋଇପାରେ ।

 

ତାଙ୍କର ଚାଲିବା ଆରମ୍ଭ ହେଲା । ଏବଂ ଏଥର ଯେଉଁଠି ଚାଲିବା ଶେଷ ହେଲା—ତାହା ମନ୍ଦିର ନୁହେଁ, ମସ୍‌ଜିଦ୍‌ ନୁହେଁ, ଗୀର୍ଜା ନୁହେଁ, ଶ୍ମଶାନ ନୁହେଁ ବା ସିନେମା ନୁହେଁ ଏହିପରି ଆସାମୀ, ଡକାୟତ୍‌ ବା କଳଙ୍କିତ ନାୟକଙ୍କ ପାଇଁ ଏକମାତ୍ର ଆଶ୍ରୟସ୍ଥଳ ।

 

ବହୁ ଆୟାସ ପରେ ବୀରେନ୍ଦ୍ରମାନସିଂ ଯେତେବେଳେ ସେ ଆଶ୍ରୟସ୍ଥଳ ଭିତରକୁ ପ୍ରବେଶ କରିବାର ଅଧିକାର ପାଇଲେ ସେତେବେଳେ ସେ ମଧ୍ୟ ଏକ ବିଚିତ୍ର ଦୃଶ୍ୟ ତାଙ୍କର ଅନୁମାନ ଅକ୍ଷରେ ଅକ୍ଷରେ ସତ୍ୟ ହେଲା । ଯେ କୌଣସି ଅବସ୍ଥାରେ ସିଂହର ପରିଚୟ କେବଳ ସିଂହ । ତାଙ୍କୁ ଦେଖିବା ପାଇଁ ଅନେକ ଲୋକ ରୁଣ୍ଡ ହେବା ସ୍ୱାଭାବିକ୍ । ଏବଂ ଠିକ୍‌ ତାହାହିଁ ହେଲା-। ସେଦିନ ଯେତେବେଳେ ସେହିପରି ଏକ ସିଂହ ଧରାଦେଇ ଲୁହାପିଞ୍ଜରା ଭିତରକୁ ପ୍ରବେଶ କରିବାକୁ ଅନୁମତି ଲୋଡ଼ିଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ନଥିଲେ, କାକୁସ୍ଥ ହୋଇ ପଡ଼ିଥିଲେ ।

 

ସେଠାକାର ସର୍ବୋଚ୍ଚ ବିଭାଗୀୟ କର୍ତ୍ତାଙ୍କ ନିକଟରେ ବୀରେନ୍ଦ୍ର ମାନସିଂ ଯେତେବେଳେ ପ୍ରଥମେ ଆତ୍ମସମର୍ପଣ କଲେ ସେତେବେଳେ ହାକିମ ନିଜେ ମଧ୍ୟ ବିଶ୍ୱାସ କରି ନ ଥିଲେ । ବେଶ୍ କିଛି ସମୟ ଆଲୋଚନା ପରେ ବୀରେନ୍ଦ୍ର ଯେତେବେଳେ ହାକିମ୍‌ଙ୍କୁ ବୁଝେଇ ସାରିଲେ ବୋଲି ତୃପ୍ତିଲାଭ କଲେ ସେତେବେଳେ ହାକିମ କେଉଁଠିକି ଟେଲିଫୋନ୍‌ କରାଯାଇପାରେ ବୋଲି ଦ୍ୱନ୍ଦରେ ପଡ଼ିଥିଲେ । ଥାନାକୁ ବା ମାନସିକ ରୋଗୀଙ୍କ ଡାକ୍ତରଙ୍କୁ ।

 

‘ମୋ ଭଳି ଜଣେ ଫେରାର ଆସାମୀ ତା’ର ସମସ୍ତ ଦୋଷ ଆପଣଙ୍କ ସମ୍ମୁଖରେ ପ୍ରକାଶ କରିବା ପରେ ଆପଣ ନିର୍ବିକାର ବସିଛନ୍ତି କେମିତି ? ମତେ ଥାନାକୁ ପଠେଇବା ଉଚିତ୍‌ । ବିବ୍ରତ ହୋଇ କ’ଣ କ’ଣ କରିପକାନ୍ତେଣି ।’

 

‘ମୁଁ ହାବିଲଦାର ବା ସିପେହୀ ନୁହେଁ ମିଷ୍ଟର ମାନସିଂ । ମୁଁ ମୋର କର୍ତ୍ତବ୍ୟ ବିଷୟରେ ଜାଣେ । ତେଣୁ ଆପଣଙ୍କ ଭଳି ଆସାମୀକୁ କେମିତି କ’ଣ କରିବାକୁ ପଡ଼େ ସେଇଟା ମୁଁ କରୁଛି । ବରଂ ଆପଣ ରୁହନ୍ତୁ । ମୁଁ ଆପଣଙ୍କ ନିଜ ରାଜ୍ୟକୁ ଖବର ପଠେଇ ସେଠୁ କେତେଟା ଖବର ନ ଜାଣିବା ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କିଛି କରିପାରିବି ନାହିଁ ।’

 

ବୀରେନ୍ଦ୍ର ସମ୍ମତିଜ୍ଞାପନ ନ କରି ଅନ୍ୟଉପାୟ ନ ଥିଲା । ତେଣୁ ଏଇଟା କେତେବେଳେ ଖବର ମିଳିବ ବୋଲି ପ୍ରଶ୍ନ କଲେ । ଉତ୍ତରରେ ବୁଝିଲେ ପ୍ରାୟ ଦୁଇ ଦିନରୁ ଅଧିକ ଲାଗିବ ଏତକ ସଂଗ୍ରହ କରିବାକୁ । ସେଇ ଦିନତକ କୋଉଠି କହିବେ ବୋଲି ପ୍ରଥମେ ସାମାନ୍ୟ ଦ୍ୱନ୍ଦ୍ୱ ଉଠିଥିଲା । ହାକିମଙ୍କର କେଜାଣି କେମିତି ସାମାନ୍ୟ ସନ୍ଦେହ ହେଲା । ସେ କଥାଟାକୁ ଆଉଥରେ ମନରେ ଦୋହରାଇଲେ । ସତରେ କ’ଣ ଏପରି ଜଣେ ଆତତାୟୀ ଆତତାୟୀ ଆତ୍ମସମର୍ପଣ କରିପାରେ ? ପରକ୍ଷଣରେ ତାଙ୍କର ସେ ଚିନ୍ତା ରହିଲା ନାହିଁ । ଚରମ ଶଠତା ଏବଂ ଦୁର୍ଦ୍ଦର୍ଷତା ପରେ ମଧ୍ୟ ଲୋକ ଆସି ତ ପୁଣି ଆତ୍ମସମର୍ପଣ କରୁଛନ୍ତି । ବହୁ ଅଭିଜ୍ଞ ହାକିମଙ୍କର କେବଳ ଗୋଟିଏ ‘କିନ୍ତୁ’ ରହି ଯାଉଥିଲା । ସମସ୍ତଙ୍କ ପଛରେ ଖୋଜା ଚାଲିଥିବାବେଳେ ସେମାନେ ଆସି ଆତ୍ମସମର୍ପଣ କରିଥାନ୍ତି-। କିନ୍ତୁ ବୀରେନ୍ଦ୍ର ମାନସିଂଙ୍କର ସେ ଅଧ୍ୟାୟ ଶେଷ ହୋଇସାରିଛି । ସେ ଆପାତତଃ ବିପଦରୁ ମୁକ୍ତି-। ମୃତ ବୋଲି ଘୋଷିତ ହୋଇସାରିବା ପରେ ମଧ୍ୟ ଜଣେ ଆସି ଆତ୍ମସମର୍ପଣ କରିବାର ଦୃଷ୍ଟାନ୍ତ କାହିଁ ? ପଢ଼ିଛନ୍ତି ବୋଲି ତାଙ୍କର ମନେହେଲା ନାହିଁ ।

 

ଠିକ୍‌ ତା’ପରେ ହାକିମଙ୍କ ମୁଣ୍ଡରେ ଗୋଟିଏ ବୁଦ୍ଧି ଜୁଟିଲା । ତାଙ୍କର ବର୍ତ୍ତମାନ ଗୋଟାଏ କାମରେ ବାହାରକୁ ବାହରିଯିବାର ଅଛି । ଗାଡ଼ିନେଇ ଗଲାବେଳେ ବୀରେନ୍ଦ୍ରଙ୍କୁ ଡାକିଲେ-। ବହୁ ଯତ୍ନର ସହିତ କମିଶନର ଲକ୍ଷ୍ୟ କରୁଥିଲେ ତାଙ୍କୁ, ତାଙ୍କର ଗତିବିଧିକୁ । କିନ୍ତୁ ସେଭଳି କିଛି ବ୍ୟତିକ୍ରମ ତାଙ୍କର ଦୃଷ୍ଟିଗୋଚର ହେଲା ନାହିଁ । କିଛି ସମୟପରେ ମାମୁଲି ଗୋଟାଏ ଦି’ଟା କାମର ବାହାନା ସାରି ଗାଡ଼ିଟା ଗଲା ଜେଲ ଫାଟକ ଭିତରକୁ । ତଥାପି ମଧ୍ୟ ବୀରେନ୍ଦ୍ର ନିର୍ବିକାର-। ଏଇଟା ଟିକେ କେମିତି ଅଖାଡ଼ୁଆ ଜଣାପଡ଼ିଲା । ପକ୍‌କା ଦାଗୀ ଯିଏ ହାଜତ ଛୁଇଁଲା ବେଳେ ତାର କମ୍ପନ ଆରମ୍ଭ ହେବ । ଅବଶ୍ୟ ଏହା ମଧ୍ୟ ହୋଇପାରେ ବହୁବାର ୟାଭିତରକୁ ଆସି ବାହାରିବା ପରେ ଆଉ ସେଥିପାଇଁ ଭାବର ବିକାଶ ହେଉ ନାହିଁ ।

 

ଚିହ୍ନେଇ ଦେଲେ ବୀରେନ୍ଦ୍ରଙ୍କୁ । ସେଇଟା ହାଜତ୍ । ଛୋଟ କାମଟିଏ ସାରିଦେଇ ଫେରିଲାବେଳକୁ ବୀରେନ୍ଦ୍ର ଗାଡ଼ିରେ ଚଢ଼ିବାକୁ କୁଣ୍ଠା ପ୍ରକାଶ କଲେ ।

 

‘ସାର! ମୁଁ ଆଉ କାହିଁକି ଯିବ ? କୁଆଡ଼େ ଯିବି ? କିଛି ଗୋଟାଏ ଖବର ଆସିବାଯାକେ ଆପଣ ଆଦେଶ କଲେ ମୁଁ ଏଇ ହାଜତରେ ରହି ଯାଇଥାନ୍ତି ।

 

ଏଥର କମିଶନରଙ୍କ ସନ୍ଦେହ କ୍ରମେ ଦୂରୀଭୂତ ହେଲାଭଳି ଲାଗିଲା । ଲୋକଟା କେବେହେଲେ ସେଇଆ ହୋଇପାରେନା ।

 

‘ଥରେ କହିଲି ମିଷ୍ଟର ମାନସିଂ ! ହାଜତ ଭିତରକୁ ଯିବା ବା ହାଜତ ବାହାରକୁ ଯିବା ଏ ଦୁଇଟା ବେଶ୍ ଗର୍ହିତ ବିଷୟ । କେହି ଇଚ୍ଛା କଲେ ମଧ୍ୟ କିଛି କରିହବ ନାହିଁ, ଆସନ୍ତୁ !’

 

‘କୁଆଡ଼େ ସାର୍‌ !’

 

‘ଆମ ଘରକୁ, ଯୋଉଠୁ ଆସିଥିଲେ ।’

 

‘ମୋ ଭଳି ଜଣକୁ ଘରେ....’

 

‘ସେ ବିଷୟଟା ମୋର ଭାବିବାର କଥା ମତେ ଛାଡ଼ି ଦିଅନ୍ତୁ, ସବୁ କାମ ଆପଣ କରିଦେଲେ ମୁଁ ପୁଣି କ’ଣ ଭାବିବି ?’

 

ଗାଡ଼ି ଫେରିବା ବାଟକୁ ଚାଲିଲା ।

 

ଯେଉଁ ଦମ୍ଭ ନେଇ ବୀରେନ୍ଦ୍ର କମିଶନରଙ୍କ ନିକଟରେ ପହଞ୍ଚିଥିଲେ ସେ ଦମ୍ଭ ତାଙ୍କର ବେଶୀକ୍ଷଣ ରହିଲା ନାହିଁ, କେମିତି କେଜାଣି କମିଶନର ସାହେବ କଥାଟାକୁ ଓଲଟା ବୁଝୁଥିଲେ । ବାଟରୁ ଫେରେଇ ଆଣିଲେ । ବୀରେନ୍ଦ୍ର ବାଟରେ ସେତେବେଳେ ଛୋଟ ପ୍ରଶ୍ନଟିଏ ପଚାରିଥିଲେ ।

 

‘ଏଇଟା ତ ଥାନା, ମତେ ଆପଣ ଏଇଠି ଛାଡ଼ିଦେଇଯାନ୍ତୁ ।’

 

‘ଥାନାଟା ମୋର ଘର ନୁହେଁ । ଆପଣ ମୋ ଘରକୁ ଆସିଲେ ମୁଁ ଇଚ୍ଛା କଲେ ଯେମିତି ଘରେ ରଖିପାରିବି ବା ମନାକରିପାରିବି, ଥାନାରେ ସେମିତି ହୋଇପାରିବ ନାହିଁ । ସେଠାକୁ ଯିବା ଏବଂ ସେଠାରୁ ଯିବାପାଇଁ ନିର୍ଦ୍ଧାରିତ ନିୟମ ଆବଶ୍ୟକ ।’

 

ଏତିକି ଶୁଣିବାପରେ ବୀରେନ୍ଦ୍ରଙ୍କର ଆଉକିଛି କହିବାର ନ ଥିଲା । ଗାଡ଼ି ଘରକୁ ଫେରିଲା । କମିଶନର ସାହେବଙ୍କ କୋଠି । ଭିତରକୁ ଚାଲିଗଲେ କମିଶନର । ବାହାରେ ପଡ଼ିଥିବା ଖଣ୍ଡିଏ ଚଉକିରେ ବସିପଡ଼ିଲେ ବୀରେନ୍ଦ୍ର । ତାଙ୍କ ମନରେ ସେଇ ଗୋଟିଏ ଚିନ୍ତା—ତାଙ୍କ ରାଜ୍ୟରେ ପୋଲିସବିଭାଗ ତରଫରୁ କ’ଣ ଖବର ଆସିବ । ଆସିଲାପରେ ବୀରେନ୍ଦ୍ରଙ୍କ ଇପ୍‌ସିତ ଲୁହା ପିଞ୍ଜରା ଭିତରକୁ ପୋଷା ମାନିଥିବା ଦୁର୍ବଳ ସିଂହ ଭଳି ପ୍ରବେଶ କରିବେ ।

 

କପେ ଚା’ ନେଇ ସିପେହୀଟିଏ ଆସିଲା । ସାଙ୍ଗରେ ଆସୁଥିଲା ଛୋଟ ୭।୮ ବର୍ଷର ଝିଅଟିଏ । ବହୁପ୍ରକାର ବାରଣକରି ସିପେହୀ ଜଣକ ଝିଅଟିକୁ ଅଡ଼େଇ ନେଇ ଗଲାଭଳି ଭିତରକୁ ନେଇ ପଳେଇଲା ଉଦ୍ଦେଶ୍ୟଟା ବୀରେନ୍ଦ୍ର ବୁଝିପାରିଲେ । ଯେତେବେଲେ ପୁଲିସ୍‍ ଚାକିରି କରିଛିତ-। ପୁଣି କମିଶନରଙ୍କ କୋଠିର ଖାସ୍ ଅର୍ଦ୍ଧଳି । ତାଙ୍କଝିଅ ଉପରେ କଡ଼ାନଜର ନରଖିଲେ କାଳେ ଚୋରଟା ପିଲାଧରା ଚୋର ହୋଇଥିବ... । ଚା’ କପ୍‌ ରଖିବାକୁ ପଛକୁ ଚାହିଁଲାବେଳେ ବୀରେନ୍ଦ୍ର ଦେଖିଲେ ଝିଅଟି ପାଖ ଝରକାର ପରଦା ଟେକି ତାଙ୍କୁ ବିସ୍ଫାରିତ ନୟନରେ ଚାହିଁଛି-। ତାକୁ ଠାରିଲେ । ପାଖକୁ ଆସିବାକୁ ଇଙ୍ଗିତ କଲେ । ଝିଅଟା ପ୍ରଥମେ ଅନିଚ୍ଛା ପ୍ରକାଶ କଲା-। ସ୍ୱାଭାବିକ, ବୀରେନ୍ଦ୍ରଙ୍କ ରୂପ ଭେକର ଅବସ୍ଥା ଦେଖି ଏବେ ସାନପିଲାଟା ନ ଆସିପାରେ । କିନ୍ତୁ ସେ ଆସିଲା, ଅତି ସନ୍ତର୍ପଣରେ ମନଭିତରେ ଅଶେଷ ସାହସ ସଞ୍ଚୟ କରି ଆସିଲା । ଦୁଇ ଚାରିପଦ କଥା ପରେ ସେ ଝିଅର ମୁହ ଖୋଲିଲା ।

 

‘ତୁମେ କୁଆଡ଼େ ଜଣେ ବଡ଼ ଚୋର ?’

 

‘ହଁ.....ପରା ।’

 

‘କ’ଣ ସବୁ ଚୋରିକର ?’

 

‘ସବୁ ।’

 

‘ଏଠିକି କାହିଁକି ଆସିଛି ?’

 

‘ଚୋରି କରିବାକୁ ।’

 

‘ଏଃ...ଆମ ଘର ଚୋରି କରିବ ? ବାପା ଗୁଲି କରିଦେବେ ଯେ ।’

 

‘କାହିଁ ? ଏ ଯାଏ ତ ପାରିନାହାଁନ୍ତି । ବାନ୍ଧିବାକୁ ସାହାସ କରିପାରୁ ନାହାନ୍ତି ।’

 

‘ଆଚ୍ଛା ତମକୁ ଯାହା କହିଲେ ତମେ ତା ଚୋରି କରିଦବ ?

 

‘ଯାହା କହିଲେ ତା....’

 

‘ମୁଁ ଯଦି କହିବି ମତେ ବହୁତ ଟଙ୍କା ଆଣିଦିଅ । ହଜାର ହଜାର ଟଙ୍କା ତମେ ଆଣିଦେଇ ପାରିବ ?’

 

‘ତମେ ଖାଲି ବାପାଙ୍କୁ ଯାଇଁ କୁହ—ବାପା ମୁଁ ଏ ଚୋରକୁ ଧରିପାରିଚି ବୋଲି ତମେ ସରକାରଙ୍କୁ କହିବ । ମୋ ଖେଳନା ପିସ୍ତଲ ଦେଖେଇ ଡରେଇ ଦେଇ ମୁଁ ତାକୁ ଧରିଚି । ବସ୍, ଏତିକି ଯଦି ବାପା ସରକାରଙ୍କୁ କହିବେ ତେବେ ସରକାର ପାଞ୍ଚ ହଜାର ଟଙ୍କା ଦେବେ । ମୋ ନାଁରେ ଖାଲି ପାଞ୍ଚ ହଜାର ମିଳିଯିବ ।’

 

ଏତିକିବେଳେ କମିଶନର ସାହେବ ବାହାରକୁ ଆସିଲେ । ଏଇ ଶେଷ କେଇପଦ କଥା ଯେତେବେଳେ ତାଙ୍କର କାନରେ ପଡ଼ିଲା ସେ ନିଜେ ବୁଝିଲେ ବୀରେନ୍ଦ୍ର କି ପ୍ରକାର ଚୋର । ତେଣୁ ଅର୍ଦ୍ଦଳୀଙ୍କୁ ଆଦେଶ ହେଲା—ଖବର କିଛି ନ ଆସିବା ପର୍ଯ୍ୟନ୍ତ ବୀରେନ୍ଦ୍ର ସେହି କୋଠିରେ ହିଁ ରହିବେ ।

 

ଅବଶ୍ୟ ବୀରେନ୍ଦ୍ରଙ୍କୁ କୋଠିରେ ବେଶୀଦିନ ରହିବାକୁ ପଡ଼ିଲା ନାହିଁ ବା ସେ ଝିଅ ସହିତ ମମତା ବଢ଼େଇବାର ଅବକାଶ ହେଲା ନାହିଁ । କମିଶନର ସାହେବ ସେଦିନ ହାଜତକୁ ନିଜ ଗାଡ଼ିରେ ଯିବା ଦରକାର ପଡ଼ିଲା ନାହିଁ । ଥାନାର ଅମୁହାଁ ଗାଡ଼ି ଆସି ବୀରେନ୍ଦ୍ରଙ୍କୁ ବସେଇ ହାଜତକୁ ନେଲା । ଏବଂ ବୀରେନ୍ଦ୍ର ସର୍କସର ସିଂହ ଭଳି ଖେଳ ଦେଖେଇ ସାରି ଲୁହା କବାଟ ଭିତରକୁ ପଶିଲେ । ବାକ୍‌ବିହୀନ ପୋଲିସ ହାକିମ ଦଳ ଏବଂ ଅନ୍ୟାନ୍ୟ ପଦସ୍ଥ କର୍ମଚାରୀ କେବଳ ନୀରବ ଦର୍ଶକ ହୋଇ ଠିଆ ହୋଇଥାନ୍ତି । ସତେକି ବୀରେନ୍ଦ୍ରଙ୍କ ବହୁ ଆକାଙାକ୍ଷିତ ନୂତନ ଗୃହ ପ୍ରବେଶ ପାଇ ନୀରବ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଥାନ୍ତି ।

 

ଆକାଶରେ ବାଦଲବିହୀନ ଜହ୍ନ ସ୍ଥିର, ନିଶ୍ଚଳ ଜଣାପଡ଼େ । କିନ୍ତୁ ଆକାଶରେ ଭସାବଉଦର ଉପସ୍ଥିତିରେ ଜହ୍ନଟା ଗତିଶୀଳ ଦେଖାଯାଏ । ସମସ୍ତ ବାବଲ ବର୍ତ୍ତମାନ ଅପସରି ଗଲା । ତେଣୁ ଆଉ ଗତିର ମାନେ କିଛି ହୁଏନା । ବୀରେନ୍ଦ୍ର ଠିକ୍‌ ବାଦଲ ବିହନ ଜହ୍ନ ଭଳି ନୀରବ ନିଶ୍ଚଳ । ପ୍ରଭେଦ ଏତିକିନୀଳ ଆକାଶରେ ନ ହୋଇ କଳା କୋଠରୀ ଭିତରେ ଶୋଭା ପାଉଛନ୍ତି । ଏହାହିଁ ବୋଧହୁଏ ବୀରେନ୍ଦ୍ର ବିବରଣୀର ସମାପିକା । ଯେହେତୁ ବୀରେନ୍ଦ୍ର କୁଆଡ଼େ ଯିବାର ନାହିଁ ତେଣୁ ଆଉ କିଛି ଘଟିବାର ନାହିଁ । ପୋଲିସବାଲା, ଖବରକାଗଜ ବାଲା ସମସ୍ତେ ଆଶ୍ୱସ୍ତ । ଏକ ବିରାଟ ଉପନ୍ୟାସର ଉପସଂହାରରେ ଉପନୀତ ହେଲା ଭଳି ବୋଧହେଲା ।

 

ତଥାପି କାହିଁକି କମିଶନର ସାହେବ ବେଳେବେଳେ ଦୀର୍ଘଶ୍ୱାସ ତ୍ୟାଗ କରନ୍ତି । ସେଥିପାଇଁ ତାଙ୍କ ଝିଅଟା ଅବଶ୍ୟ ଦାୟୀ । ବହୁ ଯତ୍ନରେ ତିଆରି କରାହୋଇଥିବା ଲନ୍‌ରେ ଘାସର ଗାଲିଚା ଉପରେ ଇଜିଚେୟାର ଉପରେ ବସି କିଛି ଗୋଟାଏ ଭାବିଲାବେଳେ ଝିଅଟା ଆସି ମନେ ପକେଇଦିଏ । ବେଶ୍ କିଛି ଦିନ ହୋଇଗଲାଣି । ତଥାପି ସେ ଭୁଲିବାକୁ ଚାହୁଁନାହିଁ । ତା’ର ଏପର୍ଯ୍ୟନ୍ତ ଧାରଣା ସେ ବୀରେନ୍ଦ୍ରଙ୍କ ଭଳି ଜଣେ ବଡ଼ଚୋରକୁ ଧରେଇ ଦେଇଛିବୋଲି ବାପା ନିଶ୍ଚୟ କହିବେ । ଏବଂ ସରକାର ତାଙ୍କ ଘୋଷଣା କରିଥିବା ଟଙ୍କା ନିଶ୍ଚୟ ତାକୁ ମିଳିବ । ଏତେଗୁଡ଼ାଏ ଟଙ୍କା ସେ ଭୁଲ୍‍ନ୍ତା ବା କେମିତି । କମିଶନର ସାହେବ ପ୍ରଥମେ ପ୍ରଥମେ ତାକୁ ବୋଧ ଦେବାପାଇଁ ହିଁ ଭରିଥିଲେ । କିନ୍ତୁ ତାହା ବର୍ତ୍ତମାନ ଏକ ସମସ୍ୟାରେ ପରିଣତି ହେଲାଣି ।

 

ଆଜି କାହିଁକି ତାଙ୍କୁ ଭାରି ଖରାପ ଲାଗୁଛି । କ’ଣ ପାଇଁ ଲୋକଟା ଏଇଆ କହିପାରିଲା-? ହଠାତ୍‌ ସରକାରୀ ପରିଦର୍ଶନରେ କମିଶନର ସାହେବ ଯାଇଥିଲେ ହାଜତକୁ । ବୀରେନ୍ଦ୍ରଙ୍କୁ ଦେଖାକରି କେମିତି ଅଛି ବୋଲି ପଚାରିଲେ ।

 

‘ଆପଣଙ୍କ ଦୟାରୁ ଖୁବ୍‌ ଭଲରେ ଅଛି ସାର !’

 

‘ଆଉ, କ’ଣ କହିବେ ?’

 

ନିତାନ୍ତ ଖାମ୍‌ ଖେୟାଲି ଭାବରେ ଏଭଳି ଏକ ପ୍ରଶ୍ନ କମିଶନର କାହିଁକି ପଚାରିଲେ ନିଜେ ମଧ୍ୟ ଜାଣନ୍ତି ନାହିଁ । ଉତ୍ତରରେ ବୀରେନ୍ଦ୍ର ପ୍ରଥମେ ସାମାନ୍ୟ ହସିଲେ । ତା’ପରେ କହିଲେ–

 

‘ସାର୍‌! ଆଗ୍ରାର ଜେଲଏଇଟା, ଅଥଚ ତାଜମହଲଟା ଦେଖାଯାଉ ନାହିଁ । ମୁଁ କ’ଣ କହୁଥିଲି କି ସାର୍‌ ! ଆପଣଏଇ ଜେଲଟାକୁ ଏମିତି ଗୋଟାଏ ପ୍ଲାନରେ କରିଥା’ନ୍ତେ ଯେମିତିକି କଏଦୀମାନଙ୍କର ସେଲ୍‌କୁ ତାଜମହଲଟା ପରିଷ୍କାର ଦେଖା ଯାଉଥାନ୍ତା । ତେବେ କ’ଣ ହୋଇଥାନ୍ତା କି—ହୁଏତ ଏମିତି କଏଦୀ ପରିଷ୍କାର ମଧ୍ୟ ଆପଣ ଭେଟିଥାନ୍ତେ ଯେ କି ଆପଣ ମୁକ୍ତିଦବା ପରେ ମଧ୍ୟ କାଳେ ତାଜମହଲକୁ ଆଉ ଦେଖି ପାରିବେ ନାହିଁ ବୋଲି ସେମାନେ ଯିବାକୁ ଚାହୁଁନଥାନ୍ତେ ।’

 

କଥାଟାରେ ଆଦୌ ଗୁରୁତ୍ୱ ନ ଦେଇ ସେତେବେଳେ ଚାଲି ଆସିଥିଲେ । କିନ୍ତୁ ବର୍ତ୍ତମାନ କାହିଁକି କଥାଟା ତାଙ୍କ ମନ ଭିତରେ ଠିକ୍‌ ମିଳେଇ ଯାଉନାହିଁ । ପିଲାଝିଅର କଥା ରଖିବାକୁଯାଇ ସରକାରଙ୍କ ଠାରୁ ପୁରଷ୍କାର ସିନା ଦାବୀ କରିବାର ପିଲାଳିଆମୀ କରି ନାହାଁନ୍ତି । କିନ୍ତୁ ବୀରେନ୍ଦ୍ରଙ୍କ ଭଳି ଏକ ଅପରାଧିର ଶେଷ ଇଚ୍ଛା ପୁରଣ କରିବାର ସମସ୍ତ ବ୍ୟବସ୍ଥା କରି ସେ ପ୍ରକୃତ ହାକିମର ପରିଚୟ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ମନରେ କେବଳ ଗୋଟିଏ କଥା ବଳବତ୍ତର ହୋଇଚାଲିଛି । ଶେଷ ଇଚ୍ଛା ଓ ଆଜିର କଳ୍ପନା ଭିତରେ କିଛି ଯୁକ୍ତିଯୁକ୍ତ ସମ୍ବନ୍ଧ ନାହିଁତ !

 

ବୀରେନ୍ଦ୍ର କଏଦୀ ହବା ଆଗରୁ କେବଳ ସବିନୟ କେତୋଟି ଅନୁରୋଧ କରିଥିଲେ । ତାଙ୍କୁ ରାଜ୍ୟରେ ଫେରେଇ ଦିଆନଯାଇ ଏଇଠି ରଖାଯାଉ । ବା ଆହୁରି କୌଣସି ଦୂର ହାଜତକୁ କଳାପାଣି ବିଚାରକୁ ପଠେଇ ଦିଆଯାଉ । ଏବଂ ତାଙ୍କର କୌଣସି ଆତ୍ମୀୟ ସ୍ୱଜନ ବା ଓକିଲ, ଅଫିସର କାହାରିକୁ ତାଙ୍କ ସହିତ ଦେଖା କରିବାକୁ ଅନୁମତି ଦିଆନଯାଉ । ତାଙ୍କର ଦୋଷାଦୋଷ ପ୍ରମାଣ ପାଇଁ ତାଙ୍କର କେହି ଆତ୍ମୀୟ ମଧ୍ୟ କୋର୍ଟ କଚେରୀର ଆଶ୍ରୟ ନେବେ ନାହିଁ । ଯଦି ଏ ସର୍ତ୍ତର ଖିଲାପ ହୁଏ ତେବେ ସେ ହାଜତ ଭିତରେ ଅନଶନ କରି ବା ପିଜର ଗଳାରୁଦ୍ଧ କରି ଆତ୍ମହତ୍ୟା କରିବେ ।

 

‘ମୋର ସମସ୍ତ କର୍ତ୍ତବ୍ୟ ମୁଁ ସାରିଦେଇ ଆସିଲି । ବାହାରେ ମୋର କୌଣସି ଦାୟିତ୍ୱ ଅସମାଧିତ ନାହିଁ । ତେଣୁ ଭିତରେ ଏଥର ରହିବାର କୌଣସି ଦ୍ୱିଧା ନାହିଁ । ଅଟଥା ମତେ କେହି ବିରକ୍ତ ନ କରନ୍ତ । ମତେ ମୁକ୍ତ କରିବାର କୌଣସି ଉଦ୍ୟମ ଆରମ୍ଭ ହେଲେ ଚିରମୁକ୍ତି ପାଇଁ ଚେଷ୍ଟା କରିବାକୁ ବାଧ୍ୟ ହେବି ।’

 

କମିଶନର ସୁପାରିଶ୍‌ ଲେଖିଲାବେଳେ ବୀରେନ୍ଦ୍ର ଭଳି କଏଦୀ ଏଭଳି କାମ ଯେ କରିବାକୁ ସମର୍ଥ ସେକଥା ମଧ୍ୟ ଉଲ୍ଲେଖ କରିଛନ୍ତି ।

 

ପରିଶେଷରେ ସେଇଆ ହିଁ ଘଟିଛି । ବୀରେନ୍ଦ୍ର ଆଶ୍ୱସ୍ତ ହୋଇଛନ୍ତି । ତାଙ୍କର ଶାନ୍ତିରେ କୌଣସି ପ୍ରକାରର ବ୍ୟାଘାତ ଘଟୁନାହିଁ । ଅପରାଧିମାନଙ୍କ ଭିତରେ ବଡ଼ ଅପରାଧି ହେଲେ ମଧ୍ୟ ତାଙ୍କପ୍ରତି ଜେଲ କର୍ମଚାରୀମାନଙ୍କର ବ୍ୟବହାର ସାମାନ୍ୟ ଭିନ୍ନ । ଅଣ ଅପରାଧିଙ୍କ ଭଳି ସେ ଅଧିକ ସମୟ ସେଲ୍‌ ବାହାରେ ବୁଲା ଚଲା କରନ୍ତି । ଜେଲର୍‌ ଦିନେ ତାଙ୍କ ରକ୍ଷୀମାନଙ୍କୁ ବୀରେନ୍ଦ୍ରଙ୍କ ଉପରେ ଦୃଷ୍ଟି ରଖିବାକୁ କହିଲେ । ଏତେ ସମୟ ବାହାରେ ନ ଛାଡ଼ିବାକୁ କହିବାରୁ ବୀରେନ୍ଦ୍ର ତାକୁ କହିଥିଲେ ।

 

‘ଆପଣ ମୋଟେ ଚିନ୍ତା କରନ୍ତୁ ନାହିଁ ଜେଲର ମହାଶୟ ! କୁଆଡ଼େ ମୋର ପଳେଇବାର ଥିଲେ ମୁଁ ଏଠି ଆସି ଧରାଦେଇ ନଥାନ୍ତି । ବାହାରର ସମୟ କାମ ମୋର ଶେଷ ହୋଇଛି । ତେଣୁ ମୁଁ ଭିତରକୁ ଆସିଛି କ୍ଳାନ୍ତି ମେଣ୍ଟେଇବାକୁ ବାକୀ ଜୀବନ ପାଇଁ । ଆପଣଙ୍କ ବିଭାଗ ପରାଜୟ ସ୍ୱୀକାର କରି ମତେ ମୃତ ବୋଲି ଘୋଷଣା କଲେ । ଆହୁରି ନିରାପଦରେ ମୁଁ ବାହାରେ ରହିପାରିଥାନ୍ତି । କିନ୍ତୁ ସେଇଥିପାଇଁ ଭିତରକୁ ଆସିଲି । ଖବରକାଗଜରେ ଯାହା ବାହାରିଲା । ସେଇଟା କେବଳ ଆପଣଙ୍କ ବିଭାଗ ସମ୍ମାନ ରକ୍ଷା ପାଇଁ—ସତ୍ୟ ନୁହେଁ ।’

 

ବୀରେନ୍ଦ୍ର ଜେଲ ଭିତରେ କଏଦୀ ହେବାପରେ ପରେ ଦିନେ ଖବରକାଗଜରେ ବାହାରିଲା—ବହୁ ହତ୍ୟାକାଣ୍ଡ, ନାରୀ ଧର୍ଷଣ ଓ ଡକାୟତି କେସ୍‍ରେ ଲିପ୍ତଥାଇ ଫେରାର୍‌ ଆସାମୀ ବୀରେନ୍ଦ୍ର ମାନସିଂ ଗିରଫ୍ । ଦୁର୍ଦ୍ଦାନ୍ତ ଆତତାୟୀ ଧରା ନ ପଡ଼ିବାରୁ ଏକ କୌଶଳ ପ୍ରୟୋଗ କରି ତାକୁ ମୃତ ବୋଲି ଘୋଷଣା କରାଗଲା । ଫଳରେ ସେ ନିଶ୍ଚିନ୍ତ ଭାବରେ ଚଳପ୍ରଚଳ ହେବାରେ ଧରାପଡ଼ିଲା । ଏ ସମ୍ବାଦଟା ଗୋଟିଏ ପହରାଦାର ଧରିଥିବା ଖବରକାଗଜ ମାଗି ବୀରେନ୍ଦ୍ର ପଢ଼ିଥିଲେ ।

 

କମିଶନର ସାହେବ ୟା ଭିତରେ ବୀରେନ୍ଦ୍ରଙ୍କ ଅଜାଣତରେ ବୀରେନ୍ଦ୍ରଙ୍କୁ ମାନସିକ ରୋଗ ଡାକ୍ତରଙ୍କୁ ଦେଖେଇଛନ୍ତି । କିନ୍ତୁ ଫଳ କିଛି ହେଲାନାହିଁ । ଡାକ୍ତର ଘୋଷଣାକଲେ ସେ ଜଣେ ସୁସ୍ଥସବଳ ମଣିଷ । ଦେହରେ ବରଂ ତାଙ୍କର ବର୍ତ୍ତମାନ ଅନେକ ପ୍ରକାରର ଯନ୍ତ୍ରଣା ବା ରୋଗ ଦେଖାଦେଇଛି । କିନ୍ତୁ ମାନସିକ ସୁସ୍ଥି ତାଙ୍କର ଯଥେଷ୍ଟ । ତେଣୁ କମିଶନର କ୍ରମଶଃ ବୀରେନ୍ଦ୍ର ଚିନ୍ତା ଛାଡ଼ି ଦେଇଛନ୍ତି । ସେ ଏତେ ବଡ଼ ବିଭାଗ ସର୍ବୋଚ୍ଚ ଦାୟିତ୍ୱରେ ଥାଇ ଏତେ ଅଭିଜ୍ଞତାପରେ ମଧ୍ୟ ତାଙ୍କର ଏ ପ୍ରକାର ମନୋଭାବ ଶୋଭନୀୟ ନୁହେଁ । କେବଳ ଝିଅଟା । ଅବଶ୍ୟ ତା ପାଇଁ ଗୋଟାଏ ଉପାୟ କରାଯାଇପାରେ । ନିଜର ବ୍ୟାଙ୍କରୁ କିଛି ଟଙ୍କା ଏକାଥରେ ଉଠେଇ ଝିଅକୁ ଦେଇ ପୁଣି ତାକୁ ରଖିବା ବାହାନାରେ ବ୍ୟାଙ୍କରେ ରଖିଦେଇ ହେବ । ଏହି ସିଦ୍ଧାନ୍ତରେ ଉପନୀତ ହେଲାପରେ କମିଶନର ଏଇଟା ଭୁଲି ଯାଇଛନ୍ତି । ବୀରେନ୍ଦ୍ରଙ୍କ କୀର୍ତ୍ତିର ସମସ୍ତ ରିପୋର୍ଟ ତନ୍ନ ତନ୍ନ କରି ପଢ଼ି ସାରିଲା ପରେ ବରଂ ସେ ଆହୁରି ନିଷ୍ଠୁର ହୋଇ ଯାଇଛନ୍ତି । ଏ ପ୍ରକାର ଅସମାଜିକ ଲୋକ କେବଳ ଜେଲ୍‌ର ସେଲ୍‌ ଭିତରେ ହିଁ ରହିବା ବାଞ୍ଛିନୀୟ ।

 

ସମୟର ଗତି ବଡ଼ ବିଚିତ୍ର । କାହାପାଇଁ ହୁଏତ ଆଦୌ ଗତି କରୁନାହିଁ । ଆଉ କାହାପାଇଁ ପୁଣି ଦ୍ରୁତବେଗରେ ଦଉଡ଼ି ଚାଲିଛି । ବୀରେନ୍ଦ୍ର ସମୟଗୁଡ଼ା କେମିତି କଟୁଛି ବୁଝିପାରୁ ନାହାନ୍ତି । ତଥାପି ଗୋଟିଏ ଦୃଷ୍ଟିରୁ ସେ ତୃପ୍ତ । ତାଙ୍କୁ ଆଉ ନିଜକୁ ଲୁଚେଇବାକୁ ଏବେବି ବେଳେ ବେଳେ ସେ ବସି ଭାବନ୍ତି ତାଙ୍କର ବଞ୍ଚିବା ନିଶ୍ଚୟ କିଛି ଲୋକଙ୍କର ଇଚ୍ଛା । ଏପରି ଅପରାଧୀ ଶୀଘ୍ର ସଂସାରରୁ ବିଦାୟ ନବାଟା ଚାହିଁବା ପରିବର୍ତ୍ତେ ବଞ୍ଚିବା ଚାହାଁନ୍ତି ।

 

ଜେଲର ଡାକ୍ତର ପରିଦର୍ଶନ ସମୟରେ ବୀରେନ୍ଦ୍ରଙ୍କ ଔଷଧଗୁଡ଼ା ଦେଇଗଲା ବେଳେ ନିୟମିତ ଖାଇବାକୁ ଅନୁରୋଧ କରନ୍ତି । ଘରର କେହିଲୋକ ତାଙ୍କ ଧରାପଡ଼ିବା ଖବର ପାଇ ଆଗ୍ରାଯାଏ ଧାଇଁ ଆସିଲେନି କାହିଁକି ? ସେଇ ମୃତ୍ୟୁର ଧମକ । ତେଣୁ ସେମାନେ ମଧ୍ୟ ଚାହାନ୍ତି ଯେଉଁଠି ରୁହନ୍ତୁ ଦେଖା ନହୁଅନ୍ତୁ ପଛେ ବୀରେନ୍ଦ୍ର ଜୀବନରେ ରୁହନ୍ତୁ । କେହି ନହେଲେ ସାବିତ୍ରୀ ତ ତାହାହିଁ ଚାହିଁବେ । ତାଙ୍କ ସୀମନ୍ତରୁ ସିନ୍ଦୂରଗାର ଲିଭିଗଲେ ହୁଏତ ସୀମନ୍ତ ଅସୁନ୍ଦର ଦେଖାଯାଏ । ବୀରେନ୍ଦ୍ର ବହୁପରିମାଣରେ ନିଶ୍ଚିନ୍ତ ଯେ ବୀରେନ୍ଦ୍ର ବିବରଣୀର ସମାପ୍ତି ଘଟିଛି । ନିୟମ ତା’ ବାଟରେ କାମ କରୁଛି । କାଗଜପତ୍ର କଚେରୀ ମଧ୍ୟ ଚାଲିଥାଇପାରେ । ସେଗୁଡ଼ାକ କିନ୍ତୁ ଲୋକଲୋଚନାକୁ ଆସିବାର କୌଣସି ଯଥାର୍ଥ୍ୟତା ନାହିଁ ।

 

ଇଏ ମଧ୍ୟ ଜୀବନ । ଘଣ୍ଟା ଦେଖିବାକୁ ଦରକାର ପଡ଼ୁନାହିଁ । ତାରିଖ ମନେପକେଇବା ଦରକାର ପଡ଼ୁନାହିଁ । କାଲି କ’ଣ ହେଲା ବା କାଲି କ’ଣ ହବ ସେ ସମ୍ପର୍କରେ ଚିନ୍ତା କରିବାର ପ୍ରଶ୍ନ ଉଠୁନାହିଁ । ଚାଲିଛି ଜୀବନ । ବେଳେ ବେଳେ ଖାଲିଭାବନ୍ତି ଏତେ କାମକଲେ । କେବଳ ଜଣେବିଶିଷ୍ଟ ଜ୍ୟୋତିଷକୁ ପଚାରି ପାରିଲେ ନାହିଁ ତାଙ୍କ ମୃତ୍ୟୁ ସମ୍ପର୍କରେ । ନହେଲେ ପ୍ରତିଦିନ ସକାଳୁ ସେଇ ଦିନଟିର ଆବାହନୀ ଗାନ କରନ୍ତେ । ଉତ୍କଣ୍ଠା ନାହିଁ ଆକାଙକ୍ଷା ନାହିଁ । ଦିନେ ମନସ୍ଥକଲେ ପ୍ରତ୍ୟେକ କଏଦୀମାନଙ୍କର ଆତ୍ମକାହାଣୀ ଶୁଣିବେ । ହୁଏତ କିଛିଟା ଶସ୍ତା ଉପନ୍ୟାସ ପଡ଼ିଲାଭଳି ଲାଗିବ । କିଛିଟା ଅଭିଜ୍ଞତା ମଧ୍ୟ ହେବ । ନିଜର ଏ ସିଦ୍ଧାନ୍ତ ପାଇଁ ବୀରେନ୍ଦ୍ର ନିଜକୁ ଧନ୍ୟବାଦ ଜଣେଇଲେ । ଅନେକ ସମୟ କଟିଯିବ । କିନ୍ତୁ ଭାଗ୍ୟର ନିଷ୍ପତ୍ତି ଭିନ୍ନ । ପ୍ରଥମେ ତାଙ୍କୁହିଁ ତାଙ୍କର କାହାଣୀ ଶୁଣେଇବାକୁ ପଡ଼ିଲା ।

 

ପହରାଦାର ଆସି ତାଲା ଖୋଲିଲା । ଖବରଦେଲା ଜେଲରେ ସାହେବ ଡାକୁଛନ୍ତି । ବୀରେନ୍ଦ୍ର ନିବର୍କାର । ଏ ପ୍ରକାର ଡାକରା ବହୁତଥର ଆସେ ଏବଂ ସେ ଯା’ନ୍ତି । କିଛିଟା ହୁକୁମ ତାମିଲ କରିବାକୁ ପଡ଼େ । ସିପାହୀକୁ ଅନୁସରଣ କଲେ । ଦେଖିଲେ ଜେଲର୍‌ ମହାଶୟ ବସିଛନ୍ତି । ତାଙ୍କ ପାଖରେ ଆଉ ଜଣେ ପୋଲିସ୍‌ ହାକିମ ।

 

‘ଇଏ ତମରି ଜାତିଭାଇ। ତମରି ପ୍ରଦେଶର । ଆଇ. ପି. ଏସ୍‌. ପାଇ ପୋଷ୍ଟିଂ ହୋଇଛନ୍ତି । ହଠାତ୍‌ କୁଆଡ଼େ ତାଙ୍କ ପୋଲିସ୍‌ ଷ୍ଟେସନରେ ରିପୋର୍ଟ ସବୁ ଦେଖୁ ଦେଖୁ ତମ ବିଷୟରେ ଜାଣିଲେ । ଆଉ ନିଜ ଜାତିର ଜଣେ କଏଦୀ ଏଠି ଅଛିବୋଲି ଦେଖିବାକୁ ଆସିଛନ୍ତି । ବୀରେନ୍ଦ୍ର ମୁହଁ ଟେକିଲେ । ଗୌର ରୂପକାନ୍ତି । ବେଶ୍‌ ଲମ୍ବା ପତଳା ଚେହେରା । ବୟସ ପଚିଶ କିମ୍ବା ଛବିଶ୍‌ । ଚାହିଁଥିଲେ ବୀରେନ୍ଦ୍ରଙ୍କୁ । ପ୍ରକୃତିସ୍ଥ ହୋଇ ବୀରେନ୍ଦ୍ର ହାତଯୋଡ଼ି ନମସ୍କାର କଲେ । ଯୁବକ ତା’ପରେ ଜେଲରଙ୍କୁ କ’ଣ କହିଲେ ବୋଧହୁଏ । ଜେଲରେ ତାଙ୍କୁ ପାଖ ପ୍ରକୋଷ୍ଠକୁ ନେଇଯିବାକୁ କହିଲେ । ତରୁଣ ଅଫିସର ଜଣକ ବୀରେନ୍ଦ୍ରଙ୍କୁ ଡାକିନେଲେ ଅନ୍ୟକକ୍ଷକୁ ।

 

‘ପାଖ ଜିଲ୍ଲାର ସହକାରୀ ସୁପରିଣ୍ଟେଡେଣ୍ଟ ଭାବରେ ମୁଁ ଜଏନ କରିଛି । ନିଜ ପ୍ରଦେଶ କ୍ୟାଡରେ ପାଇଁ ମୋର ଇଚ୍ଛା ନଥିଲା ତେଣୁ ଏପାଖ ରହିବାକୁ ଚାହିଁଥେଲି ।’

 

ବୀରେନ୍ଦ୍ର ନୀରବ । ଏସବୁରୁ ସେ କ’ଣ ବୁଝନ୍ତି । ବୁଝିବାର ବା ଆବଶ୍ୟକତା କ’ଣ । ‘ବୀରେନ୍ଦ୍ର ଚରିତ’ ଉପାଖ୍ୟାନ ହୁଏତ ସରିଆସୁଥିଲା । କିନ୍ତୁ ଏଇ ଚରିତ୍ରର ଆରମନ ଫଳରେ କେମିତି ଶେଷଟା ବିଳମ୍ବିତ ହେଲାଭଳି ଜଣାପଡ଼ିଲା । ଅବଶ୍ୟ ୟାର ସେମିତି କିଛି ପ୍ରତିଫଳନ ମଧ୍ୟ ନଥାଇପାରେ ।

 

‘କମିଶନରଙ୍କ ସହିତ ପରିଚୟ ହେଲାବେଳେ ଆପଣଙ୍କ ବିଷୟରେ ସେ ମତେ କହିଲେ, ତମ ଜାତିର ଜଣେ ଅପରାଧୀ ଏଠି ଅଛିବୋଲି । ମୁଁ ମଧ୍ୟ ପାଠ ପଢ଼ିଲାବେଳେ ଆପଣଙ୍କର ଏ ଘଟଣାସବୁ ଖୁବ୍‌ ମନଯୋଗ ଦେଇ ପଢ଼ୁଥେଲି । ଜାଣିଛି ମଧ୍ୟ, ତେଣୁ ଭାବିଲି ଟିକେ ଦେଖିଦେଇ ଆସେ । ଆପଣଙ୍କ ନାଁ ବୀରେନ୍ଦ୍ର ମାନସିଂ ?’

 

ମୁଣ୍ଡ ଟୁଙ୍ଗରିଲେ ବୀରେନ୍ଦ୍ର । ଯା’ ହଉ ଜାତି ବା ମାଟିର ଆକର୍ଷଣ ଏମିତିବି ଅଛି । ଜଣେ ପଦସ୍ଥ ପୋଲିସ୍‌ ହାକିମ ନିଜ ପ୍ରଦେଶର ବୋଲି ଜଣେ ଦାଗୀ ଅପରାଧୀକୁ ଦେଖା କରିବାକୁ ଆସିପାରେ ।

 

‘ମୋ ନାଁ ଚନ୍ଦ୍ର । ଚନ୍ଦ୍ର ବଲ୍ଲଭ ଦାସ । ଆଇ ପି ଏସ୍‌ ।’

 

ଏଥର ଭଲକରି ବୀରେନ୍ଦ୍ର ଚାହିଁଲେ ଚନ୍ଦ୍ରଙ୍କ ମୁହଁକୁ । ସତରେ ତ ! ତାରୁଣ୍ୟର ପ୍ରଗଳ୍‍ଭତା ଯିବାପାଇଁ ଅନେକ ଡେରିଅଛି । ଦାୟିତ୍ୱପୂର୍ଣ୍ଣ ଚାକିରି କଲେ ଜଣେ ଗମ୍ଭୀର ହେବ ତା’ ନୁହେଁ । ବୟସର ଛାପ ନିଶ୍ଚୟ ରହିବ । ଚନ୍ଦ୍ରଙ୍କର ସେଇଆହିଁ ହୋଇଛି । ତିନିଥର କରି ସୁଚେଇ ସାରିଲେଣି ସେ ଆଇ. ପି. ଏସ୍‌ ଏବଂ ତାଙ୍କରି ଯାଗାର ବୋଲି ।

 

‘ଦେଖନ୍ତୁ ! ମୋର ଏ ଘଟଣାଟା ଆପଣଙ୍କ ମୁହଁରୁ ଶୁଣିବାରେ ଗୋଟାଏ ବିଶେଷ ଉତ୍କଣ୍ଠା ରହିଛି । ଅଳ୍ପକେ ମତେ ସବୁ କହନ୍ତୁତ ।’

 

ଦୀର୍ଘଶ୍ୱାସ ଛାଡ଼ିଲେ ବୀରେନ୍ଦ୍ର । ସତେକି ତାଙ୍କୁ ବେଶ୍‌ ଯନ୍ତ୍ରଣା ବୋଧ ହେଉଥିଲା । ଏତେ କଷ୍ଟକର ସିଲଟ ପଟାକୁ ଧୋଇ ପୋଛି ସଫାକରି ଦେଇଥିଲେ । ଭାବିଥିଲେ ଆଉ କୌଣସି ପ୍ରକାରର ଚିତ୍ର ସେ ଆଙ୍କିବେ ନାହିଁ ବା କାହାରି ନାଁ ଲେଖିବେ ନାହିଁ । ପୁନର୍ବାର ତାଙ୍କୁ ଅ ଠାରୁ କ୍ଷ ପର୍ଯ୍ୟନ୍ତ ମନେପକାଇ ବୟାନ୍‌ କରିବାକୁ ପଡ଼ିବ । କିନ୍ତୁ ଉପାୟ ନାହିଁ । ଚନ୍ଦ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଅନୁନୟ ଭଙ୍ଗୀରେ ଅନୁରୋଧ କରିଆସିଛନ୍ତି କିନ୍ତୁ କଣ୍ଠର ସ୍ୱର ବଦଳେଇ ଜେରା ମଧ୍ୟ କରିବାର ହକ୍‌ ଅଧିକାର ତାଙ୍କର ଅଛି । ତେଣୁ ଅନ୍ୟଗତ ନାହିଁ ।

 

‘କୋଉଠୁ ଆରମ୍ଭ କରିବେ ବୋଲି ଭାବୁଛନ୍ତି ? ଧରନ୍ତୁ ଖବରକାଗଜରେ କିଛି ବିବରଣୀ ବାହାରିଥିଲା ଯଦିଓ ମୋର ମନେନାହିଁ ତଥାପି ଜାଣିଛି । ସେଗୁଡ଼ା ଦୋହରା ନକରି ଆପଣ ସେଇଦିନର ଘର ଛାଡ଼ିବାରୁ ଆରମ୍ଭ କରନ୍ତୁ, । ସଦ୍ୟ ମଧ୍ୟ ରିପୋର୍ଟ ସବୁ ପଢ଼ିଛି । ସବୁ ବିଚିତ୍ର ପୁଷ୍ପିତା, ସାବିତ୍ରୀ, ନରେନ୍ଦ୍ର, କିଶୋର, କଳାବତୀ ନାଁଗୁଡ଼ା ମଧ୍ୟ ମନେଅଛି । ତେଣୁ ଭୂମିକା କିଛି ନଦେଇ ଆରମ୍ଭ କରନ୍ତୁ ।’

 

ବୀରେନ୍ଦ୍ର ଦେଖିଲେ ସମ୍ମୁଖରେ ତାଙ୍କର ଚା’ । ନିଜକୁ ସହଜ କରି ଚା’ଟା ନିଃଶେଷ କଲାପରେ ଆରମ୍ଭ କଲେ—

 

‘‘ପୁଷ୍ପଙ୍କର ଟେଲିଗ୍ରାମ ପାଇବା ପରେ ମୁଁ ଜାଣିଥିଲି ସେ କ’ଣ ପାଇଁ ଡକାଇଛନ୍ତି । କିନ୍ତୁ ସେଦିନ ମୁଁ ତାଙ୍କ ନିକଟକୁ ଯିବା ଅବସ୍ଥାରେ ନଥିଲି । ଏକ ବଡ଼ ଯୋଜନା ପାଇଁ ମୁଁ ଚିନ୍ତିତଥିଲି । ସେ ରାତିରେ ମୋର କଳାବତୀ ସହିତ ସାକ୍ଷାତ୍‌ କରିବାର ଥିଲା । କଳାବତୀ ସାମନ୍ତରାୟ ସହିତ ମୋର ପରିଚୟ ବଡ଼ ଅଦ୍ଭୁତ । ତାଙ୍କ କଲେଜରୁ କୌଣସି କାମରେ ଯାଇଥିଲାବେଳେ ହଠାତ୍‌ ସେ ମୋର ଦୃଷ୍ଟି ଆକର୍ଷଣ କରିଥିଲା । ମୁଁ ତାଙ୍କ ଦେଖି ଏତେ ବେଶି ବ୍ୟାକୁଳ ହୋଇ ପଡ଼ିଥିଲି ଯେ କୌଣସି । ପ୍ରକାରେ ତାକୁ ନିଜର ଆୟତ୍ତ କରିବାକୁ ଉପାୟ ଖୋଜିଲି । ମତେ ବେଶି ଡେରି ଲାଗିଲାନାହିଁ । ମାନଗୋବିନ୍ଦ ସାମନ୍ତରାୟଙ୍କ ଜମିଦାରୀ ସହିତ ବହୁ ଅତୀତର ଏକ ପରିଚୟ ଯୋଡ଼ି ତାଙ୍କ ଘରକୁ ଯିବା ଆରମ୍ଭ କଲି । ଆମର ଆଳାପ ହେଲା । ବୟସର ତାରତମ୍ୟ ଯଥେଷ୍ଟ ଯୋଗୁଁ ଆମକୁ କେହି ସନ୍ଦେହ କରିବାର ଅବକାଶ ନଥିଲା । ବହୁ ଅନୁନୟ ପରେ ମୋର ଏକମାତ୍ର ଆଶାକୁ ଚରିତାର୍ଥ କରିବାକୁ ସେ ଦିନଧାର୍ଯ୍ୟ କଲା । ସେଦିନ ତା’ ବାପାଙ୍କର କଲିକତା ଯିବାର କଥା । ରାତି ଦଶଟାପରେ ହୁଏତ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ତାଙ୍କର ତୋଟାହିଁ ଆମକୁ ଆଶ୍ରୟ ଦେବ ବୋଲି କଥାଥିଲା ।

 

ସେଇଆ ହିଁ ହେଲା । ସେଦିନର ଜହ୍ନରାତି ସତ୍ତ୍ୱେ ସାମାନ୍ୟ ବର୍ଷା ନିଛାଟିଆ ତୋଟା ଆଡ଼େ କାହାରି ଦୃଷ୍ଟିପଡ଼ିବାର ନାହିଁ । ମୁଁ ମଧ୍ୟ ଅନ୍ୟ ରାସ୍ତାରେ ଯାଇ ପହଞ୍ଚିଥିଲି । ବାସ୍‌ ! ମୁଁ ଏକ ମାଂସ ଲୋଭୀ ପଶୁ । ଏକଥା ହୁଏତ କଳାବତୀ ଆଶା କରିନଥିଲା । ବେଶ୍‌ ସମୟ ଧରି ନିଜର ପ୍ରବୃତ୍ତିକୁ ଶାନ୍ତ କରିବା ପରେ ମୁଁ ପ୍ରସ୍ତାବ ବାଢ଼ିଲି—ତାର ବି. ଏ. ପରେ ସେ ଓଡ଼ିଶା ବାହାରର କୌଣସି ଇଉନିଭରସିଟିରେ ପଢ଼ିବ । ଯେହେତୁ ଦୂରରେ ରହିବ ମୋ ପାଇଁ ସୁବିଧା ହେବ । ଏବଂ ଆମର ଏ ସମ୍ପର୍କ ଚିରସ୍ଥାୟୀ କରିବାକୁ ତାର ବିବାହ ଦରକାର ନାହିଁ ।

 

ଫଳ ହଠାତ୍‌ ଓଲଟା ହେଲା । ସେ ମୋର କୌଣସି ପ୍ରସ୍ତାବରେ ରାଜି ହେଲାନାହିଁ । ବରଂ ମତେ ଧିକ୍‍କାର କଲା । ମୁଁ ମଣିଷତ୍ୱ ହରେଇ ସାରିଥିଲି । ତା’ ଭଳି ଜଣକୁ ହାତଛଡ଼ା କରିବାକୁ ଚାହୁଁନଥିଲି । ତେଣୁ ଅତି ଉଗ୍ର ଭାବରେ ମାନବିକତା ବଦଳରେ ପାଶବିକତାହିଁ ଜାହାର କରି ଚାଲିଲି । ଗୋଟାଏ ମୁହୂର୍ତ୍ତରେ ଯେତେବେଳେ ସେ ମତେ ଚିତ୍କାର କରିବାର ଧମକ ଦେଲା ମୁଁ ତାକୁ ମୁହଁ ଚାପିଧର ନୀରବ ରହି ମୋର ଅତ୍ୟାଚାର ସହ୍ୟ କରିବାକୁ ବାଧ୍ୟକଲି । ମୋର ହିଂସ୍ରତା । ଯେତେବେଳେ ଧିମେଇ ଆସିଲା ମୁଁ ଆବିଷ୍କାର କଲି ତାର ତଣ୍ଟି ଆଉ ମୁହଁ ମୁଁ ଚାପିଧରିଛି ଅନେକବେଳୁ—ମୋର ଖିଆଲ ନାହିଁ । କିଛି ଗୋଟାଏ ଘଟିବା ଅସମ୍ଭବ ନୁହେଁ । ଭାବିଲି ଅଚେତ ଦେହକୁ ଗାଡ଼ିରେ ପକେଇ ବେଶ୍‌ କୁଆଡ଼କୁ ନେଇଯିବି । ଏତେବାଟ ଉଠେଇନେବା ଅସମ୍ଭବ । କାଦୁଅରେ ଧସ୍ତାଧସ୍ତି ଫଳରେ ଦେହଟା କେମିତି ଅସ୍ୱାଭାବିକ ଭାବେ ଓଜନ ହୋଇଥାଏ ।

 

ଗାଡ଼ିରେ ପଳେଇ ଗାଡ଼ି ରାସ୍ତାକୁ ବାହାରିଲାବେଳେ ପୁଲିସ୍‌ କନ୍‌ଷ୍ଟେବଳ ଜଣକ ଅଟକେଇଲା । ତା’ ଆଖିରୁ ଶୀଘ୍ର ବାହାରିଯିବାକୁ ଡାକ୍ତରଖାନା ଖୋଜି ବାହାରି ଆସିଲି ଭାବିଲି ଡାକ୍ତରଖାନାରେ ଛାଡ଼ିଦେଇ ଖସି ପଳେଇବି । କୌଣସି ବେହେରା ବା ଡାକ୍ତରଙ୍କୁ ହାତ କରିବାକୁ ବେଶି ବେଳ ଲାଗିବନାହିଁ । ଯଦି କଳାବତୀର ଚେତାଆସେ ତେବେ ସେ ମୋ ନା କେବେହେଲେ କହିପାରିବ ନାହିଁ । ଅନ୍ୟ କୋଉ ଅଚିହ୍ନା ଲୋକ ବୋଲି କହିବାର ସମ୍ଭାବନା ବେଶି ନହେଲେ ସେହିଁ ତୋଟାକୁ କାହିଁକି ଆସିଥିଲା ବୋଲି ଦାୟୀ ହେବ । ଯଦି ଚେତା ଫେରିବା ଆଗରୁ ମୁଁ ଫରିଆସେ ତେବେ ସେଇଟାକୁ ଅନ୍ୟ ଉପାୟରେ ବୁଲେଇ ଦେଇହବ । ଆଉ ଯଦି ମରିଯାଏ । ତେବେ ଗୋଟାଏ ଦୃଷ୍ଟିରୁ ମଧ୍ୟ ଅନେକ ବିପଦ କଟିଗଲା ବୋଲି ଭାବିବି । କିନ୍ତୁ ଫଳ ଓଲଟା ହେଲା । କିଶୋର ଦେଖାହେଲେ ପୁଲିସ୍‌ ଅଫିସର ଭାବରେ । ତାଙ୍କୁ ନାଁ ଟଙ୍କା ଦେଇହବ ନାଁ ମୁହଁ ବନ୍ଦ କରିହବ । ପଳେଇବା ଛଡ଼ା ଅନ୍ୟ ଉପାୟ ନଥିଲା ।

 

ମୋର ଗୋଟିଏ ଛୋଟ ଡକାୟତଦଳ ଥିଲା । ଯାହାକୁ କେହି ସନ୍ଦେହ କରି ନଥିଲା । ବହୁ ବଡ଼ ବଡ଼ ସ୍ଥାନକୁ ମୁଁ ମୋର ମର୍ଯ୍ୟାଦା ନେଇଯାଏ, ଏବଂ ସେଠି ସବୁ ଲକ୍ଷ୍ୟକରି ନିଃସନ୍ଦେହରେ ବିଚରଣ କରି ମୋର ଦଳକୁ ପରେ କାମରେ ଲଗାଏ । ସେହି ରାତିରେ ବଡ଼ଧରଣର ଡକାଇତି କରି ମୋର ଜଣେ ଲୋକ ମତେ ଦେଖାକରିବାର ଥିଲା । ବାଟରେ ତା’ଠାରୁ ଟଙ୍କା ନେଇ ମୋର ଘରକୁ ଫେରିବାର ଥିଲା । ସେତେବେଳେ ଆମର ଦଳର କୌଣସି ନିୟମ ଭଙ୍ଗ ପାଇଁ ମତେ ସେ ଲୋକକୁ ସେଇଠି ଶେଷ କରିଦେବାକୁ ପଡ଼ିଲା । ଉଦ୍ଦେଶ୍ୟ ଦୁଇଟା–ମୋ ପଛରେ ନିଶ୍ଚୟ ଗୋଡ଼ଉଥିବା କିଶୋରକୁ ବାଟ ମଝିରେ କିଛି ସମୟ ଅଟକେଇବା ପାଇଁ, ଏବଂ ମୋ ଯିବା ସମ୍ପର୍କରେ ମୋର ସେଇ ଲୋକକୁ ମଧ୍ୟ ନଜଣେଇବା ପାଇଁ । ଗାଡ଼ିଟା ଖରାପ ହବାରୁ ତା’ଗାଡ଼ି ନେଇ ମତେ ଯିବାକୁ ପଡ଼ିଲା । ଭାବିଥିଲି ପୁଷ୍ପଙ୍କ ପାଖକୁ ଯାଇ ତାଙ୍କ ପାଖରେ ଟଙ୍କାତକ ଅଜାଡ଼ି ଦେଇଥିଲେ ହୁଏତ ତାଙ୍କ ମୁହଁକୁ ଚୁପ୍‌ କରିଦେଇ ପଳେଇ ପାରିଥାନ୍ତି । କିନ୍ତୁ ତା’ ମଧ୍ୟ ସମ୍ଭବ ହେଲାନାହିଁ । ତା’ ପରେ......ତା’ପରେ ମୋର କେବଳ ପଳାଇବା ହିଁ ଆରମ୍ଭ ହେଲା-

 

ଆମର ଦଳ ସହିତ ବାକି ସମସ୍ତେ ବହୁ କଷ୍ଟରେ ସୀମାଟପି ବାହାରକୁ ଚାଲିଥିଲୁ । ଆସିଲାବେଳେ ଗୁଳିମାଡ଼ରେ ପ୍ରାୟ ସମସ୍ତେ ମରି ହଜିଗଲେ । ଏକା ରହିଯାଇଥେଲି ମୁଁ । ବୁଢ଼ା ହେଇଗଲି, ରୋଗ ଧରିଲା, ଘରକୁ ଫେରିବାର ମୁହଁ ନାହିଁ । ତେଣୁ ଏଇଠି ଆତ୍ମସର୍ମପଣ କଲି । ୟା’ ଭିତରେ ଅବଶ୍ୟ ବହୁତ ଜାଗାରେ ବହୁପ୍ରକାରର ଛଦ୍ମବେଶରେ ରହି ମୁଁ ନିଜକୁ ଲୁଚାଇ ରଖିଛି-। ପାରିଥାନ୍ତି ମଧ୍ୟ । କିନ୍ତୁ ଆଉ ଲାଭ କ’ଣ... ?

 

ଏତିକି କହିସାରିବା ପରେ ବୀରେନ୍ଦ୍ର ଅନୁଭବ କଲେ ଅନେକ ବୁନ୍ଦା ଝାଲ ତାଙ୍କ ମୁହଁରୁ ଠପ୍‌ ଠପ୍‌ ହୋଇ ଖସିପଡ଼ୁଛି । କିନ୍ତୁ ଚନ୍ଦ୍ରଙ୍କ ମୁଖରେ କୌଣସି ପ୍ରକାରର ପ୍ରତିକ୍ରିୟା ନାହିଁ । ହୁଏତ ଶୁଣୁଛନ୍ତି ପୁଣି ଶୁଣୁନାହାଁନ୍ତି । ବୀରେନ୍ଦ୍ର ବେଶ୍‌କ୍ଷଣ ଚୁପ୍‌ରହିବା ଦେଖି ଚନ୍ଦ୍ର ମୁହଁଟେକି ବୀରେନ୍ଦ୍ରଙ୍କୁ ପ୍ରଥମେ ଚାହିଁଲେ । ତା’ପରେ ତାଙ୍କର ମୁଖମଣ୍ଡଳ କେମିତି ଆହୁରି ଶକ୍ତହୋଇ ଆସିଲା ।

 

‘ଏସବୁ ତ ଖବରକାଗଜର କାହାଣୀ । ହୁଏତ ବହୁ କଷ୍ଟରେ ଚେଷ୍ଟାକରି ଆପଣ ଏସବୁକୁ ଛନ୍ଦି ଗଅଣ୍ଟେଇ ଧାରାବାହିକ ଗପଟିଏ କରିପାରିଛନ୍ତି । ଏ ବୟାନ୍‌ ମଧ୍ୟ ଆପଣଙ୍କର ମୁଁ ରିପୋର୍ଟକୁ ପଢ଼ିଛି । କିନ୍ତୁ ମୁଁ ଜାଣିବାକୁ ଚାହେଁ ସତ୍ୟଟା କ’ଣ ?

 

‘ଦେଖନ୍ତୁ ! ଜୀବନର ଶେଷଭାଗରେ ଏବଂ ଶେଷ ଷ୍ଟେସନରେ ପହଞ୍ଚି ସାରିଛି । ତା’ପରେ ଲକ୍ଷ୍ୟ କୁଆଡ଼େ ବୋଲି ପଚାରିବାର ଯେମିତି କିଛି ମାନେହୁଏନା ଏଠି ଆଉ ମିଛ କହିବାର ସେମିତି କିଛି ଅର୍ଥ ହୁଏନା । ମୁଁ ଯାହା କହିଛି ସେ ସବୁ.... ।’

 

‘ଓଃ...ମିଛ ମୁଁ ଜାଣେ । ଆଚ୍ଛା, ମତେ ଗୋଟିଏ କଥା କୁହନ୍ତୁ ତ ! ଆପଣଙ୍କୁ ସେଠି ଡାକ୍ତରୀ ପରୀକ୍ଷା କିଛି କରାଯାଇଥିଲା ?’

 

‘ହଁ.... ।’

 

‘ପରୀକ୍ଷା କହିଲେ କ’ଣ ଆପଣ ଜାଣନ୍ତି ତ ?’

 

‘ନାଁ କିନ୍ତୁ ନିତାନ୍ତ ଅଶ୍ଳୀଳ ଭଳି.... ।’

 

‘ସେ ଡାକ୍ତରକୁ ମୋର ଦେଖିବାର ଅଛି । ଛାଡ଼ନ୍ତୁ, ଏଥର ଆରମ୍ଭ କରନ୍ତୁ । ଆପଣ କଳାବତୀର ମୃତ ଶରୀର ପାଖକୁ ଆସିଲେ କେମିତି ?’

 

‘ମତେ ଆଉ କାହିଁକି ହଇରାଣ କରୁଛନ୍ତି ଆଜ୍ଞା ? ମୁଁ ତ କହିଲି ନିଜେ ମୁଁ କଳାବତୀକୁ ହରିଣ କରି ସାରିବା ପରେ ସେ ମୋ କଥାରେ... ।’

 

ଏକପ୍ରକାର ଚିତ୍କାର କରି ଉଠିଲେ ଚନ୍ଦ୍ର । ହଠାତ୍‌ ତାଙ୍କର ମୁହଁର ରଙ୍ଗ ବଦଳିଗଲା । କେଜାଣି କେମିତି ବୀରେନ୍ଦ୍ର ସାମାନ୍ୟ ଶଙ୍କିଗଲେ ।

 

‘ମତେ ସତକଥାଟା ହିଁ ଦରକାର । ଯିଏ କଳାବତୀର ହତ୍ୟାକାରୀ ବା ଅପରହରଣକାରୀ ତାକୁ ମୁଁ ଜାଣେ ।’

 

‘ଏ...ନାଁ ନାଁ ମିଛକଥା । ଦେଖନ୍ତୁ! ପୁଣି ଗୋଟାଏ ଅଧ୍ୟାୟ ଆଉ ଆରମ୍ଭ କରନ୍ତୁ ନାହିଁ । ଯିଏ କହିଛି ସେ ମିଛି କହିଛି । ହୁଏତ ମୋ ଭାଇ ନରେନ୍ଦ୍ର ବା ମୋ ସ୍ତ୍ରୀ ସାବିତ୍ରୀ କାହାକୁ ଯଥେଷ୍ଟ ଟଙ୍କାର ଲୋଭ ଦେଖେଇ ତାକୁ ଏଭଳି କୁହାଇଥାଇ ପାରନ୍ତି । ମୁଁ ଆପଣଙ୍କୁ ନିତାନ୍ତ ସତ୍ୟ ହିଁ କହିଛି ।

 

‘ମିଷ୍ଟର ମାନସିଂ ! ଯିଏ କଳାବତୀର ମୃତ୍ୟୁପାଇଁ ଦାୟୀ ତାକୁ କେବଳ ମୁଁ ଜାଣିନାହିଁ ତାର ସମସ୍ତ କାହାଣୀ ଜାଣିଛି । ଆପଣ ଯେତିକି ସତ ଭଳି ତିଆରି କରିଛନ୍ତି ଆପଣଙ୍କର ଏ ଗଳ୍ପ, ହଠାତ୍‌ ଆହୁରି ଭଲ ଗାଳ୍ପିକ ସେ । ସୁନ୍ଦର ସାବଲୀଳା ଭାବରେ ବର୍ଣ୍ଣନା କରିଛି । ତା କାହାଣୀ ମଧ୍ୟ ଆପଣଙ୍କଠାରୁ ଅଧିକ ବିଶ୍ୱାସଯୋଗ୍ୟ । କଳାବତୀର ମୃତ୍ୟୁ ପଛରେ ଆପଣଙ୍କର ରୂପ କାମନା କେବଳ ନାହିଁ ବରଂ ରହିଛି ବହୁବର୍ଷର ଜ୍ୱଳନ୍ତ ପ୍ରତିହିଂସା ।’

 

‘କିନ୍ତୁ ସେ ସବୁ ମିଛ...., କାହିଁକି ଆଉ କିଏ ଏକଥା କରିବ ମୋ ଛଡ଼ା ?’

 

‘ଧୈର୍ଯ୍ୟ ଅଛି ଯଦି ଶୁଣନ୍ତୁ । ଏବଂ କେଉଁ କାହାଣୀ ବେଶି ଲୋମହର୍ଷଣକାରୀ ପରେ କହିବେ । ଇଏ ଆଜିର କଥା ନୁହେଁ ବା ପାଞ୍ଚବର୍ଷ ତଳର ଘଟଣା ନୁହେଁ । ପ୍ରାୟ ଷୋହଳ ବର୍ଷର କଥା । ସେତେବେଳେ ସେଇ ଜମିଦାରୀରେ ମାନଗୋବିନ୍ଦ ସାମନ୍ତରାୟଙ୍କ ଜାୟୁଗୀରରେ ବାସ କରୁଥିଲା ଲୋକଟିଏ । ଗୋଟିଏ ବୋଲି ପୁଅ । ପ୍ରାୟ ଦଶବର୍ଷର ପିଲା । ନାଁ ତାର ବାଲୁ । ସ୍କୁଲରେ ପାଠ ପଢ଼େ । ବାପ ତାର ହଠାତ୍‌ ରୋଗରେ ପଡ଼ିଲା । ଜମିଦାରଙ୍କ କାମରେ ଯାଇ ଦିହର ଅଯତ୍ନ କରି ବେଶ୍‌ କିଛିଦିନ ପଡ଼ିରହିଥିଲା । ଦାଣ୍ଡରୁ ଆଣିଲେ ହାଣ୍ଡିରେ ପଡ଼ିବାର ଅବସ୍ଥା । ତାରି ଭିତରେ ଦିନେ ଦୁର୍ବଳ ଅବସ୍ଥାରେ ରାତିରେ ଉଠୁ ଉଠୁ ପଡ଼ି ଗୋଡ଼ ଭାଙ୍ଗିଗଲା । ଆହୁରି କେଇମାସ ବିଛଣାରେ । ଧାର କରଜ କରି ଜମିଦାରଙ୍କ ଘରୁ ମାଗିଯାଚି ଗୁଜୁରାଣ ଚଳୁଥାଏ ।

 

ଦିନେ ବେଳୁ ସ୍କୁଲରୁ ଫେରିଲା । ଘରେ କିଛି ନ ଥାଏ ଖାଇବାକୁ । ଅଝଟ କରିବାରେ ତା’ ବାପ କହିଲା ଜମିଦାରଙ୍କୁ ଯାଇ କହିବାକୁ । ଗଲା । ଫେରି ଆସିଲା । ଆଉ ବାପାକୁ କହିଲା–ଜମିଦାର କହିଲେ ବାପା ଦିହ ସିନା, ଖରାପ ମା ଆସି ପାରିଲାନି ? ଆଉ ତ ଆସିଚୁ କ’ଣ ନବୁ-? ମା’ କୁ ଯା କହିବୁ, ଆସିବ । ଯାହା ଯେତେ ଦିନପାଇଁ ଦରକାର ନେଇଯିବୁ । ସାଆନ୍ତ ନିଜେ ଖଳାବାଡ଼ିକୁ ଯାଇଛନ୍ତି । ସେଠୁ ଯାହାକୁ ଦରକାର ଯାଇ ନେଇ ଆସିବ ।

 

ବାପା ପ୍ରକୃତରେ ବୁଝିଲା । ଆଉ ଆକଟି କରି କହିଲା—ଜମିଦାର ସତରେ କେଡ଼େ ଭଲଲୋକ । ନିଜେ ଖଳାବାଡ଼ିକୁ ଯାଇ ଅମାରରୁ ଯାହା ଦରକାର ଦେବେ । ସତରେ ବାଲୁ କେତେ କ’ଣ ବା ଆଣି ପାରିଥାନ୍ତା ? ବାଲୁର ମା ବାହାରିଲା ସାଆନ୍ତଙ୍କ ପାଖକୁ । ତିନିହେଁ ଦ୍ୱନ୍ଦରେ ପଡ଼ିଲେ । ମା’ କ’ଣଟା ନେଇ ଯିବା ଉଚିତ୍‌ । ଅଖା, କୁଲା, ଟୋକେଇ କୋଉଟା ନବ ? ସାଆନ୍ତଙ୍କ ପାଖରେ ପେଟ ଲୁଚେଇବାର କ’ଣ ଅଛି ? ଥରେ ନୁହେଁ ଅନେକ ଥର ସାଆନ୍ତଙ୍କ ଘରକୁ ତ ସେ ଯାଇଛି । କେତେ ପିଠାପଣା ଖାଇଛି ଏବଂ ଆଣିଛି । ସାଆନ୍ତ ବାଲୁର ମା’କୁ ବାଲୁ ବାପା ଅପେକ୍ଷା ବରଂ ଆଦର କରନ୍ତି । ଗଲା ।

 

ଯିବାର ବେଶ୍‌ ସମୟ ହେବାକୁ ବାଲୁ ଭାବିଲା—ମା’କୁ ନିଶ୍ଚୟ ଅସୁବିଧା ହେଉଛି । ଏକା ଅଧିକା ଜିନିଷତକ ଆଣିବ କେମିତି । ଅଝଟିଆ ପିଲାର ବୁଦ୍ଧି ନେଇ ସେ ମଧ୍ୟ ଖଳାବାଡ଼ି ଆଡ଼େ ଗଲା । ଦେଖିଲା ହତା ପାଚେରୀ ଫାଟକ ଭିତରୁ ବନ୍ଦ । ଏତିକିବେଳେ ତା’ କାନରେ ପଡ଼ିଲା କେମିତି ଏକ ଅହେତୁକ ଶବ୍ଦ । କିଏ ଯେମିତି ଚିତ୍କାର କଲା ଭଳି ଜଣାପଡ଼ୁଛି । ଚିହ୍ନା ସ୍ୱର-। ପାଚେରୀ ହତାର କାଠ ଫାଟକ ଉପରକୁ ଚଢ଼ି ଭିତରକୁ ଡେଇଁଲା । ସେଇ ଘର ବଖରାକ ଆଡ଼କୁ ଆଗେଇଲା । କ’ଣ କରିବ ସେ ତା’ ଗୋଡ଼ ଚଳୁ ନଥାଏ । ତଥାପି ବାରଣ୍ଡା ଉପରକୁ ଚଢ଼ିଗଲା । ଝରକା ଦର ଆଉଜା ହୋଇଥାଏ । ସେଠିକି ଯିବ କି ନାଁ ଭାବି କାନେଇଲା ବେଳକୁ ତା କାନରେ ପଡ଼ିଲା ।

 

‘ହାଁ...ଏଥର କେମିତି ହେଲା ? ସେମିତି ଟଣା ଓଟରା ଭିଡ଼ା ଭିଡ଼ି କଲେ କ’ଣ ମୋ ଜୋରଠୁ ତୁ ବଳେଇ ଯାଇଥାନ୍ତୁ ? କାନ୍ଦିବାରେ କ’ଣ ଅଛି ? ପାଟି କଲେ ଲୋକ ଜମାହେବେ । ତୋ ଗୁମର ପଦାରେ ପଡ଼ିବ । ମାନଗୋବିନ୍ଦ ସାମନ୍ତରାୟକୁ ମୁହଁଟେକି କେହିତ ପଦେ କହିବାର ସାହାସ କରିବେ ନାହିଁ । ଏଥର ତୋର ଇଚ୍ଛା ତୁ ଯାହା ନେଇ କରି ଯିବୁ ।’

 

ସେମିତି କଇଁ କଇଁ ହୋଇ ମିଲେଇ ଆସୁଥାଏ କାନ୍ଦ । ବାଲୁ ଆଉ ଟିକେ ସାହାସ ସଞ୍ଚୟ କରି ଝରକା ପାଖକୁ ଆଗେଇଲା । ସତରେ ଯେମିତି ତା ମୁଣ୍ଡଟାରେ କିଏ ହାତୁଡ଼ିଟାଏ ପିଟିଦେଲା । ମା’ ତା’ର ସେଇଠି ପଡ଼ିଥିବା ଖଟଟା ଉପରେ ଚିତ୍‌ହୋଇ ଆଖିରେ ହାତ ଥୋଇ ପଡ଼ିଚି । ଆଉ ମାନଗୋବିନ୍ଦ ସାମନ୍ତରାୟ.... । ପ୍ରଥମେ ତା’ ଆଖି ମୁଦି ହୋଇଗଲା । କିନ୍ତୁ ପରେ ପରେ ଆଉ ଆଖିପତା ପଡ଼ିଲାନାହିଁ । ସେ ଦେଖୁଥାଏ ତା’ରି ସାମନାରେ ତା ମା’ର ସମ୍ପୂର୍ଣ୍ଣ ଉଲଗ୍ନ ଦେହ । ତା’ର ବକ୍ଷ, ତା’ର କଟି, ତା’ର ମୁଖମଣ୍ଡଳ ଉପରେ ମାନଗୋବିନ୍ଦ ସାମନ୍ତରାୟଙ୍କର ଜମିଦାରୀ କ୍ରୀଡ଼ା କୌଶଳ । କେତୋଟି ମୁହୂର୍ତ୍ତପରେ ବାଲୁ କେମିତି ଆହୁରି ଟାଣ ହୋଇଉଠିଲା । ସବୁ ସ୍ପଷ୍ଟ ଭାବରେ ଚାହିଁ ଦେଖିବାରେ ତା’ର ଯେମିତି କୌଣସି ଗ୍ଳାନି ରହିଲା ନାହିଁ । ହଠାତ୍‌ ତା’ର ମନେହେଲା ଯେମିତିକି ସେଥିରୁ ବହୁତ କିଛି ଶିଖିବାର ଅଛି ।

 

ଏତେଦିନ ପରେ ବାଲୁ ବୁଝିଲା, ସମସ୍ତେ ଯେ କଥା ପ୍ରସଙ୍ଗରେ କହିଥାନ୍ତି ବାଲୁ ମା’ ସୁନ୍ଦରୀ—ସେ କଥାର ଅର୍ଥ କ’ଣ । ବାଲୁ ମଧ୍ୟ ସୌନ୍ଦର୍ଯ୍ୟର ପ୍ରକୃତ ଗୁଣାତ୍ମକ ମାନ କ’ଣ ତାହା ଦେଖିବାକୁ ଚେଷ୍ଟା କରୁଥାଏ । ବହୁ ଅତୀତରେ ଶୈଶବରେ ଯେଉଁ ମାତାର ବକ୍ଷ ସହିତ ବାଲୁ କ୍ରୀଡ଼ା କରିଥିବ । ଯେଉଁ ବକ୍ଷପରେ ଆଶ୍ରୟ ନେଇଥିବ ଏବଂ ବକ୍ଷରୁ ସୁଧାପାନ କରି ସେ ଏତେ ବଡ଼ ହୋଇଛି ତାହା ଯେ ଅନ୍ୟପାଇଁ ମଧ୍ୟ ଏତିକି ଆକର୍ଷଣୀୟ ଏବଂ ଆବଶ୍ୟକୀୟ ସେତେବେଳେ ସେ ବୁଝିଲା ।

 

କିଛି ସମୟ ପରେ ବୋଧହୁଏ ସାଆନ୍ତେ ଶାନ୍ତ ହେଲେ । ତଥାପି ବାଲୁର ଆଖି ପଲକ ପଡ଼ୁ ନଥାଏ । ମା ତା’ର ଉଠିଲା । ଦୂରରେ ପଡ଼ିଥିବା ଲୁଗାପଟା ପିନ୍ଧିଲା । ସେତିକିବେଳେ ସାଆନ୍ତ କହିଲେ—

 

‘ତୁ ଯା, ମୋ ଲୋକ ଏଇକ୍ଷଣି ଯାଇ ତୋ ଘରେ ଦି’ଗୌଣୀ ଚାଉଳ ଆଉ ଅଧଗୌଣୀଏ ମୁଗ ଦେଇ ଆସିବେ ।’ ବାଲୁର ମା’ ବୁଲି ପଡ଼ିଲାବେଳକୁ ଝରକା ଉପରେ ଦୃଷ୍ଟି ପଡ଼ିଲା । ଅନ୍ୟମନସ୍କ ଭାବରେ ବାଲୁ କେତେବେଳେ ଝରକାଟାକୁ ପୁରା ଖୋଲିଦେଇଛି ତା’ର ଲକ୍ଷ୍ୟ ନାହିଁ । ମା’ ତାକୁ ଦେଖିପକେଇ ସାପ ଦେଖିଲା ଭଳି ଚମକି ପଡ଼ିଲା ।

 

ଏକା ଖେପାକେ ବାଲୁ ପଳେଇ ଆସିଲା ସେଠୁ । ପୋଖରୀ ହୁଡ଼ାରେ ବସି କେତେବେଳେକେ ଘରକୁ ଫେରିଲା । ପଦଟିଏ ମଧ୍ୟ କଥା ବାହାରିଲା ନାହିଁ । ଭାତଥାଳି ପାଖରେ ବସିଲାବେଳେ ବାଲୁକୁ ଜଣାପଡ଼ିଲା—ଭାତରୁ ବାମ୍ଫ ବାହାରୁ ନାହିଁ । ସେଗୁଡ଼ା ଯେମିତି ମାନଗୋବିନ୍ଦ ସାମନ୍ତରାୟଙ୍କର ଉତ୍ତପ୍ତ ନିଃଶ୍ୱାସ । ଠିକ୍‌ ସେହି ମୁହୂର୍ତ୍ତର । ଯେମିତିକି ସାପ ଭଳି ସେ ଫେଁ ଫେଁ ହେଉଥିଲେ । ଆୁ ଭାତର ଦାନାଗୁଡ଼ାକ ତାକୁ ଜଣାପଡ଼ିଲା ସତେ ଯେମିତି ସେଗୁଡ଼ା ଗୋଟା ଗୋଟା ଭାତର ଦାନା ନୁହେଁ । ତା’ ମା’ର ବୁନ୍ଦା ବୁନ୍ଦା ଝାଳ ।

 

ତା’ ପରଦିନ ସକାଳୁ ସେ ଭାତଗୁଡ଼ା ତା ପେଟରେ ରହିଲା ନାହିଁ । ବାନ୍ତି ହୋଇ ବାହାରିଗଲା ପରେ ବାଲୁ ଜାଣିଲା ତାକୁ ଜ୍ୱର । ତଥାପି ମଧ୍ୟ ବାଲୁର ମା’ ତା’ ପାଖକୁ ଆସୁ ନ ଥାଏ । ସତେ ଯେମିତି ତା ମୁହଁ ସେ ଅନ୍ୟ କେଉଁଠି ଛାଡ଼ି ଦେଇଆସିଛି । ଏବଂ ସର୍ବଶେଷରେ ତାହାହିଁ ହେଲା । ବାଲୁର ମା’ ଭାବିଲା ମୁହଁଟା ବିନା ଆଉ ବଞ୍ଚିବା କେମିତି ? କାହା ମୁହଁ ଚାହିଁ ବଞ୍ଚିବ ପୁଣି କାହାପାଇଁ ? ଦୁଇଦିନ ପରେ ସକାଳୁ ସମସ୍ତେ ଦେଖିଲେ ବାଲୁ ମା’ ପୋଖରୀରେ ଭାସୁଛି । ସେଦିନ ମଧ୍ୟ ବାଲୁର ଆଖିପତା ପଲକ ପଡ଼ି ନଥିଲା । ସେ କାନ୍ଦିଥିଲା କି ନାଁ ତା’ର ମନେ ନାହିଁ ।

 

ବାସ୍‌ । ତା’ରି ପରଠାରୁ ବାଲୁ ଅପେକ୍ଷା କରୁଥିଲା ଏମିତି ଗୋଟାଏ ସୁଯୋଗକୁ । କୈଶୋର ଯାଇ ଯେତେବେଳେ ତା’ ଦେହରେ ତାରୁଣ୍ୟର ସ୍ପର୍ଶ ଆସିଲା ସେତେବେଳେ ଏ ନିଃଶ୍ୱାସ ତା’ର ଆହୁରି ପ୍ରଖର ହେଲା । ସେହି ଦୃଶ୍ୟ ଦେଖିବା ପର ମୁହୂର୍ତ୍ତରୁ ହିଁ ତା’ର ଅଙ୍ଗରେ ଯେଉଁ ଅଗ୍ନି ଜଳିବା ଆରମ୍ଭ କଲା ଯୌବନରେ ତାହା ଭୟଙ୍କର ହେଲା । ସେତିକିବେଳେ ତାକୁ ଜଣାଗଲା—ତା’ର ମା’ର ଉଲଗ୍ନ ଦେହଠାରୁ କେବଳ ଜଣଙ୍କର ଉଲଗ୍ନ ଦେହ ଅଧିକ ସୁନ୍ଦର ଆଉ ଲୋଭନୀୟ ହେବା ସମ୍ଭବ । ସେ ହେଲା ସେଇ ଜମିଦାରୀ ରକ୍ତର ପ୍ରତୀକ କଳାବତୀ ସାମନ୍ତରାୟ-

 

ବୃନ୍ତ ମେଲି କଲିଟି ସ୍ଫୁଟନୋନ୍ମୁଖୀ ହେଲା । ପ୍ରତ୍ୟହ ବାଲୁ ଦେଖେ ଯଳିକାଟି ଚନ୍ଦ୍ର ଗତିରେ ବଢ଼ି ଚାଲିଛି । କେଉଁ ଦିନ ସେହି କଳି ପାଖୁଡ଼ା ମେଲି ପ୍ରସ୍ଫୁଟିତ ହୋଇ ମୁଖରେ ଚନ୍ଦ୍ରର ଶୋଭା ନେଇ କଳାବତୀ ହେଲା ସେହି ଦିନଠାରୁ ବାଲୁ ସୁଯୋଗ ଅପେକ୍ଷାରେ ରହିଲା । ସାଧନାରୁ ବଡ଼ ହୁଏତ ଅନ୍ୟକିଛି ନାହିଁ । ଏବଂ ପାଞ୍ଚ ବର୍ଷ ତଳେ ସେ ସିଦ୍ଧିଲାଭ କଲା । କଳାବତୀ କଳା ଅନ୍ଧାରରେ କବଳିତ ହେଲେ । ବାଲୁ କେବଳ ପ୍ରତ୍ୟେକଟି ଅଙ୍ଗରାଶିକୁ ଉପଭୋଗ କରି ନାହିଁ-। ତା’ର ମା’ର ଅନିନ୍ଦ୍ୟ ରୂପଠାରୁ ଅଧିକ ଲାବଣ୍ୟ ନ ରହିବା ଉଚିତ୍‌ ବୋଲି କ୍ଷତ ବିକ୍ଷତ କରିଛି-। ଏବଂ ସର୍ବଶେଷରେ ତା’ ମା’ ପାଖକୁ ପଠେଇଚି । ଯାଉ, ସେ ପୁରରେ ହୁଏତ ମା’ ତା’ର ଦେଖିବା-। ପ୍ରଥମେ ଦୀକ୍ଷା ଗୁରୁ ହୋଇ କଳାବତୀର ବାପା ଆଉ ବାଲୁର ମା’ ଯେଉଁ ଶିକ୍ଷା ଦାନ କରିଥିଲେ ତା’ର ପ୍ରକୃତ ସଦୁପଯୋଗ କରିଛି କି ନାଁ । ଏତେ ଦିନର ଏକାଗ୍ର ସାଧନା ଫଳରେ ବାଲୁ କ’ଣ ମାନଗୋବିନ୍ଦ ସାମନ୍ତରାୟଙ୍କୁ ଟପିଯାଇ ପାରି ନାହିଁ ?

 

ତା’ପରେ...ତା’ପରେ ଆଉ କ’ଣ ? କିଛି ନାହିଁ । ବାଲୁର ଲକ୍ଷ୍ୟ ପୂରଣ ହେଲା । ବର୍ତ୍ତମାନ ସେ.... ।’

 

‘ତା’ ପରେ ଆପଣ କହିବେ—ସେ ବର୍ତ୍ତମାନ କେଉଁ ସିନେମା ସାମନାରେ ଛୁରୀ ଧରି ବୁଲୁଛି । ବା କେଉଁ ରାଜ୍ୟରେ ଦାଗୀ ହୋଇ ବୁଲୁଛି ।.....ଏସବୁ ମିଛ କଥା, କପୋଳ କଳ୍ପିତ କାହାଣୀ । ନରେନ୍ଦ୍ର ଏବଂ ସାବିତ୍ରୀ ଯଥେଷ୍ଟ ଟଙ୍କା ଖର୍ଚ୍ଚ କରି ଏପରି କାହାଣୀ ସୃଷ୍ଟି କରିଛନ୍ତି । ମୋ ଜମିଦାରୀର କୌଣସି ଲୋକକୁ ଜେଲ୍‌ ଯିବା ପାଇଁ ସମ୍ମତ କରେଇଛନ୍ତି ।’

 

ଏତକ ବଡ଼ ବିକଳରେ କହିପକେଇଲେ ବୀରେନ୍ଦ୍ର । ସେତେବେଳେକୁ ତରୁଣ ପୁଲିସ୍‍ ହାକିମ କ୍ଳାନ୍ତିର ନିଃଶ୍ୱାସ ମାରୁଥିଲେ । ସତେ ଯେମିତି ଏ କାହାଣୀ ସେ ବାଲୁ ପାଇଁ ବର୍ଣ୍ଣନା କରିନାହାନ୍ତି ନିଜେ ଚଳଚିତ୍ର ଭଳି ଆଖିରେ ଦେଖି ପାରୁଛନ୍ତି । ବୀରେନ୍ଦ୍ରଙ୍କର ଏକଥା ତାଙ୍କର ଉତ୍ତଜନା ସୃଷ୍ଟି କରିପାରିଥାନ୍ତା । କିନ୍ତୁ ପରିହାସ ବ୍ୟଞ୍ଜକ ସ୍ୱରରେ କହିଲେ—

 

‘ମିଷ୍ଟର ମାନସିଂ ! ସେ ଲୋକ ବର୍ତ୍ତମାନ ଦାଗୀ ହୋଇ କୋଉଠି ଛୁରୀ ଧରି ବୁଲୁ ନାହିଁ-। ମାନଗୋବିନ୍ଦ ସାମନ୍ତରାୟଙ୍କ ଭଳି ଦାଗୀମାନଙ୍କୁ ଧରିବା ପାଇଁ ଅଣ୍ଟାରେ ପିସ୍ତଲ ଝୁଲାଇ ବୁଲୁଛି-। ସେ କିଏ ଶୁଣିବେ ? ଆପଣଙ୍କ ସାମନାରେ ବସିଥିବା ଆଇ. ପି. ଏସ୍‌. ଅଫିସର ଚନ୍ଦ୍ର ବଲ୍ଲଭ ଦାସ—ସେ ଦିନରେ ସେଇ ମାତୃହରା ବାଲୁ ।’

 

‘ଆଜ୍ଞା.... ?’ ଆଉ କିଛି ବାହାରିଲା ନାହିଁ ବୀରେନ୍ଦ୍ରଙ୍କ ମୁଖରୁ । ଏକା ଲୟରେ ଚନ୍ଦ୍ରଙ୍କୁ ଚାହିଁ ରହିଥାନ୍ତି । ଆଖି ତାଙ୍କର ପଲକ ବିହୀନ । ଦେହ ତାଙ୍କର ନିଶ୍ଚଳ । ମନେହେଲା ଯେମିତି ସେ ସ୍ଥାଣୁ ପାଲଟିଗଲେ । ହୁଏତ ଅଳ୍ପ ସମୟ ଭିତରେ ତାଙ୍କର ନିଶ୍ୱାସ ବନ୍ଦ ହୋଇଯିବ । ସେମିତି ମୁଣ୍ଡ ତଳକୁ ପାତିଥାନ୍ତି ଚନ୍ଦ୍ର । ଧୀର କଣ୍ଠରେ ପୁଣି ଆରମ୍ଭ କଲେ ।

 

‘ମିଷ୍ଟର ମାନସିଂ ! ବହୁତ ଗରିବ ଘରେ ଜନ୍ମ ହୋଇଥିଲେ ମଧ୍ୟ ଭଲ ପଢ଼ିଥେଲି । ସ୍କୁଲରେ ମୋ ପାଇଁ ଖର୍ଚ୍ଚ ପଡ଼ୁ ନ ଥେଲା । ବାପ ମା’ ମତେ ବାଧା ଦେଇ ନଥିଲେ । ହେଡ୍‌ମାଷ୍ଟରଙ୍କ ଅନୁରୋଧ, ଯାହା ପଢ଼ାଖର୍ଚ୍ଚ ସେ ବହନ କରିବେ ଯେଉଁଦିନ ଏ ଘଟଣା ଦେଖିଲି ସେଦିନ ଠାରୁ ମୋର ବେଶ୍‌ ନୈତିକ ପତନ ହେଲା ଭଳି ଲାଗିଲା । କିନ୍ତୁ ପଢ଼ାରେ ଖିଲାପ୍‌ କରି ନାହିଁ । ମୋ ମା ମରିଗଲା ସେ କାହାଣୀ କେବଳ ମୋ ଛଡ଼ା ଅନ୍ୟ କେହି ଜାଣିଲେ ନାହିଁ । ସମସ୍ତେ ଭାବିଲେ ଅନାଟନ ଭିତରେ ନିଜକୁ ଚଳେଇ ନ ପାରି ସେ ଆତ୍ମହତ୍ୟା କଲେ । ବାପ ଭାବିଲେ ରାତିରେ ପୋଖରୀରୁ ଶାଗ ତୋଳିବା ପାଇଁ ବା ସେମିତି କ’ଣ ପାଇଁ ଯାଇ ଲଟାରେ ଛନ୍ଦିହୋଇ ମରିଗଲା । କେବଳ ମୁଁ ଜାଣିଲି ମୋ ମା’ ମୋ ସକାଶେ ମଲା । ଆଜି ହୁଏତ ମୁଁ ନ ଦେଖିଥିଲେ ଶେଷ ଜୀବନ ପର୍ଯ୍ୟନ୍ତ ଏ କଳଙ୍କ ସେ ଅନ୍ଧକାରରେ ଲୁଚେଇ ରଖିଥାନ୍ତା । ଆଉ ଥରେ ପୁଣି ସେ ଅପକର୍ମର ପୁନରାବୃତ୍ତି ହୋଇଥାନ୍ତା କି ନା ଜାଣେନା କିନ୍ତୁ କାହାକୁ ଜାଣିବାକୁ ନ ଦେଇ ନିଜ ମନସ୍ତାପ ଭିତରେ ଆମ ପାଇଁ ବଞ୍ଚି ରହିଥାନ୍ତି ।

 

ତା’ ପରଠାରୁ ମୋର କେମିତି ପ୍ରତିଅଙ୍ଗରେ ସେ ଘଟଣାର ଆଲେଖ୍ୟ ରହି ମୋତେ ଯନ୍ତ୍ରଣା ଦେଲା । ସତେକି କିଏ ଛୁରୀରେ ମୋ ହୃଦୟକୁ କାଟି ଲେଖ ଦେଉଛି ଏବଂ ପ୍ରତ୍ୟହ ସେଥିରେ ଲୁଣର ଛିଟା ଦେଇ ଯାଉଛି । ମୋର ଯେମିତି ସେ ଘଟଣା ଭୁଲିବାର ନୁହେଁ । ସମସ୍ତେ ଦେଖିଲେ ମୁଁ ପୂର୍ବ ଅପେକ୍ଷା ଅଧିକ ଭଲ ପଢ଼ିଲି । ବୃତ୍ତି ପାଇଲି । ସେତେ ପିଲାଦିନରୁ ମଧ୍ୟ ମୋର ଲକ୍ଷ୍ୟ ଏକ୍‌ । ମାନଗୋବିନ୍ଦ ସାମନ୍ତରାୟର ଝିଅକୁ କାଖେଇ ଯେତେବେଳେ ତା ଘରର କେହି ଚାକର ଦାଣ୍ଡବାଟେ ଯାନ୍ତି ମୁଁ କେବଳ ସେହି ଝିଅକୁ ଚାହିଁ ରହେ ।

 

ମୁଁ କଲେଜ୍‌ ଆସିଲି । ସେଠି ବହୁତ ଭଲ ପଢ଼ିଲି । ମୋପାଇଁ ଅର୍ଥର ଆବଶ୍ୟକତା ହେଲାନାହିଁ । ବରଂ ମୁଁ ବାପାଙ୍କୁ ବେଳେ ବେଳେ ସାହାର୍ଯ୍ୟ କଲି । ବିଶ୍ୱବିଦ୍ୟାଳୟର କୃତୀଛାତ୍ର ଭାବେ ଉପାଧି ଡିଗ୍ରୀ ଧରି ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ବାହାରକୁ ଆସିଲି । ସେହିବର୍ଷ କଳାବତୀ କଲେଜରେ ନାମ ଲେଖାଇଲା ମୋର ପଢ଼ାଛାଡ଼ି ମୁଁ ଯଦି କେବେ ଘରକୁ ଆସୁଥିଲି ତେବେ ବାପାଙ୍କୁ ଦେଖିବାକୁ ନୁହେଁ, କଳାବତୀକୁ ଦେଖିବାକୁ । ପରିଚୟ ପାଇଁ ବେଶି କଷ୍ଟ କରିବାକୁ ପଡ଼ିଲା ନାହିଁ । ସେହି କଲେଜରେ ମୋର କୃତୀ ଯେକୌଣସି ଛାତ୍ରୀକୁ ମୁଗ୍‌ଧ କରିବା ସ୍ୱାଭାବିକ ।

 

ଆନ୍ତରିକତା ବଢ଼େଇବାର ସୁଯୋଗ ନେଲି । ମତେ ବର୍ତ୍ତମାନ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି । ଥରକେ ପାଇଁ କେବେହେଲେ ମୁଁ ବିମୋହିତ ହୋଇନାହିଁ । ବିଦଗ୍‌ଧ ପୌରୁଷର ଅବତାରଣା କରିନାହିଁ । କଳାବତୀର ବାହାର ଅଙ୍ଗକାନ୍ତି ପ୍ରତି ମୁଁ କେବେ ଦୃଷ୍ଟି ଦେଇନାହିଁ । ତା’ ସହିତ ଆଳାପବେଳେ ମୁଁ କେବଳ ମୋ ମାର ସେହି ଉଲଗ୍ନ ବକ୍ଷ, ଜନୁ, କଟି ତା’ ଦେହରେ ଆବିଷ୍କାର କରିଛି ।

 

ବିଶ୍ୱବିଦ୍ୟାଳୟର ଅନେକ ସମ୍ମାନ ନେଇ ଯେଉଁଦିନ ମୁଁ ସ୍ନାତକୋତ୍ତର ସମାପ୍ତ କଲି ତା’ପରେ ମୋର ଲକ୍ଷ୍ୟ କଣ ବୋଲି ସେ ଜିଜ୍ଞାସା କରିଥିଲା । ମୁଁ କେବଳ ଶୁଦ୍ଧ ପ୍ରେମିକର ଅଭିନୟ କରି ମୃଦୁ ହସିଥିଲି । ତେବେ ଗୋଟିଏ କଥା ପାଇଁ ମୁଁ ବହୁତ ସଜାଗ ଥିଲି । ଆମ ଦୁହିଁଙ୍କର ସାମାନ୍ୟ ଆଳାପ କେହି ଜଣେ ସୁଦ୍ଧା ଜାଣି ନଥିଲେ ।

 

ଦିନ ଗଡ଼ିଚାଲିଲା । ମୋର ବିଶ୍ୱବିଦ୍ୟାଳୟର କୃତିତ୍ୱ ମତେ ଆନନ୍ଦ ଦେଇନଥିଲା । ବରଂ ହଠାତ୍‌ ମତେ ଲାଗିଲା—ଏହାହିଁ ବୋଧହୁଏ ଉପଯୁକ୍ତ ସମୟ । କ୍ରମଶଃ ମୋର ମାନସିକ ଉଦ୍‌ବେଗ ବଢ଼ିଲା । ପଢ଼ା ସରିବାପରେ ଦାୟିତ୍ୱ ବିହୀନ ମଥାରେ କେବଳ ତାହାହିଁ ଖେଳିବାକୁ ଆରମ୍ଭକଲା । ଏହି ସମୟରେ ଅଳ୍ପଦିନ ମଧ୍ୟରେ ମୋର ସେହି ବିଶ୍ୱବିଦ୍ୟାଳୟରେ ଯେତେବେଳେ ଅଧ୍ୟାପକ ଚାକିରି ପାଇଁ ନିଯୁକ୍ତିର ସୁଯୋଗ ଆସିଲା—ଭାବିଲି ଏ ସମସ୍ତ ସୁଖକୁ କେବଳ ଗୋଟିଏ ମାତ୍ର ଉପାୟରେ ଉପଭୋଗ କରାଯାଇପାରେ । ସେହି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନ କରିବାର ସୁଯୋଗ ନେଇ ମୁଁ ଦୂରରେ ଥାଏ । ଥରେ ଘରକୁ ଫେରିଲି ।

 

ସେହିଥର.....ସେ ମୋର, ପ୍ରସ୍ତାବରେ ରାଜିହେଲା । ଆମ ଦୁହିଁଙ୍କର ଏକ ଗୋପନୀୟ ଆଳାପ ଦରକାର । ବାସ୍‌.... । ସେହି ରାତି । ମୁଁ ଜାଣେନା....କେମିତି ମୋ ଦେହରେ ଶତସିଂହର ବଳ ଆସିଲା । ଠିକ୍‌ ଏକ ବ୍ୟଭିଚାରୀ କୁପ୍ରବୃତ୍ତିର ପଶୁଭଳି ମୋର ସମସ୍ତ ବଳ ମୁଁ ପରୀକ୍ଷାକଲି । କିଛିକ୍ଷଣ ପରେ ସେ ବିଦାୟ ନେବାକୁ ଚାହିଁଲା । ମୋର ମନେପଡ଼ିଗଲା ମୋ ମା ମଧ୍ୟ ଯିବାକୁ ଚାହୁଁଥିଲା । ମୁଁ ପୁଣି ବଳସଞ୍ଚୟ କଲି । ସେ ଯେତେବେଳେ ଜାଣିଲା ଯେ ତା’ ଅଙ୍ଗରେ ଶିହରଣ ଦେବା ବଦଳରେ କ୍ରମଶଃ ମୁଁ ଯନ୍ତ୍ରଣା ଦେବା ଆରମ୍ଭ କରିଛି ସେ ଚିତ୍କାର କରିବାର ଧମକ ଦେଲା, ତା’ପରେ ମୁଁ ଆଉକିଛି ଜାଣେନାଁ । ମୋ ଭିତରର ଶୟିତାନ୍‌ ରାଜତ୍ୱ କରୁଥାଏ । ମୁହଁକୁ ବାନ୍ଧିକ ଗଳାକୁ ଚାପିଧରି ମୁଁ ତା’ ଅଙ୍ଗକୁ କ୍ଷତିବିକ୍ଷତ କଲି । ଠିକ୍‌ ଆପଣ ଯାହା କରିଛନ୍ତି ବୋଲି ଖବରକାଗଜରୁ ପଢ଼ି କହିଲେ ।

 

ଅଳ୍ପକିଛି ମୁହୂର୍ତ୍ତପରେ ସେ ହୁଏତ ମିଶିଯାଇଥାନ୍ତା । ତା’ର ନିଶ୍ୱାସ ନେବାର ବାଟ ବନ୍ଦ କରିଦିଆ ହୋଇଥିଲା । କିନ୍ତୁ ତା’ପରେ ହଠାତ୍‌ ବର୍ଷା ହେବାର ସୂଚନା ଜଣାପଡ଼ିଲା । କାଳେ କିଛି ଓଦାମାଟିରେ ଚିହ୍ନ ରହିଯିବ ଜାଣି ମୁଁ ପଳେଇ ଆସି ଦୂରରେ ଏକ ଗଛ ଉପରେ ଅପେକ୍ଷା କଲି । କିନ୍ତୁ ବର୍ଷା ପୁରା ଶେଷ ହେବା ଆଗରୁ ଆପଣ ଆସି ପହଞ୍ଚିଲେ ।

 

ସେହିଦିନ ପରେ ସେ ମରିଯିବା ଜାଣି ମୁଁ ସାମାନ୍ୟ ବିବ୍ରତ ହେଲି ସତ କିନ୍ତୁ ଅନୁତପ୍ତ ହେଲି ନାହିଁ । କେମିତି ମୋତେ ଜଣାଗଲା—ମୋ ଦେହରେ ଲେଖି ହୋଇଥିବା ସେ ଅପକୀର୍ତ୍ତି ଘା ଶୁଖିଯାଇଛି । ବହୁ ପରିମାଣରେ ଶାନ୍ତ ଲାଗିଲା । ଆଉ ମୋର ଏତେ ଅବ୍ୟବସ୍ଥିତ ଚିତ୍ତ ହେବାର କୌଣସି କାରଣ ନାହିଁ । ବରଂ ସବୁଦିନ ପାଇଁ ଲୋକଲୋଚନାର ଆଢ଼ୁଆଳରେ ରହିଯିବା ପାଇଁ ମୁଁ ଯାହା ହେବାକୁ ଚାହିଁଥିଲି ସେଥିପାଇଁ....ଏକାଗ୍ର ଚିତ୍ତରେ ଲାଗିପଡ଼ିଲି । ତାରି ଫଳ ନିଜେ ଆଜି ଉଚ୍ଚପଦସ୍ଥ ପୋଲିସ୍‌ ଅଫିସର । ମୋ ଦେହରେ ସମାଜର ସର୍ବୋଚ୍ଚ ନିର୍ଦ୍ଦୋଷୀର ପଦବୀ ।

 

ଆଜି କିନ୍ତୁ ଭାବୁଛି ମୁଁ ବୋଧହୁଏ ହାରିଗଲି । ଏ ପ୍ରକାର ଏକ ଅପକର୍ମରେ ଯିଏ ଶିକାର ହେଲେ ସେମାନେ ମୋର କ’ଣ କରିଥିଲେ ? ଆପଣଙ୍କର ସାମାଜିକ ସ୍ୱୀକୃତ ମୁଁ କେବଳ କ୍ଷୁନ୍ନ କରିନାହିଁ ଆପଣଙ୍କୁ ସମାଜଚ୍ୟୁତ କରି ଥାନା ହାଜତରେ ବସେଇଛି । ଆପଣଙ୍କ ପରିବାର ମୋର କ’ଣ କରିଥିଲେ ? କଳାବତୀ ମଧ୍ୟ କଣ କରିଥିଲା ? ତେବେ ମୋର ଏ ପର୍ଯ୍ୟନ୍ତ ମଧ୍ୟ କେତୋଟି ବିଷୟ ସନ୍ଦେହ ମୁକ୍ତ ହୋଇନାହିଁ । ପ୍ରଥମ କଥା ସେ ଟଙ୍କା ନେଇ ପକାଉଥିବା ଡକାୟତ୍‌ର ମୃତ୍ୟୁ ଆଉ ଡାକ୍ତରୀ ରିପୋର୍ଟର ବିବରଣୀ ।’

 

କେମିତି କେଜାଣି ଥମି ଗଲାଭଳି ଚନ୍ଦ୍ର ଜଣାପଡ଼ିଲେ । ସତେକି ବହୁପଥ ଅତିକ୍ରମ କରି ଆସିଛନ୍ତି । ପିଲାଦିନରୁ ଏ ଯାକେ ଦଉଡ଼ି ଦଉଡ଼ି ଆସୁଥିଲେ । ଏଇଠି ପହଞ୍ଚି ଥକିଗଲେ । ଆଉ ବା ବୀରେନ୍ଦ୍ରଙ୍କର କଣ ଲୁଚେଇବାର ଥିଲା । ଡକାୟତର ମୃତ୍ୟୁ କେମିତି ହେଲା ଅଳ୍ପକେ ବର୍ଣ୍ଣନା କଲେ । ଟଙ୍କା ନେଇ ଚାଲିଯିବା ଛଡ଼ା ଜଣେ ମୃତପ୍ରାୟ ବ୍ୟକ୍ତି ପାଖରେ ଛାଡ଼ିଯିବାଟା ସେ ଉଚିତ୍‌ ମଣିଲେ ନାହିଁ । ପରେ ସିନା ସେ ଜାଣିଲେ, ଡକାୟତର ଡକାୟତ ଧନ ହିଁ ଡକାୟତି ହୋଇ ପୁଣି ଚାଲିଗଲା । ନହେଲେ ତା’ ସହିତ ବୀରେନ୍ଦ୍ରଙ୍କର ପରିଚୟର ପ୍ରଶ୍ନ କୁଆଡ଼ୁ ଆସିବ ? କେବଳ ଡାକ୍ତରୀ ପରୀକ୍ଷା.... । ବୀରେନ୍ଦ୍ର ନିଜେ ମଧ୍ୟ ଜାଣିଲେନି କଣ ସେତେବେଳେ ହେଲା ।

 

‘ଅଂଶୁ ଆଉ ଅନୁ ଦିହେଁ ସେଦିନ ତାଙ୍କ ମାମୁଁ ଘରକୁ ଯାଇଥାନ୍ତି । ରାତିରେ ଫେରିବାର କଥା ନଥିଲା । ପିଲାଦିହେଁ ବଡ଼ ହେଲାପରେ ମୁଁ ଆଉ ସାବିତ୍ରୀ ନିଜର ଦୁର୍ବଳତା ସମ୍ପର୍କରେ ସାମାନ୍ୟ ସଚେତ ହୋଇଥିଲା । ତେଣୁ ସେଦିନ ଉଭୟଙ୍କ ପାଇଁ । ନିରୋଳା ଯୋଗୁଁ ଏକ ସୁଯୋଗ ଥିଲା । ବେଶ୍‌ ସମୟ ପାଇଁ ପରସ୍ପର ଏକାଠି ହେଲାପରେ ସାବିତ୍ରୀ ତୃପ୍ତିର ନିଦରେ ଶୋଇ ଯାଇଥିଲେ । ମୁଁ ମଧ୍ୟ ଅଯତ୍ନରେ ଶୋଇଯାଇଥିଲି । ଏତିକିବେଳେ ଟେଲିଗ୍ରାମ ଆସି ପହଞ୍ଚିଲା । ଏତେ ରାତିରେ ଏପରି ଏକ ଟେଲିଗ୍ରାମ ମତେ ବିଚଳିତ କରିଦେଲା । ସେମିତି ଖଣ୍ଡେ ପିନ୍ଧିପକେଇ ମୁଁ ସାବିତ୍ରୀଙ୍କୁ ପଦେ କହିଦେଇ ବାହାରିଗଲି ।

 

ବାଟରେ ଏସବୁ ଯାହାହେଲା । ଡାକ୍ତର ଯେତେବେଳେ ମତେ ଭିତରକୁ ନେଲେ ମୁଁ ଆପତ୍ତି କରୁଥିଲି । କିନ୍ତୁ ଅତି ଅଶ୍ଳୀଳ ଭାବରେ ସେ ମତେ ବିବସ୍ତ୍ର କରି ତାଙ୍କର ପାଠ ପଢ଼ିବାକୁ ଚାହିଁଲେ । ବେଶିକ୍ଷଣ ତାଙ୍କୁ ପରିଶ୍ରମ କରିବାକୁ ପଡ଼ିନାହିଁ । ମୋ ଜାନୁରେ ଯେଉଁ ସନ୍ତକ ଦେଖି ସେଆଉ ପରୀକ୍ଷାର ଆଗକୁ ବଢ଼ିବାକୁ ଚାହିଁଲେ ନାହିଁ ପରେ ମୁଁ ସେଇଟା ବୁଝିଲି । କିନ୍ତୁ ସେଇଟା କଳାବତୀଙ୍କର ସ୍ମାରକୀ ନୁହେଁ ସାବିତ୍ରୀଙ୍କର । ବିଶେଷ ଲାଜକଥା ହେଲେବି ମୋର ସ୍ୱୀକାର କରିବାରେ ଆପତ୍ତି ନାହିଁ । ଏତେ ବୟସ ପରେ ବି ଏବଂ ଏତେଦିନର ସମ୍ପର୍କ ପରେ ମଧ୍ୟ ମୋର ପୁଷ୍ପଙ୍କର ସମ୍ପର୍କ ସମ୍ପୂର୍ଣ୍ଣ ଭିନ୍ନ । ସତେ ଯେମିତି ଦୁଇଟି କଲେଜ ପଢ଼ୁଥିବା ନବଯୌବନ ପ୍ରାପ୍ତ ତରୁଣ ତରୁଣୀ । ପୁଷ୍କଙ୍କର ଟେଲିଗ୍ରାମ ପାଇବାପରେ ଏବଂ ମୋ ସେ ଦୁର୍ଭାଗ୍ୟ ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ସେହି ସମୟ ଭିତରେ ପୁଷ୍ପଙ୍କ ସହିତ ମିଳିନ ହେବାର ଯେଉଁ ଉତ୍ସୁକତା ସେଇଯା ବୋଧହୁଏ ମୋ ଭିତରେ ପରିଧାନ ପରୀକ୍ଷା କରି ସୁଯୋଗ ଡାକ୍ତର କିଛି ଜାଣି ପାରିଥିବେ । କିନ୍ତୁ ମୋର ଏତିକି କ୍ଷୋଭ ସେଇଟା କଳାବତୀ ସହିତ ମିଳନ ପରର କାଳିମା ନୁହେଁ ପୁଷ୍ପଙ୍କ ସହିତ ମିଳନ ପୂର୍ବର ଝୋଟି ।’

 

‘ବାସ୍‌....ବାସ୍‌...ଆଉ ମୋର କିଛି ଶୁଣିବା ଦରକାର ନାହିଁ । ବର୍ତ୍ତମାନ ବୁଝିଗଲେ କି ଭଳି ପରୀକ୍ଷା କରି ଡାକ୍ତର ପରୀକ୍ଷା ବିବରଣୀ ଶେଷ କରିଛନ୍ତି ଆଉ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ତାଙ୍କ ସହିତ ମୋର ଗୋଟାଏ ମୁହାଁମୁହିଁ ହେବା ଆବଶ୍ୟକ । ଛାଡନ୍ତୁ । ଯାହା ହେବାର ଥିଲା ଘଟିଗଲା । ବର୍ତ୍ତମାନ ମୋର କର୍ତ୍ତବ୍ୟ ଶେଷ ହୋଇଛି । ମୋର ପ୍ରତିଶୋଧ ବହ୍ନି ଲିଭିଯାଇଛି ମୋର ବରଂ କାଠଗଢ଼ାରେ ଠିଆହୋଇ ଏତକ ସ୍ୱୀକାର କରିବାରେ କୌଣସି ମୁଖଲଜ୍ଜା ନାହିଁ ବା ଲୁହାଫାଟକ ଭିତରେ କଏଦୀ ହେବାରେ କୌଣସି ପଶ୍ଚାତ୍ତାପ ରହିବ ନାହିଁ । ମୋର. ଆଇ. ପି. ଏସ୍‌. ପାଇବା ପରେ ଦିନ କେଇଟା ଭିତରେ ବାପା ମୋର ପୃଥିବୀ ତ୍ୟାଗ କରିଛନ୍ତି । ସେ ମୃତ୍ୟ ତୃପ୍ତିର ମୃତ୍ୟୁ । ତାଙ୍କପୁଅ ସାମଜର ଜଣେ ପଦସ୍ଥ ହାକିମ ହୋଇପାରିଛି । ତାହାହିଁ ତାଙ୍କର ଶାନ୍ତିରେ ନିଶ୍ୱାସ ତ୍ୟାଗ କରିବାର କାରଣ । ବର୍ତ୍ତମାନ ଏ ପୃଥିବୀରେ ମୋର ବୋଲି କହିବାକୁ କେହିନାହିଁ । ତେଣୁ ମୁଁ ନିଜେ ସ୍ୱୀକାର କରିଯିବି । ଆପଣ ପୁଣି ଫେରିଯିବେ ଅଳ୍ପଦିନ ଭିତରେ ଆପଣଙ୍କ ସଂସାରକୁ ।’

 

ବୀରେନ୍ଦ୍ରଙ୍କ ଆଖିରେ ଏତେଦିନକେ ଟପ୍‌ ଟପ୍‌ ହୋଇ ଦି’ଟୋପା ଲୁହ ଖସିପଡ଼ିଲା । କ’ଣ ତାଙ୍କର କହିବା ଉଚିତ୍‌ ? ଏ ଅଶ୍ରୁ ଆନନ୍ଦର ନାଁ ଅନୁତାପର ? ଖୁବ୍‌ ଶୀଘ୍ର ମୁକ୍ତ ହୋଇପାରିବେ ବୋଲି ସେ ଆନନ୍ଦରେ ଅଶ୍ରୁ ବିମୋଚନ କଲେ ନାଁ ଏ ପ୍ରକାର ବିନାକାରଣରେ ତାଙ୍କର ସର୍ବସ୍ୱ ପୋଡ଼ିଜଳି ପାଉଁଶ ହୋଇଗଲା । ସେଥିପାଇଁ ସେ ଚାହିଁଥିଲେ ଏତେ ତଳକୁ ଯାଇନଥାନ୍ତା—ସେଥିପାଇଁ ଅନୁତାପରେ ?

 

‘କାହାପାଇଁ ଆଉ ? କୁଆଡ଼େ ଫେରିବି ? କାହା ପାଖକୁ ଫେରିବି ? କ’ଣ ପାଇଁ ଫେରିବି ? ଆଉ କ’ଣ ନେଇ ଫେରିବି ? ବରଂ ଆପଣ ମତେ ଏଇଠି ଶାନ୍ତିରେ ଆଉ ଅଳ୍ପଦିନ କାଟିବାକୁ ଦିଅନ୍ତୁ ।’

 

ଚନ୍ଦ୍ର ଏକଥାର ପ୍ରତିବାଦ କଲେ । ସତେ ଯେମିତି ସେ ଆଉ ପୋଲିସ୍‌ ଅଫିସର ନୁହନ୍ତି-। ତାଙ୍କର ଭୂମିକା ସମଦଶାପନ୍ନ ଜଣେ ଦୋଷୀ ।

 

‘ଆପଣଙ୍କର ସବୁ ଠିକ୍ ଅଛି ମିଷ୍ଟର ମାନସିଂ ! ଏତେ ଦୁଃଖ ଭିତରେ ଆପଣ ଯେଉଁକଥା କହିପାରୁ ନାହାନ୍ତି ସେସବୁ ମୁଁ ଜାଣେ । ଏପର୍ଯ୍ୟନ୍ତ ମଧ୍ୟ ଆପଣଙ୍କ ସ୍ତ୍ରୀ ସାବିତ୍ରୀ ପ୍ରତିଦିନ ଶିବମନ୍ଦିର ଯାଇ ଦର୍ଶନ କରିବା ଭିତରେ ନିଶ୍ଚୟ ଆପଣଙ୍କର ଶୁଭ କାମନା କରନ୍ତି । ସୀମନ୍ତରେ ତାଙ୍କର ସିନ୍ଦୂରଗାର ଏପର୍ଯ୍ୟନ୍ତ ବେଶ ଉଜ୍ଜ୍ୱଳ । ଏପର୍ଯ୍ୟନ୍ତ ମଧ୍ୟ ଆପଣଙ୍କର କନ୍ୟା ସେମିତି ମା’ର ଆଦର୍ଶ ଅନୁକରଣ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇ ରହିଛି । ଏପର୍ଯ୍ୟନ୍ତ ବି ଆପଣଙ୍କର ଅପୂରଣୀୟ କ୍ଷତି କିଛି ଘଟିନାହିଁ । କେବଳ ଗୋଟିଏ କଥା । ଘରଟା ଭିନ୍ନେ ହୋଇଯାଇଛି । ବେଶ୍‌ କିଛି ସମ୍ପତ୍ତି ଆପଣଙ୍କର ସ୍ତ୍ରୀଙ୍କୁ ଖର୍ଚ୍ଚକରି ପିଲାଙ୍କୁ ମଣିଷ କରିବାକୁ ପଡ଼ିଛି-।’

 

ଏଇ ମଣିଷ କରିବା କଥାରେ ବୀରେନ୍ଦ୍ର ଅନେକ ଦୁଃଖ ମଧ୍ୟରେ ସୁଦ୍ଧା ହସି ପକେଇଲେ । ପିଲାମାନେ ଠିକ୍‌ ମଣିଷ ହୋଇଛନ୍ତି । ଅନୁ ସାବିତ୍ରୀଙ୍କ ଆଦର୍ଶରେ ଗଢ଼ା । ସେଥିପାଇଁ ସେ ହିଁ ମଣିଷ ହୋଇପାରେ । ହେଲେ ଅଂଶୁ..... ? ସେଥିପାଇଁ ତା’ କଥା ଚନ୍ଦ୍ର କହିପାରିଲେ ନାହିଁ ନିଶ୍ଚୟ । ବୀରେନ୍ଦ୍ର ଯେମିତି ସତେକି ଅନୁମାନ କରିପାରିବେ ନାହିଁ । କେବଳ ସତେକି ନୁହେଁ । ଚନ୍ଦ୍ର କୁଆଡ଼ୁ ଜାଣିବେ ? ଅଂଶୁ, ଅନୁ ଓ ସାବିତ୍ରୀଙ୍କ ନେଇ ବୀରେନ୍ଦ୍ରଙ୍କର ସଂସାର ପୂର୍ଣ୍ଣାଙ୍ଗ ନୁହେଁ । ଆହୁରି ମଧ୍ୟ ଏମିତି ଗୋଟାଏ ଅପୂର୍ଣ୍ଣ ଶୂନ୍ୟସ୍ଥାନ ରହିଯାଉଛି ଯାହାକୁ କି ପୁରାଣ କରାଯାଇପାରେନା । କିଏ ତାଙ୍କୁ ଅଳି କରିବ—ଗାଡ଼ିର ରଙ୍ଗଟା ଭଲଲାଗୁନାହିଁ ବଦଳେଇ ଦିଅନାଁ.... । ଆଗ ଚକଟା ବେଶ କିଛିଦିନ ଚାଲିଲାଣି ବଦଳାହବା ଦରକାର । ଏଇ ପ୍ୟାଣ୍ଟସାଙ୍ଗକୁ କେବଳ ଏଇ ରୁମାଲଟା ଆଉ ଏଇସାର୍ଟ ପିନ୍ଧାହେବା ଦରକାର । ଏ ପ୍ରକାର ଅଶେଷ ଦାବି ଓ ଅନୁରୋଧ ଭିତରେ ବୀରେନ୍ଦ୍ର ମାନସିଂ ଅଣନିଃଶ୍ୱାସୀ ବୋଧ କରନ୍ତି । କିନ୍ତୁ ତାରି ଭିତରେ ହିଁ ତାଙ୍କୁ ଯେମିତି ବଞ୍ଚିରହିବାର ଯଥେଷ୍ଟ ପ୍ରେରଣା ମିଳିଥାଏ । ସେସବୁ ବିନା ବଞ୍ଚିବା ତାଙ୍କର ଅସମ୍ଭବ ହୋଇଉଠିବ ।

 

କିଞ୍ଚିତ୍‌ ଭାବାନ୍ତର ହେଲା ତାଙ୍କର । ଆସ୍ତେ ଆସ୍ତେ ମୁହଁଟା ବୁଲେଇ ଆଣୁ ଆଣୁ ତାଙ୍କର ଆଖିରେ ପଡ଼ିଲା ଚନ୍ଦ୍ର ଆଣିଥିବା ଡାଏରୀ ଆଉ ତା’ ପାଖରେ ମ୍ୟାଗାଜିନ୍‌ ଖଣ୍ଡେ ଡାଏରୀଟା ଘୁଞ୍ଚିଯାଇ ମ୍ୟାଗାଜିନ୍‌ର ଗୋଟାଏ ପୃଷ୍ଠା ଓଲଟି ଯାଇଥାଏ । ତାରି ଭିତରୁ ଉଙ୍କି ମାରୁଥାଏ କେଉଁଏକ ନରୀର ଉଲଗ୍ନ ଦେହ ବୀରେନ୍ଦ୍ର ଭାବିଲେ—ଅଳ୍ପ କିଛି ସମୟ ତଳେ ନଗ୍ନଦେହ ଆଉ ତା’ ଉପରେ ପ୍ରତିକ୍ରିୟା ସମ୍ପର୍କରେ ଶୁଣୁଥିଲେ । ମନେପଡ଼ିଗଲା ଥରେ ଏହିପରି ଏକ ଭଲ ଛବିଟିଏ ଥିବା ବିଦେଶୀ ବହିଖଣ୍ଡ ବାଟରୁ କିଣି ଆଣିଥିଲେ ବୀରେନ୍ଦ୍ର । ଉଦ୍ଦେଶ୍ୟ ଥିଲା ଦେଖେଇ ତା’ ଉପରେ ଏକ ତାତ୍ତ୍ୱିକ ଆଲୋଚନା କରି ସେଦିନର ମିଳନମନ୍ତ୍ର ଉଚ୍ଚାରଣ କରିବେ । କିନ୍ତୁ ହଠାତ୍‌ ଫଳ ହେଲା ଓଲଟା ।

 

‘ଏ ମ୍ୟାଗାଜିନଟା କିଣିକରି ଆଣିଲ ?’

 

‘ହଁ.... ।’

 

‘ଭଲ ମ୍ୟାଗାଜିନ ?’

Unknown

 

‘କହିପାରିବି ନାହିଁ । ମୁଁ ଏଇ ଫଟଟା ଦେଖିଲି ତ । ନେଇ ଆସିଲି । ଖୁବ୍‌ ସୁନ୍ଦର ହୋଇଛି ନୁହେଁ ?’

 

‘କ’ଣ ?’

 

‘ଫଟଟା ।’

 

‘କେବଳ ଫଟଟା ?’

 

‘ନା ନା, ତା’ ସାଙ୍ଗକୁ ତାର ଚେହେରା, ସ୍ୱାସ୍ଥ୍ୟ, ସବୁକିଛି । ତମକୁ ଭଲ ଲାଗୁନାହିଁ ?’

 

‘ନିଶ୍ଚୟ ଭଲ ଲାଗୁଛି ।’

 

‘ଖାଲି ରୂପଟା ବା ଦିହଟା ଥିଲେ ହୁଏନାଁ । ତାକୁ ବାଗେଇ କରି ଉପସ୍ଥାପିତ କରିବାର କାଇଦାରେ ହିଁ ବାହାଦୂରୀ । ସତରେ ଭାରି ଭଲ ହୋଇଛି ପଟଟା ।’

 

ତା’ପରେ ମାମୁଲି କେଇପଦ କଥାଭାଷା, ଖାଇବା ଶେଷହେଲା ସବୁବେଳେ । ବୀରେନ୍ଦ୍ର ଖାଇଦେଇ ଆଗଆସି ଲୋଟିଯାନ୍ତି ବିଛଣାରେ । କେମିତି କେଜାଣି ସେହି ବିଛଣା ଉପରେ ଇତସ୍ତତଃ ଗଡ଼ିବାରେ ମଧ୍ୟ ପ୍ରତୀକ୍ଷାରେ ଏକ ମାଦକତା ଅଛି । ଅନ୍ୟ ଚାକର ପୁଝାରୀଙ୍କୁ ତାଙ୍କର ଦାୟିତ୍ୱ ବୁଝେଇ ଶୂନ୍ୟସ୍ଥାନ ପୂରଣ କରିବାକୁ ଆସିବାରେ ସାମାନ୍ୟ ବିଳମ୍ବ ହୋଇଥାଏ । ସେ ବିଳମ୍ବ ମଧ୍ୟରେ ପଥ କ୍ଳାନ୍ତିପାଇଁ କେମିତି କେଜାଣି ବୀରେନ୍ଦ୍ରଙ୍କୁ ଦଇନିଛା ଲାଗିଗଲା ।

 

ନିଦ ଭାଙ୍ଗିଲାବେଳକୁ ଦେଖନ୍ତିତ ଏ ପର୍ଯ୍ୟନ୍ତ ସେ ବିଛଣାରେ ଏକା । ଘଣ୍ଟାକୁ ଚାହିଁ ଦେଖିଲେ । ପ୍ରାୟ ଘଣ୍ଟାଏ ବିତିଗଲାଣି । ଏତେବେଳଯାକେ କ’ଣ କାମ ସରିନାହିଁ ? ଉଠିକରି ଦେଖିବେ ବୋଲି ବାହାରିଲାବେଳକୁ ତାଙ୍କର ଦୃଷ୍ଟି ପଡ଼ିଲା ବିଛଣା ଉପରେ । ସେଇ ଫଟଖଣ୍ଡକ ସୁନ୍ଦର ଭାବରେ କଟା ହୋଇଛି ପତ୍ରିକାରୁ । ନରମ ଡନ୍‌ଲପ୍‌ ତକିଆ ଦିହରେ ସେଫ୍‌ଟିପିନ୍‌ ମରାହୋଇ ବୀରେନ୍ଦ୍ରଙ୍କ ପାଖରେ ଥୁଆ ହୋଇଛି । ପ୍ରଥମେ ବୀରେନ୍ଦ୍ର ଏ ପରିହାସର ଅର୍ଥ ବୁଝିପାରିଲେ ନାହିଁ । ଖୋଜି ଦେଖିଲା ବେଳକୁ ପୁଷ୍ପ ଅନ୍ୟ ଘରେ ଶୋଇ ଯାଇଛନ୍ତି । ମୁହଁଟା କେମିତି ଅସ୍ୱାଭାବିକ ଭାବରେ ଗମ୍ଭୀର ହୋଇଉଠୁଛି । ଉଠେଇବାକୁ ଚେଷ୍ଟା କଲେ ବୀରେନ୍ଦ୍ର । କିନ୍ତୁ ନ ଉଠିବାର ସୂଚନାରୁ ଜାଣିଲେ ପୁଷ୍ପ ଶୋଇ ନାହାନ୍ତି । ବରଂ ଅଭିମାନରେ ଟାଣି ଓଟାରି ନିଜକୁ ପକେଇ ରଖିଛନ୍ତି । କେତେ ପ୍ରକାରର ଅନୁନୟ ପରେ ଯେତେବେଳେ ତାଙ୍କର ମୁହଁରୁ ବାହାରିଲା—

 

‘ଆଜି ରାତିଟା ସୋଇ ଫଟକୁ ରଖି ପାଖରେ ଶୋଇ ପଡ଼ତ । କେବଳ ସେଇ ସୁନ୍ଦର ଫଟଟା ଯୋଗୁଁ ଆଣିଚି ଯେତେବେଳେ ତା’ର ସଦ୍‌ବ୍ୟବହାର ହେବା ଉଚିତ୍‌ ।.....ଦେହଟା ଖାଲି ତା’ର ସୁନ୍ଦର ନୁହେଁ ନିଜକୁ ଉପସ୍ଥାପିତ କରିବାର ମଧ୍ୟ ଜାଣନ୍ତି ସେମାନେ ।’

 

ତା’ ପରେ ବୀରେନ୍ଦ୍ର ଜାଣିପାରିଲେ କୋଉଠି କଣ୍ଟାଟା ବାହାରିଛି । କେତେ ବଡ଼ ଭୁଲ୍‍ ସେ କରିଛନ୍ତି । ଠିକ୍‌ ତକିଆଟି ଭଳି ବୀରେନ୍ଦ୍ର ଯେତେବେଳେ ପୁଷ୍ପଙ୍କୁ ଟେକି ନେଇ ଆରପାଖକୁ ଗଲେ ସେତେବେଳେ ଖାଲି ଏତିକି କହିଲେ—‘ତମର ମଧ୍ୟ ସେଇଟା ଦେଖିବା ଉଚିତ୍‌ । ନହେଲେ ସାକ୍ଷୀ କିଏ ରହିବ । ମୋର ସେ ପ୍ରକାର ରସରଙ୍କର ତ ଜଣେ କେହି ଦର୍ଶକ ହେବା ଦରକାର ।’

 

ଏଇ କଥା ପରେ ବୀରେନ୍ଦ୍ର ହୁଏତ ଧରିନେଇଥାନ୍ତେ ପୁଷ୍ପ ଈର୍ଷାପରାୟଣ । ଯେ କେହି ଭାବିବା ମଧ୍ୟ ସ୍ୱାଭାବିକ । ଅନ୍ୟ କେଉଁ ନାରୀର ପ୍ରଂଶସା ପୁଷ୍ପ ସହ୍ୟକରିବେ ନାହିଁ । କେତେକାଂଶରେ ବୀରେନ୍ଦ୍ର ଅବଶ୍ୟ ସେହି ଦିନଠାରୁ ସଚେତ ହେଲେ । ପାର୍ଟି, ପିକ୍‌ନିକ୍‌ ବା ବୁଲିବା ସ୍ଥାନମାନଙ୍କରେ ସାଧାରଣ ଖାତିରରେ ମଧ୍ୟ କାହାପ୍ରତି ବିଶେଷ ନଜର ଦେବା ପାଇଁ ତାଙ୍କୁ ସଙ୍କୋଚ ଲାଗିଲା । ଅଧୁନା ସମାଜର ଗତି ସହିତ ତାଳ ପକେଇ ପରିସ୍ଥିତି ଓ ପରିବେଶକୁ ଖାପ ଖୁଆଇ ଅଙ୍ଗସଜ୍ଜା ଓ ବେଶର ବିଚିତ୍ର ଗତି ଯେଉଁ ଆଗେଇ ଚାଲିଛି ତାକୁ ମଧ୍ୟ ଲକ୍ଷ୍ୟ କରିବାକୁ କୁଣ୍ଠାବୋଧ କଲେ । କାରଣ ସେ ପ୍ରକାର ଭୂଷଣକୁ ଲକ୍ଷ୍ୟ କଲେ କେବଳ ପରିପାଟୀ ରୁଚି ବା ପୋଷାକ ଦୃଷ୍ଟିରେ ପଡ଼େ ନାହିଁ । ଅନେକ ଅପ୍ରକାଶ୍ୟ ଉପାଦାନକୁ ପ୍ରକାଶ କରିବାର ଏକ ପରୋକ୍ଷ ଉଦ୍ୟମ ସାଫଲ୍ୟ ମଣ୍ଡିତ ହୁଏ । ବେଶ୍‌ କିଛିଦିନ ପାଇଁ । ବୀରେନ୍ଦ୍ରଙ୍କ ମନ ଭିତରେ ଏହି ଭାବନା ଗଚ୍ଛିତ ରହିଲା । କିନ୍ତୁ ଦିନେ ପୁଣି ବୀରେନ୍ଦ୍ରଙ୍କୁ ସେ ଧାରଣ ସଂଶୋଧନ କରିବାକୁ ପଡ଼ିଲା-

 

ସେହିପାଖ କ୍ୱାଟରର ଅଧ୍ୟାପିକା ସୁନନ୍ଦିନୀ । ପୁଷ୍ପଙ୍କର ନିକଟତମ ବାନ୍ଧବୀ । ସେହି ଦୁଇଜଣଙ୍କ ମଧ୍ୟରେ କେବଳ ଯାହା ଆନ୍ତରିକ ଭାବପ୍ରକାଶରେ ବିନିମୟ ଘଟିଥାଏ । ବେଳେବେଳେ ବହୁତ ସମୟଧରି ଦୁହିଁଙ୍କୁ ଚାପାକଣ୍ଠରେ ଆଳାପ କରିବାର ବୀରେନ୍ଦ୍ର ଦେଖିଛନ୍ତିସ-। ପୁଷ୍ପଙ୍କ କ୍ୱାଟରରେ ବସି ସୁନନ୍ଦିନୀ ଅନେକ ସମୟ ପ୍ରାୟ କାଟି ଦିଅନ୍ତି । ଥରଅଧେ ବୀରେନ୍ଦ୍ର ପ୍ରଶ୍ନ କରିଛନ୍ତି—କ’ଣ ଏତେ ଗୁପ୍ତକଥା ତମ ଦୁହିଁଙ୍କ ଭିତରେ ଥାଏ । ଯେତେ ହେଲେ ବି ଶେଷ ହୁଏନା । ପୁଷ୍ପ ନୀରବ ରହନ୍ତି । କିନ୍ତୁ ଥରେ ଏଇ ପ୍ରସଙ୍ଗରେ ବୀରେନ୍ଦ୍ର ଜୋର ଦେଇ ପ୍ରଶ୍ନ କଲେ-

 

‘ଭାରି ଦୁଃଖିନୀ ସେ । ବଡ଼ ଦୁଃଖମୟ ତାର କାହାଣୀ, ତା କଥା ପଚାର ନାହିଁ ।

 

ବୀରେନ୍ଦ୍ର ଆଶ୍ଚର୍ଯ୍ୟ ହେଲେ । ସ୍ୱାମୀ ଇଂଜିନିୟର । ନିଜେ ଅଧ୍ୟାପିକା । ରୂପ, ଗୁଣ, ସାମାଜିକ, ଆର୍ଥିକସ୍ଥିତ କେଉଁଥିରେ ବାରିଦେବା ଭଳି କିଛି ନାହିଁ । ତଥାପି କାହିଁକି ଦୁଃଖମୟ ତାଙ୍କ କାହାଣୀ ?

 

‘ଦିନକୁ ଦିନ ତାଙ୍କ ସମ୍ପର୍କ ବଡ଼ ତିକ୍ତ ହୋଇଚାଲିଛି । ବିବାହର ପାଞ୍ଚବର୍ଷ ଭିତରେ ମଧ୍ୟ ତାଙ୍କର କୌଣସି ସନ୍ତାନ ହେବାର ସୂଚନା ନାହିଁ । ତେଣୁ ସ୍ୱାମୀ ବହୁ ପରିମାଣରେ ଚିନ୍ତିତ । କ୍ରମେ ସେମାନେ ପରସ୍ପର ପ୍ରତି କେମିତି ବିଭକ୍ତ ହେବା ଭଳି ଜଣା ପଡ଼ୁଛନ୍ତି । ସୁନନ୍ଦିନୀର କିନ୍ତୁ ଗୋଟିଏ କଥା—ଡାକ୍ତରଙ୍କୁ ଦେଖାଅ । ଯାହା କାରଣ ହେଇଥିବ ଦୁହେଁ ସହଜ ଭାବରେ ଗ୍ରହଣ କରିନେବା-। କିନ୍ତୁ ସ୍ୱାମୀ ସେଇଆ କରିବାକୁ ରାଜି ନୁହଁନ୍ତି । ତାଙ୍କର କହିବା କଥା ହେଲା—ସେ ଠିକ୍‌ ଅଛନ୍ତି ସୁନିନ୍ଦିନୀର ସବୁ ଦୋଷ । ସୁନନ୍ଦିନୀ ମଧ୍ୟ ଅନୁରୂପ ଅଭିଯୋଗ ମନ ଭିତରେ ରଖିଛି-। କିନ୍ତୁ ସୁନନ୍ଦିନୀର ବର୍ଣ୍ଣନାରୁ ଯାହା ଜଣାଯାଏ ପ୍ରକୃତରେ ଇଂଜିନିୟରଙ୍କର ତ୍ରୁଟି ହୋଇଥାଇପାରେ-।’

 

‘ସେଇଟା ସବୁ ନାରୀଙ୍କର ସ୍ୱଭାବ । ପରିସ୍ଥିତି ପଡ଼ିଲେ ପୁରୁଷଟିକୁ ଦୋଷରୋପ କରିବା ନାରୀର ଧର୍ମ ।’

 

‘ହେଇତ ! ପୁରୁଷତ୍ୱର ଅହଙ୍କାରରେ ବାଜିଗଲା । ଜମ୍ମା ବୁଝନା ତମେ, ସମସ୍ତେ କ’ଣ ସମାନ ? ସବୁ ପୁରୁଷ କଥା କହୁଛି । ତା’ ମାନେ ତମେ ଆଉ ଅନ୍ୟମାନେ ? ତମ କଥା ଆମେ କହିପାରିବୁ ? ଆମ ଜିଭରେ ହାଡ଼ ଅଛି ? କିନ୍ତୁ ପ୍ରକୃତରେ ଯଦି କହିବି ସବୁ ତମେ ନିଜେ ବୁଝିଯିବ ।’

 

‘ତେବେ କ’ଣ ଏ ସମସ୍ୟାର ସମାଧାନ ? ନିଶ୍ଚୟ ଏଇଟା ବଢ଼ିବ ଛଡ଼ା କମିବାର କିଛି ବାଟ ନାହିଁ ।’

 

‘ଏକମାତ୍ର ସମାଧାନ ଯଦି ସୁନନ୍ଦିନୀର ଏକ ସନ୍ତାନ, ହୋଇପାରନ୍ତା । ବୋଧହୁଏ ସବୁ ସୁଧୁରିଯାନ୍ତା ।’

 

ସମସ୍ୟା ସମାଧାନର ସୂତ୍ର ଖୋଜିବାକୁ ଯାଇ ଉଭୟେ ଯେଉଁଠି ପହଞ୍ଚିଲେ ସେ ଏକ ଅପ୍ରତ୍ୟାଶିତ ଛକ । ଆଲୋଚନାଟା କୁଆଡ଼େ ଯିବ ବୋଲି ସେଇଠି ସ୍ଥଗିତ ରହିଗଲା । ବୀରେନ୍ଦ୍ର ବୁଝିପାରିଲେ ନାହିଁ ୟା’ପରେ ତାଙ୍କର କ’ଣ କହିବା ଉଚିତ୍‌ ।

 

‘ପାପ ପୁଣ୍ୟର ବର୍ଣ୍ଣନା କ’ଣ ମୁଁ ଜାଣେ ନାହିଁ । ବାସ୍ତବତାଟାକୁ ଗ୍ରହଣ କରିନେବା ମୋର ପ୍ରକୃତି । ମତେ କଥା ଦିଅ, ତମେ ସୁନନ୍ଦିନୀକୁ ମାତୃତ୍ୱ ଦେବ ?

 

‘ପୁଷ୍ପ ! ଥରେ ବୁଝିବାକୁ ଚେଷ୍ଟା କର । ସେ ଚାହିଁବନି । ସେ ଚାହିଁଲେବି ତମେ ମଧ୍ୟ ଚାହିଁବ ନାହିଁ । ଭବିଷ୍ୟତରେ ଆମ ଦୁହିଁଙ୍କ ଭିତରେ....’

 

‘ପୁଷ୍ପକୁ ତମର ଚିହ୍ନିବାରେ ବହୁତ ବାକି ରହିଗଲା । ମୁଁ ମୁକ୍ତକଣ୍ଠରେ କହୁଛି । ମୋର ଏଥିପାଇଁ ଜୀବନର କୌଣସି ମୁହୂର୍ତ୍ତରେ ଗ୍ଳାନି ଆସିବ ନାହିଁ । ସୁନନ୍ଦିନୀ ଚାହିଁବା ନ ଚାହିଁବା କଥା ମୋ ଉପରେ ଛାଡ଼ । ମୁଁ ତାକୁ ପ୍ରବର୍ତ୍ତାଇବାର ଦାୟିତ୍ୱ ନେଲି । ଗୋଟାଏ ପରିବାରର ସାମାଜିକ ସ୍ୱୀକୃତ କେବଳ ନୁହେଁ ମାନସିକ ଶାନ୍ତି ପାଇଁ ଏଇଟା ଆଦୌ ପାପ ନୁହେଁ । ଧୃତରାଷ୍ଟ୍ର କାହିଁକି ଅନ୍ଧ ଥିଲେ କହିପାରିବ । କାହା ସନ୍ତାନ ସେ ଜାଣ ? ମହାଭାରତ ପୁରାଣରେ ମଧ୍ୟ ଏ ପ୍ରକାର ଆଖ୍ୟାୟିକା ପାପ ନୁହେଁ ବୋଲି ପ୍ରମାଣ ଅଛି ।

 

ପୁଷ୍ପ ବୁଝେଇଲେ । ଅନେକ କାହାଣୀ । ପ୍ରଚୁର ଉଦାହରଣ । ବୀରେନ୍ଦ୍ର ସେସବୁ ଶୁଣୁ ନ ଥିଲେ । ପ୍ରଥମେ ତାଙ୍କର ମନେ ହୋଇଥିଲା ପୁଷ୍ପ ପରିହାସ କରୁଛନ୍ତି । କିନ୍ତୁ ପରମୁହୂର୍ତ୍ତରେ ସେ ବୁଝିଲେ ଏହା ଆଦୌ ପରିହାସ ନୁହେଁ । ସେ ଯାହାହେଲେ ସୁଦ୍ଧା ଭବିଷ୍ୟତରେ କୌଣସି ଏକ ଅଶାନ୍ତ କ୍ଷଣରେ ନିଜେ ପୁଷ୍ପ ହିଁ ଏହାକୁ ଉଦାହରଣ ଭାବରେ ବ୍ୟବହାର କରିବେ ।

 

‘ଶୁଣ ! ମତେ ତମେ ଏକ ସ୍ୱାର୍ଥପର ନାରୀ ତାଲିକାରେ ରଖିଛି । କିନ୍ତୁ ମୁଁ ଠିକ୍‌ ସେଇଆ ନୁହେଁ । ବରଂ ତମେ ମତେ ଧରିନିଅ ମୁଁ ଅଜନ୍ତା,ଏଲୋରା ବା କୋଣାର୍କର ସେହି ପ୍ରସ୍ତର ନାୟିକା,କାମନାଭିଳାଷିଣୀ ଯେକି ତା ପୁରୁଷ ପାଇଁ ଗର୍ବ କରେ । ଆଉ ତା ଗର୍ବର କାରଣ ହେଲା ସେ ଏହିପରି ଏକ ପୁରୁଷର ନାୟିକା ଯାହା ପାଇଁ କି ଅନେକ ନାରୀ ପ୍ରଲୋଭିତ । ଏବଂ ସେ ପୁରୁଷ ଏପରି ପୁରୁଷ ଯେ କି ଏକ୍‌ସାଙ୍ଗରେ ଏକ ନୁହଁ ଏକାଧିକ ପୁଷ୍ପଙ୍କୁ ତୃପ୍ତିଦାନ କରିପାରେ । ଅନ୍ୟ ଯାହା ସହିତ ତମର ପରିଚୟ କ’ଣ ହେବ ମୁଁ ଜାଣେନା । ତମ ପାଖରେ ମୋର ପରିଚୟ–ମୁଁ ତୁମର ସ୍ତ୍ରୀ ନୁହେଁ, ପ୍ରେମିକା ନୁହେଁ, ରକ୍ଷିତା ନୁହେଁ, ଉପ ଭୋଗ୍ୟା ଗଣିକା ନୁହେଁ ବା ବାନ୍ଧବୀ ନୁହେଁ । ଏ ସବୁର ଚୂଡ଼ାନ୍ତ ମିଶ୍ରଣ । ତେଣୁ ମୋର କାହାକୁ ଈର୍ଷା କରିବାର ନାହିଁ । କୌଣସି ଏକ ଅବକାଶରେ ତମ ସହିତ ଥିଲାବେଳେ ଯଦି ଏକାଧିକ ନାରୀ ଲୁବ୍‌ଧ ଚକ୍ଷୁରେ ତୁମ ସହିତ ଆଳାପ ବା ଆନ୍ତରିକତା ଆଶା କରନ୍ତି ତେବେ ସେଥିରେ ମୋର ଈର୍ଷା ଜାଗ୍ରତ ହେବ ନାହିଁ । ବରଂ ଗର୍ବ ଅନୁଭବ କରିବି ଯେ ସମସ୍ତେ ଏମିତି ଲୋଲୁପ ଆଖିରେ ଚାହିଁ ରହିଥିଲା ବେଳେ ଏକମାତ୍ର ଭାଗ୍ୟବତୀ ଅହଙ୍କାରୀ ନାରୀ ତମ ହାତରେ ହାତ ଛନ୍ଦି ସେଠାରୁ ନେଇ ଯାଇପାରିବି-। ସେ ଅଧିକାର କେବଳ ମୋର ଏବଂ ମୋର । ସାବତ୍ରୀ ମଧ୍ୟ ଏକଥା ଜାଣନ୍ତି । ଯେହେତୁ ମାସରେ ଗୋଟିଏ ସପ୍ତାହ ତାଙ୍କ ନିକଟରେ ରହିଲେ ତିନିସପ୍ତାହ ତମେ ମୋ ପାଖରେ ରୁହ ।

 

ଏ କଥାର ଅନ୍ତ ଶୀଘ୍ର କାହିଁକି ଜଣାପଡ଼ିଲା ନାହିଁ । ବୀରେନ୍ଦ୍ର ରାଜି ହେଲେ । ଯାହା ପୁଷ୍ପଙ୍କର ଜିଦ୍‌ ମୁଣ୍ଡରେ ପଶିଥିବ ତାକୁ ଏତେଶୀଘ୍ର କେହି ବାହାର କରିଦେଇ ପାରିବେ ନାହିଁ । ବରଂ ରାଜି ହୋଇଯିବା ବିଧେୟ ।

 

‘ବେଶ୍‌ ! ତାହାହିଁ ହେଉ । ତମେ ଏଥରକ ତାଙ୍କୁ ବୁଝେଇ ରଖିଥାଅ । ମୁଁ ଆସନ୍ତାଥର ଆସିଲେ ଅନ୍ତତଃ ଏକ ମାନସିକ ପ୍ରସ୍ତୁତ ନେଇ ଆସିବି । ଦେଖାଯାଉ, କହିପାରିବିନି କିନ୍ତୁ ଫଳାଫଳ କେଉଁଠି ପହଞ୍ଚିବ ।’

 

‘‘ଫଳାଫଳ ମତେ ଛାଡ଼ିଦିଅ । ମୁଁ ଜାଣେ ତମର ଭୟ କେଉଁଥି ପାଇଁ । ଜୀବନରେ ଥିରେ ହେଲେ ଏ ପ୍ରକାର ସୁଯୋଗ ଆସିବ ନାହିଁ ଯେବେ ମୁଁ ତୁମକୁ ଏଥିପାଇଁ ଉପଲକ୍ଷ୍ୟ ଦେବି । ବରଂ ଗୋଟିଏ ଘରେ ହସଖୁସି ଫେରେଇ ଆଣିବା ପାଇଁ ମୋ ସହିତ ତାଳ ଦେଇଛି ସେତିକି ଗୌରବ ।

 

ସେ ଅଧ୍ୟାୟ ପୁଷ୍ପଙ୍କ ଜାଣିବାରେ ସେତିକିରେ ବନ୍ଦ୍‌ ହେଲା । କିନ୍ତୁ ବୀରେନ୍ଦ୍ରଙ୍କ ମନ ଭିତରେ ପ୍ରଜ୍ଜ୍ୱଳିତ ହେଲା । ସେହିଦିନଠାରୁ ମାନସିକ ପ୍ରସ୍ତୁତ କରିବ । ଆରମ୍ଭ କଲେ । ତା’ ପରେ ଯେବେ ପୁଣି ସେ ପୁଷ୍ପଙ୍କ ପାଖରୁ କିଛିଦିନ ପରେ ଫେରିଲେ ସେତେବେଳେ ବୀରେନ୍ଦ୍ର ଏକ ଭିନ୍ନ ମଣିଷର ରୂପ ନେଇ ଫେରିଥାନ୍ତି । ଯେତେବେଳେ ଏହି ଆଲୋଚନା ଆରମ୍ଭ ହେଲା ବୀରେନ୍ଦ୍ର ପଚାରିଲେ ।

 

‘ତମ ବାନ୍ଧବୀ କ’ଣ କହିଲେ ?’

 

‘‘ଏଥିରେ କହିବାର କିଛି ନାହିଁ । ମୁଁ ତାଙ୍କୁ ବୁଝେଇ ଦେଇଛି । ଜୀବନର କେତେଟା ନିତାନ୍ତ ସହଜ ପ୍ରକ୍ରିୟା ଭିତରୁ ଏଇଟା ମଧ୍ୟ ଗୋଟାଏ ବୋଲି ଧରିନେଲେ ବିଶେଷ କିଛି ଲାଗିବ ନାହିଁ । ଯଥା:–ଖାଇବା, ପିଇବା, ଗାଧୋଇବା । ଏସବୁ ଆବଶ୍ୟକତା ହୋଇପାରେ । କିନ୍ତୁ ଭାତ ସହିତ ଆଳୁଚଟଣି ବା ଭଜା ଖାଇବା, ପିଇବା ଭିତରେ ସର୍ବତ ପିଇବା ଏଗୁଡ଼ାକୁ ଗୁରୁତ୍ୱ ଦବାରେ କିଛି ମାନେ ହୁଏନା । ଯଦି ଜଣକୁ ପଚାରାଯାଏ ବିଗତ ବର୍ଷକ ଭିତର କେଉଁ କେଉଁ ଦିନ ଗରମ ପାଣିରେ ଗାଧୋଇଥିଲା, ତେବେ ତାକୁ କହିବା ମଧ୍ୟ ସାମାନ୍ୟ ଅସୁବିଧା ହୋଇ ପାରେ । କାରଣ ସେଗୁଡ଼ା ମନେରଖିବା ଭଳି କିଛି ନୁହେଁ । ଠିକ୍‌ ସେହିପରି ଏ ଘଟଣାକୁ ମଧ୍ୟ ମନେ ରଖି ଅନୁତପ୍ତ ହେବାର କୌଣସି କାରଣ ନାହିଁ ।’

 

ହଠାତ୍‌ ବୀରେନ୍ଦ୍ରଙ୍କୁ ଲାଗିଲା ପୁଷ୍ପ ଏକ ସ୍କୁଲ ଛାତ୍ରୀ ପାଲଟି ଯାଇଛନ୍ତି । ସ୍କୁଲ ଛାତ୍ରାଟିଏ ଯେପରି ତା’ର ବକ୍ତୃତା କ୍ଲାସ ପାଇଁ କିଛିଟା ଘୋଷି ଆସିଥାଏ ଏବଂ ତା’ ଭିତରୁ କିଛି ଭୁଲିଯାଇ ତାକୁ ଗୁରେଇ ତୁରେଇ କହି ତା’ର ଅର୍ଥକୁ ବିପରୀତ କରିବସେ ଠିକ୍‌ ସେହିପରି ପୁଷ୍ପ କହିଚାଲିଛନ୍ତି । ସର୍ବଶେଷରେ ବିରେନ୍ଦ୍ର ଆଉ ପୁଷ୍ପ ଯେଉଁଠି ପହଞ୍ଚିଲେ ସେଇଟା ହେଲା କେବଳ ନିଶ୍ଚଳ ନୀରବତା ।

 

‘ଶୁଣ । ବହୁଦ୍ୱନ୍ଦ ପରେ ସର୍ବଶେଷ ସିଦ୍ଧାନ୍ତରେ ପହଞ୍ଚଲି । ଅଂଶୁ ଆଉ ଅନୁଙ୍କୁ ଆରମ୍ଭ ଓ ଇତି ବୋଲି ଧରିନେଇ ଚିରଦିନ ପାଇଁ ମୁଁ ସର୍ବଶେଷ ବ୍ୟବସ୍ଥା କରିସାରିଛି । ମୋ ହାତର ସାହାଯ୍ୟ ନେଇ ମୋ ରକ୍ତକଣିକା ଅନ୍ୟ କେଉଁଠି ଦେଖିଲେ ତୁମେ ବା ମୁଁ କେହି ଖୁସି ହୋଇ ପାରିବା ନାହିଁ । ହୁଏତ ସୁନନ୍ଦିନୀ ନିଜେ ମଧ୍ୟ ତୁମଠାରୁ ଆଡ଼େଇ ରହିବାକୁ ଚାହିଁ ପାରନ୍ତି । ସେ ମୁହୂର୍ତ୍ତକର ଦୁର୍ବତଳା କାହାରି ଜୀବନର ମାପକାଠି ନ ହେଉ ।’

 

ସବୁକଥା ଅଳ୍ପକେ ବୁଝେଇ ଦେଲେ ବୀରେନ୍ଦ୍ର । ସେଥିପାଇଁ ଏଥରକ ତାଙ୍କ ନିକଟକୁ ଆସିବା ମଧ୍ୟ ଡେରି ହେଲେ । ପୁଷ୍ପଙ୍କର ବରଂଚିନ୍ତା ବଢ଼ିଗଲା ଯଦିଓ ସେ ସମସ୍ତ ବୁଝିଲେ । ତଥାପି ତାଙ୍କର ଚିନ୍ତା ସୁନନ୍ଦିନୀଙ୍କ ପାଇଁ । କେମିତି ଭାବରେ ସେ ତାଙ୍କୁ ଜଣ କହି ବୋଧ ଦେବେ । କି ପ୍ରକାର ଅବସ୍ଥାକୁ ଗଲେ ଜଣେ ଏହିପରି ବିକଳ୍ପ ପ୍ରସ୍ତାବରେ ରାଜି ହୋଇପାରେ ତାହା ଅନୁଭବି ନହେଲେ ବୁଝିବା କଷ୍ଟ । ସୁନନ୍ଦିନୀଙ୍କର ସାମାଜିକ ପ୍ରତିଷ୍ଠା ସହିତ ପାରିବାରିକ ଯାତନା ବଢ଼ିରହିଛି-। ସେ ସବୁର ମୁକ୍ତି ପାଇବାକୁ ଜୀବନର ବିଭିନ୍ନ ପ୍ରକାର ସଂଗ୍ରାମ ଭିତରୁ ଏଭଳି ଏକ ସଂଗ୍ରାମ ପାଇଁ ସେ ପ୍ରସ୍ତୁତ ହୋଇଥିଲେ । ଅନ୍ୟମାନଙ୍କ ସହିତ ସୁନନ୍ଦିନୀଙ୍କ ଶାଶୁ, ଶ୍ୱଶୁର, ନିଜ ପିତାମାତା, ସର୍ବୋପରି ତାଙ୍କ ସ୍ୱାମୀ ଏବଂ ଆତ୍ମୀୟସ୍ୱଜନ ସମସ୍ତଙ୍କ ଜିଜ୍ଞାସା ଭଙ୍ଗିକରି ସେ ମାତୃତ୍ୱଲାଭ କରିଥାନ୍ତେ । ସେଥିପାଇଁ ତାଙ୍କୁ କିଛିଟା ଭଲ କରିବାକୁ ପଡ଼ିଥାନ୍ତା । କ’ଣ କ୍ଷତି ହୋଇଥାନ୍ତି ? ଏହିପ୍ରକାର ଅନେକ ଅକାଟ୍ୟ ଯୁକ୍ତ ଭିତରେ ପୁଷ୍ପ ନିଜର ପୁରୁଷକୁ ଅନ୍ୟ ଜଣକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହୋଇଥିଲେ । ଏବଂ ସୁନନ୍ଦିନୀ ମଧ୍ୟ ସମ୍ମତ ହୋଇଥିଲେ । କିନ୍ତୁ ଶେଷରେ ହେଲା କ’ଣ ? ବୀରେନ୍ଦ୍ରଙ୍କର ସମସ୍ତ ଅକାଟ୍ୟ ଯୁକ୍ତିରେ ଅବଶ୍ୟ ପୁଷ୍ପଙ୍କର ହୃଦ୍‌ବୋଧ ହେଲା । ହେଲେ ସୁନନ୍ଦିନୀଙ୍କର କଣ ହେବ ? ସେ ଯେ ତାଙ୍କର ସମସ୍ତ ପରିକଳ୍ପନାକୁ ତୂଳୀଧରି ରଙ୍ଗ କରି ଚାଲିଛନ୍ତି-

 

ବିରେନ୍ଦ୍ର ତାଙ୍କୁ ବୋଧଦେଲେ । ସୁନନ୍ଦିନୀଙ୍କର ଦାୟିତ୍ୱ ତାଙ୍କର । ତାଙ୍କ ସ୍ୱାମୀ କେମିତି ରାଜିହେବେ ଆଉ ତାଙ୍କର ସଂସାରରେ ହସଖୁସୀ ଫେରିଆସିବ ସେଥିର ଭାର ବୀରେନ୍ଦ୍ର ନିଜେ ଆବୋରି ନେଲେ । ତାଙ୍କ ପରିବାରରେ ତୃତୀୟ ପୁରୁଷର ଆଗମନ ପାଇଁ ମଙ୍ଗଳନାଦ କିଏ କରିବ ତାହାମଧ୍ୟ ବୀରେନ୍ଦ୍ରଙ୍କର ଦାୟିତ୍ୱ । ସତରେ ମଧ୍ୟ ତାହାହିଁ ହେଲା । ବୀରେନ୍ଦ୍ର କିଭଳି ଭାବରେ ଅଳ୍ପଦିନ ଭିତରେ ସେ ଇଂଜିନିୟରଙ୍କ ବନ୍ଧୁ ହୋଇ ଉଠେଲେ ପୁଷ୍ପଙ୍କ ଆଶ୍ଚର୍ଯ୍ୟ ଲାଗେ । ତା’ ପରେ ମନ୍ତ୍ରମୁଗ୍‌ଧଭଳି ବୀରେନ୍ଦ୍ରଙ୍କ କଥାହିଁ ବେଦର ଗାର ହେଲା ତାଙ୍କ ପାଇଁ । ସୁନନ୍ଦିନରଙ୍କ ପରବର୍ତ୍ତୀ ଜୀବନର ଅଧ୍ୟାୟରେ ବୀରେନ୍ଦ୍ରଙ୍କ ଭୂମିକା ଏପରି ଭାବରେ ସ୍ପଷ୍ଟ ଯେ ସେ ଋଣ ସାତଜନ୍ମରେ ପରିଶୋଧ କରିପାରିବେ ନାହିଁ ବୋଲି ସେହି ମାନଙ୍କ କଣ୍ଠରେ ହିଁ ସ୍ୱୀକୃତ ।

 

ସର୍ବୋପରି ଏ ଘଟଣାର ଉଦାହରଣରୁ ବୀରେନ୍ଦ୍ର ଆଉ ଯାହା ବୁଝନ୍ତୁ କିନ୍ତୁ ଏତିକି ବୁଝିଥିଲେ ତାଙ୍କ ଧାରଣା ଭୁଲ୍‍ । ପୁଷ୍ପଙ୍କୁ ସେ ଯେ ଭାବିଥିଲେ ଈର୍ଷା ପରାୟଣା ଏବଂ ଅନ୍ୟ କୌଣସି ନାରୀର ଉପସ୍ଥିତି ତାଙ୍କ ପାଇଁ ବିରକ୍ତିକର ତାହା ନୁହେଁ । ବରଂ ପୁଷ୍ପ ପ୍ରଶସ୍ତମନା, ଉଚ୍ଚାଭିଳାଷିଣୀ । ନ୍ୟୁନତା ଆଦୌ ନାହିଁ । ନହେଲେ ସୁନନ୍ଦିନୀଙ୍କ ପାଇଁ ଏ ପ୍ରକାର ପ୍ରସ୍ତାବ ସେ ବାଢିନଥାନ୍ତେ । ଫଟୋଟା ତକିଆରେ ଗୁନ୍ଥିବାର ଉଦ୍ଦେଶ୍ୟ କେବଳ ବୀରେନ୍ଦ୍ରଙ୍କୁ ଚିଡ଼େଇବା ଛଡ଼ା ଆଉକିଛି ନହୋଇପାରେ । ଏ ଘଟଣା ବେଶ୍‌ବର୍ଷ ତଳର କଥା । ବୋଧହୁଏ ଅଂଶ ଏବଂ ଅନୁ ସେତେବେଳେ ମାତ୍ର ଅଜ୍ଞାନ ବାଳକ ବାଳିକା ।

 

ସେମିତି ଫଟୋ ଖଣ୍ଡେ ଧରିଥିବା ଭଳି ପତ୍ରିକା ଖଣ୍ଡେ ଧରିଛନ୍ତି ଚନ୍ଦ୍ର । ତାରୁଣ୍ୟର ଚପଳତା । ବର୍ତ୍ତମାନ ହିଁ ସେହି ପ୍ରକାର ବହି ଧରିବା ବା ପଢ଼ିବାରେ ଗୌରବ ଅଛି । କେମିତି ସେ ଜାଣିବେ ବୀରେନ୍ଦ୍ରଙ୍କ ଅତୀତ କିଭଳି ରଙ୍ଗୀନ୍‌ । କହୁଛନ୍ତି, ତାଙ୍କର ସବୁଠିକ୍‌ ଅଛି । ତେଣୁ ଫେରିବା ଉଚିତ୍‌ । ଦୋଷମୁକ୍ତ ହୋଇ ସତରେ ଯଦି ବୀରେନ୍ଦ୍ର ଖଲାସ ହୁଅନ୍ତେ ତେବେ ସମସ୍ତଙ୍କୁ ନିଜ ମୁଖ ଦେଖେଇବାର ଅଧିକାର ସିନା ପାଆନ୍ତେ । କିନ୍ତୁ ଯାହା ମୁହଁ ସେ ଦେଖିବାକୁ ଚାହିଁବେ ସେ ତ ବୀରେନ୍ଦ୍ରଙ୍କୁ ସବୁଦିନ ପାଇଁ ନିଜ ମୁହିଁ ଲୁଚେଇ ବୁଲିବ । ସେହିପରି ପରସ୍ଥିତ ତ ସେ ନିଜେ ସୃଷ୍ଟି କରିସାରିଛି । ତେବେ ?

 

ଏତେ ସମୟଧରି ବୀରେନ୍ଦ୍ର ନୀରବ ରହିଛନ୍ତି । ତାଙ୍କର ଚେତନା ଫେରିଲା ଚନ୍ଦ୍ରଙ୍କ ଡାକରେ । ପ୍ରକୃତରେ ତା ! ଚନ୍ଦ୍ର କ’ଣ ଭାବୁଥିବେ, ହୁଏତ ବେଖାତିର କଲା । କିନ୍ତୁ କ’ଣ ସେ କହିବେ ? ଚନ୍ଦ୍ର ଆତ୍ମସମର୍ପଣ କରନ୍ତୁ ବୀରେନ୍ଦ୍ର ମୁକ୍ତ ହେବେ ?

 

‘ଆପଣ ମୋଠାରୁ ବୟସରେ ଯଥେଷ୍ଟ ସାନ । ଧରି ବସିଲେ ପୁଅ ବୟସର ପାଖାପାଖି । ତଥାପି ହାତଯୋଡ଼ି ନେହୁରା ହୋଇ କହୁଛି ଆଉ ସେ ପ୍ରଲୋଭନରେ ମୋର ମାତିବା ଦରକାର ନାହିଁ । ଥରେ ଯାହା କହିଛି, ମୋର ପାଇଁ ଏଇଠି ବାକି ସମୟ ପାଇଁ ଆଶ୍ରୟର ବ୍ୟବସ୍ଥା କରିଦେଲେ କୃତାର୍ଥ ହେବି । ମୋ ପାଇଁ ମୋର ପରିସ୍ଥିତି ଓ ପରିବେଶ କେବଳ ପରିହାସମୂଳକ ହେଇନାହିଁ ମୋର ପରିସର ଭିତରେ ମଧ୍ୟ ମୁଁ ସତ୍ତା ହରେଇଛି ପ୍ରଜ୍ଜ୍ୱଳିତ ଅଗ୍ନିଦଣ୍ଡରୁ ଖଣ୍ଡେ ନିଆଁଝଲ ଭଲି ଖସିପଡ଼ି ଜଳିଜଳି ଲିଭିଯାଇ ସାରିଲିଣି । ମୋ ଦେହରେ ନାଁ ଅଗ୍ନିର ଉତ୍ତାର ଅଛି ନା କାଷ୍ଠର କଠିଣତା ଅଛି । ମୁଁ ନିଃଶେଷ ହୋଇସାରିଛି । ଫେରିବାର ମୋହ ମୋର ନାହିଁ । ମୋର ସମ୍ପର୍କରେ ଆପଣ ପଢ଼ିଥିବା ରିପୋର୍ଟ ବା ଖବରକାଗଜ ହୁଏତ ଯଥେଷ୍ଟ ନୁହେଁ । କେବଳ ଏତିକି ସଂକ୍ଷେପରେ କହିବି କାହାପାଖକୁ ଫେରିବି ଏବଂ କାହାପାଇଁ ଫେରିବି ?’

 

ଶେଷ ପ୍ରଶ୍ନର ଅବତାରଣା ପରେ ସେ ନୀରବ ହେଲେ । କିନ୍ତୁ ଏଇ ପ୍ରଶ୍ନର ଉତ୍ତର ଦବାକୁ ଯାଇ ବୋଧହୁଏ ଚନ୍ଦ୍ରଙ୍କର ସିଗାରେଟ୍‌ ଦରକାର ପଡ଼ିଲା । ସେତେଯେମିତି ଧୂଆଁ ଢୋକି ଗଲା ଭିତରେ ଅଟକି ରହିଯାଉଥିବା କିଛିପରିମାଣର ଦ୍ୱିଧାକୁ ପରିଷ୍କାର କରିବାକୁ ପଡ଼ିବ । ଚା’ଟା ମଧ୍ୟ ପୁଣି ଦରକାର । ସ୍ୱରଟା କେମିତି ବହଳିଆ ବହଳିଆ ଲାଗୁଛି । କାରଣ କେଜାଣି କେମିତି ବୀରେନ୍ଦ୍ରଙ୍କର ଏକଥାଗୁଡ଼ା ଅସ୍ଫୁଟ ଆର୍ତ୍ତନାଦ ଭଳି ଚନ୍ଦ୍ରଙ୍କ ଶୁଣାଗଲା । ଏବଂ ଚନ୍ଦ୍ରଙ୍କର କେମିତି ବେଳକୁ ବେଳ ଧାରଣା ହୋଇଚାଲିଛି ଯେ ବୀରେନ୍ଦ୍ରଙ୍କର ଏ ବିପର୍ଯ୍ୟୟ ପାଇଁ କେବଳ ଚନ୍ଦ୍ର ହିଁ ଦାୟୀ । ଏପରିଏକ ସମୟରେ ସିଗାରେଟ୍‌ ଖୋଳାଟା ଖାଲି ହୋଇଯିବା ଚନ୍ଦ୍ର ବୋଧହୁଏ ଚଳେଇ ନେଇ ପାରିଲେ ନାହିଁ । ଜୋରରେ ଫୋପାଡ଼ି ଦେଇ ବାହାରକୁ ଉଠିଗଲେ । କାହାକୁ ଆଦେଶ ଦେଲେ ସିଗାରେଟ୍‌ ଆଉ ଚା’ ପାଇଁ । ସେପର୍ଯ୍ୟାନ୍ତ ବାରଣ୍ଡାରେ ଏପାଖେ ସେପାଖ ହେଉଥାନ୍ତି ଚନ୍ଦ୍ର ।

 

ଅଳ୍ପକ୍ଷଣ ପରେ ସାମାନ୍ୟ ଜଳଯୋଗ ଓ ସିଗାରେଟ୍‌ ଆସିଲା ତା’ ସହିତ ଚନ୍ଦ୍ର ମଧ୍ୟ ଆସିଲେ । ପୁର୍ବସ୍ଥାନରେ ସହଜହୋଇବସିଲେ । ସେ ସବୁର ସଦ୍‌ବ୍ୟବହାର ପର୍ଯ୍ୟନ୍ତ ମଧ ଉଭୟେ ଚୁପ୍‌ । ସିଗାରେଟ୍‌ ଦେଇ ଫେରିଲାବେଳେ ସିପେହୀଟି ପ୍ରକୋଷ୍ଠର ବତୀ ଜଳେଇ ଦେଇଗଲା । ସେତେବେଳେ ଯାଇଁ ଉଭୟଙ୍କର ଦୃଷ୍ଟିରେ ପଡ଼ିଲା—ସନ୍ଧ୍ୟ ହୋଇଗଲାଣି । ଝରକା ବାଟେ ଖଣ୍ଡିଆ ଜହ୍ନଟା ଦେଖାଗଲାଣି । ଦୁହିଁ ଯେମିତି ସେହି ଜହ୍ନ ଭିତରୁ କ’ଣ ଆବିଷ୍କାର କରିବାର ଚେଷ୍ଟା କରୁଛନ୍ତି । ଏମିତିଆ ବାଦଲ ସହିତ ଅସମ୍ପୂର୍ଣ୍ଣ ଜହ୍ନ ଆକାଶରେ ଦୁହିଁଙ୍କୁ ଚିହ୍ନା ଚିହ୍ନା ଜଣାପଡ଼ିଲା । ଏଇଟା ସେହିଦିନର କାଳରାତିର ଜହ୍ନଭଳି ଆଉ ଦିଶୁନାହିଁ ତ ?

 

ପୂର୍ବ ପ୍ରମାଣିତ ତଥ୍ୟକୁ ପୁନରାବୃତ୍ତି କରି ସ୍ମରଣ କରାଯାଇପାରେ । ଏ ପୃଥିବୀର ଅନେକ ବୈଚିତ୍ୟ ବିଦ୍ୟମାନ । ପରିସ୍ଥିତି ଓ ପରିବେଶ ଭିନ୍ନତାର ଘଟଣା ପ୍ରବହମାନ ଧାରାରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଥାଏ । ବୀରେନ୍ଦ୍ର ଓ ଚନ୍ଦ୍ର ଦୁହେଁ ଭିନ୍ନ କାଳର ଭିନ୍ନଲକ୍ଷ୍ୟର ଯାତ୍ରୀ-। ତଥାପି ପରିସ୍ଥିତ ଦୁହିଁଙ୍କୁ ଏକତ୍ର କରିଛି । ସେଇଟା କେବଳ ପରିସ୍ଥିତି ଛଡ଼ା ଆଉକିଛି ନୁହେଁ-। ହୁଏତ ଅନ୍ୟଥା ଦୁହିଁଙ୍କର ସମ୍ପର୍କ ଭିନ୍ନଧରଣ ହୋଇଥାନ୍ତା । ଚନ୍ଦ୍ର ଜଣେ ପୋଲିସ୍‌ ହାକିମ ଭାବରେ ଥାନା ଦେଖିବାକୁ ଆସି ସମସ୍ତଙ୍କ ନଜର ପକେଇ ଦେଇଯିବା ଭିତରେ ଏପ୍ରକାର ଜଣେ ବିଶିଷ୍ଟ ଦାଗୀକୁ ସାମାନ୍ୟ ଗାଡ଼େଇ ଚାହିଁ ମୁହିଁ ବୁଲେଇ ଚାଲିଯାଇଥାନ୍ତେ । କିନ୍ତୁ ତା’ ବଦଳରେ ତାଙ୍କ ସହିତ ବସି ଜଳଖିଆ ଖାଉଛନ୍ତି । କମିଶନରଙ୍କଠାରୁ ବିଶେଷ ଆଦେଶଆଣି ଦେଖାକରି ପାରିଛନ୍ତି-। ଏସବୁ ମଧ୍ୟ ବୈଚିତ୍ର ଭାବରେ ଗ୍ରହଣ କରିବାରେ କ୍ଷତି ନାହିଁ ।

 

‘ମିଷ୍ଟର ମାନସିଂ ! ମୁଁ ଜାଣେଆପଣ ଯାହା ଭାବୁଛନ୍ତି । ଯେଉଁ ସ୍ମୃତି ଆପଣଙ୍କୁ ପ୍ରତି ମୁହୂର୍ତ୍ତରେ ତିଳ ତିଳ କରି ଯନ୍ତ୍ରଣା ଦେଉଛି । କିନ୍ତୁ ଏକଥା ମଧ୍ୟ ସତ୍ୟ ଯେ ନିଶ୍ୱାସର ମଧ୍ୟ ଗୋଟାଏ ମୂଲ୍ୟ ଅଛି । ଯେଉଁଥି ପାଇଁ ଆପଣଙ୍କର ଉତ୍ତପ୍ତ ନିଶ୍ୱାସ ପ୍ରବାହିତ ହେଉଛି ସେ ନିଶ୍ୱାସର ଉଷ୍ମତା କିଞ୍ଚିତ୍‌ ପରିମାଣରେ ଅପରପକ୍ଷ ପାଇଁ ମଧ୍ୟ ବ୍ୟଥା ସୃଷ୍ଟି କରୁଥିବ ।’

 

‘ନାଁ, ମୋ ସେ ପ୍ରକାର ସ୍ମୃତି କିଛି ନାହିଁ ।’

 

ଏକଥା ଉପରେ ହସିଲେ ଚନ୍ଦ୍ର । କେମିତି ଉପହାର ହସଭଳି ଲାଗିଲା ବୀରେନ୍ଦ୍ରଙ୍କ ।

 

‘ଆପଣ ପୁଷ୍ପିତା ପଟ୍ଟନାୟକଙ୍କ କଥାହିଁ ଚିନ୍ତା କରୁଛନ୍ତି ।

 

ନିହାତି ସହଜ ଭାବରେ ବୀରେନ୍ଦ୍ର କଥାଟାକୁ ଗ୍ରହଣ କଲାଭଳି ଅଭିନୟ କଲେ । କ’ଣ ବା କହିବାର ଥିଲା ତାଙ୍କର ।

 

‘ସେ ପ୍ରକାର ଚିନ୍ତା କରିବା ଭଳି ସମ୍ପର୍କ ତାଙ୍କ ସହିତ ମୋର କିଛି ନାହିଁ । ତାଙ୍କ ପାଖକୁ କେବଳ ସ୍ୱାର୍ଥ ଉଦ୍ଦେଶ୍ୟରେ ମୁଁ ଯାଇଥାଏ । ବେଶ୍‌ କିଛି ଟଙ୍କାର ପ୍ରଲୋଭନ । ତାଙ୍କଠାରୁ ଅନେକ ଅର୍ଥ ନେଇ ପରିଶୋଧ କରିପାରି ନାହିଁ । ବରଂ ମୋ ପାଇଁ ତାଙ୍କ ସମ୍ମାନରେ ଆଞ୍ଚ ଆସିଛି ।’’

 

‘‘ଆହୁରୀ ଜରୁରୀ କଥାଟା ଛାଡ଼ିଗଲେ । ତାଙ୍କ ଛାତ୍ରୀମାନଙ୍କ ଆକର୍ଷଣ ତାଙ୍କ ପାଖକୁ ବାରମ୍ୱାର ଟାଣି ନେଇଥାଏ ।’

 

ବିରେନ୍ଦ୍ର କେବଳ ଦୀର୍ଘଶ୍ୱାସ ଛାଡ଼ିଲେ । ଏ କଥା ଉପରେ ତାଙ୍କର ତ କିଛି କହିବାର ନଥିଲା । ବହୁ ଦିନରୁ ଏ ସତ୍ୟ ଉଦଘାଟିତ ଓ ତଥ୍ୟ ପ୍ରମାଣିତ । ନିଜେ ପୁଷ୍ପ ଏ ବୟାନ ଦେଇଛନ୍ତି-। ଗୋଟାଏ ଚରିତ୍ରହୀନକୁ ଚରିତ୍ରହୀନ କହିବାରେ ଭଲ କ’ଣ ? ପୁଷ୍ପ ସିନା ବହୁ ଡେରିରେ ଏକଥା ଜାଣିଲେ ଏବଂ ଲୋକମାନଙ୍କୁ ଆବଶ୍ୟକବେଳେ ଜଣେଇଲେ । କିନ୍ତୁ ପୁଷ୍ପ ନିଜେତ ବହୁ ଆଗରୁ ଏଇଟା ଅନୁମାନ କରି ଜାଣିଥିବା କଥା । ସାବିତ୍ରୀଙ୍କ ପରେ ଅନ୍ୟ ଏକ ବା ଏକାଧିକ ଭିତରେ ବିଶେଷ ତଫାତ୍‌ କଣ ?

 

‘ଆପଣ ଆଦୌ ବିବ୍ରତ ହେବେ ନାହିଁ, ସେ ସମ୍ପତ୍ତି ମଧ୍ୟ ଆପଣଙ୍କର ସୁରକ୍ଷିତ ଅଛି ।’’

 

ଚନ୍ଦ୍ର ପିଲାଲୋକ । ବୟସର ଉଦ୍ଦାମ ଚପଳତା ଯାଇ ନାହିଁ । ରିପୋର୍ଟ ଓ ଖବରକାଗଜରୁ ପଢ଼ି ନାଟକୀୟତା ପ୍ରକାଶ କରୁଛନ୍ତି । କ’ଣ ବୁଝନ୍ତି ସେ ? ହୁଏତ ସେ ଭାବିଛନ୍ତି ବୀରେନ୍ଦ୍ର ପୁଷ୍ପଙ୍କ ସମ୍ପର୍କରେ କିଛି ଖବର ରଖିନାହିଁନ୍ତି ବୋଲି । ସେ ନିଜେ ଯାଇ ତାଙ୍କରି କ୍ୱାଟର ଦୁଆର ମୁହିଁର ଫେରିଛନ୍ତି । ଖବରକାଗଜର ପ୍ରତିଟି ବିରରଣୀ ପଢ଼ିଛନ୍ତି । ସେ ଫଟ ଏଯାକେ ମଧ୍ୟ ତାଙ୍କ ପାଖରେ ଗଚ୍ଛିତ ଥିଲା । ତେଣୁ ଚନ୍ଦ୍ରଙ୍କର ଏ ବାକ୍ୟ ତାଙ୍କୁ ନାଟକୀୟ ଭଳି ଜଣା ପଡ଼ିଲା । ଏଇଥି ପାଇଁ ଯେ ତା’ରି କୌଣସି ପ୍ରତିଫଳନ ବୀରେନ୍ଦ୍ରଙ୍କ ମନ ଭିତରେ ହେବ ନାହିଁ । ଠିକ୍‌ ଯେମିତି ନାଟକୀୟ ଚରିତ୍ର ଜଣେ ଭିତରେ ଛିଣ୍ଡା ମଇଳା ଗେଞ୍ଜ ପିନ୍ଧ ଉପରେ ଜରିର ପୋଷାକ ମଡ଼େଇ ନିଜକୁ ଶତ ଶତ ଦର୍ଶକଙ୍କ ସମ୍ମୁଖର ଅଧୀଶ୍ୱର ବୋଲି ଘୋଷାଣ କଲେ । ବାସ୍ତବତା ପ୍ରତି ସେ ଘୋଷଣାର ଯେପରି କୌଣସି ପ୍ରତିବିମ୍ୱ ନାହିଁ ।

 

ସ୍ୱାଧୀନତା ଅର୍ଥ ସ୍ୱେଚ୍ଛାଚାରିତା ନୁହେଁ । ଏହି ଉକ୍ତିର ଯଥାର୍ଥତା ବୀରେନ୍ଦ୍ରଙ୍କୁ କେହି ବେଶୀ ବୁଝେଇବ ନାହିଁ । କେବଳ ସେଇଥିପାଇଁ ସେ ତାଙ୍କର ଏ ପର୍ଯ୍ୟନ୍ତ ଜୀବନକାଳ ଭିତରେ ଏପରିକି ଅଜ୍ଞାତି ବାସର ବିଭିନ୍ନ ଭୂମିକାରେ ମଧ୍ୟ ସବୁଠାରେ ନିଜର ସ୍ଥିତି ପ୍ରତିପାଦନ କରି ଆସୁଛନ୍ତି । ଏଠି ମଧ୍ୟ ସେଇ ନୀତି ତାଙ୍କର ଅନୁସରଣ କରିବା ପ୍ରୟୋଜନ । ଚନ୍ଦ୍ର ତାଙ୍କୁ ପାଖରେ ବସେଇ କୌଣସି ଏକ ବିଷୟରେ ଆଲୋଚନ କରିବାର ସୁଯୋଗ ଦେଇଛନ୍ତି । ତେଣୁ ‘ପୁଷ୍ପ ଉପାଖ୍ୟାନ୍‌’ ବନ୍ଦ କରନ୍ତୁ ବୋଲି ଜୋର୍‌ରେ ଚିତ୍କାର କରି କହିବାର ଯଥେଷ୍ଟ ଇଚ୍ଛାଥିଲେ ମଧ୍ୟ ସେ ତାହା କରିବେ ନାହିଁ ।

 

ଏ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ସୀମନ୍ତରେ ସେହିପରି ଦୁର୍ବଳ ସିନ୍ଦୂର ଦାଗଟିଏ ବହୁଲକ୍ଷ୍ୟ କଲେ ଜଣାପଡ଼େ । ତେଣୁ ଆପଣଙ୍କ ଅନେକ ଦୁଃଶ୍ଚିନ୍ତା ଦୂରହେବା ଉଚିତ୍‌ ।’ ସିଗାରେଟ୍‌ ଧୂଆଁ ଛାଡ଼ି କହିଲେ ଚନ୍ଦ୍ର ।

 

ବୀରେନ୍ଦ୍ର ଚମକି ପଡ଼ିଲେ । କେଜାଣି କେମିତି ଆର୍ଶ୍ଚର୍ଯ୍ୟ ହେଲେ । ପୋଲିସ୍‌ ଅଫିସର ହେଲେବି ଏତେ ବ୍ୟକ୍ତିଗତ କଥା ଜାଣିବାର ସୁଯୋଗ ତାଙ୍କର ହେବା ସମ୍ଭବ ନୁହେଁ । ତେବେ କେମିତି ଜାଣିଲେ ?

 

‘ଆପଣ କ’ଣ ପୁଷ୍ପିତାଙ୍କୁ ଚିହ୍ନନ୍ତି ?

 

‘ସେ ମୋର ଅଧ୍ୟାପିକା । ତାଙ୍କ ଚାକିରି ଜୀବନର ପ୍ରଥମ କେଇଦିନ ଅସ୍ଥାୟୀ ଚାକିରି ପାଇ ଆମ କଲେଜର ଯୋଗ ଦେଇଥିଲେ । କେଇଦିନ ପାଇଁ ମୁଁ ତାଙ୍କ ଛାତ୍ରୀଥିଲି । ତା’ ପରେ ସେ ବିଶ୍ୱବିଦ୍ୟାଳୟ ଚାକିରିପାଇଁ ଚାଲିଗଲେ । ଆଉ ସାକ୍ଷାତ ନଥିଲା । ମୁଁ ଯେତେବେଳେ ପଢ଼ା ଶେଷକରି ସେଇଠି ଚାକିରି ପାଇଲି—କିଛିଦିନ ତାଙ୍କ ସହିତ ସହକର୍ମ ଭାବରେ କାର୍ଯ୍ୟ କରିବାର ମଧ୍ୟ ଅବକାଶ ହୋଇଥିଲା ।’

 

‘ଓ, ତା’ ହେଲେ ମୋର ଗୁଣଗ୍ରାମ ସମ୍ପର୍କରେ ଯଥେଷ୍ଟ କିଛି ଆପଣଙ୍କୁ ସେ କହିଥିବେ । ତାଙ୍କୁ କଳଙ୍କିତ କରିବାପାଇଁ ମୋର ଅପକର୍ମ ବିଷୟରେ ନିଶ୍ଚୟ ବୁଝେଇଥିବେ ।’

 

‘ଆପଣ କିନ୍ତୁ ଯାହା ଭାବୁଛନ୍ତି ଠିକ୍‌ ସେଇଆନୁହେଁ । କାରଣ ମୁଁ ତାଙ୍କର ଛାତ୍ର ନଥିଲି । ବରଂ ନିକଟତମ ଲୋକ ବୋଲି କହିପାରିନ୍ତି ।

 

ଏହି ନିକଟତମ ଶବ୍ଦଟା ସାମାନ୍ୟ ଶ୍ରୁତିକଟୁ ହେଲା । ତଥାପି ଭିନ୍ନଅର୍ଥରେ ଚଳେଇନେବାର ଚେଷ୍ଟା କରୁଥିଲେ ବୀରେନ୍ଦ୍ର । ଚନ୍ଦ୍ର ପଚାରିଲେ—

 

‘ନିକଟତମ କେମିତି ବୋଲି ପ୍ରଶ୍ନ କଲେ ନାହିଁ ?’

 

‘ଏଥିରେ ପ୍ରଶ୍ନ କରିବାର ଆବଶ୍ୟକତା ନାହିଁ । ପୁଷ୍ପଙ୍କର ସାଦର, ଶୋଭନୀୟ, ଅମିୟ ବ୍ୟବହାର ସମସ୍ତେ ନିକହୋଇ ଆସିବା ସ୍ୱାଭାବିକ । ମୁଁ ପାଖରେ ଥିଲା ପର୍ଯ୍ୟନ୍ତ ସେ ସମସ୍ତକୁ ସ୍ୱାର୍ଥପର ଭଳି ଆବୋରି ବସି ଅନ୍ୟମାନଙ୍କୁ ବଞ୍ଚତ କରିଥିଲି ।’

 

ବୀରେନ୍ଦ୍ର କଥାର ମର୍ମ ଯାହା କହିବାକୁ ଚାହିଁଥିଲେ ଚନ୍ଦ୍ର ସେଥିପାଇଁ ଆଦୌ ଗୁରୁତ୍ୱ ଦେଲେ ନାହିଁ । ବରଂ ପରିସ୍ଥିତିକୁ ହାଲ୍‌କା କରିଦବାକୁ ଚାହିଁ କଥା ଯୋଡ଼ିଲେ ।

 

‘ଏବଂ ଆପଣ ଛାଡ଼ି ଆସିଲା ପରେ ସ୍ଥାନକାଳ ପାତ୍ର ନିର୍ବିଶେଷରେ ସେ ତାଙ୍କର ଆନ୍ତରିକତାକୁ ସାର୍ବଜୀବନ କରି ଦେଇଛନ୍ତି—ଏଇଥା ତ ? ଛାଡ଼ିକୁ ! ଆପଣ ଯାହା କହୁଛନ୍ତି ସେସବୁ ପରେ ବୁଝାବୁଝି ହେବେ ମୁଁ କହେ ମୋର କେତୋଟି ଅନୁଭୂତି ତାଙ୍କ ସହିତ । ମୁଁ ଜାଣେନାହିଁ ଆପଣଙ୍କୁ ଫେରିବା ପାଇଁ ସେଥିରୁ ପ୍ରେରଣା ମିଳିବ କି ନା ।

 

ନୂଆ ନୂଆ ସେଠିକି ଯିବା ଭିତରେ ମୁଁ ତାଙ୍କ ସହିତ ଅଧିକ ପରିଚୟ ହେବାକୁ ଲକ୍ଷ୍ୟ ରଖିଲି । ବିଶ୍ୱବିଦ୍ୟାଳୟ କୃତୀଛାତ୍ର ଭାବରେ ସେ ମଧ୍ୟ ମୋର ପାଇଁ ଯଥେଷ୍ଟ ଆନ୍ତରିକତା ଦେଖେଇଲେ । କେତେବେଳେ କେମିତ କ’ଣ ବୁଝିବା ବାହାନାରେ ତାଙ୍କ ଘରକୁ ଯିବାର ସୁଯୋଗ ନେଲି । ସେତେବେଳେ ପୁଷ୍ପିତା ମାଡାମ୍‍ଙ୍କ ସାମାଜିକ ସମ୍ମାନ ବେଶ୍‌ ପରିମାଣ ବିପର୍ଯ୍ୟାସ୍ତ ହୋଇଥାଏ । ତେଣୁ ମୋ ପରି କୃତୀଛତ୍ରାର ସମ୍ମାନକୁ ସେ ଉପେକ୍ଷା କରନ୍ତି ନାହିଁ । ତାଙ୍କ ଘରକୁ ଯିବା ଆରମ୍ଭ ହେଲା ।

 

ଅଳ୍ପଦିନ ହେବ ମୁଁ ଅଧ୍ୟାପକ ହୋଇଥାଏ । ଥିରେ ମୁଁ ତାଙ୍କ ଘରକୁ ଗଲାବେଳକୁ ମାଡାମ୍‍ ବହୁତ୍‌ ବ୍ୟସ୍ତ । କ୍ୱାଟର ଭିତରଟା ରଙ୍ଗଦିଆ ହୋଇଥାଏ ବୋଲି ସବୁ ଆସବାବ୍‌ ପତ୍ର ଛିନ୍‌ଛତ୍ର ହୋଇପଡ଼ିଥାଏ । ମୁଁ କହିଲି ମାଡାମ୍‍ । ଆପଣ ଏକା ହଇରାଣ ହେଉଛନ୍ତି । ମୁଁ ସାହାର୍ଯ୍ୟ କରିବି କି ? ସେ ଅରାଜି ହେଲେ ନାହିଁ । ସବୁ ଜିନିଷ ପୋଛାପୋଛି କରି ରଖିବା ବେଳେ ହଠାତ୍‌ ମୋ ହାତରେ ପଡ଼ିଲ ଫଟଟାଏ ଯାହାର ଉପର କାଚ ଭାଙ୍ଗି ଯାଇଛି । ତେଣୁ ଭିତର ପଟଟା ଫିମ୍ଫ ମାରି ଯାଇଛି । ମୁଁ ଯଦିଓ ଜାଣେ ସେ ଫଟ କାହାର ତଥାପି ପଚାରିଲି ।

 

‘ଏ ଫଟଟ କାହାର ? ବାଘରୁଆ ସହିତ ନେଇଛନ୍ତି । ଖରାପ ଦୋଇଗଲା ଫଟଟି ।’

 

ଏକ ପ୍ରକାର ଝାମ୍ପି ନେଲେ ମୋ ହାତରୁ ସେଇଟା । ନିମିଷକ ଭିତରେ ସେଇଟାକୁ ଖୋଲି ବାହାର କରିବାକୁ ଚାହିଁଲେ । କାଚଗୁଡ଼ା ଖୋଲିଲାବେଳେ ହାତରୁ ଖଣ୍ଡେ କଟିଯାଇ ରକ୍ତ ବାହାରିଲା । ସେଥିପ୍ରତି ଭ୍ରୁକ୍ଷେପ ନାହିଁ । ଯେତେବେଳେ ଫଟଟା କାଢ଼ି ତା ଉପରୁ ଫିମ୍ପିଟା ଲୁଗା କାନିରେ ପୋଛିଦେଲେ ସେତେବେଳେ ଦେଖିଲେ ସେ ମୁହିଁଟା ମଧ୍ୟ ପୋଛି ହେଇଗଲା । ପିଲାଙ୍କ ଭଳି କାନ୍ଦି ଉଠିଲେ ସେ । ମୁଁ ଠିକ୍‌ ବୁଝିଲେ ବି ହାତ କଟିଗଲା ବୋଲି ଏତେ କାହିଁକି କାନ୍ଦୁଛନ୍ତି କହି ବୋଧଦେଲି । ତା’ ପରେ ଜାଣି ଜାଣି ଗୁରେଇ ତୁରେଇ ପଚାରିଲି ସେ ଫଟଟା କାହାର । ବହୁ ପଚାରିବା ସତ୍ତ୍ୱ ମଧ୍ୟ ମତେ ଇଆଡ଼ୁ ସିଆଡ଼ୁ କହି ଭୁଲେଇଲେ । କିନ୍ତୁ ମୁଁ ନ ଭୁଲିବାକୁ ମତେ ପରେ କହିବେ ବୋଲି, ପ୍ରତିଶ୍ରୁତି ଦେଲେ ।

 

ତାଙ୍କର ଘରେ ବିରାଟ ଲୋଭନୀୟ ଗୟଳ ଶିଙ୍ଘର ଦୁଇଟା ସେଟ୍‌ ହୋଇଛି ତାକୁଇ ପୋଛୁ ପୋଛୁ ମୁଁ କହିଲି ।

 

‘ମାଡାମ୍‍ ! ଏ ଗୟଳ ଶିଙ୍ଘ ଦି’ ଟା ବଡ଼ ଲୋଭନୀୟ ହୋଇଛି । ପ୍ରକୃତରେ ଏ ଶିଙ୍ଘ ମୁଁ କୋଉଠି ଦେଖି ନାହିଁ । ପୁଣି ୟାକୁ ଯିଏ ମାରିଥିବ ସେ କି ଭଳି ଶିକାରି ହୋଇ ନ ଥିବ । ଆପଣ ଯଦି କାମରେ ନ ଲଗାଉଛନ୍ତି ତେବେ ମତେ ଏଥିରୁ ଗୋଟାଏ ଦାନ କରିଦିଅନ୍ତୁ ।’

 

ଚମକି ପଡ଼ିଲେ ସେ । କିଛି କହିବାକୁ ଚାହିଁଲେ ନାହିଁ । ମୁଁ ବାରମ୍ୱାର ତାଙ୍କୁ କିଣିଛନ୍ତି କି.....କିଏ ଦେଇଛି କି....କିଏ ମାରିଛି ଏମିତି ବହୁତ୍‌ ପ୍ରଶ୍ନ ଜାଣି ଜାଣି କରିଥିଲି । ବହୁତ ବିବ୍ରତ ହୋଇ ଶେଷରେ ସେହି ଏକା ଉତ୍ତର ଦେଇଥିଲେ । ପରେ କହିବେ । ଥିରେ ନୁହେଁ ଯେତେବେଳେ ଯାଏ ସେମିତି ଜିନିଷ ଖୋଜି ମୁଁ ତା ବିଷୟରେ ଜାଣିବାକୁ ଚାହେଁ ଏବଂ ସବୁଥିର ଉତ୍ତର ସେଇ ଏକ୍‌ । ପରେ କହିବି । ଥିରେ ମୁଁ ତାଙ୍କ କହିଲି—ମାଡାମ୍‍ ଏତେ ବଡ଼ ବଡ଼ ଏଇ ଯୋଉ ସୁନ୍ଦର ଖଟ ଦି’ ଟା ହୋଇଛି ତାଙ୍କୁ ଦେଖିଲେ ଲୋଭ ଲାଗୁଛି । ଆପଣ ଯେବେ କେବେ କୋଉଠିକି ଚାଲିଯିବେ ତେବେ ଏ ଖଟତ ଆଉ ନେଇ ଯାଇ ହେବ ନାହିଁ । ଯଦି ଦବା କଥା ଚିନ୍ତା କରନ୍ତି ମତେ କହିବେ । ଏ ଦି’ ଟା ପ୍ରତି ମୋର ଅନେକ ଲୋଭ । ତାଙ୍କର ଉତ୍ତର ବଡ଼ କ୍ଷୁଦ୍ର ।

 

‘ଆଦୌ ସେ କଥା ଉଠିବନି । ଯଥେଷ୍ଟ ଅର୍ଥ ବଦଳରେ ମଧ୍ୟ ନୁହେଁ ।’

 

‘ଠିକ ଅଛି । ଯଦି କେବେ ସେ ଚିନ୍ତାଉଠେ । ସେଥିପାଇଁ କହି ରଖିଲି । ଧରନ୍ତୁ ! ଆପଣ ବାହାହୋଇ ଯିବେ । ବା ଅନ୍ୟ କୋଉଠି ଭଲ ଚାକିରି ପାଇ ଚାଲିଯିବେ ତେବେ ଏଗୁଡ଼ା ସବୁ ନବା ଆଦୌ ସମ୍ଭବପର ହେବନାହିଁ । ନିଶ୍ଚୟ କିଛି କମେଇବାକୁ ଚାହିଁବେ । ସେତେବେଳେ ମୋ କଥା ଚିନ୍ତା କରିପାରନ୍ତି । ଏ ଘରେ ଯେତେ ଆସବାବ୍‌ ପତ୍ର ଅଛି ମତେ ଲାଗେ ସବୁଥିରେ କିଛି ବୈଚିତ୍ର୍ୟ ଅଛି । ତେଣୁ ଆପଣ ଯେଉଁଟା ଛାଡ଼ିବାକୁ ଚାହିଁଲେ ମଧ୍ୟ ମୁଁ ନେଇଯିବାକୁ ରାଜି ।’

 

‘କୁଆଡ଼େ ମୋର ଯିବା ସେଥିପାଇଁ ଦରକାର ପଡ଼ିବନି । ଆଉ ବିବାହ କଥା—ସେ ପ୍ରଶ୍ନ ଉଠିବାର ନାହିଁ । କିନ୍ତୁ ଏତିକି ମନେ ରଖିପାର । ଯଦି କେବେ କୌଣସି କାରଣରୁ ମତେ କୁଆଡ଼େ ଯିବାକୁ ପଡ଼ିବ ତେବେ ଏ ଘରର ସାମାନ୍ୟ ଟଚକୁରା କନା ଖଣ୍ଡେ ମଧ୍ୟ ମୁଁ ଫିଙ୍ଗି ଦେଇ ଯାଇପାରିବି ନାହିଁ । ସବୁରି ଭିତର ମୋର ଆଞ୍ଜୁଳା ଆଞ୍ଜୁଳା ସ୍ମୃତି । ଏ ଘରର କ୍ୟାଲେଣ୍ଡର ଝୁଲିବା ପାଇଁ ମରା ହୋଇଥିବା କଣ୍ଟ ଖଣ୍ଡେ ଛାଡ଼ିଗଲେ ମଧ୍ୟ ତାକୁ ଦେଖିବାକୁ ପୁଣି ମତେ ଆସିବାକୁ ପଡ଼ିବ । ଆଉ ଯିଏ ଏଠି ରହିଥିବେ ତାଙ୍କ ପାଖରେ ଅନୁନୟ କରି ଏ ଘରକୁ ପଶିବାକୁ ପଡ଼ିବ ।’

 

ଏତିକି କହି ସେ କାନ୍ଦିପକେଇଲେ । ଠିକ୍‌ ଛୋଟ କଲେଜ ଝିଅଟି ଭଲି ମତେ ଲାଗିଲା-। ମୁଁ ଯେତେବେଳେ କହିଲି—ମାଡାମ୍‌ ! ଆପଣ କିଛିଟା ମତେ ଲୁଚୋଉଛନ୍ତି । କହନ୍ତିୁ ନାଁ ମୁଁ ଏ ପର୍ଯ୍ୟନ୍ତି କ’ଣ ଆପଣଙ୍କର ଛାତ୍ର ହୋଇଅଛି ? ମୁଁ ତ ବର୍ତ୍ତମାନ ଆପଣଙ୍କ ସହକର୍ମୀ-। ଆପଣ ମୋଠାରୁ ବୟସର ସମ୍ମାନରେ ସବୁଥିରେ ବଡ଼ । କେବେହେଲେ ଆପଣଙ୍କ ଅସମ୍ମାନ ହେଲାଭଳି କିଛି ଶୁଣିବାକୁ ଚାହିଁବି ନାହିଁ । ଏକଥା ପରେ ମଧ୍ୟ ନିଜକୁ ସଂଯତ କରି କହିଲେ–ଥାଉ, ଆଉ କେବେ ପରେ କହିବି ।

 

ଏ ଘଟଣାର ଅଳ୍ପଦିନ ପରେ ଆମ ଷ୍ଟାଫ୍‌ମାନଙ୍କର ଗୋଟାଏ ପିକ୍‌ନିକ୍‌ ପଡ଼ିଥିଲା ମୁଁ ଯାଇଥିଲି । ମାଡାମ୍‌ ମଧ୍ୟ ଯାଇଥିଲେ । ପ୍ରତ୍ୟେକ ସମୟରେ ମୁଁ ତାଙ୍କୁ ହିଁ ଲକ୍ଷ୍ୟ କରୁଥାଏ । ସେହି ପିକ୍‌ନିକ୍‌ ବୋଟିଂ କରିବାପାଇଁ ସମସ୍ତେ ବାହାରିଲେ କିନ୍ତୁ ମାଡାମ୍‍ ମନାକଲେ । ସମସ୍ତେ ଯେତେ ବାଧକଲେ ମଧ୍ୟ ସେ ଶୁଣିଲେ ନାହିଁ ଆମେ ବୋଟିଂ ସାରି ଆସିଲୁ । ଖିଆପିଆ ହେଲା । ଅନ୍ୟମାନ ବୁଲିବାକୁ ବାହାରିଲେ । ମାଡାମ୍‍ ଖାଇବାକୁ ଅସୁସ୍ଥି ଲାଗୁଛି ବୋଲି କହି ଶୋଇ ରହିଲେ-। ପାଞ୍ଚଟାବେଳେ ପୁଣି ରୋଷେଇ ଆରମ୍ଭ ହେଲା । ଆମର ପ୍ରସ୍ତାବ ଥାଏ ଯେ ରାତିର ଖାଇବାଟା ଖାଇସାରି ଆମେ ସମସ୍ତେ ସେଠୁ ଫେରିବା ।

 

ସନ୍ଧ୍ୟାହେଲେ, ସମସ୍ତେ ଟ୍ରାଞ୍ଜିଷ୍ଟର, ରେକର୍ଡ଼ର, ତାସ୍‌, ଚେସ୍‌ ଧରି ବସିଲେ, କିଏ ଗପର ମାତି‌ଥାନ୍ତି । କିଛିସମୟ ସଞ୍ଜ ଗଡ଼ିଗଲା ପରେ ମୋର ମଜଟା ଖରାପ ହେଲା । ମାଡାମ୍‍ ଶୋଇ ରହିଲେ । ମାନସିକ ଅସୁସ୍ଥ ତାଙ୍କର ଏଠାରୁ ଆସି ବଢ଼ିଯାଇଛି, ସେଇଟା ମୁଁ ବୁଝୁଥାଏ । କେତେସମୟ ପରେ ଟିକେ ଦେଖିଆସିବି ବୋଲି ତାଙ୍କ ପାଖକୁ ଗଲି, କିନ୍ତୁ ଯାଇ ଆଶ୍ଚର୍ଯ୍ୟ ହେଲି ମାଡା‍ମ୍‍ କୁଆଡ଼େ ଗଲେ ? ପାଖ ଆଖ, ବାଥ୍‌ରୁମ ସବୁ ଦେଖି ପକେଇଲି । କାହାରିକୁ କହିବାକୁ ମଧ୍ୟ ଇଚ୍ଛାହେଉ ନଥାଏ, ଅକାରଣେ କିଛିଟା ହଲ୍ଲା ହେବ । ତାଙ୍କୁ ସେଠି ନପାଇଁ ଅନ୍ୟକିଏ ହୁଏତ ଅନ୍ୟକିଛି ବୁଝି ମୁହିୀଁ ଲୁଚେଇ ଚାପିକରି ହସିଥାନ୍ତେ । କିନ୍ତୁ ମୁଁ ତାଙ୍କୁ ଜାଣେ, ସବୁ ଆଡ଼େ ଖୋଜିବା ଆରମ୍ଭକଲି । ଶେଷରେ ସନ୍ଦେହକରି ଡଙ୍ଗା ପାଖରୁ ଆସିଲି, ସେଠି ମଧ୍ୟ ବେଶ୍‌ ଅନ୍ଧାର । ହଠାତ୍‌ ଦେଖିଲି କିଛି ଦୂରରେ ଡଙ୍ଗାଟାଏ ବୁଲୁଛି । ଝାପ୍‌ସା ଜହ୍ନ ଆଲୁଅରେ କେହିଜଣେ ବସିଛି ବୋଲି ଜଣାପଡ଼ୁଥିଲେ ବି ଦୂରରୁ କିଏ ନାରୀ ବା ପୁରୁଷ ମଧ୍ୟ କହିବା ସମ୍ଭବ ନୁହେଁ । ତଥାପି ମୁଁ ଆଶା ପୋଷଣକରି ଅପେକ୍ଷା କଲି । ବେଶ୍‌ କିଛିସମୟ ପାଇଁ ଡଙ୍ଗାଟା ଅଦୃଶ୍ୟ ହୋଇଯାଇ ପୁଣି ଯେତେବେଳେ ଫେରିଲା ମୋର ସାମାନ୍ୟ ଆଶା ସଞ୍ଚାର ହେଲା । ଏବଂ ପରେ ମୋର ଅନୁମାନ ସତ୍ୟହେଲା । ନାଉରିଆ ଯେତେବେଳେ ଡଙ୍ଗା ଘାଟରେ ଆଣି ଲଗାଇଲା । ସେତେବେଳେ ଦେଖିଲି ମାଡା‍ମ୍‍ ବସିଛନ୍ତି, ତାଙ୍କର ନୋଟ୍‌ କାଢ଼ିଦବାରୁ ଜାଣିପାରିଲି କେତେସମୟ ଧରି ବୁଲୁଥିଲେ ଏକା । ପଚାରିଲି—ମାଡାମ୍‍ ! ଆପଣ ପୁଣି ଗଲେ ନାଁ ? ମନା କରୁଥିଲେ ? କିଛି ଉତ୍ତର ଦେଲେନାହିଁ । ଦୋଷୀଟି ଭଳି ଯେତେବେଳେ ସେ ମୋ ସାଙ୍ଗରେ ଆସିଲେ ମୁଁ ତାଙ୍କ ଚାହିଁ ହତାବାକ୍‌ ହୋଇଗଲି । ଆଖି ଦୁଇଟା ଗେଣ୍ଡାଭଳି ଫୁଲିଉଠିଛି । ଆଖି ତଳାଟା ଲୁହ ପୋଛ ପୋଛି ନାଲି ପଡ଼ିଯାଇଛି । ମୋର ଧୈର୍ଯ୍ୟ ଚ୍ୟୁତି ଘଟିଲା ତାଙ୍କୁ କହିଲି—ଆଉ କେତେଦିନ ମତେ ଠକିବେ କହିଲେ ? ଆପଣ କାନ୍ଦି କାନ୍ଦି ବୁଲୁଥିଲେ ନାଁ ? ଠିକ୍‌ ଅଛି ନ କୁହନ୍ତୁ । କିନ୍ତୁ କହିଥିଲେ କେବେ ମଧ୍ୟ ଉପକାରରେ ଲାଗିବି ବୋଲି ପ୍ରତିଶ୍ରୁତି ଦେଇପାରେ । ନେହେଲେ ଏମିତି ମୁହିଁ ଲୁଚେଇ ଆପଣ କାନ୍ଦୁଥିବ କେବେ ମଧ୍ୟ ପଚାରିବି ନାହିଁ ।

 

ଦେଖିଲି ଆହୁରି ଲୁହ ଅଛି ତଥାପି ତାଙ୍କ ଆଖିରେ ।

 

‘ଚନ୍ଦ୍ର ! ତମେ ମୋ ଛାତ୍ର ଥିଲି । କିନ୍ତୁ ବର୍ତ୍ତମାନ ତମେ ମୋର ସହକର୍ମ । ଅନ୍ତତଃ କିଛିଟା ବୁଝିବା ଭଳି ବୟସ ତମର ହୋଇଛି । ଆଜି କହିବି, ବହୁତ୍‌ ଥର ପଚାରିଛି । ବରଂ ତମ ନିକଟରେ ଏକ ସରଳ ଦୁର୍ବୋଧ୍ୟ ହୃଦୟ ମୁଁ ଆବିଷ୍କାର କରିଛି । ତମକୁ କହିବାରେ ମୋର ଆପତ୍ତି ନାହିଁ । ମୋର କିଛିଟା କଳଙ୍କିତ ଇତିହାସ ତମେ ଜାଣିଛ ଏବଂ ଅନ୍ୟମାନେ ସମସ୍ତେ ଜାଣିଛନ୍ତି । କିନ୍ତୁ ସେ ଜାଣିବାଟା ହୁଏତ ଯଥେଷ୍ଟ ନୁହେଁ । ତା ବୋଲିତ ମୁଁ ଆଉକାହାକୁ ଯାଇ କହିପାରିବି ନାହିଁ ଯେ ମୁଁ ମୋର କାହାଣୀ କହିବାକୁ ପ୍ରସ୍ତୁତ ଅଛି, ଶୁଣ । ନୀରବ ରହିଛି । କାରଣ ମୋ ପାଇଁ ତାହାହିଁ ଏକମାତ୍ର ପନ୍ଥା । ବେଶ୍‌ କିଛିଦିନ ହେବ ତୁମ ମନ ଭିତର ଗୋଟାଏ ଜିଜ୍ଞାସା ମୁଁ ଆବିଷ୍କାର କରିଛି । ପ୍ରଥମେ ଚେଢ଼ଇ ଦବାକୁ ଚେଷ୍ଟା କରିଥିଲି । କିନ୍ତୁ ତାହା ଫଳରେ ଦେଖିଲି ଜଣେ ବାଧ୍ୟ ଶ୍ରୋତା ମୁଁ ହରେଇବି । ଅନ୍ତତଃ ମୋର ଜୀବନର ଯବନିକଟା ଟାଣିବା ଆଗରୁ ମୁଁ ଚାହଁ ଜଣକ ପାଖରେ ଅନ୍ତତଃ କିଛିଟା ବକ୍ତବ୍ୟ ଛାଡ଼ିଯିବି ଯିଏକି ଭବିଷ୍ୟତରେ ସୁଯୋଗ ମିଳିଲେ ମୋ ପାଇଁ ଧାଡ଼ିଏ ଯଥା ସ୍ଥାନରେ କହିବ । ଏଇ ଅଳ୍ପସମୟ ପୂର୍ବରୁ ମନେହେଲେ ଏତେ ଯାତନା ମୁଁ ସହ୍ୟ କରିପାରିବି ନାହିଁ, ଏଇଠି ନିଜକୁ ବିଲୀନ କରିଦେବି । ପୁଣି ମୋତେ ଗୋଟିଏ ଚିନ୍ତା ଅଟକାଳ ରଖିଲା । କାହାରିକୁ ତ କହି ରଖିପାରିଲି ନାହିଁ । ମୋ ସହିତ ମୋର ଶେଷ ବକ୍ତବ୍ୟ କେଇପଦ ମଧ୍ୟ ଆତ୍ମହତ୍ୟା କରିବେ । ସବୁଦିନ ପାଇଁ ସମସ୍ତ ଦୋଷ ମୁଣ୍ଡରେ ବହି ମୁଁ ମରିବି କାହିଁକି, ତୁମକୁ ହିଁ କହିବି ଏବଂ ଆଜି....... ।’

 

କହିଗଲେ, ଯେତେଟା କୁହାଯାଇପାରେ । ଅନେକ ଅବ୍ୟକ୍ତ କଥାକୁ ସେ ନିଜେ ଜାଣି ଜାଣି ଅଧା ରଖିଛନ୍ତି । ଏବଂ ଅନ୍ୟ କେତେକ ବକ୍ତବ୍ୟ ତାଙ୍କର ଛାଏଁ ଅବ୍ୟକ୍ତ ରହିଯାଇଛି । କଣ୍ଠରୁଦ୍ଧ ହୋଇ ଅଧା ରହିଯାଇଛି । ଏହି ସମସ୍ତ ଅଧାରଖିବା କଥାଗୁଡ଼ାକୁ ବୁଝେଇବାକୁ ମନେ ଚେଷ୍ଟାକରି ସଂକୋଚ ପ୍ରକାଶ କରି ନାହାନ୍ତି ଯେହେତୁ ମୁଁ ବୁଝିଯିବା ଭଳି ମୋର ବୟସ ହୋଇଛି । ଆଜି ସେ ସବୁକୁ ଆପଣଙ୍କ ପାଖରେ ପୁନରାବୃତ୍ତି କାହିଁକି କରିବି ?’

 

ଏତକ କହିସାରି ଚନ୍ଦ୍ର ନିଜ ମୁହିଁ ପୋଛିଲେ, ସତେ ଯେମିତି ଅନେକ ପଥ ଅତିକ୍ରମ କରି ଚାଲିଛନ୍ତି । ସେଥିପାଇଁ ତାଙ୍କ ମୁଖମଣ୍ଡଳରେ କ୍ଳାନ୍ତିର ସନ୍ତକ ଭରି ଯାଉଛି । ଏସବୁ ଶୁଣିବା ପରେ ମଧ୍ୟ ବୀରେନ୍ଦ୍ରଙ୍କର କୌଣସି ପ୍ରତିକ୍ରିୟା ହେଲାଭଳି ଦେଖାଗଲା ନାହିଁ । ସେମିତି ମାତ୍ରାଧିକ ନିଶାସକ୍ତ ବ୍ୟକ୍ତି ଭଳି ମୁଣ୍ଡକୁ ଏ ସ୍ଥାନରେ ଝୁଙ୍କେଇ ରଖି ବସିଥାନ୍ତି । ଏହି କେତେକ୍ଷଣର ନୀରବତା ଭିତରେ ସତେକି ଚନ୍ଦ୍ରଙ୍କ ବକ୍ତବ୍ୟ ଆଉ ବୀରେନ୍ଦ୍ର ସ୍ମୃତି ଅଦୃଶ୍ୟ ଭାବରେ ସେହି କକ୍ଷ ଭିତରେ ଚକାଭଉଁରି ଖେଳୁଛନ୍ତି । ବୀରେନ୍ଦ୍ର ଭାବିଲେ ତାଙ୍କର ବୋଧହୁଏ କିଛିଟା କହିବା ଉଚିତ୍‌ । ଚନ୍ଦ୍ର ତାଙ୍କର ପ୍ରସଙ୍ଗ ଶେଷକରି ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି ଭଳି ଲାଗିଲା ।

 

‘ଆପଣଙ୍କୁ ପିଲା ବୋଲି ଏ କ୍ଷେତ୍ରରେ ସମ୍ୱୋଧନ କରିବାକୁ ମୁଁ କୁଣ୍ଠାବୋଧ କରିବି ନାହିଁ ବାବୁ । ନାରୀ ଚରିତ୍ର ଏକ ବିଚିତ୍ର ସୃଷ୍ଟି । ସ୍ରଷ୍ଟା ଯେତେବେଳେ ଏହିପରି ଏକ ବସ୍ତୁକୁ ଜୀବନ୍ୟାସ ଦେଲେ ସେତେବେଳେ ପୃଥିବୀର ଶ୍ରେଷ୍ଟତମ ବୈଚିତ୍ର୍ୟ ଭାବରେ ଗୌରବ ନେବାପାଇଁ କରିଥିଲି । ଯେ କୌଣସି ଅବସ୍ଥାରେ ଏକ ମିଥ୍ୟକୁ ସତ୍ୟ ଭଳି ଉପସ୍ଥାପିତ କରିବାର ଅସୀମ ସାମର୍ଥ୍ୟ ସେମାନଙ୍କ । ବଡ଼ ବିଶେଷତ୍ୱ ହେଲା ବର୍ତ୍ତମାନ ନିକଟରେ ହିଁ ସମ୍ଭବ । କେହି ଅବିଶ୍ୱାସ କରିବାର ନାହିଁ ବା ପ୍ରଶ୍ନ କରିବାର ନାହିଁ । ଯଦି କୌଣସି ଦ୍ୱନ୍ଦ୍ୱମୂଳକ ପରିସ୍ଥିତିର ସମ୍ମୁଖୀନ ହେଲେ ବା କେହି ଅସହ୍ୟ ପ୍ରଶ୍ନ ସୃଷ୍ଟିକଲା ତେବେ ସେସବୁ ପାଇଁ ଦୁଇଟି ଅମୋଘ ଅସ୍ତ୍ର ସେମାନଙ୍କ ନିକଟରେ ସ୍ରଷ୍ଟା ଦେଇଛନ୍ତି । ପ୍ରଥମଟି ହେଲା ନୀରବତା, ଏବଂ ଦ୍ୱିତୀୟଟି ହେଲା ଅଶ୍ରୁ । ଯାହା ପଚାରିଲେ ଚୁପ୍‌, ଯାହା କହିଲେ ନୀରବ । ଉତ୍ତର ନାହିଁ । ତେଣୁ ସେ ନୀରବତାରୁ ଜଣେ ନିଜ ଇଚ୍ଛାମତେ ବୁଝି ଯାହା କରିବା ଉଚିତ୍‌, କରିବ । ଯଦି ହଠାତ୍‌ ପରିସ୍ଥିତ ଅଣଆୟତ୍ତ ହେଲା ତେବେ କେଇଟୋପା ଲୁହ । ବାସ୍‌,ଶହ ଶହ ହାତ ଲମ୍ୱି ଆସିବ ସେ ଲୁହକୁ ସାଉଁଟି ଧରି ରଖିବାକୁ । ତାକୁ ପୋଛିଦବାକୁ, ତାର ପ୍ରତିକାର କରିବାର । କେହି ନ ବୁଝଲେ ବି ମୁଁ ଠିକ୍‌ ବୁଝିଛି ବାବୁ । ନାରୀ ଚରିତ୍ର ବିଶ୍ଳେଷଣ କରିବାପାଇଁ ମତେ କାହାରି ସାହାର୍ଯ୍ୟ ନେବାକୁ ପଡ଼ିବ ନାହିଁ । ମୁଁ ଯେଉଁ ସ୍ୱରୂପ ଦେଖିଛ ତାହା ମତେ ଯଥେଷ୍ଟ ଅଭିଜ୍ଞତା ଆଣିଦେଇଛି ।’

 

‘ମିଷ୍ଟର ମାନ୍‌ସିଂ ! ଆପଣ ମୋର ବୟୋଽଜ୍ୟେଷ୍ଠ । ତଥାପି କହିବି ଆପଣଙ୍କର ଅଭିଜ୍ଞତା ଅସମ୍ପୂର୍ଣ୍ଣ । ଅନୁଭୂତି ସଂକ୍ଷିପ୍ତ । ନାରୀର ସେ ଚିତ୍ର ଦେଖି ନାହାଁନ୍ତି ଯେଉଁଟା ମୁଁ ଦେଖିଛି । ସେ ସ୍ୱରୂପ ଯେ କୌଣସି ଅବସ୍ଥାରେ ମଧ୍ୟ ପୁରୁଷ ପାଇଁ ବନ୍ଦନୀୟ । କୌଣସି କାରଣରୁ କଳହ ପରେ ଘଣ୍ଟା ଘଣ୍ଟା ଧରି ନିର୍ଦ୍ଦୋଷରେ ନିର୍ଯ୍ୟାତନା ସହିବା ପରେ ନିଜକୁ ଯନ୍ତ୍ରଣା ଦେବାକୁ ନାରୀଟି ଯେତେବେଳେ ନଖାଇ ନପିଇ ମୁହିଁମାଡ଼ି ଶୋଇବାକୁ ଯାଏ, ତା ଆଗରୁ ସ୍ୱାର୍ଥପର ପୁରୁଷଟି ପାଇଁ ବିଛଣା ପାରି ଦେଇଯାଏ, ଖାଇବା ସଜାଡ଼ି ରଖିଦିଏ । ସର୍ବୋପରି ଅହଙ୍କାର ପୁରୁଷଟି ଯେତେବେଳେ ସେ ସବୁରି ସଦ୍‌ବ୍ୟବହାର କରେ—ଥରକ ପାଇଁ ମଧ୍ୟ ନାରୀଟି କଥା ଚିନ୍ତାକରେ ନାହିଁ । ଏ ଛବିଟି ଆପଣଙ୍କର ଦେଖିଥିବା ଭଳି ମନେହେଉଛି ? ମୁଁ ଦେଖିଛି—ମୋ ମା’ ଆଉ ବାପା ।’

 

ଏଥର ବୀରେନ୍ଦ୍ର ଆହୁରି ଶକ୍ତ ହେଲେ । ଏକଥା ତାଙ୍କୁ ଉତ୍ୟକ୍ତ କଲାଭଳି ମନେହେଲା, ଏହା ଏକ ଆହ୍ନାନ । ତାଙ୍କୁ ଯଥାରୀତି ୟାର ଉତ୍ତର ଦବାକୁ ପଡ଼ିବ । ସେ ଭୁଲିଗଲେ ଚନ୍ଦ୍ର ଏକ ପୁଲିସ୍‌ ଅଫିସର । ସେ ଏକ ସେଲ୍‌ ଭିତରର ଆମରଣ କଏଦୀ । ତାଙ୍କ ଭିତରର ‘ବୀରେନ୍ଦ୍ର ମାନସିଂ’ କେମିତି ଚେଇଁ ଉଠିଲା ଭଳି ଲାଗିଲା । ହଃ, ଆଉ ବା ଅଧିକ କ’ଣ ହେବ ? ଯାହାତ ହେବାର ହୋଇସାରିଛି । ବୀରେନ୍ଦ୍ର ତାଙ୍କର ସମାପିକାରେ ପହଞ୍ଚ ଯାଇଛନ୍ତି । ତେଣୁ ଚନ୍ଦ୍ରଙ୍କୁ ଛାଡ଼ିବେ କାହିଁକି ? ବରଂ ତାଙ୍କ ପଦେ ଭଲକରି ଉତ୍ତର ଦେଇଥିଲେ କାଳେ ଅବା କେବେ ପୁଷ୍ପଙ୍କ ସହିତ ତାଙ୍କର ଦେଖାଦେଲେ ତାଙ୍କୁ କହିପାରିବେ । ବୀରେନ୍ଦ୍ର ମାନସିଂ ଅପରାଧି ହୋଇପାରନ୍ତି ସ୍ତ୍ରୈଣ ନୁହଁନ୍ତି । ସେଇଠି ବୋଧହୁଏ ପୁଷ୍ପ ଭୁଲ୍‍ ଚିହ୍ନିଛନ୍ତି ବୀରେନ୍ଦ୍ରଙ୍କୁ ।

 

‘ପୁଷ୍ପ ସମ୍ପର୍କରେ ଯୁକ୍ତି ବାଢ଼ିଲାବେଳେ ଆପଣ ଯେତେ ଯାହା ତାଙ୍କ ସୁପକ୍ଷରେ କହିଲେ ମାନିଲି । ହେଲେ ଗୋଟିଏ କଥା ସେ ଆପଣଙ୍କୁ କହିଲେ ନାହିଁ । ଏତେ ଯଦି ତାଙ୍କର ତ୍ୟାଗ ଆଉ ପ୍ରେମର ନିଷ୍ଠା ତେବେ ତାଙ୍କରି ମୁଖରେ ବୀରେନ୍ଦ୍ରଙ୍କ ବିଷୟରେ ଯେଉଁ ବିବରଣୀ ସେ ଉପସ୍ଥାପିତ କରିଛନ୍ତି ସେଇଟା ତାଙ୍କରି ଭାଷାତ ? ଛାଡ଼ନ୍ତୁ ! ମୋର ହୁଏତ ବର୍ତ୍ତମାନ ସେହି ପ୍ରକାର ଏକ ସମୟ ନୁହେଁ ଯେଉଁଥିରେ କି ମୁଁ ଆପଣଙ୍କୁ ମୋ ବ୍ୟଥା ବୁଝେଇ ପାରିବି । ନିଜକୁ ରକ୍ଷା କରିବାକୁ କଳଙ୍କ ମୁକ୍ତ କରିବାକୁ ଯେଉଁ ଲୋକ ଏହି ପ୍ରକାର କାଳ୍ପନିକ କାହାଣୀ ସୃଷ୍ଟିକରି ଆତ୍ମରକ୍ଷା କରେ ସେ ଲୋକଟି କେବଳ ନାରୀ ହେବ ସମ୍ଭବ । ମୁଁ ଭ୍ରଷ୍ଟ, ସ୍ଖଳିତ ପୁରୁଷ । ଜଣେ ନାରୀର ସାହଚର୍ଯ୍ୟ ଲୋଡ଼ି ଅନ୍ୟ ନାରୀର ସଙ୍ଗ କାମନା କରେ । ଏଇଟା ଯେମିତି କେବଳ ପୁଷ୍ପଙ୍କ ମୁଖ ନିଃସୃତ ବାଣୀ; ଆପଣଙ୍କ ଆଗରେ କହିଥିବା କଥା, ଆଦର୍ଶ ମଧ୍ୟ ନିଶ୍ଚିତ ଭାବରେ ତାଙ୍କରି ନିଜସ୍ୱ । ଦୁଇଟି ଭିନ୍ନ ପ୍ରକାରର ଉକ୍ତି ଭିନ୍ନ ସ୍ଥାନର ଭିନ୍ନ କାଳରେ ସେ କହଛନ୍ତି । ଏବଂ ଦୁଇଟି ଯାକ ସତ୍ୟଭଳି ମନେ ହୋଇଥିବେ । କେବଳ ସେତିକ ନୁହେଁ ଦୁଇଟିଯାକ କହିଲାବେଳେ ମଧ୍ୟ ତାଙ୍କ ନୟନରୁ ନୀରଧାର ବହି ଚାଲିଥିବ । ସେ ଅଶ୍ରୁର ସତେ ବର୍ଣ୍ଣନା ନାହିଁ । ତାର ସ୍ୱାଦ ମଧ୍ୟ ଭିନ୍ନ ହୋଇ ଥାଇପାରେ । କିନ୍ତୁ ଫଳାଫଳ ଏକ—ପୁଷ୍ପିତା ପଟ୍ଟନାୟକ ଯାହା କହୁଛନ୍ତି ସତ୍ୟ କହୁଛନ୍ତି । ଏ ପ୍ରକାର ଦ୍ୱିରୁକ୍ତି କେବଳ ତାଙ୍କର ପାଖରେ ହିଁ ସମ୍ଭବ । ଦୁନିଆଁଟ ସ୍ୱାର୍ଥପର । ବେଇମାନମାନଙ୍କୁ ନେଇ ଚଳୁଛି । ତେଣୁ ପୁଷ୍ପ ଏକଥା କହିସାରିବା ପରେ ମଧ୍ୟ ବଞ୍ଚ ରହିଛନ୍ତି । ନହେଲେ ଏକତା ତାଙ୍କ ମୁଖରୁ ବାହାରିବା ମାତ୍ରେ ଏ ପୃଥିବୀର ପ୍ରାକୃତିକ ଗତିରେ କିଛି ଗୋଟାଏ ପରିବର୍ତ୍ତନ ହୋଇଥାନ୍ତି । ଆକାଶରୁ ଖଣ୍ଡେ ଛିଣ୍ଡିପଡ଼ିଥାନ୍ତା ବା ସୂର୍ଯ୍ୟ ମାସ ମାସ ଧରି ଉଦିତ ହୋଇ ନଥାନ୍ତେ-

 

ବାବୁ ! ଆପଣ ଜାଣନ୍ତି ନାହିଁ । ପୁଷ୍ପଠିକ୍‌ ଜାଣନ୍ତି ଯେ ସେ କେବଳ ଏ ପ୍ରକାର କଳଙ୍କ ଦେଇ ଏ ପୃଥିୀରେ ବଞ୍ଚି ରହିପାରନ୍ତି । ତାଙ୍କ ବ୍ୟତୀତ ଆଉ ଯେ କେହି ଏହି ଭଳି କଥା ପଦେ ମୁହିଁରେ ଧରିଥାନ୍ତା ତେବେ ବୀରେନ୍ଦ୍ର ମାନସିଂ ସେ ଲୋକର ଜିଭଟାକୁ ଓଟାର ଦେଇ ସାରିଥାନ୍ତି । ଦୁଇ ଦୁଇଟା ମର୍ଡ଼ର କେସ୍‍ର ଦଣ୍ଡ ସହିତ ଏଇଟା ଗୋଟାଏ ଅଧିକା ହୋଇଥିଲେ ଅନୁପାତ ଅଧିକ କିଛି ହୋଇନଥାନ୍ତା । ପୁଷ୍ପିତା ପଟ୍ଟନାୟକ ବୋଲି ସେ କହି ଖସିଯାଇ ପାରିଲେ । ସେଥିପାଇଁ କହିଲି ଏହା କେବଳ ଜଣେ ନାରୀ ପାଇଁ ହିଁ ସମ୍ଭବ ।

 

ଅଦ୍ଭୁତ ! ସମସ୍ତେ ସହାନୁଭୂତି ପୂର୍ଣ୍ଣ କଣ୍ଠର ସମବେଦନା ଜଣେଇବାକୁ ଆସିଥିବେ । ଆଉ ତାଙ୍କଠାରୁ ସେତେବେଳେ ସବୁ ଶୁଣି ତାଙ୍କୁ ନିଷ୍କଳଙ୍କ ବୋଲି କହି ପୁଣି ବଦନାମର କୂଅ ଭିତରୁ ଟାଣିଓଟାରି ସମାଜ ସହିତ ସାମିଲ କରି ଦେଇଥିବେ । ହେଲେ କେହି ଜଣେ ମଧ୍ୟ ଆଗକୁ ବାହାରି ଏ କଥାକୁ ପ୍ରତିବାଦ କଲେ ନାହିଁ । ତାଙ୍କର ଛାତ୍ରୀ ଭିତରୁ କେହି ପ୍ରତିବାଦ କଲେ ନାହିଁ । କାହାରି ମୁହିଁରୁ ବାହାରିଲା ନାହିଁ ଯେ—କେବେ କହିଲେ ସେ ପ୍ରକାର ବ୍ୟବହାର ସେ ଲୋକଠାରୁ ପାଇନାହିଁ । ବହୁଜନ କେବଳ ଆମ ଦୁହିଁଙ୍କୁ ସଦାସର୍ବଦା ଏକାଠି ଦେଖି ମନ ଭିତରେ ଅବା ଲୁଚେଇ କରି ଅପଚିନ୍ତା କରିଥାନ୍ତି । କେହି ଜଣେ ହେଲେ ତା’ ଭିତରୁ କହିଲେ; ନାହିଁ ଏକଥାଟା ପୁଷ୍ପିତା ପଟ୍ଟନାୟକ ନିଜକୁ ବଞ୍ଚେଇବା ପାଇଁ କହିଛନ୍ତି । ବିଭିନ୍ନ ସହରର ଶତ ଦୋକାନୀ ବ୍ୟବସାୟୀ କେହିହେଲେ ସାକ୍ଷ୍ୟ ଦେଲେନାହିଁ ଯେ ପୁଷ୍ପିତା ପଟ୍ଟନାୟକ ସର୍ବସ୍ୱ କେବଳ ବୀରେନ୍ଦ୍ର ମାନସିଂ ହାତର ସାହଚର୍ଯ୍ୟ ପାଇ ବୃଦ୍ଧିଲାଭ କରିଛି । ଧନ୍ୟ ବିଗଳିତ ସମାଜର ନାରୀପ୍ରତି ବିଚିତ୍ର ସହାନୁଭୂତି । ଆଉ ଧନ୍ୟ ଆପଣଙ୍କ ଭଗବାନ । ଯିଏକି କେବଳ କିଏ ତାଙ୍କ ପୂଜା କରୁଛନ୍ତି ତାଙ୍କୁହିଁ ଚିହ୍ନନ୍ତି । ଯେତେ ଠାକୁର ମନ୍ଦିର ଯେତେ ପୂଜାପତ୍ର କରିବାର କଥା ସବୁଠାରେ ପହଞ୍ଚ ମୁଦ୍ରିତ୍ର ନୟନରେ ପୂଜା କରନ୍ତି ପୁଷ୍ପ । ଆଉ ସବୁଠାରୁ ବଡ଼ ଦୀପ ଆଉ ଭୋଗହାଣ୍ଡି ତାଙ୍କ ହାତରୁ ଠାକୁରଙ୍କ ପାଖକୁ ଯାଏ । ସେଇଟା ପାଇ ଠାକୁର ସେବାର ବ୍ୟସ୍ତ ରହିଯାନ୍ତି । ହେଲେ ଥରେ ମଧ୍ୟ ବୁଝିବାକୁ ଚାହିଁନାହାଁନ୍ତି ତାଙ୍କ ଭକ୍ତଙ୍କୁ, କୋଉ ଜଣକ ନେଇ ପହଞ୍ଚେଇଛି ସେଠି । ତାଙ୍କ ହାତକୁ ବଡ଼ ଦୀପଟା କିଣିକରି ଦେଇଛି କିଏ ? ଆଉ ବଡ଼ ଭୋଗହାଣ୍ଡି ସଜେଇ ବଢ଼େଇଛି କିଏ । ତେଣୁ ଅନେକ ଅର୍ଥ ପୁଷ୍ପଙ୍କଠାରୁ ମୁଁ ନେଇ ବିନର୍ବୟ କରିଛି ବୋଲି ଯେତେବେଳେ କହିଲେ, ଠାକୁର ଆଉ ସେଥିର ପ୍ରତିବାଦ କରିଥିନ୍ତେ କେମିତି । ସେ ତ ଜାଣନ୍ତି ତାଙ୍କ ଭକ୍ତ ବିପଦଗ୍ରସ୍ତ । ତାଙ୍କର ସାହାର୍ଯ୍ୟ ଲୋଡ଼ୁଛି ।

 

ମୁଁ ମୋ ପାଇଁ ସୁଦ୍ଧା କହୁନାହିଁ । ଭଗବାନଙ୍କ ବିରୁଦ୍ଧରେ କହିବାର ଏତିକି କାରଣ ହେଲା ଯେ ଭଗବାନ୍‌ ଜଣଙ୍କୁ ଦୟା ଦେଖେଇବାକୁ ଯାଇ ଆଉ ଦୁଇଟା ନିରୀହା ପୁଷ୍ପ—ସାବିତ୍ରୀ ଆଉ ଅନୁ ପ୍ରତି ଏତେ ନିର୍ଦ୍ଦୟ ହୋଇପାରିଲେ କେମିତି ? ମଣିଷଗଢ଼ା କାନୁନ୍‌ ଆଉ ଭଗବାନ୍‌ଙ୍କ ତିଆରି ନିୟମ ୟା’ ଭିତରେ ବିଶେଷ କିଛି ପାର୍ଥକ୍ୟ ଦେଖିଲି ନାହିଁ । ଜୀବନର ସବୁଠାରୁ ମୂଲ୍ୟବାନ୍ ସମୟକୁ ଶିକାର ଗପ, ବନ୍ଧୁକ ଚଳେଇବାର ନିୟମାବଳୀ, ଗାଡ଼ିର କ୍ୟାଟଲଗ୍ ଦେଖି ଦେଖି କଟେଇଥିଲି । ଶାସ୍ତ୍ର ପୁରାଣ ବିଷୟରେ ମୋର ଗବେଷଣା ଆଦୌ ନାହିଁ । କେବଳ କେତେଦିନ ଧର୍ମପୀଠ କାଶୀ, ବୃନ୍ଦାବନରେ ରହି ନିଜକୁ ଲୁଚେଇରଖିବା ପାଇଁ କେଇଟା ଶସ୍ତା ପୁସ୍ତକ ଯାହା ପଢ଼ିଛି ସବୁଠାରେ ମତେ ଏଇ ବୈଚିତ୍ର୍ୟ ଦେଖାଦେଇଛି । ସବୁଠାରେ ଚକ୍ରପେଶି ନକ୍ରକୁ ଛେଦିବାର ନମୁନା । ଠାକୁରେ ବସି ପଶାଖେଳୁଥିଲେ ନାରୀମାନଙ୍କ ଗହଣରେ । ଗଜ କୁଆଡ଼େ ଡାକଦେଲା ରଖ ରଖ ବୋଲି । ରଖିଲି ବୋଲି କହି ଚକ୍ର ପେଶିଦେଲେ ଭଗବାନ୍ । ଆଉ କୁମ୍ଭୀର ହାଣଖାଇଲା ଚକ୍ରରେ । ଏଇତ ବିଚାର ! ସେତେବେଳେ ଆଉ ଭଗବାନଙ୍କର ବିଚାର କରିବାର ଅବକାଶ କାହିଁ—ପ୍ରକୃତରେ କାହାର ଭୁଲ୍‍ ବୋଲି ? ଗଜ କାହିଁକି ଜଳରେ ପଶିଲା, କୁମ୍ଭୀର ରାଜ୍ୟରେ ପ୍ରବେଶ କରି ତାର ପ୍ରଜାମାନଙ୍କୁ ବିବ୍ରତ କରିଥିଲା କି ନାହିଁ, ଏସବୁ କିଛି ବିଚାରକୁ ଆସିଲା ନାହିଁ । ‘ତ୍ରାହି ତ୍ରାହି’ ବୋଲି ଗଜ ଡାକି ଦେଲା ବୋଲି ଚକ୍ର ଛେଦିପକେଇଥିଲା ଗ୍ରାହାକୁ । ପ୍ରଭୁ କ’ଣ ସେତେବଳେ କ୍ଷଣେ ଭାବିଥିଲେ ସେହି ନକ୍ର ହୁଏତ ପ୍ରତ୍ୟେକଦିନ ପ୍ରଭୁଙ୍କୁ ସୁମରଣା କରୁଥାଇପାରେ ? ମଧ୍ୟ ରାତ୍ରୀରେ କୂଳରେ ଆସି ପଡ଼ିରହୁ ଥାଇପାରେ ସକାଳୁ ପ୍ରତ୍ୟହ ଉଦୟବେଳେ ସୂର୍ଯ୍ୟ ନମସ୍କାର କରିବାକୁ ?

 

ଏଇତ ବିଚାର ! ଭଗବାନଙ୍କର, ଆପଣମାନଙ୍କ ସମାଜର, ଆପଣଙ୍କର ଦୁର୍ବଳ ନିୟମର । କିଶୋରଙ୍କ ଭଳି ନିୟମର କାର୍ପଟଦାର ଯେମିତି ତଦନ୍ତ କଲେ, ସରକାରଙ୍କ ପ୍ରତିନିଧି ଡାକ୍ତରବାବୁ ସେହିପରି ପରୀକ୍ଷା ଗବେଷଣା କଲେ । ଆଉ ପୁଷ୍ପ ସେମାନଙ୍କୁ ତଥ୍ୟ ଯୋଗେଇଲେ-। ବାବୁ ! ମୋ ପାଇଁ ଏ ଜାଗା ଯଥେଷ୍ଟ ଭଲ । ଏଠାରେ ଯିଏ ଯାହା ସେ କେବଳ ତାହାହିଁ କୁହେ-। ନିଜ ଭିତରେ ଆଲୋଚନା କଲାବେଳେ ଏ ଦାଗୀମାନଙ୍କୁ ମୁଁ ଦେଖିଛି । ସେମାନେ କୌଣସି କଥା ଲୁଚେଇ ମିଥ୍ୟାର ଆଶ୍ରୟ ନିଅନ୍ତି ନାହିଁ । ଏଠି ନରହିଥିଲେ ବରଂ ଅରଣ୍ୟରେ କାଳଯାପନ କରିବାକୁ ମୁଁ ଶ୍ରେୟ ମଣିଥାନ୍ତି । କିନ୍ତୁ ଆପଣଙ୍କ ଛଳନାର ଆବରଣ, ପିନ୍ଧା ସମାଜ ଭିତରେ ନୁହେଁ ବା ସବୁପ୍ରକାର ଅବିଚାର ଭରା ସ୍ୱର୍ଗପୁରରେ ନୁହେଁ ।’

 

ଚନ୍ଦ୍ର ଲକ୍ଷ୍ୟକଲେ ବୀରେନ୍ଦ୍ର ମାନସିଂ ଅନର୍ଗଳ କହି ଚାଲିଛନ୍ତି । ହଠାତ୍ କେମିତି ତାଙ୍କର ରୁଦ୍ଧଦ୍ୱାର ବହୁଦିନପରେ ଉନ୍ମୋଚିତ ହୋଇଛି । ଭିତରେ କୀଟପତଙ୍ଗଠାରୁ ଆରମ୍ଭ କରି ବିଷଧର ସର୍ପ ମଧ୍ୟ ଆଶ୍ରୟ ନେଇଥିବା ସ୍ୱାଭାବିକ୍ । ସେ ଭିତରର ବାୟୁ ମଧ୍ୟ ବିଷାକ୍ତ ହୋଇଥାଇପାରେ । ତେଣୁ ସେଗୁଡାକ ସବୁ ପ୍ରଥମେ ନିର୍ଗତ ହୋଇ ଆସିବା ଦରକାର । ତେବେ ଯାଇ ବାହାରର ବିଶୁଦ୍ଧପବନଭିତରକୁ ଯିବାର ସମ୍ଭାବନା । ଏଇ ବର୍ତ୍ତମାନ କେମିତି ଜଣାପଡ଼େ ବୀରେନ୍ଦ୍ର ମାନସିଂ ପୂର୍ବର ସେହି ତାରୁଣ୍ୟ ଫେରିପାଇଛନ୍ତି । କେଶ, ଶ୍ମଶ୍ରୁକବଳିତ ମୁଖମଣ୍ଡଳରୁ ଚକ୍ଷୁ ଦେଦୀପ୍ୟମାନ ହୋଇଉଠିଛି । ସତେଯେମିତି ତାଙ୍କ ହାତରେ ଓଜନଦାର ବନ୍ଧୁକ । ସମ୍ମୁଖରେ ଗାଡ଼ି,ବହୁତ କିଛି କରିଦେଇପାରନ୍ତି ।

 

ତଥାପି ଆନନ୍ଦିତ ହେଲେ ଚନ୍ଦ୍ର । ମନେ ମନେ ସେ ଭଗବାନଙ୍କୁ ଧନ୍ୟବାଦ୍ ଜ୍ଞାପନ କଲେ । ଯା’ହେଉ ତାଙ୍କରି ଭିତରର ମଣିଷ ଜାଗ୍ରତ ହୋଇଛି । ମନର ରୁଗ୍‌ଣତା ଦୂରେଇଗଲେ ଶାରିରୀକ ଦୁର୍ବଳତା ଆପେ ଆଡ଼େଇଯିବ । ଏ ବୟସରେ ସମସ୍ତ ଭକ୍ତି ଏବଂ ଯୁକ୍ତିକୁ କେବଳ ଦାର୍ଶନିକ ଭଳି ଭଗବାନଙ୍କ ନାମରେ ଉପସ୍ଥାପିତ କରାଯାଇପାରେ । ଭଗବାନଙ୍କୁ ଗାଳିଦେଇ ନିଜର କ୍ରୋଧଶାନ୍ତି କରୁଛନ୍ତି । ଚନ୍ଦ୍ରଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ ।

 

‘ବର୍ତ୍ତମାନ ମଧ୍ୟ ମୋର ଇଚ୍ଛା ହେଉଛି ଦିନକ ପାଇଁ ଯଦି ଖସି ଯାଇପାରନ୍ତି ତେବେ ମୋର ବନ୍ଧୁକ ଭର୍ତ୍ତି କରି ବେଶ୍ କିଛି ଲୋକଙ୍କୁ ଗୁଳି କରିଦେଇ ଆସନ୍ତି । କେତେ ଭୀରୁ ଲୋକଗୁଡ଼ାକ । କେହି ଜଣେ ହେଲେ ବାହାରି କହିପାରିଲେ ନାହିଁ ଯେ ନାଁ, ଏ ଘଟଣା ପଛେ ଯାହା ହେଇଥାଉ ବୀରେନ୍ଦ୍ର ମାନସିଂ ପ୍ରକୃତରେ ଏ ପ୍ରକାର ଲୋକ ନୁହେଁ ।’

 

‘ଜଣେ କିନ୍ତୁ କହିଛି ମିଷ୍ଟର ମାନସିଂ !’

 

ବେଶ୍ ଶକ୍ତି ସଞ୍ଚୟ କରି ପ୍ରତିବାଦର ଚେଷ୍ଟା କରୁଥିଲେ ଚନ୍ଦ୍ର । କିନ୍ତୁ ଲାଭ କିଛି ହେଲାନାହିଁ । ତାଙ୍କ ପାଟିରୁ କଥା ଛଡ଼େଇ ନେଇ କହିଲେ ବୀରେନ୍ଦ୍ର ।

 

‘ମୁଁ ଜାଣେ । ସେ ଜଣକ କହିବା ଛଡ଼ା ଆଉ କେହି କହିବେ ନାହିଁ । ତାର କାରଣ ସେ କେବଳ ଇହକାଳର ପରକାଳର ସାଥୀ ହେବାପାଇଁ ସମାଜ ସ୍ୱୀକୃତ ଭାବରେ ସେ ବଂଶକୁ ଆସିଛି-। ଆଉ ସେ ଯଦି ଏକଥାକୁ ମିଥ୍ୟାବୋଲି ପ୍ରତିବାଦ ନକରିବ ତେବେ ତାର ପାରିବାରିକ ସ୍ଥିତି କ୍ଷୂର୍ଣ୍ଣ ହେବ । ସାବିତ୍ରୀଙ୍କର ନକରି ଉପାୟ ନାହିଁ ।’

 

‘ସେ ଜଣକ ସାବିତ୍ରୀ ନୁହଁନ୍ତି । ପୁଷ୍ପ... ।’

 

ଏକଥାଟା କେମିତି ପ୍ରଥମରେ ଦୁର୍ବୋଧ୍ୟ ହେଲା ବୀରେନ୍ଦ୍ରଙ୍କୁ । ଦୁହେଁ ଅନ୍ୟମନସ୍କ ରହିବା ଭିତରେ ବୀରେନ୍ଦ୍ର ବୋଧହୁଏ ଅତି ଅସ୍ଥିର ଭାବରେ ଅନ୍ୟ କିଛି କହିପକେଇଛନ୍ତି । ଯୋଉଟା କି ଚନ୍ଦ୍ର ଭିନ୍ନ ଅର୍ଥରେ ଗ୍ରହଣ କରିଛନ୍ତି । ତେଣୁ ସେ ହଠାତ୍ କିଛି ବୁଝିପାରିଲେ ନାହିଁ । ପୁଷ୍ପ କ’ଣ ପ୍ରତିବାଦ କଲେ ?

 

‘ଆମେ ବୋଧହୁଏ ଆମର ଆଲୋଚନାର ଠିକ୍ ମୋଡ଼ ଉପରେ ଆସି ପହଞ୍ଚି ଯାଇଛୁ । ଯୋଉଟା ପାଇଁ ମତେ ଅନେକ କିଛି ଦାୟିତ୍ୱ ବହନ କରିବାକୁ ପଡ଼ିଛି । ମିଷ୍ଟର ମାନସିଂ! ଆପଣ ମୋଠାରୁ ଯାହା ଜାଣିବା ଦରକାର ମୁଁ ମଧ୍ୟ ଆପଣଙ୍କୁ ତାହାହିଁ କହିବା ଦରକାର । ଯେଉଁଦିନ ପୁଷ୍ପିତା ମ୍ୟାଡ଼ାମ୍ ମତେ ତାଙ୍କର ଜୀବନର ଅନୁଶୀଳନଗୁଡ଼ିକୁ ସଂକ୍ଷେପରେ ଶୁଣେଇଗଲେ ସେହିଦିନ ମୁଁ ପ୍ରଶ୍ନ କରିଥିଲି—କେମିତି ଏପ୍ରକାର ସମ୍ପର୍କ ସତ୍ତ୍ୱେ ଖବରକାଗଜରେ ଏ ଅଦ୍ଭୁତ ବିବରଣୀ ବାହାରିଲା । ମତେ ଆଶ୍ଚର୍ଯ୍ୟ ଲାଗିଲା । ଅବଶ୍ୟ ଜଣେ ନାରୀର ଏହି ସ୍ପଷ୍ଟୋକ୍ତି ଦେଖି ମୁଁ ମୁଗ୍‌ଧ ହୋଇଥିଲି । ପରକ୍ଷଣରେ ସେ କହି ଚାଲିଲେ—

 

ଚନ୍ଦ୍ର ! ଏଥିପାଇଁ ମୁଁ ଆଜିଯାକେ ବଞ୍ଚିରହିଛି । ସେହି ଘଟଣାର ପରେ ପରେ ପ୍ରତିମୁହୂର୍ତ୍ତରେ ମୁଁ ଭାବୁଥାଏ ମୋ ଜୀବନର ମୋପାଇଁ ଯଥେଷ୍ଟ ହୋଇସାରିଛି । ଏହାର ଇତିହେବା ଆବଶ୍ୟକ । ଏବେମଧ୍ୟ ମୁଁ ସେ ଦୁଶ୍ଚିନ୍ତାରୁ ମୁକ୍ତି ନୁହେଁ । କିନ୍ତୁ ତମରି ଭଳି ଜଣେ ମୋର ପ୍ରୟୋଜନ ଥିଲା । ତମକୁ ମୁଁ ସବୁ କହିଦେଇଥିବି । ଅନ୍ତତଃ ଜଣକୁ । ବୀରେନ୍ଦ୍ରଙ୍କ ସହ ତମର ଦେଖାହେବାର ସମ୍ଭାବନା ନାହିଁ । ତଥାପି ତାଙ୍କର ରକ୍ତରୁ ଜଣକୁ କାହାକୁ ଅବା ବନ୍ଧୁବାନ୍ଧବଙ୍କୁ ଯଦି କେବେ ଭେଟିବ ତେବେ କହିବ ସେଗୁଡ଼ା ପୁଷ୍ପର ସ୍ୱର ହୋଇଥାଇପାରେ କିନ୍ତୁ ପୁଷ୍ପର ଭାଷା ନୁହେଁ-। ଅନ୍ତତଃ ତମର ଜୀବନକାଳ ଭିତରେ ଯଦିବା ସୁଯୋଗ ନହୁଏ ତେବେ ତମର ପରବର୍ତ୍ତୀ କାହାପାଖରେ ଏ ସମ୍ୱାଦ ଛାଡ଼ିଯିବ । ଅନ୍ତତଃ ଯେକେହି ବଂଶଧର ତାଙ୍କର ଆଜିଠାରୁ ବହୁବର୍ଷପରେ ମଧ୍ୟ ଶୁଣିଲେ ଚଳିବ । ସେପାରିରେ ଆତ୍ମା ମୋର ଶାନ୍ତିପାଇବ-। ସେଥିପାଇଁ ମୋର କଳଙ୍କ ମୁଁ ତୁମକୁ ଶୁଣେଇ ଦେଇଗଲି ।

 

ତା’ପରେ ସେ ଯେଉଁ ବୃତ୍ତାନ୍ତ ମୋ ଆଗରେ ପ୍ରକାଶ କଲେ ମୋର ସେଥିପାଇଁ ଉତ୍ତର ନଥିଲା । ପୁଷ୍ପ ମାଡା‍ମ୍‍ ଜଣେ ନାରୀ । ସେପରି ଏକ ପରିସ୍ଥିତିକୁ ସେ ସମ୍ମୁଖ କରି ସୁହାଇନେଲେ-। ଆପଣ ବା ମୁଁ ଯେକେହି ମଧ୍ୟ ତାଙ୍କର ଏହି ସ୍ୱାର୍ଥପର ମିଥ୍ୟା ବିବରଣୀକୁ ଘୃଣା କରିବା-। କିନ୍ତୁ ଆପଣ ଆଉ ମୁଁ ଦୁଇ ଦାମ୍ଭିକ ପୁରୁଷଙ୍କୁ ଛାଡ଼ି ଦିଆଗଲା ପୁଷ୍ପିତା ମାଡା‍ମ୍‍ଙ୍କ ପରିସ୍ଥିତି । ତା’ପରେ ନିଜକୁ ପ୍ରଶ୍ନକରିବା ଆମେ କ’ଣ କରିପାରିଥାନ୍ତୁ ।

 

ଆପଣଙ୍କର ହତ୍ୟା କାହାଣୀ ଆଉ କଳାବତୀ ଅପହରଣ କହାଣୀ ଯେତେବେଳେ ଖବରକାଗଜରେ ରାଷ୍ଟ୍ର ହୋଇଗଲା ସେତେବେଳେ ସବୁଆଡ଼େ ଏହାହିଁ ଏକମାତ୍ର ଆଲୋଚନାବସ୍ତୁ ହୋଇଉଠିଲା । ଗୀତ ବହି ଲେଖାହୋଇ କଳାବତୀର କରୁଣ କାହାଣୀ ନାମରେ ଶହ ଶହ ସଂଖ୍ୟାରେ ବୋଲାହୋଇ ବିକ୍ରୀ ହେଲା । ସେତେବଳେ ମାଡାମ୍‍ଙ୍କର ପରିବାରର ସମସ୍ତେ ବହୁ ଅପମାନିତ ବୋଧକଲେ । ସବୁଠାରୁ ଦୟନୀୟ ହୋଇଉଠିଲା ତାଙ୍କର ଅବସ୍ଥା । ଜଣ ଜଣ କରି, ଦଳ ଦଳ ହୋଇ, କିଏବା ଏକା ଆସି କିଏପୁଣି ଏକାଠି ଆସି ମାଡାମ୍‍ଙ୍କୁ ପ୍ରବର୍ତ୍ତାଇଲେ, ବୁଦ୍ଧିଦେଲେ । ଏ କଳଙ୍କରୁ ମୁକ୍ତିପାଇଁ ସେ କିଛି ଗୋଟାଏ କରିବା ଦରକାର । ଏବଂ ସେ ଯାହା କରିବାକୁ ଠିକ୍ କଲେ ସେଇଟା କ’ଣ ଜାଣନ୍ତି ? ମୁହଁଖୋଲି କହିଦେଲେ—

 

ଦେଖ ! ସମସ୍ତେ ଯଦି ଭାବୁଚ ମୋର କିଛି ଗୋଟାଏ କରିବା ଦରକାର ତେବେ ମୁଁ ତମମାନଙ୍କ ପାଇଁ କରିପାରେ । ନିଜ ପାଇଁ କିଛି ଦରକାର ନାହିଁ । ଦୁନିଆଁ ଜାଣିଛି ଆମର ସମ୍ପର୍କ । ତେଣୁ କାହାପାଇଁ ମୋର ଭୟ କରିବାର ନାହିଁ । ହାତଧରି ବିବାହ କରିସାରିଲା ପରେ ଯଦି ଏହିପରି କିଛି ଘଟିଥାନ୍ତା, ତା’ପରେ କ’ଣ କରିଥାନ୍ତି ? ତେଣୁ ଛାଡ଼ ! ସବୁଠାରୁ ସହଜ ଉପାୟ ଏଇଆ—ନିଜେ ଆତ୍ମହତ୍ୟା କରିବି । ତମେ ସମସ୍ତେ ନିଷ୍କଳଙ୍କ ହେବ ।

 

ଏହି ସିଦ୍ଧାନ୍ତରେ କାହାରି ମନ ମାନିଲା ନାହିଁ । ଓଲଟି କହିଲେ, ସେମାନଙ୍କର ଆସନ୍ତା କେତେ ପୁରୁଷ ପାଇଁ ଏ କଳଙ୍କ ସେ ବଂଶପାଇଁ ଲେପି ହୋଇଯିବ । ସମସ୍ତେ କହିବେ ଏ ପ୍ରକାର କଥା ଶୁଣି କ’ଣ ପୁଷ୍ପିତା ଆତ୍ମହତ୍ୟା କଲା ? ନାଁ, ଭିତିରି କଥା ଅନେକ ଅଛି । କିଏ କହିବ ତିନିମାସର ଅନ୍ତସତ୍ତ୍ୱା ଥିଲା । କିଏ କହିବ ପାଞ୍ଚମାସ । କେହି କେହି ମଧ୍ୟ କହିପାରନ୍ତି, ସେ ସନ୍ତକକୁ ନିଶ୍ଚିହ୍ନ କରିବାକୁ ଯାଇ ଏ ଦଶା ହେଲା । ଏ ଅପବାଦ ପୁଷ୍ପି ତାଙ୍କ ସହିତ ମରିଯିବ ନାହିଁ ବରଂ ତା’ପରେ ବହୁଗୁଣିତ ହେବ । ସେ ଘରର କେହି ଝିଅ ବିଭା ହୋଇପାରିବେ ନାହିଁ । ସେ ଘରକୁ କେହି ଆଉ ବୋହୂ ଦେବେ ନାହିଁ । ପୁଣି ସେ ଘରର ପୁଅମାନେ ମଥାଟେକି ଚାଲିପାରିବେ ନାହିଁ । ସର୍ବଶେଷରେ ବୁଢ଼ାବୁଢ଼ି ହା’ ପୁରେଇ ମରିଯିବେ । ବଡ଼ବଡ଼ୁଆ ସେ ଖଞ୍ଜା ଛାଡ଼ି ଚାଲିଯିବେ-

 

ଚାଲିଲା, ସରକାରୀ କଳର ଅନୁସନ୍ଧାନ ଯେତିକି ବେଗରେ ଆଗୋଉ ନଥିବ ତାଠାରୁ ଆହୁରି ବେଗରେ ଘରେ ସମସ୍ତଙ୍କ ଆଲୋଚନା ଚାଲିଲା । ଅନ୍ୟ ପର୍ଯ୍ୟାୟରେ ନିଜର ଲୋକମାନେ ହଠାତ୍ ପର ହୋଇଗଲା ଭଳି ଯିଏ ଯାହା କହିବା କଥା କହିଲେ । ଅମଣିଷ, କଳଙ୍କିନୀ, ବାଟକୁ କଣ୍ଟା ଏହି ପ୍ରକାର କହିବାକୁ ଛାଡ଼ିଲେ ନାହିଁ । ଜର୍ଜ୍ଜରିତ ଅବସ୍ଥାରେ ବଞ୍ଚିବା ଯେ କି କଷ୍ଟ । ତଥାପି କୌଣସି ପ୍ରସ୍ତାବ ଯେତେବେଳେ ଜଣକର ମସ୍ତିଷ୍କରୁ ବାହାରିଲା ନାହିଁ ସେତେବଳେ ସମବେତ ପ୍ରଚେଷ୍ଟା ଆରମ୍ଭ ହେଲା । ଜଷ୍ଟିସ୍ ମଉସାଙ୍କ ନେତୃତ୍ୱରେ ଅବସରପ୍ରାପ୍ତ ସରକାରୀ ହାକିମ ବାପା, ଇଂଜିନିୟର ଭାଇ, କଣ୍ଟ୍ରାକ୍ଟର ମାମୁଁ ବସି ସନ୍ଦର୍ଭ ପ୍ରସ୍ତୁତ କଲେ ।

 

ଏହାହିଁ ସେ ସନ୍ଦର୍ଭର ସାରକଥା । ଯେଉଁଟା କି ସର୍ବସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ ହେଲା । ଇସ୍ ! ସେ କିଭଳି ଯନ୍ତ୍ରଣା... ।

 

ମତେ ବସେଇ ସମସ୍ତେ ଯେତେବେଳେ କେମିତି କ’ଣ କରିବାକୁ ପଡ଼ିବ ବୋଲି ଥରେ ରିହରସାଲ କରେଇ ଦେଲେ ମୁଁ କାନ୍ଦି ପକେଇଲି । ସମସ୍ତଙ୍କୁ ହାତ ଯୋଡ଼ିଲି । ତା’ପରେ କାକୁତି ମିନତି କଲି । ଶେଷରେ ରାଗିକରି ଚିତ୍କାର କଲି, ମୁଁ କେବେହେଲେ ଏସବୁ କହିପାରିବି ନାହିଁ । ବୀରେନ୍ଦ୍ର ଚରିତ୍ରହୀନ,ଡକାୟତ୍, ମୋ ପଇସାରେ ଚଳନ୍ତି ଏସବୁ ମୁଁ କେବେହେଲେ କହିପାରିବ ନାହିଁ । ସେତେବେଳେ କିଏ କ’ଣ କହିଥିଲେ ମୋର ମନେ ନାହିଁ । କିନ୍ତୁ ଭାଉଜଙ୍କ କଥା ଏବେ ବି ଗାର ହୋଇରହିଛି । ସେପଟେ ସମସ୍ତଙ୍କ ପାଇଁ ଚା’ ସଜାଡ଼ୁ ସଜାଡ଼ୁ କହିଲେ—ଆହା ହା...ଅଗ୍ନି ସାକ୍ଷୀରଖି ବାହାହେଲା ସ୍ତ୍ରୀ, ପାଟିରେ ଏଗୁଡ଼ା କେମିତି ଧରିବେ ? ସେହି ଭାଉଜ, ଯେ କି ପ୍ରତିଥର ମୁଁ ଛୁଟିରେ ଘରକୁ ଆସିଲାବେଳେ ବୀରେନ୍ଦ୍ର କେମିତି ଶାଢ଼ି ଏଥର କିଣି ଦେଇଛନ୍ତି, ତା’ ସାଙ୍ଗରେ ବ୍ଳାଉସ୍ କେମିତି ବୋଲି ଦେଖିବାକୁ ବାକ୍‌ସ ଖୋଲି ପକାନ୍ତି । ଛୋଟ ହେଲେବି କିଛି ଗୋଟାଏ ଜିନିଷ ତାଙ୍କ ପାଇଁ ଭାଗ ନିଶ୍ଚୟ ଥିବ । ସେ ଏଭଳି କଥା ନକହିବେତ ଆଉ କହିବ କିଏ-?

 

ସମସ୍ତେ ଧୈର୍ଯ୍ୟ ସଞ୍ଚୟ କରି ବୁଝେଇବା ଆରମ୍ଭ କଲେ । ଆଉ ସମସ୍ତ ଧୈର୍ଯ୍ୟ ହରେଇ ମୁଁ ଯେତେବେଳେ ଚିତ୍କାର କଲି ମୁଁ କହିପାରିବି ନାହିଁ ବୋଲି ସେତେବେଳେ ହଠାତ୍ ଦେଖିଲି ମୋର ସାନଭାଇ ଆଉ ଭଉଣୀମାନେ ସିଧା ଲମ୍ୱ ହୋଇ ମୋ ଗୋଡ଼ ତଳେ ପଡ଼ି ଯାଇଛନ୍ତି । ଭଉଣୀ କହୁଛି—ଅପା ! ତୁ କ’ଣ ଚାହୁଁ ଆମେମାନେ ଆଉ ବାହାଶାହା ହେବୁ ନାହିଁ ? ତୋର ସୁଖ, ଅୟସ ସବୁତ ତୁ ନିଜେ ପୂରଣ କରି ସାରିଛୁ । ଅନ୍ୟମାନଙ୍କୁ ଥରେ ଦୟାକର ।

 

ବାସ୍ ! ସମସ୍ତଙ୍କୁ ଖୁସୀ କରିବାକୁ ନିଜକୁ ପ୍ରସ୍ତୁତ କଲି । ମୋ ମନ ଭିତରେ କେବଳ ଗୋଟିଏ ଯୁକ୍ତି । ବୀରେନ୍ଦ୍ର ଜଳିଲେ, କ’ଣ ପାଇଁ—ସେ ନିଜେ ଜାଣନ୍ତି । ତେବେ ମୋର ଜଳିବାରେ ଆପତ୍ତି କ’ଣ । ଜ୍ୱଳନଟା ତ ଏକା । ସେଥିରେ ଯଦି ମୋର ଏତେ ଲୋକ ଏତେ ପରିମାଣରେ ଉପକୃତ ହେବେ ତେବେ ମୁଁ କାର୍ପଣ୍ୟ କରିବି କାହିଁକି ? ଜାଣିଥିବା ଲୋକମାନେ ଏପ୍ରକାର ଏକ ଦୃଷ୍ଟାନ୍ତ ମଧ୍ୟ ଦେଖନ୍ତୁ । ହଠାତ୍ କେମିତି ପୁଷ୍ପିତା ପଟ୍ଟନାୟକର ପରିବର୍ତ୍ତନ ହୋଇପାରୁଛି । ସେ ଯଥାର୍ଥରେ ନାରୀ ଭଳି ତା ଭଉଣୀ, ଭାଉଜ ଆଉ ମା’ଙ୍କ ସହିତ ନିଜକୁ ସାମିଲ କରିଦେଇ ପାରିଛି-

 

ସିଏ ବେଳେବେଳେ ଆଦରରେ କୁହନ୍ତି—ନାରୀ ଚରିତ୍ର ପ୍ରତି ମୋର ବିତୃଷ୍ଣା ଥାଉ ପଛକେ ଦୁଇଟି ସ୍ଥାନରେ ତା’ର ବ୍ୟତିକ୍ରମ ମୁଁ ଦେଖେ । ଗୋଟିଏ ଶ୍ରୀକୃଷ୍ଣଙ୍କ ରାଧିକା ଏବଂ ଅନ୍ୟଟି ମୋ ଜୀବନର ପୁଷ୍ପ । ଆଜି ସେ ମଧ୍ୟ ଯେଉଁଠି ହେଲେ ଶୁଣନ୍ତୁ ପୁଷ୍ପ ତା’ର ନିଜସ୍ୱ ହରେଇ ନାହିଁ । ବସ୍ତୁବାଚକ ବିଶେଷ୍ୟ ଭଳି ଯେପ୍ରକାର ଅବସ୍ଥାରେ ମଧ୍ୟ ସେ ତା’ର ଗୁଣ ଆଉ ଧର୍ମ ରକ୍ଷା କରିପାରିଛି । ବ୍ୟତିକ୍ରମ ନୁହେଁ । ଯେତେ ରକମର ଆବରଣ ଭିତରେ ଘୋଡ଼େଇ ରଖନ୍ତୁ ପଛେ ମୁଁ ଶୁଦ୍ଧ ସୁବର୍ଣ୍ଣ ଭଳି ନିଜର ଆତ୍ମପ୍ରକାଶ କରି ସ୍ୱାର୍ଥପର ନାରୀ ପ୍ରମାଣିତ ହୋଇପାରିଛି ।

 

ମୁଁ ଯେତେବେଳେ ପରି ରିହର୍‌ସାଲରେ ପାର୍ଟ ମୁଖସ୍ଥ ଦେଲି ସେତେବେଳେ ସମସ୍ତେ ଖାଲି ତାଳି ମାରିଲେ ନାହିଁ । ଜଷ୍ଟିସ୍ ମଉସା କହିଲେ—ଯେତେହେଲେ ସେ ମୋ ଝିଆରୀ ପରା, ମୋ ତାଲିମ୍ ଭୁଲିବ ? ଶହଶହ ପିଲାଙ୍କ ସାମନାରେ ଠିଆହୋଇ ପାଠ ପଢ଼ଉଛି, ଏଡ଼େ ଏଡ଼େ ବହି ଘୋଷି ପକଉଛି । ଏତିକି ତାର ଭୁଲ୍‍ ହବ । ଥରେ ଘଟଣାର ମୋଡ଼ ବୁଲିଗଲେ ଗଲା ।

 

ସେହିଦିନଠାରୁ ପୁଷ୍ପ ମରିଯାଇଛି । ଆଉ ତା ସ୍ଥାନରେ ବଞ୍ଚିରହିଛି ଡକ୍ଟର ପୁଷ୍ପିତା ପଟ୍ଟନାୟକ, ଅଧ୍ୟାପିକା । ସେ ନାଁଟା ମଧ୍ୟ ଲୁଚି ସାରନ୍ତାଣି, କେବଳ ଜଣେ ତୁମଭଳି ଶ୍ରୋତା ଆଗରୁ ମିଳିଥିଲେ । ମୁଁ ନିଜେ ଚାହିଁଲି ନାହିଁ ମୋ ଭିତରେ ଏକଥାଟା ନିଃଶେଷ କରିଦବାକୁ । କୌଣସି ଅବସ୍ଥାରେ ବୀରେନ୍ଦ୍ର ଜାଣିବେ ଏକଥା । ମୋ ବିଷୟରେ ସେ ଯାହା ଭାବନ୍ତୁ ମୁଁ ଶାନ୍ତିପାଇପାରିବି ନାହିଁ । କାହାରି ପାଇଁ ମୁଁ ଚିନ୍ତିତ ନୁହେଁ । କେବଳ ସେ ବା ତାଙ୍କର ଯେ କେହି ଶହେବର୍ଷ ପରେ ମଧ୍ୟ ଜାଣିଲେ ଚଳିବ । କୁହ ଚନ୍ଦ୍ର ! ମତେ ତମେ ଦୋଷ ଦଉଥିଲ । କଣ କରିଥାନ୍ତ ମୋ ସ୍ଥାନରେ ତମେ ? ତମ ପାଦ ପାଖରେ ଲମ୍ୱ ଲମ୍ୱ କେଇଟାଦିହ । ଭଉଣୀମାନେ କହୁଛନ୍ତି—ତୋ ଜୀବନର ସବୁ ସୁଖ ଭୋଗକଲୁ । ଆମର କଣ କିଛି ଭବିଷ୍ୟତ ନାହିଁ ? ଆମେ କଣ ଆଉ ଘରସଂସାର କରିବୁ ନାହିଁ.... ??

 

ଏତିକି କହି କାନ୍ଦି କାନ୍ଦି ଲୋଟିପଡ଼ିଲେ ମାଡାମ୍‍ ସେଇଠି । ଏ ପ୍ରଶ୍ନ ମତେ ସେ ପଚାରିଲେ । ମୁଁ ଆପଣଙ୍କୁ ପଚାରୁଛି ମିଷ୍ଟର ମାନସିଂ ! ଆପଣ ସେ ଅବସ୍ଥାରେ ଥିଲେ କଣ କରିଥାନ୍ତେ ?’

 

ହତବମ୍ୱ ହୋଇ ଏକଲୟରେ ଚାହିଁଥାନ୍ତି ବୀରେନ୍ଦ୍ର, ସତେକି ଆଉ ଅଳ୍ପ ସମୟ ପରେ ଜଡ଼ ଦେହଟା ତାଙ୍କର ଗଡ଼ିପଡ଼ିବ । କ’ଣ ସେ ଶୁଣିଲେ ? ଚନ୍ଦ୍ର ପୁନରାୟ ଏକ କାଳ୍ପନିକ କାହାଣୀ ସୃଷ୍ଟିକରି ବୀରେନ୍ଦ୍ରଙ୍କୁ ପରୀକ୍ଷା କରୁନାହାଁନ୍ତି ତ ? ହଠାତ୍ ତାଙ୍କର ଦୃଷ୍ଟିପଡ଼ିଲା ଚନ୍ଦ୍ରଙ୍କ ଆଖିକୋଣ ଭିଜିଉଠିଛି । କିନ୍ତୁ ତାଙ୍କର କାହିଁକି ଲୁହ ବାହାରିବାର ମଧ୍ୟ ଆସୁନାହିଁ । ତଥାପି କ’ଣ ବୀରେନ୍ଦ୍ର ଭାବୁଛନ୍ତି ଯେ ପୁଷ୍ପଙ୍କର ଅନ୍ୟକିଛି ଚାରାଥିଲା ? ପରମୁହୂର୍ତ୍ତରେ ତାଙ୍କୁ ଲାଗିଲା ପୁଷ୍ପ ପ୍ରକୃତରେ ଓଜନରେ ଅଧିକ ହୋଇଗଲେ । ଅନ୍ୟକେହି ହୁଏତ ତାଠାରୁ ଅଧିକ କାଣ୍ଡ କରି ପକେଇଥାନ୍ତା । ତା’ହେଲେ କ’ଣ ଏସବୁ ହୋଇଗଲା ? ପୁଷ୍ପ ଯାହା କରିଗଲେ ସେଥିପାଇଁ ବୀରେନ୍ଦ୍ର ନିଜକୁ ଦାୟୀ କରିବା ଆରମ୍ଭ କଲେ । ଜୀବନର ପ୍ରତିଟି କ୍ଷେତ୍ରରେ ପୁଷ୍ପଙ୍କୁ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ କରିଦେଇଛନ୍ତି ବୀରେନ୍ଦ୍ର । ଯେକୌଣସି କଥା ପଡ଼ିଲେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ରିହରସାଲ କରି ପଠେଇଥାନ୍ତି ।

 

ପ୍ରତିଦିନର କ୍ଲାସନବା, ପାଠ ପଢ଼େଇବା ଛଡ଼ା ଆଉ କିଛିପାଇଁ ହେଲେ ବି ବୀରେନ୍ଦ୍ରଙ୍କୁ ଆଗରୁ କହି ପଠେଇବାକୁ ପଡ଼ିଥାଏ । ଆକାଉଣ୍ଟାଣ୍ଟଠାରୁ ଆରମ୍ଭ କରି ଭାଇସଚାନ୍‌ସଲର ପର୍ଯ୍ୟନ୍ତ କାହାରି ସହିତ ଦରକାର ଥିଲେ କିମ୍ୱା କୌଣସି ସାଙ୍ଗରେ ବିଭାଘରଠାରୁ ଆରମ୍ଭ କରି ପିଲା ଏକୋଇଶିଆ ପର୍ଯ୍ୟନ୍ତ କୁଆଡ଼େ ଯିବାର ଥିଲେ—ପ୍ରଥମେ ଯାଇ କ’ଣ କହିବାଠାରୁ ଆରମ୍ଭ କରି କ’ଣ କହି ପୁଷ୍ପ ଆସିବେ ସବୁ କଥା ବୀରେନ୍ଦ୍ର କହି ପଠେଇଥାନ୍ତି । କେତେବେଳେ ସାମାନ୍ୟ ବ୍ୟତିକ୍ରମ କେଉଁଠି ହେଲେ ପୁଷ୍ପଙ୍କର ସାଙ୍ଗେ ସାଙ୍ଗେ ବୀରେନ୍ଦ୍ରଙ୍କୁ ପରାମର୍ଶ କରିବା ଦରକାର ପଡ଼େ । ତେବେ ଜୀବନମରଣ ସମସ୍ୟାର ଏତେବଡ଼ ସମାଧାନ ବେଳରେ ସେ କାହା ସହିତ ଆଲୋଚନା କରି ପରାମର୍ଶ ଲୋଡ଼ିଥାନ୍ତି । ସେଥିପାଇଁ ତ ପୁଷ୍ପ ଅନେକ ଥର କହିଛନ୍ତି—ତମେ ନ ଥିଲେ ପାଖରେ ମୁଁ କ’ଣ କରିବି ସତରେ ? ବୀରେନ୍ଦ୍ର ହସିହସି ଉତ୍ତର ଦେଇଛନ୍ତି—ସେଥିପାଇଁ ତ ପାଖଛାଡ଼ି ମୁଁ ଯାଉ ନାହିଁ କି ଜୀବନରେ କେବେ ବି ଯିବ ନାହିଁ । ଆଜି ଏଭଳି ଏକ ଅବସ୍ଥାରେ ପୁଷ୍ପ ଆଉ କ’ଣ କରିପାରିଥାନ୍ତେ ? ବୀରେନ୍ଦ୍ର ମଧ୍ୟ ଅନ୍ୟ କ’ଣ ବୁଦ୍ଧି ଆଉ ଦେଇପାରିଥାନ୍ତେ ?

 

ଚନ୍ଦ୍ର ପୁଣି ମୁହଁ ଖୋଲିଲେ । ସତେ ଯେମିତି କିଛି କଥା ତାଙ୍କର ବାକି ରହିଯାଇଥିଲା । ଆଜି ତାଙ୍କୁ ମଧ୍ୟ ଲାଗୁଛି ତାଙ୍କର କିଛି କର୍ତ୍ତବ୍ୟ ପୁରଣ ହୋଇପାରୁଛି । ପୁଷ୍ପ ଦେଇଥିବା ଗୁରୁଦାୟିତ୍ୱ ସେ ଆଜି ସମାପନ କରିପାରିଛନ୍ତି । ବୀରେନ୍ଦ୍ରଙ୍କ ରକ୍ତର କାହାକୁ କାହାକୁ କହି ନାହାନ୍ତି ସ୍ୱୟଂ ବୀରେନ୍ଦ୍ରଙ୍କୁ ହିଁ ଭେଟି କହିବାର ଗୌରବ ହାସଲ କରିଛନ୍ତି ।

 

‘ମୋ ମୁଣ୍ଡରୁ ଆଜି ମସ୍ତବଡ଼ ବୋଝଟା ଓହ୍ଲେଇଲା ଭଳି ଲାଗୁଛି । ପୁଷ୍ପିତା ମାଡାମ୍‍ ମତେ କହିଥିଲେ ମାନସିଂ ବଂଶର ରକ୍ତଥିବା ଯେ କୌଣସି ବଂଶଧରଙ୍କୁ ମଧ୍ୟ ଏକଥା ଜଣେଇବାର ସୁବିଧା କରିବି । ମୁଁ କିନ୍ତୁ ଠିକ୍ ସେହି ଲୋକକୁ ହିଁ କହିପାରୁଛି । ରକ୍ତର କହାକୁ ଖୋଜିବା ଦରକାର ନାହିଁ ।

 

‘ବୀରେନ୍ଦ୍ର ମାନସିଂର ରକ୍ତର କାହାକୁ ସେ ଖୋଜି ପାଇଲେ ନାହିଁ ବୋଧହୁଏ ?’

 

ଏ କଥାଟା ସାମାନ୍ୟ ଉପହାସ କରି କହିବା ଭଳି ଜଣାଗଲା ଚନ୍ଦ୍ରଙ୍କୁ । ତେଣୁ ଚନ୍ଦ୍ର ସେ ସନ୍ଦେହ ମଧ୍ୟ ଦୂରୀଭୂତ କରିବା ପାଇଁ ଉତ୍ତର ଦେଲେ ।

 

‘ମୁଁ ଜାଣେ ଆପଣ ଯାହା କହୁଛନ୍ତି । ଆପଣଙ୍କ ରକ୍ତର ପୁଅ ଅଂଶୁକୁ କହିଥାନ୍ତେ ତ...-?’

 

ହଠାତ୍ କେମିତି ବୀରେନ୍ଦ୍ର ଚିହିଁକି ଉଠିଲେ । ତାଙ୍କ ଅଙ୍ଗରେ ଏକ ବୈଦ୍ୟୁତିକ ଶିହରଣ ସତେବା ଖେଳିଗଲା । ତାଙ୍କର ମୁଖମଣ୍ଡଳ ଆଉ ଚକ୍ଷୁର ଭାବ ବଦଳିଗଲା ।

 

‘ନାଁ ନାଁ, ମୁଁ ତା କଥା କହୁନାହିଁ । ମୋ ରକ୍ତର ପୁଅ ଅଂଶୁକୁ କହିବା ଦରକାର ନାହିଁ । ସେ ମୋ ରକ୍ତ ନୁହେଁ । ଏ ପ୍ରକାର ଉକ୍ତି ପୁଷ୍ପଙ୍କ ମୁହଁରୁ ରାଷ୍ଟ୍ରହୋଇ ସାରିଲାପରେ ମୁଁ ଭାବିଥିଲି ସେଇ ବୋଧହୁଏ କିଛି ଗୋଟାଏ କାଣ୍ଡ ଘଟେଇ ବସିବ । ଯଦି ବୀରେନ୍ଦ୍ର ମାନସିଂର ରକ୍ତ ତା’ଦିହରେ ଥାନ୍ତା ତେବେ ମୋରି ବନ୍ଧୁକ ଧରି ପିତୃକଳଙ୍କର ପ୍ରତିଶୋଧ ପାଇଁ.... ।’

 

ଆଉ କହିପାରିଲେ ନାହିଁ । ଗଳା ତାଙ୍କର ରୁନ୍ଧି ହୋଇଗଲା । ଅଂଶୁ ଯଦି ତାଙ୍କର ମଣିଷ ହୋଇଥାନ୍ତା ତେବେ ଏଠିମଧ୍ୟ ସେ ବିବ୍ରତ ହୁଅନ୍ତେ ନାହିଁ । କ୍ରମଶଃ ବୟସ ବଢ଼ିବ ସଙ୍ଗେ ସଙ୍ଗେ ହୁଏତ ବଦ୍‌ଖର୍ଚ୍ଚ କରିବାକୁ ଟଙ୍କା ଦରକାର ପଡ଼ୁଥିବ । ସେଥିପାଇଁ ନିଜେ ହୁଏତ ଟ୍ୟାକ୍‌ସି ଚଳଉଥିବା ଅସମ୍ଭବ ନୁହେଁ । ବୀରେନ୍ଦ୍ରଙ୍କ ଅକୁହା ରଖିଥିବା କଥାର ମର୍ମ ଚନ୍ଦ୍ର ବୁଝିଲେ । ପ୍ରକୃତରେ ତ ! କେତେବଡ଼ ଜରୁରୀ କଥାଟାଏ ତାଙ୍କର ମନେନଥିଲା କହିବାକୁ ।

 

ଅଂଶୁ ଠିକ୍ ଆପଣଙ୍କ ରକ୍ତର ହିଁ ପ୍ରମାଣ ଦେଇଛି ମିଷ୍ଟର ମାନସିଂ ! ଆପଣ ଯାହା ଭାବିଛନ୍ତି ସେ ସେଇଆ ହିଁ କରିଛି । ଆପଣଙ୍କର ଆଉ ଗୋଟାଏ ବନ୍ଧୁକ ପୁଷ୍ପିତା ମାଡାମ୍‍ ଘରେ ଥିଲା । କିଛି ବୁଲେଟ୍ ମଧ୍ୟ । ନିଶ୍ଚୟ ମନେଥିବ ଯେଉଁଥର ଶିକାର ପାଇଁ ସେ ମନାକଲେ ବୋଲି ସେ ଗୁଡ଼ା ସେଠି ରହିଥିଲା । ଥରେ ମାଡା‍ମ୍‍ ତାକୁ କାଢ଼ି ପୋଛାପୋଛି କରି ରଖିଥିଲେ । ଅଂଶୁକୁ କହିଲେ—ଏତେଦିନ ହେଲା ଏଇଟା ମୋ ପାଖରେ ଅଛି । ମୋ ସାଙ୍ଗମାନେ ହସୁଛନ୍ତି ଗୁଳି କୋଉଠି ପଶେ, କେମିତି ଲକ୍ ଖୋଲାହୁଏ ଆଉ ଟ୍ରିଗାର କେମିତି ଚିପାହୁଏ ମୁଁ ଜାଣେ ନାହିଁ । ଟିକେ ଖାଲି କହିଦିଅନ୍ତୁ ନାହିଁ ? ମୁଁ ମୋର ଅଧ୍ୟାପିକା ସାଙ୍ଗମାନଙ୍କୁ କହିଛି ତୋଠାରୁ ବୁଝି ସେମାନଙ୍କୁ କହିଦେବି । ତାକୁ ବୁଲେଟ୍ ଅଛି ବୋଲି ଦେଖେଇ ନଥାନ୍ତି । ଏକଥା କହିବା ମାତ୍ରେ ଅଂଶୁ କଣ ଭାବିଲା କେଜାଣି ହଠାତ୍ ବୁଲେଟ୍ କାହିଁ ବୋଲି ପାଟିକଲା । ମାଡା‍ମ୍‍ ତାକୁ କହିଲେ ଯେ ବୁଲେଟ୍ ନାହିଁ । ଆଉ ଦରକାର ମଧ୍ୟ ନାହିଁ । ଖାଲି କେମିତି କଣ ହୁଏ ସେ ଜାଣିବାକୁ ଚାହାଁନ୍ତି-। କିନ୍ତୁ ଅଂଶୁ ଶୁଣିଲାନାହିଁ, ବିଶ୍ୱାସ କଲାନାହିଁ । ତା’ ମୁଣ୍ଡକୁ ନିଶା ଚଢ଼ିଗଲା । ସବୁ ଖୋଜିବା ଆରମ୍ଭକଲା । ଶେଷରେ କ୍ୟାଟ୍ରିଜ୍‌ଟା ପାଇଲା ।

 

‘ଆଃ... ।’

 

ଖୁବ୍ ଜୋର୍‌ରେ ତଣ୍ଟିଫଟେଇ କେମିତି ଏକ ଚିତ୍କାର କଲେ ବୀରେନ୍ଦ୍ର । ସେଇଟା ଯେ ମଣିଷର ସ୍ୱର ଏବଂ ଏତେ ବିଭତ୍ସ ହୋଇପାରେ ଚନ୍ଦ୍ରଙ୍କର ସନ୍ଦେହ ହେଲା । ସେ ମଧ୍ୟ ଥରିଉଠିଲେ-। ପ୍ରକୃତିସ୍ଥ ହୋଇ ଦେଖନ୍ତି ତ ବୀରେନ୍ଦ୍ର ଢଳିପଡ଼ିଛନ୍ତି । ଏପ୍ରକାର ଏକ ଶବ୍ଦ ଶୁଣି ସେଣ୍ଟ୍ରୀ ମଧ୍ୟ ଧାଇଁ ଆସିଲା । ଚନ୍ଦ୍ର ଡରିଗଲେ, ବୀରେନ୍ଦ୍ର କଣ ସତରେ ତାଙ୍କୁ ଫାଙ୍କିଦେଇ ଚାଲିଗଲେ ସବୁଦିନପାଇଁ ? ବ୍ୟସ୍ତ ହୋଇଉଠି ପରୀକ୍ଷାକଲେ । ସେ ସଂଜ୍ଞାହୀନ ହୋଇପଡ଼ିଛନ୍ତି । ସାଙ୍ଗେ ସାଙ୍ଗେ ପାଣିଛିଟା ମାରି ତାଙ୍କୁ ଚେତା କରିବାକୁ ଲାଗିପଡ଼ିଲେ ଚନ୍ଦ୍ରଙ୍କ ସହିତ ଅନ୍ୟମାନେ-। ଅଳ୍ପକରେ ଚନ୍ଦ୍ର ସେମାନଙ୍କୁ ବୁଝେଇ ଦେଲେ ଅପରାଧି ନିଜର ଅତୀତ କହୁ କହୁ ସଂଜ୍ଞାହୀନ ହୋଇପଡ଼ିଛି । ଅନେକ ଲୋକଙ୍କୁ ସେବା କରିବାକୁ ନିଯୁକ୍ତ କରେଇସାରି ଚନ୍ଦ୍ର ଭାବିଲେ କମିଶନରଙ୍କୁ ଆଉ ଜେଲ୍‌ର ସାହେବଙ୍କୁ ଟେଲିଫୋନ୍ କରି ଏପ୍ରକାର ଏକ ଅବସ୍ଥା ସମ୍ପର୍କରେ ଜଣେଇ ଦବାଟା ଉଚିତ ହବ ।

 

ପ୍ରତ୍ୟୁତ୍ତରରେ କମିଶନର ଚନ୍ଦ୍ରଙ୍କୁ ଓଲଟା ଉପଦେଶ ଦେଲେ—

 

‘ଦାସ୍, ମୁଁ ଜାଣେ ସେ ଲୋକ କେବେହେଲେ ଦୋଷୀ ହୋଇପାରେନା । ଯଦିବା ହେଇଥିବ ତା ଭିତରେ ଅନେକକିଛି କ୍ଷୋଭ ରହିଯାଇଛି । ତାକୁ କୌଣସିମତେ ବୁଝିବାକୁ ଚେଷ୍ଟାକର । ଥରେ କାହିଁକି, ସେ ଶହେଥର ବେହୋସ ହୋଇଯାଉ । ଯାହାହବ ମୁଁ ବୁଝିବି । କିନ୍ତୁ ତମେ ତା ଭିତର ମଣିଷକୁ ବାହାର କରିବାକୁ ଚେଷ୍ଟାକର । ରାତିରେ ଆଜି ତମର ଫେରିବାର ନାହିଁ । ତୁମେ ମୋର ଅତିଥି । ଏଇଠି ରହିବ ।’

 

କଥାବାର୍ତ୍ତା ସାରି ଫେରିଲାବେଳକୁ ବୀରେନ୍ଦ୍ରଙ୍କର ସଂଜ୍ଞା ଫେରୁଛି । ସେ ଚନ୍ଦ୍ରଙ୍କୁ ଦେଖିବାପରେ କଷ୍ଟକରି ନିଜକୁ ପ୍ରକୃତିସ୍ଥ କଲେ । ଟେବୁଲର କଣ ବାଜି ସାମାନ୍ୟ ଖଣ୍ଡିଆ ହୋଇଛି କପାଳରେ ।

 

‘ତାପରେ...ତା’ପରେ କଣ ହେଲା ପୋଲିସ ସାହେବ ମତେ କୁହନ୍ତୁ ।

 

‘ମତେ ଆଉ ପଚାରିବାର କଣ ଅଛି ? ଆପଣଙ୍କ ରକ୍ତପରା । ତା’ପରେ ସେ ବୁଲେଟ୍ ଆଉ ବନ୍ଧୁକ ଧରି ଏକମୁହାଁ ସେଠୁ ବାହାରି ପଳେଇଲା । ମାଡା‍ମ୍‍ ଅଟକେଇବାକୁ ଚେଷ୍ଟାକରି ମଧ୍ୟ ପାରିଲେ ନାହିଁ । କିଛିଦିନପରେ କେବଳ ମାଡାମ୍‍ ତା’ଠାରୁ ଜାଣିଲେ ବୁଲେଟ୍‌ଗୁଡ଼ାକୁ ଗାଁ ଘର କୂଅରେ ପକେଇଦେଇଛି । ଆଉ ବନ୍ଧୁକଟା ଆପଣଙ୍କ ଘରେ ଅନ୍ୟ ବନ୍ଧୁକ ପାଖରେ ରଖାହୋଇଛି-। ଅଂଶୁର ଉତ୍ତର ହେଲା—ବନ୍ଧୁକଟା ଆତ୍ମହତ୍ୟା କରିବାକୁ ନୁହେଁ, ଆତ୍ମରକ୍ଷା କରିବାକୁ-। ଏଥର ଆପଣ ବୁଝନ୍ତୁ ! ସେ ଆପଣଙ୍କର ରକ୍ତ ନାଁ ଅନ୍ୟ କାହାରକ୍ତ ? ସେହି ରକ୍ତକୁ ସବୁକଥା ଶୁଣିବା ଭଳି ଯଥେଷ୍ଟ ବୟସ ହୋଇନାହିଁ । ଅନ୍ତତଃ ଅନୁରୂପ ବୟସକୁ ନଆସିଲେ ଏକଥାଗୁଡ଼ା କେମିତି ତା’ ସହିତ କଥାବାର୍ତ୍ତା କରିବେ ମାଡାମ୍‍ ।’

 

ଧୀରେ ଧୀରେ ଆଉ କେତେଟା ଶେଷକଥା ପଚାରିବାକୁ ଶକ୍ତି ସଞ୍ଚୟ କରୁଥିଲେ ବୀରେନ୍ଦ୍ର । କିନ୍ତୁ ଏସବୁ ପ୍ରଶ୍ନର ଉତ୍ତର ଶୁଣିଲାପରେ ନିଜେ ଧୈର୍ଯ୍ୟରଖି ପାରିବେତ ? ଯେଉଁ ପ୍ରଶ୍ନକୁ ଚନ୍ଦ୍ର ଏପର୍ଯ୍ୟନ୍ତ ବହୁ ଯତ୍ନରେ ଏଡ଼େଇ କହି ଚାଲିଛନ୍ତି । ତାଙ୍କୁ ଯେମିତି ଲାଗୁଛି ଇହକାଳରୁ ମୁକ୍ତିପାଇବା ଆଗରୁ ତାଙ୍କର ସେହି ଯୋଡ଼ିଏ କଥା ଜାଣିଗଲେ ଚଳିବ । କଥା ଦୁଇଟା ପଚାରିବେ ବୋଲି ଭାବିଲାବେଳକୁ ବୀରେନ୍ଦ୍ରଙ୍କର ନିଃଶ୍ୱାସ ଘନ ଘନ ପ୍ରବାହିତ ହେବାକୁ ଲାଗିଲା । ପୁଣି ତାଙ୍କ ମୁଣ୍ଡ ଘୁରେଇଦେଲା । ନାଃ...ସେ ବୋଧହୁଏ ଦୁଇଟାଯାକ ପାରିବେନାହିଁ । ତାଙ୍କର ଆଶା ପୂରଣ ନହେଉପଛେ ସେ ଆଉ ସେଭଳି କଥା କିଛି ଶୁଣିବେ ନାହିଁ ଯେଉଁଟାକି ପୁଣି ତାଙ୍କୁ ବାକି ଜୀବନତକ ଅଶାନ୍ତ, ଅତିଷ୍ଠ ଆଉ ଅନୁତପ୍ତ କରିବ ।

 

ଏହାରି ଭିତରେ ଚନ୍ଦ୍ର ଜଣକୁ ଡାକିଲେ । ଜଳଖିଆ ପରେ ଚା’ଟା ଆସିନାହିଁ ବୋଲି ଆଣିବାକୁ ବରାଦ୍ ଦେଲେ । ବୀରେନ୍ଦ୍ରଙ୍କର ଚେତା ଫେରିଥିଲେ ମଧ୍ୟ କ୍ଲାନ୍ତିପାଇଁ ଚା’ଟା ବୋଧହୁଏ ଆବଶ୍ୟକ । ସେହି ସମୟ ଭିତରେ ବୀରେନ୍ଦ୍ର ମାନସିକ ପୀଡ଼ନ ଅନୁଭବ କରୁଥିଲେ । ପଚାରିବାର ଇଚ୍ଛା ବଳବତ୍ତର ହେଲା । ଶେଷରେ ବୀରେନ୍ଦ୍ର ମନସ୍ଥକଲେ—ନାଃ...ଅଂଶୁ କଥା ପଚାରି କ’ଣ ଲାଭ ? ସେ ତ ନିଜେ ଆଖିରେ ଦେଖି ଆସିଛନ୍ତି, ଶୁଣି ଆସିଛନ୍ତି । ଆଉ ଚନ୍ଦ୍ର ମଧ୍ୟ କିଛି କହୁନାହାଁନ୍ତି । ଅନୁ କଥା କହିଲେ କିନ୍ତୁ ଅଂଶୁ କଥାତ କହିଲେ ନାହିଁ । ତେଣୁ ତାର ଯାହାହେବାର ସେ ହୋଇଛି । ସବୁଦିନ ପାଇଁ ମାନସିଂ ବଂଶର ଅପଯଶ ହୋଇରହିଲା । କିନ୍ତୁ ଅନ୍ୟ ପ୍ରଶ୍ନଟା ? ନିଜେ ସେ ଶୁଣି ଆସିଥିଲେ ମଧ୍ୟ ଜାଣିବାକୁ ମନ ଉଚ୍ଛନ୍ନ ହେଉଛି ।

 

‘ବାବୁ ! ପୁଷ୍ପର ବର୍ତ୍ତମାନ ଖବର କିଛି ଜାଣିଛନ୍ତି ? ସେ କୁଆଡ଼େ ଗଲେ ବା କୋଉଠି ଅଛନ୍ତି ସେ ସମ୍ପର୍କରେ ଆପଣ କିଛି.... ।’

 

ଚନ୍ଦ୍ରଙ୍କୁ ଲାଗିଲା ବୀରେନ୍ଦ୍ର ମାନସିଂ ପୌଢ଼ାବସ୍ଥାର ଶେଷ ସୋପାନରେ ଏ ପ୍ରଶ୍ନ ପଚାରୁନାହାଁନ୍ତି । ତାରୁଣ୍ୟର ପ୍ରଥମ ଅବସ୍ଥାରେ କଲେଜ ପଢ଼ିଲାବେଳେ ଜଣେ ଯେମିତି ତା’ ପ୍ରାୟାର ବାନ୍ଧବୀକୁ ଦ୍ୱିଧାର ସହ ପ୍ରଶ୍ନକରେ—ତାର ମାନସୀଟି ଆଜି କ୍ଲାସ ଆସିଛି କି, ଠିକ୍‌ ସେମିତି । ଅଜସ୍ର ସଙ୍କୋଚ ଭିତରେ ଏ ପ୍ରଶ୍ନକଲେ ବୀରେନ୍ଦ୍ର ।

 

‘କାଲିଫର୍ଣ୍ଣିଆରେ, ଦୁଇବର୍ଷ ହୋଇଗଲା ବୋଧହୁଏ ତାଙ୍କର । ଭିଜିଟିଂ ଫେଲୋସିପ୍ ପାଇ ବର୍ଷକପାଇଁ କାଲିଫର୍ଣ୍ଣିଆ ଯାଇଥିଲେ । ଆଉ ବର୍ଷ ବଢ଼େଇଛନ୍ତି । ମୁଁ ତାଙ୍କଠାରୁ ଏଇ ଅଳ୍ପଦିନ ତଳେ ଖଣ୍ଡେ ଚିଠି ପାଇଛି । ସେ ପ୍ରାୟ ଲେଖନ୍ତି । ଏଥର ଲେଖିଛନ୍ତି ଯେ ପୁଣି କିଛିଦିନ ପାଇଁ ତାଙ୍କ ରହିବା ବଢ଼େଇବେ ବୋଲି ଭାବୁଛନ୍ତି । ଦିନକୁଦିନ ଫେରିବା ଆକର୍ଷଣ କେମିତି କମିଯାଉଛି ।’

 

ବୀରେନ୍ଦ୍ର ବେଳକୁବେଳ ଆହୁରି ନିଶ୍ଚଳ ହୋଇଉଠୁଥିଲେ । ତାଙ୍କର ମନେ ହେଉଥିଲା କ୍ରମଶଃ ତାଙ୍କର ପାଦଆଡ଼ୁ ସବୁ ଶୀତଳ ହେବା ଆରମ୍ଭ କରିଛି । ହୁଏତ ଆଉ ଅଳ୍ପକ୍ଷଣ ପରେ ଏକ ଜଡ଼ୀଭୂତ ବରଫ ପାଲଟିଯିବେ । ସେମିତି ନିଷ୍ପ୍ରଭ ଆସୁଥିବା କଣ୍ଠରେ ବାଣୀ ଫୁଟେଇ କହିଲେ ।

 

‘ଭଲ, ଏପଟରୁ ଆକର୍ଷଣ କମିଗଲେ ସେପାଖ ପ୍ରତି ଆକର୍ଷଣ ବଢ଼ିଯିବ । ଆପଣ ଦେଖିବେ ସେ ଆଉ ଫେରିବ ନାହିଁ । ସେଇଠି ବିବାହ କରି, ଘରସଂସାର କରି ସେ ସୁଖରେ ରହୁ-। ତାର କଳଙ୍କ ଚରିତ୍ରପତ୍ର ସେଠି ପଢ଼ିବାକୁ କେହି ନଥିବେ ବା ବୀରେନ୍ଦ୍ର ମାନସିଂ କଳୁଷିତ କରିଥିବା ବୟସର ଅଙ୍କ କେହି କଷିବେ ନାହିଁ । ସେ ଶୁଭରେ ରହୁ । ଘରସଂସାର କରୁ-।’

 

କେମିତି କେଜାଣି ସ୍ୱତଃ ପ୍ରବୃତ୍ତ ଭାବରେ ବାହାରିପଡ଼ିଲା ମୁହଁରୁ ଏକଥା । ପୁଷ୍ପ ବିବାହ କରିବା ଉଚିତ, ଯେ କୌଣସି ଜଣେ ନାରୀ ଭଳି । ବିବାହର ମାହାତ୍ମ୍ୟ ଯେତେବେଳେ ସେ ଅନ୍ୟକୁ ବୁଝେଇବା ଆରମ୍ଭ କଲେ ସେତେବେଳକୁ ପୁଷ୍ପଙ୍କଠାରୁ ଯଥେଷ୍ଟ ଦୂରରେ । ବିବାହର ଆବଶ୍ୟକତା ସମ୍ପର୍କରେ ତାଙ୍କର ପ୍ରବଚନ ସେ କେଉଁଠି ପଢ଼ି ଶିଖି ନାହାନ୍ତି ବା କାହାଠାରୁ ଶୁଣି ମନେରଖି ନାହାଁନ୍ତି । ଏ ସିଦ୍ଧାନ୍ତ ପଛରେ ଏକ ସ୍ମୃତି ନିହିତ ଅଛି ।

 

କେଇଖଣ୍ଡ ଶସ୍ତା ବହି ପଢ଼ି ସେ ଯେତେବେଳେ ବୃନ୍ଦାବନରେ କିଛିଦିନ ସାଧୁ ସାଜି ଦୀକ୍ଷା ପ୍ରଦାନ କରୁଥିଲେ ସେତିକିବେଳେ ସ୍ମୃତି । ଭକ୍ତ ବେଢ଼ି ଆବୃତ୍ତି ଓ ବ୍ୟାଖ୍ୟାନ ଶୁଣୁଥିଲେ ବୀରେନ୍ଦ୍ରଙ୍କର । ସହତ ସରଳ ଭାବରେ ବୁଝେଇ ଚାଲିଥିଲେ ବୀରେନ୍ଦ୍ର । ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଲା ଦୁଇଜଣ ଅନୁଚ୍ଚ ସ୍ୱରରେ କଥାବାର୍ତ୍ତା ହୋଇ ଓଟରା ହେବାରେ ବ୍ୟସ୍ତ । ବୀରେନ୍ଦ୍ର ଦେଖି ନ ଦେଖିବାର ଛଳନା କଲେ । ଜଣେ ନାରୀ ଓ ଅନ୍ୟଜଣକ ପୁରୁଷ । ହୁଏତ ରାଧା ଓ କୃଷ୍ଣଙ୍କ ପ୍ରେମରସ ଶୁଣିବାପରେ ଭାବର ଉଦ୍ରେକ ହୋଇ ବାସ୍ତବରେ ରୂପନେଉ ଥାଇପାରେ । କିନ୍ତୁ ବୀରେନ୍ଦ୍ର ଅଳ୍ପକେ ବୁଝିଲେ—ତାହା ଠିକ୍‌ ସମ୍ଳେହ ନିବେଦନ ନୁହେଁ ।

 

ସାଧୁଜୀଙ୍କ ବାଣୀ କ୍ରମେ ସେହି ଦୃଷ୍ଟାନ୍ତକୁ ଆଗେଇଲା ସର୍ବଜ୍ଞ ଭଳି । ସେ ଦୁହେଁ ହଠାତ୍‌ ତଟସ୍ଥ ହେଲେ । ସତେକି ସାଧୁଜୀ ପ୍ରସନ୍ନ ହୋଇଛନ୍ତି । ଆଲୋଚନା ଶେଷରେ ସମସ୍ତେ ଉଠିଲେ । କିନ୍ତୁ ରହିଗଲେ ସେହି ଦୁଇଜଣ । ଏକ ବିୟୋଗାନ୍ତକ ଦୃଶ୍ୟର ଅବତାରଣା କରି ଦୁହେଁ ସାଧୁଜୀଙ୍କ ପାଦତଳେ ପଡ଼ି ବିଗଳିତ ହୃଦୟରେ ଆବେଗରେ ନିଜର ଦୁଃଖ ଜଣେଇଲେ । ବିବାହର ମାତ୍ର ବର୍ଷକ ଭିତରେ ପ୍ରତ୍ୟହ ମନୋମାଳିନ୍ୟ । ଦୁହେଁ ଏଇଠି ଶପଥ କରି ବିବାହ କରିଥିଲେ । ତେଣୁ ଏଠିକି ଅନିଚ୍ଛା ସତ୍ତ୍ୱେ ଆସିଛନ୍ତି ସବୁଦିନ ପାଇଁ ବିଚ୍ଛେଦ ବରିନେବାକୁ । ତାଙ୍କର ସମାଧାନ ଦରକାର, ଆଶୀର୍ବାଦ ଦରକାର ।

 

ସାଧୁଜୀ ଧ୍ୟାନ ମଗ୍ନ ହେଲେ ପ୍ରଭୁଙ୍କ ମତାମତ ପାଇଁ ଚକ୍ଷୁ ନିମିଳିତ କରି ଆରାଧନା କଲେ । ସହସା ଆଶ୍ଚର୍ଯ୍ୟ ହେଲେ ତାଙ୍କ ନୟନରୁ ଲୁହ ଝରିପଡ଼ିଲା—କାହିଁକି ? ବୁଝିପାରିଲେ ନାହିଁ, ସେ ଲୁହର ସାମଞ୍ଜସ୍ୟ ପୁଷ୍ପ ଅବା ସାବିତ୍ରୀ—କାହାର ଲୁହ ସହିତ ସାମଞ୍ଜସ୍ୟ ଅଛି । ସେହି ଅବସସ୍ଥାରେ ତାଙ୍କ ମୁଖରୁ ସଂକ୍ଷିପ୍ତ ଧାଡ଼ିଟିଏ ନିଃସୃତ ହେଲା ।

 

ବିବାହର ବୈଚିତ୍ର୍ୟ, ମାହାତ୍ମ୍ୟ ଓ ତାତ୍ପର୍ଯ୍ୟ ।

 

ଆଉ ସେଦିନର ବୀରେନ୍ଦ୍ରଙ୍କର ସେ ତତ୍ତ୍ୱ ପ୍ରବଚନର ସାରାଂଶ ହେଲା—ବୈବାହିକ ବନ୍ଧନ ବାହାରେ ଆଧୁନିକତାର ଅଗ୍ରଗତି ସହିତ ଅନ୍ୟ ଯେତେପ୍ରକାର ସାମୟିକ ବିଳାସ ଗଢ଼ି ଉଠିଲେ ସୁଦ୍ଧ ବିବାହଟା ହିଁ ଜୀବନର ଅନ୍ତିମ ଲକ୍ଷ୍ୟ ହେବା ସମ୍ଭବ । ଏମିତି ଏହା ଛଡ଼ା ଅନ୍ୟ କୌଣସି ଅବସ୍ଥା ନାହିଁ ଯେଉଁଥିରେ କି ଜଣେ ନିଶ୍ଚିତ ହୋଇପାରିବ ଯେ ଅନ୍ୟ ଜଣେ ତା ପାଇଁ ବ୍ୟସ୍ତ ହୋଇଉଠୁଛି । ତା’ର ଶୁଭକାମନା କରୁଛି ଏବଂ ସେହି ଏକା ସାଙ୍ଗରେ ବିରକ୍ତ ପ୍ରକାଶ ମଧ୍ୟ କରୁଛି ।

 

ଚା’ଟା ଆସିଲା । ଲୋକଟି ଦୁଇକପ୍‌ ଦୁଇଜଣଙ୍କ ସମ୍ମୁଖରେ ରଖିଗଲା । ଚନ୍ଦ୍ର ଏକ ବିଭତ୍ସ ହସ ହସି ଉଠୁଥିଲେ । କିନ୍ତୁ ତୃତୀୟ ପୁରୁଷଟିର ଉପସ୍ଥିତି ପାଇଁ ତାହା କରିପାରିଲେ ନାହିଁ ।

 

‘ସେଠି ଘରସଂସାର କରିବେ ? ବିବାହ କରିବେ ନୁହେଁ ? ଆଉ ସାଙ୍ଗରେ ଯେଉଁ ନିଜର ରକ୍ତକୁ ନେଇଯାଇଛନ୍ତି ?’

 

ହଠାତ୍‌ ପୁଣି ବୀରେନ୍ଦ୍ରଙ୍କ ଶକ୍ତି ଫେରି ଆସିଲା ଭଳି ଲାଗିଲା । ହୁଏତ କମିଶନରଙ୍କ କଥା ଅନୁଯାୟୀ ପୁଣି ତାଙ୍କର ବେହୋସ୍‌ ହୋଇଯିବା କଥା । ସେ କିନ୍ତୁ ନିଜକୁ ସଞ୍ଜତ କଲେ ।

 

‘ନିଜର ରକ୍ତ.... ? କାହା ରକ୍ତ ?’

‘କାହା ରକ୍ତ କହିପାରିବି ନାହିଁ । କିନ୍ତୁ ଦୁନିଆଁକୁ ସେ ଜଣେଇଛନ୍ତି ତାଙ୍କ ରକ୍ତ ବୋଲି । ଅଂଶୁ...ଅଂଶୁ ଅନିନ୍ଦିତ । ତାଙ୍କର ପାଖରେ ରହି କଲେଜରେ ପଢ଼ୁଥିଲା । ମାଡ଼ାମ୍‍ଙ୍କର ଯେମିତି କାଲିଫର୍ଣ୍ଣିଆ ଯିବାର ହେଲା ତା’ପାଇଁ ମଧ୍ୟ ସେ ଯିବାର ବ୍ୟବସ୍ଥା କରି ନେଇଯାଇଛନ୍ତି । ସେଠି ଅଂଶୁ ଆପ୍ଳାଏଡ଼୍ ଟେକ୍ନୋଲଜି କୋଉଥିରେ ଗୋଟାଏ ବିଶେଷ ଜିନିଷ ପଢ଼ୁଛି । ତାର ପାଞ୍ଚ ବର୍ଷର କୋର୍ସ । ମାତ୍ର ଦୁଇବର୍ଷ ହୋଇଛି । ତା’ପାଇଁ ଇଏ ମଧ୍ୟ ରହଣି ବଢ଼େଇ ଚାଲିଛନ୍ତି । ରକ୍ତ କଥା କହିଲେ ଯେ—ସେ କିନ୍ତୁ ସମସ୍ତଙ୍କ ଆଗରେ ମୋ ପୁଅ ବୋଲି କହିଥାନ୍ତି । ଯେଉଁ କହିବାରେ ସାମାନ୍ୟ ଗ୍ଲାନି ମଧ୍ୟ ମୁଁ ଆବିଷ୍କାର କରିନାହିଁ । ପୃଥିବୀରେ ତାଙ୍କର ବୋଧହୁଏ ଜଣେ କେବଳ ବର୍ତ୍ତମାନ ନିଜର । ସେ ଅଂଶୁ ଅନିନ୍ଦିତ । ତାର ସାଜ୍ଞା ନାହିଁ ତେଣୁ ସେ ମାନସିଂ ବା ପଟ୍ଟନାୟକ ଏକଥା କହିପାରିବି ନାହିଁ । ସେ ଇତିହାସ ଆପଣଙ୍କୁ ହିଁ ଜଣାଇବ । ମୋର ବୋଧହୁଏ କହିବା ଶେଷ ହୋଇଛି । ଆଉ ଅଳ୍ପ ସମୟ ପରେ ଖାଇବାର ଦିଆଯିବ । ଆପଣ କ୍ଳାନ୍ତ ଅନୁଭବ କରିବେଣି । ମୋର ବିଦାୟ ନବା ଉଚିତ ।’

ଏସବୁ କିଛି କେମିତି ଶୁଭୁନାହିଁ ବୀରେନ୍ଦ୍ରଙ୍କୁ । ସେ ଭାବୁଥିଲେ ପ୍ରକୃତରେ ସେ ହାରିଯାଇଛନ୍ତି । କାହାକୁ ନମାରି ମଧ୍ୟ ସମସ୍ତଙ୍କୁ ମାରିଦେଇଛନ୍ତି । ଅବିଚାର କରିଛନ୍ତି । ସବୁଠାରୁ ଅଧିକ ପୁଷ୍ପଙ୍କ ପ୍ରତି, କିନ୍ତୁ ପୁଷ୍ପ ? ପ୍ରତିଟି କଥା ତାଙ୍କର ଅକ୍ଷରେ ଅକ୍ଷରେ ରକ୍ଷା କରିଛନ୍ତି । ବୀରେନ୍ଦ୍ରଙ୍କର ମନେପଡ଼ିଲା ପୁଷ୍ପଙ୍କ ପ୍ରତିଶ୍ରୁତି ।

‘ଦେଖ ! ଅଂଶକୁ ମୋ ପାଖରେ ଛାଡ଼ିଦବ । ସେ ମୋ ପୁଅ । ଅନୁ ତା’ ମା ପାଖରେ ଛାଡ଼ିଦବ । ସେ ମୋ ପାଖରେ ରହୁ । ସାବିତ୍ରୀ ଭଳି ତମ ସାବିତ୍ରୀ । ତାଙ୍କରି ଆଦର୍ଶରେ ସେ ବଢ଼ୁ-। ମୋ ପାଖରେ ରହିଲେ ସେ ଚରିତ୍ରହୀନା ହବ—ଠିକ୍‌ ମୋରି ଭଳି । ମୁଁ ଯେମିତି ଏକ ବିବାହିତ ପୁରୁଷକୁ ନିଜ ସ୍ୱାର୍ଥପାଇଁ ତାର ସ୍ତ୍ରୀ, ପିଲା ସମସ୍ତଙ୍କର ପାଖରୁ ଛଡ଼େଇ ଆଣିଛି କାଳେ ସେ ସେଗୁଡ଼ା ଶିଖିବ । ମୁଁ ଚାହେଁନା । କିନ୍ତୁ ଅଂଶୁକୁ ତମେ ମୋ ପାଖରେ ଛାଡ଼ିଦିଅ, ଦେଖିବ-। ତାକୁ ଠିକ୍ ବୀରେନ୍ଦ୍ର ମାନସିଂ ଭଳି ବ୍ୟକ୍ତିତ୍ୱ କରି ଗଢ଼ିତୋଳିବି । ତମର ଯେଉଁ ବିଶେଷତ୍ୱ ତମ ସାବିତ୍ରୀଙ୍କୁ ମଧ୍ୟ ଅଛପା ସେ ସବୁର ଛାଞ୍ଚରେ ଅଂଶୁକୁ ମୁଁ ତିଆରି କରିବି । ଯଦି ତମେ ଭୟ କରୁଛ ଯେ ସାବିତ୍ରୀ ଏଥିପାଇଁ କି ମତାମତ ଦେବେ, ଦାୟିତ୍ୱ ମୋର । ତମେ ତାଙ୍କୁ କହିବା ଦରକାର ନାହିଁ-। ମୁଁ ତାଙ୍କୁ ବୁଝେଇ କ’ଣ କହିବି ମୁଁ ଜାଣେ ।

ପ୍ରକୃତରେ ପୁଷ୍ପ ତାଙ୍କ କଥା ରଖିଛନ୍ତି । ହେଲେ ବୀରେନ୍ଦ୍ର ? ଏସବୁ ଯାହା ହୋଇଗଲା ସେଥିପାଇଁ ବର୍ତ୍ତମାନ ସେ ବୁଝୁଛନ୍ତି ଯେ ନିଜେହିଁ ତ ଦାୟୀ । କିଛିକ୍ଷଣ ଆଗରୁ ସେ ଅହଙ୍କାରର ସହିତ ଭାବୁଥିଲେ ଯଦି ମୁକ୍ତିପାଇବେ ତେବେ ତାଙ୍କୁ ଜଣେ ଅନ୍ତତଃ ମୁହଁଲୁଚେଇବ, ସେ ହେଲେ ପୁଷ୍ପ । କିନ୍ତୁ ସେ ଦର୍ପ ତାଙ୍କର ଚୂର୍ଣ୍ଣ ହୋଇଗଲା । ବୀରେନ୍ଦ୍ରଙ୍କର ମୁହଁନାହିଁ ପୁଷ୍ପକୁ ଦେଖେଇବା ପାଇଁ କାରଣ ନିଜର ପ୍ରତିଶ୍ରୁତି ଗୋଟିଏ ତ ହେଲେ ପାଳନ କରିନାହାଁନ୍ତି ।

ଥରେ ନୁହେଁ ଅବା ଦୁଇଥର ନୁହେଁ, ପ୍ରାୟ ସଦାବେଳେ ପୁଷ୍ପ ତାଙ୍କୁ ଶପଥ କରେଇଛନ୍ତି-। ଦେଖେ ! ବାସ୍ତବତାଠାରୁ କେବେ ଦୂରେଇଯିବନାହିଁ । କିନ୍ତୁ ବୀରେନ୍ଦ୍ର ବାସ୍ତବତାକୁ ସମ୍ମୁଖ ନକରି ପଳେଇଯାଇ ଏ ଅବସ୍ଥାରେ ପହଞ୍ଚିଛନ୍ତି । ପୁଷ୍ପ କୁହନ୍ତି—ଜୀବନରେ ଥରଟିଏ କେବେହେଲେ ତାଙ୍କ ପାଖରେ କୌଣସି କଥା ନଲୁଚେଇବାକୁ । କିନ୍ତୁ ବୀରେନ୍ଦ୍ର ଏ ସମସ୍ତ କଥା ତାଙ୍କଠାରୁ ଲୁଚେଇ ରଖିଛନ୍ତି । କିଛି ନହେଲେ ବି ଖଣ୍ଡେ ଚିଠିରେ ତ ସବୁକଥା ଲେଖି ପକେଇ ପାରିଥାନ୍ତେ-। ପୁଷ୍ପ କହିଥିଲେ—ଥରଟିଏ କେବେ ତାଙ୍କ ପାଖ ନ ଛାଡ଼ିବାକୁ । କିନ୍ତୁ ସବୁଦିନ ପାଇଁ ନିତାନ୍ତ ଦାୟିତ୍ୱହୀନ ଭାବରେ ପରିସ୍ଥିତିର ଆଳନେଇ ବୀରେନ୍ଦ୍ର ପୁଷ୍ପଙ୍କ ଏକାକରି ଛାଡ଼ି ଆସିଛନ୍ତି-। କିନ୍ତୁ ପୁଷ୍ପ ତାଙ୍କର ପ୍ରତିଟି ପ୍ରତିଶ୍ରୁତି ଏତେ ଅବସ୍ଥା ଭିତରେ ମଧ୍ୟ ପାଳନ କରିଚାଲିଛନ୍ତି । ତେବେ କାହିଁ ତାଙ୍କର ମୁହଁ ? ପୁଷ୍ପଙ୍କ ସମ୍ମୁଖ କରିବା ସତ୍‌ସାହସ ବୀରେନ୍ଦ୍ରଙ୍କର ଅଛି ତ ? ଏସବୁ ପରେ ମଧ୍ୟ କାହିଁକି କେଜାଣି ବୀରେନ୍ଦ୍ର ଉଜ୍ଜ୍ୱଳ ଦେଖାଗଲେ । ବରଂ ତାଙ୍କ ସମ୍ମୁଖରେ ଚନ୍ଦ୍ର ଝାଉଁଳି ଗଲା ଭଳି ଜଣାପଡ଼ିଲେ ।

 

‘ମିଷ୍ଟର ମାନସିଂ ! ସବୁତ ଶୁଣିଲେ । ଏଥର ମାନସିକ ପ୍ରସ୍ତୁତି କରନ୍ତୁ । ଆପଣ ଶୀଘ୍ର ସମସ୍ତଙ୍କ ନିକଟକୁ ଫେରିବେ । ଆପଣ ଫେରିବାର ଖବର ପାଇଲେ ପୁଷ୍ପିତା ମ୍ୟାଡାମ୍‌ ମଧ୍ୟ ତାଙ୍କ ଫେରିବାର ଦିନ ଠିକ୍‌ କରିବେ । ବେଶ୍ ବଡ଼ କର୍ତ୍ତବ୍ୟଟା ଶେଷକଲା ଭଳି ମତେ ଲାଗୁଛି । ଆଜି ରାତିରେ ଅତିଥି ଭାବରେ ଚନ୍ଦ୍ରବଲ୍ଲଭ ଦାସ ଆଇ ପି ଏସ୍‌ କମିଶନରଙ୍କ ଆଗରେ ସମସ୍ତ କହି ଆପଣଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପଥ ସୁଗମ କରିବ । ବାହାରେ ମଧ୍ୟ ମୋର କର୍ତ୍ତବ୍ୟ ଶେଷ ହୋଇଛି-। ପ୍ରାୟଶ୍ଚିତ୍ତ କରିବ ଏଥର ।

 

ଶେଷଆଡ଼କୁ କେମିତି କେଜାଣି ଚନ୍ଦ୍ରଙ୍କ ଗଳାଟା ଭାରି ଭାରି ଲାଗିଲା । ସେ ମଳିନ ମୁଖମଣ୍ଡଳକୁ ଦେଖିଲେ ଯେମିତି ଜଣାଯିବ ଚନ୍ଦ୍ର ନିଜକୁ ଜେଲ୍‌ରେ କଏଦୀ ଭାବରେ ଆବିଷ୍କାର କରିସାରିଲେଣି । ତାଙ୍କର ଏକଥା ବୀରେନ୍ଦ୍ର ଶୁଣୁଥିଲେ କି ନାଁ କହିହେବ ନାହିଁ । ବରଂ ତାଙ୍କର ସିଦ୍ଧାନ୍ତ ଉପସ୍ଥାପିତ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ।

 

‘ଶୁଣ ବାବୁ ! ମୋର ଶେଷ କଥା ଶୁଣିବ ?’

 

ଏହି ପ୍ରକାର ଏକ ସମ୍ବୋଧନରେ ଚନ୍ଦ୍ର ସାମାନ୍ୟ ଶଙ୍କିତ ବୋଧକଲେ । ପରମୁହୂର୍ତ୍ତରେ ନିଜକୁ ପ୍ରକୃତିସ୍ଥି କଲେ । ହଁ, କ’ଣ ବା ଆଉ କୁହନ୍ତେ ? ପ୍ରକୃତରେ ତ ନିଜେ ସେ ଜଣେ ହତ୍ୟାକାରୀ । କହିଚାଲିଲେ ବୀରେନ୍ଦ୍ର ।

 

‘ମୋର ଯେତେ କ୍ଷତି ତମେ କରିଛ, ସାତଜନ୍ମଯାକେ ସେଥିରେ ପ୍ରାୟଶ୍ଚିତ୍ତ କଲେ ମଧ୍ୟ ତା’ର ପରିଶୋଧ ହୋଇପାରିବ ନାହିଁ । ଯାହା ମୁଁ ହଜେଇଛି କେହି ମୋତେ ଖୋଜି ଆଣିଦେଇ ପାରିବେ ନାହିଁ । ମୋ ଦିହରେ ଯେତିକି କଳଙ୍କ ବୋଳାହେଲା ସାରା ସମୁଦ୍ରର ପାଣି ମଧ୍ୟ ତାକୁ ଧୋଇ ସଫା କରିପାରିବେ ନାହିଁ । ଏ ସମସ୍ତ ବଦଳରେ ମୋର ଗୋଟିଏ ଅନୁରୋଧ ରଖିବ? ମତେ ପ୍ରତିଶ୍ରୁତି ଦେଇ ପାରିବ ଯେଉଁ ସ୍ୱପ୍ନ ମୁଁ ଏଯାବତ୍‌ ଦେଖି ଆସୁଥିଲି ତାକୁ ସାର୍ଥକ କରିଦିଅନ୍ତ ନାହିଁ ବାବୁ ?’’

 

ବୀରେନ୍ଦ୍ର ଅନୁମତି ଲୋଡ଼ି ନୀରବ ରହିଲେ । କିନ୍ତୁ ଚନ୍ଦ୍ରଙ୍କର କିଛି ଉତ୍ତର ଦବାର ନ ଥିଲା । ବୀରେନ୍ଦ୍ରଙ୍କର କଣ୍ଠସ୍ୱର କେମିତି ଭିନ୍ନ ଶୁଣାଯାଉଛି । ତାଙ୍କର ସମ୍ବୋଧନ କେମିତି ବଦଳି ଯାଉଛି । ବୋଧହୁଏ ବହୁ ପରିମାଣରେ ପ୍ରତିହିଂସା ପରାୟଣ ହୋଇଉଠିଛନ୍ତି ସେ । ତଥାପି ଚନ୍ଦ୍ରଙ୍କ ମଥାପାତି ତାଙ୍କ କଥା ମାନିନବାକୁ ପଡ଼ିବ । ବୀରେନ୍ଦ୍ର ମିଥ୍ୟା କହି ନାହାନ୍ତି ତ । ତେବେ ଆପତ୍ତି ଆଉ କାହିଁକି କରିବେ । ମୌନ ରହି ସମ୍ମତି ଜ୍ଞାପନ କଲେ ।

 

‘ଏତେ ବର୍ଷ ଧରି ନିର୍ଦ୍ଦୋଷରେ ମୁଁ ଜଣେ ହତ୍ୟାକାରୀ, ଆତତାୟୀ ଅପରାଧି ବୋଲି ସାବ୍ୟସ୍ତ ହୋଇ ସାରିଛି । ଯେତିକି ଜଣ ଖବରକାଗଜରୁ ହଉ, କେସ୍‍ ମାମଲାରୁ ହଉ ଜାଣିଛନ୍ତି ଯେ ବୀରେନ୍ଦ୍ର ମାନସିଂ ଦୋଷୀ ସେ ସମସ୍ତଙ୍କୁ କ’ଣ ଜୀବନକାଳ ଭିତରେ ଜଣ ଜଣ କରି ମୁଁ ଯାଇ କହିପାରିବି ଯେ ମୁଁ ନିର୍ଦ୍ଦୋଷ, ଖଲାସ ହୋଇ ଆସିଲି ? ମୋର ଫେରିବା ପରେ ନରେନ୍ଦ୍ର କ’ଣ ପୁଣି ମୋ ସାଙ୍ଗରେ ମିଶି ଏକାଘର କରିଦବ ? ତେଣୁ ମତେ ଏଇଠି ରହିବାକୁ ଦିଅ । ବରଂ ପ୍ରତିବଦଳରେ ଗୋଟିଏ ଋଣ ପରିଶୋଧ କର । ମୋ ଝିଅ ଅନୁ......ମଲ୍ଲିକା ଅନୁରାଗିଣୀ । ମଲ୍ଲିଫୁଲ ପରି ସ୍ୱଚ୍ଛ, ପବିତ୍ର, ନିଷ୍ପାପ କରି ମୁଁ ତାକୁ ବଢ଼େଇଥିଲେ ସୁଦ୍ଧା କେହିତାକୁ ବିବାହ କରିବାକୁ ସମ୍ମତ ହେଉ ନ ଥିବେ ମୁଁ ଜାଣେ । ତା’ର କାରଣ ବାପା ତା’ର ଜଣେ ଖୁନୀ, ଡକାୟତ ସର୍ଦ୍ଦାର, ବ୍ୟଭିଚାରୀ ଚରିତ୍ରହୀନ । ବୀରେନ୍ଦ୍ର ମାନସିଂର ଝିଅ ଭାବରେ ତାକୁ ଆଉ ଯେତେ ଚେଷ୍ଟା କଲେ ମଧ୍ୟ ବିବାହ କରେଇ ପାରିବ ନାହିଁ । ମୋର ଏ ଅନୁରୋଧ ରଖି ତମେ ନିଜେ ହିଁ ବ୍ୟବସ୍ଥା କରି ତାକୁ ଗ୍ରହଣ କର । ପୃଥିବୀରେ କେବଳ ତୁମେ ଜଣେ ହିଁ ଜାଣ ତା’ ବାପା ନିର୍ଦ୍ଦୋଷ । ତମରି ହାତ ଧରି ନେହୁରା ହୋଇକହୁଛି ତମେ ତାକୁ ଆଦରି ନିଅ । ନିଶ୍ଚିତ ରୁହ, ସାବିତ୍ରୀ ଆଉ ନରେନ୍ଦ୍ର କେହି ତମର ସମ୍ମାନରେ ଊଣା କରିବେ ନାହିଁ । ଚନ୍ଦ୍ର ବଲ୍ଲଭ ସାଙ୍ଗକୁ ମଲ୍ଲିକା ଅନୁରାଗିଣୀ । ବେଶ୍ ଭଲ ଲାଗିବ । ଝିଅକୁ ତମେତ ଦେଖିଚ । ନାପସନ୍ଦ କଲାଭଳି ଝିଅ ସେ ନିଶ୍ଚୟ ହୋଇ ନ ଥିବ । ମୋର କଳୁଷିତ ଜୀବନର ଆଉ କେତେ ବର୍ଷ ଏଇ କଳାଅନ୍ଧାର ହାଜତ୍‌ ଭିତରେ କଟିଯାଉ । ହେଲେ ସେଥିରେ ମୋର ଯେଉଁ ତୃପ୍ତି ଆଉ ସାର୍ଥକତା ଆସିବ ତା ତୁଳନାରେ ଏ କଷ୍ଟ କିଛି ନୁହେଁ-। ବେଶ୍ କିଛିଦିନ ଗଲାପରେ ଅନୁକୁ ତମର ଅତୀତ କୁହ ବା ନା କୁହ ଖାଲି ତା’ କାନରେ ଏତିକି କହିବ—ତା’ ବାପା ପ୍ରକୃତରେ ଅସଦ୍‌ଚରିତ୍ର ବା ଖୁନୀ ନୁହେଁ ।’

 

ଆଉ କହି ନ ପାରି ପିଲାଙ୍କ ଭଳି ବୀରେନ୍ଦ୍ର ଉଚ୍ଚ ସ୍ୱରରେ ଧୈର୍ଯ୍ୟ ହରେଇ କାନ୍ଦି ଉଠିଲେ । ତାରି ଭିତରେ ନଇଁ ପଡ଼ିବାବେଳକୁ କୁଣ୍ଢେଇଧରିଲେ ଚନ୍ଦ୍ର । ତାଙ୍କ ସ୍ଥାନରେ ବସେଇ ନେଲେ ସତେକି ବୀରେନ୍ଦ୍ର ଅତି ଦୁଃଖରେ ନ୍ୟୁନ ହୋଇ ଚନ୍ଦ୍ରଙ୍କର ଗୋଡ଼ ଧରି ପକେଇଥାନ୍ତେ । ଆସ୍ତେ ଆସ୍ତେ ତାଙ୍କ କୋହ କମି ଆସି ଶାନ୍ତ ହେଲା । ଦୁହେଁ ଟେବୁଲ ଉପରେ ଦୁହିଁଙ୍କ ସାମନାରେ ଥୁଆ ହୋଇଥିବା ଚା’କୁ ଅନେଇଥାନ୍ତି ।

 

ଗରମ ଚା’ରୁ ବାମ୍ପ ବାହାରୁଥାଏ । ଆଖିର ଲୁହରେ ଆଖିକୁ ଜାଲ ଜାଲୁଆ ଦେଖା ଯାଉଥାଏ । ଦୁହେଁ ସେହିପରି ଅପ୍ରଚ୍ଛନ୍ନ ଆଖି ନେଇ ସେ ଧୂମ କୁଣ୍ଡଳୀକୁ ଚାହିଁ ରହିଥାନ୍ତି । କାହାରି ମୁହଁରେ ଭାଷା ନାହିଁ । ସତେକି ସେଇ କୁଣ୍ଡଳୀକୃତ ଧୂମ ଭିତରେ କେତୋଟି ପରିକଳ୍ପିତ କାହାଣୀର ଛବି ସେ ଦୁହିଁଙ୍କ ଆଗରେ ଉଦ୍‌ଭାସିତ ହୋଇ ଉଠୁଛି । କିନ୍ତୁ ସେ ଛବିରେ ପାର୍ଥକ୍ୟ ଅନେକ । ବୀରେନ୍ଦ୍ରଙ୍କ କପ୍‌ରୁ ଯେଉଁ ଧୂମ ନିର୍ଗତ ହେଉଛି ତା’ରି ଭିତରେ ସେ ଦେଖିପାରୁଛନ୍ତି ସତେ ଯେମିତି ବାଲୁ ଆଉ ଅନୁ ଅଥବା ଚନ୍ଦ୍ର ଆଉ ମଲ୍ଲିକା ଦିହେଁ ଅଦୂରରେ ଥବା ହୋଇଥିବା ଚନ୍ଦ୍ରଙ୍କର ଗାଡ଼ିରେ ବସିଛନ୍ତି । ତା’ ପରେ ହସିହସି ଚାଲିଯାଉଛନ୍ତି ଦୂରକୁ ବହୁତ ଦୂରକୁ ।

 

ଚନ୍ଦ୍ର ଓ ମଲ୍ଲିକା ।

 

ଅପର ପକ୍ଷରେ ଚନ୍ଦ୍ର ମଧ୍ୟ ଦୂରରେ ତାଙ୍କ ଗାଡ଼ିଟା ଝରକା ସେପାଖରେ ଥୁଆ ହୋଇଛି ବୋଲି ଦେଖିପାରୁଛନ୍ତି । ମୁହଁକୁ ତଳକୁ ଭାଙ୍ଗି ହାତ ନାଡ଼ିରେ ଗାଲକୁ ଭରାଦେଇ ସେ ବସିଛନ୍ତି । ଧୂଆଁର ଧାସ ଆଉ ଛଳଛଳ ଆଖି ଭିତରେ ସେ ଯେଉଁ ଛବି ଦେଖିବା ଆରମ୍ଭ କରିଛନ୍ତି ସେଇଟା ହେଲା ସେହିପରି ଗାଡ଼ିଟିରେ ପଛସିଟ୍‌ରେ ବସିଛନ୍ତି ପୁଷ୍ପିତା ଆଉ ସାବିତ୍ରୀ ଆଗରେ ବସିଛନ୍ତି ବୀରେନ୍ଦ୍ର । ଗାଡ଼ି ଚଳାଉଛନ୍ତି ଅଂଶୁ ଅନିନ୍ଦିତ, ସମସ୍ତଙ୍କ ମୁହଁରେ କେମିତି ଏକ ବିଜିତ ଗୌରବ ଦର୍ପର ହସ ଲାଖି ରହିଛି ।

 

ଦୁହିଁଙ୍କର ଏହି ସ୍ୱପ୍ନିଳ ପରିବେଶ ଅଧିକ କ୍ଷଣସ୍ଥାୟୀ ନ ହେବାର କଥା । ଯେହେତୁ ଚା’ ଶୀତଳ ହେବା ଦୃଷ୍ଟିରୁ ଧୂଆଁ କମିଯାଇପାରେ । ଏବଂ ବାସ୍ତବତାକୁ ସେମାନେ ଫେରି ଆସିବେ । କିନ୍ତୁ ଏ ପରିକଳ୍ପନା ସୂଦୂର ପ୍ରସାରୀ ହେଲେ ହୁଏତ ପାଥେୟ ଭାବରେ ଅନେକ କିଛି ମିଳିବାର ସମ୍ଭାବନା । ସ୍ୱାଭାବିକ୍‌ ମଧ୍ୟ । ସେ ସବୁ ହେଲେ—ଚନ୍ଦ୍ରଙ୍କର ସାମାଜିକ ସ୍ଥିତି । କମିଶନର ସାହେବଙ୍କ ସହାନୁଭୂତି । କଳାବତୀଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ଦୁର୍ବଳ ପ୍ରମାଣ, କିଶୋରଙ୍କ ଅଂସଲଗ୍ନ ଯୁକ୍ତି ଏବଂ ସର୍ବୋପରି ଭୀରନ୍‌ମାସାନୀ ସାଜି କାମ କରିଥିବା ଫାର୍ମର ମାଲିକ ସାହେବଙ୍କ ଅପରିମିତ ଅର୍ଥ ଓ ଅନୁକମ୍ପା ।

 

ଏକ ବିଚିତ୍ର ପରିସ୍ଥିତିରେ କେଜାଣି କେମିତି ଦୁହିଁଙ୍କର ଭିନ୍ନ ଚିନ୍ତାଧାରା ମଧ୍ୟରେ ଏ ପାଥେୟ ସବୁ ଭିନ୍ନ ଭିନ୍ନ ରୂପରେ ଦେଖାଦେଇ ତାଙ୍କର ସ୍ୱପ୍ନକୁ କ୍ରମଶଃ ସହଜ ସତ୍ୟ ବୋଲି ପ୍ରମାଣ କରିବାର ଚେଷ୍ଟା କରୁଛନ୍ତି । କିନ୍ତୁ ୟା ଉପରେ ଆଉ ସଂପ୍ରସାରିତ ଆଲୋଚନା ସମ୍ଭବ ନୁହେଁ—ଯେହେତୁ ପରିବେଶ ଓ ପରିସ୍ଥିତି ।

 

ଆକାଶରେ ବର୍ତ୍ତମାନ ଜହ୍ନ ଠିକ୍‌ ସ୍ଥାନକୁ ଗଲାଣି । ଯେଉଁ ଅବସ୍ଥାରେ କି ସେଦିନ ରହିଥିଲା, ଏବଂ ସେଦିନ ହେଲା ସେହିଦିନ ଯେଉଁଦିନ ଉଭୟଙ୍କ ଜୀବନରେ ଏକ ଉଲ୍ଲେଖନୀୟ ଘଟଣାର ଅବତାରଣା ହୋଇଥିଲା । ଯାହାକୁ ଉପନ୍ୟାସର ଉପକ୍ରମ ଭଳି ଉପସ୍ଥାପିତ କରାଯିବା ବିଧେୟ । ଆଜି ଆଉ ସେ ସମୟପରେ ଆଗେଇବା ସମ୍ଭବ ନୁହେଁ । ବର୍ତ୍ତମାନ ପାଇଁ ସେମାନଙ୍କ ସ୍ୱପ୍ନ ଚା’ର ବାସ୍ତବତା ଭିତରେ ସିମୀତ ରହିବା ବାଞ୍ଛନୀୟ ।

 

ନିଶ୍ଚୁପ୍‌ ନୀରବତା ଭିତରେ ପ୍ରକୋଷ୍ଠଟିରେ କେତୋଟି ଧାଡ଼ି ଖେଳି ବୁଲୁଛି....ବାବୁ ! ମୁଁ ତମ ହାତ ଧରି ନେହୁରା ହୋଇ କହୁଛି ଅନୁକୁ ତମେ ଗ୍ରହଣ କର । ତା’ ବଦଳରେ ଜୀବନର ବାକି ସମୟତକ ଏଇଠି କଟେଇବାକୁ ଦିଅ ।

 

ଉଭୟେ ଚା’ କପ୍‌ ଉଠେଇ ନୀରବରେ ମୁହଁକୁଟେକିବା ଭିତରେ ଝରକା ଦେଇ ବାହାରକୁ ଚାହିଁଥାନ୍ତି । ଝରକା ସେପଟେ ମଟର ଗାଡ଼ିଟା । ଉଭୟଙ୍କର ପରିକଳ୍ପନା ଗାଡ଼ିକୁ ଦେଖି ଆହୁରି ବଳବତ୍ତର ହେଲା । ବୀରେନ୍ଦ୍ର କେମିତି ଦେଖୁଛନ୍ତି ଗାଡ଼ି ଭିତରେ ଚନ୍ଦ୍ର ଆଉ ମଲ୍ଲିକା ! ଏବଂ ଚନ୍ଦ୍ର ଅପରପକ୍ଷରେ ଦେଖୁଛନ୍ତି—ଅଂଶ ଏବଂ ବୀରେନ୍ଦ୍ରଙ୍କ ସହିତ ପୁଷ୍ପ ଏବଂ ସାବିତ୍ରୀ, ଅନେକ ସାଫଲ୍ୟର ଗୌରବ ।

 

ତଳେ ମଟର ଗାଡ଼ି ଓ ଉପରେ ସେହି ଜହ୍ନ ଏବଂ ଆକାଶ । ପ୍ରଭେଦ ଏତିକି-ସେଦିନ ଭିନ୍ନ ଗାଡ଼ି ଥିଲା ଆଜି ଭିନ୍ନ ଗାଡ଼ି । ସେଦିନର ଆକାଶରେ କେଇଖଣ୍ଡ ବାଦଲ ଥିଲା । ଆଜି ସମ୍ପୂର୍ଣ୍ଣ ପରିଷ୍କାର । ସେଦିନ ଧରିତ୍ରୀର ଦେହ ଅସମୟ ବର୍ଷାରେ ଭିଜି ବିପର୍ଯ୍ୟସ୍ତ ହୋଇଥିଲା ଆଜି ନିର୍ମଳ ଓ ପରିଚ୍ଛନ୍ନ ।

 

ସବୁ ବ୍ୟାପ୍ତ ଅଥଚ ଅସମାପ୍ତ ।

Image